Unknown

 

 

 

 

 

 

 

 

 

 

 

ଅମୃତ ମାଟି

ଚୌଧୁରୀ ବରଦାପ୍ରସନ୍ନ ଦାସ

 

 

 

 

 

 

 

 

 

କିଟୁନ୍‍ପରି ଅପାପବିଦ୍ଧ ଶିଶୁ ଆଉ ଅମୃତ ମାଟିର ନୂଆ ସକାଳର ନାୟକମାନଙ୍କୁ

 

—ବରଦାପ୍ରସନ୍ନ

 

କାହାଣୀ ପଛର କାହାଣୀ

 

ପୃଥିବୀରେ ଯାହାସବୁ ଲେଖାଯିବାର କଥା ତାହା ଲେଖାସରିଛି । ଯାହାସବୁ କୁହାଯିବାର କଥା କୁହାସରିଛି । ଏବେ କେବଳ ସାଂପ୍ରତିକ ଘଟଣାବଳୀର ପ୍ରଭାବରେ ସେଇ ସବୁ କଥାକୁ ନିଜନିଜ ଶୈଳୀରେ ପୁଣି କେତେବେଳେ ପାରିପାର୍ଶ୍ୱିକ, ସାମାଜିକ, ଭୌଗୋଳିକ ଅବା ବୈଜ୍ଞାନିକ ପରିବର୍ତ୍ତନ ଭିତ୍ତିରେ କୁହାଯାଉଛି । ଯେମିତି ଏକଦା ସବାରିରେ ଆସୁଥିବା ବୋହୂଟିକୁ କିଏ କିଏ ଉଡ଼ାଜାହାଜରେ ଆଣୁଛନ୍ତି । କିନ୍ତୁ ଅନେକଥରର ନବକଳେବର ଭିତରେ ‘ପ୍ରେମ, ଦରଦ, ଆବେଗ ଓ ସୁଖର ସଂସାରର ପ୍ରୟାସ’କୁ ନେଇ ଗଠିତ ନାଭିକମଳଟି ବାରବାର ଘଟ ପରିବର୍ତ୍ତନ କରୁଛି କେବଳ ।

 

ମୋର ଚରିତ୍ର ମାନଙ୍କ ସହ ଯଦି କେଉଁ ଜୀବିତ ବା ଦିବଂଗତ ବ୍ୟକ୍ତି ବା ଘଟଣାର ସାମଞ୍ଜସ୍ୟ ଥାଏ ମୁଁ ସେମାନଙ୍କ ପାଖରେ କ୍ଷମା ମାଗୁନି, କାରଣ ମୋ ଚରିତ୍ର ମାନଙ୍କ ସହ ପ୍ରତାରଣା କରିବାକୁ ଚାହୁଁନି । ଦୁଃସାହସ ହେଉ ବା ସତ୍‌ସାହସ ହେଉ, ଆଜିର ଦିନରେ ମୁଁ ସେମାନଙ୍କୁ ସ୍ମରଣ କରୁଛି । ନାମ, ସ୍ଥାନ,କେଉଁଠିବା ପରିବେଶର ପରିବର୍ତ୍ତନ ସହ ସେ ‘ବଦଳିଥିବା ରଂଗମଂଚ ରେ ସେଇ ପୁରୁଣା ନାୟକ’ ର ପୁଣ୍ୟମୟୀ ହେଉ, ‘ଫୁଲଦାନିର ଫୁଲ’ର ନୀନାଭାଉଜ ହୁଅନ୍ତୁ, ‘ସମୁଦ୍ରରୁ ପାହାଡ଼କୁ ବହୁଥିବା ନଦୀ’ର ସୁନା ଆଉ ସନିଆ ହୁଅନ୍ତୁ ଅବା ଗୋପାଳପୁରର ବେଳାଭୂଇଁରେ ‘ତଥାପି ସୂର୍ଯ୍ୟୋଦୟକୁ ଅପେକ୍ଷା’ କରିଥିବା ସର୍ବସଂହା ବଧୂଟି ହେଉ, ସମସ୍ତେ ଆଜି ସ୍ମରଣୀୟ । କେମିତି ବା ଭୁଲିବି ‘ଅମୃତ ମାଟି’ର ସେଇ ମୁସଲମାନ ସଂପତ୍ତିଙ୍କୁ ଯେଉଁମାନେ ଡାକ୍ତରଖାନାରୁ ଏକ ପରିତ୍ୟକ୍ତ ଶିଶୁକୁ ନିଜର କରି ଆପଣେଇ ନେଇଥିଲେ, ଯେତେବେଳେ ଧର୍ମନାମରେ ଶାନ୍ତ କନ୍ଧମାଳ ପାଲଟିଥିଲା ଅଶାନ୍ତ କନ୍ଧମାଳ । ସେଇ ଶିଶୁର ଗୋଟିଏ ପରିଚୟ ଥିଲା, ଅମୃତର ସନ୍ତାନ ।

 

ପ୍ରଥମ କଥା ହେଲା ସାହିତ୍ୟ ପ୍ରାୟ ନିଜପାଇଁ ସୃଷ୍ଟି କରାଯାଏ । ସମାଜର ଯେଉଁ ଘଟଣା, ଅନୁଭବ ବା ଏକାନ୍ତ ସ୍ଵପ୍ନ ମଣିଷକୁ ପ୍ରଭାବିତ କରେ ତାହା ବହିଯାଏ କବିତା ଗଳ୍ପ ବା ଉପନ୍ୟାସ ଭାବରେ । ତା’ ଲେଖକକୁ ଶାନ୍ତିଦିଏ ଏବଂ କେଉଁ ନାନ୍ଦନିକ ଜଗତକୁ ନେଇଯାଏ । ଅନୁଭୁତି ଯେତେ ପ୍ରଖର, ସୃଷ୍ଟିର ଭାଷା ସେତେ ସାବଲୀଳ । ମନଛୁଆଁ ମଧ୍ୟ ।

 

ଓଡ଼ିଆ ସାହିତ୍ୟର ଅମର ପୁରୁଷ କାନ୍ତକବି ଯେତେବେଳେ ବୁଢ଼ାଶଙ୍ଖାରି ରୂପରେ ଅସୁମାରୀ ଆଶାକରି ଆସିଥିଲେ ସେଇ ସରଳା ଗ୍ରାମ୍ୟବଧୂର ଚଂପାଫୁଲିଆ ହାତରେ ଅନେକ ଶ୍ରମରେ ଗଢ଼ା ତାଙ୍କ ଆସ୍‌ମାନ୍‌ତାରା ଶଙ୍ଖା ମୁଠାକ ପିନ୍ଧେଇଦେବେ ସେତେବେଳେ ସେ ଆକାଶରୁ ଖସି ପଡ଼ିଛନ୍ତି, ବଧୂଟିର ନିରାଭରଣା ବିଧବା ବେଶ ଦେଖି । ଚଟାଣରେ ଫିଙ୍ଗି ଦେଇଛନ୍ତି ଲାଲଟୁକଟୁକ୍ ସେଇ ଆସ୍‌ମାନ୍‌ତାରା ଶଙ୍ଖାମୁଠାକୁ । ହେଲେ ସମାଜରେ ବଧୂକୁ ବିଧବା ସଜେଇବାର ପ୍ରଥା ଆଉ କାନ୍ତକବିଙ୍କର ସେଇ ବେଗମତି ସାଳନ୍ଦୀର ଧାରାପରି ପ୍ରଖର ବର୍ଣ୍ଣନା ମୋ ମନକୁ ବାରବାର ଆନ୍ଦୋଳିତ କଲା । ଏଇ ମହାନ ପୁରୁଷ, ସଂସ୍କାରକଙ୍କ ମରଦେହର ଜୀବନକାଳ ଥିଲା ସୀମିତ । ମନେହେଲା ଉତ୍କଳ ଜନନୀର ଚିରବନ୍ଦନା କରୁଥିବା କାନ୍ତକବି ଯଦି ଥାଆନ୍ତେ ତେବେ ଆଖିରୁ ଲୁହ ଶୁଖିଗଲା ପରେ ସେ ଦେଖିଥାଆନ୍ତେ ତାଙ୍କର ସେଇ ମା’ହାତରେ ଆସ୍‌ମାନ୍‌ତାରା ଶଙ୍ଖା ହସୁଛି । ମହାକାଳକୁ ଜୟ କରିଥିବା ଏଇ ଗାଳ୍ପିକଙ୍କୁ କାଳ ନେଇଗଲା । ମୋର କାଇଁ ମନେହେଲା ଅଶରୀରରେ ସେ ଅପେକ୍ଷା କରିଛନ୍ତି ଶଙ୍ଖା ମୁଠାକ ପୁଣି ପିନ୍ଧେଇ ଦେବାକୁ । ସେଇ ପ୍ରେରଣାରୁ ସୃଷ୍ଟି ଗଳ୍ପ ‘ଅବିନଶ୍ଵର ।

 

‘ରଂଗମଂଚର ରାଜାରାଣୀ’ ଗଳ୍ପ ଭିତରେ ନିଜକୁ ଆବିଷ୍କାର କରି ମତେ ପ୍ରେରଣା ଦେଇଥିବା ଏବଂ ମୋର କେନ୍ଦ୍ରାପଡ଼ା ରହଣୀ କାଳରେ ଏକାନ୍ତ ଅନ୍ତରଂଗ ହୋଇଥିବା ଅଗ୍ରଜ ଗାଳ୍ପିକ ଶ୍ରୀ ଅଦୈତ ମହାନ୍ତି, ମୋତେ ସତତ ପ୍ରେରଣା ଦେଇ ଆସିଥିବା ଓଡ଼ିଶାର କବିତା ଓ ସାହିତ୍ୟ ଜଗତର ଦିଗବାରେଣୀ ଏବଂ ନିଜ ଭିତରେ ଅତ୍ୟୁଚ୍ଚ ସ୍ତରର ପ୍ରତିଭାଧାରୀ ଆଇନଜ୍ଞ ଶ୍ରୀ କୈଳାଶ ଲେଙ୍କା, ଶ୍ରୀକୃଷ୍ଣ ନିବାସର କବିଦମ୍ପତି ଶ୍ରୀ ପ୍ରାଣକୃଷ୍ଣ ମହାନ୍ତି ଓ ଶ୍ରୀମତି ସୁଧାଂଶୁବାଳା ଆଜିର ଦିନରେ ସ୍ମରଣୀୟ । ଏମାନେ ଦିବଂଗତ ହେଲେବି ଏମାନଙ୍କ ନାମରୁ ଶ୍ରୀ ବା ଶ୍ରୀମତୀ କାଟିବାକୁ କଲମ ଯାଉନି କାରଣ ଏମାନେ ବଂଚିଛନ୍ତି କ୍ଷିତ, ଅପ୍, ତେଜ, ମରୁତ ଆଉ ବ୍ୟୋମରେ-। ଏମାନେ ସବୁବେଳେ ଅନ୍ୟର ପ୍ରତିଭାକୁ ସ୍ୱୀକାର କରି ଆତ୍ମପ୍ରଚାରକୁ ଭୁଲିଯାଇଛନ୍ତି-। ତଥାପି ଆଶା, ମହାକାଳ ଏ ସମସ୍ତଙ୍କର ଉଚିତ ମୂଲ୍ୟାୟନ କରିବ ।

 

ଯେଉଁ ପ୍ରତିଭାଟି ମୋ ପରି ଏକ ଚାରି, ପାଞ୍ଚବର୍ଷର ଶିଶୁର ମାନସପଟରେ ନାନ୍ଦନିକ ଆବେଗର ଅବିର ବୁଣିଥିଲେ ସେ ପ୍ରକଟିତ ହୋଇପାରିଲେ ନାହିଁ । ସେ ମୋର ଗୃହ ଶିକ୍ଷକ ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ନାୟକ । ଯିଏ ମତେ କେବଳ ଅକ୍ଷର ଶିଖେଇ ନଥିଲେ ବରଂ ମୋ ଆଖିରେ ଦେଇଥିଲେ ରଂଗ । ମତେ ପାଠ ପଢ଼େଇବା ବେଳେ ସେ ତାଙ୍କର ସମବୟସ୍କ ସାଂଗକୁ ପଢ଼ି ଶୁଣାନ୍ତି ତାଙ୍କ ଲେଖିଥବା କାହାଣୀ । ସିଲଟ ଉପରେ ଖଡ଼ି ସ୍ଥିରକରି ମୁଁ ବେଳେବେଳେ ଶୁଣେ । ମୋ ଆଖି ଆଗରେ ଗୋଟେ ରଂଗୀନ କାନଭାସ ଦେଖେ । ତାଙ୍କ ତୁଣ୍ଡରୁ ‘ମମତା...ମମତାର ଗାଁ...ପାଖରେ ଗୋପାଳପୁର ବନ୍ଦର’ ଏମିତି କେତୋଟି ଶବ୍ଦ ଏବେବି ମୋ କାନରେ ବାଜେ । ସଦା ନୀରବ କାଳନ୍ଦୀ ମାଷ୍ଟ୍ରେ ଏବେ ଚାକିରିରୁ ଅବସର ନେଇଛନ୍ତି । ମୋ ଜାଣିବାରେ ତାଙ୍କର କୌଣସିଟି ଲେଖା ଏଯାବତ୍‍ ପ୍ରକାଶିତ ହୋଇନି । ତାଙ୍କର ପଟାବନ୍ଧେଇ ଖବର କାଗଜ ମଲାଟମଡ଼ା ଖାତାଟା ମୋ ଆଖିରେ ସଦା ସବୁଜ ।

 

ମୋର ବୋଉ ଥିଲା ସାଧାରଣ ଜୀବନରେ ମଣିଷପଣିଆର ଉତ୍କର୍ଷ ସ୍ଥାନରେ ଥିବା ମଣିଷଟିଏ । ସେ ଥିଲା ଅସଂଭବ ଦରଦ, ମାନବପ୍ରେମ, ଜୀବେଦୟା କରୁଣାର ଅଧିକାରିଣୀ, ଛୁଆଁ ଅଛୁଆଁ ନ ବାରି ମଣିଷ ସାଥିରେ ମିଶୁଥିବା ମଣିଷଟିଏ । ସମସ୍ତ ପ୍ରକାର ସାମନ୍ତବାଦୀ ଚିନ୍ତାଧାରାରୁ ମୁକ୍ତ ଏଇ ମଣିଷଟି କଣିଆଁ ବାଲିକୁଦାର ସ୍ଵାଧୀନତା ସଂଗ୍ରାମୀ ପରିବାରର ଉଚିତ ଦାୟାଦ । ବଡ଼କଥା ହେଲା ତା’ର କଥା ଆଉ କାମଥିଲା ସମାନ । ସେ ଥିଲା ମୋର ସାହିତ୍ୟର ପ୍ରେରଣା । ନାରୀସହ ତା’ରି ମାଧ୍ୟମରେ ମୋର ପ୍ରଥମ ପରିଚୟ ହୋଇଥିବାରୁ ଆଉ ପରବର୍ତ୍ତୀ ସମୟରେ ମା’ ରମାଦେବୀଙ୍କ ପ୍ରଭାବରୁ ପ୍ରାୟ ମୋର ନାରୀଚରିତ୍ରମାନେ ଚିର ବନ୍ଦନୀୟା, ସମ୍ମାନସ୍ପଦା, ନାନ୍ଦନିକ ତଥା ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟମୟୀ, ଚିନ୍ମୟୀ ସମସ୍ତ ମଙ୍ଗଳର ଅଧିକାରିଣୀ ।

 

ମହାବାତ୍ୟାରେ ମଧ୍ୟ ମୋର ଲେଖା ଗୁଡ଼ିକୁ ସୁରକ୍ଷିତ କରି ରଖିପାରିଥିବାରୁ କଟକ ଚଣ୍ଡୀଛକର ପ୍ରଧାନ ଗ୍ରାଫିକ୍ସର ମାଲିକଙ୍କୁ ଧନ୍ୟବାଦ ଦେଉଛି । ଆଜି ତାଙ୍କର ଦିବଂଗତ ପିତାଙ୍କର ସହାସ୍ୟମୁଖ ଓ ଆଦରପୂର୍ଣ୍ଣ ସଂଭାଷଣ ମନେପଡ଼ୁଛି ।

 

ସର୍ବ ଉପରେ ଏଇ ବତାଶ ଅଇଁଠା ଶିଶୁ ଯାହାଙ୍କର ପ୍ରଚେଷ୍ଟାରେ ଆଲୋକ ଦେଖୁଛି, ଯିଏକି ନିରବଚ୍ଛିନ୍ନ ଭାବେ ପ୍ରଚେଷ୍ଟା କରି “ଅମୃତ ମାଟିକୁ’’ ଲୋକଲୋଚନକୁ ଆଣିଛନ୍ତି ସେହି ପ୍ରକାଶକ ବନ୍ଧୁ ଶ୍ରୀଯୁକ୍ତ ଭିକାରୀ ଧଳଙ୍କୁ ଧନ୍ୟବାଦ ଦେଉଛି । ଅନୁଜ ପ୍ରତିମ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ଶଶିକାନ୍ତ ରାଉତ ଆଦରର ସହ ଏ ପୁସ୍ତକଟିର ପ୍ରଚ୍ଛଦ ଆଙ୍କିଛନ୍ତି । ସେ ମୋର ଧନ୍ୟବାଦାର୍ହ ।

 

ମୋର ଅନେକ ବଂଧୁ, ଯେଉଁମାନେ ସମାଜର ସାଧାରଣ ସ୍ତରଠାରୁ ଆରଂଭ କରି ଅତ୍ୟୁଚ୍ଚ ଶିଖରରେ ମଧ୍ୟ ରହିଛନ୍ତି ସେମାନଙ୍କର ସାନ୍ନିଧ୍ୟ ଓ ପ୍ରେରଣାରେ ଏହି ଲେଖାସବୁ ଜୀବନ ପାଇଛନ୍ତି । ସେମାନେ ମୋର ଅମୃତ ନଗରୀର ସାଥୀ । ଆପଣ ମୋ ସାଥୀରେ ସାଥୀ ହେବେନି କି ?

 

ଚୌଧୁରୀ ବରଦା ପ୍ରସନ୍ନ ଦାସ

☆☆☆

 

ସୂଚୀପତ୍ର

 

୧.

ରଙ୍ଗମଞ୍ଚର ରାଜାରାଣୀ

୨.

ବଦଳିଥିବା ରଙ୍ଗମଞ୍ଚରେ ସେଇ ପୁରୁଣା ନାୟକ

୩.

ଉତ୍ତରଣ

୪.

ପରାଜିତ

୫.

ଦିଗ୍‍ବଳୟ ଆର ପାଖରେ ପୃଥିବୀ

୬.

ବୁଡ଼ିଗଲା ଗୋଡ଼

୭.

ଅଦିନ ରାକ୍ଷୀ

୮.

ଓଲଟି ପଡ଼ିଥିବା ଡଙ୍ଗା

୯.

ଅମୃତର ଆତ୍ମହତ୍ୟା

୧୦.

ସମୁଦ୍ରରୁ ପାହାଡ଼କୁ ବହୁଥିବା ନଦୀ

୧୧.

ତମସୋ ମାଂ ଜ୍ୟୋତିର୍ଗମୟ

୧୨.

ଖୋଲା ଆକାଶର ପଞ୍ଜୁରି

୧୩.

ଠିକଣା ଖୋଜୁଥିବା ଚିଠି

୧୪.

ଅବିନଶ୍ୱର

୧୫.

ଫୁଲଦାନୀର ଫୁଲ

୧୬.

ଶୁଭ ସକାଳର ଅପେକ୍ଷାରେ

୧୭.

କଥାକୁହା କଣ୍ଢେଇ

୧୮.

ଅନନ୍ତ କାଳର ଶିଳ୍ପୀ

୧୯.

ପାହାଚ ସରଗକୁ

୨୦.

ହେ ଛନ୍ଦକ ଫେରିଯାଅ

୨୧.

ଶାପଗ୍ରସ୍ତା ଭୁବନେଶ୍ଵରୀ

୨୨.

ତଥାପି ସୂର୍ଯ୍ୟୋଦୟକୁ ଅପେକ୍ଷା

୨୩.

ପାପ ପାଇଁ ଟିକେ ଥାନ

୨୪.

ବନାଗ୍ନି

୨୫.

ଅନ୍ଧପୁଟୁଳି

୨୬.

ନିରୁଦ୍ଦିଷ୍ଟ ପୃଥିବୀ

୨୭.

ଅମୃତ ମାଟି

☆☆☆

 

ରଙ୍ଗମଞ୍ଚର ରାଜାରାଣୀ

 

ସେଣ୍ଟ୍ରାଲ୍ ଟେଲିଗ୍ରାଫ୍ ଅଫିସ୍‌ର ତିନିତାଲା କୋଠା ଉପରୁ ଅଧାନିଦ ଅଧାଚିଆଁ ଆଖିରେ ମହାନଦୀ ପଠା ଆଡ଼କୁ ଚାହିଁ ରହିଥିଲା ଅନିମେଶ । ଆକାଶର ତାରାଗୁଡ଼ାକ ଘୁମେଇ ପଡ଼ିଲେଣି ପୃଥିବୀ ସାଥିରେ । କେବଳ ମେସିନ୍‌ରେ ଟକ୍‌ଟକ୍, କର୍‌ର କର୍‌ର ଶବ୍ଦଗୁଡ଼ାକ ମଝିରେ ମଝିରେ ଶୁଭୁଛି । ରାତି ଡିଉଟି ଥିବା କର୍ମଚାରୀଗୁଡ଼ାକ କିଏ କୋଉଠି ମୁଣ୍ଡମାଡ଼ି ଦେଇଛନ୍ତି । ଏମିତି ମାସସାରା ସେ ମେସିନ୍‌ର ଟକ୍‌ଟକ୍‌ କର୍‌ର କର୍‍ର ଶବ୍ଦ ଶୁଣେ । କେତେବେଳେ କେମିତି ବା ଏ ଲୋକଗୁଡ଼ାକ ଘୁମେଇ ପଡ଼ିଚନ୍ତି ? ହସ ଲାଗିଲା ତାକୁ । ସେ କେବେ ଏ ଶବ୍ଦଗୁଡ଼ାକ ସହି ପାରେନା । ହେଲେ ପେଟପାଇଁ ଏ ଚାକିରି । ଶବ୍ଦ ଶୁଣିବା ପାଇଁ ପଡ଼ିବ, କାରଣ ପ୍ରତିବଦଳରେ ମାସ ଶେଷରେ ରେଭିନ୍ୟୁ ଷ୍ଟାମ୍ପ ମାରି ଦରମା ଗଣିନେବ ।

 

ମନେ ମନେ ତାର ହିଂସା ହଉଥିଲା । ଆଉ ଟିକିଏ ଆଗରେ ଥିବା କୋଠାରେ କାମ କରୁଥିବା ଆକାଶବାଣୀର କର୍ମଚାରୀଙ୍କ ପ୍ରତି । ସେଇଠି କିଛି ନ ହେଲେ ବି ମେକାନିକାଲ ଷ୍ଟାଫଟିଏ ହୋଇଥିଲେ ଦିନରାତି କେତେ ଗୀତ ଶୁଣୁଥାଆନ୍ତା । ମିଳନରୁ ବିଚ୍ଛେଦର- ଆତ୍ମହରା ହେଉଥାଆନ୍ତା ।

 

ମେସିନ୍ ଗୁଡ଼ାକ ଉପରେ ତାର ଭୀଷଣ ରାଗହେଲା । ଏଇମାନେ ତାକୁ ବି ଗୋଟାଏ ମେସିନ୍ କରି ଗଢ଼ିଛନ୍ତି ।

 

ଅନିମେଶ ଖିଆଲି ଆଖିରେ ଘଣ୍ଟାକୁ ଚାହିଁଲା । ରାତି ଦୁଇଟା । ଆହୁରି ଚାରିଘଣ୍ଟା ଏଇ ଘରେ ତାକୁ କଟେଇବାକୁ ପଡ଼ିବ । ପୁଣି ସେଇ ମେସିନ ସାଥିରେ । ସେଇ ଶବ୍ଦ, ଟକ୍‌ଟକ୍‌ କର୍‌ର କର୍‌ର । ପୋଷ୍ଟାଲ୍ କଲୋନିରେ ସୁଜାତା ହୁଏତ କଡ଼ ଲେଉଟେଉଥିବ । ଅନିମେଶର ରାତି ଡ୍ୟୁଟି ଥିବା ଦିନଗୁଡ଼ାକରେ ସେ ପ୍ରାୟ ବଦଳିଯାଏ । ସକାଳକୁ ଅପେକ୍ଷା କରି ରାତିଟା କଟେଇ ଦେଇ ବ୍ରାହ୍ମମୁହୂର୍ତ୍ତରୁ ଗାଧୋଇ ପଡ଼ି ସିନ୍ଥିରେ ସିନ୍ଦୁର ମାରି ବାରଣ୍ଡାରେ ତାର ଉପରକୁ ଓଦା ଶାଢ଼ିଖଣ୍ଡକ ଫିଙ୍ଗିଦେଲା ବେଳକୁ ପ୍ରାୟ ଅନିମେଶ ପହଞ୍ଚେ । ତା ପରେ ଦିନର ବୟସ ସେମାନଙ୍କ ପାଇଁ ଛୋଟ ହୋଇଯାଏ । ଟାଣୁଆ ନିଦା ସଞ୍ଜ ମାଡ଼ିଆସେ ।

 

ହଠାତ୍ ଗୋଟାଏ ମେସିନର ଅସ୍ୱାଭାବିକ ଶବ୍ଦ ଶୁଣି ଉଠିଗଲା ଅନିମେଶ । ରେଲ୍ କୋଉଠି ଅଟକି ଯାଇଛି । ମେସିନ୍ ପାଖରେ ଠିଆ ହେଲା ସେ । ଧାଡ଼ି ଧାଡ଼ି ଜାଗଜ ଉପରେ କଳା କଳା ଅକ୍ଷରଗୁଡ଼ାକୁ ଚାହିଁଲା । ମେସିନ୍‌ଟା କେମିତି ତା ଆଖିରେ ସଜୀବ ହୋଇ ଉଠିଲା । “ମମତା ବ୍ଲେସେଡ଼ ଉଇଥ୍‌ ଏ ସନ୍ ।" ଚମତ୍କାର ! ଏତେ ରାତିରେ ସେ ଏକା ନୁହେଁ । ତାଙ୍କ ସାଥିରେ ଏମିତି କେତୋଟି ଶବ୍ଦ ଅଛି ଯେଉଁମାନେ କାଲି ସକାଳୁ ଶିହରଣ ସୃଷ୍ଟି କରିବେ । କେତେ ଆନନ୍ଦ ଉଲ୍ଲାସ ! ମିଠେଇ ବଣ୍ଟନ ! ମମତାର ପୁଅ ହୋଇଛି । କିଏ ସେ ମମତା ? ଯିଏ ହେଉ, ନାରୀଟିଏ । ମା’ ହେଉଛି । ପରିବାର ପାଖକୁ ତାର ଆସିଛି । ହସର ଠିକଣାଟି ପଢ଼ିଲା ଅନିମେଶ-

 

ଗୋଟିଏ ଗ୍ରାମାଞ୍ଚଳ ପୋଷ୍ଟ ଅଫିସ୍‌ର ହୋଇପାରେ । କେତେ ଝିଅ ପରେ ମମତା ନାମ୍ନୀ ସେଇ ନାରୀଟିର ପୁଅଟିଏ ହେଇଥିବ ଅବା ଅନେକ ଦିନ ଧରି ନିଃସନ୍ତାନ ରହିଲା ପରେ ତା'ର ପୁଅଟିଏ ହୋଇଥିବ ।

 

ମହାନଦୀ ପୋଲ ଉପରୁ ଟ୍ରେନ୍‌ ହୁଇସିଲ୍ ଶୁଭୁଛି । ବାଲ୍‌କୋନିରେ ଆସି ଚାହିଁଲା ସେ-। କ୍ୟାଣ୍ଟିନ୍‌ର ପିଲାଗୁଡ଼ାକ ଖୋଲା କ୍ୟାବିନ୍‌ରେ ଖଟିଆ ପକେଇ, ଦେହ ଉପରେ କନ୍ଥା ଘୋଡ଼େଇ ହୋଇ ଶୋଇଛନ୍ତି । ରାତିର ପହିଲି ପ୍ରହରରେ କଳିଗୋଳ କରୁଥିବା କୁକୁରଗୁଡ଼ାକ ଖାଲି କୁଁ କୁଁ ହେଉଛନ୍ତି ।

 

ପୁଣି ମେସିନ୍ ପାଖକୁ ଫେରିଲା ଅନିମେଶ । ମେସେଜ୍ ଉପରେ ମେସେଜ୍ ଚାଲିଛି । “ରିଚିଂ କଟକ ବାଇ ନୀଳାଚଳ ଫିଫଟିନ୍‌ଥ ରେଡ଼ି ଟୁ ପ୍ରୋସିଡ଼ ଚିଲିକା ।" ଆହ୍ଲାବାଦରୁ କେହି ଅରୁନ୍ଧତୀ ପଠେଇଛି । ହସ ଲାଗିଲା ତାକୁ । ଅରୁନ୍ଧତୀ ବୋଲି ଝିଅଟିଏ ଟ୍ରେନ୍‌ରୁ ଓହ୍ଲାଉଛି । ଆଉ ତାକୁ ଅପେକ୍ଷା କରୁଛି ସୌମ୍ୟ ଯୁବକଟିଏ । ହସି ହସି ସେମାନେ ଟ୍ୟାକ୍ସିରେ ଚାଲିଯାଉଛନ୍ତି । ମାମୁଁ, ଭଣଜା ପାହାଡ଼ରୁ ଭାଲେରି, ସୋଲରି, କେତେ ରଙ୍ଗ ବେରଙ୍ଗର ପକ୍ଷୀ ଆଉ ଡଙ୍ଗାରେ ବସିଲା ବେଳେ ପଦ ଟଳମଳ କରି ଅରୁନ୍ଧତୀ ହୁଏତ କହୁଛି ‘‘ମତେ ଡର ଲାଗୁଛି ।”

 

ରିଲ୍ ବୁଲିଗଲାଣି । ସଂବିତ୍‍ ଫେରେଇ ଚାହିଁଲା ଅନିମେଶ । ଗଦାଗଦା ରିଲ୍ ତଳେ ପଡ଼ିଲାଣି । ଡାକରେ ଟଙ୍କା ପଠେଇନି ଲୋକଟି, ତାର କରି ପଠେଇଛି । ଦୁଃଖ ଲାଗିଲା ସେଦିନର କାଳିଘାଟ ସିନା କଲିକତା ମହାନଗରୀ ରେ ବଦଳି ଯାଇଛି, ହେଲେ ବଦଳିନି ସେଇ ଗାଁ ଟା, ଯୋଉଠିକି ଏ ତାର ଯିବ । ଖୋଲା ନୁହେଁ, ଅଖାମୁଣା ଭିତରେ ଜଉମୁଦା ଦିଆହୋଇ ଯିବ । କଲିକତାରୁ ଟଙ୍କା ପଠେଇଥବା ଏ ଲୋକଟି କିଏ ହୋଇପାରେ ? ଚଟକଳରେ କାମ କରି ଝୁମ୍ପୁଡ଼ି ଘରେ ରହୁଥିବା ଲୋକଟି ନିଶ୍ଚୟ । ନ ହେଲେ ଫ୍ଲାଟ୍‍ କିମ୍ବା ବଙ୍ଗଳାରେ ଓଡ଼ିଆଣୀଟିକି ମେମ୍ ସଜେଇ ସେ ବସିପାରିଥାଆନ୍ତା । ଭୁଲିଯାଆନ୍ତାଣି ଗୋବରୀ ନଈ କୂଳରେ ଥିବା ତା’ର ଗାଁ, ଆଉ ଖରାତରାରେ ପତର ମୁହାଁଇ ଧାନ ଉଷଁଉ ଥିବା ମାଟିକୁ ।

 

ଚିଡ଼ି ଉଠିଲା ଅନିମେଶ । ପେଟ ଉପରେ ତାର ରାଗ ହେଲା । ଏ ପେଟ ଚାଖଣ୍ଡକ ତାକୁ ନାଇଟ୍ ଡ୍ୟୁଟି କରିବାକୁ ବାଧ୍ୟକରୁଛି । ଗାଁ ମାଟିରୁ କାଳିମାଟି ପଠେଇଛି ଲୋକଟିକି । ଭାଷା ଖଣ୍ଡେ ପକେଇ ଦେଇ ସ୍ତ୍ରୀ ଲୋକଟି ସବୁଦିନ ଚାହୁଁଥିବ ଡାକ ପିଲାଟିର ଆସିବା ବାଟକୁ । ପଚାରୁଥିବ, ‘‘କିଛି ବାତିନି ଅଛି କିରେ ବାପ ?’’

 

ନଦୀ ସେପଟୁ ଖଣ୍ଡିଆ ଜହ୍ନ ଉଠିଲାଣି । ହିଟର ଜାଳି ଚା କପେ ଓଠରେ ଧରାଇ ପୁଣି ରିଲ୍‌କୁ ଚାହିଁଲା ଅନିମେଶ । ରୋଲ୍‌ର ପରି ସମୟ ଘୂରି ଚାଲିଛି । ହଠାତ୍ ବିଚିତ୍ର ଭାବନା ଆସିଲା ମନକୁ । ସମୟ ଥିବ ଯେତେବେଳେ ବାରବାଟୀର ନଅତାଲା କୋଠା ଥିବ, ଦାସଦାସୀ ଥିବେ, ରାଣୀ, ପୁରବାସୀରେ ମହଲ ପୂରି ଉଠୁଥିବ । ହୁଏତ ସେତେବେଳେ ଆଜିକାର ବହୁ ମହଲା ବିଶିଷ୍ଟ ସି.ଟି.ଓ କମ୍ପାଉଣ୍ଡ ସହରର ଉପକଣ୍ଠରେ ଥିବ । ଥାଇପାରେ ଏକ ଶ୍ମଶାନ ଥିବା ଭୋକିଲାମାନଙ୍କର ଆବାସସ୍ଥଳ । ଦୃଶ୍ୟ ବଦଳୁଛି । ଶ୍ମଶାନ ଜାଗାରେ ଉଦ୍ୟାନ ହେଉଛି । କି ଚମତ୍କାର ଏ ପରିବର୍ତ୍ତନ । ହସ ଲାଗିଲା ତାକୁ । ଟିଭିର ମହାଭାରତରେ ଦ୍ରୋପଦୀ ଏବେ ପୁଣି ଦକ୍ଷିଣ ଭାରତୀୟ ପରଦାରେ ଉତ୍ତରା ହୋଇ ସାରିଛି । ବିଚିତ୍ର ଭାବନା ତାକୁ ବିବ୍ରତ କରି ପକାଉଥିଲା । ତିଏନ୍‌ମେନ୍ ଛକରେ ହଜାର ହଜାର ଯୁବକ ସ୍ୱାଧିକାର ଦାବିରେ ବଳି ପଡ଼ିଲେ । ମେସେଜ୍ ପରେ ମେସେଜ୍ ଚାଲିଛି । ଅବିରାମ ଗତିରେ । କେତେ କଥା କହୁଛି ହସର, କାନ୍ଦର, ମିଳନର, ବିଛେଦର, ଆବାହନର ଆଉ ବିସର୍ଜନର ।

 

ବୁଲେଟ୍ ମଟର ସାଇକେଲ୍ ଆବାଜରେ କାନ ଫାଟିଗଲା ପରି ଲାଗିଲା ତାର, ଏତେ ରାତିରେ । ଆଗରେ ଯାଉଥିବା ଗୋଟିଏ ମୋଟର କାରକୁ ପୋଲିସ୍ ଗୋଡ଼ାଉଛି । କାରରୁ ଶୁଭୁଛି ନାରୀର କଣ୍ଠ ଚିତ୍କାର ।

 

ପୋଲିସ୍ ବୁଲେଟ୍ ଫେରି ଆସିଲା । ଏଥର କାଇଁ ଉଗ୍ରଶବ୍ଦ ନାହିଁ । ବୋହୂଟିଏ ପରି ଫେରି ଆସୁଛି । ଗାଡ଼ିଟି ପ୍ରାୟ ଆଗର ଗୋଟିଏ ହତାକୁ ପଶିଗଲା, ଯୋଉ କୋଠା ଆଗରେ ବନ୍ଧୁକଧାରୀ ସିପାହୀ ଛିଡ଼ା ହୋଇଛି । ସେ କୋଠାର ନାୟକଙ୍କ ଶକ୍ତି କଳନା କରିପାରୁ ନଥିଲା ଅନିମେଶ । ଫାଶୀରେ ମଣିଷକୁ ଚଢ଼େଇ ଦେଇ ପାରନ୍ତି । ପୁଣି ଫାଶୀ ଖୁଣ୍ଟରୁ ଓହ୍ଲେଇ ଆଣି ପାରନ୍ତି ସେ । ଅନିମେଶ ଚିନ୍ତା କରୁଥିଲା ଅନୁରୋଧ କରିବ କି କଲମ । ମୁନରେ ଆର୍ମେନିଆର ଭୂମିକମ୍ପ କିମ୍ବା ପ୍ରଳୟ ପରି ଜନପଦ ଆଡ଼କୁ ମାଡ଼ିଆସୁଥିବା ସମୁଦ୍ର ସୁଅ ଉପରେ ରହିତାଦେଶ ଦେଇ ଦେବାକୁ ?

 

ଆଉ ଏକୁଟିଆ ଲାଗୁ ନଥିଲା ଅନିମେଶକୁ । ରିଲ୍ ପରେ ରିଲ୍ ଚାଲିଛି । ଚାରିପାଖରେ ତା’ର କେତେ ଶବ୍ଦ । କାଲି ସକାଳୁ କିଏ କେତେ ପ୍ରକାର ତରଙ୍ଗ ସୃଷ୍ଟି କରିବେ । ମମତାର ପୁଅ ପାଇଁ ମିଠେଇ ବଣ୍ଟା ହେବ । ଅରୁନ୍ଧତୀକି କିଏ ପୁଣି ପ୍ରତୀକ୍ଷା କରିବ.... ।

 

ଜୋରରେ ଚିତ୍କାର କରି ଉଠିଲା ଅନିମେଶ । ମେସିନ୍ ଟେପ୍‌ଟାକୁ ଜାବୁଡ଼ି ଧରିଲା ସେ-। ମେସେଜ୍ ଆସୁଥିଲା ‘ଅରୁନ୍ଧତୀ ଡାଏଡ୍ ଅଫ୍ ରୋଡ୍ ଆକ୍ସିଡେଣ୍ଟ୍ ନିଅର୍ ରେଲଓ୍ୱେ ଷ୍ଟେସନ୍-।”

 

ଓଦା ଆଖିରେ ଏକା ଠିକଣାକୁ ମିଳେଇ ପଢ଼ୁଥିଲା ସେ । ମେସେଜ୍ ଦୁଇଟି ମାତ୍ର ଦୁଇଘଣ୍ଟା ବ୍ୟବଧାନର । କଇଁ କଇଁ ହୋଇ କାନ୍ଦି ଉଠିଲା ଅନିମେଶ । ସତେ ଯେମିତି ମମତାର ପୁଅ ପାଇଁ ବଣ୍ଟା ହେଉଥିବା ମିଠେଇ ସେ ଖାଉ ଖାଉ ନୀଳାଚଳ ଏକ୍ସପ୍ରେସ୍‌କୁ ଅପେକ୍ଷା କରୁଥିଲା ଆଉ....... ।

 

ଦୁନିଆର ପ୍ରତିଟି ବ୍ୟକ୍ତି ତାକୁ ମନେ ହେଲେ ରଙ୍ଗମଞ୍ଚର ପାଉଡ଼ର ମଖା ସେଇ ରାଜାରାଣୀ ପରି । ଗ୍ରୀନ୍‌ରୁମ୍ ଭିତରକୁ ଉଙ୍କିମାରି ସେ ଦେଖୁଥିଲା ହେଁସରେ ସମସ୍ତେ ଶୋଇ ଯାଇଛନ୍ତି । ଖଣ୍ଡା ଗୋଟିଆ ପିଲା ଠାରୁ, ରାଜାରାଣୀ ପର୍ଯ୍ୟନ୍ତ ।

 

ଡ୍ୟୁଟି ସାରି ରିଲିଭରକୁ ଚାର୍ଜଦେଲା ବେଳକୁ ମେସେଜ୍ ଆସୁଥିଲା ‘ହାପି ବାର୍ଥଡେ ଟୁ ୟୁ ।’ ପ୍ରିଣ୍ଟରର ରିଲ୍ ବୁଲି ଚାଲୁଥିଲା ।

☆☆☆

 

ବଦଳିଥିବା ରଙ୍ଗମଞ୍ଚରେ ସେଇ ପୁରୁଣା ନାୟକ

 

ମୁଁ କାହାଣୀକାର ନୁହେଁ, ତେବେ ଯିଏ କାହାଣୀ ଲେଖେ ସେ ଏମିତି ମୋ, ଆମ, ତମ ଜୀବନରେ ଘଟିଥିବା ଘଟଣାରୁ ଚେନାଏ ନେଇ ତାକୁ ରଂଗ ତୂଳୀରେ ସଜାଏ । ତେବେ ଇଏ ଏମିତି ଗୋଟିଏ ଘଟଣା ଯାହାକୁ ଉଦର ଭିତରେ ରଖିଲେ ବି ତା’ର ମନ୍ଥନ ମୁଁ ସହିପାରିବିନି । ତେଣୁ ମହାକାଳର ବେଗମତୀ ସ୍ରୋତସ୍ଵତୀ ବକ୍ଷରେ ମଂଜୁଷା ଭିତରେ ରଖି ଫିଙ୍ଗିଦେବାକୁ ଯାଉଛି-। କାଳେ କୋଉ ଚିହ୍ନରା ମଣିଷର ହାବୁଡ଼ରେ ପଡ଼ିବ ।

 

ଆଜି ସୋମବାର । ଉଣେଇଶିଶହ ଅଣାନବେ ମସିହା ଅଗଷ୍ଟ ସାତ ତାରିଖ ରାତି ଦଶଟା । କ’ଣ ଲେଖିବି ଜାଣିଥିଲେ ବି କୋଉଠୁ ଲେଖିବି ବୋଲି କଲମଟା ଦାନ୍ତରେ ଲଗେଇ ଇଲେକ୍ଟ୍ରିକ୍‌ ବଲବ୍‌ ଆଡ଼କୁ ଚାହିଁଲା ବେଳକୁ ଦେଖୁଚି କାନ୍ଥରେ ବସିଥିବା ଫିକା ସବୁଜ ରଙ୍ଗର ପ୍ରଜାପତିଟାର ଦେହଟା ମିଳେଇ ଯାଉଚି ଝିଟିପିଟିଟାର ଧାରୁଆ ପାଟିରେ । ଆଃ.... ହାତର ଏଇ କଲମଟାରେ ପିଟିଦିଅନ୍ତି କି ଝିଟିପିଟିଟାକୁ, କାନ୍ଥରୁ ତଳେ ସେ ଖସିପଡ଼ନ୍ତା ଆଉ ପୁଣି ଉଡ଼ି ବୁଲନ୍ତା ସେଇ ପ୍ରଜାପତିଟା ।

 

ପ୍ରତାପଗଡ଼ରେ ସେଦିନ ପାଗଥିଲା ମେଘୁଆ । ପାହାଡ଼ିଆ ଏଇ ଅଧା ଗାଁ ଅଧା ସହରରେ ଅପରାହ୍‌ଣ ଆକାଶରୁ ମେଘ କୁଣ୍ଡା ଝାଡ଼ୁଥିଲା । ମୋ କ୍ୱାଟର୍ସର ଗେଟ୍ ଅଳ୍ପ ଖୋଲି ଠିଆହେଲା ସେଇ ଝିଅଟି । ଭିତରକୁ ଆସିବାକୁ ଭରସି ପାରୁନି; କିନ୍ତୁ ଆସିବାକୁ ଚାହୁଁଛି ।

 

ଯଦି ସେ ଝିଅଟିକି ମୁଁ ଆଗରୁ ଜାଣି ନଥାନ୍ତି ତେବେ ତାକୁ ପ୍ରୋଢ଼ା ବୋଲି କହିଥାଆନ୍ତି-। କିନ୍ତୁ ଏକାଶ୍ରେଣୀ ଗୃହରେ ଏକ ଛାତତଳେ ନିତି ନିତି କରି ଦୁଇ ବର୍ଷ ଧରି ଦେଖୁଥିବା ଚିହ୍ନା ମୁହଁଟା ବିଷୟରେ କ’ଣ ଏତେ ଭ୍ରମ ହୋଇପାରେ ? ସେଦିନର ତମ୍ବାପାତ ପରି ଦେହ ରଙ୍ଗ ଆଜି ନାହିଁ । କଣ୍ଠର ନଳି ସୁସ୍ପଷ୍ଟ ପୂରିଲା ପୂରିଲା ପାପୁଲିଦିଟାର ରଙ୍ଗ ଝଡ଼ାପତ୍ର ରଙ୍ଗ ପରି ହେଇଯାଇଛି ଆଉ ବିଛା ପରି ରେଖା କେତେଟା ତା’ ଉପରେ ଶୋଇଛି । ଇତିମଧ୍ୟରେ ମୋ ବାରଣ୍ଡାକୁ ଉଠିସାରିଥିଲା ଝିଅଟି । ଏକଦା ରେଭେନ୍ସା କଲେଜରେ ପାଠ ପଢ଼ୁଥିବା ଲାଜକୁଳୀ ଝିଅ ପୁଣ୍ୟମୟୀ ଆଜି ମୋ କୋର୍ଟକୁ ଅପରାଧିନୀ ରୂପେ ଆସିଥିଲା ପୋଲିସ୍ ଘେରରେ ଚାଲାଣ ହୋଇ । ଜାମିନ୍‌ରେ ପରେ ଖଲାସ ହୋଇଥିଲା । ଭଲହେଲା ମୋ ପାଖକୁ ସେ ଆସିଲା-। ନ ହେଲେ ରହସ୍ୟର ଘେରରେ କେତେ ସମୟ ଧରି ବା ମୁଁ ପହଁରି ଥାଆନ୍ତି ?

 

ହେଲେ ଲାଜକୁଳୀ ଏଇ ଝିଅଟି କ’ଣ ପାଇଁ ଏତେ ବଡ଼ ସାହସ କଲା ? ମୁଖ୍ୟମନ୍ତ୍ରୀ ଆଉ ରାଜ୍ୟର ଜଣେ ପଦସ୍ଥ ଅଫିସରଙ୍କୁ ବିଚ୍ ରାସ୍ତାରେ କଳା ପତାକା ଦେଖାଇ ସ୍ଲୋଗାନ ଦେଲା, ପାଦର ଚପଲକୁ କାଢ଼ି ତାଙ୍କ ଉପରକୁ ଫିଙ୍ଗିଲା ।

 

ଭଲକରି ତା ମୁଁହକୁ ଚାହିଁଲି । ବୟସ ତା’ର ଯେମିତି ଅନେକ ବଢ଼ିଯାଇଛି । କଲେଜ ଦିନରେ ଆଖିରେ ଆଖିଏ ମମତା ଧରି ପାଦ ଗଣି ଗଣି ଚାଲୁଥିବା ଏଇ ଝିଅଟା ହଠାତ୍ ଏମିତି ଗୋଟିଏ ପ୍ରଚଣ୍ଡ ବୈଶାଖୀରେ ପରିଣତ ହେଲା କେମିତି ?

 

ଘର ତା'ର ପ୍ରତାପଗଡ଼ରେ ବୋଲି ଜାଣିଥିଲି । କିନ୍ତୁ ମନେ କରିଥିଲି ସେ ସେଠି ନଥିବ-। ବାହାସାହା ହୋଇ କୋଉଠି ପୁଅଝିଅର ମା’ ହୋଇ ସାରିଥିବ । ଭଲ ଛାତ୍ରୀଥିଲା, ତେଣୁ ଚାକିରିଟିଏ କୋଉଠିବି ପାଇଥିବ । ସେଠିକି ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍ ହୋଇ ଆସିଲା ପରେ ଅଜଣା ସଂକୋଚରେ ତା’ର ଅବସ୍ଥିତି ବିଷୟରେ କେବେ କାହାକୁ ପଚାରି ପାରି ନଥିଲି । ବାପାଙ୍କୁ ତାର ମୁଁ ଚିହ୍ନିଥିଲି । ଆଣ୍ଠୁ ଲୁଚୁ ନଥିବା ଖଦଡ଼ ଲୁଗା ଖଣ୍ଡିଏ ପିନ୍ଧି ଦେହରେ ହାତକଟା ଖଦଡ଼ର ଚାଦରଟିଏ ପକେଇ ଅନେକ ଥର ସେଇ ଉଜ୍ଜ୍ୱଳ ବ୍ୟକ୍ତିତ୍ୱଟି ପୁଣ୍ୟମୟୀ ପାଖକୁ ଯିବାର ଦେଖିଛି-। ଶୁଣିଛି ବ୍ରିଟିଶ୍ ଶାସନ ବେଳେ ତାଙ୍କ ଦେହରେ ଗୁଳି ବାଜିଥିଲା । ହଜାରିବାଗ ଜେଲ୍‌ରେ ସେ ବର୍ଷ ବର୍ଷ ଧରି ବନ୍ଦୀ ହୋଇ ରହିଥିଲେ ।

 

“ତମେ ମତେ ଜାମିନ୍‌ରେ ଛାଡ଼ିଲ କାହିଁକି ? ମତେ ସେଇ ବଡ଼ ବଡ଼ କଳା କାନ୍ଥ ଆଉ ଲୁହାର କବାଟ ଭିତରେ ବାନ୍ଧି ରଖିଲ ନାହିଁ କାହିଁକି ? ଅବା ତୁମେ ଆଇନ୍ ରଜ୍ଜୁକୁ ଆଉ ଟିକିଏ ଦୃଢ଼ କରି ମୋ ଗଳାରେ ଚାପିଦେଲ ନାହିଁ କାହିଁକି ?” ମତେ ପ୍ରଶ୍ନ କଲା ପୁଣ୍ୟମୟୀ ।

 

ପରିସ୍ଥିତିକୁ ହାଲୁକା କରିବାକୁ ଯାଇ ତାକୁ ଭିତରକୁ ନେଇ ବସିବାକୁ ଦେଲା ପରେ ସେ ଆରମ୍ଭ କଲା ।

 

ଏମ୍.ଏ ସାରି ଘରକୁ ଫେରିଲା ଦିନଠାରୁ ବାପା ତାର ରୋଗଶଯ୍ୟାରେ । ଉପରେ ତାର ଦୁଇ ଭଉଣୀ, ସମସ୍ତେ ଅବିବାହିତା । ଛୋଟ ଭାଇଟି ସ୍କୁଲରେ । ଜମି ବୋଲି ଯାହା ସେଥିରେ ବର୍ଷକ ଧାନ ଯାଏନି । ଯେତେ ଯୋଉଠି ଇଣ୍ଟରଭ୍ୟୁ ଦେଲା ପରେ ବି ତା’ର କୋଉଠି ସିଲେକ୍ସନ୍ ହେଲାନି । ସେ ଅଞ୍ଚଳର ବିଧାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ । ଅନେକ ଥର ତାଙ୍କୁ ଭେଟିଛି ପୁଣ୍ୟମୟୀ । ପୁରସ୍କାର ବିତରଣ ଉତ୍ସବରେ, ସାହିତ୍ୟ ସଭାରେ, ବିରୋଧୀ ଦଳରେ ଥିଲାବେଳେ ଦୁର୍ନୀତି ବିରୁଦ୍ଧରେ ଭାଷଣ ଦେଲାବେଳେ ତନ୍ମୟହୋଇ ଶୁଣିଛି ସେ । ଆଖି ବୁଜି ଅନେକଥର ସେ ମନେ ପକେଇଛି ତା ବାପାଙ୍କର ସଂଗ୍ରାମୀ ଜୀବନର କଥା । ରାତି ଅଧରେ ବାପା ତା’ର, ଘର ଛାଡ଼ି ଚାଲି ଯାଉଛନ୍ତି । ବୋଉ ଆଖିରେ ଲୁହ ଆସୁଛି । ବୁଝେଇ ଦେଇ ବାପା କହୁଛନ୍ତି “ଆଜି ରାତିରେ ମୁଁ ନ ଚାଲିଗଲେ ସେମାନେ ମୋତେ ଧରିନେବେ । ଆନ୍ଦୋଳନରେ ଯୋଗଦେଇ ପାରିବିନି । ଟିକିଏ ଅପେକ୍ଷା କଲେ ଜହ୍ନ ଉପରୁ କଳା ବାଦଲ ଅପସରିଯିବ । ଜହ୍ନ ଉଇଁ ଆସିବ ଗୋରାସାଇବ ଦେଶରୁ ପେଡ଼ି ପୁଟୁଳା ବାନ୍ଧିବେ । ଆମେ ଆମ ଦେଶ ଚଳେଇବୁ ।”

 

ବାପା ଚାଲିଗଲାପରେ କଳସୀରୁ ପାଣି ଗ୍ଲାସେ ପିଇ ଦେଇ ଡବଡବ ଆଖିରେ ବୋଉ ଚାହିଁରହେ ସେଇ ଦୂର ଆମ୍ବତୋଟା ଆଡ଼କୁ, ଯୁଆଡ଼େ ବାପା ମିଶି ଯାଆନ୍ତି । ସତେ ଅବା ସେ ଅପେକ୍ଷା କରେ ସେଇଠୁ କେବେ ଜହ୍ନ ଉଠିବ ।

 

ସ୍ଵାଧୀନତା ସଂଗ୍ରାମୀ ପେନ୍‌ସନ୍ କଥା ପଡ଼ିଲେ ରୋଗଶଯ୍ୟାରେ ବି ବାପା ତା’ର ଚିଡ଼ି ଉଠନ୍ତି । କ’ଣ କେବେ କରିଥିଲେ ଭୁଲିଯିବାକୁ କହନ୍ତି । ତଥାପି ଯେଉଁଦିନ ପରିସ୍ଥିତି ଅସହ୍ୟ ହେଲା ପୁଣ୍ୟମୟୀ ଗଲା ରାଜଧାନୀକି । ଆଶ୍ୱାସନା ମିଳିଲା ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଠାରୁ । ଥରେ ନୁହେଁ ଦୁଇଥର ନୁହେଁ ଅନେକଥର ସେ ଦୌଡ଼ିଲା ତାଙ୍କ ବାସଭବନକୁ । ଦିନେ ଫେରି ଆସିଲା ବେଳକୁ ତାକୁ ଅଟକେଇ ଦେଲେ ଜଣେ ଉଚ୍ଚପଦସ୍ଥ ଅଫିସର । ‘କେତେଥର ଏମିତି ଦଉଡ଼ିବ ?’ ହାତରେ ଚାବିଟିଏ ଧରି ସେ କହୁଥିଲେ ‘ନିଅ ଏ ଚାବିଟି ।’ ଆଶ୍ଚର୍ଯ୍ୟରେ ଚାହିଁଲା ପୁଣ୍ୟମୟୀ । ଚାବିଟି ଧରିଲା । ରିଙ୍ଗ୍‌ରେ ଲେଖାଥିଲା ‘ହୋଟେଲ୍ ବୈକୁଣ୍ଠ, ରୁମ୍ ନମ୍ବର ଅଠର' । ଅପେକ୍ଷା କରିବାକୁ ତାକୁ ହେବ । ଏଇ ଚାବିରେ ଅଠର ନମ୍ବର ରୁମ୍‌ର ଦ୍ଵାର ଖୋଲିବା ସଂଗେ ସଂଗେ ତାର ପ୍ରଗତିର ଦ୍ଵାର ମଧ୍ୟ ଖୋଲିଯିବ ।

 

ରାଜା ଶାସନରେ କିଶୋରୀଟିଏ ଥିଲା ରାଜା ପାଇଁ ପୂଜାଫୁଲ । ପାରିଷଦମାନଙ୍କ ପାଇଁ ସେ ଥିଲା ରାଜପ୍ରସାଦ । ବଧୂଟିଏ ସହ ମଧୁରାତ୍ରୀର ସହଯାତ୍ରୀ ହେବା ପାଇଁ ରାଜା ଆଉ ପାରିଷଦଙ୍କର ଥିଲା ଅଧିକାର । ପୁଣ୍ୟମୟୀ ଆଶ୍ଚର୍ଯ୍ୟ ହୋଇ ଶୁଣୁଥିଲା । ତା’ର ନିରବତାର ସୁଯୋଗ ନେଇ ପଦସ୍ଥ ଅଧିକାରୀ ଜଣଙ୍କ ତାଙ୍କୁ ବଢ଼େଇଦେଲେ ଆଲବମଟିଏ । ରତି ରତ ଅନେକ ନଟନଟୀର ଛବିରେ ଭରା । ପରସ୍ତ ପରସ୍ତ ହେଇ ଅଙ୍ଗବାସ ଅନାବରଣ ହେଇ ଯାଉଛି ।

 

ସେତେବେଳେ ସେ ଦେଖିଲା ଦୂର ଆମ୍ବତୋଟା ସେପାଖ ଆକାଶରୁ ଜହ୍ନ ଆସୁନି, ତାକୁ ରାହୁ କାମୁଡ଼ି ଧରିଛି ।

 

‘‘ଏଣିକି ତମ ଆଇନ୍‌ରେ ତମେ ତଉଲିବ । ମୁଁ ପ୍ରାୟ କିଛି ପାପ କରିନି । ଆଖିରେ କଳାପଟି ବାନ୍ଧି ଆଇନ୍‌ର ତରାଜୁକୁ ଧରିଛ । ହେଲେ କୁହ ଆଖି ଖୋଲି ତରାଜୁକୁ ଧରି ପାରିବ ?” ମୁହଁ ବୁଲେଇ ମୁଁ ଚାହିଁଲା ବେଳକୁ ଗେଟ୍ ଖୋଲି ସେ ନିଷ୍କ୍ରାନ୍ତ ହୋଇ ସାରିଥିଲା ଆଉ ମୋ ସାମ୍ନାରେ ବୁଢ଼ା ଅର୍ଦ୍ଦଳି ଠିଆହୋଇ କହୁଥିଲା, “ସାହେବ୍ ! ଚା ।’’ ଅନେକ ଥର ତାର ଏଇ ‘ସାହେବ’ ଡାକର ପ୍ରତିବାଦ କରି, ସାହେବ ଗଲେଣି ବୋଲି ବୁଝେଇ ଦେଲେ ବି ଛୋଟିଆ ହସଟିଏ ହସି ହସି ସେ କହିବ ମୋତେ କାହିଁ ଅଲଗା ଲାଗୁନି ବାବୁ । ଖାଲି ଚମଡ଼ାର ରଙ୍ଗ ବଦଳିଛି । ଗୋରା ସାଇବ ବଦଳରେ ଏ ଦେଶରେ ଭରିଯାଇଛନ୍ତି କଳା ସାହେବ । ରାଜାଙ୍କ ଠାରୁ ଭୟଙ୍କର ଏଇ ମନ୍ତ୍ରୀ ଆଉ କଳା ଅମଲାଗୁଡ଼ାକ । ଏ କାହାଣୀ ଲେଖିସାରିଲା ବେଳକୁ ମୁଁ ଦେଖୁଛି ରଂଗବେରଙ୍ଗର ପ୍ରଜାପତିଟାକୁ ଅନେକ ବେଳୁ ଝିଟିପିଟିଟା ଉଦରସ୍ଥ କରିସାରିଲାଣି ।

☆☆☆

 

ଉତ୍ତରଣ

 

ସୁଅ ତୋଡ଼ରେ ଭାସି ଚାଲିବା ଆଉ ସୁଅ ମୁହଁରେ ଛାତିପତେଇ ଠିଆହେବା, ୟା ଭିତରେ କେତେ ଯେ ଫରକ ଅଛି ସେଇ ଦିନ ପ୍ରଥମଥର ଅନୁଭବ କରିଥିଲା ମନୀଷା । ପବନରେ ପତରଟା ଉଡ଼ି ଯାଉଛି କେତେବେଳେ ଭୂଇଁ ଉପରେ ଗଡ଼ି ଗଡ଼ି ତ କେତେବେଳେ ପୁଣି ଉଡ଼ି ଯାଉଛି ଆକାଶରେ ଦମକାଏ ଜୋର ପବନ ଆସିଲେ । ଗଛରୁ ଫଳଟାଏ ପଡ଼ିଲା । ଉଡ଼ି ଗଲାନି ଆକାଶକୁ । ପୃଥିବୀ ତାକୁ ଟାଣି ଧରିଲା । ତଳକୁ ସେ ଖସି ପଡ଼ିଲା । ମନୀଷା ନିଠେଇ ଦେଖୁଥିଲା ପବନ ଉଡ଼େଇ ନେଉଚି, ଧରିତ୍ରୀ ଟାଣି ଧରୁଚି କୋଳକୁ । ଉଭୟଙ୍କର ଶକ୍ତି ଅଛି । ଚାକିରିରୁ ଇସ୍ତଫା ଦେଇ ଚାଲି ଆସିଛି ସେ, ଯେଉଁ ଚାକିରି ପାଇଁ କେତେ ଯେ ପରିଶ୍ରମ କରିଚି ସେ । ସେ ଚାଲି ଚାଲି ଯାଇଛି କିଲ୍ଲା ମଇଦାନରୁ ତେଲେଙ୍ଗା ବଜାର ଏମ୍ପ୍ଲୟମେଣ୍ଟ ଅଫିସ୍‌କୁ । ସେଠୁ ପୁଣି ଭିଡ଼ ବସ୍‌ରେ ଭୁବନେଶ୍ୱର, ଡାଇରେକ୍ଟର ଅଫ୍ ଏମ୍ପ୍ଲପମେଣ୍ଟ ଅଫିସ୍‌କୁ । କେତେ ଟେବୁଲ୍ ପାଖରେ ଠିଆ ହୋଇଛି । କିଏ ହସି ହସି କଥା କହି ଚଉକିଟିଏ ଦେଇଛି । କିଏ ମୁହଁକୁ ଜମା ଚାହିଁନି । ପୁଣି କିଏ ତିର୍ଯ୍ୟକ ଆଖିରେ ଚାହିଁ ନ କହିଲା କଥା ପଚାରିଚି, ସବୁ ସେ ସହି ନେଇଚି । ସାମ୍ନା କରି ଚାଲିଛି କେବଳ ବଞ୍ଚିବା ପାଇଁ । ମାସ ଶେଷରେ ରେଭିନ୍ୟୁ ଷ୍ଟାମ୍ପଟାଏ ମାରି, ଟଙ୍କା କେତେଟା ଗଣି ନେଇ, ତେଲ ଲୁଣ ସଂସାର ଚଳେଇବା ପାଇଁ ।

 

ହେଲେ ସେ ଦିନେ କେମିତି ଅନୁଭବ କଲା, ତାକୁ ସୁଅ ସାଥିରେ ପହଁରିବା ପାଇଁ ବାଧ୍ୟ କରାଯାଉଛି । ତାକୁ ପବନ ସାଥିରେ ଉଡ଼ିବାକୁ ବାଧ୍ୟ କରାଯାଉଚି । ସେଇ ଭାସିବାର କିଛି ଲକ୍ଷ୍ୟ ନାହିଁ । ସେଇ ଉଡ଼ିବାର କିଛି ନିର୍ଦ୍ଦିଷ୍ଟ ଠିକଣା ନାହିଁ । ସେ ଇଚ୍ଛା କଲା, ସୁଅ ସାଥିରେ ଭାସିବନି । ତାକୁ ସାମ୍ନା କରି ଠିଆ ହେବ । ସେ ଇତିହାସର ପୁଣି ଥରେ ପୁନରାବୃତ୍ତି କଲା । ଅଥଚ ହାରିଗଲା-। କିନ୍ତୁ ସେ ଚାହିଁ ନଥିଲା ଉଡ଼ି ଯିବାକୁ ଅବା ସୁଅ ଆଗରେ ଛାତି ପତେଇ ଠିଆ ହେବାକୁ-। ତଥାପି ସେ ଚାହିଁଥିଲା ଗଛର ଫଳଟିଏ ଭୂଇଁରେ ପଡ଼ିଲା ପରି ଧରିତ୍ରୀ ତାକୁ ଆକର୍ଷିତ କରୁ-। ସେ ଆକର୍ଷଣରେ ଭସେଇ ନବାର କିମ୍ବା ଉଡ଼େଇ ନବାର ବେପରଓ୍ୱା ଭାବ ନଥାଉ କିମ୍ବା ତାକୁ ସାମ୍ନା କରିବାକୁ ଥାଟ ପଟୁଆର ସଜାଡ଼ିବାକୁ ନପଡ଼ୁ ।

 

ଶେଷରେ କିଛି ବି ହେଲାନି । ନା- କାହା ସାଥିରେ ମିଶିଗଲା ନାହିଁ କାହାକୁ ସାମ୍ନା କରି ଛିଡ଼ା ହେଲା ନାହିଁ । ଚାକିରିରୁ ଇସ୍ତଫା ଦେଇ ସିଧା ଚାଲି ଆସିଲା । ପିଲାଦିନେ ଆର୍କମିଡ଼ିସ୍‌ଙ୍କ ସୂତ୍ର ପଢ଼ିଲା ବେଳେ ପଢ଼ିଥିଲା– ଆର୍କମିଡ଼ିସ୍ କହିଥିଲେ, ‘‘ମୋତେ ପୃଥିବୀ ବାହାରେ ଛିଡ଼ା ହେବା ପାଇଁ ଖଣ୍ଡେ ଜାଗା ଦିଅ । ସାମାନ୍ୟ ଲୌହ ଖଣ୍ଡକରେ ମୁଁ ସାରା ପୃଥିବୀକୁ ଓଲଟପାଲଟ କରିଦେବି ।’’ ହେଲେ, ମନୀଷା ପୃଥିବୀ ଭିତରୁ ସେମିତି ପୃଥିବୀ ଭିତରକୁ ଚାଲି ଆସିଲା । ସେ ଅନୁଭବ କଲା– ଯୋଉ ସୁଅକୁ ସେ ଛାଡ଼ି ଆସିଥିଲା, ସେ ତା ପଛରେ ଗୋଡ଼ଉଛି । ଆର୍କମିଡ଼ିସ୍‌ଙ୍କ ପରି ସେ ବି ଭାବୁଥିଲା, ସତରେ ପୃଥିବୀ ବାହାରେ ଖଣ୍ଡେ ଜାଗା ପାଆନ୍ତା କି ?

 

ନା, ତାହା ହେଲେ ବି ସେ ପୃଥିବୀକି ଓଲଟ ପାଲଟ କରିଦିଅନ୍ତାନି । କାରଣ ତା’ ଭିତରେ କେବଳ ଡାଇରେକ୍ଟର ନିଳାଦ୍ରୀ ପଟ୍ଟନାୟକ, ମନ୍ତ୍ରୀ ଶ୍ରୀମାଝୀ, ସମାଜସେବୀ ରଂଜନବାବୁମାନେ ଯେ ଅଛନ୍ତି ତା’ ନୁହେଁ, ତା’ ଭିତରେ ବି ପ୍ରଭାତ ଆଉ ଦେବଦତ୍ତମାନେ ଅଛନ୍ତି ।

 

ଚିନ୍ତା କରୁଥିଲା ସେ । ସବୁଦିନେ ତା’ ନାଁରେ ହାଟ ବସାଉଥିବା ଡାଇରେକ୍ଟରେଟ୍‌ରେ ଆଜି ଜୋର ହାଟ ବସିଥିବ । ଗୁଜବଗୁଡ଼ାକ ଠିକ୍ ଛାଡ଼ଖାଇ ମାଛ ହାଟପରି ହାଉଯାଉ ହେଉଥିବ ।

 

ଦେବଦତ୍ତ ଏକଦା ତା’ର ଡାଇରେକ୍ଟର ଥିଲେ । ତା ସ୍ୱାମୀ ମରିଗଲା ପରେ ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ବି ତାକୁ ଚାକିରିଟିଏ ଦେଇଥିଲେ । ପଦବୀ ଅନୁସାରେ ବହୁଗଂଭୀର ହେବା କଥା । ହେଲେ କେମିତି ଜାଣିଲା ପରି ଯୋଉଦିନ ତା ମୁହଁ ଶୁଖିଯାଇଥିବ, ଡିକ୍ଟେସନ ନବାକୁ ରୁମ୍‌କୁ ପଶୁ ପଶୁ ଛୋଟିଆ ହସଟିଏ ହସିଦେବେ । ସ୍ଥିର ଜଳାଶୟରେ ତରଙ୍ଗ ପରି ମିଳେଇ ଯାଉଥିବା ତରଙ୍ଗର ବଳୟଟିଏ ସୃଷ୍ଟି ହେଇଯିବ ।

 

ମନୀଷା ମନେ ପକଉଥିଲା – ଉଭେଇ ଗଲାପରି ସବୁ ଚାଲିଗଲା । ଚିତ୍ରୋତ୍ପଳା ନଦୀ କୂଳରେ ଛୋଟ ଗାଁ, ଘରଟିଏ । ଉପର ଚାଳ, ତା ଭିତରେ ବାପା ବୋଉ ଭାଇଟିଏ ଆଉ ସେ । ତାର ମନେଅଛି ନଦୀରେ ଯେତେବେଳେ ବଢ଼ି ଆସେ କୁଆଡ଼ୁ କୁଆଡ଼ୁ ‘ହୁସିଆର’ ଡାକ ଶୁଭେ । ସେତେବେଳେ ସେ ବୋଉ କୋଳ ଭିତରକୁ ପଶିଯାଏ । କୁକୁରଟା ଠିକ୍ ଆମ୍ପୁଡ଼ି ଆମ୍ପୁଡ଼ି ମଜାକଲାପରି । ସେତେବେଳେ କାନ୍ଥକଡ଼କୁ ଜାକି ହେଇ ଆସି ଯିଏ ତା ମୁଣ୍ଡକୁ ଟିକେ ଖୁମ୍ପି ଦଉଥାଏ ସେ ତା ଭାଇ । ପାଖଘରୁ ଜୋରରେ ଯିଏ ଜଣାଣ ବୋଲୁଥାଆନ୍ତି ସେ ତା’ର ନନା । ବଢ଼ି ଛାଡ଼ିଗଲା ପରେ ଭାଇର ତା’ର ନଈ ଆରପାରିର ସୋରିଷ କିଆରିକୁ ଚାହାନ୍ତି । ଆଖି ନ ପାଉଥିଲା ଯାଏ ତା’ରଙ୍ଗରେ ଆତ୍ମହରା ହୁଅନ୍ତି । ତା’ ପରେ ଭାଇ ଚାଲିଗଲା କଲେଜ ।

 

ହଠାତ୍ ଦିନେ ସେ ଦେଖିଲା, ରାତି ଅଧରେ ଭାଇ ଲୁଚି ଛପି ଘରକୁ ଆସିଲା । କିଛି ବୁଝି ପାରିଲାନି ସେ । କେତେ କଥା ଗପିଲା । କହିଲା, ‘‘ଜାଣିଛୁ, ମଣିଷ ମୁକ୍ତ ହେଇ ଜନ୍ମ ହେଇଛି ସିନା, ହେଲେ ସେ ଦାସତ୍ୱର ଶୃଙ୍ଖଳ ଭିତରେ ସର୍ବଦା ବାନ୍ଧିହେଇ ରହିଛି ।’’ କ’ଣ ସବୁ ସେ ଯେ ଗପିଲା, ଆଜି ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ବୁଝାଉଥିଲା ଏ ପୃଥିବୀରେ ସବୁ ଗଢ଼ା ଶ୍ରମରେ । ଶ୍ରମିକଟିଏ ଖଟି ଖଟି ତିଆରି କରିଥିବା ବସ୍ତୁଟିର ମୂଲ୍ୟଠାରୁ ଊଣା ପାଏ । ଏ ଜମିବାଡ଼ିସବୁ ସମସ୍ତଙ୍କର । ଜାଣିଛୁ, ଆମେ ଏତେ ଗରିବ କାହିଁକି ? ଆମ ଦେଶରେ ସମୁଦାୟ ଜମିର ଶତକଡ଼ା ପଚସ୍ତରୀ ଭାଗ ଅଛି ମାତ୍ର ପଚିଶ ଭାଗ ଲୋକଙ୍କ ପାଖରେ । ସାହାଯ୍ୟ ଓ ଅନୁଦାନ ସେଇମାନଙ୍କ ପାଖକୁ ଚାଲି ଯାଉଛି । ବାପା ବୋଉ ସେଦିନ କିଛି ଜାଣିନାହାନ୍ତି । ଗଲାବେଳେ କେବଳ କହିଗଲା ସେ ଗୋଟାଏ କୋଉ ଦଳରେ ମିଶିଛି । ସେମାନେ କହୁଛନ୍ତି ପୁଣି ଥରେ ସ୍ୱାଧୀନତା ଆଣିବେ । ଶାସନ ଓହ୍ଲେଇ ଆସିବ ବାଦଶାହନଗରୀରୁ ଚିତ୍ରୋତ୍ପଳା ନଦୀକୂଳର ଗୋପାଳପୁର ଗାଁକୁ ।

 

ଭାଇ ଘର ଛାଡ଼ିଛି କି ନାହିଁ, ତାଙ୍କ ଘର ଚାରି ପାଖରେ ଶୁଣାଗଲା ହୁଇସିଲ୍ ଆଉ ବୁଟ୍‌ର ଶବ୍ଦ । ବୋଉ କୋଳକୁ ଚୁପ୍ କରି ଲାଗିଗଲା ଛୋଟ ଝିଅଟି । ହେଲେ କବାଟ ଖୋଲିବାକୁ ସମୟ ନ ଦେଇ ଭାଙ୍ଗି ପଶିଲେ ସେମାନେ । ଭିତରଘର ଠାରୁ ଅମାର ପର୍ଯ୍ୟନ୍ତ ସବୁ ଖୋଜିଲେ । ରାଗରେ ବୁଟ୍ ମାଡ଼ରେ ତୁଳିଝିଙ୍କାଗୁଡ଼ାକୁ ଭାଙ୍ଗି ପକାଇଲେ । ଶେଷରେ ଭାଇଙ୍କୁ ନ ପାଇ ସେମାନେ ନନାଙ୍କ ହାତରେ ହାତକଡ଼ି ପକେଇ ନେଇ ଚାଲିଗଲେ । ତା’ପର ଦିନଠାରୁ ଗାଁରେ ଆମ ଘରକୁ ଆଉ କେହି ଆସିଲେନି । ଆସିବା ଇଚ୍ଛା ଥିଲେ ବି ସାହାସ କରି ପାରିଲେନି ।

 

ଅନୁସନ୍ଧାନ ପରେ ନନା ଯେତେବେଳେ ଦୋଷମୁକ୍ତ ବୋଲି ଘୋଷିତ ହୋଇ ଘରକୁ ଆସିଲେ, ସେତେବେଳେ ସେ ଆଉ ମଣିଷ ହୋଇ ନଥିଲେ । ଖାଲି ପ୍ରଳାପ କରୁଥିଲେ । ‘‘ଚାଲ ମୁଁ ବି ସେଇ ଦଳରେ ମିଶିବି । ବୁବୁ ଯୁଆଡ଼େ ଯାଇଚି ମୁଁ ବି ସିଆଡ଼େ ଯିବି ।’’ ହେଲେ ବେଶୀଦିନ ଆଉ ଠାକି ନଥିଲେ ସେ । ଚିତ୍ରୋତ୍ପଳା କୂଳ ଗୋପାଳପୁର ଗାଁର ସୁନ୍ଦର ଘରଟିର ମଝି ଖୁଣ୍ଟ ସେଦିନ ଉପୁଡ଼ି ପଡ଼ିଲା । ନନା ଚାଲିଗଲେ । ବୋଉର ଶଙ୍ଖଶୁଭ୍ର ଶାଢ଼ିରେ ଯେଉଁ ଜହ୍ନିଫୁଲର ବୁଟିଗୁଡ଼ାକ ଥିଲେ ସବୁ କୁଆଡ଼େ ଉଭେଇ ଗଲେ ।

 

ସାମାଜିକ ପାଠ ବହିରେ ପଢ଼ିଥିଲି, ମଣିଷ ବଣ ଜଙ୍ଗଲରେ ବୁଲୁଥିଲା ଏକଲା ହୋଇ । ଜୀବନ ଥିଲା ବିପର୍ଯ୍ୟସ୍ତ । ନଥିଲା ସୁରକ୍ଷା । ତେଣୁ ସେ ନିଜର ସୁରକ୍ଷା ପାଇଁ ଗଢ଼ିଲା ସମାଜ ବୋଲି ଗୋଟିଏ ଘର । ସମାଜ ତାକୁ ସୁରକ୍ଷା ଦେଲା । ପ୍ରତିବଦଳରେ ତା’ର ଅନେକ ଆଦିମ ପ୍ରବୃତ୍ତିକୁ ଶୃଙ୍ଖଳବଦ୍ଧ କରି ସେ ତା ପାଖରେ ସମର୍ପି ଦେଲା । ପୁଣି କାଇଁ ସେଦିନ ଅନୁଭବ କଲା ଯେମିତି ସମାଜ ନାମକ ସେଇ ଘରଟି ଭୁଷୁଡ଼ି ପଡ଼ିଛି । ଯେଉଁ ବାଘ ଭାଲୁ ବଣ ମଣିଷମାନଙ୍କୁ ଡରି ସେ ଏଇ ସମାଜ ଗଢ଼ିଥିଲା, ସେମାନେ ଯେମିତି ତା ଭିତରେ ଖୁବ୍ ଆରାମ୍‌ରେ ବସା ବାନ୍ଧିଛନ୍ତି ।

 

ତା ପରେ ଆରମ୍ଭ ହେଲା ବୋଉର ରୋଗ । ପାଖ ଡାକ୍ତରଖାନାରେ ଯେତେ ପଇସା ଖର୍ଚ୍ଚ କଲେ ବି ଦେହ ଭଲ ହେଲାନି । ତାକୁ ନେଇ ଆସିବାକୁ ହେଲା କଟକ । ଡାକ୍ତରଖାନାରେ ଅଜସ୍ର ପଇସା ଖର୍ଚ୍ଚ ହେଲା । ପ୍ରତିବଦଳରେ ଗାଁରେ ଥିବା ପିତୃପୁରୁଷର ଜମି କ୍ଷୟ ହେବାକୁ ଲାଗିଲା । ଭାଇର ଖବର କିଛି ନାହିଁ । କିଏ କହୁଥିଲା, ସେ ଲୁଚି ଛପି ଜଙ୍ଗଲରେ ରହୁଛି । ପୁଣି କିଏ କହୁଛି, ସେ ହଠାତ୍ ଦଳ ଛାଡ଼ି ଗୈରିକ ବସନ ପିନ୍ଧି ହରିଦ୍ୱାର ଚାଲିଯାଇଛି ।

 

ଖୋଲା ଆକାଶରେ କଳା ବାଦଲ ଚାରିପାଖେ ସବୁବେଳେ ରୂପେଲି ଧାରଟାଏ ଚକ୍ ଚକ୍ କରୁଥାଏ । କଥାଟି ତାକୁ ସେଦିନ ସତ ଲାଗିଲା, ଯେଉଁଦିନ ସେ ପ୍ରଭାତ ନାମକ ଯୁବକଟିକି ଭେଟିଲା । ଯାହା ଆଖିରେ ସେ ସେଦିନ ଦେଖିଲା ଭାଇ, ନନା, ବୋଉ ସମସ୍ତଙ୍କର ରଙ୍ଗ ଯେମିତି ଫେଣ୍ଟି ହୋଇ ଲାଗି ଯାଇଛି ।

 

ବୋଉ ଚାଲିଗଲା ପରେ ମନୀଷା ଆଉ ଏକଲା ହେଲାନି । ଦୁନିଆରେ ପ୍ରାୟ ଏମିତି କେତେକ ବୈଚିତ୍ର୍ୟ ଥିବାରୁ ଜୀବନ ନାମକ ଏ ନାଟକଟି ବେଶ୍ ଗତିଶୀଳ ହେଉଛି । ଚରିତ୍ରମାନେ ପାଉଡ଼ର ଲିଭେଇ ପଳେଇବା ଅପେକ୍ଷା ସବୁ ପ୍ରତିବନ୍ଧକ ସତ୍ତ୍ୱେ ବି ମଞ୍ଚ ଉପରକୁ ଆସିବାକୁ ଅନେଇ ବସିଛନ୍ତି ।

 

ପ୍ରଭାତ ତାକୁ ବିବାହ କଲା । ବାପା, ଭାଇ, ବନ୍ଧୁ ବାନ୍ଧବ ସମସ୍ତଙ୍କୁ ବିରୋଧ କରି ମନୀଷା ହାତଧରି ପ୍ରଭାତ ଘରୁ ଚାଲିଆସିଲା । ସ୍ଥାନୀୟ ଏକ ସରକାରୀ ଅଫିସରେ କାମ କରେ ସେ । ମନୀଷାକୁ ସବୁ କେମିତି କେମିତି ଲାଗିଲା । ଆଜିଯାଏ ସେ କେବଳ ଦେଖିଥିଲା ଘରର ଗୋଟାଏ ପରେ ଗୋଟାଏ ଖୁଣ୍ଟ ଭୁଷୁଡ଼ି ପଡ଼ୁଥିଲା । ହେଲେ, ଆଜି ସେମାନେ ଘରଟିଏ ନେଲେ । କାନ୍ଥରେ କଣ୍ଟା ପିଟି ଫଟୋ ଟାଙ୍ଗିଲେ । ଇଟାରେ ଇଟା ଥୋଇ ଚୁଲି ତିଆରି କଲେ । ଛୋଟ ଛୋଟ ଡେକଚି କଡ଼େଇ ଆଣି ଥୋଇଲେ । ସେଦିନ ଯେତେବେଳେ ଖଟଟା ଉପରେ ଝାଡ଼ିଝୁଡ଼ି ଗାରିଗାରିକା ବିଛଣା ଚାଦର ଉପରେ ସେ ଶୋଇ ପଡ଼ିଲା, ପୁଣି ସମାଜ ତାକୁ ଅନ୍ୟ ରୂପରେ ଦେଖାଦେଲା । ପ୍ରଭାତ ଘରକୁ ଫେରିଲେ ସେମାନେ କେତେ ରଙ୍ଗର ଜାଲ ବୁଣନ୍ତି । ପାଖପଡ଼ିଶାଏ ବେଳେବେଳେ ତାକୁ ଥଟ୍ଟା କରନ୍ତି, ‘ତମ ସ୍ୱାମୀ ତମକୁ ଛାଡ଼ି ଅଫିସ୍ ଯାଆନ୍ତି କେମିତି ?’

 

ସେଦିନ ପ୍ରାୟ ଉପବାସ ରହିଯାଇଥିଲେ ହୋଇଥାଆନ୍ତା । ସେଦିନ ରାତିରେ ଚୁଲି ନ ଜଳେଇବାକୁ ଇଚ୍ଛା କରିଥିଲେ ସାରା ଜୀବନ ପାଇଁ ତା ଘରେ ରାତିରେ ଚୁଲିର ଆଲୋକଟା ଜଳି ରହି ଥାଆନ୍ତା । ଅଫିସ୍‌ରୁ ଡେରିରେ ଫେରି ଦେଖିଲେ ଘରେ ପରିବା ନାହିଁ । ବ୍ୟାଗଟା ହାତରେ ଧରି ଚାଲିଗଲେ । ଆଉ ଫେରିଲେନି । ମଥାରୁ ସିନ୍ଦୂର ଖସି ପଡ଼ିଲା । ଟାଉନ୍ ବସ୍‌ଟାର ଚକାତଳେ ସ୍ଵପ୍ନସବୁ ଦଳିଚିପି ହୋଇଗଲା ।

 

ଘରଟା ଗଢ଼ୁଗଢ଼ୁ ଭୁଶୁଡ଼ି ପଡ଼ିଲା । ତା’ ପରେ ଡାଇରେକ୍ଟରେଟ୍‌ରେ ଚାକିରି ଖଣ୍ଡେ ପାଇ ମନୀଷା ଦଉଡ଼ିଲା । କେତେ ଆଲୋଚନାର ଶିକାର ହେଲା । ହେଲେ ମଣିଷ ଭିତରେ ଥିବା ଯେଉଁ ଦେବତା ଜଣଙ୍କ ତାକୁ ସାହାଯ୍ୟକରି ଚାକିରି ଖଣ୍ଡିକ ଦେଲେ ସେ ଥିଲେ ତତ୍କାଳୀନ ନିର୍ଦ୍ଦେଶକ ଦେବଦତ୍ତ ।

 

ସେ କ’ଣ ଆଜି ଭାବପ୍ରବଣ ହେଇ ଇସ୍ତଫା ଦେଇ ଚାଲି ଆସିଲା ? ତେବେ କ’ଣ ତାଙ୍କ ସାଥିରେ ସେଇ ସୁଅରେ ପହଁରି ଥାଆନ୍ତା ? ସାରା କଟକ ସହରଟା ଢୁଳେଇ ପଡ଼ିଚି ଦଶହରାର କୋଳରେ । ସବୁଆଡ଼େ ଦଶହରାର ରଙ୍ଗ । ସମସ୍ତଙ୍କ ଠାରୁ ନିଆରା ଅନୁଭବ କରି ମୂର୍ତ୍ତି ଆଗରେ ଠିଆ ହେଲା ମନୀଷା । ଗତ ରାତିରେ ଡାଇରେକ୍ଟର ଆଉ ମନ୍ତ୍ରୀଙ୍କ ମୁହଁକୁ ଚପଲ ଫିଙ୍ଗି ସେ ଚାଲି ଆସିଛି । ରାତିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ସର୍କିଟ୍ ହାଉସ୍‌ରେ ତା’କୁ ଡିକ୍ଟେସନ୍ ନବାକୁ ବାଧ୍ୟ କରିଥିଲେ ସେମାନେ । ତା’ ପରେ ବାଧ୍ୟ କରିଥିଲେ ତାଙ୍କ ସାଥିରେ ସୁଅରେ ପହଁରିବାକୁ । ଶୁଣୁଥିଲା ତାର ପ୍ରମୋସନ୍ ହୋଇଯିବ । ସରକାରୀ ଘର ମିଳିଯିବ । ଠିକ୍ ସେତିକିବେଳେ ସର୍କିଟ୍ ହାଉସ୍‌ର କିଚେନ୍‌ ଆଡ଼ୁ ଶୁଭୁଥିଲା ଗୋଟେ କକ୍ କକ୍ ଚିତ୍କାର । ସେ କିନ୍ତୁ ସୁଅ ବିରୁଦ୍ଧରେ ଛିଡ଼ା ହେଲା । ତାକୁ ଓଗାଳି ଧରିବାକୁ ଚେଷ୍ଟା କଲା ।

 

ହେଲେ ଆଜି ସେ ଯିବ କେଉଁଠିକି ? ଏକା ଏକା ଦେବୀ ମଣ୍ଡପ ସାମ୍ନାରେ ଠିଆ ହେଇ ଭାବୁଥିଲା ମନୀଷା । ଭାଇ କଥା ତା’ର ମନେ ପଡ଼ୁଥିଲା । ମଣିଷକୁ ପଙ୍ଗୁ କରି ରଖିବାକୁ ଏ ସବୁ ପୂଜା ଅର୍ଚ୍ଚନା ଗୋଟେ ଅଫିମର ଦାନାପରି । ଦେବୀ ମୂର୍ତ୍ତିକି ସେମିତି ଠିଆ ହେଇ ଚାହିଁ ରହିଲା ସେ । ସତରେ କ'ଣ ଏମିତି ଭୁବନମୋହିନୀ ରୂପ ଧରି କିଏ କୋଉଠି ଅଛି ? କଳ୍ପନା କଲା କିଏ-? ସତରେ କ’ଣ ଏଇ ପ୍ରବଳ ପ୍ରତାପୀ ମହିଷାସୁରକୁ ମାରିବାକୁ ଶକ୍ତି ତାଙ୍କର ଅଛି-। ଆହୁରି ଆହୁରି ଚାହିଁଲା ସେ ମୁହଁକୁ ମନୀଷା ।

 

ପିଲାଦିନେ ଥରେ ନଦୀଧାରରେ ଦଶହରା ତିଥିରେ ତାକୁ ନନା ଦେବୀ ଦୁର୍ଗାଙ୍କୁ ସ୍ତୁତି ଶିଖାଉ ଶିଖାଉ କହୁଥିଲେ, ମ’ ପୃଥିବୀରେ ଯେତେବେଳେ ଅନ୍ୟାୟ ବଢ଼ିଯାଏ ଅତ୍ୟାଚାର ବଢ଼ିଯାଏ- ସେତେବେଳ ରକ୍ତମାଂସର ଦେହ ଧରି ପୃଥିବୀକି ଏମିତି ଗୋଟିଏ ଭୁବନମୋହିନୀ ମୂର୍ତ୍ତି ଓହ୍ଲେଇ ଆସେ । ଆଉ ତା ପାଦତଳେ ଚାପିରଖେ ସେ ମହିଷାକୁ ।

 

ସେଇଦିନଠୁ ମନୀଷା କେମିତି କେଜାଣି ଖୋଜେ ସେ ମୂର୍ତ୍ତି କେବେ ଆସିବ । ଏ ଦେବୀ ମୂର୍ତ୍ତି କୋଉଠି ଥିବ । ଛୋଟ ବଡ଼ ଝିଅଟେ ଦେଖିଲେ ତାକୁ ଚାହେଁ, କଳ୍ପନାରେ ତା ହାତରେ ତ୍ରିଶୂଳଟାଏ ଧରେଇ ସମସ୍ତ ଅସ୍ତ୍ର ଶସ୍ତ୍ରରେ ସଜେଇ, ଖୋଜେ ସେ ମୁହଁଟିକି । ଅପେକ୍ଷା କରେ ମୁକ୍ତିର ଦିନକୁ ।

 

ହେଲେ ଆଜି ଏଇ ମୃଣ୍ମୟୀ ମୂର୍ତ୍ତିକି ଦେଖି ତାର ଇଚ୍ଛା ହେଲା କୋଉଠି ସେ ଦେଖିଛି । ଏ ପୂଜା ମଣ୍ଡପରୁ ସେ ଦଉଡ଼ିଲା ଆଉ ଗୋଟିଏ ମଣ୍ଡପକୁ । ସବୁଠି ସେଇ ଗୋଟିଏ ମୁହଁ । କୋଉଠି ସେ ଦେଖିଛି ? ଇଚ୍ଛା ହେଲା ଆଜିଠୁ ସେ ଖୋଜିବ ସେଇ ଭୁବନମୋହିନୀ ମୂର୍ତ୍ତିକି ଯିଏ ପାଦତଳେ ମହିଷାସୁରକୁ ଚାପି ଧରିବ । ପିଲାଟିଏ ହେଇ ସେ ମାଟି ଖାଉଥିବ । ଶାସନ କରି ତା ଆଁ କୁ ଚାପିଧରି ସେ ଦେଖିବ ତାରି ଭିତରେ ଯୋଜନ ଯୋଜନ ଆକାଶ, ସୀମାରେ ଦରିଆ । ମଣିଷ ପରେ ମଣିଷ ଭିତରେ ସେଇ ଦେବୀ ମୂର୍ତ୍ତିକି ଖୋଜି ଖୋଜି କ୍ଳାନ୍ତ ହେଇ ଘରକୁ ଫେରି ବସି ପଡ଼ିଲା ମନୀଷା । ହେଲେ ଏ କ’ଣ ଦେଖୁଛି । ଆଇନାରେ କିନ୍ତୁ ଅବସାଦଭରା ନିଜର ମୁହଁ ନୁହେଁ । ଏ ଯେ ତାର ସେଇ ଅନେକ ଖୋଜୁଥିବା ପରିଚିତ ମୁହଁ । ବେଳକୁ ବେଳ ଉଜ୍ଜ୍ୱଳ ହେଇ ଉଠୁଛି ଆଉ ସୁଅ ବେଗରେ ସେ ଦେଖୁଛି ତାରି ଭିତରେ ଲୀନ ହେଇ ଯାଉଛନ୍ତି ଏ ସମାଜର ମନୀଷାମାନେ ଆହୁରି ଅନ୍ଧାରରୁ ଆଲୁଅକୁ ଖୋଜି ଖୋଜି ଦଉଡ଼ିଥିବା ମଣିଷମାନେ । ନିଜ ଭିତରେ ଆଉ ଗୋଟାଏ ମନୀଷାକୁ ଆବିଷ୍କାର କରୁଥଲା ମନୀଷା ।

☆☆☆

 

ପରାଜିତ

 

ଗାଡ଼ି ଠିକ୍ ହିଜିଲି ରେଳଷ୍ଟେସନ୍ ଟପିବା ପରେ ଆକସ୍ମିକ ଭାବେ ମୋ ସିଟ୍ ପାଖରେ ଠିଆ ହୋଇ ଯେଉଁ ଭଦ୍ରମହିଳା ଜଣକ ହସ ହସ ମୁହଁରେ ମୋତେ ନମସ୍କାର କଲେ, ତାଙ୍କୁ କେବେ ଅବା କେଉଁଠି ଚିହ୍ନିଚି ବା ଦେଖିଛି ବୋଲି ମନେ ପକାଇ ପାରିଲି ନାହିଁ । ଦେହରେ ବିଦାୟୀ ଯୌବନର ଚିହ୍ନ । ପ୍ରତି ନମସ୍କାରଟିଏ ପକେଇ କେବଳ ପ୍ରଶ୍ନିଳ ଆଖିରେ ଚାହିଁ ପବନରେ ଫଡ଼ ଫଡ଼ କରି ବହିର ପୃଷ୍ଠା ଉଡ଼ିଲା ପରି ଏକାବେଳେକେ ଅତୀତର ଅନେକଗୁଡ଼ିଏ ପୃଷ୍ଠା ଓଲଟେଇ ଗଲି ମୁଁ ।

 

“ସାର୍ ! ମୁଁ ସୁମତି ।”

 

ଆହୁରି ପ୍ରଶ୍ନିଳ ଛାଇ ଘୋଟି ଆସିଲା ମୋ ଆଖିରେ । କେବେ ଜୀବନରେ କୌଣସି ସମୟରେ ଏ ନାଁ ସହ ମୁଁ ପରିଚିତ ହେଇଛି, ମନେ ପଡ଼ୁ ନଥିଲା ମୋର । ଦୋହଲି ଦୋହଲି ଚାଲୁଥିବା ଟ୍ରେନ୍ ମଧ୍ୟରେ ଭାରସାମ୍ୟ ରଖିବା ପାଇଁ ଉପର ବର୍ଥର ବାଡ଼ାକୁ ଧରି ଠିଆ ହୋଇଥାଏ ସ୍ତ୍ରୀ ଲୋକଟି ।

 

ଇଂରାଜୀ ଜାଣି ନଥିବା ଲୋକ ଆଗରେ ଇଂରାଜୀ କହିଲେ ସେ ଯେମିତି ନିଜର ଅଜ୍ଞତାକୁ ସିଧାସଳଖ ନ ଜଣେଇ ବାଆଁରେଇ ଦେଇ ମୁଣ୍ଡ ଟିକେ ହଲେଇ ଦେଇ, ନିର୍ଲିପ୍ତ ହସଟିଏ ହସି ତୁରନ୍ତ ବିଦାୟ ନେଇ ଚାଲିଯାଏ, ସେମିତିଆ ହସଟିଏ ହସି ତୁରନ୍ତ ବିଦାୟ ଦେବାକୁ ଚାହିଁଲା ବେଳକୁ ତା ଆଖି ସାଙ୍ଗରେ ମୋ ଆଖି ଏକାଠି ହୋଇଗଲା । ସେ ଆଖି ଯେମିତି କହୁଥିଲା ମୋ ସହିତ ପରିଚିତ ଅନେକ ଦିନର, ଅନେକ କଥା ମୋତେ କହିବ । ହସର ଭାବ ବଦଳି ଗଲା ମୋର-। ଦ୍ରୁତ ବେଗରେ ଅତୀତକୁ ଓଲଟେଇ ପାଲଟେଇ କେଉଁଠି କେମିତି ଏ ସୁମତି ନାମକ ନାରୀଟିର ଅନୁଭୂତି ସୁପ୍ତ ଭାବରେ ଅଛି, ପୁଣି ଥରେ ଖୋଜିବାକୁ ଚେଷ୍ଟା କଲି ।

 

ଚିନ୍ତାରେ ବାଧା ଦେଇ ଖଡ଼ଗପୁର ଷ୍ଟେସନ୍‌ରେ ରହିଗଲା ଟ୍ରେନଟି । “ଟିକେ ଆଗ କବାଟଟା ଖୋଲି ଦିଅନ୍ତୁ । ଆପଣମାନେ ପଛ କେ ଶୋଇକରି ଯାଆନ୍ତୁ । ଆମେ ଠିଆ ହୋଇକରି ଯିବୁ । ଆମ କଥା ଟିକେ ଭାବନ୍ତୁ । ଆପଣଙ୍କ ପରି ଆମର ବି କାମ ଅଛି” ପ୍ଲାଟଫର୍ମ ଉପରେ ଠିଆ ହୋଇଥିବା ଯାତ୍ରୀମାନେ ଏମିତି ଅନୁନୟ କରିବାରେ ବ୍ୟସ୍ତ । ଏଣେ ଡବା ଭିତରେ ଲୋକେ ଭିତର କବାଟକୁ ବନ୍ଦ କରି ଚାପି ଧରିଛନ୍ତି, ନିଜର ସ୍ୱାଚ୍ଛନ୍ଦ୍ୟ ପାଇଁ କାହାରିକୁ ଛାଡ଼ି ଦେଉନାହାନ୍ତି ।

 

“ମୁଁ ସୁମନ୍ତର..... ।’’

 

ସୁମତି କଥା ଶେଷ କରିବା ଆଗରୁ ବିଜୁଳିର ଝଲକରେ ଏକାଥରେ ମେଘଭରା ଆକାଶଟା ଆଲୋକିତ ହେଲାପରି ସମୁଦାୟ ଅତୀତଟା କ୍ଷଣକ ପାଇଁ ଆଲୋକିତ ହୋଇ ପଡ଼ିଲା ମୋର । ଦଶପଲ୍ଲା ଜଙ୍ଗଲ ପାହାଡ଼ତଳି ଗାଁ ଧାରରେ ଏକ ବଙ୍ଗଳା । ଖମାର ସାଇ । ଏବେ ବି ସେଇ ପାହାଡ଼ ଜଙ୍ଗଲ, ନାଲି ଧୂଳିଆ ରାସ୍ତା ଆଉ କୁଆଁରିଆ ନଈରଧାର ଗଛପତ୍ର ସବୁଠି ଶିଶିର ବିନ୍ଦୁ ଉପରେ ସୂର୍ଯ୍ୟାଲୋକର ପ୍ରତିଫଳନ ହେଉଥିବ । ସେଇଠି ମୋର ସୁମତି ସାଙ୍ଗରେ ପରିଚୟ-। ସେଇ ଆରମ୍ଭ ଆଉ ସେଇ ଶେଷ । ଏ ଭିତରେ ଖମାରସାଇ ଗାଁରେ ଅନେକ ସୂର୍ଯ୍ୟ ଉଦୟ ହୋଇ ପଛପାଖ ପାହାଡ଼ ତଳେ ବୁଡ଼ି ଯିବେଣି । କୁଆଁରିଆ ନଈରେ କେତେ ଚପଳ ଜଳରାଶି ନାଚି ନାଚି କୁଆଡ଼େ ଉଭେଇ ଯାଇ ପୁଣି ମେଘ ହୋଇ ବରଷି ଯିବଣି ।

 

ସୁମତି ସେଦିନ ମତେ ଏକା ଏକା ଭେଟିଲା ବେଳେ ମୁଣ୍ଡରେ ତାର ଥିଲା ଓଢ଼ଣା । ଗାଉଁଲି ଢଙ୍ଗରେ ପିନ୍ଧିଥିଲା ଖଣ୍ଡେ ସମ୍ବଲପୁରୀ ଶାଢ଼ି ତା ଆଖିରେ ଥିଲା ଅନେକ ଲୁହ । ଆଉ ଚାଲିଥିଲା ଠିକ୍ ଯୂପଗାମୀ ପଶୁପରି ।

 

କିନ୍ତୁ ସେଦିନର ସେଇ ଗାଉଁଲି ବିବାହିତ ନାରୀଟି ଆଜି ଏଠି ଦିଲ୍ଲୀଗାମିନୀ, ନୀଳାଚଳ ଏକ୍ସପ୍ରେସ୍ ଟ୍ରେନ୍ ଭିତରେ, ଏ ଉଗ୍ର ଆଧୁନିକ ବେଶରେ ! ପୁଣି ଅନ୍ଧାର ଭିତରେ ଘୂରିବାକୁ ଲାଗିଲି ମୁଁ ।

 

‘‘ଏବେ ସୁମନ୍ତ ?” କଥା ଆରମ୍ଭ କରିବାକୁ ଯାଇ ପଚାରିଲି । କଣ୍ଠ ମୋର ଥରି ଆସୁଥିଲା । କାରଣ, ତା’ ମୁଣ୍ଡ ଉପରେ ମୁଁ ଖଣ୍ଡା ଟାଙ୍ଗିଦେଇ ଆସିଥିଲି । ସେ ଖଣ୍ଡା ଖସିଥିବ ଆଉ...... ।

 

“ରିଜିଓନାଲ୍‌ ଅଫିସର” ଘଟଣା ଆହୁରି ରହସ୍ୟମୟ ହୋଇ ଉଠୁଥିଲା ମୋ ଆଗରେ । ସୁମନ୍ତ ଜେଲ୍ ଯାଇନି, ଚାକିରିରୁ ବହିଷ୍କୃତ ହୋଇନି ବରଂ ପ୍ରମୋସନ୍ ପାଇଛି । ପୁଣି ଏ ଅଳ୍ପ କେତେଦିନ ଭିତରେ ତିନି ଚାରି ପାହାଚ ଟପି ଗଲାଣି ।

 

ସୁମନ୍ତକୁ ସେଦିନ ଅର୍ଥ ତୋଷାରପାତ ଘଟଣାରେ ଅଭିଯୁକ୍ତ କରିଥିଲି ମୁଁ । ତହବିଲ ଆଉ ବିଭିନ୍ନ ବାବଦରେ ବହୁ ଅର୍ଥ ଆତ୍ମସାତ୍‌ କରିଥିଲା ସେ । ସମସ୍ତ ଅନୁରୋଧ, ଚାପ ଆଉ ଦରଦକୁ ଚାପିଦେଇ ମୁଁ ତାକୁ ଟେକି ଦେଇଥିଲି ଆଇନ୍ ହାତରେ । ତିନି ତିନିଟା ପିଲା, ବୃଦ୍ଧ ବାପାମାଆ ସମସ୍ତଙ୍କ ଦ୍ୱାହିଦେଇ ତାର ଅନୁରୋଧ ବ୍ୟର୍ଥ ହୋଇଥିଲା । ଆଇନ୍-ଆଇନ୍ । ସେ ଆଇନ ହାତରେ ସବୁ ସମର୍ପି ଦେଇ ଚାଲି ଆସିଥିଲି ମୁଁ ।

 

ସୁମତି ଏତେ ସମୟ ଧରି ଠିଆ ହେଇଛି କାହିଁକି ? ବରଂ ସେ ଚାଲିଯିବା କଥା । ତାର ଆକୁଳ ଅନୁନୟସବୁକୁ ମୁଁ ବେଖାତିର କରି ଦିନେ ସେମାନଙ୍କୁ ଫାଶୀର ଗାଡ଼ ଭିତରକୁ ଠେଲି ଦେଇଥିଲି । ହୁଏତ ସେମାନଙ୍କର ଭାଗ୍ୟ ସେମାନେ ଫେରି ଆସିଛନ୍ତି । ସୁମତି ବରଂ ମତେ ଘୃଣା କରିବା କଥା । ତେବେ କ’ଣ ମୋ ସାମ୍ନାରେ ଦମ୍ଭରେ ଠିଆ ହୋଇ ସେ ବର୍ତ୍ତମାନର ଘୋଷଯାତ୍ରା ଆରମ୍ଭ କରିଛି । ମୁହଁ ଫେରେଇ ଚାହିଁଲି ମୁଁ । ନାଁ ତା ଆଖିରେ ଅବଜ୍ଞାର ଚିହ୍ନ ଟିକିଏ ବୋଲି ନାହିଁ-। ଖାଲି ମୋର ମନେ ହଉଥିଲା, ସେଦିନ ଲୁହଗୁଡ଼ାକ ବନ୍ଧ ଭାଙ୍ଗି ଗଡ଼ି ଆସୁଥିଲେ, କିନ୍ତୁ ଆଜି ଯେମିତି ଆଖି ପଛପଟେ ବରଫ ପାଲଟି ଯାଇଛନ୍ତି ।

 

ଇତି ମଧ୍ୟରେ କୋଳାହଳମୟ ଖଡ଼ଗପୁର ଷ୍ଟେସନ୍‌ଟାକୁ ପଛରେ ପକାଇ ଟ୍ରେନ୍ କେତେବେଳୁ ଚାଲିବା ଆରମ୍ଭ କଲାଣି । ପବନରେ ଫୁର୍‌ ଫୁର୍‌ ହେଇ ସୁମତି ମୁହଁରେ ଉଡ଼ୁଛି ଅଲରା କେଶ କେତେଟା । ଅଳସଯାତ୍ରୀ ସବୁ ଘୁମେଇ ପଡ଼ିଲେଣି । ସଫେଦ ଆଲୋକ ବଦଳରେ ଜଳିଲାଣି କେତୋଟି ନୀଳ ବଲବ୍‌ । ଆଖିରେ ତାର କହିଲା କହିଲା ଭାବ । କ’ଣ ସେ କହିବ ? କହିବ, “ଆପଣ ଆମକୁ ଜଉଘରେ ପୂରେଇ ନିଆଁ ଲଗେଇ ଦେଇଥିଲେ, ଆମେ ମରିନାହୁଁ ।’’ ନା ‘‘ଆପଣ ଆମକୁ ବିଷ ଲଡ଼ୁ ଦେଇଥିଲେ କିନ୍ତୁ ଆମେ ହଜମ କରି ଦେଇଛୁ ।” ନା ସେପରି କିଛି ସେ କହିବନି । ଓଠ ତାର ଅଧା ଖୋଲି ପୁଣି ବନ୍ଦ ହେଇ ଆସୁଛି । ଆଉ ସୁମନ୍ତର ଚାକିରିର ସୁରକ୍ଷା ? ନା- ସୁମନ୍ତ ଆଜି ଅନେକ ଉଚ୍ଚରେ । “କୋଉଠିକି ଯିବ ?” କଥା ଆରମ୍ଭ କରିବାକୁ ଯାଇ ପ୍ରଶ୍ନ କଲି ମୁଁ ।

 

‘‘ଯେଉଁଠିକି ଯିବା କଥା, ଯାଇ ସାରିଛି ।’’

 

ଆହୁରି ଆଶ୍ଚର୍ଯ୍ୟ ହେଲି ମୁଁ, ତା’ର ଏଇ ଦାର୍ଶନିକ ଉତ୍ତର ଶୁଣି । ଏକଦା ସରଳା ଗ୍ରାମ୍ୟ ବଧୂଟି ଇତି ମଧ୍ୟରେ ଯେ କେବଳ ବେଶ ପରିଧାନରେ ବଦଳି ଯାଇଛି ତାହା ନୁହେଁ ଭାବଧାରାରେ ମଧ୍ୟ । ଖିଅ ବାହାର କରୁଥିଲି ମୁଁ । କେଉଁଠିକି ଯିବା କଥା; ଯାଇ ସାରିଛି ?

 

“ସେଦିନ ଏକ ଦୟନୀୟ ପରିସ୍ଥିତିରେ ପଡ଼ି ଆପଣଙ୍କ ପାଦତଳେ ଲୋଟି ପଡ଼ିଥିଲି ମୁଁ-। କ’ଣ ଚିନ୍ତା କରି ଆଉ କେମିତି ସାହସ କରି ଏକା ଏକା ସେଇ ଡାକ ବଙ୍ଗଳାରେ ପହୁଁଚିଥିଲି ଆଜି ତା ମୋ କଳନାର ବାହାରେ । ସେଦିନ ଯୁଆଡ଼େ ଚାହିଁଲେ ମୋତେ ଦେଖାଯାଉଥିଲା କଳା କଳା କାନ୍ଥ । କାନକୁ ଖାଲି ଶୁଭୁଥିଲା ବଡ଼ ଏକ ଲୁହା କବାଟର ଶବ୍ଦ । ଚଟାଣ ଉପରୁ ମୋର ଦୁଇ ବାହୁରେ ହାତ ଦେଇ ଯେତେବେଳେ ମୋତେ ଆପଣ ଉଠେଇ ନେଇଗଲେ, ସେତେବେଳେ ମୋର ହୃଦୟର ସ୍ପନ୍ଦନ ବନ୍ଦ ହୋଇ ଆସୁଥିଲା । କାରଣ ମୋର ସ୍ଵାଭାବିକ ଅବସ୍ଥାକୁ ଫେରି ଆସି ମୁଁ ଅନୁଭବ କରୁଥିଲି ସେ ହାତ ଦି’ଟା ସୁମନ୍ତର ନୁହେଁ, ଭିନ୍ନ ଏକ ପୁରୁଷର ।’’ ସୁଅ ବେଗରେ କହି ଚାଲିଥାଏ ସୁମତି ।

 

‘‘କିନ୍ତୁ ମୋର ସମସ୍ତ ଆଶଙ୍କାକୁ ଚୂର୍ଣ୍ଣୀଭୂତ କରି ଆପଣ ମୋତେ ଭଉଣୀ ବୋଲି ସମ୍ବୋଧନ କରି ଆଶ୍ୱାସନା ଦେଇଥିଲେ । ମୋତେ ଯେମିତି ଲାଗିଥିଲା ମୋ ନିଜର, ମୋ ରକ୍ତର କାହା ଆଗରେ ମୋର ଏଇ ଦୁଃଖରେ ମୁଁ ଠିଆ ହୋଇଛି । କ୍ଷଣକ ପାଇଁ ମୁଁ ଭୁଲିଯାଇଥିଲି ଆପଣଙ୍କର ଆଉ ମୋ ଭିତରେ ଦୂରତ୍ୱ । କିନ୍ତୁ ସେଦିନ ଆପଣ ଆଇନ୍‌ର ନିଗଡ଼ ଭାଙ୍ଗିବାକୁ ଚାହିଁ ନଥିଲେ । ଆପଣଙ୍କର ଖ୍ୟାତି ଥିଲା ଯେ ଆପଣ ନ୍ୟାୟକୁ ସତ୍ୟକୁ ସମ୍ମାନ ଦିଅନ୍ତି । ଅସତ୍ୟ ଅନ୍ୟାୟ ବରଦାସ୍ତ କରନ୍ତିନି । ତାର ପ୍ରମାଣ ପାଇଥିଲି, ମୁଁ ଯେତେବେଳେ ଫେରିଥିଲି ଭଉଣୀର ସମ୍ମାନ ନେଇ । ତେଣୁ ମୋର ଆପଣଙ୍କ ପ୍ରତି କୌଣସି ଗ୍ଳାନି ନଥିଲା । କିନ୍ତୁ...... ।’’

 

କଇଁ କଇଁ କାନ୍ଦି ଉଠିଲା ସୁମତି ।

 

“... ଆପଣ ପ୍ରାୟ ଭୁଲି ଯାଇଥିଲେ, କି ପ୍ରକାର ସାମାଜିକ ବ୍ୟବସ୍ଥା ଭିତରେ କାର୍ଯ୍ୟ କରୁଛନ୍ତି । ତା ଭିତରେ, ଆପଣଙ୍କ ପରି ଗୋଟିଏ ଅଣୁର ସ୍ଥାନ କେଉଁଠି ? ଶେଷରେ ମୋରି ପିଠିରେ ପାଦ ରଖି ସୁମନ୍ତ ପାହାଚ ପରେ ପାହାଚ ଡେଇଁ ଚାଲିଛି ।’’ ପୁଣି ଥରେ ପ୍ରତିଧ୍ୱନିତ ହେଇ ଉଠିଲା । ‘‘ଶେଷରେ ମୋରି ପିଠିରେ ପାଦ ରଖି ସୁମନ୍ତ ପାହାଚ ପରେ ପାହାଚ ଡେଇଁ ଚାଲିଛି ।’’

 

ସୁମତି କେମିତି ଜାଣିବ, ସେଦିନର ସେଇ ମଣିଷଟା ଅନେକ ଦିନୁ ମରି ଗଲାଣି । ସେ ଠିକ୍ ସେମାନଙ୍କ ସାଙ୍ଗରେ ଯୋଗ ଦେଇଛି, ଯେଉଁମାନଙ୍କୁ ସେ ଦିନେ ଘୃଣା କରୁଥିଲା । ସେ ଆଜି ପରାଜିତ । ସେ ଗରିବର ଟିକସ ପଇସାରେ ପଞ୍ଚତାରକା ହୋଟେଲ୍‌ରେ ବସି ଉପରିସ୍ଥ କର୍ମକର୍ତ୍ତାଙ୍କ ସହ ମଦ୍ୟପାନ କରୁଛି । ତଳକୁ ଓହ୍ଲେଇଲା ବେଳେ ସେମାନଙ୍କ ସହ ପ୍ରତିଯୋଗିତା କରି ଖୁବ୍ ଜୋରରେ ଓହ୍ଲାଉଛି । ଯେଉଁମାନେ ଏ ଦେଶରେ ସତ୍ୟ ଦେଶପ୍ରେମ ଆଉ ଶାନ୍ତିର ଶବାଧାର ବହନ କରିଚାଲିଛନ୍ତି, ତାଙ୍କ ଆଗରେ ଖଇକଉଡ଼ି ବିଞ୍ଚି ବିଞ୍ଚି ଚାଲିଛି । ତଥାପି, ଦିଗଙ୍ଗନାର ଅଞ୍ଚଳ ତଳେ ଦେଖାଯାଏ ସେଇ ଅତୀତ, ଶ୍ରୀମନ୍ଦିର, ନୀଳଚକ୍ର ଆଉ ତା'ର ନେତ ।

 

“ଏବେ ଆପଣ... ?’’ ସ୍ଵାଭାବିକ ଅବସ୍ଥାକୁ ଫେରିଆସି ପଚାରିଲା ସୁମତି ।

 

‘‘ମୁଁ ସେଇ ଲୋକଟି ।’’ କବାଟ ପାଖରେ ଥିବା ଯାତ୍ରୀ ଜଣଙ୍କୁ ଦେଖାଇ ମୁଁ କହିଲି । ଆଶ୍ଚର୍ଯ୍ୟରେ ସେ ଚାହିଁଲା ।

 

“ହଁ ସେଇ ଲୋକଟି- ଯିଏ ଆର ଷ୍ଟେସନରେ ଟ୍ରେନ୍‌ରେ ପଶିବା ପାଇଁ ପ୍ଲାଟଫର୍ମରେ ଥିବା ଯାତ୍ରୀମାନଙ୍କ ସପକ୍ଷରେ ଲମ୍ବା ଭାଷଣ ଦେଉଥିଲା । ଦେଖ ଏବେ ଟ୍ରେନ୍ ଭିତରକୁ ଆସିଲା ପରେ ଅନ୍ୟ ଯାତ୍ରୀମାନଙ୍କ ସହ ମିଶି ଭିତର ପଟୁ କବାଟକୁ ବେଶ୍ ଜୋର୍‌ରେ ଚାପି ଧରିଛି । କୁଆଡ଼େ ଗଲା ତା ମନ ଭିତରର ଦରଦ ଆଉ ଏକଦା ପ୍ରଚାର କରୁଥିବା ଆଦର୍ଶବାଦ ।

 

“ନା ! କଣ୍ଠରେ ତାର ଦୃଢ଼ତା ।

 

“ତୁମେ ଚାଲିଯାଅ ସୁମତି । ମତେ ନିହାତି ଏକଲା ଆଉ ଲୁକ୍‌କାୟିତ ଭାବେ ବଞ୍ଚିବାକୁ ଦିଅ । ମୋ ଚାରିପାଖରେ ସମାଜର ଅଝାଡ଼ ଜଙ୍ଗଲ ।’’ କ୍ରମଶଃ ସ୍ଵର ମୋର ଓଦାଳିଆ ହୋଇ ଆସୁଥିଲା । ସେମାନଙ୍କ ସହ ମୁଁ ସାଲିସ୍ କରିପାରୁନି, ସଂଗ୍ରାମ ବି କରିପାରୁନି ।

 

ଠିକ୍ ସେତିକିବେଳେ ଟ୍ରେନ୍‌ର ଝରକାଦେଇ ସୁମତି ଦେଖେଇ ଦଉଥିଲା, ‘‘ଦେଖନ୍ତୁ, କିଏ ନ କହିବ ଏଇ କ୍ଷୁଦ୍ର ଦିହୁଡ଼ିଟି ସମଗ୍ର ବନଭୂଇଁକୁ ଗ୍ରାସ ନ କରିବ । ଅଜାଣତରେ ମୋ ତୁଣ୍ଡରୁ ବାହାରିଗଲା “ଅସମ୍ଭବ ନୁହେଁ ।” ଆଲୋକ ବଂଚି ରହୁ ଆତ୍ମସମର୍ପଣ ନ କରୁ ଅନ୍ଧାର ପାଖରେ । ସୁମତି କହି କହି ଚାଲିଯାଉଥିଲା ।

☆☆☆

 

ଦିଗ୍‌ବଳୟ ଆରପାଖର ପୃଥିବୀ

 

ସେଦିନ ଅଫିସ୍ ବାହାରିଲା ବେଳକୁ ଅନ୍ତେକ ଯୁକ୍ତି ! ମୋର ଇଚ୍ଛାଥିଲା ସକାଳୁଆ ଅଫିସ୍‌ରୁ ଫେରି ଭାତ ଦି'ଟା ଖାଇବି ! ତା ସାଥିରେ ଖଟା ଟିକେ ଥିଲେ ଅନେକ ଭଲ । କାରଣ ଦେହରେ ଟିକିଏ ଟିକିଏ ଜ୍ୱର ଥିଲା । ତେଣୁ ପାଟିରେ ଥିଲା ଅରୁଚିଆ ଦୋଷ । ହେଲେ ଆର ପାଖରେ ଯୁକ୍ତି ଥିଲା, ତିନିଦିନ ହେଲା ଦେହରେ ଜ୍ୱର । ମୋଟେ ଅଫିସ୍ ନ ଯାଇ ଘରେ ରହିବା ନିହାତି ଦରକାର । ଯଦି ବି ଯିବାକୁ ହେବ ତାହାହେଲେ ଶୀଘ୍ର ଫେରିବାକୁ ହେବ ଆଉ ଫେରିଲେ କେବେ ବି ଭାତ ନୁହେଁ ନିଶ୍ଚିତ ଭାବରେ ରୁଟି ।” ସକାଳ ଜଳଖିଆ ବାବଦରେ ସାଗୁ ଗ୍ଲାସଟିଏ ବଢ଼ଉ ବଢ଼ଉ କହୁଥିଲେ ଘରେ ।

 

ହସ ଲାଗୁଥିଲା ମୋତେ । ମଣିଷ ଜୀବନଟା ଏକ ରେଳଗାଡ଼ି ନୁହେଁ ଯେ, ରେଳ ଧାରଣାରେ ଗଡ଼ିଲା ପରି ଗଡ଼ି ଗଡ଼ି ଚାଲିଯିବ । ଯାହା ପରେ ଯେଉଁ ଷ୍ଟେସନ୍‌ ଆସିବା କଥା ଠିକ୍ ଆସିବ । ଘରୁ ବାହାରି ବାଟରେ ଯାଉ ଯାଉ ମନେ ପଡ଼ିଲା ଜଣେ ବନ୍ଧୁଙ୍କର ଆଜି ପୁଅ ବାହାଘର-। ନିମନ୍ତ୍ରଣ କରିଥିଲେ ଅନେକ ଅନୁନୟ ବିନୟ କରି । ଘରୁ ଝିଅ ବିଦା କରିଛନ୍ତି କୋହକାନ୍ଦ ଭିତରେ । ଝିଅଟିକି ବିଦା କରିଦେବା ପରେ ଖାଁ ଖାଁ ଲାଗୁଥିବ, ଏକୁଟିଆ ଘରଟାରେ କାନ୍ଥକୁ ଆଉଜି ଅନେକ ସମୟ ଯାଏ ବସିଛନ୍ତି । ହେଲେ, ଆଜି ଝିଅଟିଏ ଆସିବ । ଗଡ଼ ଜିଣିଲା ପରି ବାଜା ମହୁରି ସାଥିରେ ପୁଅ ଫେରିବ । ଘର ପୂରିଉଠିବ ।

 

ପାଖ ଗାଁରେ ବାହାଘର । ହେଲେ, ଦେହ ଖରାପ । ସଞ୍ଜଯାଏ ରହି ପାରିବିନି । ସକାଳୁ ସକାଳୁ ଟିକେ ଦେଖାକରି କହିଦେଇ ଆସିବି ।

ତାଙ୍କ ଘରବାଟେ ସ୍କୁଟର ମୋଡ଼ିବା ଆଗରୁ ଟିକେ ଦୋଦୋପାଞ୍ଚ ହେଲି । ବନ୍ଧୁ ବହୁତ କର୍ମଠ । ସକାଳୁ ସକାଳୁ କୁଆଡ଼େ ବାହାରି ଯାଇ ପାରିଥାଆନ୍ତି । ବାହାବଜାରରେ ବହୁତ ଭିଡ଼ । ବଇନା ଦେଇଥିଲେ ବି ସକାଳୁ ଟିକେ ବାଜାବାଲା, ବାଣବାଲା, ଗାଡ଼ିବାଲାଙ୍କ ପାଖରେ ମୁହଁ ମାରି ଆସିବାକୁ ହେବ । ନିଶ୍ଚିତ ଭାବରେ କାହା ପାଖକୁ ଚାଲିଯାଇଥିବେ । ନ ହେଲେ କେଉଁଠି ହେଲେ ବଂଧୁ ବାନ୍ଧବ କିଏ ଅଡ଼ି ବସିଥିବ ତା ପାଖକୁ ଯାଇଥିବେ । ଏଇ ସମୟରେ ସମସ୍ତେ ଅନେକ ଦିନ ଧରି ଅଳିଆ ଭିତରେ ସାଇତି ରଖୁଥିବା ଅନେକ କଥାକୁ ମାଜିମୁଜି ସଫା କରି ବସନ୍ତି । ଗୃହକର୍ତ୍ତା କେତେ ଅନୁନୟ ବିନୟ ହୁଏ । ବାହା ବାସି ଭାଇବସା କରି ସବୁ ବୁଝିଦେବ ବୋଲି କହେ । ହେଲେ ବାହାଘର ସରେ କିନ୍ତୁ ଭାଇବସା ହୁଏ ନାହିଁ । ସେ କଥା ସେମିତି ରହିଯାଏ । ପୁଣି ମୁଣ୍ଡଟେକି ଉଠେ କୋଉ ପୁନିଅଁ ପର୍ବରେ ।

ତଥାପି, ଟିକେ ଯିବାକୁ ହେବ । ବନ୍ଧୁଘରେ ନ ଥିଲେ ବି ଫେରିଲେ ଶୁଣିବେ ମୁଁ ଆସିଥିଲି ବୋଲି । କାରଣ ଆଉ ଦିନକୁ ଆଉ ଦିନ ଅଛି । ହସ ଲାଗିଲା, ସତେ ଏ ଦୁନିଆରେ ଆଉ ଉଧାର ଦେବାକୁ ଆଉ ଶୁଝିବାକୁ କେତେ ବ୍ୟସ୍ତ । ଇଚ୍ଛା ଥାଉ ନଥାଉ ହାଜିରାଟିଏ ପକେଇ ଦେଇ ଆସିଲେ ଖାତାରେ ନାଁ ଉଠିଗଲା ।

ଘରଟା ଦୂରରୁ ଦେଖାଯାଉଛି । ଅନ୍ୟ ଦିନ ଅପେକ୍ଷା ସଫା ଚୁନ ହେଇଚି ନିଶ୍ଚୟ । ଦୁଆର ମୁହଁରେ ଭିଡ଼ ଦେଖାଯାଉଛି । ଅନେକ ଲୋକ ଠିଆ ହେବାର ଦେଖାଯାଉଛି । ବାହାଘର ପାଇଁ ଭିଡ଼ ହେବା ସ୍ଵାଭାବିକ । ଦିଅଁ ମଙ୍ଗୁଳା ପାଇଁ ବାହାରିଛନ୍ତି ପ୍ରାୟ । ପାଞ୍ଜି ଉପରେ ବନ୍ଧୁଙ୍କର ବହୁତ ବିଶ୍ଵାସ । ପାଞ୍ଜି ଦେଖି, ନାକର ନିଃଶ୍ୱାସ ପରଖି ସେ ସବୁ କରନ୍ତି । ଘଣ୍ଟେ ହେଲେ ସତାର ଯିବେ । କିନ୍ତୁ ବେଳ ଦେଖି ଯିବେ । ଶୁଭ ବେଳ ଥିଲା ସକାଳେ ତେଣୁ ଦିନ ଧରିଲା ବେଳେ ସମସ୍ତଙ୍କୁ ଗୋଟି ଗୋଟି ମନେ ପକେଇଥିଲେ । ଯେମିତି ହଉ ସାତଟା ତେୟାଳିଶ ମିନିଟ୍‌ରୁ ଗଡ଼ିଯିବନି । ଯାହା ହେଉ, ଠିକ୍‌ ସମୟରେ କାମ ଆରମ୍ଭ କରିଛନ୍ତି ।

ହଠାତ୍ ମୁଣ୍ଡଟା ଘୂରିଗଲା ମୋର । ଦାଣ୍ଡ ଦୁଆରେ ପାଳ ଦଉଡ଼ି ବନ୍ଧା ହେଉଚି । ଘରଲୋକ ଯିଏ ଯେଉଁଠି ସେମିତି ପଥର ପାଲଟି ଯାଇଛନ୍ତି । ଲୁହ ସବୁ ଆଖିତଳେ ବରଫ ପାଲଟି ଯାଇଛି ଅବା ବାହାରେ ଏତେ ତାତି ଯେ ଆଖିରୁ ଗଡ଼ିଲା ପରେ ସେ ଶୁଖି ଯାଇଛି । ମଙ୍ଗନହାଣ୍ଡି ବସିବାକୁ ଥିବା ଚୁଲିରେ ପିତା ଭାତ ରନ୍ଧା ହେବ । ଚାବିଦିଆ କଣ୍ଢେଇର ଦମ୍ ସରିଯାଇଛି । ସେ ବାଜାବାଣ ବାଲା ପାଖକୁ ଯାଇନି । ଅବା କାହାର କଜିଆ ତୁଟେଇବାକୁ ଯାଇନି-। କିବା ଓଳିକି ଧରି ଆସିନଥିବା ଲୋକଙ୍କୁ ପାଇଁ ଏପଟ ସେପଟ ହେଇ ଚାହୁଁନି । ସିଏ ଏକା ଚାଲି ଯାଉଛି । ଆଉ କିଛି ସମୟ ପରେ ‘‘ରାମ ନାମ ସତ୍ୟହେ’’ ବୋଲି କହି ରହିଯାଇଥିବା ଅବଶିଷ୍ଟ ହେହଟାକୁ ଭାଇମାନେ ନିଆଁରେ ହୁଏତ ଫିଙ୍ଗିଦେଇ ଆସିବେ ।

ଅଫିସ୍‌କୁ ଫେରିଲା ପରେ ମନ ପୂରାପୂରି ବଦଳିଗଲା । ସେତେବେଳେ ମାଲଭାଇମାନେ ହୁଏତ ଫେରି ଚୁଡ଼ା ସାଥିରେ ଦହିଟିକେ ମଗାଅ ବୋଲି କହୁଥିବେ ।

ଜଲ୍‍ଦି ଫେରିବାକୁ ହେବ । ଫୋନ୍‌ଟା ରିଂ ହେଇ ଉଠଉ ଉଠଉ କଟିଗଲା । ଏକ୍‌ସ୍‌ଚେଞ୍ଜକୁ ପଚାରିଲା ବେଳକୁ କହିଲା କଟକରୁ । କେତେ ନମ୍ବରରୁ ବୋଲି ପଚାରିଲାରୁ ଚିଡ଼ି ଉଠିଲା । ଆମେ କେମିତି ଜାଣିବୁ କେତେ ନମ୍ବରରୁ” କାନମୋଡ଼ି ହେଇ ଫୋନ୍ ଆଡ଼କୁ ଚାହିଁ ରହିଲି । ପୁଣି କେତେବେଳେ ବାଜିବ । କିଏ ଡାକୁଥିବ ଉପର ଅଫିସ୍‌ରୁ । କୋଉ ବିବରଣୀ ଗୋଟାଏ ବାକି ରହିଯାଇ ପାରିଥାଏ । ଆମେ ତାଙ୍କ କାମ କରୁନୁ ବୋଲି ସିଧାସଳଖ ମନ୍ତ୍ରୀଙ୍କି କହି କିଏ ଗୋଟାଏ ଫୋନ୍‌ କରେଇ ପାରୁଥାଏ କିମ୍ବା ନମ୍ରତା ବି ଡାକିପାରୁଥାଏ । ସେ ମୋ ସାଥିରେ ପାଠ ପଢ଼ୁଥିଲା । ଏବେ ଟେଲିଫୋନ୍‌ ବିଭାଗରେ ଚାକିରି କରୁଛି । ଅନେକବେଳେ ଫୋନ୍ କରେ କିଛି ନଥିଲେ ବି । ଟେଲିଫୋନ୍ କରି କହେ ସେଠି ପାଗଟା କେତେ ସୁନ୍ଦର । ଝରକା ଦେଇ ଓଦାମିଠା ପବନଗୁଡ଼ାକ ପଶି ଆସୁଚି । ହେଲେ ସେତେବେଳେ ମୁଁ କିଛି ବୁଝିପାରେନି । କାରଣ ତା ସହରରୁ ତିନିଶ ମାଇଲ ଦୂରରେ । ମୋ ସହରରେ ପାଗ ଥାଏ ଓଲଟା । ପ୍ରବଳ ଝାଞ୍ଜିରେ ଘରୁ ବାହାରି ହେଉନଥାଏ । କଥା ହଉ ହଉ ସେ ହଜିଯାଏ, ହ୍ୟାଲୋ ହ୍ୟାଲୋ ବୋଲି ଚିତ୍କାର କଲେ ବି ଉତ୍ତର ଆସେନି । କଲ୍ ଆଟେଣ୍ଡ କରିବାକୁ ସେ ଲାଇନ୍‌ରୁ ଚାଲିଯାଏ । ନିର୍ବୋଧ ଭଳି ସେତେବେଳେ ଟେଲିଫୋନ୍‌କୁ ଚାହିଁବା ବ୍ୟତୀତ ଗତି ନଥାଏ । କାରଣ ତା’ର ନିର୍ଦ୍ଦିଷ୍ଟ ନମ୍ବର ନାହିଁ-

 

ତଥାପି ମୋତେ ସକାଳୁଆ ଅଫିସ୍ ହେଲେ ବି ଅଫିସ୍ ନ ଛାଡ଼ି ଅପେକ୍ଷା କରିବାକୁ ହେବ । କାଳେ ଉପର ଅଫିସ୍‌ରୁ କଲ୍‌ ଆସୁଥିବ ।

 

ମିଲ୍‌ଟିଏ ମଗେଇ ଖାଇବା ଆରମ୍ଭ କଲି । ଜ୍ୱରାକ୍ରାନ୍ତ ରୋଗୀର ଖାଇବା ଏଠି ଦବ କିଏ ? ଖାଇସାରି ରାସ୍ତାକୁ ଯାଉ ଯାଉ ମନେ ପଡ଼ିଲା ଆଜି ଗୋଟିଏ ସମିତିରେ ସଭା ଥିଲା । ପଦେ କହିଦେଇ ଚାଲିଯିବି ବୋଲି ପହଞ୍ଚିଲା ବେଳକୁ ସେଠି ପତ୍ର ପଡ଼ିଛି । ଟେବୁଲ୍ ଉପରେ କୁକୁଡ଼ାର ସରୁ ସରୁ ଗୋଡ଼ । ଯେତେ ମନାକଲେ ବି ସଭାପତି ଜବରଦସ୍ତ ଧରିନେଇ ଗଲେ । “ଚିକେନ୍ ନ ହେଇଥିଲେ ଡାକି ନଥାନ୍ତି’’ ବୋଲି କହିଲେ । ବାଧ୍ୟ ହୋଇ ବସିଲି ତାଙ୍କ ସାଥିରେ । କୁକୁଡ଼ାର ଗୋଡ଼କୁ କୁଡ଼ୁମୁଡ଼ୁ କଲୁ । ସେଗୁଡ଼ାକ ନରମ ଲାଗୁଥିଲା । ଠିକ୍‌ ଭାତ ବଦଳରେ ରୁଟି ଖାଇବାର ଉପଦେଶ ପରି ।

 

ସୂର୍ଯ୍ୟ ମୁଣ୍ଡ ଉପରକୁ ଯାଇ ପୁଣି ଖସିବାକୁ ଆରମ୍ଭ କଲେଣି । ଫୋନ୍ ଆସିଲା ଭୁବନେଶ୍ୱରରୁ । ପଚିଶି କିଲୋମିଟର ଯାଇ ଏକ ତଦନ୍ତ କରିବାକୁ ହେବ । ରିପୋର୍ଟ ସାଙ୍ଗେ ସାଙ୍ଗେ ଯିବ । ରୁଟିନ୍‌ର ଚକ ପୁଣି ଗଡ଼ିଲା । ରିପୋର୍ଟଟା ପୁଣି କ୍ଷମତାକୁ ସୁହାଇଲା ଭଳି ହବ । ନ ସୁହାଇଲେ ସେମାନେ ମୋତେ ବିଲେଇ ଛୁଆ ଭଳି ଏଠୁ ନେଇ ସେଠି ଥୋଇବେ । ପାଣି ଭିତରେ ମାଛଟେ ବୁଲିପଡ଼ିଲେ ଯେମିତି ଉପରେ ଶିଆରା ଖେଳିଯାଏ । ସେମିତି ମନ ଭିତରେ ପୁରୁଣା କଥାଟେ ଲେଉଟି ପଡ଼ିଲେ ଓଠରେ ହସଟିକେ ଚାଲିଆସେ । ଏଇଠି ଆମେ ତାଙ୍କୁ କେତେ ଫୁଲମାଳ ପିନ୍ଧେଇଛୁ । ପୁଣି କହିଛୁ ଈଶ୍ୱରଙ୍କୁ ଆମେ ଦେଖିନୁ । ଶୁଣିଛୁ ସେ ଯାହା ଚାହାନ୍ତି ତାହା କରନ୍ତି । ହେଲେ, ଆପଣଙ୍କର ଏଠି ଜଣେ ନରଦେହଧାରୀ ଈଶ୍ୱର ବସିଛନ୍ତି । ଯାହା ଚାହାନ୍ତି ତା’ କରନ୍ତି । ଗଳାରେ ତାଙ୍କର ହେନା, ରଜନୀଗନ୍ଧାର ମାଳ ପରେ ମାଳ ପକାଉ । ଆଗରେ ପଛରେ କେତେ ମଟରଗାଡ଼ି ଚାଲେ । ହେଲେ ମୁଁ ଆଜି ଯାଉଛି ତାଙ୍କ ବିଷୟରେ ତଦନ୍ତ କରିବାକୁ । ଚକ ଘୂରିଯାଇଛି । ସେ ଦେବତାରୁ ମଣିଷ କି ତାଠାରୁ ଆହୁରି କମ୍ ହୋଇଯାଇଛନ୍ତି । ସରକାରରୁ ଯାଇ ସିଏ ପୁଣି ଗଣତନ୍ତ୍ରର ରକ୍ଷାକର୍ତ୍ତା ହୋଇଯାଇଛନ୍ତି । କେତେଥର କାହାକୁ ହାତକଡ଼ି ପକାଇ ରାସ୍ତାରେ ଘୋଷାଡ଼ି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅବା ମୁଣ୍ଡରେ ସିନ୍ଦୂର କଲି ଟାଣି ବଡ଼ ବଡ଼ ବାଳ ରଖିଥିବା ତାଙ୍କର ନିଜସ୍ୱ ବାହିନୀକୁ କେତେ ଘରଦ୍ଵାର ଲୁଟ୍ କରିବାକୁ କହିଛନ୍ତି ।

 

ବାଃ, ଚକା ଘୂରିଯାଇଛି । କାଲି ରାମ ପାର୍ଟ କରୁଥିବା ଲୋକ ଆଜି ରାବଣ ଭୂମିକାରେ-। ରାବଣ ପୁଣି ରାମ ଭୂମିକାରେ । କାଲି ଯାହା ଉପରେ ଟେକା ପଡ଼ୁଥିଲା, ଆଜି ତାହା ଉପରେ ଫୁଲ ପଡ଼ୁଛି । ଫୁଲ ଯାହା ଉପରେ ପଡ଼ୁଥିଲା ତା ଉପରେ ଟେକା ପଡ଼ୁଛି ।

 

ଭାବନା ଭିତରେ ବାଟ କଟିଯାଏ । ଅନେକ ବାଟ ଆସିସାରିଲିଣି । ରାସ୍ତା ଉପରେ ଗୁଣ୍ଡହେଇ ପଡ଼ିଛି ମୋଟର ସାଇକେଲଟା । କଳା ରାସ୍ତା ଉପରେ ରକ୍ତର ଧାରା । ବସ୍‌ଟି ଚାପି ଦେଇ ଚାଲିଯାଇଛି । ଆରୋହୀର ଠିକଣା ମିଳୁନାହିଁ । ହେଲେ ପକେଟରୁ କେବଳ ମିଳିଛି ଚାରି ଚଉତା କାଗଜ ଖଣ୍ଡେ । ଅଙ୍କାବଙ୍କା ନୂଆ ଶିଖୁଥିବା ଅକ୍ଷରରେ ଲେଖା ହେଇଛି । ବିସ୍କୁଟ୍, ଚକୋଲେଟ, କାଗଜ ଆଉ ପଛପଟେ କୁନି ପାଦର ଚିତ୍ରଟେ । ଭିତରେ ଦୁଇ ଇଞ୍ଚ ଅଢ଼େଇ ଇଞ୍ଚ ଲମ୍ବା କୁଟା ଖଣ୍ଡେ । ଠିକଣା ନାହିଁ । ଘରୁ ଆସିଲାବେଳେ କୁନି ପୁଅଟେ କି ଝିଅଟେ ଅଝଟ କରି ବାପାକୁ ଲେଖୁଦେଇ ମଟର ସାଇକେଲର ଫେରିବା ବାଟକୁ ଅନେଇ ବସିଥିବ । ଆଉ ଏ କୁଟା ଖଣ୍ଡକ ନିଶ୍ଚୟ ଏକ ଶଙ୍ଖାର ମାପ । ଆଗରେ ସାବିତ୍ରୀ ଓଷା । ହଠାତ୍ ପବନରେ ଉଡ଼ିଯାଉଥିଲା କୁଟାଖଣ୍ଡକ । ଖାକି ପିନ୍ଧା କନେଷ୍ଟବଳ ଦଉଡ଼ିଗଲା ସେ ଖଣ୍ଡକୁ ଗୋଟେଇବାକୁ କାରଣ ତା ସିଜ୍‌ର ଲିଷ୍ଟରେ ସେ ଖଣ୍ଡକ ରହିବ । ହେଲେ ଅନେକ ଆଗରୁ ତାକୁ କିଏ ସିଜ୍ କରିସାରିଲାଣି । ସିଏ ଅଦୃଷ୍ଟ ।

 

ଲୋକଟିର ନିଶ୍ଚୟ ଅନେକ ସାଙ୍ଗସାଥୀ ଥିବେ । ବେଶଭୂଷାରୁ ମନେ ହେଉଛି ଧନୀ । ପକେଟ୍‌ରୁ ବାହାରି ଟଙ୍କାଗୁଡ଼ାକ ବିଛାଡ଼ି ହୋଇ ପଡ଼ିଛି ରାସ୍ତାରେ । ସମସ୍ତେ ଆସିବେ, ଧୂମ୍‌ଧାମ୍‌ରେ ଏକାଦଶାହ ପାଳିବେ । ହେଲେ, ଦୃଶ୍ୟଟି ମତେ ଦେଖାଯାଉଥିଲା ଠିକ୍ ମହାଭାରତରେ ଖଣ୍ଡ ବିଖଣ୍ଡିତ ରକ୍ତସ୍ନାନ ହେଇ ପଡ଼ିଥିବା ବାଳକ ପରି । ସ୍ଵୟଂ କେଶବ ଯାହାର ମାତୁଳ, ପାର୍ଥ ଯାହାର ପିତା । ହେଲେ ଯୁଦ୍ଧଭୂଇଁରେ ସେ ଅସହାୟ ।

 

ମୋ ଚାରିପାଖରେ ଥିବା ମୁହଁଗୁଡ଼ାକ ଅଚିହ୍ନା । ହେଲେ ହଠାତ୍ କାହିଁକି ସେଗୁଡ଼ାକ ମୋର ବେଳକୁ ବେଳ ଅଧିକ ଆପଣାର ବୋଧ ହେବାକୁ ଲାଗିଲେ । ।

 

ତଦନ୍ତ ସ୍ଥଳରେ ପହଞ୍ଚିଲା ବେଳକୁ କେହିନାହିଁ । ଆଗରୁ ତ ପ୍ରୋଗ୍ରାମ ହେଇନାହିଁ । ଲୋକଙ୍କୁ ଡକାଇଲା ବେଳକୁ ଡେରିହେଲା । ଖାଲିଟାରେ ବସିବି କାହିଁକି ? ବୁଲିଗଲି ପାଖରେ ଥିବା ଏକ ସନ୍ନ୍ୟାସୀଙ୍କ ଆଶ୍ରମକୁ । ଯାଉ ଯାଉ ବାଧ୍ୟକରି ଭିଡ଼ିନେଲେ ପ୍ରସାଦ ପାଇବାକୁ । ଯେତେ ମନାକଲେ ବି କେହି ଶୁଣିଲେନି । ସେଇ ଗୋଟିଏ କଥା ‘‘ଠାକୁରଙ୍କ ପ୍ରସାଦ ମନା କରନ୍ତିନି ।” ପୁଣି ମୁଁ ହସିଲି । ସେଠି ସଭାପତି ଜବରଦସ୍ତି ଖୁଆଇଲା ବେଳେ କହିଥିଲେ ଚିକେନ୍ ହେଇ ନଥିଲେ ଡାକି ନଥାଆନ୍ତି । ଆରପଟେ ଘରେ ରୁଟି ଚମଡ଼ା ହବଣି । ଆଗରେ ପ୍ରସାଦ ।

 

ସବୁ କାମ ସାରି ଘରମୁଣ୍ଡ ବାଙ୍କରେ ପହଞ୍ଚି ଗାଡ଼ିଟାକୁ ଦୂରରେ ଥୋଇ ଦେଇ ମୁଁ ଘର ପାଖକୁ ଯିବାକୁ ସାହସ ସଂଚୟ କରୁଥିଲି ।

☆☆☆

 

ବୁଡ଼ିଗଲା ଗୋଡ଼

 

ବେଳେ ବେଳେ ଏମିତି ଗୋଟିଏ ଗୋଟିଏ ଘଟଣା ଘଟେ ବା ମଣିଷ ଅଙ୍ଗେ ନିଭାଏ, ତାକୁ ନିଜେ ଦେଖୁଥିଲେ ବି, ନିଜେ କରିଥିଲେ ବି ସତ ବୋଲି ବିଶ୍ଵାସ କରିହୁଏନି । ମୋ’ ଜୀବନରେ ସେଇଭଳି ଘଟଣାଟିଏ । ରାଧୁ ମାଷ୍ଟ୍ରେଙ୍କୁ ରାସ୍ତାରେ ଦେଖି ଅନେଇଲା ଅନେଇଲା ହେଇ ବାଟ କାଟି ଚାଲିଆସିବା ।

 

ମୋ’ ଫେରିବା ରାସ୍ତାରେ ଦେଖିଲି ସେଦିନ ରାଧୁମାଷ୍ଟ୍ରେ ଅଣ୍ଟାଟାକୁ ସଳଖି ବାଡ଼ିରେ ଭରାଦେଇ ଉପରକୁ ଅନାଇ ରହିଥିଲେ । ବୟସାଧିକ୍ୟ ଯୋଗୁଁ ପ୍ରାୟ ଆଉ ବାଟଚାଲି ପାରୁନାହାନ୍ତି-। ଘର ପାଖରୁ ଥଙ୍ଗେଇ ମଙ୍ଗେଇ ହେଇ କିଛିବାଟ ଆସି ଅଣ୍ଟା ସଳଖୁଛନ୍ତି । ଆଖିର ଭାବ କହୁଛି ସେ ଠିକ୍ ଭାବେ କିଛି ଦେଖି ପାରୁନାହାନ୍ତି । ତଥାପି ସେ ସିଧା ହୋଇ ଛିଡ଼ା ହୋଇଥାଆନ୍ତି-। ସତେ ଯେମିତି ଜୀବନ୍ତ ଏକ ବତୀଘର । ଦୃଷ୍ଟିରୁ ଅପଲକ ନିଃଶ୍ୱାସର ଉଚ୍ଛ୍ୱାସ ଯେମିତି ମିଶି ଯାଉଛି ଅନନ୍ତ ସାଥିରେ । ଦେଖି ପାରୁନାହାନ୍ତି କ’ଣ ଘଟି ଯାଉଛି ତଳକୁ ରହିଯାଇଥିବା ମାଟି ଉପରେ ।

 

ରାଧୁମାଷ୍ଟ୍ରେ ସେହି ସମୟରେ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ ଯେଉଁ ସମୟରେ ପୁରସ୍କାର ପାଇଁ କେହି ପାଗଳ ନଥିଲେ, ବାରଦୁଆର ବୁଲି ନିଜପାଇଁ ପ୍ରଶଂସା ପତ୍ର ଗୋଟାଇ ନିଜ ସମ୍ପର୍କରେ ଏକ ସନ୍ଦର୍ଭ ଲେଖି ପୁରସ୍କାର ପାଇଁ ଯୁକ୍ତି ବଢ଼ୁନଥିଲେ । ସମୟ ଥିଲା ବି ସେଇପରି । ଅଳିଆ ଗଦାରେ ସୁନା ପଡ଼ିଲେ ବି ତାକୁ କିଛି ଚିହ୍ନରା ଆଖି ଖୋଜି ବୁଲୁଥିଲା । ପୁରସ୍କାର ପାଇଁ କୋଉ ଅଫିସର କିରାଣି, ଅର୍ଦ୍ଦଳି, ହାକିମ, ପର୍ଯ୍ୟନ୍ତ ହାତଗୁଞ୍ଜା ଠାରୁ ଆରମ୍ଭ କରି ପାନୀୟ ପର୍ଯ୍ୟନ୍ତ ଯୋଗାଡ଼ କରିବାକୁ ପଡ଼ୁନଥିଲା । ମନ୍ତ୍ରୀ, ବିଧାୟକ କି ସାମ୍ବାଦିଙ୍କର ସୁପାରିଶ୍ ଆବଶ୍ୟକ ପଡ଼ୁ ନଥିଲା । ପୁରସ୍କାର ପାଇଥିବା ଲୋକେ ବି ନାଁ ଆଗରୁ ପଛରୁ ସେସବୁ ଯୋଡ଼ୁ ନଥିଲେ ।

 

ଯେଉଁଦିନ ରାଧୁମାଷ୍ଟ୍ରେ ରାଷ୍ଟ୍ରପତି ପୁରସ୍କାର ପାଇଲେ ବୋଲି ଖବରଟା ରେଡ଼ିଓରୁ ଶୁଣି କାନକୁ କାନ ପ୍ରଚାର ହେଲା, ଖବର କାଗଜରେ ଫଟୋ ବାହାରିଲା, ସେଦିନ ବି ଆମେ ଦେଖୁଛୁ ସାର ସବୁଦିନ ପରି ସକାଳୁ ସକାଳୁ ସ୍କୁଲ ଆସି ଆମକୁ ପାଠ ପଢ଼ାଉ ଥିଲେ । ମୁହଁରେ କିଛି ଉତ୍ତେଜନା ନଥିଲା, ଗର୍ବ ବି ନୁହେଁ । ସବୁବେଳ ପରି ଶାନ୍ତ ସରଳ ମୁହଁ । ପରିତୃପ୍ତିର ଢେଉରେ ଭରପୂର । ଫଳଭରା ଗଛ ପରି ନଇଁ ପଡ଼ିଥିଲେ ତଳକୁ ।

 

ଚେହେରାରେ ତାଙ୍କର କ’ଣ ଥାଏ କହିହବନି, କେବଳ ଅନୁଭବ କରିହେବ । ଦେଖିଲେ ମୁଣ୍ଡ ନଇଁଯିବ, ପାଖରୁ ଛାଡ଼ି ଯିବାକୁ ଇଚ୍ଛା ହେବନି ।

 

ଶିକ୍ଷକ ଚାକିରିରୁ ଅବସର ଗ୍ରହଣ କଲେଣି ପ୍ରାୟ ଦଶବାର ବର୍ଷ ହେଲା । ଏବେ ଗାଁରେ ରହୁଛନ୍ତି ବୋଲି ଶୁଣିଥିଲି । ଆଜି ମୁଁ ମୋ ଗାଁକୁ ଆସିଲା ବେଳେ ତାଙ୍କ ଘରପାଖ ପିଚୁ ରାସ୍ତାରେ ସେ ଛିଡ଼ା ହୋଇଥିଲେ । ମୋର ତାଙ୍କ ସହ ଶେଷ ଦେଖା ଆଉ ଆଜି ଭିତରେ ପ୍ରାୟ ଦଶ ବାର ବର୍ଷର ବ୍ୟବଧାନ ।

 

ଆଜି ଏତେଦିନ ପରେ ତାଙ୍କୁ ଦେଖୁ ମୁଁ ଅଟକିଲି ନାହିଁ । କେବଳ ମୁଁ ଦେଖୁଥିଲି ସେ ମୋତେ ଦେଖୁଛନ୍ତି କି ନାହିଁ । ପ୍ରାୟ ଯେତେବେଳେ ନିଶ୍ଚିତ ହେଲି ଯେ ସେ ମୋତେ ଦେଖିନାହାନ୍ତି, ମୁଁ ଗାଡ଼ିର ଗତି ବଢ଼େଇଦେଲି । ହଠାତ୍ ତାଙ୍କୁ ଦେଖି ମୋ’ ସ୍କୁଟରଟା ଆପେ ଆପେ ଧୀର ହୋଇଯାଇ ମୋ ଆଖି ଆଗରେ ବିଜୁଳି ପରି ଅତୀତ ଦିନର ରାଧୁମାଷ୍ଟ୍ରେ ଭାସି ଉଠିଲେ । ମନଟା ମୋର କୁରୁଳି ଉଠିଲା । ମୋ’ ସ୍କୁଟର ପଛରେ ପାଠ ପଢ଼ିଲା ବୟସର ମୋର ଟିକିଝିଅ ବସିଥିଲା । ହଠାତ୍ ମନ ହେଲା- ମୁଁ ତାଙ୍କ ପାଦ ପାଖରେ ଆପେ ଆପେ ମୁଣ୍ଡ ମୋର ଥୋଇଦେବି । ମୋ ଟିକିଝିଅକୁ ରାଧୁମାଷ୍ଟ୍ରେଙ୍କ ପାଦ ଛୁଇଁବାକୁ କହି, ଏଇ ହିମାଳୟ ପରି ବ୍ୟକ୍ତିତ୍ୱକୁ ତାକୁ ଚିହ୍ନେଇ ଦେବି । ମଣିଷ ନୁହେଁ ସତରେ ଠାକୁରଟିଏ ।

Unknown

 

ହେଲେ ସେଇ ରାଧୁମାଷ୍ଟ୍ରେଙ୍କୁ ମୁଁ ଦେଖି ନ ଦେଖିଲା ପରି ଚାଲିଆସିଲି । ଆଖି ପଡ଼ିଯାଇଥିଲେ କି ତାଙ୍କ ଆଖିରେ ଆଖି ମିଶିଯାଇଥିଲେ, ନିଶ୍ଚୟ ପାଖକୁ ଯାଇ ମୁଣ୍ଡ ନୁଆଁଇ ଦେଇଥାଆନ୍ତି । ଆଜି ତାଙ୍କୁ ଦେଖିଲା ପରେ ମୋ ମୁଣ୍ଡ ଆପେ ଆପେ ନଇଁ ଆସୁ ନଥିଲା ସେ କଥା ନୁହେଁ ।

 

ପୁଣି ଚିନ୍ତା କଲି, ସତରେ କଣ କିଛି କାମରେ ବ୍ୟସ୍ତ ଥିଲି । ତେବେ ସାମନାରେ ରାଧୁମାଷ୍ଟ୍ରେଙ୍କୁ ଦେଖି ପ୍ରଣାମଟାଏ ବି ନ କରି ଚାଲିଆସିଲି କାହିଁକି ? ଦେଖି ଦେଇଥିଲେ ମାଷ୍ଟ୍ରେ ଯେ, ମତେ ଆଦର କରି ନଥାନ୍ତେ କି ଭଲମନ୍ଦ ପଚାରି ନଥାନ୍ତେ ସେ କଥା ନୁହେଁ । ଦେଖା ହେଇଥିଲେ ହାତଟା ତାଙ୍କର ନିଶ୍ଚୟ ବୁଲି ଆସିଥାଆନ୍ତା ମୋ ପିଠିରେ । ମୁହଁରେ ଯଦି କୋଉଠି ଧୂଳି ଟିକେ ଲାଗିଥାଆନ୍ତା ତେବେ ତା’ ଯେ ସାର୍‌ଙ୍କ ଆଖିରେ ପଡ଼ି ନଥାଆନ୍ତା ସେକଥା ନୁହେଁ । ଏପରିକି ଝାଳୁଆ ମୁହଁଟାକୁ ପୋଛି ଦେବାକୁ ହାତରୁ ଗାମୁଛା ବଢ଼େଇ ଦେଇଥାଆନ୍ତେ ଅବା ଦେହ ଉପରେ ବୁଲେଇ ଆଣିଥାଆନ୍ତେ, ସତେ ଯେମିତି ମୁଁ ସେଦିନର ଛୋଟ ପିଲା ।

 

ଅସମ୍ଭବ ଭାବେ ସ୍ନେହୀ ମଣିଷ ସେ । ଆମ ପିଲାମାନଙ୍କ ପାଇଁ ତାଙ୍କ ବଗିଚାର ପିଜୁଳି ଗଛ, ତାଙ୍କ ପୋଖରୀର ମାଛ, ଅବା ତାଙ୍କ ଅଗଣାରେ ଫୁଟୁଥିବା ଫୁଲ, ସବୁଥିଲେ ସାର୍ବଜନୀନ ସମ୍ପତ୍ତି । ସବୁ ପିଲା ତାଙ୍କ ପାଇଁ ଥିଲେ ସମାନ । ବଡ଼ ସାଇର ପିଲା କି ତଳ ସାହିର ପିଲା ସମସ୍ତେ ଥିଲେ ତାଙ୍କ ପାଇଁ ଏକ୍ । ହରିଜନ ସାହିର କୋଉ ପିଲା ଯଦି କୋଉଦିନ ପାଠ ଛାଡ଼ିଦେବାକୁ ବସି ସ୍କୁଲ ଆସିବା ବନ୍ଦ କଲା ତେବେ ତା’ ପରେ ହଠାତ୍ ଆମେ ଦେଖୁ ସକାଳୁ ସକାଳୁ ସେ ପିଲାର ମାଟି ପିଣ୍ଡାରେ ରାଧୁସାର ଗୋଡ଼ ଉପରେ ଗୋଡ଼ ପକାଇ ବସିଛନ୍ତି । ଗାଁରେ କୋଉଠି କାହାର ବିବାଦ ହେଲେ ନିଶାପ ପାଇଁ ସେ ହେଲେ ଏକ ନିର୍ବିବାଦୀୟ ବ୍ୟକ୍ତି ।

 

ତାଙ୍କୁ କେବେ କିଛି ଭାଙ୍ଗିବାର ମୁଁ ଦେଖିନି । ସଦାସର୍ବଦା ଗଢ଼ୁଥିବାର ମଣିଷଟିଏ । ଲେଲିହାନ ଅଗ୍ନି ପାଖରେ ଶୀତଳ ଜଳଧାରା । ଅତ୍ୟଧିକ ଆତ୍ମବିଶ୍ୱାସର ମଣିଷ ସିଏ ।

 

ଏକଦା ତାଙ୍କ ପାଖରେ ପଢ଼ୁଥିବା ସ୍ଵପ୍ନା ବୋଲି ଝିଅକୁ କୋର୍ଟ ପାଖରେ ହଠାତ୍ ଦେଖି ଯେତେବେଳେ ସେ ଜାଣିଲେ ଯେ, ଜୀବନରେ ଏକଲା ରହିବାର ଶପଥ ନେଇ ମଦ୍ୟପ ସ୍ୱାମୀ, ଅସହିଷ୍ଣୁ ଶାଶୁ ନଣନ୍ଦ ପାଖରୁ ସ୍ୱପ୍ନା ଚାଲିଆସିଛି, ସେ ତାଙ୍କର ଶିକ୍ଷକ ସୁଲଭ ଢଙ୍ଗରେ ଗାଇ ଉଠିଲେ, “ବୈକୁଣ୍ଠ ସମାନ ଆହା ଅଟେ ସେହି ଘର..” ସେହିଠାରୁ ସିଧା ଯାଇଥିଲେ ତା’ର ଶାଶୁ ଘରକୁ । ଏବେ ଦିନେ ଦେଖିଥିଲି ଗହଣା ଦୋକାନରେ ସ୍ଵପ୍ନା ତା ସ୍ୱାମୀ ଓ ଶାଶୁ ସହ ଗହଣା କିଣୁଥିଲା ପାଖରେ ଛୁଆ ଦି’ଟା ଠିଆ ହୋଇଥିଲେ । ପୂର୍ଣ୍ଣତାର ହସରେ ଫାଟିପଡ଼ୁଥିଲେ ସେମାନେ-

 

ହେଲେ, ମାଟିରେ ବୈକୁଣ୍ଠ ତିଆରି କରିପାରୁଥିବା ଏଇ ଶିଳ୍ପୀଟିକି ଆଜି ଦେଖି ନ ଦେଖି ମୁଁ ଛାଡ଼ି ଚାଲି ଆସିଲି କାହିଁକି ? କିଏ ମତେ ବାରଣ କଲା ତାଙ୍କୁ ପ୍ରଣାମ ଟିକିଏ ଜଣେଇବାକୁ । ଏପରିକି ଲୌକିକତା ଦୃଷ୍ଟିରୁ ପଦେ କଥା କହିବାକୁ ।

 

ଗତକାଲି ମୋର ସକାଳୁ ଘରକୁ ଆସିବାର ଥିଲା । ଠିକ୍ ବାହାରିବା ଆଗରୁ ଖବର ମିଳିଲା, ଆମ ବିଭାଗର ହାକିମ ଆମ ସହର ବାଟ ଦେଇ କୋଉଠିକି ଯିବେ । ଖବରଟା ଅବଶ୍ୟ ଥିଲା ଉଡ଼ା । ତଥାପି ସବୁକାମ ବାତିଲ୍‌ କରି ଭୁବନେଶ୍ୱର ଫୋନ୍‍କରିବାରୁ ଏ ଖବର ବହୁ କଷ୍ଟରେ ମିଳିଲା । ଆମ ସହର ଦେଇ ଅନ୍ୟ କୋଉଠିକି ଯିବେ । ବାଟରେ ଅଟକିବାର ପ୍ରୋଗ୍ରାମ୍ ନାହିଁ । ପି.ଏ.ଙ୍କ ପାଖକୁ ଫୋନ୍ କଲି, ଇଏ କି କଥା, ସାର୍ ଏଇବାଟେ ଯିବେ ଆମେ ଜାଣିବୁନି ? ପି.ଏଙ୍କ ଠାରୁ ଶୁଣିଲି ହାକିମ ଅନ୍ୟଜାଗାକୁ ଯିବେ, ତେଣୁ ବାଟରେ ଅଟକିବାର ପ୍ରୋଗ୍ରାମ୍ ନାହିଁ । ଅବଶ୍ୟ ବାଟରେ ପଡ଼ୁଥିବା ଅନ୍ୟ କେତେ ସହରରେ ଥିବା ଅଫିସରମାନେ ଭୁବନେଶ୍ୱର ଛାଡ଼ିବା ସମୟ ବୁଝିସାରିଲେଣି । ସମସ୍ତେ ପ୍ରାୟ ବୁଲିଲା ବୁଲିଲା ହେଇ ବାଟରେ ଅପେକ୍ଷା କରିଥିବେ । ମୋର ବ୍ୟସ୍ତତା ଦେଖ୍ ପି.ଏ. ଜଣଙ୍କ ପ୍ରାୟ ସଦୟ ହୋଇ କହିଲେ, “ସାର୍‌ ବାହାରିଲେ ମୁଁ ଆପଣଙ୍କୁ ଫୋନକରି ଜଣାଇଦେବି । ଆପଣ ବାଟରେ ନଜାଣିଲା ପରି ଛିଡ଼ା ହୋଇଥିବେ ।

 

ତା’ ପରେ ଛୋଟ ସହରଟା ମୋ ପାଇଁ ସକ୍ରିୟ ହୋଇପଡ଼ିଲା । ହାକିମ କ'ଣ ଖାଆନ୍ତି, କ’ଣ ଭଲ ପାଆନ୍ତି, ସେ ସବୁକୁ ସଙ୍ଗେ ସଙ୍ଗେ ଯୋଗାଡ଼ କରିବାକୁ ହେବ । ଏ ଗୋଟାଏ ସୁଯୋଗ-। କୌଣସି ଉପାୟରେ ତାଙ୍କୁ ସବୁବେଳେ ଖୁସିରେ ରହିବାକୁ ହେବ । ବର୍ଷ ଶେଷରେ ଦି ଫର୍ଦ୍ଦ କାଗଜ ଭଲକରି ଲେଖିଦେଲେ ଚାକିରିର ଗତି ଉପରକୁ ନିଶ୍ଚୟ ହେବ ।

 

ଠିକଣା ସମୟରେ ହାକିମଙ୍କ ଗାଡ଼ି ଆସି ଛୋଟ ସହରରେ ଲାଗିଲା । ସାଙ୍ଗରେ ପୁଣି ଜଣେ ରାଜନୈତିକ ବଡ଼ ପଣ୍ଡା । ବୁଲିଲା ବୁଲିଲା ହେଇ ଯାଇ ନମସ୍କାରଟିଏ କଲି । ପ୍ରଥମଥର ଦେଖି ପାରିଲେ ନାହିଁ । ଦେଖି ମଧ୍ୟ ନଦେଖିବାର ଛଳନା ପ୍ରାୟ କଲେ । ସାମନାପଟକୁ ଯାଇ ଦ୍ୱିତୀୟବାର ନମସ୍କାର କଲାପରେ ଟିକେ ଆଖିଟେକି ଚାହିଁଲେ । ସରକାରୀ ଚାକିରିରେ ଏ ଅନୁଭୂତି ତିକ୍ତ ହେଉ ବା ନ ହେଉ ଏହା ଅନେକ ସମୟରେ ଘଟେ । କ୍ଷମତାରେ ଥିବା ଲୋକ ଏମିତି ଭାବନ୍ତି । ଅସମ୍ମାନଜନକ ହେଲେ ମଧ୍ୟ ସ୍ୱାର୍ଥ ପାଇଁ ସାଲିସ୍ କରି ଏଭଳି ସମ୍ପର୍କ ରଖିବା ଆଜି ଏକ ନିତିଦିନିଆ ଘଟଣା । ଆମେ ଯେମିତି କାହା ଚାରିପାଖରେ ଗହଳି କରି ତାଙ୍କର ଏକାନ୍ତ ନିଜର ବୋଲି କହୁ । ସେମିତି ଆମ ଚାରିପାଖରେ ବି ଲୋକ ଗହଳି କରନ୍ତି । ସେମାନେ ମଣିଷକୁ ଦେବତା ବୋଲି କହିଲେ ସେ କଥାକୁ ଆମେ ପାଦୁକ ପରି ପିଇଯାଉ । ପ୍ରତି କଥାରେ ହିସାବ କିତାବ କରି ମାପି ଚୁପି ସମ୍ପର୍କ ରଖୁ ।

 

ହେଲେ ଆଜି ଯଦି ରାଧୁମାଷ୍ଟ୍ରେ ଦେଖିଥାଆନ୍ତେ ତେବେ ନିଶ୍ଚୟ ଆଦରରେ ଘରକୁ ଡାକି ନେଇ ଯାଇଥାଆନ୍ତେ ‘‘କିଏ ଆସିଛି ଦେଖ”- ବୋଲି କହି ସମସ୍ତଙ୍କୁ ଡାକି ଥାଆନ୍ତେ । କିଛି ନ ଭାବି ବାଡ଼ି ଗଛର ପିଜୁଳି ନିଶ୍ଚୟ ବଢ଼େଇ ଦେଇଥାଆନ୍ତେ ।

 

ତଥାପି ସେଇ ରାଧୁମାଷ୍ଟ୍ରେଙ୍କୁ ଦେଖି ମୁଁ ଆଡ଼େଇ ଚାଲି ଆସିଲି କାହିଁକି ? ମତେ କ’ଣ ସେ ଧାର ଉଧାର ମାଗି ଥାଆନ୍ତେ ? ତା’ ବି ନୁହେଁ । ଶୁଣିଛି ଚାଷବାସ କରି ସେ ସମୟ କଟାଉଛନ୍ତି । ପେନ୍‌ସନ୍ ପାଉଛନ୍ତି । ଶୁଣିଛି ଅବସର ସମୟରେ ସାନସାନ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ବହୁ କଷ୍ଟରେ ଚାଲି ଚାଲି ଯାଇ ଏକଦା ତାଙ୍କ ପ୍ରିୟ ବିଦ୍ୟାଳୟରେ ପହଞ୍ଚି କାହାକୁ କିଛି ନ କହି ବଗିଚାର ଅନାବନା ଘାସ ଓପାଡ଼ି ଦଉଛନ୍ତି । କାନ୍ଥରେ ଅଙ୍ଗାରରେ କିଏ ଲେଖୁଥିଲେ ଲିଭେଇ ଦଉଛନ୍ତି । କୋଉ ସାର୍‌ ନଆସିଥିଲେ ନିଜେ ନିକେ କ୍ଲାସ୍‌ରେ ପଶି ଯାଉଛନ୍ତି ।

 

ଗତକାଲି ମୋ ନମସ୍କାରକୁ ଅବଜ୍ଞା କରୁଥିବା ବ୍ୟକ୍ତିମାନଙ୍କୁ ମୁଁ ଖୋଜି ଖୋଜି ନମସ୍କାର କରୁଥିଲି ହେଲେ ଆଜି ରାଧୁମାଷ୍ଟ୍ରେଙ୍କୁ ? ଉତ୍ତରଟା ସିଧା ଥିଲା । ଆଜି ସମାଜରେ ଏଭଳି ସମ୍ମାନ ଦେବା ଏକ ଭାବପ୍ରବଣତା । ରାଧୁମାଷ୍ଟ୍ରେ କ’ଣ ମୋତେ ପ୍ରମୋସନ୍ ଦେବେ ? ସୁବିଧା ଜାଗାକୁ ବଦଳି କରିପାରିବେ ? ତେଣୁ ସେ ମୋପାଇଁ ଅଲୋଡ଼ା, ଅପାଂକ୍ତେୟ ।

 

କେବଳ ରାଧୁମାଷ୍ଟ୍ରେ ନୁହଁନ୍ତି । ଠିକ୍ ତାଙ୍କରି ପରି ତ୍ୟାଗ, ମନୀଷା ଆଉ ପ୍ରଜ୍ଞାର ପ୍ରତୀକ ପ୍ରତ୍ୟେକ ବ୍ୟକ୍ତିତ୍ୱ ଆମ ମାପକାଠିରେ ଅଚଳ, ଅଲୋଡ଼ା । ମୋର ମନେ ହେଉଥିଲା ଗାଁ ମୁଣ୍ଡ କଇଁସର ପୋଖରୀରେ କେବଳ ମୁଁ ନୁହେଁ, ମୁଁ ଆପଣ ଆଉ ଆମେ ସମସ୍ତେ ବୁଡ଼ି ଯାଇଛେ । ଆଉ ପ୍ରାୟ ହାତର ପାଞ୍ଚ ଆଙ୍ଗୁଳି ଉପରକୁ ଅଛି । ଏତିକିବେଳେ ରାଧୁମାଷ୍ଟ୍ରେ ଯଦି ହାତଧରି ଆମକୁ ଉପରକୁ ଉଠେଇ ନିଅନ୍ତେ !

☆☆☆

 

ଅଦିନ ରାଖୀ

 

ମୋର ସ୍ପଷ୍ଟ ମନେଅଛି, ଯେଉଁଦିନ ଶେଷଥର ପାଇଁ ଆମେ ଜାତିସଂଘର ଏକ ବିମାନରେ ଢାକା ଛାଡ଼ିଲୁ, ସେଦିନ ଲୁହଭରା ଆଖିରେ ମୋତେ ବିଦାୟ ଦେଇଥିଲା ମିନିଅପା । ଏୟାରପୋର୍ଟରେ ମୋତେ ଧରି, ଭୋ ଭୋ କରି କାନ୍ଦି ପକାଇ କହିଥିଲା, “ବୁଲୁରେ ! ଭୁଲିଯିବୁନି ତୋର ଏଇ ଭଉଣୀକୁ । କେଉଁଦିନ କେମିତି ଟିକେ ମନେ ପକାଉଥିବୁ ।’’ ମିନିଅପାର କାନ୍ଦ ଦେଖି ସେଦିନ ମୁଁ ମଧ୍ୟ କାନ୍ଦି ପକାଇଥିଲି । ଲୁଗା କାନିରେ ମୋ ଆଖିର ଲୁହକୁ ପୋଛିଦେଇ ଓଠକୁ ଟିକେ ହଲାଇ ଦେଇ ମୋତେ ବିଦାୟ ଦେଇଥିଲା ସେ ।

 

ଏବେ ବି ତା କଥା ମନେ ପଡ଼ିଲେ ତା’ର ସେଇ ସଜଗୋଲାପ ପରି ମୁହଁ, ସଲଜ୍ଜ ଚାହାଣି, ଆଉ ସ୍ନେହବୋଳା କଥା କେଇପଦ ମୋ ଆଗରେ ଜୀବନ୍ତ ହୋଇଉଠେ । ମୋର ଅଜାଣତରେ ମୁଁ କାନ୍ଦି ପକାଏ । ସ୍ମତି ଚିର ଅମ୍ଳାନ । ମିନିଅପା ଆଉ ଏ ଦୁନିଆରେ ଅଛି କି ନାଁ ମୁଁ ଠିକ୍ କରି ଜାଣେନା । ଯୁଦ୍ଧ ପରେ ଚିହ୍ନା-ଅଚିହ୍ନା, ଜଣା-ଅଜଣା ଅନେକ ଜାଗାରୁ ତା’ ବିଷୟରେ ଖବର ନେଲିଣି । ଏତେ ବଡ଼ ଦୁନିଆରେ ମୁଁ ଆଜି ତାକୁ ଖୋଜି ଖୋଜି ନିରାଶ । ହେଲେ ମୋ ମନର ପୃଥିବୀରେ ମୁଁ ସ୍ପଷ୍ଟ ଦେଖିପାରୁଛି ମିନିଅପାକୁ । ସେଇ ହସ, ସେଇ ଚାଲି, ସେଇ କଥା । ଏ ଧୂଳିମାଟିର ଦୁନିଆରେ ମୁଁ ଆଜି ତାକୁ ଖୋଜି ଖୋଜି ପାଉନି, ହେଲେ ମୋ ହୃଦୟର ଦୁନିଆରେ ତା’ର ସ୍ଥିତି ସୁଦୃଢ଼ । ଯୁଦ୍ଧବିଗ୍ରହ, ବଳ, କେହି ବି ତାକୁ ସେଠୁ ଦୂରେଇ ଦେଇ ପାରିବେନି । ମଣିଷ ବିଜ୍ଞାନ ବଳରେ ହିମାଳୟକୁ ଭାଙ୍ଗି ଚୁର୍‌ମାର କରିଦେଇପାରେ, ସମଗ୍ର ବଙ୍ଗୋପସାଗରକୁ ଜଳ ଶୂନ୍ୟ କରି ସାହାରାରେ ପରିଣତ କରିଦେଇପାରେ ହେଲେ ଅକ୍ଷାଂଶ, ଦ୍ରାଘିମା ଆଉ ବିଷୁବରେଖାର ସ୍ଥିତିକୁ କ’ଣ ସେ ଲୀନ କରିଦେଇ ପାରିବ ?

 

ମିନିଅପା ସହିତ ମୋର ପ୍ରଥମ ପରିଚୟ ହୋଇଥିଲା ଢାକାସ୍ଥିତ ଭାରତୀୟ ଦୂତାବାସରେ, ଯେଉଁଦିନ ମୁଁ ଯୋଗଦେଇଥିଲି ଏକ ଅଫିସର ଭାବରେ । ବର୍ତ୍ତମାନର ମିନିଅପା ଆଉ ସେଦିନର ମିନତି ରାୟ ଥିଲା ଦୂତାବାସରେ ଜଣେ କିରାଣୀ । ବଙ୍ଗ ବିଭାଜନ ପରେ ତା’ ପରିବାର ଢାକାକୁ ଆଦରି ନେଇଥିଲେ ଆପଣାର କର୍ମସ୍ଥଳୀ ଭାବେ । ଦିନ, ବାର, ତାରିଖ ମୋର ସଫା ମନେନାହିଁ, ହେଲେ ସେଦିନର ଘଟଣା ମୋ ଆଖି ଆଗରେ ଜୀବନ୍ତ ।

 

ସଦ୍ୟ କଲେଜରୁ ଯାଇ ମୁଁ କରିଥାଏ ଚାକିରି । ସତ କହିବାକୁ ଗଲେ ମୁଁ କଡ଼ା ମିଜାଜ୍‌ର ଥିଲି । ସାମାନ୍ୟ କଥାରେ ବହୁତ ବିରକ୍ତ ହୋଇ ଉଠୁଥିଲି । ସେଦିନ ଗୋଟେ ଫାଇଲ୍ ନେଇ ସେ ଆସିଥିଲା ମୋ ରୁମକୁ । ସେତେବେଳେ ମୁଁ ଗପର ଆସର ଜମେଇ ଦେଇଥିଲି ଅଫିସ୍‌ର ଆଉ ଜଣେ କିରାଣୀ ରୀନା ସାଙ୍ଗରେ । ରୀନା ଥିଲା ଯୌବନର ଜୁଆରରେ ଉଦ୍ଧତ । ନିଜକୁ ଉର୍ବଶୀ ସଜେଇ ଦୁନିଆ ଆଖିରେ ରଙ୍ଗ ବୋଳିବା ଥିଲା ତା’ର ସଉକ୍ । ରୀନା ଆଉ ମୁଁ ସେଦିନ ଅଫିସ୍ ଭିତରେ ନିର୍ଲଜ୍ଜ ପରି ଖୁବ ଜୋର୍‌ରେ ହସୁଥିଲୁ । ତା’ର ଉପସ୍ଥିତିରେ ଅପ୍ରତିଭ ହୋଇ ଉଠିଲୁ ଆମେ ।

 

ପୁରୁଷ ଯାହା ପାପ କରେ ନାରୀପାଇଁ କରେ । ମୁଁ ଖୁବ୍ ବିରକ୍ତ ହୋଇ ଉଠିଥିଲି ମିନତି ରାୟଙ୍କ ଆବିର୍ଭାବରେ । ମୋର ମନେହେଲା ମୁଁ ଯଦି ମିନତିକୁ ଅପମାନିତ ନ କରିବି ତେବେ ରୀନା ମୋତେ କହିବ ଅପଦାର୍ଥ । ମୋର ପୌରୁଷକୁ ଘୃଣା କରିବ । ପୁରୁଷ ନାରୀ ପାଇଁ ବନ୍ୟ ହୁଏ । ମୁଁ ବି ଠିକ୍ ସେୟା ହୋଇଯାଇଥିଲି ସେଦିନ । ମିନତି ହାତରୁ ଫାଇଲ୍‌ଟା ଆଣି ‘ଗେଟ୍‌ଆଉଟ୍’ କହି ଫିଙ୍ଗି ଦେଇଥିଲି ତା’ ଉପରକୁ । ଭାବିଥିଲି ସେ ନୀରବରେ ଫେରିଯିବ, କିନ୍ତୁ ତା’ ହେଲାନି । ଆହତ ସିଂହୀ ପରି ସେ ଗର୍ଜି ଉଠିଲା । ପ୍ରତିବାଦର ସ୍ୱର ତୋଳିଲା । ମୋର ବ୍ୟବହାରରେ ଦୃଢ଼ ପ୍ରତିବାଦ କଲା । ହେଲେ, ଗଣତନ୍ତ୍ର ନାଁରେ ଖୁବ୍ ସୁନ୍ଦର ବ୍ୟଭିଚାର ହୋଇପାରେ । ଶେଷ ନିଷ୍ପତ୍ତି ସ୍ଵରୂପ ସେ ସସ୍‌ପେଣ୍ଡ ହେଲା । ଯେଉଁଦିନ ସସ୍‌ପେଣ୍ଡ ହୋଇ ଦୂତାବାସ ବାରଣ୍ଡାରୁ ଲୁହବୋଳା ଆଖିରେ ଓହ୍ଲାଇ ଯାଉଥିଲା, ସେଦିନ ମୁଁ ଖୁବ୍ ହସିଥିଲି । ଠିକ୍ ଯୀଶୁଙ୍କୁ କ୍ରୁଶବିଦ୍ଧ କରିସାରି ଫେରୁଥିବା ଉନ୍ମାଦ ଜନତା ପରି । ମୋର ମନେ ହେଉଥିଲା ରୀନା ଯେପରି କହୁଛି- “ଓଃ ୟୁ ଆର ସୋ ପାୱାରଫୁଲ୍ ଡାର୍ଲିଂ ।”

 

ତା’ ପରେ ଦିନେ ମିନତି ସାଙ୍ଗରେ ଦେଖା ହୋଇଥିଲା ଢାକା ମେଡ଼ିକାଲ କଲେଜ ହସ୍ପିଟାଲ୍‌ ଗେଟ୍‌ରେ । କେଜାଣି କାହିଁକି ସେଦିନ ତାକୁ ଦେଖି ମୁଁ ଡରିଯାଇଥିଲି । ସେ ଆସିଥିଲା ନର୍ସିଂ ଇଣ୍ଟରଭ୍ୟୁ ଦେବାପାଇଁ । ଗଲାବେଳେ ମୋତେ କହିଥିଲା- ‘‘ନାରୀ କାହିଁକି ଘର ଛାଡ଼ି ପଦାକୁ ଗୋଡ଼କାଢ଼େ ଜାଣନ୍ତି ? ନିଜର ଅର୍ଥନୈତିକ ସ୍ୱାଧୀନତା ପାଇଁ କିନ୍ତୁ ଅର୍ଥନୈତିକ ସ୍ଵାଧୀନତା ପାଇଁ ତାକୁ ଯେ ତା’ର ନୈତିକ ସ୍ଵାଧୀନତା ହରେଇ ଏ ଦୁନିଆରେ ଚାଲିବାକୁ ହୁଏ, ଆପଣ ମୋତେ ଏ କଥା ଠିକ୍ ବୁଝେଇ ଦେଇଛନ୍ତି ।’’

 

ସେଦିନ ରାତିରେ ମୁଁ ଶୋଇ ପାରିଲିନି । ବାରମ୍ବାର କାନରେ ମୋର ପ୍ରତିଧ୍ୱନିତ ହେବାକୁ ଲାଗିଲା ମିନତିର ସେଇ କେଇପଦ କଥା । ଶାନ୍ତିରେ ଶୋଇ ପାରିଲିନି ମୁଁ । ଛାତ୍ର ଜୀବନରେ କ୍ଷମତାର ଅପବ୍ୟବହାର ବିରୁଦ୍ଧରେ ଅନେକ ଭାଷଣ ଦେଇଥିଲି । ହେଲେ ମୁଁ କ’ଣ କଲି ? ରାତ୍ରିର ବୟସ ବଢ଼ି ବଢ଼ି ଚାଲିଥାଏ । ସମଗ୍ର ପୃଥିବୀ ହସୁଥାଏ ଜହ୍ନ ଆଲୁଅରେ । ହେଲେ ମୁଁ ଜଳୁଥାଏ ଅନୁତାପର ନିଆଁରେ ।

 

ତା’ପରେ ଦିନେ ଏକ ବର୍ଷାଭିଜା ସକାଳରେ ମୁଁ ପହଞ୍ଚିଥିଲି ମିନତିର ନୁଆଁଣିଆ ଚାଳଘରେ । ମୋତେ ଦେଖି ସେ ଯେ ଏତେ ଖୁସି ହେବ ମୁଁ ବିଶ୍ୱାସ କରିପାରିନଥିଲି । ସେଇଦିନ ମୁଁ ପ୍ରଥମକରି ଅନୁଭବ କରିଥିଲି ଯେ, ସମସ୍ତେ ଅର୍ଥନୈତିକ କାରଣରୁ ଚାକିରି କରିବାକୁ ଆସନ୍ତି । କିଏ ବଡ଼ କିଏ ଅବା ଛୋଟ ହେଲେ ସମସ୍ତେ ଚାକିରିଆ । ମା, ଭଉଣୀ, ଗାଁ-ଭୂଇଁ ଠାରୁ ଅନେକ ଦୂରରେ ପ୍ରଥମଥର ପାଇଁ ମିନତିର ହସରେ ପାଇଥିଲି ଆତ୍ମୀୟତା । ସେଇଦିନ ପ୍ରଥମଥର ପାଇଁ ଭୁଲିଯାଇଥିଲି ଯେ ମୁଁ ଭାରତ ସରକାରଙ୍କ ପ୍ରଶାସନିକ ସେବାର ଜଣେ ଉଚ୍ଚପଦସ୍ଥ ଅଫିସର ।

 

ମଣିଷ ପ୍ରେମ ପାଗଳ । ଟିକିଏ ସ୍ନେହ, କାଣିଚାଏ ପ୍ରେମ, ଟିକିଏ ମମତା ପାଇଁ ସେ ଆତ୍ମହରା । ମୁଁ ସ୍ଵର୍ଗ କେବେ ଦେଖିନି, ଅମୃତ କେବେ ଚାଖିନି; କିନ୍ତୁ ସେଦିନ ସେଇ ନୁଆଁଣିଆ ଚାଳଘରେ ବସି ଖାଇଲା ବେଳେ ମୋର ମନେହେଲା ସ୍ଵର୍ଗ ଏଇ ମର୍ତ୍ତ୍ୟରେ ଅଛି । ତାକୁ ଖୋଜି ବାହାର କରି ପାରିଲେ ହେଲା । ମିନତି ଥିଲା ମୋ’ ଠାରୁ ବୟସରେ ବଡ଼ । ସେଇଦିନଠାରୁ ମୁଁ ତାକୁ ଡାକିଥିଲି ମିନିଅପା ଓ ସେ ମୋତେ ସ୍ନେହରେ ଡାକୁଥିଲା ‘ବୁଲୁ’ ।

 

ସମୟର ଶିଉଳି ତଳେ ସ୍ମୃତି କେବେ ଲୁଚିଯାଏନା । ଆଜି ବି ମନେ ପଡ଼ୁଛି ମିନିଅପାର ପବିତ୍ରତାଭରା ମୁଖମଣ୍ଡଳ । ଅଧରର ସଲଜ୍ଜ ହସ । ଜୀବନର ପ୍ରତ୍ୟେକ ପଦକ୍ଷେପରେ ମୁଁ ଶୁଣିପାରୁଛି ତା’ର ପଦଶବ୍ଦ । ତା’ ପରେ ମୁଁ ଫେରି ଆସିଥିଲି ଭାରତୀୟ ଦୂତାବାସକୁ । ମୁଁ ଭୁଲିଗଲି କ୍ଲବ, ହୋଟେଲ୍ ସବୁକିଛି । ମୋ ଅବସରର ସାଥୀହେଲା ମିନିଅପା । ବାଳକ ସୁଲଭ ଭାବପ୍ରବଣତାର ବୟସ ଅନେକ ପଛରେ ପକାଇ ଆସିଥିଲେ ମଧ୍ୟ ମୁଁ ମିନିଅପା ପାଖରେ ସମ୍ପୂର୍ଣ୍ଣ ଶିଶୁ ହୋଇଯାଇଥିଲି । ଅଫିସ୍ ଛୁଟି ପରେ ଦିନେ ତା’ ପାଖକୁ ନ ଗଲେ ସେ ମୋ ପାଇଁ ପାଗଳୀଙ୍କ ଭଳି ହୋଇ ଉଠୁଥିଲା । ସବୁଦିନ ଉପରବେଳା ଜଳଖିଆ ମୁଁ ତାଆରି ଘରେ ହିଁ ଖାଉଥିଲି । ଖାଇସାରି ତା’ ଲୁଗାକାନିରେ ହାତ ନ ପୋଛିଲେ ମୋତେ ଆଦୌ ଭଲ ଲାଗୁନଥିଲା ।

 

ଜୀବନର ରଥଚକ୍ର ସବୁବେଳେ ସମତଳ ଭୂମିରେ ଗଡ଼ି ଚାଲେନା । ପୂର୍ଣ୍ଣିମାର ଜ୍ୟୋସ୍ନା ବିଧୌତ ମଧୁଯାମିନୀ ପରେ ଆସେ ଅମାବାସ୍ୟାର ସୂଚିଭେଦ୍ୟ ଅନ୍ଧକାର । ‘ଭାରତ ଓ ପାକିସ୍ଥାନ ପକ୍ଷରୁ ଯୁଦ୍ଧସଜ୍ଜା ଆରମ୍ଭ ହୋଇଛି । ଭାରତର ବାଣିଜ୍ୟ ଦୂତାବାସ ଢାକାରୁ ଫେରାଇ ନିଆଯିବ’ । ସମ୍ବାଦଟା ପାଇ ସେଦିନ ଆମେ ଚମକି ପଡ଼ିଲୁ ।

 

ଆଉ ଦି’ ଦିନ ପରେ ଦୂତାବାସ ଉଠିଯିବ । ମୁଁ ମିନିଅପାକୁ ବାଧ୍ୟ କଲି ଭାରତ ଫେରି ଆସିବାକୁ, କିନ୍ତୁ ମନା କରିଥିଲା ସେ । କାରଣ ସେ ବିଶ୍ୱାସ କରୁଥିଲା ସତ୍ୟ ଓ ନ୍ୟାୟର ନିଶ୍ଚୟ ଜୟ ହେବ । ମତେ ସେଦିନ ସେ କହିଥିଲା “ବୁଲୁରେ ! ପୂର୍ବ ପାକିସ୍ଥାନରୁ ଏଇ ତୋର ଶେଷ ବିଦାୟ- ପୁଣି ଦେଖାହେବ ବଙ୍ଗଳାଦେଶରେ ।”

 

ଭାରତ ଫେରି ଆସିବାର ପୂର୍ବ ରାତିଟିକୁ ମୁଁ କଟେଇଥିଲି ମିନିଅପା ପାଖରେ । ଲଣ୍ଠନ ଆଲୁଅ ତଳେ ମୋ ଚିବୁକ ଧରି ଅନେକ କାନ୍ଦିଥିଲା ସେ । ଉନ୍ନିଦ୍ର ରଜନୀ ଶେଷରେ ମୋ ହାତରେ ଅଦିନରେ ରାଖୀଟିଏ ବାନ୍ଧିଦେଇ, କପାଳରେ ଏକ ସ୍ନେହର ଚୁମା ଦେଇ କହିଥିଲା, “ବୁଲୁ ଏ ଦୁନିଆ ଅତି ଅଦ୍ଭୁତ । ସ୍ରଷ୍ଟା ଯଦି ମିଳନ ରଖିଲେ ତେବେ ବିଚ୍ଛେଦ ରଖିଲେ କାହିଁକି ? ଆବାହନ ଯଦି ରଖିଲେ ତେବେ ବିସର୍ଜ୍ଜନ ରଖିଲେ କାହିଁକି ? ମନେରଖିବୁ, ଭୁଲିଯିବୁନି ତୋର ଏ ପ୍ରବାସିନୀ ଭଉଣୀଟାକୁ ।” ଆଜି ମୋତେ ସେ ଆତ୍ମୀୟତା, ସେ ସ୍ନେହ ଆଉ କ’ଣ କେହି ଦେଇପାରିବ ?

 

ଯୁଦ୍ଧ ସରିଲା, ମିନିଅପାର କଥା ସତ ହେଲା । ସତ୍ୟ, ନ୍ୟାୟ ଓ ମାନବିକତାର ଜୟଭେରୀ ବଜାଇ ସୃଷ୍ଟି ହେଲା ବଙ୍ଗଳାଦେଶ । ତା’ର ସେଇ ଲହୁଲୁହ ଭିଜା ମାଟିରେ । ମୁଁ ଅନେକ ଖୋଜିଲି ତାକୁ, ହେଲେ ଏତେ ବଡ଼ ଦୁନିଆରେ ମୋତେ କେହି ଦେଇ ପାରିଲେନି ତା’ ଖବର ।

 

ବର୍ତ୍ତମାନ ଚାଲିଯାଇଛି, ହେଲେ ଅତୀତ ବଞ୍ଚି ରହିଛି । ମିନିଅପା କେଉଁଠି କିପରି ଅଛି ମୁଁ ଜାଣିନି ହେଲେ ଏ ମରଦୁନିଆ ବାହାରେ ମୋ ମନ ଆକାଶରେ ସ୍ମୃତିର ଏକ ଉଜ୍ଜ୍ୱଳବର୍ଣ୍ଣା ଦୀପ୍ତିମତୀ ଅମ୍ଳାନ ତାରକା ସେ । ଆଉ ସତତ ପ୍ରାୟ ସେ ତାରକାଟି ଦିପ୍‌ଦିପ୍ ଜଳି ପଚାରୁଛି ଏ ପୃଥିବୀକୁ ସୀମାବଦ୍ଧ କଲା କିଏ ? କଳ୍ପନାର ଗାର ସବୁ ଟାଣି ମଣିଷ ମଣିଷ ଭିତରେ ବ୍ୟବଧାନ ସୃଷ୍ଟି କଲା କିଏ ?

☆☆☆

 

ଓଲଟି ପଡ଼ିଥିବା ଡଙ୍ଗା

 

ସୋମପୁର, କଟକ-ପାରାଦୀପ ରାସ୍ତାରେ ଛୋଟ ଷ୍ଟପେଜ୍‌ଟିଏ । ତଥାପି ଯେତେବେଳେ କୋଉ ଭିଡ଼ ବସ୍‌ରେ ଘର୍ମାକ୍ତ ହୋଇ ଗଲାବେଳେ କିମ୍ବା ଛୋଟ ଗାଡ଼ିଟିରେ ପବନ ଖାଇ ଗଲାବେଳେ ସେଇ ସାନ ବଜାରଟା ଆସିଗଲେ ଏପଟ ସେପଟ ହେଇ ଚାହିଁବାକୁ ଭଲଲାଗେ । ଖୋଜିଲା ଖୋଜିଲା ଆଖିରେ ମାମୀ ବୋଲି ଝିଅଟାକୁ ଖୋଜିବାକୁ ଇଚ୍ଛାହୁଏ । କାଳେ କେତେ ଲୋକ ମେଳରେ ଠିଆ ହେଇଥିବ, ବସ୍‌କୁ ଅପେକ୍ଷା କରିଥିବ । ଲୋକମାନଙ୍କ ମେଳରେ ମାମୀ ନିଆରା ହେଇ ଦେଖା ଯାଉଥିବ ତା’ ଭାଇ ଅବା ପାଖ ଚା' ଦୋକାନରେ ଚା’ କପଟାଏ ଧରି ଅଶୋକ କୋଉଠି ଠିଆ ହୋଇଥିବ । କିଛି ଦେଲେ ନ ଦେଲେ ବି କେତେଗୁଡ଼ାଏ ଲୋକଙ୍କୁ ଦେଖିଲେ ପେଟ ପୂରିଗଲା ଭଳି ଲାଗେ । ଆଖିରେ ଆଖିଏ ରଙ୍ଗ ବୋଳି ହୋଇଯାଏ । ମଣିଷଟାକୁ ପାଖରେ ଜାବୁଡ଼ି ଧରିବାକୁ ଇଚ୍ଛା ହୁଏ ।

 

ରାଣୀ ଶୁକଦେଈ ଛାତ୍ରୀନିବାସରେ ଏକଦା ମୋ ସାଥିରେ ରହୁଥିଲା ମାମୀ । ପିଲାଏ ତାକୁ ଟଗରଫୁଲ ବୋଲି ଡାକୁଥିଲେ । ଟଗରଫୁଲ ସବୁ ଋତୁରେ ଫୁଟେ । କାଳି ଅନ୍ଧାରରେ ଟଗର ଗଛଟା ବି ବାରିହୋଇ ପଡ଼ିବ । ହସ ଛଡ଼ା ତା ମୁହଁରେ କିଛି ନଥାଏ । କମ୍ ବୟସର ଝିଅଟା । ହେଲେ ଆମକୁ ସବୁ ଭୋର୍‌ରୁ ଭୋର୍‌ରୁ ଧୂପ ଅଗୁରୁର ବାସ୍ନାରେ ଭରିଦେଇ “ଜବା କୁସୁମ ସଂଙ୍କାଶଂ....’’ ବୋଲି ଗାଇଉଠେ । ମଶାରି ତଳୁ ଆମେ ତାକୁ ଚାହୁଁ । ହେଲେ, ସକାଳୁ ଉଠେଇ ଦେଲା ବୋଲି ଚିଡ଼ୁନା ।

 

ବେଳେ ବେଳେ ଇଚ୍ଛାହୁଏ, ଭାଇଟିଏ ଥିଲେ ୟାକୁ ବୋହୂ କରି ନିଅନ୍ତି । ମାମୀକି ଦେଖିଲେ ଯିଏ ନାହିଁ ସିଏ ଖୁସି ହେଇଯିବ । ଇତିହାସରେ, କାହା ମୁହଁକୁ ଚାହିଁ ଶତ୍ରୁ ହାତରୁ ଖଣ୍ଡା ଖସିପଡ଼ିଥିଲା କି ନାହିଁ, ହେଲେ ମାମୀର ଏମିତିକା ମୁହଁଟିଏ, ଅନେଇଦେଲେ ସତରେ କିନ୍ତୁ ଉଞ୍ଚେଇଥିବା ଖଣ୍ଡା ଖସିପଡ଼ିବ । ଘିଅ ରଙ୍ଗର ଲୁଗାଟିଏ ପିନ୍ଧି ଓଦା ବାଳକୁ ଲମ୍ବ କରି ଠିଆ ତଳକୁ ଛାଡ଼ିଦେଇ ମଥାରେ କୁଙ୍କୁମର ବଳୟ ଭିତରେ ଚନ୍ଦନ ଟିପାଟିଏ ଦେଇ ବାହାରିପଡ଼େ, ସେତେବେଳେ ତା ଦେହରେ ସମସ୍ତେ ଗଳିଯାଆନ୍ତି । ସେତେବେଳେ ମୁଁ ଭାବେ, ପାଖରେ ମାମୀର ବୋଉ ଥିଲେ ହୁଏତ ତା’ ଦେହରେ ଛାଞ୍ଚୁଣି ଟିକେ ବାନ୍ଧିଦେଇ ଛେପ ଟିକେ ପକେଇଦେଇ ‘‘ମୋ ଝିଅକୁ ଆଖି ଦିଅନା’’ ବୋଲି କହି କୋଳେଇ ନିଅନ୍ତା ।

 

ହେଲେ, ବୋଉ କଥା ପଡ଼ିଲେ ଆଖି ତା’ର ଉଦାସ ହୋଇଯାଏ । ଲାଗେ ଯେମିତି ଝାପ୍‌ସା ଦିଗ୍‍ବଳୟ ତଳେ ସେ କ’ଣ ଖୋଜୁଛି । ପିଲାଦିନୁ ବୋଉ ତା’ର ଚାଲିଯାଇଛି । ଘରେ ତିନି ଭଉଣୀରେ ଗୋଟିଏ ବୋଲି ଭାଇ । ବାପା ତା’ର ବାହାରେ ଚାକିରି କରନ୍ତି । ମାସକୁ ମାସ ଡାକରେ ଟଙ୍କା ଆସେ । ପରିବାରରେ ପ୍ରାଚୁର୍ଯ୍ୟ ନାହିଁ କି ଅଭାବ ନାହିଁ । ସବୁ ସକାଳ ସଞ୍ଜ ହୁଏ । ରାଣୀ ଶୁକଦେଈ ଛାତ୍ରୀନିବାସର ଦିନଗୁଡ଼ାକ ପାଣିପରି ଗଡ଼ିଗଲା । ଏକବାର ନିଜର କରି ପକେଇଥିବା ହଷ୍ଟେଲ, ଫୁଲବଗିଚା, ଗେଟ୍ ମାଉସୀ ଆଉ କୁତୁକୁତିଆ ଦିନଗୁଡ଼ାକ ପଛରେ ପକେଇ ଆମେ ଚାଲି ଆସିଲୁ । ମାମୀ ଆସିଥିବ ଆଉ ଗୋଟେ ଦି'ଟା ବର୍ଷ ପରେ ।

 

ହେଲେ ଏକାନ୍ତ ଭଲ ପାଉଥିବା ମାମୀକୁ ମୁଁ ହିଂସା କଲି, ଯୋଉଦିନ ତାକୁ ହଷ୍ଟେଲ୍‌ ଛାଡ଼ିବାର କେତେଟା ବର୍ଷ ପରେ କଟକ-ପାରାଦୀପ ବସ୍‌ରେ ଦେଖିଲି । ମାମୀ ଯେ ମୋ ସହ କୋଉଠି ପ୍ରତିଦ୍ୱନ୍ଦିତା କଲା, କି ମୋର କୋଉଠି କେବେ ପ୍ରତିଦ୍ୱନ୍ଦ୍ୱୀ ହବ, ସେ କଥା ନୁହେଁ, କେବଳ ତା ମୁହଁରୁ ତା ଭାଇ କଥା ଶୁଣିଲା ପରେ । ଭଉଣୀମାନଙ୍କ ଉପରେ ଭାଇ ବଡ଼ । ବସ୍‌ରେ ଅଳ୍ପ ସମୟର ଦେଖା ଭିତରେ ଖାଲି ସେ କହୁଥିଲା, ତା ଭାଇ କେନ୍ଦ୍ର ସରକାରରେ ଚାକିରି କରୁଛି । ଭଲ କ୍ରିକେଟ୍ ଖେଳୁଥିଲା ବୋଲି ରାଜ୍ୟରେ ସୁନାମ ଥିଲା । ଏଯାଏ ବାହା ହେଇନି । ଭଉଣୀମାନେ ବାଧ୍ୟ କରୁଛନ୍ତି ବାହା ହେଇ ଭାଉଜଟିଏ ଘରକୁ ଆଣିବା ପାଇଁ ହେଲେ ଶପଥ କଲାପରି ସେ ବିଭା ହଉନି । ଏକଦା କ୍ରିକେଟ୍ ଖେଳି ସିନେମା ଦେଖି ଫୁଲାଫାଙ୍କିଆ ସମୟ କଟେଇ ଦେଉଥିବା ଯୁବକଟା ଏବେ ହାତରେ ରୋଷେଇ କରୁଛି । ଲୁଗାପଟା ନିଜେ ଧୋଇ ଇସ୍ତ୍ରୀ ମଡ଼ଉଛି । ସବୁ ଟଙ୍କା ଠୁଳେଇ ରଖୁଛି ଭଉଣୀମାନଙ୍କ ବାହାଘର ହବ । ଏବେ ଗୋଟିଏ ଭଉଣୀ ବିଭା ହୋଇଛି ।

 

ମାମୀର କଥା ଶୁଣି ମତେ ସେଦିନ ତା’ ଭାଇ ଅଶୋକ ନାମକ ଯୁବକଟିକୁ ଆବିଷ୍କାର କରିଲା ପରି ଲାଗିଲା । ଦେବତା କୋଉଠି ସ୍ୱର୍ଗରେ ନଥାଆନ୍ତି, କି ଅସୁର କୋଉଠି ବଣ ଜଙ୍ଗଲରେ ନଥାଆନ୍ତି । ମଣିଷ ନିଜ ଗୁଣ କର୍ମ ଦ୍ଵାରା ଦେବତା କି ଅସୁର ପାଲଟିଯାଏ । ଅଶୋକଟା ସେଦିନ ମୋ ଆଗରେ ଭିନ୍ନ ମଣିଷଟାଏ ହୋଇ ଠିଆ ହେଲା, ରାଣୀ ଶୁକଦେଈ ଛାତ୍ରୀନିବାସକୁ ଧଳା ରଙ୍ଗର ପ୍ୟାଣ୍ଟ ସାର୍ଟ ପିନ୍ଧି ବେଳେବେଳେ ଆସୁଥିବା ପିଲାଟାକୁ ଠିକ୍ ଭାବରେ ମନେ ପକେଇ ପାରୁନଥିଲି ମୁଁ । ତଥାପି ମୋର ଗୋଟିଏ କଥା ମନେପଡ଼ୁଥିଲା । ମାମୀ କହୁଥିଲା ସ୍କୁଲ ପରେ ସେ ଯୋଉଦିନ ଘର ଛାଡ଼ି ହଷ୍ଟେଲ୍ ଆସିଲା, ସେଦିନ ତାଙ୍କ ଘରକୁ କୋଉଠୁ ବଡ଼ ବଡ଼ ବୁନ୍ଦିଆ ମିଠେଇ ଆସିଥିଲା । ସେ ବୁନ୍ଦିଆକୁ ଧରି କୁଆଡ଼େ ଅଶୋକ ତିନିଦିନ ଧରି କାନ୍ଦିଥିଲା-। କେହି ପଚାରିଲେ କହିଲା ‘ମାମୀ ଲଡ଼ୁକୁ ଭଲପାଏ, ତା କଥା ମନେ ପଡ଼ୁଛି ।”

 

ମାମୀକି ମୁଁ ହିଂସା କରିବା ଆରମ୍ଭ କଲି କେବଳ ତାର ଅଶୋକ ଭଳି ଭାଇ ଅଛି ବୋଲି । ସେଦିନ ସୋମପୁର ଷ୍ଟପେଜ୍‌ରେ ମାମୀ ଓହ୍ଲେଇ ଗଲା । ହେଲେ ମୋ ପାଖରେ ଅଶୋକକୁ ଛାଡ଼ିଦେଇ ଗଲା । ସବୁଝିଅ ନିଶ୍ଚୟ ଏମିତି ଭାଇଟିଏ ଚାହିଁବେ । ମୋତେ ବେଳେ ବେଳେ ଦେଖାଯାଏ, ବାହିଏ ବାହିଏ ଗହଣାରେ ଲଦି ହୋଇ ବଉଳପାଟ ପିନ୍ଧି ଆମ ହଷ୍ଟେଲ୍‌ର ଟଗରଫୁଲ ପରି ଝିଅଟା ବୋହୂ ହୋଇ ଚାଲିଯାଉଛି । ଖୋଜି ଖୋଜି ରାଜକୁମାର ପରି ବର ତା ଭାଇ ଆଣିଛି ।

 

ତା' ପରେ କେତେବେଳେ ସୋମପୁର ଛକ ଦେଇ ଗଲାବେଳେ ମାମୀ ଆଉ ଅଶୋକ ମୋ ମନ ଭିତରକୁ ମେଞ୍ଚାଏ ବସନ୍ତ ପବନ ପରି ମାଡ଼ିଆସନ୍ତି । ଦି’ କଡ଼କୁ ଅନେଇବାକୁ ଇଚ୍ଛା ହୁଏ-। କୋଉଠି ମାମୀ ଛିଡ଼ା ହୋଇଥିବ । ହଷ୍ଟେଲ୍ ଛାଡ଼ି କର୍ମମୟ ଜୀବନରେ ପଶିଗଲେ ସାଙ୍ଗମାନେ ସାତସପନ ହୁଅନ୍ତି । ସେମିତି ରାସ୍ତାକଡ଼ରେ ଧାଡ଼ି ଧାଡ଼ି ହୋଇ ଠିଆ ହେଇଥିବା ଯୁବକଙ୍କ ଭିତରେ କୋଉଠି ଅଶୋକ ଥିବ । ମାମୀ ୟା ଭିତରେ ବାହା ହେଇଯିବଣି । ଅଶୋକ ବି ପ୍ରାୟ-। କାହାକୁ ପଚାରିଲେ ସେମିତି କହି ପାରିଲା ଲୋକ କାହିଁ ଭେଟ ପଡ଼ି ନଥାନ୍ତି । ହେଲେ, ବେଳେ ବେଳେ ଜାଣିବା ପାଇଁ ଇଚ୍ଛା ହୁଏ, ମାମୀ କୋଉଠି ବାହା ହେଲା, ତା ଭଉଣୀ ତା ଭାଇକଥା-

 

ହଠାତ୍ ସେଦିନ ସୋମପୁର ଛକରେ ବସ୍ ରହିଲା ମାତ୍ରେ ଯାତ୍ରୀଗୁଡ଼ାକ ନାକରେ ରୁମାଲ୍ ଚାପିରଖିଲେ । ଅସହ୍ୟ ଗୋଟାଏ ପଚରା ଗନ୍ଧରେ ନାକ ଫାଟି ପଡ଼ିଲା ପରି ଲାଗିଲା । ଆଗରେ ଲୋକଭିଡ଼ । ବସ୍‌ଟା ବି ଆଗକୁ ମାଡ଼ୁନି । ଏପଟ ସେପଟ ବୁଲି ଚାହିଁଲା ବେଳକୁ, ଆଗରେ ଟ୍ରଲି ରିକ୍ସାରେ ମୁନ୍ଦୁରା ଗୁଡ଼ାହେଇ ଥୁଆ ହେଇଛି ଶବଟାଏ । ବାସି ହେଲାଣି ପ୍ରାୟ । ପ୍ରଚଣ୍ଡ ଗନ୍ଧ ବାହାରୁଛି । ଆପ୍ରାଣ ଚେଷ୍ଟା କରୁଛି କ୍ଲିନର ପିଲାଟି ଆଗରୁ ଲୋକଙ୍କୁ ପାଖେଇ ଦବାକୁ-

 

ସୋମପୁର ଯଦିଓ ସବୁବେଳେ ମୋ ପାଇଁ ଝରା ଅବିର ପରି ଲାଗେ, ସେଦିନ କେମିତି ବସ୍‌ଟି ସେ ଭିଡ଼ ଭିତରୁ ବାହାରିବ ବୋଲି ବିକଳ ହୋଇ ମୁଁ ଚାହୁଁଥିଲି । ସେଦିନ ମୋର ଧୈର୍ଯ୍ୟ ନଥିଲା ସୋମପୁର ବସ୍‌ଷ୍ଟାଣ୍ଡରେ ଅନ୍ତତଃ ମୋ ପ୍ରିୟ ଚରିତ୍ରଟି କଥା ମନେ ପକାଇବାକୁ । କୌଣସି ଉପାୟରେ ଭିଡ଼କାଟି ବସ୍‌ଟି ବାହାରିଗଲା ।

 

ସୋମପୁର ଷ୍ଟପେଜ୍‌ରୁ ଉଠି ପାଖରେ ଆସି ବସିଥିବା ମହିଳା ଜଣକ କହିଲେ ଶବଟି ପୋଷ୍ଟମର୍ଟମ ପାଇଁକି ଯାଉଛି କଟକ । ଝିଅଟିଏ ଆତ୍ମହତ୍ୟା କରିଛି । ବାହାଘର ଥିଲା ଦି’ ଦିନ । ବାପା ତା’ର ଓଡ଼ିଶା ବାହାରେ ଚାକିରି କରୁଥିଲେ । ଏକାବେଳେ ଦି ଭଉଣୀଙ୍କ ବାହାଘର ହୋଇଥାଆନ୍ତା । ଗାଁର ସବୁ ଜମି ବାଡ଼ି ବିକି ତା ସାଙ୍ଗରେ ରିଟାୟାର୍ଡ ପଇସା ମିଶାଇ ବୁଢ଼ା ଦେଇଥିଲା ପୁଅକୁ । ଭଉଣୀ ବାହାଘର ନ ହେଲେ ନିଜେ ବାହା ହେବନାହିଁ ବୋଲି ଜିଦ୍ ଧରିଥିଲା ବୁଢ଼ାର ପୁଅ । ହେଲେ ସବୁ ଭଉଣୀ ମିଶି ଭାଇକି ଆଗ ବାହାଘର କରେଇଥିଲେ ।

 

କିନ୍ତୁ ହଠାତ୍ ତାଙ୍କ ଘରେ କଳାକନା ବୁଲିଗଲା । ଚୋରି, ଡକାୟତିରେ । ମୁଁ ଏମିତି କିଛି ଭାବୁ ଭାବୁ ମହିଳା ଜଣକ କହିଲେ, ବାହାଘରର ଅଳ୍ପ ଦିନ ପରେ ଭାଇ ତା’ର ଘରୁ ଅଲଗା ହୋଇଗଲା । ବୋହୂ ସାଥିରେ ଯାଇ ରହିଲା କଟକରେ । ତାଙ୍କ ସାଙ୍ଗରେ ଚାଲିଗଲା ବୁଢ଼ାର ଗ୍ରାଚୁଇଟି, ଜମିବିକା ଟଙ୍କା ସବୁକିଛି । ଟଙ୍କା ଥିଲା ବୋହୂ ପାସ୍‍ବୁକ୍‌ରେ । ବାହାଘର ପାଇଁ ବୁଢ଼ା ଯାଇଥିଲା ଯେ, ବୋହୂ କହିଲା, ୟା’ଙ୍କ ଦରମାରୁ ଆପଣଙ୍କ ବଡ଼ ଝିଅର ବାହାଘର ହେଇଛି । ଅନେକଗୁଡ଼ାଏ ଟଙ୍କା ଖର୍ଚ୍ଚ ହୋଇଛି । ଝିଅମାନେ ପାଠ ପଢ଼ିଛନ୍ତି । ଚାକିରି କରି ବାହା ହୁଅନ୍ତୁ । ସବୁ ଶୁଣିଲା ପରେ ଝିଅଟା ଆତ୍ମହତ୍ୟା କରିଦେଇଛି ।

 

ଆଉ ଟିକେ ଆଗକୁ ଯାଇ, ‘‘ସେ ଝିଅଟା ଯେ ମାମୀ” ଏ କଥାନକହିବାକୁ ଭଦ୍ର ମହିଳାଙ୍କ ପାଟିରେ ହାତ ଦେଇଦେବାକୁ ଇଚ୍ଛା ହଉଥିଲା ମୋର । କୃଷ୍ଣଚୂଡ଼ାର ଗଛରୁ ଲାଲ ଲାଲ ଫୁଲ ଗୁଡ଼ାକ ଝଡ଼ି ହଠାତ୍ ଥୁଣ୍ଟା ହୋଇଗଲା । ଜୀବନରେ ସବୁ ସହିହୁଏ । କିନ୍ତୁ ସହି ହୁଏନା, ଯେତେବେଳେ କଳ୍ପିତ ସୁନ୍ଦର ମୀନାରଟା ଭାଙ୍ଗିପଡ଼େ । ତଥାପି ଯେତେବେଳେ ସେ ଝିଅଟା ମାମୀ ବୋଲି ସେ କହିଲେ, ମୋର ମନେ ହେଉଥିଲା ମାମୀ ନୁହେଁ, ଅଶୋକର ଶବଟା ମୋ ଆଗରେ ମୁନ୍ଦୁରା ଗୁଡ଼ା ହୋଇ ଥୁଆ ହୋଇଛି । .

☆☆☆

 

ଅମୃତର ଆତ୍ମହତ୍ୟା

 

ଆବଡ଼ା ଖାବଡ଼ା, ପାହାଡ଼ିଆ ରାସ୍ତାରେ ନାଚି ନାଚି ଜିପ୍‌ଟା ବ୍ରେକ୍ କଲା କଣ୍ଟିଲୋ ଗାଁର ଠିକ୍ ବାହାରେ । ସୋରିଷ ପକାଇବାକୁ ଜାଗା ନାହିଁ । ହଜାର ହଜାର ଲୋକଙ୍କ ଭିଡ଼ । ରାସ୍ତାରେ ମୁଣ୍ଡମାଳ । ଜିପ୍ ଆଉ ଆଗକୁ ଯିବନି ।

 

“ନ୍ୟାଷ୍ଟି ଲୋକଗୁଡ଼ାକ ଡିସିପ୍ଲିନ୍ କ’ଣ ଜାଣନ୍ତିନି....ରାସ୍ତା ଉପରେ ଭିଡ଼ ଜମାଇଛନ୍ତି ।” ବିରକ୍ତିରେ କହିଉଠିଲେ ସୁମିତ୍ରା । ସୁମିତ୍ରା ମୋର ସ୍ତ୍ରୀ ।

 

ଜିପ୍‌ରୁ ଓହ୍ଲାଇ ନଈବନ୍ଧ ପଟ ପତଳା ରାସ୍ତାରେ ଚାଲିବାକୁ ଲାଗିଲୁ । ସାଥିରେ ମୁନା । ଆମ ମିଳନର ସ୍ଵାକ୍ଷର । ଟିକିଏ ପଛରେ ଚାଲିଥାଏ ସାବିତ୍ରୀ, ଆମ ଘରର କାମତୁଣୀ ସ୍ତ୍ରୀଲୋକ । ସାଥରେ ତା’ର ସାନପୁଅ । ନୀଳମାଧବଙ୍କ ଦର୍ଶନ ପାଇଁ ମା’ଙ୍କ ପାଖରେ ବହୁ ଅନୁନୟ ବିନୟ କରି ଆସିଛି ସେ ।

 

ସୁମିତ୍ରା ଚାଲୁଥଲେ- ପବନରେ କସ୍‌ମେଟିକ୍‌ର ବାସ୍ନା ଉଡ଼ାଇ । ପଛରୁ ଦେଖିଲେ, ଚିକ୍ ଚିକ୍ ପିଠି ଆଉ ସରୁ ସେଇ ଅନ୍ତର୍ବାସ ଭିତର ଦେଇ ବ୍ରେସିୟାର୍‌ର ଟେପ୍‌ଟା ସୁସ୍ପଷ୍ଟ, ସତେ ଅବା ଏକ ଆଗ୍ନେୟଗିରିର ଦ୍ଵାର କିଏ ବନ୍ଦ କରି ଧରିଛି ।

 

ଆଉ ସାବିତ୍ରୀ, ପେଡ଼ିରେ ସାଇତା ତା’ର ବହୁ ଦିନର କୁଞ୍ଚୁକୁଞ୍ଚୁ ଲୁଗା ପିନ୍ଧି ଦେହଟାକୁ ଲୁଚେଇବାର ଚେଷ୍ଟାକରି ପବନ ସାଥିରେ ସଂଗ୍ରାମ କରି ହାରଜିତ୍‌ର ଖେଳ ଭିତରେ ଚାଲିଛି ସେ । ବ୍ଲାଉଜ୍‌ବିହୀନ ଦେହରେ ଲୁଗା ତା’ର ସର୍ବସ୍ୱ । ସେ ସବୁଦିନ ଏପରି ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହୁଏ । ମୁଁ ଯେତେବେଳେ ଅଫିସ୍‌ରୁ ଫେରେ, ସେ ସବୁଦିନେ ସେଇ ଚିରା ଲୁଗା ପିନ୍ଧି ବଗିଚାରେ ପାଣି ଦେଉଥାଏ ।

 

ଆଉ ମୋତେ ଦେଖି, ସେ ତା’ର ଅଙ୍ଗ ଅବୟବ ପ୍ରତି ସତର୍କ ହୋଇ ଉଠେ । କିନ୍ତୁ ସେ ହାରିଯାଏ । ମନ ଭିତରର ଆଦିମତାକୁ ସୌଜନ୍ୟ ଚାପି ଧରେ । ମୁଁ ମୁହଁ ବୁଲାଇ ଚାଲିଯାଏ । ସୁମିତ୍ରା ଅର୍ଦ୍ଧନଗ୍ନ, ସାବିତ୍ରୀ ଅର୍ଦ୍ଧନଗ୍ନ । ମୋ ଆଖି ଆଗରେ ଅନେକ ପ୍ରଶ୍ନବାଚୀ ???

 

ନୀଳମାଧବଙ୍କ ବେଢ଼ାରେ ସେଇ ହନୁମାନ ମନ୍ଦିର ପାଖରେ, ମୁଁ ଚାହିଁଥିଲି ମହାନଦୀର ପାଣି ଧାରକୁ । ଢେଉଢେଉକା ପାଣି ଧାର ଉପରେ ବିଂଚି ହୋଇ ପଡ଼ିଥାଏ ଅସ୍ତାୟୁ ସୂର୍ଯ୍ୟଙ୍କର ରକ୍ତରାଗ ।

 

ମନ୍ଦିର ବେଢ଼ାରେ ବୁଲୁଛନ୍ତି ସୁମିତ୍ରା, ଆଉ ସାବିତ୍ରୀ । ଦୁହିଁଙ୍କ ସାଥିରେ ନିଜ ନିଜର ସାନପୁଅ । ସେମାନେ ଚାଲି ଚାଲି ବହୁ ଦୂରକୁ ଚାଲିଗଲେଣି । ଓଠରେ ଖଣ୍ଡେ ସିଗାରେଟ୍ ଧରିଲି-। ସନ୍ଧ୍ୟା ଆଗତ । ଦୂର ପାହାଡ଼ ଧାରରୁ ଜହ୍ନ ଉଇଁ ଆସୁଛି । ପୁନେଇ ରାତିର ଜହ୍ନ । ରୂପାଥାଳି ପରି ଜହ୍ନ । ଏମିତି ହୁଏତ ସେଦିନ ଜହ୍ନ ଥିବ । ଯେଉଁଦିନ ପ୍ରେମବିଶ୍ଵାସର ପ୍ରତୀକ ଅପାପବିଦ୍ଧ ଶବର ବାଳିକା ଲଳିତା ଏଇ ପାହାଡ଼ ବୁକୁରେ ବିଦ୍ୟାପତି କୋଳରେ ମଥା ରଖି ଚାହିଁଥିବ ମହାନଦୀ ଆଡ଼େ ଆଉ ପ୍ରତାରକ ସମାଜପତି ବିଦ୍ୟାପତି.... ?

 

ଉପରୁ ମୁଁ ଦେଖୁଥିଲି, ପାହାଡ଼ ଦେଇ ଘାଟ ଆଡ଼କୁ ଓହ୍ଲାଇ ଯାଉଛନ୍ତି ସୁମିତ୍ରା ଆଉ ସାବିତ୍ରୀ । ଜଣକୁ ପ୍ରାଚୁର୍ଯ୍ୟ ଖିଆଲୀ କରିଛି, ଆଉ ଅନ୍ୟ ଜଣଙ୍କର ତଣ୍ଟି ଚିପି ଧରିଛି ଅର୍ଥ । ମୁଁ ଜାଣେନା ତା ମୁକ୍ତିର ସଜ୍ଞା କ’ଣ ? ତା’ ପ୍ରଗତିର ସୀମାରେଖା କେଉଁଠି ? ?

 

ବାଟରେ ଦେଖି ଆସିଲି ଜଳାଭାବରୁ ଧାନଗଛଗୁଡ଼ାକ ଶୁଖି ମରିବାକୁ ଲାଗିଲେଣି । ଦୁର୍ଭିକ୍ଷର କରାଳ ଛାୟା । ହସ ଲାଗିଲା ମୋତେ । ବଗିଚାର କ୍ରୋଟନ୍ ଗଛ ଗୁଡ଼ାକ ଝାଉଁଳି ପଡ଼ୁଛି ବୋଲି ସୁମିତ୍ରା ବ୍ୟସ୍ତ ।

 

ସ୍ଵପ୍ନ ଦେଖି ପାରେନା ମୁଁ । ବାସ୍ତବତା ମୋତେ ବାଘ ପରି ଆକ୍ରମଣ କରେ । ଅଫିସ୍ ସାମନାରେ ସେଦିନ ଟଳି ପଡ଼ିଥିବା ଅସ୍ଥି କଙ୍କାଳସାର ଶିଶୁ, ହୋଟେଲ ସାମନାରେ ପେଜ ପାଇଁ ମଳିଆ ନୁଖୁରା ମଣିଷର ଧାଡ଼ି ମୋତେ ବିବ୍ରତ କରେ । କିନ୍ତୁ ମୁଁ ମଣିଷ ନୁହେଁ, ମେସିନ୍ । ହସିବାକୁ ଚାହିଁ ବି ହସିପାରେନା । କାରଣ; ସୁମିତ୍ରା ହସିଲେ ମୁଁ ହସିବି । ନ ହେଲେ ସମୁଦ୍ର ମନ୍ଥନର ବିଷ ମୋତେ ଭୋଗିବାକୁ ହିଁ ପଡ଼ିବ । ଅଫିସରେ କିଛି କହି ପାରିବିନି । କାରଣ ମୁଁ ସରକାରଙ୍କ ଦାୟିତ୍ୱସମ୍ପନ୍ନ କର୍ମଚାରୀ । ମୋ ବ୍ୟକ୍ତିତ୍ୱ ହାତରେ ବେଡ଼ି । ମୋର ସ୍ଵାଧୀନତା ନାହିଁ । ମୁଁ ଅନ୍ନଦାସ । କେବଳ ଉପରିସ୍ଥ କର୍ମକର୍ତ୍ତା ହସିଲେ ମୁଁ ହସିବି । ମନ୍ତ୍ରୀ ହସିଲେ ମୁଁ ହସିବି । ମୁଁ ଶିକ୍ଷିତ, ସଚେତନ ବୋଲି ମୁଁ ଦାବି କଲେ ବି...ସେରମାନଙ୍କ ଆଗରେ ମୁଁ ଗୋଟାଏ କାଠ କଣ୍ଢେଇ-

 

‘‘ଆଃ–ନେଲ ଏ ପିଲାଟାକୁ ବୁଝାଇଲ । ଟିକେ ଶାନ୍ତିରେ ବୁଲାଇ ଦେଉନି ।’’ ସ୍ୱପ୍ନ ଭାଙ୍ଗିଲା ଭଳି ମୁଁ ଚାହିଁଲି ସୁମିତ୍ରାଙ୍କୁ । ହାତରେ ଲଡ଼ୁଟିଏ ଧରି ବୁଝାଇବାକୁ ଚେଷ୍ଟା କରୁଛି- ଦୁଇ ବର୍ଷରୁ ଟିକିଏ କମ୍ ହେବ ମୁନାକୁ । ସେ ମାଆ ଛାତିରୁ କ୍ଷୀର ଖାଇବ ବୋଲି ଅଡ଼ି ବସିଛି । କାନ୍ଦୁଛି, ସୁମିତ୍ରା ଲଡ଼ୁ ଧରାଇ ଭୁଲାଇବାକୁ ଚେଷ୍ଟା କରୁଛନ୍ତି । ମୁଁ ବା କ’ଣ ଦେଇ ବୁଝାଇ ପାରିବି ତାକୁ ? କହୁଛି, ଭଗିଆ ତା ମା’ ଛାତିରୁ କ୍ଷୀର ପିଉଛି, ମୁଁ ପିଇବି ।

 

ଆକାଶର ଜହ୍ନମାମୁଁ, ପାଣି ଭିତରେ ଖେଳୁଥିବା ଜହ୍ନମାମୁଁ ସବୁ ହାର ମାନିଗଲେ ଗୋଟିଏ ଜିଦ୍ । ଭଗିଆ କ୍ଷୀର ଖାଉଛି ମୁଁ ବି କ୍ଷୀର ଖାଇବି ।

 

ବାହ୍ୟ ଆବରଣକୁ ଦୂରେଇ ଦେଲେ ସବୁ ମଣିଷ ଏକ । ଏକ ପ୍ରବୃତ୍ତି ସମସ୍ତଙ୍କୁ ବାନ୍ଧି ରଖିଛି । ବଞ୍ଚିବାର ପରିବେଶ ନେଇ ତା’ର ପରିପ୍ରକାଶ ଭିନ୍ନ ।

 

ସିଦ୍ଧାନ୍ତ ହେଲା- ଫେରିଯିବା । ସାବିତ୍ରୀଟା ଗଲା କୁଆଡ଼େ ? ଏମାନଙ୍କୁ ସାଙ୍ଗରେ ଆଣିଲେ ଏଇ ଅସୁବିଧା । ବିରକ୍ତ ହୋଇ ଉଠିଲେ ସୁମିତ୍ରା । ସାବିତ୍ରୀଙ୍କୁ ଖୋଜିବାକୁ ଗଲି ମୁଁ ।

 

ଛୋଟ ପୁଅ ତା’ର ଖୁବ୍‌ ଜୋର୍‌ରେ କାନ୍ଦୁଛି । ଟିକିଏ ଆଢ଼ୁଆଳିଆ ଜାଗା ଦେଖି ସାବିତ୍ରୀ ତାକୁ ଛାତି ଉପରେ ଜାକି ଧରି କ୍ଷୀର ଦେଇ ବୋଧ ଦେବାରେ ବ୍ୟସ୍ତ । ଛାତିରେ ମୁହଁ ଘଷି ନାଇଁ -ନାଇଁ କହି ପିଲାଟି କାନ୍ଦିବାରେ ଲାଗିଛି ।

 

ମୋତେ ଦେଖି ଚମକି ପଡ଼ିଲା ପରି ଲୁଗାଟାକୁ ଜୋରରେ ବେଢ଼େଇ ହୋଇ ପଡ଼ି ଠିଆ ହୋଇ ପଡ଼ିଲା ସେ ।

 

‘‘କ’ଣ ହେଇଛି ? କାହିଁକି କାନ୍ଦୁଛି ୟେ ?”

 

ଅନେକ ସମୟ ନୀରବତା ପରେ କହିଲା–‘‘ଲଡ଼ୁ ପାଇଁ କାନ୍ଦୁଛି ।”

 

ମୁଁ ଦେଖୁଥିଲି ମୁନା ଆଉ ଭଗିଆ, ଭଗିଆ ଆଉ ମୁନା । ଗୋଟିଏ ଦିଗରେ ପ୍ରକୃତି.....ଅପର ଦିଗରେ ପ୍ରାଚୁର୍ଯ୍ୟ । ସୁମିତ୍ରାର ଛାତି ଭିତରେ ଅମୃତର ପକ୍ଷୀଟିଏ ଆତ୍ମହତ୍ୟା କରୁଛି । ଦେଖି ପାରୁନଥିଲି ସେ ଦୃଶ୍ୟକୁ ।

 

ହଠାତ୍ ମୋର ମନେ ହେଲା, ପୃଥିବୀର ଘୂର୍ଣ୍ଣନ ଯେପରି ବଢ଼ି ଯାଉଛି । ଆମେ ସମସ୍ତେ ଯେପରି ଭାରସାମ୍ୟ ହରାଇ ବସିଛୁ । ଆଉ ତା’ରି ସହ ତାଳଦେଇ ଭଗିଆ ଯେପରି ବଡ଼ ବଡ଼ ଇଟା ଖଣ୍ଡ ଧରି ଦୌଡ଼ୁଛି । ଆଗାମୀ ସକାଳର ରକ୍ତିମ ସୂର୍ଯ୍ୟ ତା’ର ଲକ୍ଷ୍ୟ ।

☆☆☆

 

ସମୁଦ୍ରରୁ ପାହାଡ଼କୁ ବହୁଥିବା ନଦୀ

 

ଅନେକ ସମୟରେ ମଣିଷ ଯାହା ଚାହିଁଥାଏ ତା’ ଗୋଟିକ ପରେ ଗୋଟିଏ ଘଟି ଯାଉଥାଏ ଅବା ମିଳିଯାଉଥାଏ । ହେଲେ, ବେଳେ ବେଳେ ସବୁ ଆଶାକୁ ବାଧା ଦେଇ ଏମିତି ଗୋଟିଏ ଗୋଟିଏ ଘଟଣା ଘଟେ ଯେତେବେଳେ ମଣିଷକୁ ଆକାଶରୁ ଖସି ପଡ଼ିଲା ପରି ଲାଗେ । ଏତେବେଳଯାଏ ସବୁଜ ଦେଖାଯାଉଥିବା ପତରର ରଙ୍ଗଗୁଡ଼ାକ ହଳଦିଆ ହୋଇ ଉଠେ ।

 

ସେତେବେଳେ ସନିଆ ବର୍ଷ, ମାସ, ତାରିଖ ମନେରଖୁ ନଥିଲା । କାରଣ ସେତେବେଳେ ତାକୁ କେହି ଆଜିପରି ସନାତନ ଏପରିକି କେହି ସନାତନ ବାବୁ ବେଲି ଡାକୁ ନଥିଲେ । ମାଟି ସାଥିରେ ମିଶି ସିଏ ମାଟି ହଉଥିଲା । ସକାଳ ପାହିଲେ ହଳଧରି ବିଲକୁ ବାହାରି ପଡ଼ୁଥିଲା, ଘୋର ବରଷାରେ ପଖିଆତଳେ ବିଲରେ ଆଣ୍ଠେଇ ପଡ଼ୁଥିଲା । ସଞ୍ଜ ହେଲେ ରାଧାମୋହନ ବେଢ଼ା ଅଁଳା ଗଛ ତଳେ ଚଉରାରେ ଖଞ୍ଜଣି ଧରି ବସି ଯାଉଥିଲା ।

 

ବେଳେ ବେଳେ ସଂଜରେ କାହା ଦାଣ୍ଡରେ ରେଡ଼ିଓଟାଏ ବାଜିଲେ ସନିଆ ଘଡ଼ିଏ ପହରେ ଠିଆ ହୋଇ ଶୁଣେ । କେତେବେଳେ ଅବା କାହା ପକ୍‌କା ପିଣ୍ଡାଟାକୁ ଝାଡ଼ିଦେଇ ବସିପଡ଼େ । ଶୁଣେ ଦିଲ୍ଲୀ କଥା । ଭୁବନେଶ୍ୱରର କଥା । ଭାବେ ସେଇମାନଙ୍କ କଥା, ଯେଉଁମାନେ ଦେଶକୁ ଚଳାନ୍ତି । ଲଙ୍ଗଳକଣ୍ଟି ତା ହାତ ମୁଠାରେ ଥିବା ପରି ଦେଶଟା ତାଙ୍କ ହାତରେ ଥାଏ । ସନିଆ ବି ଦେଖିଛି, ତା ଗାଁରୁ ବହୁ ଲୋକ ବାବୁ ହେଇ ଯାଇଛନ୍ତି । ଚାଳଘରଟାକୁ ଭାଙ୍ଗି ଗୋଟାଏ ନହସରେ ପକ୍‌କା ଘରଟାଏ କରି ଦେଇଛନ୍ତି । ହେଲେ ଆଉ ଫେରି ନାହାନ୍ତି ସେଇ ଗାଁକୁ । ଭୁଲି ଯାଇଛନ୍ତି ତାଙ୍କରି ପାଣି କାଦୁଅ ଚକଟା ରାସ୍ତାକୁ କିମ୍ବା ସେମାନଙ୍କ ପାଇଁ ଯେଉଁମାନେ ତୁଳସୀ ଚଉରାରେ ନିତି ନିତି ପାଣି ଢାଳନ୍ତି ସେମାନଙ୍କୁ ।

 

ସନିଆ ପିଲାବେଳଠୁ ବାପ-ମା’ ଛେଉଣ୍ଡ । ନିଜର ବୋଲି ଜମି ଦି’ ମାଣ, ଘର ବୋଲି ଝାଟିମାଟିର କାନ୍ଥ ଉପରେ ଚାଳ ଖଣ୍ଡେ । ହେଲେ, ସନିଆ ବୋଲି ଲୋକଟା ନିଜ ଜାଣତରେ ହେଉ କି ଅଜାଣତରେ ହେଉ ସ୍ୱପ୍ନ ଦେଖିପାରେ । ସେଇ ଯୋଗୁ ପ୍ରାୟ ତା’ ଆଖିରେ ଲୁହ କେହି ଦେଖିନାହିଁ । ଏପରିକି ନିଜ କାମ ବାଦ୍ କେହି କେବେ ଡାକିଛି ତ ଡାକ୍ତରଖାନାକୁ କି କୋଉ ଦୂରବାଟ ବନ୍ଧୁଘରକୁ ଯିବାକୁ ତେବେ ସାଇକେଲଟା ବାହାର କରି ବୁସେଫାଲସ୍ ଘୋଡ଼ା ପରି ତା ସିଟ୍‌ଟାକୁ ଥାପୁଡ଼େଇ ଦେଇ ସନିଆ ବାହାରିପଡ଼ିଛି । ଗାଁ ଡ୍ରାମାରେ ଅନେକଥର ବାହାରିବ ବାହାରିବ ବୋଲି ନ ବାହାରି ପାରିଥିଲେ ବି ରାତି ରାତି ଅନିଦ୍ରା ହୋଇ ସିନ୍ ଟାଣିଛି ତ କେତେବେଳେ ଗ୍ରୀନ୍‌ରୁମ୍‌କୁ କାହାରିକି ନ ଛାଡ଼ିବାକୁ ବାଡ଼ି ଧରି ଓଗାଳି ଠିଆ ହୋଇଛି ।

 

ସନିଆ ଏ ଯାଏ ପ୍ରାୟ ଯାହା ଖୋଜୁଥିଲା ତା ପାଉଥିଲା । ମନେ ପଡ଼ୁଥିଲା ତା’ର । ସୁନା ବୋଲି ଝିଅଟିଏ । ସତରେ ତାକୁ ସୁନା କହିଲେ ବି ଚଳିବ । ଦେହର ରଙ୍ଗଟା ନଡ଼ିଆ ଫୁଲର ରଙ୍ଗପରି । ସୁନା ଯୋଉଦିନ ତା ଘରକୁ ବୋହୂ ହୋଇ ଆସିଲା ସେଦିନ ସିଏ ପ୍ରାୟ ତାର ବାପା, ବୋଉ, ଭାଇ, ବନ୍ଧୁ, ସବୁକିଛି ହୋଇଗଲା । କେତେବେଳେ ବେଶୀ ରାତିଯାଏ ଗାଁ ମଣ୍ଡପରେ ନବସିବାକୁ କାନ ଧରି ଶାସନ କଲା ତ କେତେବେଳେ କୁନି ଡରକୁଳୀ ଝିଅଟେ ପରି ତା କୋଳରେ ଘୁମେଇ ପଡ଼ିଲା । କୋଉଦିନ କିଛି ଆଣିବାକୁ କହେନି ତାକୁ । ହେଲେ ସନିଆକୁ ଲାଗେ, ସୁନା ତାକୁ ଅନେକଗୁଡ଼ାଏ କ’ଣ ଦଉଛି, ତା କ’ଣ ବୋଲି ସେ ଜାଣି ପାରୁନି । ହେଲେ ପାଇବାର ଆନନ୍ଦରେ ମନଟା ସବୁବେଳେ ପୂରି ଯାଉଛି । ବେଳେବେଳେ ରାତିରେ କନ୍ଥା ଉପରେ ଶୋଇ ଫୁଟା ଚାଳଟାକୁ ଦେଖୁ ଦେଖୁ ସନିଆର ମନ ଶୁଖିଯାଏ । ଜାଣିଲା ପରି ସୁନା ହସିଦେଇ କହେ, “ପିଲାଦିନେ କୁଆଁରପୁନେଇଁ ଖେଳ ଖେଳିଲା ବେଳେ ମୁଁ ଜହ୍ନକୁ ଭାରି ଭଲପାଏ । ତେଣୁ ସିଏ ଆମ ଘରଭିତରକୁ ପଶିଆସୁଛି ।” ପୁଣି କେତେବେଳେ ଟୋପା ଟୋପା ବର୍ଷାପାଣି ଘରେ ପଡ଼ିଲେ ସେ ପାଖକୁ ଲାଗିଆସି କହେ, “ପାଖକୁ ଲାଗି ଲାଗି ହୋଇ ବସିବାକୁ ଏ ବର୍ଷା ଆମକୁ ବାଧ୍ୟ କରୁଛି ।” ହସର ସଂସାର ଭିତରକୁ କାନ୍ଦ ପଶିପାରେନା । ରାତି ପାହି ପୁଣି ସକାଳ ହୁଏ । ସେମାନେ ପୁଣି ଆଗକୁ ପାହୁଣ୍ଡ ପକେଇ ଚାଲନ୍ତି ।

 

ସୁନା ବି ପୁଣି ଝାଳ ପାଣି ହୋଇ ବିଲରେ ଖଟେ । ଥଣ୍ଡା ଶୀତୁଆ ପବନ ଭିତରେ ପାହିକି ପାହି ଧାନଗଛ ଗୁଡ଼ାକ କାଟି ପକେଇଲା ବେଳେ ସନିଆ ଦେଖେ । ସାଙ୍ଗ ହେଇ ବିଲ ମୁଣ୍ଡରେ ନଡ଼ା ଜାଳି ନାଲି ଚା’ ତିଆରି କରନ୍ତି । ପୁଣି କାମରେ ଲାଗନ୍ତି । ପୁଣି ନୂଆ କରି ଦେଖିଲା ପରି ପରସ୍ପରକୁ ଦେଖନ୍ତି । ଧାନ ବୋଝ ମୁଣ୍ଡେଇ ତା’ ଦେହ ଆଉ ବସନ ସାଥିରେ ତାଳ ଦେଇ ଦୋହଲି ସାଇଁ ସାଇଁ ଶବ୍ଦ ସୃଷ୍ଟି କରୁଥିବା ଧାନ କେଣ୍ଡାଗୁଡ଼ାକୁ ଦେଖେ । ମୁହଁ ଉପରକୁ କେଣ୍ଡାକୁ କେଣ୍ଡା ଧାନ ଗଛଗୁଡ଼ାକ ଓହଳି ପଡ଼ିଥିଲେ ବି ସୁନା ହସିଦିଏ । ସେ ହସଗୁଡ଼ାକ ସୁନେଲି ଧାନ କେଣ୍ଡା ସାଥିରେ ମିଶିଯାଇ ଗୋଟିଏ ନ ଭୁଲିଯିବାର ରଙ୍ଗ ସୃଷ୍ଟି କରେ ।

 

ସବୁ ନାରୀ ପୁରୁଷ ଯାହା ଆଶା କରନ୍ତି ସେମାନେ ସେଇଆ ଆଶା କରିଥିଲେ । ପୁଅଟିଏ ହବ, ବିଲ ମୁଣ୍ଡରେ ବସି ହଳ କରିବ ନାହିଁ, ବାବୁ ହବ । ସହରରେ ବସି କଲମ ଚଷିବ । ନିଜକୁ ନିଜେ ନ ଚିହ୍ନିପାରୁଥିବା ସନିଆ ଆଉ ସୁନା ଭାବନ୍ତି ସୁନାନାକୀ ବୋହୂଟିଏ ଆସିବ । ଘର ଉପରୁ ଚାଳ ଯାଇ ପକ୍‌କା ଛାତ ଖଣ୍ଡେ ପଡ଼ିବ ।

 

ଆଗରୁ କିଏ ଲେଖି ରଖିଲା ପରି ସବୁ ପ୍ରାୟ ଠିକ୍‍ଠାକ୍ ଘଟିଗଲା । ଦୁଇ ପୁଅ ପାଠ ପଢ଼ିବାକୁ ଚାଲିଗଲେ । ଦିନର ଖରା ଭିତରେ ସୁନା ଆଉ ସନିଆ ଦ୍ୱିଗୁଣ ଊତ୍ସାହରେ ଆଉଟି ହୋଇଗଲେ । ପାଠ ପଢ଼ିବାକୁ ପିଲାଙ୍କ ପାଖକୁ ଟଙ୍କା ପଠାଇଲେ । ରାତିରେ ଚାଳ କଣା ଦେଇ ପଡ଼ୁଥିବା ଜହ୍ନ ଧାରାକୁ ଦେଖିକି ବରଷା ରାତିରେ ପାଖକୁ ଲାଗିଆସି ପୁଣି ସପନ ଦେଖିଲେ । ଦି ପୁଅଙ୍କର ଚାକିରି ହେଲା ପରେ ବାହାଘର ହୋଇଗଲା । କୋଳକୁ ପିଲା ଆସିଲେ । ଏବେ ପିଲାପିଲି ଧରି ଗାଁକୁ ଆସିଛନ୍ତି ।

 

ପୁପୁ ଆଉ ମମି କଳି ଲଗେଇଛନ୍ତି । ତିନିଦିନ ହେଲା ଏଠି ନାଟ ଲଗେଇଥିବା ଭାଇ, ଭଉଣୀ କଳି ଲଗାଇଛନ୍ତି । ଆସିଲା ଦିନ ଅଳକା ନଦୀ ସେପଟରେ ବାଲିଯାତ୍ରା ପଡ଼ିଆକୁ ଯାତ୍ରା ଦେଖେଇନେବାକୁ ନେଇ ଯାଇଥିଲେ ଦି’ ପିଲାଙ୍କୁ । ସେଠୁ ମାଟିର ଯୋଡ଼ିଏ କଣ୍ଢେଇ ଆଣି ନଡ଼ିଆ ସଡ଼େଇରେ ଭାତ ଡାଲି ପୁରି କ୍ଷୀରୀ କରି ସାଇ ପିଲାଙ୍କ ସାଙ୍ଗରେ ମିଶି ବାହାଘର କରିଛନ୍ତି ତାକୁ । ପୁରୁଣା କନା କେତେଖଣ୍ଡିକୁ କାଟି, ପଞ୍ଜାବୀ ତିଆରି କରିଛନ୍ତି । ପିଢ଼ାଟା ଉପରେ କତାବାନ୍ଧି ପାଲିଙ୍କି ତିଆରି କରିଛନ୍ତି । ଝୁଲି ପଡ଼ିଥିବା ଗଙ୍ଗଶିଉଳି ଫୁଲରେ ହାର ତିଆରି କରି ବେକରେ ଦେଇଛନ୍ତି । ଖାଲି ଅମୁଲ୍‌ ଟିଣକୁ ବାଜା କରି ବଜେଇଛନ୍ତି । ନଡ଼ିଆ ପତ୍ରରେ ପେଁକାଳି କରି ଫୁଙ୍କିଛନ୍ତି ।

 

ସବୁଜିନିଷ ତରବର କରି ଭାଙ୍ଗି ରଖୁଥିଲା ସନାତନ । ସୁନା ଠିଆ ହୋଇ ଚାହିଁଥିଲା ଦାଣ୍ଡର ତୁଳସୀ ଚଉରାକୁ, ଯୋଉଠି ସକାଳୁ ଉଠି ସେ ପ୍ରଥମେ ଦଣ୍ଡବତ କରେ । ଗାଧୋଇ ସାରି ବେକରେ ଲୁଗା ଗୁଡ଼େଇ ପାଣି ଢାଳେ । କାର୍ତ୍ତିକ ମାସରେ ଭୋରୁ ଭୋରୁ ଉଠି ନାଲି ନୀଳ ମୁରୁଜରେ ତିନି ଠାକୁରଙ୍କୁ ଆଙ୍କେ ।

 

ପିଣ୍ଡା ତଳକୁ ବସିଛି ମନୁଆଁ ନାହାକ । ପିଲାଦିନୁ ସନିଆ ସଙ୍ଗରେ ତାର ସାଙ୍ଗ । ସାଙ୍ଗ ହେଲେ ଦୁଃଖ ସୁଖ ହୁଅନ୍ତି । ମନକଥା କହନ୍ତି । ଜମି ଭାଗ ଦିଆ ହବ । ଘର ତାଲା ପଡ଼ି କଞ୍ଚିଟା ତା ପାଖରେ ରହିବ । ନଡ଼ିଆଗଛ କେତେଟା ତା ହେପାଜତରେ ରହିବ । ନିଜ ହାତରେ ପକେଇଥିବା ନଡ଼ିଆ ଗଛରେ ନଡ଼ିଆ ଫଳିଲାଣି ।

 

ସୁନାକୁ ଏତେବେଳଯାଏ ଦେଖୁଥିଲା ସନିଆ, ମୁଣ୍ଡ ଉପରେ ଗୋଟାଏ ବାଳ ପାଚିଯାଇ ତାକୁ ଯେ ଅସୁନ୍ଦର କରିଚି ତା ନୁହେଁ । ବରଂ ରୂପେଲି ରେଖା କେଇଟି ଆଙ୍କି ଦେଇ ଗୋଟେ ମାମଲତକାରିଆଣୀ ଚେହେରାରେ ପରିଣତ କରିଛି । ସନିଆ ଦେଖୁଥିଲା ସୁନା ଚାହିଁଛି ଦାଣ୍ଡକୁ, ବାଡ଼ିକି, ଆକାଶକୁ । ତାକୁ ବିଦାୟ ଦେବାକୁ ଆସିଥିବା ସାଇ ପଡ଼ିଶା ଲୋକଙ୍କୁ । ଲୁହକୁ ସିନା ସନିଆ ନିଗିଡ଼ି ଆସିବା ଆଗରୁ ଢୋକି ଦଉଥିଲା ହେଲେ ସୁନା ପ୍ରାୟ ପାରୁ ନଥିଲା ।

 

ଏ ଯାଏ ପ୍ରାୟ ସବୁ ଗୋଟିକ ପରେ ଗୋଟିଏ ଘଟିଛି । ଦି' ପୁଅ ପାଠ ପଢ଼ିଛନ୍ତି । କଟକ, ଭୁବନେଶ୍ୱରରେ ହାକିମ ହେଇଛନ୍ତି । ସୁନାନାକୀ ବୋହୂ ବାହା ହେଇଛନ୍ତି । ଶୁଣିଛି ତା’ର ଆଉ ସୁନାର ବଡ଼ ଫଟଟାଏ ଦାଣ୍ଡ ଘରେ ମାରି ପ୍ରତିଦିନ ଫୁଲ ଆଉ ଧୂପ ଦଉଛନ୍ତି । ସାଙ୍ଗସାଥୀଙ୍କ ଆଗରେ ତାର ଜମିଦାରି ଥିଲା ବୋଲି ଗପୁଛନ୍ତି ।

 

ସନିଆ ସିନା ପିଲାଦିନେ ଡ୍ରାମା କରିବ କରିବ ବୋଲି କରି ନପାରି ସିନ୍ ଟାଣୁଥିଲା, ହେଲେ ଯେଉଁଦିନ ଗୁଡ଼ାଏ ଆଲୁଅ ସାମନାରେ କୁଞ୍ଚିକରା ଧୋତି ପିନ୍ଧେଇ, କାମକରା ପଞ୍ଜାବୀଟାଏ ପିନ୍ଧେଇ ହାତରେ ବାଡ଼ିଟିଏ ଧରେଇ ଦେଇ, ସୁନାକୁ ସମ୍ବଲପୁରୀ ବଡ଼ କୁମ୍ଭପକା ଶାଢ଼ିଟାଏ ପିନ୍ଧେଇ ବୋହୂ ବାହାବେଳର ବଡ଼ ହାରଟାକୁ ତା’ ବେକରେ ପକେଇ, ଫଟଟାଏ ଛାପିନେଲେ । ତାର ଇଚ୍ଛା ହଉଥିଲା ଏଇ ଛଳନା ଭିତରେ ସେଇ ଧାନବିଲକୁ ପଳେଇ ଯିବାକୁ । ମଗୁଶୁର ମାସର ଧାନ କିଆରିର ବାସ୍ନା ଆଉ ଅଧା ଝାପ୍‌ସା କୁହୁଡ଼ି ଭିତରେ ହଜିଯିବାକୁ । ଇଚ୍ଛା ହେଉଥିଲା ପୁଅ ବୋହୂକୁ କହି ଦିଅନ୍ତା । ଆଜି ନୁହେଁ କାଲି ଯିବା । ଆଉ ରାତିରେ ସୁନାକୁ ଧରି ପୁଣି କୁଆଡ଼େ ଫେରାର ହେଇ ଯାଆନ୍ତା । କେତେ ଭୋଜି ଭାତରେ ଖାଉଛି ସେ । ବଡ଼ ବଡ଼ ମାଛ ମୁଣ୍ଡା, ରାବିଡ଼ି ଦିଆ କ୍ଷୀରୀ । ହେଲେ ପଖାଳ କଂସା ବାଢ଼ିଦେଇ ଆଣ୍ଠୁମାଡ଼ି ପାଖରେ ସୁନା ବସିଗଲେ, ସେ ପଖାଳରେ କି ସୁଆଦ ମିଶେ କେଜାଣି, ତା ସେଇ ଭୋଜିଠାରୁ ଆହୁରି ଭଲଲାଗେ-। ଅଧାଖିଆ ଭିତରେ ସୁନାର ହାତକୁ ମାଡ଼ିଦିଏ ସେଇ କଂସା ଭିତରେ । ଗୁଣ୍ଡାଏ ପାଟିକି ନେବାକୁ କହେ । ପାପ ହବ ବୋଲି କହି ଘୁଞ୍ଚି ଆସେ ସୁନା । ହସରେ ଫାଟିଯାଏ ଘର ।

 

ହେଲେ ଆଜି ସେମାନେ ବାଣ୍ଟି ହୋଇଯିବେ । ପୁଅ ବୋହୂ ଚିଠି ଲେଖି ଲେଖି ଆଜି ଜିତିଯାଇଛନ୍ତି । ଆଜିକାଲି ଗାଁରେ ଜମି ରଖି ଲାଭ ନାହିଁ । ଆସ୍ତେ ଆସ୍ତେ ବିକ୍ରି ହବ । ପୁଣି ଗାଁରେ ସେମାନେ ରହିଲେ ଖର୍ଚ୍ଚ ଅଛି । ତେଣୁ ସେମାନେ ସହର ଚାଲିଯିବେ । କାଇଁ ଏତେ ଆଲୋଚନା ବିଚାର ତ କରିନଥିଲେ ସେମାନେ । ଚାଳର କଣା ଦେଇ ଖରା ଟିକେ ପଡ଼ିଲେ, କି ରାତିରେ ଆକାଶ ଦେଖାଗଲେ ସେମାନେ ମୁହଁ ଶୁଖାଇ ନାହାନ୍ତି ବରଂ ସ୍ୱପ୍ନ ଦେଖିଛନ୍ତି । ଲୁଚେଇ ଲୁଚେଇ ଆଲୋଚନା ହେଲେ ବି ସେମାନେ ପୁଅ ବୋହୂମାନଙ୍କର ଆଲୋଚନା ଶୁଣିଛନ୍ତି । ବାପା ବୋଉଙ୍କ ପାଇଁ ଦୁଇ ପୁଅ ଅଧା ଅଧା ଖର୍ଚ୍ଚ କରିବେ । ଜଣକ ପାଖରେ ରହିଲେ ଆଉଜଣେ କିଛି ଖର୍ଚ୍ଚ ପଠେଇବ । ଏମିତି ଲୁଚେଇ ଲୁଚେଇ ଆଲୋଚନା ପରେ ଅନେକ ହିସାବ କିତାବ ହେଇ ସ୍ଥିର ହେଲା ବାପା ଜଣଙ୍କ ପାଖରେ ରହିବେ, ବୋଉ ଆର ଜଣଙ୍କ ପାଖରେ । ଭୋଟ ସମାନ ସମାନ ହେଲାବେଳେ ପ୍ରେସିଡେଣ୍ଟ କାଷ୍ଟିଂ ଭୋଟ ଦେଲା ପରି ସାନବୋହୂ ଯେତେବେଳେ କହିଥିଲା ଉଭୟଙ୍କ ପାଖରେ ଜଣେ ଜଣେ ରହିଲେ ସାନ ପିଲାଙ୍କୁ ଚଳାଇବାରେ ସୁବିଧା ହେବ, ସେତେବେଳେ ହିସାବଟା ଠିକ୍ କରି ଛିଣ୍ଡିଯାଇଥିଲା । ଉଭୟ କିନ୍ତୁ ଲୋକଦେଖାଣିଆ ଚିତ୍କାର କରି କହିଲେ, ‘‘ବାପା, ବୋଉ ଉଭୟଙ୍କୁ ପାଖରେ ରଖିବେ ବୋଲି ।” ଏମିତି ହିସାବ କିତାବ ଛଳନା କିନ୍ତୁ ସନିଆକୁ କେମିତି କେମିତି ବୋଧ ଦେଉଥିଲା ।

 

ଏଇଥର ପ୍ରାୟେ ଆଶା କରି ନ ଥିବା ଭଳି ଘଟଣାଟି ଘଟିଗଲା ।

 

ପିଲାଦିନେ ତାର ମନେ ଅଛି ପାଖ ପଡ଼ିଶାରେ ଯଦୁ ଅଜାଙ୍କ ଘରେ ଗୋଟାଏ ବାଣ୍ଟକୁଣ୍ଟ ହେଇଥିଲା । ବଡ଼ପୁଅ ତାଙ୍କର ଭଲ ଚଳେନି । ସାନପୁଅ ଚାକିରିଟିଏ କରି କିଛି ପଇସା କରିଛି । ଘର ବାଣ୍ଟ ହେଲା । ବାଣ୍ଟି ହୋଇଗଲେ ବୁଢ଼ାବୁଢ଼ୀ । ଘର ମଝିରେ ପାଚେରି ପଡ଼ିଲା । ସେ ପ୍ରାୟ ସେଦିନକୁ ଭୁଲିନି, କାଲି ପରି ମନେ ରଖିଚି । ଯୋଉଦିନ ସାନପୁଅ ପାଖରେ ଥିବା ଯଦୁଅଜା ଭାତ ଥାଳି ପାଖରୁ ଲୁଚେଇ ମାଛ ଖଣ୍ଡେ ତାକୁ ଦେଇ ଆର ପାଖରେ ଲୁଣ ମଡ଼େଇ ପଖାଳ ଖାଉଥିବା ବୁଢ଼ୀ କଂସା ପାଖରେ ଥୋଇ ଆସିବାକୁ କହିଥିଲେ ।

 

ସନିଆ ଭାବିଥିଲା ପିଲା ପାଠ ପଢ଼ି ଚାକିରି କଲେ, ସେ ଆଉ ବିଲକୁ ଯିବନି । ଚାଳ-କଣା ଘରେ ନୁହେଁ, ସିମେଣ୍ଟର ବେଶ ସୁରକ୍ଷିତ ଛାତ ଘରଟିରେ ଘୁମେଇ ପଡ଼ି, ସେଇ ଛାଇଛାଇକା ନିଦ ଭିତରେ ସୁନା ସାଥିରେ ସପନ ଦେଖିବେ । ହେଲେ, ଆଜି ସେ ଅନୁଭବ କରୁଥିଲା ଆସବାବପତ୍ର ପରି ପିଲାମାନେ ତାଙ୍କୁ ବାଣ୍ଟି ଦେବାକୁ ବସିଛନ୍ତି । ତାକୁ ଲାଗୁଥିଲା ତା’ ଘର ଚାଳ ପୁଣି କଣା ହୋଇଛି । ପୁଣି ଟପ୍‌ଟପ୍ ମେଘ ଆଉ ଟାଣୁଆ ଖରାମାଡ଼ି ଆସୁଛି । ସେ ଖରାର ରଙ୍ଗରେ ହଜି ଯାଉନି ବରଂ ତାତିରେ ପୋଡ଼ି ଯାଉଛି । ସେ ବର୍ଷାର ମାଦକତା ନୁହେଁ, ଟୋପାଗୁଡ଼ାକ ତା’ ଦେହରେ କଣ୍ଟାପରି ଗଳିଯାଉଛି । ଅନୁଭବ କରୁଥିଲା, ସମୁଦ୍ରକୁ ବହିଯାଉଥିବା ନଦୀଟି ହଠାତ୍ ପୁଣି ଲେଉଟାଣି ବହିବାକୁ ଯାଉଛି ।

 

ପୁପୁ ଆଉ ମମିଙ୍କର କଳି ବେଳକୁ ବେଳ ବଢ଼ୁଛି । ବଡ଼ପୁଅର ପୁଅ ପୁପୁ ଆଉ ସାନ ପୁଅର ଝିଅ ମମି । ଉଭୟ ସାଥିରେ କଣ୍ଢେଇ ବର କନିଆଁକୁ ନେଇ ଯିବାକୁ ବ୍ୟସ୍ତ । କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ । ତରବର ହେଇ ଜିନିଷ ବାନ୍ଧୁ ବାନ୍ଧୁ କଳିକି ଶୁଣୁଥିଲା ସନିଆ । କେତେ ଯୁକ୍ତି ପ୍ରତିଯୁକ୍ତି । କେତେବେଳେ କଥା ହେଉଥାଏ ଉଭୟ ଗାଁରେ ରହିବେ । ନହେଲେ ପୁପୁ ପାଖରେ ଛ’ ମାସ; ମମି ପାଖରେ ଛ’ମାସ । ହେଲେ ଘଟଣାର ସହଜ ସମାଧାନ ପାଉ ନଥିବା ପିଲାଙ୍କୁ ସମାଧାନ ବାଟ ଦେଖେଇ ବଡ଼ ପୁଅ ଆସି କହିଲା, “ଆରେ ବୁଦ୍ଦୁ ! ତୋର ଗୋଟାଏ, ତା’ର ଗୋଟାଏ କରି ବାଣ୍ଟିନିଅ ।’’

 

କନ୍‌ଭେଣ୍ଟ ପାଠ ପଢ଼ୁଥିବା ମମିଟା ଝଅଟ କରି ଉତ୍ତର ଦେଲା, “କାଇଁ, ତମର ମା’ର ବାଣ୍ଟି ହେଇ ରହୁନ ତ ।” ମମିର ଗାଲପାଖକୁ ଉଠି ଯାଉଥିବା ପୁଅର ହାତଟା ବାପ ଆଖିରେ ମିଶିଯିବାରୁ ସେଇଠି ରହିଗଲା ।

☆☆☆

 

ତମସୋ ମାଂ ଜ୍ୟୋତିର୍ଗମୟ

 

ଜୀଅନ୍ତା ମଣିଷଟା ବେଳେ ବେଳେ ଏମିତି ଶବ ପାଲଟିଯାଏ । ବଞ୍ଚିଥିଲେ ବି ଡିମା ଡିମା ଆଖିରେ ଚାହିଁରହେ । ପଚାରିଲେ ଉତ୍ତର ଦିଏନା । ସହାନୁଭୂତିର ମୁହଁଟିଏ ପାଖକୁ ନଇଁ ଆସିଲେ ତରଳ ବରଫ ପରି ଲୁହ ଦୁଇଧାର ଗଡ଼ିଯାଏ । ଛାତିରୁ ନିଃଶ୍ୱାସ ଦମେ ବାହାରିଯାଇ ସେ ପୁଣି ସେମିତିଆ ଆଖିରେ ଚାହିଁରହେ । ତା’ ଚାରିପାଖର ପରିବେଶଠାରୁ ସେ ଅଲଗା ହୋଇପଡ଼େ-। ଠେକୁଆ ଛୁଆପରି ନରମ ଟିକି ଝିଅଟି ମଝିରେ ମଝିରେ ଡରିଲା ଡରିଲା ଆଖିରେ ଚାହୁଁଥିଲା ଏମିତି ପଡ଼ିଥିବା ତା’ର ବୋଉକୁ । ଆଉ ଥରେ ଥରେ ଚାହୁଁଥିଲା ସାମନାରେ ଚାଲୁଥିବା ଟେଲିଭିଜନ୍‌ର ପରଦାକୁ । ବାହାର ଦୁନିଆ ପାଇଁ ସେମାନେ ପ୍ରାୟ କାଲ ପାଲଟି ଯାଇଥିଲେ-। ଦୀପାବଳୀ ରାତି । ଚାରିଆଡ଼େ ଶବ୍ଦ ଆଉ ଶବ୍ଦ । ଆର ବର୍ଷ ଏଇଦିନେ କୁନି ଝିଅଟା ହାତରେ ଫୁଲଝରି ଧରି ଡେଉଁଥିଲା । ଛାତ ଉପରେ ବସି ଅନ୍ଧାର ଚିରି ବଣ ଭିତରୁ ଆଲୁଅ ମେଞ୍ଚାଏ ହାର ହୋଇ ଝରିପଡ଼ିଲେ ତାଳିମାରି ନାଚୁଥିଲା, ହେଲେ ଏ ବର୍ଷ ସେ ପରିବେଶ ଠାରୁ ପୂରାପୂରି ଅଲଗା ହୋଇଯାଇଛି । ଚାରିଆଡ଼େ ଏତେ ଆଲୁଅ ଭିତରେ ତାଙ୍କ ଘର ଚାରିପାଖେ ଅନ୍ଧାର । ଏତେ ହସ ଭିତରେ ଲୁହ ।

 

ଏମିତି କିଛିଦିନ ହେଲା ସେମାନେ ଟେଲିଭିଜନ୍ ଖୋଲିଦେଇ ସମ୍ବାଦକୁ ଅପେକ୍ଷା କରି ଆସୁଛନ୍ତି । ସମୟଟା ଅନେକ ସମୟରେ ଏମିତି ଲମ୍ବା ଲାଗେ । ପୁଣି କେବେ ଦିନରାତି ସବୁ । ମିଶିଗଲେ ବି ମୁହୂର୍ତ୍ତଟିଏ ପରି ଲାଗେ ।

 

ସମ୍ବାଦ ହେବାକୁ ଆଉ କେତେ ମିନିଟ୍ ବାକି । ଜୋରରେ ଦୀର୍ଘ ନିଃଶ୍ୱାସଟାଏ ନେଇ ମା' କୋଳରେ ପୁଣି ମୁହଁ ଗୁଞ୍ଜି ଦେଲା ଟିକି ଝିଅଟି । ଟିକି ଝିଅଟା କ’ଣ ଏମିତି ଦୀର୍ଘନିଃଶ୍ୱାସ ନେବା ଶିଖିଥଲା ? କେବେ ନୁହେଁ । ପରିସ୍ଥିତି ମଣିଷକୁ ସବୁ ଶିଖେଇଦିଏ । ଏ କଥା କଲମରେ ଲେଖି କେହି କାହାକୁ ଅନୁଭବ କରାଇ ପାରିବ ନାହିଁ ।

 

ଟେଲିଭିଜନ୍ ପରଦାରେ ଏବେ ଚାଲୁଛି ଦୀପାବଳୀ ପାଇଁ ବିଶେଷ କାର୍ଯ୍ୟକ୍ରମ । ଫୁଲଝରିର ଝରାଗୁଡ଼ାକ ବିଛେଇ ହେଇ ପଡ଼ୁଛି । ଆନନ୍ଦରେ କଳରୋଳ । ସାଉଣ୍ଡ ସୁଇଚ୍‌ଟାକୁ ଜାଣିଶୁଣି କମେଇ ଦେଇଛି । ଚିତ୍ରଗୁଡ଼ାକ ଖାଲି ଚାଲିଛି । ସମ୍ବାଦରେ ଉଗ୍ରପନ୍ଥୀଙ୍କ କବଳରୁ ତା ବାପାର ମୁକ୍ତି ସମ୍ବାଦଟା କହନ୍ତା କି ? ଉଲ୍ଲସିତ ହେଇ ଉଠୁଥିଲା କୁନି ଝିଅଟି-ଫୁଲଝରିଟେ ଲଗେଇ ସେ ଏତେ ଜୋର୍‌ରେ ଫିଙ୍ଗନ୍ତା ଯେ, କେତେ ନଈ କେତେ ବଣ ଟପି ସେ ଯାଇ ତା’ ବାପା ପାଖରେ ପଡ଼ନ୍ତା କି; ଏତେବଡ଼ ଚିତ୍କାରଟାଏ କରନ୍ତା କି ଆଉ ସବୁ ଶବ୍ଦ ନିଷ୍ପନ୍ଦ ହୋଇଯାଆନ୍ତା । ପୁଣି ଚମକିପଡ଼ି, କେତେ ଲୋକଙ୍କୁ ସେମାନେ ମାରିଦେଲେଣି ; ଅପହରଣ କରିନେଇଥିବା କେତେ ଲୋକଙ୍କ ଶବ ସେମାନେ ରାସ୍ତା ଧାରରେ ଫିଙ୍ଗି ଦେଉଛନ୍ତି ।

 

ଟିକି ଝିଅଟା ମୁଣ୍ଡରେ ଫେଣଉଥିଲା, ଯୋଉମାନେ ତା’ ବାପାଙ୍କୁ ଧରି ନେଇଛନ୍ତି ତାଙ୍କର ତ ନିଶ୍ଚୟ ଘରଦ୍ୱାର ଥିବ । ତାଙ୍କ ଘରେ ବି ତା’ପରି ଟିକି ଝିଅ, ତା ବୋଉ ପରି, ଜେଜେମା’ଙ୍କ ପରି କିଏ ଥିବେ ! ଇଚ୍ଛା ହେଉଥିଲା ଖୋଜି ଖୋଜି ସେ ସେଇଠି ଯାଇ ପହଁଞ୍ଚନ୍ତା, ତାଙ୍କ ଝିଅ ସାଥିରେ ମିତ ବସନ୍ତା ! ନା, ସେମାନେ କୁଆଡ଼େ ଘରଦ୍ୱାର ଛାଡ଼ି ଜଙ୍ଗଲରେ କୋଉଠି ରହନ୍ତି । ବଣ ପାହାଡ଼ରେ ଘୂରି ବୁଲନ୍ତି । ବନ୍ୟଜନ୍ତୁ ପରି ବେଳେବେଳେ ପଶିଆସନ୍ତି ଜନବସତି ଅଞ୍ଚଳକୁ । ଆତଙ୍କ ଖେଳେଇ ଦେଇ ପୁଣି ଚାଲିଯାଆନ୍ତି । ଘରଦ୍ଵାର ପାଖ ମାଡ଼ନ୍ତି ନାଇଁ, ଆସିଲେ ବି ପୁଲିସ୍‌ ଭୟରେ ଲୁଚି ଲୁଚି ପଳାନ୍ତି । ପୁଣି ଜଙ୍ଗଲରେ ବୁଲନ୍ତି । ରକ୍ତ ଦେଖି କୁଆଡ଼େ ସେମାନେ ଡରନ୍ତି ନାଇଁ । ତାଙ୍କର କୋଉ ଲୋକକୁ ପୁଲିସ୍ ବାନ୍ଧି ରଖିଛି । ସେମାନଙ୍କୁ ଛାଡ଼ିଲେ କୁଆଡ଼େ ସେମାନେ ତା’ ବାପାଙ୍କୁ ଛାଡ଼ିଦେବେ ।

 

ଟିକି ଝିଅ କିଛି ବୁଝିପାରେନା ସେମାନେ କ’ଣ ପାଇଁ ଘରଦ୍ୱାର ଛାଡ଼ି ବୁଲୁଛନ୍ତି ? ଶୁଣେ, ସେମାନେ ଗୋଟାଏ ଅଲଗା ଦେଶ କରିବେ ବୋଲି କହୁଚନ୍ତି । ଦେଶ କଲେ କ’ଣ ମିଳେ ସେ ବୁଝି ପାରୁନଥିଲା, ତଥାପି ସିଏ ଏତିକି ବୁଝୁଥୁଲା ଯୋଉଠି ନିଜର ଲୋକମାନେ ଏକାଠି ରହନ୍ତି । ତା’ ଚାରିପାଖରେ ଶବ୍ଦ ଆଉ ଶବ୍ଦ; ଦାଣ୍ଡଘାଟ କମ୍ପି ଉଠୁଛି, ଆତସବାଜିର ରଙ୍ଗ ହସି ଉଠୁଛି । ସମସ୍ତେ ଆନନ୍ଦରେ ବିଭୋର । ତା’ ଗାଁର ସବୁ ଦୁଆର ତାଙ୍କ ଘରଠାରୁ ଅଲଗା । ବାପାଙ୍କ ଅପହରଣ ପରେ ସେମାନେ ଆଜି ନିଜ ଗାଁରେ ରହୁଛନ୍ତି ।

 

ଚିଠିଟିକି ଓଲଟେଇ ପାଲଟେଇ ଦେଖୁଥିଲା ଟିକି ଝିଅ । ଲେଖା ହୋଇଛି କୋଉ ଏକ ଅଜଣା ଭାଷାରେ । ସୁଦୂର ଚିକ୍‌କାକୁଡ଼ି ଗାଁରୁ । ଯେଉଁଠୁ ଛୋଟ ଛୋଟ ପିଲା କେତେଜଣ ଲେଖିଛନ୍ତି । ଏବର୍ଷ ଦୀପାବଳୀରେ ସେମାନେ ବାଣ ଫୁଟାଇବେ ନାହିଁ । କେଉଁ ଏକ ପ୍ରାନ୍ତୀୟ ଖବରକାଗଜରୁ ସେମାନେ ପଢ଼ିଛନ୍ତି ଉଗ୍ରପନ୍ଥୀମାନଙ୍କୁ ଟିକିଝିଅର ଆକୁଳ ନିବେଦନ ବାପାକୁ ତା’ର ଛାଡ଼ି ଦେବାକୁ ଦୀପାବଳୀ ଆଗରୁ । ସେ ବାପା ସାଥିରେ ବାଣ ଫୁଟେଇବ ଆରବର୍ଷ ପରି । ଟିକିଝିଅକୁ ସମବେଦନା ଜଣେଇ ସେମାନେ ଦୀପାବଳୀରେ ବାଣ ଫୁଟାଇବେ ନାହିଁ ବୋଲି ଲେଖିଛନ୍ତି । ନିଜ ଭାଷାରେ, ଇଂରାଜୀରେ ପ୍ରାୟ କିଏ ତର୍ଜମା କରିଛନ୍ତି । କାହିଁ କାବେରୀ କୂଳର ଚିକ୍‌କାଗୁଡ଼ି, ଆଉ ମହାନଦୀ କୂଳର ଗୋପାଳପୁର । ସେମାନେ ଝୁମ୍ପୁଡ଼ିରେ ରହନ୍ତି କି ମହଲାରେ ରହନ୍ତି ଟିକିଝିଅ ଜାଣେନି, ସେମାନେ କଳା କି ଗୋରା ସେ ଦେଖିନି । ତା’ର ଇଚ୍ଛା ହଉଥିଲା ସେ ଦେଶ ଗଢ଼ିଲେ ସେଇମାନଙ୍କୁ ନେଇ ଦେଶ ଗଢ଼ିବ, ଯେଉଁମାନେ ମଣିଷ ଭିତରେ ମଣିଷକୁ ଖୋଜୁଛନ୍ତି । ଚାରିପଟକୁ ଚାହୁଁଥିଲା । ସବୁଆଡ଼େ ଗତବର୍ଷ ପରି ଦୀପାବଳୀର ରଙ୍ଗ । କାଇଁ, ତା’ ପାଇଁ ସମବେଦନା ଜଣେଇ ତା’ ଗାଁରେ ତ ବାଣଫୁଟା ବନ୍ଦ ହୋଇଯାଇନି ?

 

ଏ ପର୍ଯ୍ୟନ୍ତ ସାଢ଼େ ସାତ ବାଜୁନି । ବାପା ଘରେ ଥିଲାବେଳେ ସମୟଟା କେମିତି ଚାଲିଯାଏ ସେ ଜାଣେନି । ସତରେ, ମଣିଷଟା ନିଜର ମାନସିକ ଅବସ୍ଥାରେ ମହାକାଳର ଗତିକି ମାପେ ।

 

କେତେବେଳେ ବାପା ସାଥିରେ ସକାଳେ ବୁଲିବାକୁ ଯାଉଥିଲା ଟିକିଝିଅଟି । କିଛିବାଟ ଚାଲିଗଲା ପରେ ବାପର ଦି' ଜଙ୍ଘ ଭିତରେ ଆଉଜି ଯାଇ ହାତ ଦି’ଟା ଉପରକୁ ଟେକି, ଟିକି ଝିଅଟି ଉପରକୁ ଚାହେଁ । ଗୋଡ଼ ଥକିଗଲାଣି ବୋଲି ବାପା ତା’ର ବୁଝିପାରି କୋଳକୁ ଉଠେଇ ନିଅନ୍ତି । ଗେଲ ଟିକେ କରିଦେଇ ଆଗକୁ ଚାଲନ୍ତି । ସହର ଶେଷରେ ତାଙ୍କର ଘର । ଦିନେ ଦିନେ ଚାଲି ଚାଲି ଚାଲିଯାଆନ୍ତି ଯୋଉଠି ରାସ୍ତାଟି ଖାଲି ଧାନବିଲ ଭିତରେ କଳା ହେଇ ଶୋଇ ଯାଇଥାଏ । ବାପା ସାଙ୍ଗରେ ତା’ ଗାଁରେ ବି ସେ ଏମିତି ସକାଳରେ ବୁଲିଯାଆନ୍ତି । ନାଲି ସୂରୁଜକୁ ଦଣ୍ଡବତ କରନ୍ତି ।

 

ଦିନେ ଏମିତି ଆସାମର ସହରତଳି ଅଞ୍ଚଳରେ ଧାନବିଲ କଡ଼ରେ ବାପଝିଅ ବସିଥିଲା ବେଳେ ଟିକି ଝିଅ ପଚାରିଥିଲା, “ବାପା, ଏ ଧାନବିଲ ତ ଆମ ଗାଁ ଧାନବିଲ ପରି ଲାଗୁଛି ।” ବାପା ତାକୁ କାଇଁକି ସେଦିନ ଏତେ ବୋକ ଦେଲେ ସେ ଜାଣି ପାରୁନି । ହେଲେ ସେ ଏତିକି ମନେ ପକାଉଥିଲା ବାପା ତାକୁ କହୁଥଲେ, “ଚାଲ୍, ଏମିତି ଚାଲି ଚାଲି ଚାଲିଯିବା । ରାସ୍ତାକୁ ରାସ୍ତା ଛନ୍ଦା ହୋଇଛି । ଆସାମର କୋକ୍ରାଝର, ନାଓଗଞ୍ଜରୁ ପଞ୍ଜାବର ସତଲେଜ, ସତଲେଜରୁ ମାଡ୍ରାସର ପେରାମ୍ବୁଦୁର, ପେରାମ୍ବୁଦୁରରୁ ଓଡ଼ିଶାର ମହାନଦୀ କୂଳର ଗୋପାଳପୁର । ଭାରତସାରା ବୁଲିବା । ସବୁଠି ତୁ ବୁଲି ବୁଲି କହିବୁ, “ଏ ଧାନ କିଆରି ଆମ ଗାଁ ଧାନ କିଆରି ପରି ଲାଗୁଛି ।’’

 

ବାପା ତା’ର ଆଉ କଣ ଏକା ଏକା ଚାଲିଗଲେ ସେଇକଥା କହିବାକୁ ? କାଇଁ ସାଙ୍ଗରେ ନେଲେନି ତ ତାକୁ ?

 

ହଠାତ୍ ପୃଥିବୀଟା ଖସିପଡ଼ିଲା ଟେଲିଭିଜନ୍ ପରଦାରେ, ସମ୍ବାଦ ସମୟ ଆସିଗଲା । ଦଉଡ଼ିଯାଇ ସାଉଣ୍ଡ ସୁଇଚ୍‌ଟାକୁ ବଢ଼େଇଦେଲା ଟିକି ଝିଅ । ସବୁଦିନ ପରି ବୋଉ ନାକରେ ଆଙ୍ଗୁଳି ଲଗେଇ ଝିଅ ଆଡ଼କୁ ବଢ଼େଇ ଦେଲା ଧରିବା ପାଇଁ । ଗୋଟାଏ ଆଙ୍ଗୁଳିରେ ହଁ, ଆରଟିରେ ନାଇଁ ।

 

ଆକସ୍ମିକ ପାୱାରକଟ୍ । ଟି.ଭି. ବନ୍ଦ ହେଇଗଲା । ପରଦାଟା ସମ୍ପୂର୍ଣ୍ଣ କଳା । ଆଶଙ୍କାରେ ବାଉଳି ଉଠିଲା ମା’ ସାଥିରେ ଟିକିଝିଅ । ଏତେବେଳେ ସେ ଆବିଷ୍କାର କଲା, ଜେଜେମା’ କେତେବେଳେ ଦୁଆର ମୁହଁରେ ଦୀପଟିଏ ଲଗେଇ ଦେଇ ଚାଲି ଯାଇଛନ୍ତି , ଆଉ ଲହ ଲହ ହେଇ ହସୁଚି ଛୋଟ ଶିଖାଟିଏ । ବୋଉ ସାଥିରେ ହାତ ଉଠେଇ ପ୍ରଣାମ କଲା ଟିକିଝିଅ, ‘ତମସୋ ମାଂ ଜ୍ୟୋତିର୍ଗମୟ ।”

☆☆☆

 

ଖୋଲା ଆକାଶର ପଞ୍ଜୁରୀ

 

ଭରାକୋର୍ଟରେ ଅର୍ଡରଟି ପଢ଼ିସାରି ମୁହଁ ଉପରକୁ ଉଠାଇ କାଠଗଡ଼ା ଭିତରେ ଥିବା ମଣିଷଟିକି ଚାହିଁଲେ ମାଜିଷ୍ଟ୍ରେଟ୍ ଶୈଳରାଣୀ ମିଶ୍ର । କି ପ୍ରତିକ୍ରିୟା ସେ ପ୍ରକାଶ କରିବ ? ନା-ନା ବୋଲି ଚିତ୍କାର କରିବ ? କାଟିଦେଲା ପରେ କଦଳୀ ଗଛ ପରି ତଳେ ଗଡ଼ି ପଡ଼ିବ ? ନା, କିଛି ବି ନୁହେଁ । ଯେମିତି ଠିଆ ହୋଇଥିଲା, ଠିକ୍ ସେମିତି ଠିଆ ହୋଇଥିଲା ମଣିଷଟି । ଅବିଚଳିତ । ହଲୁ ନଥିଲା, ହସୁ ନ ଥିଲା, କାନ୍ଦୁ ନଥିଲା । ହାତ ଦିଓଟି କାଠଗଡ଼ା ଉପରେ ଥୋଇଦେଇ ସେମିତି ଠିଆ ହୋଇ ରହିଥିଲା ।

 

ସାମ୍ପ୍ରଦାୟିକ ଦଙ୍ଗାରେ ଅଂଶଗ୍ରହଣ କରି ଲୁଟତରାଜ ଆଦି ଅପରାଧରେ ସାତବର୍ଷ ପାଇଁ କଳା କଳା କାନ୍ଥର ଘର ଭିତରକୁ ଫିଙ୍ଗି ଦେବାର ଅର୍ଡରଟି ପଢ଼ିଥିଲେ ମାଜିଷ୍ଟ୍ରେଟ୍ । ଦୋକାନ ଲୁଟତରାଜ, ଗୃହଦାହ, ଆତଙ୍କରାଜ ସୃଷ୍ଟି- ୟା ପାଇଁ ଆଉ କ’ଣ କମ୍ ଦଣ୍ଡିବା ହୋଇପାରେ ?

 

ଆସାମୀର ମଳିନ ଦେହକୁ ବେଖାପ କରି ତା ହାତରେ ଚକ୍‌ ଚକ୍‌ କରୁଥିବା ନୀଳ ପଥରବସା ମୁଦିଟାକୁ ଓଲଟପାଲଟ କରି ଆଶ୍ଚର୍ଯ୍ୟରେ ଚାହିଁଲେ ମାଜିଷ୍ଟ୍ରେଟ୍ ।

 

ନିଜ ମୁହଁକୁ ଚାହିଁବାର ଇଚ୍ଛା ହେଲା ତାଙ୍କର । ସେତେବେଳେ ମୁହଁଟା ଏମିତି କଠୋର ନଥିଲା: ବ୍ୟକ୍ତିତ୍ୱର ପରିଚାୟକ ଭାବେ କାନ ଆଉ ବେକ ଫୁଙ୍ଗୁଳା ନଥିଲା । ଅନେକ ଦିନ ବିତି ଗଲାଣି ୟା ଭିତରେ । ଆଜିର ଅତିରିକ୍ତ ସେସନ୍‌ସଜଜ୍ ଶୈଳ ମିଶ୍ର ସେଦିନ ରେଭେନସାର ଶେଷବର୍ଷ ଇଂରାଜୀ ଶ୍ରେଣୀର ଛାତ୍ରୀ । ନଡ଼ିଆ, ଝାଉଁ-ଘେରା ବୀରପୁରୁଷୋତ୍ତମପୁର ଗାଁର ସଂସ୍କୃତ ପଣ୍ଡିତଙ୍କର ଝିଅ । କୋର୍ଟରୁମ୍‌ର ଚତୁର୍ଦ୍ଦିଗକୁ ଚାହିଁଲେ ସେ । ସବୁ ସ୍ଥିର । ଶେଷ ଘୋଷଣାଟି କରିଦେଲା ପରେ ଆସାମୀକି ଭିଡ଼ିନେଇ ଯିବାକୁ ପ୍ରସ୍ତୁତ ହୋଇ ଛିଡ଼ା ହୋଇଛନ୍ତି ଖାକି ପିନ୍ଧା ଲୋକଗୁଡ଼ାକ ।

 

ପୁଣିଥରେ ଆସାମୀର ହାତରେ ତା ଦେହକୁ ବେଖାପ ଦେଖାଯାଇ ଚକ୍‌ଚକ୍‌ କରୁଥିବା ମୁଦିଟିକି ଚାହିଁଲେ ସେ । ଚାକିରି ଆରମ୍ଭରୁ ଆସାମୀମାନଙ୍କୁ କେବେ ସେ ଚାହାନ୍ତନି । କାରଣ ନିଜ ଭିତରେ ଥିବା ନାରୀର ମମତାଭରା ମନଟି କାଳେ ତାଙ୍କୁ ପ୍ରଭାବିତ କରିଦେବ । ସତେ ଅବା ଆଖିରେ କଳା କନା ବାନ୍ଧି ଆଇନ୍‌ର ତରାଜୁରେ ତଉଲନ୍ତି ।

 

ସେଦିନ ରେଭେନସା କଲେଜରେ କାମ ସାରି କଲେଜ ଛକକୁ ଆସିଲା ବେଳକୁ ସନ୍ଧ୍ୟା-। ଛକଟା ଏତେ ନିଛାଟିଆ ନଥାନ୍ତା ଯଦି ତୋଫାନିଆ ବର୍ଷା କେତେ ଅସରା ହୋଇଯାଇ ନଥାନ୍ତା-। ରାସ୍ତା ଉପରେ ଖଣ୍ଡିଏ ହେଲେ ରିକ୍‌ସା ନାହିଁ । ବିଜୁଳି ତାର କେତେଖଣ୍ଡ ଛିଡ଼ି କରି ପଡ଼ିଛି ରାସ୍ତା ଉପରେ । ଯେମିତି ହେଲେ ବସ୍‌ଷ୍ଟାଣ୍ଡ ଯାଇ ବସ୍ ଧରିବାକୁ ପଡ଼ିବ । କଟକରେ ରହିବା ପାଇଁ କୋଉଠି ଜାଗା ନାହିଁ । ସେମିତି ଭରସା ଥିବା ଚିହ୍ନାଜଣା କେହି ବି ନାହିଁ । ବର୍ଷା ଛାଡ଼ିଗଲେ ବି ମଝିରେ ମଝିରେ ଚକ୍‌ ଚକ୍ ବିଜୁଳି ମାରୁଛି । ତା ସାଥିରେ ପୁଣି ପୋଲିସ୍‌ର ହୁଇସିଲ୍ ମାରି ପଇଁନ୍ତରା । ଉଣେଇଶିଶହ ଅଡ଼ଷଠି ମସିହା । ହିନ୍ଦୁ ମୁସଲମାନ୍ ଦଙ୍ଗା ଚାଲିଛି । ରାମ ରହିମ୍‌ର କଟକ ସହରଟା ଅଶାନ୍ତ ହୋଇ ଉଠିଛି । ସତ ଯାହା ହେଉ, କିଏ କେତେ ପର କଥା ପ୍ରଚାର ଚଳାଇଛନ୍ତି । ଗୁଜବ ଲାଗିଛି । କିଏ କହୁଛି, ଦେହ ବଞ୍ଚେଇବାକୁ ଯାଇ ଝିଅଟା କୋଉଠି ଛାତ ଉପରୁ ଡେଇଁ ପଡ଼ିଲା । କୋଉଠି କିଏ ଶିଲିଂ ପଙ୍ଖାରେ ଦଉଡ଼ି ଲଗେଇ ଦେଲା । ଦୋକାନ ପରେ ଦୋକାନ ନିଆଁ କିଏ ଲଗେଇ ଦଉଛି ।

 

ବିଜୁଳିର ରହି ରହି ଆଲୁଅ ଭିତରେ ଟଣ୍ ଟଣ୍‌ ଘଣ୍ଟି ବଜେଇ ଜୋରରେ ଚାଲିଯାଉଥିବା ରିକ୍‌ସାଟିକୁ ଅଟକେଇଲା ପରେ ଚିରାଚରିତ ଭାବେ ଯିବୁ କି ନ ଯିବୁ କି କେତେ ନବୁ, ନ ପଚାରି “ମୋତେ ଟିକେ ବସ୍‌ଷ୍ଟାଣ୍ଡରେ ଛାଡ଼ିଦେବୁ’’ ବୋଲି ପଚାରିଥିଲେ ସେ ।

 

“ମା’ ମୁଁ ସକାଳୁ ଘର ଛାଡ଼ିଣିଲି । କାଲି ଶୁକ୍ରବାର । ନୂଆ ଖେଳ ପଡ଼ିବ ସବୁ ହଲ୍‌ରେ । ବୁଲି ବୁଲି ସିନେମା ପୋଷ୍ଟର ମାରୁ ମାରୁ ଏତେ ବେଳ ହେଲାଣି । ତୁଳସୀପୁରରୁ ନୂଆବଜାର । କେତେ କାନ୍ଥ । ସବୁଆଡ଼େ ମରାହେବ । ଏତେ ଜଲ୍‌ଦି ଘରକୁ ଫେରି ନଥାଆନ୍ତି । ଗୋଳବେଳ । ମୋ’ ଘରେ ବ୍ୟସ୍ତ ହେଉଥିବେ ।’’

 

ବିଜୁଳିର ସେଇ ଆଲୁଅ ଅନ୍ଧାର ଭିତରେ ଦେଖାଯାଉଥିଲା ସତର ଅଠର ବର୍ଷର ପିଲାଟିଏ । କର୍ମକ୍ଳାନ୍ତ, ତଥାପି ହସ ହସ । “ହେଲେ, ଚାଲ ମୁଁ ତୁମକୁ ବସ୍‌ଷ୍ଟାଣ୍ଡରେ ଛାଡ଼ି ଦେଇଯିବି ।” ପୁଣି ଟଣ୍‌ଟଣ୍‌ ଘଣ୍ଟି ବଜେଇ ରିକ୍‌ସା ଗଡ଼େଇ ଚାଲିଥିଲା ପିଲାଟି । କଥା ଭିତରେ ଥିଲା, ଅର୍ଥ ରୋଜଗାର ନୁହେଁ ସହାନୁଭୂତିର ସ୍ଵର । ବେଳେବେଳେ ଖଣ୍ଡିଆ ଖଣ୍ଡିଆ ହିନ୍ଦୀଗୀତରୁ ଅସ୍ପଷ୍ଟ କରି ବୋଲିଦେଉଥାଏ ସେ । ବେଳେବେଳେ ହୁଇସିଲ୍ ମାରି ଚାଲିଯାଉଥିଲା ପୋଲିସ୍‌ ଭ୍ୟାନଗୁଡ଼ା । ବର୍ଷା, ତା ସାଥିରେ କଳା ମଚମଚ ଅନ୍ଧାର । ପୋଲିସ୍‌ର ସାଇରନ, କର୍ଫ୍ୟୁ ଏବେ ମାତ୍ର ଉଠୁଛି । ଲୋକସମ୍ପର୍କ ବିଭାଗ ପକ୍ଷରୁ ସତର୍କ ଘୋଷଣା । ଛାଡ଼ି ଛାଡ଼ି ବିଜୁଳିର ଝଲକ । ସବୁଭିତରେ ମରୁଭୂମିରେ ଓୟେସିସ୍ ପରି ରିକ୍‌ସା ଆଉ ରିକ୍‌ସାବାଲା ପିଲାଟା । ଦୋକାନ ବଜାର ସବୁ ପଡ଼ିଛି । କେବଳ କବାଟ ଫାଙ୍କ ଦେଇ ପରଦା ପରି ଦିଶୁଚି ଆଲୁଅର ଧାରା ।

 

ହାଲ୍‌କା ଆଉ ଖୋଲା ମନର ରିକ୍‌ସାବାଲା ଆଉ ଭୟର ଭାରରେ ଭାରାକ୍ରାନ୍ତ ମଣିଷଟି ଭିତରେ ଛୋଟିଆ ସେତୁଟିଏ ଗଢ଼ିବାକୁ ଚେଷ୍ଟା କରି ସେ ପଚାରିଥିଲେ, ‘‘ତୋ ନାଁ କ’ଣ-?’’ ହଠାତ୍ ପିଲାଟି ନୀରବ ହୋଇଗଲେ । ରହିରହି ତା’ କଣ୍ଠରୁ ଶୁଭୁଥିବା ଗୀତଗୁଡ଼ାକ ବନ୍ଦ ହୋଇଗଲା । ଯେମିତି ଲାଗିଲା, ଇଚ୍ଛା ବିରୁଦ୍ଧରେ ସେ କେବଳ ପେଡ଼ାଲକୁ ଘୂରେଇ ଚାଲିଛି-। ସବୁଠୁ ଯେମିତି ତରଙ୍ଗଟା କିଏ ପୋଛି ନେଇଗଲା ।

 

କିଛି ନ ବୁଝି ପାରି ପୁଣି ପଚାରିଲେ, “ତୋ ନାଁ କହିଲୁନି ।” ତଣ୍ଟି ଅଠା କରି ସେ କହିଲା, ‘‘ମାଆ ! ମୁଁ ମୁସଲ୍‍ମାନ ।’’ କିନ୍ତୁ ସେତେବେଳକୁ ସେଇ ଭୟର ପରିବେଶ ଭିତରେ ବି, ସେ ଦିନର ଏକୁଟିଆ କଲେଜ ଛାତ୍ରୀଟିକି ଲାଗୁଥିଲା ସେ ଯେମିତି ଏକା ନାହିଁ, ନିଜର କାହା ପାଖରେ ଅଛି । ହସ ଲାଗୁଥିଲା । ମନେ ମନେ ଭାବୁଥିଲେ ଯେଉଁମାନେ ଶାନ୍ତିଲାତାକୁ ଧର୍ଷଣ କରି ହତ୍ୟା କରିଥିଲେ, ବିଦେଶିନୀ ଭଉଣୀଟିକି ଯେଉଁମାନେ ମା’ ମାଟିକି ଫେରିବାକୁ ଦେଇ ନଥିଲେ, ସେମାନେ ତ ମୁସଲ୍‌ମାନ ନଥିଲେ । କୁରୁ ରାଜସଭାରେ ଯେଉଁମାନେ ଦ୍ରୌପଦୀର ବସନ ଲୁଟି ନଉଥିଲେ ସେମାନେ ତ ମୁସଲ୍‌ମାନ ନଥିଲେ ? ଆମେ କ’ଣ ହିନ୍ଦୁ, ମୁସଲ୍‌ମାନ ହେଇ ଜନ୍ମ ହେଇଥିଲେ ? ଅନେକଗୁଡ଼ାଏ କଅଁଳା ପିଲାଙ୍କ ଭିତରୁ ତୁ କ’ଣ କାହାକୁ ବାଛି ଦେଇ ପାରିବୁ ? କିଛି ନ ଭାବି ସେଦିନ ଏତିକି କହିଦେଲେ । ବୁଝିଲା କି ନ ବୁଝିଲା, ଅବା କେତେଦୂର ବୁଝିଲା, ହାତ ଦି’ଟାକୁ ହ୍ୟାଣ୍ଡେଲ୍‌ ଉପରେ ଜୋର୍‌ରେ ଦାବି ପଛକୁ ବୁଲି ଚାହିଁଲା । ବିଜୁଳି ଝଲକ ଭିତରେ ସେ ତାଙ୍କ ମୁହଁରୁ କ’ଣ ଦେଖିଲା କେଜାଣି......

 

ମୁହୂର୍ତ୍ତକରେ ସବୁ ଘଟିଗଲା । ଚାଳକବିହୀନ ରିକ୍‌ସାଟା ଧୀରେ ଧୀରେ ଗଡ଼ି ରାସ୍ତା କଡ଼ ପାଚେରି ଦେହରେ ଲାଗି ଅଟକି ଗଲା । ହାତକୁ ମୁଠେଇ ଯନ୍ତ୍ରଣାରେ କୁହୁଳୁ ଥିଲା ରିକ୍‌ସାବାଲା ପିଲାଟା । ରିକ୍‌ସା ଉପରକୁ ଛୁରୀ ହାତରେ ଝାମ୍ପି ପଡ଼ିଥିବା ଲୋକ ଦି’ଟା ଅନ୍ଧାର ଭିତରେ ମିଶି ଯାଉଥିଲେ ଦୂରକୁ । ବୋର୍ଡ ଅଫିସ୍‌ ପାଖ ଅନ୍ଧାରିଆ ବରଗଛ ତଳେ ଏ ଘଟଣା । କ’ଣ ପାଇଁ ସେମାନେ ଆସିଥିଲେ ତା ଅସ୍ପଷ୍ଟ ନୁହେଁ । ଖୁବ୍‌ ଲଢ଼ିଥିଲା ପିଲାଟା ତାଙ୍କ ସାଙ୍ଗରେ । ଛୁରୀରେ ହାତ କଟିଯାଇଚି । ହାତର ରକ୍ତ ଦେଖି ତାଙ୍କ ପାଖରେ ଅନ୍ୟ ଉପାୟ ନଥିଲା । କିଛି ନଭାବି ରକ୍ତ ରୋକିବା ପାଇଁ ଶାଢ଼ି କାନିରୁ ଖଣ୍ଡେ ଚିରି ବାନ୍ଧି ଦେଇଥିଲେ ତା’ ହାତରେ । ଅବଚେତନ ମନରେ ତା ପ୍ରତି କିଛି ଅନାବିଳ ସ୍ନେହ ତାଙ୍କୁ ଏଥିପାଇଁ ବାଧ୍ୟ କଲା ନା-ସୁସ୍ଥ ହେଲେ ନିହାତି ତାଙ୍କୁ ନେଇ ବସ୍‌ଷ୍ଟାଣ୍ଡରେ ଛାଡ଼ିବାର ସ୍ୱାର୍ଥ ପ୍ରେରଣା ଦେଲା ? ତା’ ପରବର୍ତ୍ତୀ ସମୟରେ କେଉଁ ମାପକାଠିରେ ମପାଯାଇ ନପାରେ ।

 

ଅଳ୍ପ ସମୟ ଭିତରେ ଅନେକ ସେ ଅନୁଭୂତି । ଅନ୍ଧାର ଭିତରେ ଯେଉଁମାନେ ହଜିଗଲେ ସେମାନେ.......

 

‘‘ମା’ ଏଇଟା ଆମ ବ୍ୟାଗ୍‌ ନା ?’’

 

ଏଇ ଦଙ୍ଗାଗୋଳ ଭିତରେ ରିକ୍‌ସାରୁ ଛିଟିକି ପଡ଼ିଥିବା ବ୍ୟାଗ୍‌ଟାକୁ ରିକ୍‌ସା ଉପରେ ସଜାଡ଼ି ରଖୁ ରଖୁ ସେ କହୁଥିଲା । ନନାଙ୍କ କଥା ସେତେବେଳେ ତାଙ୍କର ମନେ ପଡ଼ିଥିଲା । ଖରାଦିନେ ବୀରପୁରୁଷୋତ୍ତମପୁର ଗାଁରେ ଦୁଆରେ ପଡ଼ିଥିବା ହେଁସ ଉପରେ ମୁଣ୍ଡ ଥାପୁଡ଼େଇ ବୁଝାନ୍ତି । ଗାଈ ଜଗୁଥିବା ପିଲା ଘରକୁ ଫେରି କହେ “ମା’ ଆମ କଷରା ଗାଈଟା ଆସିନି ।’’ ସେ ତାକୁ ଖୋଜେ । ବେକତଳ ଆଉଁଶି ତାକୁ ଖୁଆଏ । ମୋର ବୋଲି କହି ଗେଲ କରେ । ହେଲେ ଦୋଳପୁନେଇଁ ଆସିଲେ କୁଆଡ଼କୁ ନଅନେଇ ଚାଲିଯାଏ । ସେମିତି ଆମେ ସଂସାରରେ ସବୁ ସବୁକୁ ନିଜର କରୁ ପୁଣି......

 

ବସ୍‌ଷ୍ଟାଣ୍ଡରେ ରିକ୍‌ସାରୁ ଓହ୍ଲେଇ ବ୍ୟାଗ୍‌ଟା ଦେଖିଲା ବେଳକୁ ଖଣ୍ଡିଏମାତ୍ର କୋଡ଼ିଏ ଟଙ୍କିଆ ନୋଟ । ଫେରିବା ଖର୍ଚ୍ଚ ବାଦ୍‌ ଅଳ୍ପ କିଛି ବଳକା । ମସିଆ ଆଲୁଅ ତଳେ ଏକାନ୍ତ ଆପଣା ହୋଇଉଠିଥିବା ମୁହଁଟିକି ଦେଖୁଥିଲେ । ନାଁ ପୁଣି ଥରେ ଦେଖି ବି ଚିହ୍ନିହେବନି । ମୁସଲ୍‌ମାନର ରକ୍ତ ଝରିଗଲା ରକ୍ଷଣଶୀଳ ବ୍ରାହ୍ମଣ ଘରର ଝିଅପାଇଁ । ଅବଚେତନ ମନରେ ଶାଢ଼ି ଚିରି ସେ ତା’ ହାତରେ ପଟି ବାନ୍ଧିଲା । ଅଛୁଆଁ ହେଲାନାହିଁ । ବସ୍‌ ହର୍ଣ୍ଣ ଦେଉଛି, ଶେଷ ବସ୍‌ ।

 

ଅଜାଣତରେ ହାତରୁ ମୁଦିଟା ଓହ୍ଲେଇ ତା’ ହାତରେ ଧରେଇ ଦେଇ ସେଦିନ ବସ୍‌ରେ ବସିଥିଲା ସେଇ ଝିଅଟି । ଚଳନ୍ତା ବସ୍‌ଟା ପଛେ ପଛେ କିଛି ନ କହି ନ ବୁଝି ଜୋର୍‌ରେ ପିଲାଟା କିଛି ବାଟ ଚାଲୁ ଚାଲୁ ଉଭୟଙ୍କ ପରିଧି ଭିତରୁ ଉଭୟେ ହଜିଗଲେ ।

 

ମିସଲ ଉପରେ ବସିଲା ଦିନଠୁ ଆଖିରେ କଳାପଟି ବାନ୍ଧି ଆଇନ୍‌କୁ ତର୍ଜମା କରିଛନ୍ତି ସେ । ସରକାରୀ ଓକିଲଙ୍କର ଯୁକ୍ତିଟା ତାଙ୍କ କାନ ପାଖରେ ଲହଡ଼ା ଭାଙ୍ଗୁଥିଲା । ଆସାମୀ ଅନେକଦିନୁ ସାମ୍ପ୍ରଦାୟିକବାଦୀ, ମୂଳରୁ ସେ ଧର୍ମବିଦ୍ୱେଷୀ । ତା’ର ଅତୀତ ସନ୍ଦେହଜନକ । ଇତି ପୂର୍ବରୁ ଉଣେଇଶି ଶହ ଅଡ଼ଷଠି ଦଙ୍ଗାରେ ଲୁଟତରାଜ, ମହିଳାମାନଙ୍କ ପ୍ରତି ଦୁର୍ବ୍ୟବହାର ଆଦି ଅଭିଯୋଗ ତା’ ନାମରେ ଥିଲା । ହେଲେ ସରକାର ସଦୟ ମନୋବୃତ୍ତି ଦେଖାଇ ସମସ୍ତ ମକଦ୍ଦମା ପ୍ରତ୍ୟାହାର କରିଥିଲେ । କିନ୍ତୁ ଆସାମୀ ପୁଣି....

 

ଗାଲଟା ହଠାତ୍‌ ଉଷୁମ ଲାଗିଲାରୁ ଗାଲ ଉପରେ ହାତମାରି ମାଜିଷ୍ଟ୍ରେଟ୍‌ ଶୈଳରାଣୀ ମିଶ୍ର ଯାହା ଦେଖିଲେ, ତାହା ଲୁହ ନଥିଲା । ଥିଲା ଲହୁ ।

 

ସେ ବାରବାର ବୁଝିବାକୁ ଚେଷ୍ଟା କରୁଥିଲେ, ତା’ କ’ଣ ଝରୁଥିଲା ପ୍ରତିଦାନ ନା ପ୍ରତିବାଦରେ ?

☆☆☆

 

ଠିକଣା ଖୋଜୁଥିବା ଚିଠି

 

ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ନୂଆବର୍ଷ ଆସିଲାବେଳେ ମୋର ସେ ଦିନ କଥା ମନେପଡ଼ିଲା । କୋଉ ଏକ ଆବେଗରେ ମୁଁ ଚାଲିଗଲି କଟକ ରେଲୱେ ଷ୍ଟେସନ୍‌ର ପ୍ଲାଟଫର୍ମକୁ । ମୋର ଏକ ଘନିଷ୍ଠ ବନ୍ଧୁ ସେଠି ଥାନା ଅଧିକାରୀ । ପହଁଚିଲା ବେଳକୁ ସେ ଥାନାରେ ନାହାନ୍ତି । ଡ୍ୟୁଟିରେ ଥିବା ଅଫିସର ଜଣଙ୍କ କହିଲେ ଏବେ ଏବେ ଗୋଟାଏ ୟୁ:ଡ଼ି କେସ୍ ହେଲା, ଗାଡ଼ି ତଳେ ଲୋକଟେ କଟିଯାଇଛି, ବାବୁ ସେଇଠିକି ଯାଇଛନ୍ତି ।

 

ୟୁ:ଡ଼ି କେସ୍ ! ଗାଡ଼ିତଳେ ଲୋକଟେ କଟିଯାଇଛି ଚମକି ପଡ଼ିଲା ପରି ଲାଗିଲା । ମାତ୍ର କେତେ ମିନିଟ ପରେ ନୂଆବର୍ଷ ଆସିବ । କଲେଜରେ ପାଠ ପଢ଼ିବା ବେଳେ ଆମେ କେତେଜଣ ସାନସାନ ପିଲା ପ୍ରତିଥର ନୂଆବର୍ଷ ଆସିଲାବେଳକୁ ରେଲ୍‌ଓ୍ୱେ ପ୍ଲାଟଫର୍ମରେ କବିତା ପାଠୋତ୍ସବ କରୁଥିଲୁ । ପ୍ଲାଟଫର୍ମରେ ଆମପାଇଁ ଏକ ସାଂକେତିକ ଗୁରୁତ୍ୱ ଥିଲା କଟକ ରେଲ୍‌ୱେ ଷ୍ଟେସନର ତିନି ନମ୍ବର ପ୍ଲାଟଫର୍ମର ସିମେଣ୍ଟ ବେଂଚ । ଖଣ୍ଡେ ସତରଂଜି । କେତେ କୁଆଡ଼ୁ ଆସି ବିଭିନ୍ନ ହଷ୍ଟେଲ୍ ଆଉ ସହରର ଛୋଟ ଛୋଟ ମେସ୍‌ରେ ବସା ବାନ୍ଧିଥିବା ଛୋଟପିଲା ସେଇଠି ବସି ସକାଳର ସୂର୍ଯ୍ୟକୁ ଅପେକ୍ଷା କରିଥିବେ । ରେଲୱେ ଷ୍ଟେସନର ଆକାଶ-ଦୀପ ପରି ଜଳୁଥିବା ଇଲେକ୍‌ଟ୍ରିକ୍‌ ବଲବ ତଳେ ସେମାନେ କବିତା ପଢ଼ିବେ, ସ୍ଵପ୍ନର, ବିଷାଦର ଅବା ସଂଭାବନାର । ସେଦିନ ଯୋଉମାନେ ଆମେ ଏକାଠି ହୋଇଥିଲୁ ଜୀବନର ଗତିପଥରେ ସେମାନେ କିଏ କୁଆଡ଼େ ଓହ୍ଲେଇ ଗଲେଣି । ରାଜୁ ମିଶ୍ର, ସପନ ପାଲିତ୍, କଲ୍ୟାଣ ଦତ୍ତ, ସୁବର୍ଣ୍ଣା ପାଲ ଏମିତି ଏମିତି । ଏବେ କାହାର ପିଲା ବଡ଼ ହୋଇଗଲେଣି । କଲେଜରେ ପାଠ ପଢ଼ିଲେଣି । ସେଦିନର ଅବୋଧ କଅଁଳ କିଶୋରମାନେ ଆଜି ଏ ପୌଢ଼ ଜୀବନରେ । ସେ ଦିନର ମୃଣ୍ମୟୀ ପାଖରେ କରିଥିବା ଶପଥ ବିଷୟରେ କେହି କେବେ ଭାବୁଥିବେ କି ନାଇଁ ଅବା ମନେ ପକାଉଥିବେ କି ନାହିଁ । ହେଲେ ପ୍ରତିଥର ନୂଆବର୍ଷ ଆସିଲା ବେଳେ ଯେତେବେଳେ ସେକେଣ୍ଡ କଣ୍ଟାଟା ନୂଆବର୍ଷ ଆଡ଼କୁ ଡେଇଁ ପଡ଼ୁଥାଏ ମୋ ଛାତିଟା ଦପ୍ କରି ହୋଇଯାଏ । ଚକ୍‌ଚକ୍‌ କରି ଆଖି ଆଗରେ କେତେ ଓଲଟପାଲଟ ହୋଇଯାଏ । ରକ୍ତ ହଳଦି ରଂଗର ସେଇ ଝିଅଟା ଆଖି ଆଗରେ ଛିଡ଼ା ହୋଇଯାଇ କେତେ କ’ଣ ପ୍ରଶ୍ନ ପଚାରିଯାଏ । ଅନ୍ୟମନସ୍କ ହେଇ ପ୍ଲାଟ୍‌ଫର୍ମକୁ ଓହ୍ଲେଇ ପଡ଼ିଲା ବେଳକୁ ବନ୍ଧୁ ଥାନା ଅଫିସର ଦେଖାହେଲେ । ବହୁତ କଡ଼ା ଆଉ ନିର୍ଭୀକ ଅଫିସର ଭାବରେ ନାଁ ଅଛି ତାଙ୍କର । କିନ୍ତୁ ସେଦିନ କାଇଁ ଅନେକ ଭାବରେ ବିମର୍ଷ ଦେଖାଯାଉଥିଲେ ସେ । ଜନଗହଳି ଏକ ନମ୍ବର ପ୍ଲାଟଫର୍ମରୁ ସିଡ଼ି ପଟେ ତିନିନମ୍ବର ପ୍ଲାଟଫର୍ମକୁ ନେଇ ଯାଇ ଚୁପ୍‌ଚାପ୍ ମୋ ହାତକୁ ବଢ଼େଇ ଦେଲେ ଖଣ୍ଡେ କାଗଜ । ଚାରି ଚଉତ କରା । ମତେ କହିଲେ ‘‘ଲୁଚେଇ ରଖ, ପରେ ପଢ଼ିବୁ । ଚିଠିଟା ସିରିୟସ୍ ତେଣୁ ସିଜର ଲିଷ୍ଟରେ ନେବିନି । କେତେ ସାମ୍ବାଦିକ ଏଠି ବୁଲୁଛନ୍ତି ।” ସୁନା ପିଲାଟି ପରି କଥା ମାନି କାଗଜଟି ପକେଟ୍‌ରେ ରଖିଦେଲି ।

 

ଜଗନ୍ନାଥ ଏକ୍‌ସ୍‌ପ୍ରେସ୍ ଏଯାଏ ଛିଡ଼ା ହେଇଚି । ଚକତଳେ ମଣିଷଟାଏ । ମତେ ସେ ଦେଖାଇ ଦେଲେ କଲେଜ ପଢ଼ୁଆ ଝିଅଟେ ଆତ୍ମହତ୍ୟା କରିଛି । ଲାଲ୍ ହଳଦି ରଙ୍ଗର ଶାଢ଼ିଟା କୁତାକୁତା ହେଇ ଗୁଡ଼େଇ ହୋଇଯାଇଛି ଚକରେ । ମାଂସ ସବୁ ଗୁଣ୍ଡ ଗୁଣ୍ଡ ହୋଇ ଯାଇଛି । ରକ୍ତ ସବୁ ଟିପି ଟିପି ହେଇ ଛିଟିକି ପଡ଼ିଛି । ଆଖି ବୁଜି ହୋଇଗଲା ମୋର । ନୀରବରେ ଯାତ୍ରୀସବୁ ଠିଆ ହୋଇଛନ୍ତି । ଶବ କଢ଼ା ହେବ । ଗାଡ଼ି ପୁଣି ଚାଲିବ ତାର ଗନ୍ତବ୍ୟ ପଥରେ । ବନ୍ଧୁ ଥାନା ଅଧିକାରୀ ପ୍ରାୟ କିଛି ବିବାଦୀୟ କଥାବସ୍ତୁ ଥିବାର ଜାଣି ଏକ ସଂଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ଏଡ଼େଇ ଯିବା ପାଇଁ ଚିଠିଟିକି ଚପେଇ ଦେଲେ ।

 

ମୃଣ୍ମୟୀ ଥିଲା ସମସ୍ତଙ୍କର ଗୋଟାଏ ଆକର୍ଷଣ । ଧଳା ଦେହରେ ଆକାଶୀ ରଙ୍ଗର ପାଢ଼ି ଥିବା ଲୁଗା ପିନ୍ଧି କଲେଜ ରାସ୍ତାରେ ଗଲାବେଳେ ସେ ସମସ୍ତଙ୍କ ଠାରୁ ନିଆରା ଦିଶେ । ନବବର୍ଷର କବିତା ପାଠୋତ୍ସବରେ ସେ ଥାଏ ଏକ ବିଶେଷ ଆକର୍ଷଣ । ଅନ୍ୟାୟ ଅତ୍ୟାଚାର କଥା ପଡ଼ିଲେ ସେ ଅଗ୍ନିର ଝୁଲ ଖଣ୍ଡେ ପାଲଟିଯାଏ । ନଜରୁଲ, ବୀର କିଶୋର ଅବା ବାଞ୍ଛାନିଧିଙ୍କର କବିତାକୁ ଖୁବ୍ ଚମତ୍କାର ଭାବେ ଆବୃତ୍ତି କରେ ଝିଅଟି । ତା ଠାରୁ “ଦୁଃଖିନୀ କନିକା” କବିତାର ଆବୃତ୍ତି ଶୁଣିଲେ ଆମର ଏଇମାତ୍ର ଇଚ୍ଛା ହୁଏ । ରାଜାର ଛାତିରେ ବନ୍ଧୁକର ସଂଗୀନ୍‌ଟାଏ ଭୁଷିଦେବାକୁ ।

 

ଘର ତାର କେନ୍ଦ୍ରାପଡ଼ା ଠାରୁ ଆହୁରି ତଳକୁ । ବ୍ରାହ୍ମଣୀ ନଦୀ ପାର ହେଲେ ପଡ଼େ । ଗାଁ ସ୍କୁଲରୁ ପାଠ ପଢ଼ିସାରି କଟକ ଆସିଥିଲା । ସାଙ୍ଗ ପିଲାଙ୍କ ଆଗରେ ସେ ଅନେକ ସମୟରେ ତା ଘରକଥା ତା ବାପାଙ୍କ କଥା ତା ଅଞ୍ଚଳ କଥା କହିଥାଏ । ଆଗରୁ ସେଠି ଥଲା ରାଜାର ଶାସନ । ମନହେଲେ ରାଜାର ପିଆଦା ଆସି ଗାଁ ଦୁଆରୁ ଝିଅ ବୋହୂଙ୍କୁ ଧରି ନେଇଯାଏ । ରାଜ୍ୟର ସବୁ ସଂପତ୍ତି ରାଜାଙ୍କର । ଏପରିକି ମଣିଷଗୁଡ଼ାକ ଉପରେ ତାଙ୍କର ଉପଭୋଗର ଅଧିକାର । ଖୋଳା ନଈରେ ବୋଇତ ନେଇ ରାଜା ଗଲାବେଳେ ବାଟରେ ଗାଁ ଝିଅବୋହୁଙ୍କୁ ଭିଡ଼ି ନଈରେ ଗାଧୋଇବାକୁ ବାଧ୍ୟ କରାଯାଏ । ସ୍ନାନରତା ରମଣୀମାନଙ୍କର ଭିଜା ଦେହର ସୌନ୍ଦର୍ଯ୍ୟକୁ ଉପଭୋଗ କରି ରାଜାର ବୋଇତ ଚାଲିଯାଏ । ରାଜାଠାରୁ ଆହୁରି ଭୟଙ୍କର ରାଜକର୍ମଚାରୀ । କଅଁଳ ଛନଛନ ଭେଣ୍ଡି ଗଛଟାଏ କାହା ବାଡ଼ିରେ ଉଠିଲେ ରାଜାର ପିଆଦାର ପାଟିରୁ ଲାଳ ବୁହେ । ପଦୁଟିଏ ପାଟି ଖୋଲିଲେ ରାଜ ଅତ୍ୟାଚାରର ସୀମା ନଥାଏ । ମଣିଷକୁ କଷ୍ଟ ଦେବାରେ ସେମାନଙ୍କୁ ବହୁତ ପୈଶାଚିକ ଆନନ୍ଦ ମିଳେ । ରାଜଦୁଆରେ ଖଟି ଖଟି ମଣିଷଗୁଡ଼ାକ କୁରୁମ ପାଲଟି ଯାଆନ୍ତି । କନିକା ସତରେ ଗୋଟାଏ ଅଗନାଅଗନି ରାଜ୍ୟ । ଚାରିପାଖ ସାରା ନଈ । ହେଲେ ମଣିଷ ପିଠିରେ ପଥର ଯାଇ ସେଠି ପ୍ରାସାଦ ହେଇଛି । ସେଇ ପ୍ରାସାଦରେ କେତେ ଫିରିଙ୍ଗି ସାଇବ ସୁରାସାକୀରେ ମସଗୁଲ ହୋଇଛନ୍ତି । ନରମ କୁକୁଡ଼ାର ଗୋଡ଼ ପରି କେତେ ତରୁଣୀଙ୍କର ଦେହର ହାଡ଼କୁ ସେମାନେ ଭାଙ୍ଗି ଦେଇଛନ୍ତି ।

 

ହେଲେ ରାଜାର ବେଡ଼ି କୋରଡ଼ାକୁ ନଡ଼ରି ଯେଉଁ କେତେଜଣ ସ୍ୱର ଉଠାଇଥିଲେ ସେ ଭିତରେ ଥିଲେ ତା’ର ବାପା । ବୋଉଠାରୁ ଓ ପୁଣି ତା’ର ସମବୟସୀ କିଛି ଲୋକଙ୍କ ଠାରୁ ସେ ଶୁଣିଛି ତା ବାପାଙ୍କ କଥା । ରାଜା ବିରୁଦ୍ଧରେ ପ୍ରତିବାଦ କରିଥିଲେ ସେ । ରାଜ ପ୍ରାସାଦ ଆଗରେ ସେ ଅନଶନ କରି ବସି ରହିଥିଲେ ରାଜାର ରୁଚିହୀନ ବିକୃତ ଯୌନ ଖିଆଲ ବିରୁଦ୍ଧରେ । ପ୍ରତିବଦଳରେ ତାଙ୍କୁ ଅତ୍ୟାଚାରିତ ହେବାକୁ ପଡ଼ିଥିଲା । କିନ୍ତୁ ଖୋଳା ନଈରେ ରାଜାର ବୋଇତ ଗଲାବେଳେ ଗ୍ରାମ୍ୟ ଲୋକମାନଙ୍କୁ ଆଉ ଉଲଗ୍ନ ସ୍ନାନ କରିବାକୁ ବାଧ୍ୟ କରାଗଲା ନାହିଁ । ହେଲେ ବାପାଙ୍କ ଉପରେ ତା’ର କରାଯାଇଥିବା ଅକଥନୀୟ ଅତ୍ୟାଚାର ! ଘଣ୍ଟଘଣ୍ଟା ଆରତି ଧ୍ୱନି ମଧ୍ୟରେ ତାଙ୍କ ଉପରେ ପ୍ରହାର କରାଯାଇଥିଲା । ରାଜା ଆଉ ରାଜ କର୍ମଚାରୀମାନେ ତାଙ୍କୁ ସତର୍କ କରାଇ ଦେଇଥିଲେ ଆଉ ଥରେ ରାଜାଙ୍କ ବିରୁଦ୍ଧରେ ସ୍ୱର ଉଠାଇଲେ–ତାଙ୍କ ସ୍ତ୍ରୀଙ୍କୁ ବି ସେଇ ଘଣ୍ଟାଘର ଭିତରକୁ ଧରି ନେଇଯିବେ ।

 

କିନ୍ତୁ ଉଣେଇଶ ଶତଚାଳିଶ ଅଗଷ୍ଟ ଚଉଦ ରାତିରେ ରାଜାର ସେ ସ୍ୱପ୍ନ ଭାଙ୍ଗିଗଲା । ରାଜା ପ୍ରଜା ସବୁ ସମାନ ହୋଇଗଲେ । ସେଦିନ କୁଆଡ଼େ ତା ବାପା ଦାଣ୍ଡଧୂଳିରେ ଗଡ଼ିଯାଇ “ଏ ମାଟି ମୋର, ଏ ମା’ ମୋର” ବୋଲି ଚିତ୍କାର କରିଥିଲେ । ବ୍ରାହ୍ମଣୀ ନଦୀର ପାଣିକୁ ଆଞ୍ଜୁଳା ଆଞ୍ଜୁଳା କରି ମୁହଁକୁ ଛାଟି ଏବେ ମଧ୍ୟ ଉପର ମୁଣ୍ଡରୁ ବାଜିରାଉତର ରକ୍ତ ଭାସି ଆସୁଛି ବୋଲି ସମସ୍ତଙ୍କୁ କହିଥିଲେ । ହେଲେ ରାଜାଘର ପିଆଦା ତାଙ୍କ ପେଟରେ ଯେଉଁ ଘୁସି ମାରିଲେ, ଅନେକଦିନ ପରେ ସେଠି ଆବୁଟାଏ ବାହାରିଲା । ଚିକିତ୍ସା ଠିକ୍ ଭାବରେ ହେଇ ପାରିଲା ନାହିଁ । ବ୍ରାହ୍ମଣୀ ନଈକୂଳରେ ପାତ୍ରପୁର ଗାଁର ଶ୍ମଶାନରେ ବାପା ତା’ର ପାଉଁଶ ହୋଇ ମାଟିରେ ମିଶିଗଲେ-। ପଛରେ ରହିଗଲେ ନିଆଶ୍ରୀ ମଣିଷ କେଇଟା ।

 

ହେଲେ ଝଡ଼ ବର୍ଷାରେ ଭାଙ୍ଗି ନ ପଡ଼ିଥିବା ଝିଅଟି ସମୟର ପ୍ରବାହରେ କଟକ ସହରକୁ ଆସିଥିଲା ପାଠ ପଢ଼ିବା ପାଇଁ । ସ୍ୱାଭିମାନୀ ଝିଅଟିଏ । ଅନ୍ୟାୟ ଟିକିଏ ଦେଖିଲେ ଚିଇଁକି ଉଠେ । ସାଲିସ୍‌ ପ୍ରାୟ ତା ଜାତକରେ ନାହିଁ । କଟକ ସହରରେ ଯୋଉଦିନ ସେ ନିରୀହ ଜନତା ଉପରେ ପୋଲିସ୍‌ ଗୁଳିଚାଳନା ପ୍ରତିବାଦରେ କାନ୍ଧରେ ଜାତୀୟ ପତାକା ପକେଇ ସହର ପରିକ୍ରମା କଲା, ଦେଖିଥିବା ଲୋକେ ଜାଲିଆନାଓ୍ୱାଲାବାଗ ହତ୍ୟାକାଣ୍ଡ ବିରୁଦ୍ଧରେ ସରଳାଙ୍କର ପ୍ରତିବାଦ ଶୋଭାଯାତ୍ରା କଥା ମନେ ପକେଇଲେ । ଅସମ୍ଭବ ନୈତିକ ସାହସ ତା’ର । ବେଳେ ବେଳେ ସହରତଳି ମଜଦୁର ବସ୍ତିରେ ଦେଖିବାକୁ ମିଳେ ତାକୁ । ଦେଶୀମଦର ଭଣ ଭଣ ଗନ୍ଧ ଉଠୁଥିବା ଅଂଚଳକୁ ତାର ଅଳ୍ପ ଦିନର ଯିବାଆସିବା ଭିତରେ ସେ ସୁବାସିତ କରିଦେଲା । ବସ୍ତିର ଅସନା ମସନା ପିଲାଙ୍କୁ କୋଳରେ ଜାକିଧରି ସେମାନଙ୍କୁ ସଫା ସୁତୁରା ରଖିବା, ପାଠ ପଢ଼ାଇବା ବିଷୟରେ ସମସ୍ତଙ୍କୁ ବୁଝାଇଲା । କେତେଥର କଲେଜରୁ ଆମେ କେତେପିଲା ମଧ୍ୟ ତା' ସାଥିରେ ସେଠିକୁ ଯାଇଛୁ । ଛୋଟ ପିଲାମାନଙ୍କ ହାତଧରି ତନ୍ମୟ ହେଇ ସେ ପଢ଼େଇ ଦିଏ “ଆମେ ଚଳାଇଛୁ ଦେଶ ଆମରି, ଆମରି ନାଆରେ ଆମେ ନାଉରି’’ । ବୁଝାଏ ତାଙ୍କୁ- ବିଦେଶୀ, ଚାଲି ଯାଇଛନ୍ତି । କେତେ ଅନ୍ୟାୟ ଅତ୍ୟାଚାରର ଯବନିକା ପଡ଼ିଛି । କହେ ସେ ସେଇମାନଙ୍କର କାହାଣୀ, ଯେଉଁମାନେ ନିଜର ଜୀବନ, ଯୌବନକୁ ଦଳିଦେଇ ଦେଶମାତୃକା ପାଇଁ ବରି ନେଇଥିଲେ କାରା ଆଉ ଶୃଙ୍ଖଳ । ଆଣ୍ଡାମାନ୍ ନିକୋବର ଦ୍ୱୀପରେ ନିର୍ବାସନ । ପଛରେ ପକେଇ ଦେଇଥିଲେ ଶିଶୁର ଦରୋଟି ଭାଷା, ତରୁଣୀ ବଧୂର ମୋହ ।

 

ସେ ଥିଲା ରାଜନୀତି ବିଜ୍ଞାନ ଅନର୍ସର ଛାତ୍ରୀ । ପ୍ରାୟ ପ୍ରାଞ୍ଜଳ ଭାବରେ ସେ ପଢ଼ିଥିଲା ‘ଆରିଷ୍ଟୋଟଲ୍‍ରୁ ଗାନ୍ଧୀ ପର୍ଯ୍ୟନ୍ତ ରାଜନୈତିକ ବିଚାର ଧାରାକୁ । ଆଲୋଚନା ବେଳେ ସେ ଯୁକ୍ତି କରେ ସଭ୍ୟତାର ପ୍ରାରମ୍ଭ ଆଗରୁ ମଣିଷ ବଣଜଙ୍ଗଲରେ ଏକଲା ବୁଲୁଥିଲା । ତାର ରହିବା ପାଇଁ ବାସ ନଥିଲା । ତାର ବନ୍ଧୁ ବାନ୍ଧବ ବୋଲି କେହି ନଥିଲେ । ପଶୁ ସାଥରେ ସେ ବି ଦୌଡ଼ୁଥିଲା । ସେତେବେଳେ ସବୁ ମଣିଷ ଥିଲେ ସମାନ । ସବୁ ସଂପତ୍ତି ଉପରେ ସମସ୍ତଙ୍କର ସମାନ ଅଧିକାର ଥିଲା । ତା ପରେ ମଣିଷଟିଏ ସ୍ଥିର ହୋଇ କୋଉଠି ବସି ପଡ଼ିଲା । ସୁରକ୍ଷା ପାଇଁ ଖାଦ୍ୟ ପାଇଁ ଜଣେ ଆଉ ଜଣଙ୍କ ସାଥିରେ ହାତ ମିଳେଇଲା । ଜଣରୁ ଗଣର ସୃଷ୍ଟି ହେଲା । ସେଇଠୁ ସୃଷ୍ଟି ହେଲା ପରିବାର, ଗ୍ରାମ, ଦେଶ, ମହାଦେଶ, ସମସ୍ତେ ମିଳି କିଂଚିତ ସ୍ୱାଧୀକାର ପ୍ରତିବଦଳରେ ପାଇଲେ ସୁରକ୍ଷା । ହେଲେ ସେ ଦଳପତି ଯୋଉଦିନ କ୍ଷମତାକୁ ଜାବୁଡ଼ି ଧରିଲା, ସମାନ ମଣିଷକୁ ଅସମାନ ବୋଲି ଭାବିଲା ସେଦିନ ସାଧାରଣ ମଣିଷ ବାଷ୍ଟାଇଲ, ଭାଙ୍ଗିଦେଲା ଅବା ଇରମ, ନୀଳକଣ୍ଠପୁର କି ଜାଲିଆନାୱାଲାବାଗରେ ବନ୍ଧୁକ ଆଗକୁ ଡେଇଁ ପଡ଼ିଲା ।

 

ସାଙ୍ଗ ପିଲାଏ ବିଶେଷ କରି ଯୋଉମାନେ ଆମେ, ସ୍ଵପ୍ନ ଦେଖିବାକୁ ଭଲପାଉଥିଲୁ ବେଳେ ବେଳେ ତାକୁ ଥଟ୍ଟାରେ “ଭାରତ ମାତା” ବୋଲି କହୁ । ଶିଳ୍ପୀ ପ୍ରାୟ ତାରି ଚେହେରାକୁ ନେଇ ଭାରତ ମାତାର ରକ୍ତମାଂସର ମୂର୍ତ୍ତିଟିକୁ ଆଙ୍କିଛି ବୋଲି କହୁ ।

 

ସେ ବର୍ଷ ମଧ୍ୟରାତ୍ରି କବିତା ପାଠୋତ୍ସବ ବେଳେ ଆମେ ମୃଣ୍ମୟୀକୁ ଅନେକ ସମୟ ଧରି ଅପେକ୍ଷା କଲୁ । ସୁନ୍ଦର କବିତା ସଂଯୋଜନା କରେ । ପ୍ରାଣବନ୍ତ ଭାବରେ ସେ ସମସ୍ତଙ୍କୁ ନେଇଯାଏ ଏକ କଳ୍ପିତ ରାଜ୍ୟକୁ । ଅନେକ ପ୍ରତୀକ୍ଷା ପରେ ବିଳମ୍ବରେ ଆମେ ରେଲୱେ ଷ୍ଟେସନର ତିନି ନମ୍ବର ପ୍ଲାଟଫର୍ମର ସେଇ ବତୀଖୁଣ୍ଟ ତଳେ କବିତା ପାଠୋତ୍ସବ ଆରମ୍ଭ କଲୁ । ହେଲେ ଯେତେବେଳେ ସେକେଣ୍ଡ କଣ୍ଟାଟା ଆରବର୍ଷ ଭିତରକୁ ଡେଇଁ ପଡ଼ିବାକୁ ଯାଉଥିଲା, ସେତେବେଳେ ଆମସମସ୍ତଙ୍କୁ ଚକିତ କରି ଆମ ଆଗରେ ଯିଏ ଠିଆ ହୋଇଥିଲେ ସେ ଥିଲେ ସ୍ଥାନୀୟ ରେଳବାଇ ଥାନାର ଭାରପ୍ରାପ୍ତ ଅଧିକାରୀ । ସେ ଯାହା ଖବର ଦେଲେ ତା ଥିଲା ଅଶେଷ ମର୍ମନ୍ତୁଦ ।

 

ଟ୍ରେନ ଚକ ପାଖକୁ ଆମେ ଦେଖୁଥିଲୁ, ଲାଲ୍ ହଳଦି ରଙ୍ଗର ଶାଢ଼ିଟାଏ ଗୁଡ଼େଇ ହୋଇ ରହିଛି । ଚକରୁ ଚକକୁ ରକ୍ତ ସବୁ ନେସି ହୋଇଯାଇଛି ଚକସାରା । ଚାରିଆଡ଼ ସ୍ତବ୍‍ଧ । ଅନେକ ଲୋକ ଠିଆ ହୋଇଛନ୍ତି । କେବଳ କୋଇଲା ଇଂଜିନରୁ ଭସଭସ୍ ହୋଇ ବାହାରୁଥିବା ଧୂଆଁର ଶବ୍ଦ । ମୃଣ୍ମୟୀ ଆଉ ନଥିଲା । ସେ ଆତ୍ମହତ୍ୟା କରିଛି ।

 

ସେ ଘଟଣାର କିଛିଦିନ ଆଗରୁ ସେ ସମ୍ପୂର୍ଣ୍ଣ ନିରବି ଯାଇଥିଲା । କାହାକୁ କିଛି ନ କହି ଅନେକ ସମୟ ହଷ୍ଟେଲ୍ କୋଠରି ମଧ୍ୟରେ ବନ୍ଦ ହୋଇ ରହୁଥିଲା । ତାର ଅତ୍ୟନ୍ତ ଘନିଷ୍ଠ ସାଙ୍ଗମାନଙ୍କ ଠାରୁ ଯେଉଁ କଥାଟା ବାହାରିଲା ତାହା ଆମ ସମସ୍ତଙ୍କୁ ପଥର କରିଦେଲା । ଗାଁରେ ତା’ର ବାପ ମରିଗଲା ପରେ ଛୋଟ ଭାଇ ଓ ମା’ । ଅତି ବ୍ୟଗ୍ରତାର ସହ ଚାକିରିଟିଏ ଖୋଜୁଥିଲା ଝିଅଟି, ଚରମ ଦାରିଦ୍ର୍ୟରୁ ମୁକ୍ତି ପାଇଁ । ଆମେ ଦେଖିଛୁ ସେ ଅନେକଥର ଭୁବନେଶ୍ୱର ଯାଏ । ତା’ ବାପାଙ୍କର, ଜେଲ୍ ଜୀବନର ସାଥୀ ସେଦିନ ମନ୍ତ୍ରୀ । ସ୍ୱାଧୀନତାର ଗଙ୍ଗାରେ ଡୁବ ମାରି ସାରିଥିବା ଓ ଅତୀତର ଗୁଳିକାଣ୍ଡ ଭିଆଇଥିବା ଜିଲ୍ଲା ମାଜିଷ୍ଟ୍ରେଟ୍ ମାଥ୍ୟୁସ୍ ସାହେବ ଆଜି ବରିଷ୍ଠ ପ୍ରଶାସକ ।

 

ଦିନେ ପ୍ରାୟ ସେ ଅନୁଭବ କଲା ଯେ ଏକ ଜଉ ଘରେ ପଶି ଯାଇଛି । ପାଣ୍ଡବମାନଙ୍କ ପାଇଁ ସିନା ବିଦୁର ଏକ ଗର୍ତ୍ତପଥ ପ୍ରସ୍ତୁତ କରିଥିଲେ । ହେଲେ ତା ପାଇଁ ପ୍ରାୟ ସମସ୍ତ ବାଟ ବନ୍ଦ ଥିଲା । ବନ୍ଦ ଘରେ ସେ ଦେଖିଲା ରାଜାଟା ସିନା ମୁକୁଟ ପିନ୍ଧିନି, ଖଣ୍ଡା ତରୁଆଲ୍ ଧରିନି, ହେଲେ ତା ଭିତରେ ମଣିଷଟା କିଛି ବଦଳିନି । ତା’ର ପିଆଦାଟା ଠିକ୍ ସେମିତି ବେଭାର କରୁଛି । ସେହି ପୋଲିସ୍ ସାହେବ, ସେହି ଅମଲା, ପୁଣି ସେହି ଆଦବ କାଇଦା, ସେଇ ନାଲି ଗାଲିଚାରେ ଶାସକର ଅଭ୍ୟର୍ଥନା । ସେହି ପୁରୁଣା ରେଲ୍ ଇଞ୍ଜିନ୍‍କୁ ପୁଣି ଗୋରା ସାହେବ ବଦଳରେ ଚଳାଉଛି କଳା ଡ୍ରାଇଭର ।

 

ରାଜା ସିନା ତା’ର ସଂଗ୍ରାମୀ ବାପାଙ୍କୁ ଧମକ ଦେଇଥିଲା, ତା’ର ମା’କୁ ଘଣ୍ଟାଘର ଭିତରକୁ ଧରିନେଇ ଅତ୍ୟାଚାର କରିବ ବୋଲି । ରାଜା ସିନା ତା’ର ମନୋରଞ୍ଜନ ପାଇଁ ଖୋଳା ନଈରେ ବୋଇତ ନେଇ ଗଲାବେଳେ ଗ୍ରାମ୍ୟ ଲଳନାମାନଙ୍କୁ ବାଧ୍ୟ କରୁଥିଲା ନଈରେ ଭିଜି ଭିଜି ଗାଧୋଇବାକୁ । ରାଜାର ଛତ୍ରଛାୟା ତଳେ ଅମଲା ପିଆଦା ସିନା ନିଜକୁ ଠିକ୍ ରାଜା ପରି ସଜେଇ ରଖୁଥଲେ, କିନ୍ତୁ ମୃଣ୍ମୟୀ ହତବମ୍ବ ହୋଇଯାଇଥିଲା; ଯୋଉଦିନ ତା’ର ଦାରିଦ୍ର୍ୟର ସୁଯୋଗ ନେଇ ସେମାନେ ଓହ୍ଲେଇ ନେଇଥିଲେ ତାକୁ ତଳକୁ । ଦାରିଦ୍ର୍ୟର ପ୍ରତିବଦଳରେ ସେମାନେ ତାକୁ ଅବତୀର୍ଣ୍ଣ କରାଇଥିଲେ ଠିକ୍ ସେହି ଭୂମିକାରେ । ଖୋଳା ନଈ ନୁହେଁ କୋଣାର୍କ ହୋଟେଲ୍‌ର ରୁମରେ ଭିଜି ଭିଜି ସେମାନଙ୍କ ପାଖରେ ନିଜକୁ ସମର୍ପି ଦେଇଥିଲା । ରାଜା ସିନା ପ୍ରହାର କରୁଥିଲା, ହେଲେ ଗଣତନ୍ତ୍ରରେ ବୁଝାମଣାର ଅଛିଣ୍ଡା ଜାଲଟିଏ ବିଛେଇ ଦେଇଛନ୍ତି, ନିଜ ଭିତରେ ସୁନ୍ଦର ସମନ୍ୱୟ ରକ୍ଷା କରିଥିବା ନେତୃତ୍ୱ ଆଉ ଅମଲାତନ୍ତ୍ର ।

 

ଜଣା ପଡ଼ିଥିଲା, ହଷ୍ଟେଲରେ ସେ ରାତିରେ ଶୋଇଥିଲା ବେଳେ ନିଦ ବାଉଳାରେ କେତେ କ’ଣ କହେ- ପିଆଦା ଆସୁଛି “ପିଆଦା ଆସୁଛି” ବୋଲି ଚିତ୍କାର କରେ । ଚେତନାରେ ଥିଲା ବେଳେ ଚୁପଚାପ୍ ଘନିଷ୍ଠ ସାଙ୍ଗ ଦେଖି କହେ “କିଛି ବଦଳିନି ଏ ଦେଶରେ’’ । ସଭା ସମିତିକୁ ଆଉ ଯାଏନା । ମଣିଷ ଦେଖିଲେ ମୁହଁ ତଳକୁ କରି ଚାଲିଯାଏ । ମୃଣ୍ମୟୀ ଦେଖିଲା ଶାସକ ଆଉ ଅମଲାତନ୍ତ୍ର ସୁନ୍ଦର ଜାଲ ପାତି ବସିଛନ୍ତି । ସୁନ୍ଦର ଚକ୍ ଚକ୍ ମାଛ ପରି କେତେ ଭାରତ କୁମାରୀ ସେମାନଙ୍କ ଖାଳେଇରେ ଭର୍ତ୍ତି ହୋଇଯାଉଛନ୍ତି ।

 

ମୃଣ୍ମୟୀ ପ୍ରତିବାଦ କଲାନାହି, ଆତ୍ମହତ୍ୟା କଲା । ସେଦିନ ମୃଣ୍ମୟୀର ମୃତ୍ୟୁ ପରେ ଆମେ ଯେଉଁମାନେ ଥିଲୁ ନବବର୍ଷର ସୂର୍ଯ୍ୟକୁ ଚାହିଁ ଶପଥ ନେଇଥିଲୁ “ଆଉ ଏପରି ଘଟଣା ଭାରତବର୍ଷରେ ଘଟିବାକୁ ଦେବୁନି’’ । ସ୍ଥିତପ୍ରଜ୍ଞ ବନ୍ଧୁ ଜଣେ ମତ ଦେଲେ ‘‘ଏହା ରହିବ ନାହିଁ, ସବୁ ବଦଳିଯିବ, ସବୁ ବଦଳିଯିବ" । ସମସ୍ତେ ଦୋହରେଇଥିଲେ, “ସବୁ ବଦଳିଯିବ”, “ସବୁ ବଦଳିଯିବ”-। ଉତ୍ତାପିତ ମୁହୂର୍ତ୍ତ ଶୀତଳ ହୋଇଗଲା ପରେ ମଣିଷ ମନ ବଦଳିଯାଏ । ହେଲେ କେଉଁଦିନ ନ ହେଲେ ବି ନବବର୍ଷ ଆସିବା ରାତିରେ ମୁଁ ଅଧେର୍ଯ୍ୟ ହୋଇଉଠେ । ଅଧିକାଂଶ ଥର ଚାଲିଯାଏ ସେହି ରେଲଓ୍ୱେ ପ୍ଲାଟଫର୍ମକୁ । ସବୁ କିଛିକୁ ରୋମନ୍ଥନ କରେ । ହେଲେ ଆଜି ?

 

ପୁଣି ଥରେ ଦେଖୁଚି ପଚିଶି ବର୍ଷ ପରେ ଟ୍ରେନ୍ ଚକ ତଳେ ଚକଟି ହୋଇ ଝିଅଟେ ଝୁଲୁଛି । ତା’ର ହାତ ଲେଖା ଚିଠିଟା କ’ଣ ସେ ଲେଖିଛି ଯେ, ବାହାରକୁ ପ୍ରକାଶ ପାଇଲେ ନିଆଁ ଲାଗିଯିବ । ଥାନା ଅଫିସର ବନ୍ଧୁ ମୋ ପାଖରେ କି ବିଶ୍ଵାସ, ପାଇଲେ ତା ଚିଠିଟା ଲୁଚାଇବାକୁ ଦେଇଗଲେ । କିନ୍ତୁ ସେ ଚିଠିରେ କ’ଣ ଅଛି ମୋ ହାତ ପୋଡ଼ିଯାଉଛି । ଝିଅଟାର ମୃତ୍ୟୁସହ ବରିଷ୍ଠ ରାଜନୈତିକ ନେତା କି ପଦାଧିକାରୀ ସଂପୃକ୍ତ ହୋଇଥିବେ ? ସେମାନେ କ’ଣ ଆୟାରଲାଣ୍ଡ କି ସ୍କଟ୍‌ଲାଣ୍ଡରୁ ଆସିଥିବେ ? ନା ସେମାନେ ଆମ ଭୋଟ ବାକ୍ସରୁ କ୍ଷମତା ପାଇଥିବେ । ମୋର ମନେହେଲା ପ୍ରତିବର୍ଷ ନବବର୍ଷରେ ମୃଣ୍ମୟୀ ପୁଣି ଥରେ ଆସି ରେଳ ଇଂଜିନ୍‌ର ଚକତଳେ ଶୋଇ ଯାଉଛି । ଖବର କାଗଜ ପୃଷ୍ଠାରେ ଶତ ଶତ ମୃଣ୍ମୟୀର କାହାଣୀ ତାରି ରକ୍ତ ପାଖରେ ଏକଦା ଶପଥକରି ପୂରଣ କରିପାରି ନଥିବା ମୋ ପରି ନପୁଂସକ ଏ ଚିଠିଟି ନେଇ କ’ଣ କରିବ ? ଏ ନପୁଂସକ ସ୍ୱାର୍ଥ ହାସଲ ପାଇଁ ତା’ ପତ୍ନୀ, ଭଗ୍ନୀଙ୍କୁ ରାଜାର ବୋଇତ ଯାତ୍ରା ବେଳେ ଖୋଳା ନଈରେ ଗାଧୋଇବାକୁ ପଠାଇବାକୁ ପ୍ରସ୍ତୁତ । କିନ୍ତୁ ଏ ଚିଠି ଯେ ଆଉ ଗୋଟେ ମଣିଷର ଠିକଣା ଖୋଜୁଛି । ସେଇ ମଣିଷ, ଯିଏ କେବେ କେବେ ଏ ପୃଥିବୀକୁ ରକ୍ତିମ ସୂର୍ଯ୍ୟର ଆଲୋକ ନେଇ ଆସିଛି, ବସନ୍ତର ମଳୟ ନେଇ ଆସିଛି, ରାଜପୁତ୍ର ହୋଇ ମଧ୍ୟ ସନ୍ନ୍ୟାସୀ ସାଜିଛି, ଛାତିରେ କଣ୍ଟା ମାରିଲା ପରେ ବି ସେମାନଙ୍କୁ କ୍ଷମା ଦିଅ ବୋଲି କହିଛି, ଚମଡ଼ାର ହାତରେ ପଥରର ବାଷ୍ଟାଇଲ ଦୁର୍ଗକୁ ଭାଙ୍ଗି ଦେଇଛି । ମୋ ଲୁହ ଭିଜା ଆଖିରେ ତାର ଠିକଣା ପଢ଼ି ପାରୁନି । ଦେଖିଲେ ତାହା ଆପଣଙ୍କର କି ? ଆପଣ ସେଇ ମଣିଷ କି ?

☆☆☆

 

ଅବିନଶ୍ୱର

 

ସେଦିନ ମାଡ୍ରାସ୍ ସେଣ୍ଟ୍ରାଲ୍‌ ଷ୍ଟେସନ୍‌ରେ ଯଦି ବୃଦ୍ଧ ଅଧ୍ୟାପକ ଆଶିଷ ସାମନ୍ତରାୟଙ୍କୁ ଭେଟି ନ ଥାଆନ୍ତି ତେବେ ଆଜି ପରବର୍ତ୍ତୀ ଧାଡ଼ିଗୁଡ଼ିକରେ ଆପଣ ଆଉ ମୋ ଭିତରେ ଯେଉଁ ପରିଚୟର ସେତୁ ଗଢ଼ି ଉଠିବାକୁ ଯାଉଛି ତା ସୃଷ୍ଟି ହୋଇ ନଥାନ୍ତା ।

 

କରମଣ୍ଡଳ ଏକ୍ସପ୍ରେସ୍‌ରେ ମୁଁ ଆସୁଥାଏ ମାଡ୍ରାସରୁ ଭୁବନେଶ୍ୱର । ମୋ ପାଖାପାଖି ବର୍ଥ ପାଇଥିଲେ ପ୍ରଫେସର ଆଶିଷ ସାମନ୍ତରାୟ । ଦର୍ଶନର ଅଧ୍ୟାପକ ଥିଲେ । ରିଟାଏଡ଼ କରିଛନ୍ତି-। ଆଦ୍ୟ ପରିଚୟ ପର୍ବ ସରିଲା ପରେ ଯେମିତି ମୋ ନାଁଟା ଶୁଣିଛନ୍ତି ସେମିତି କହିବା ଆରମ୍ଭ କଲେ । ଅବାରିତ ତାର ଗତି । କ'ଣ ପାଇଁକି କହୁଛନ୍ତି କିମ୍ବା ପ୍ରଶ୍ନର ପ୍ରାସଂଗିକତା କ’ଣ ପଚାରିବାର ସୁଯୋଗ ନଥିଲା । ଅନର୍ଗଳ ଗପି ଚାଲିଥିଲେ ସେ । ଏତେ ତନ୍ମୟ ହୋଇ ଯାଇଥିଲେ ଯେ କିଛି ପଚାରିବା ଲୌକିକତା ବିରୋଧୀ ହେବ ଭାବି କେବଳ ତାଙ୍କ ମୁହଁକୁ ଚାହୁଁଥିଲି ମୁଁ-

 

ସେ ଗପି ଚାଲିଥିଲେ । “ବାର ଦୁଆର ବୁଲି ଶଙ୍ଖା ବେପାର କରୁଥିବା ଶଙ୍ଖାରି ବୁଢ଼ା ବୋହୂଟି ହାତରେ ଶଙ୍ଖା ପିନ୍ଧଉ ପିନ୍ଧଉ ଅଟକିଗଲା । ଏଡ଼ିକି ସୁନ୍ଦର ହାତ । ମଣିଷର ନୁହେଁ, ପ୍ରାୟ ମା’ ଲକ୍ଷ୍ମୀଙ୍କର । କେମିତି ବା ବିଧାତା ଗଢ଼ିଲା ଏତେ ସୁନ୍ଦର କରି । ହାତକୁ ମାନିଲା ଭଳି ଶଙ୍ଖା ନଥିଲା ଶିଙ୍ଖାରିର ବୋଝରେ । ମନକୁ ମନ ବୁଢ଼ା କହିଲା ଆରଥରକୁ ଆସିଲା ବେଳକୁ ଆସମାନ୍‌ତାରା ଶଙ୍ଖା ଆଣିବି । ଉଠିଲା ବେଳେ ମନକୁ ମନ କହୁଥିଲା, ‘‘ମୋ ମା’ ହାତକୁ ଆସମାନତାରୀ ଶଙ୍ଖା ଭଲ ମାନିବ” । ବୋଝକୁ ବେଢ଼ି ଠିଆ ହୋଇଥିବା ପିଲା ମାଇପେ ସମସ୍ତେ ହସି ଉଠିଲେ । ବୋହୂ ସଆନ୍ତାଣୀଙ୍କର ଏତେବଡ଼ ପୁଅଟେ ମିଳିଲା ବୋଲି କହି କାମତୁଣୀ ସ୍ତ୍ରୀ ଲୋକଟି ହସରେ ଘର ଫଟେଇ ଦେଲା । ତା’ପରେ ଘରକୁ ଫେରି ଶଙ୍ଖାରି ବୁଢ଼ା ପଡ଼ିଲା ବେମାର-। ଅନେକ ଦିନ ଧରି ପଡ଼ି ରହିଲା ବିଛଣାରେ । ସବୁବେଳେ ବିଛଣାରେ ପଡ଼ି ପଡ଼ି ଭାବୁଥାଏ ଗୋଟିଏ କଥା କୋଉଦିନ ଯାଇ ମା' ହାତରେ ଆସମାନତାରା ଶଙ୍ଖା ଦି’ମୁଠା ପିନ୍ଧେଇ ଦେଇ ପୁଣିଥରେ ସେ ଗୋରା ଚମ୍ପାଫୁଲପରି ହାତ ଦିଟାକୁ ଓଲଟେଇ ପାଲଟେଇ ଦେଖିବ ।

 

ବାଧକି ଦେହରେ, ଅଶୀତି ବର୍ଷର କଳା କୌଶଳ ଖଟେଇ ବୁଢ଼ା ଶଙ୍ଖା ଗଢ଼ିଲା । ଚୁଡ଼ି ମୁଠିକ ଧରି ଉଦୁଉଦିଆ ଦି ପହରେ ଯାଇ ପହଁଚିଲା ବୋହୂଟିର ଗାଁରେ । ହେଲେ ଜାଗାଟି ତାକୁ କେମିତି କେମିତି ଲାଗିଲା । ତା ଡାକରେ କେହି କବାଟ ଖୋଲିଲେ ନାହିଁ । ଶଙ୍ଖାରି ବୁଢ଼ାର ମା’ ଡାକରେ ହସି ହସି ଗଡ଼ି ଯାଉଥିବା କାମତୁଣୀ ସ୍ତ୍ରୀ ଲୋକଟା ହସ ତ ନୁହେଁ ବରଂ ସନ୍ଦେହ ଚକ୍ଷୁରେ ତାକୁ ଚାହିଁ କବାଟ ବନ୍ଦ କରି ଚାଲି ଯାଉଥିଲେ । ଅନେକ ଅନୁନୟ କଲା ବୁଢ଼ା ମୋ ‘‘ମା’କୁ ଟିକିଏ ଦେଖି ଚାଲିଯିବି ।’’ ଅନୁନୟ ବିନୟର ବିନିମୟରେ ଯିଏ ଆସିଲା ସିଏ ଥିଲା ନିରାଭରଣ ମଥାରୁ ସିନ୍ଦୂର ହାତରୁ ଶଙ୍ଖା ଝଡ଼ି ଯାଇଥିବା ନାରୀଟିଏ । କଚାଡ଼ି ହେଇ ପଡ଼ିଲା ଶଙ୍ଖାରି ବୁଢ଼ା ।

 

ଅସମ୍ଭବ ବେଗରେ ଏତିକି କହିଯାଇ ମୋ ଆଡ଼କୁ ଅଂଗୁଳି ନିର୍ଦ୍ଦେଶ କରି ବୃଦ୍ଧ ଅଧ୍ୟାପକ ଜଣଙ୍କ ପଚାରି ବସିଲେ “କୁହ ତା' ପରେ କ'ଣ ହେଲା ଯୁବକ । କୁହ କୁହ । ଜୋରରେ ମତେ ସେ ହଲେଇ ଦେଲେ । କଣ ସେ ଶୁଣିବାକୁ ଚାହୁଁଛନ୍ତି । କାହିଁକି ବା ଏଇ ପ୍ରତିଷ୍ଠିତ ଗଳ୍ପଟିର ଅବତାରଣା କଲେ । କିଛି କହିବା ଆଗରୁ ମୋ’ ଠାରୁ ପୁଣି ଉତ୍ତର ଆଶା କରି ମୋତେ ସେ ହଲେଇ ଦେଲେ ଇତି ମଧ୍ୟରେ ଲଂଚ୍ ପାଇଁକି ପ୍ରାୟେ କ୍ୟାଟରିଂ ବାଲା ଆମ ଆଡ଼କୁ ଅନେଇ ଅନେଇ ଅର୍ଡ଼ର ନନେଇ ଫେରିଯିବାର ଜାଣି ଅନ୍ୟମନସ୍କ ହେଇ ଉଠିଲି ମୁଁ । ତଥାପି ଭଦ୍ର ଲୋକଙ୍କ କବଳରୁ ମୁକୁଳିବାକୁ ସାଦା ଭାବରେ ଉତ୍ତର ଦେଲି “ହଁ ଚଟାଣରେ କଚାଡ଼ି ହେଇ ପଡ଼ିଲା ଶଙ୍ଖାରି ବୁଢ଼ା ଆଉ ଟୁକୁରା ଟୁକୁରା ହେଇଗଲା ଅନେକ ପରିଶ୍ରମରେ ଗଢ଼ା ଚୁଡ଼ି ମୁଠାକ-।"

 

ଅଧ୍ୟାପକ ହସି ଉଠି କହିଲେ, “ତମେ ବି ଠିକ୍‌ ସେୟା କହିଲ ଚୁଡ଼ି ମୁଠାକ ଭାଙ୍ଗି ଚୁନା ଚୁନା ହୋଇ ଯାଇଥିବ ? ହେଉ ଦେଖ ସେ ଶୃଙ୍ଖାରି ବୁଢ଼ାଟା ସେଇଥିପାଇଁ ଏ ସଂସାରରୁ ମୁକ୍ତି ପାଇନି । ସେ ଅମୋକ୍ଷ ରହିଯାଇଛି । ଏଯାବତ୍ ଦେଖୁଛି ତା’ ହାତରେ ଶଙ୍ଖା ମୁଠିକ ସେମିତି ଚକ ଚକ୍ କରୁଚି । ସେ ଅପେକ୍ଷା କରୁଚି......" ବଲ ବଲ ହେଇ ତାଙ୍କ ମୁହଁକୁ ଚାହିଁଲି ମୁଁ । ଭଦ୍ର ଲୋକଙ୍କୁ ଏତିକି କଥାରେ ଯଦିଓ ସାଧାରଣରେ ପାଗଳ ବୋଲି ଧରି ନେଇ ହେବ ମୁଁ ଆଗକୁ କ’ଣ ଘଟିବାକୁ ଯାଉଛି ବୋଲି ଅପେକ୍ଷା କଲି । ପୁଣି ସେ କହିବାକୁ ଆରମ୍ଭ କଲେ “ଏ କାହାଣୀର ଲେଖକ ‘କାନ୍ତକବିଙ୍କର ଦରଦୀ ଚକ୍ଷୁ ପ୍ରାୟ ଏତକ ଲେଖିଲା ବେଳେ ଲୁହ ଟୁଳ ଟୁଳ ହୋଇ ଉଠିଥିବ ଆଉ ଦୃଷ୍ଟି ଝାପ୍‌ସା ହେଇ ଯାଇଥିବ । ସେ ଠିକ୍ ଦେଖିଥିବେ ବୁଢ଼ା ଶଙ୍ଖାରିଟା ପଥର ଚଟାଣରେ କାଚ ମୁଠାକ ପିଟିଦେଲେ । ଆଉ ପ୍ରାୟ ଦେଖିବାକୁ ତାଙ୍କର ଧୈର୍ଯ୍ୟ ନଥିଲା । ଚୁଡ଼ି ମୁଠାକ ଟୁକୁରା ଟୁକୁରା ହୋଇଗଲା ଭାବି ଶଙ୍କାରି ବୁଢ଼ାକୁ ପାଠକର ଦୁନିଆରେ ଛାଡ଼ି ଚାଲିଗଲେ-। କିନ୍ତୁ କୁହ, ବୁଢ଼ାର ସେ ଶଙ୍ଖା କ’ଣ ଗଢ଼ା ହୋଇଥିଲା କାଚ ଜଉ ଆଉ ଅଠାରେ ? ଯିଏ ଚଟାଣର ଆଘାତ ପାଇଲେ ଭାଙ୍ଗିଯିବ ? ନା, ତା ଥିଲା ମମତା ସ୍ନେହ ଆଉ ଅଶେଷ ଅପାର୍ଥିବ ଭଲ ପାଇବାର ଧାତୁରେ ଗଢ଼ା । ପଥରର ଚଟାଣରେ ପଡ଼ି ଭାଙ୍ଗି ନଯାଇ ବୁଢ଼ା ହାତରେ ଶଙ୍ଖା ମୁଠାକ ଆହୁରି ଚକ୍ ଚକ୍ କରି ଉଠିଲା । ହେଲେ ଦେଖ, ଏବେ ବି ସେ ଶଙ୍ଖାରିବୁଢ଼ା ଠିଆ ହେଇ ପ୍ରତିବାଦ କରୁଚି ସେଇମାନଙ୍କ ବିରୁଦ୍ଧରେ ଯେଉଁମାନେ ରଂଗଭରା ଫୁଲର ଗଛଟାଏ ଦେଖିଲେ ତା’ର ରଙ୍ଗ ଲୁଟି ନବାରେ ଆନନ୍ଦ ପାଆନ୍ତି । ସକାଳର ସୂରୁଜଟାକୁ ଦେଖିଲେ ଆତ୍ମହରା ନ ହେଇ ଭାବନ୍ତି ଚାରି ମେଘ ଘୋଡ଼େଇ ପକାନ୍ତା କି ? ସୌନ୍ଦର୍ଯ୍ୟ ସେମାନଙ୍କର ଶତ୍ରୁ । ତଥାପି ବି ସେଇ ଶଙ୍ଖାରିବୁଢ଼ା ଅପେକ୍ଷା କରୁଚି କୋଉଦିନ ସେଇ ଦରଦୀ ଗାଳ୍ପିକ ଫେରି ଆସିବେ ଆଉ ପୁଣି ମନଗଢ଼ା ଏଇ ସମାଜର ଆଇନ୍ ଭାଙ୍ଗି ତା ମା’ ହାତରେ ଚୁଡ଼ି ମୁଠାକ ପିନ୍ଧେଇ ଦେବେ ।

 

ଅନୁମାନ କଲି ଭଦ୍ର ଲୋକଙ୍କର କିଛି ସମସ୍ୟା ଅଛି । ଯାହା ହେଉ କୌଣସି ମତେ ଟ୍ରେନ୍‌ରେ ତାଙ୍କ ସାଙ୍ଗରେ ଅଠର ଘଣ୍ଟା କଟେଇବାକୁ ପଡ଼ିବ । ମୁହଁରେ ଉକୁଟି ଆସୁଥିବା ବିରକ୍ତି ଭାବକୁ ଚାପି ନେଇ ପଚାରିଲା ଆଖିରେ ଚାହିଁଲି ତାଙ୍କୁ । ସେତେବେଳେକୁ ଭଦ୍ରଲୋକଙ୍କର କହିବାର ବେଗ କମି ଆସିଲା । ଗମ୍ଭୀର ସ୍ୱରରେ ସେ ଆରମ୍ଭ କଲେ ‘‘ମୋ ପୁଅର ନାଁ ସୁଦୀପ୍ତ ସାମନ୍ତରାୟ ।’’

 

ସୁଦୀପ୍ତ ସାମନ୍ତରାୟ । ସୁଦୀପ୍ତ ସାମନ୍ତରାୟ ନାଁଟା ଶୁଣି ମୋ ମୁଣ୍ଡରେ ପ୍ରାୟ କମ୍ପୁଟରର ଅନେକଗୁଡ଼ାଏ ବୋତାମ ଚାପି ହୋଇଗଲା । ପରିଚିତ ପରିଚିତ ଲାଗିଲା ନାଁଟା ।

 

ଆମ ବିଭାଘର ପରେ ଆମ ଘରକୁ ଫୁଲଫୁଟା ଅକ୍ଷରରେ ଯିଏ ଚିଠି ଲେଖୁଥିଲା ସେ ଥିଲା ମୋ ସ୍ତ୍ରୀଙ୍କ ଠାରୁ ତଳ କ୍ଲାସରେ ପଢ଼ୁଥିବା ଆଉ ଏକଦା ତାଙ୍କର ରୁମ୍‌ମେଟ୍ ଥିବା ଝିଅଟିଏ । ନାଁ, ନିଲୁ । ନିଲୁକୁ ମୁଁ କେବେ ଦେଖିନି ହେଲେ ତାର ପ୍ରତିଶ୍ରୁତି, ଅନୁଭୂତି ଆଉ ଅନୁରୋଧଭରା ଚିଠିଟି ଆମ ଘରକୁ ପ୍ରତିଥର ଦମକାଏ ଦମକାଏ ମିଠା ପବନ ନେଇ ପଶିଆସେ । ତା’ପରେ ଆମ ଘରେ ନିଲୁର ଆଲୋଚନା ପଡ଼େ । ମୋ ସ୍ତ୍ରୀ ବହୁତ ଆବେଗରେ କହନ୍ତି, “ଆମର ସାନ ଭାଇ ଥିଲେ ଆମେ ତାକୁ ଘରକୁ ବୋହୂ କରି ଆଣନ୍ତେ ।’ ରୂପ ଆଉ ଗୁଣ ଖୁବ୍ କମ୍ ଜାଗାରେ ଏକାଠି ରହନ୍ତି । ହେଲେ ନିଲୁ ପାଖରେ ଦିଟାଯାକ ଥିଲା । ଗହମ ରଙ୍ଗର ଦେହ । କହିଲା କହିଲା ଆଖି । ଶୀତ ସକାଳରେ ଓଦା ମୁକୁଳା ବାଳକୁ ଲମ୍ବେଇ ଦେଇ ଲାଲ ପାଢ଼ି ଥିବା ଧଳା ରଙ୍ଗର ଲୁଗାଟା ପିନ୍ଧି ହଷ୍ଟେଲ୍ ବାରଣ୍ଡାରେ ଯେତେବେଳେ, “ଜବା କୁସୁମ ସଂକାଶଂ.....’’ ବୋଲି ସେ ଗୁଣୁ ଗୁଣୁ ହେଇ ଗାଇଉଠେ ଶେଯ ଭିତରୁ ପିଲାଙ୍କ ଆଖିଗୁଡ଼ାକ ବାରଣ୍ଡାକୁ ଉଙ୍କିମାରନ୍ତି । କେହି କେହି କହନ୍ତି, ‘ଟିକିଏ ଠିଆ ହୁଅ, ଆମେ ତୁମକୁ ଦେଖୁ ।’

 

ରୂପ ରହିଥିବା ଝିଅଗୁଡ଼ାକ ଅହଂକାରୀ । ହେଲେ ନିଲୁ ନାମକ ଝିଅଟା ମଣିଷ ନୁହେଁ, ମୃଗ ଶିଶୁଟିଏ । ମନଟି ତାର ଦରଦରେ ଭରପୂର । ହଷ୍ଟେଲ୍‌ରେ ଯେଉଁ ପିଲା ରୋଗରେ ପଡ଼ିଲା ରାତି ରାତି ତା ପାଖରେ ବସିଥିବ । ଖବର କାଗଜରୁ କୋଉଠି ଦୁର୍ଘଟଣାର ଖବରଟିଏ ପଢ଼ିଲେ ତା ଆଖୁରୁ ଟପ୍ ଟପ୍ ଲୁହ ଗଡ଼ିପଡ଼େ । ହଷ୍ଟେଲ୍‌ରେ ରହି ପାଠ ପଢ଼ିଲା ବେଳକୁ ତା’ର ଅନେକ ପୁଅଝିଅ ଥିଲେ । ରାଣୀ ଶୁକଦେଇ ଛାତ୍ରୀ ନିବାସ ସାମନାରେ ବେଳେ ବେଳେ ଅନେକ ଭିକାରି ଭିକାରୁଣୀଙ୍କୁ ଦେଖିବାକୁ ମିଳେ । ସେମାନେ ମା’ ମା’ ଡାକି ଏଇ ଦରଦୀ ଝିଅଟିକି ଖୋଜୁଥିବେ, ଆଉ ସେ ସେମାନଙ୍କ ଅଣ୍ଟିରେ ଖୁସିରେ ଅଜାଡ଼ି ଦେଉଥିବ ତା ବୋଉ ପଠେଇଥିବା ଚୁଡ଼ା ମୁଢ଼ି । ଆନନ୍ଦରେ ବାଣ୍ଟି ଦେଉଥିବ ତା. ବାପା ପଠେଇଥିବା ପଇସାରୁ କିଛି ।

 

ନିଲୁର ବାହାଘରୁ ଆମେ ଏଇ କାର୍ଡ ପାଇଥିଲୁ । ବିଭା ହୋଇଥିଲା ସ୍ଥାନୀୟ ଦର୍ଶନ ଅଧ୍ୟାପକଙ୍କ ପୁତ୍ର ସୁଦୀପ୍ତ ସାମନ୍ତରାୟକୁ । ବିବାହର ଅଳ୍ପ ଦିନ ବ୍ୟବଧାନରେ ଖଣ୍ଡେ ଚିଠି । ଯାହାକି ଆମ ସହ ନିଲୁର ଶେଷ ସମ୍ପର୍କ । ସୁଦୀପ୍ତ ସାମନ୍ତରାୟ-ସୁଦୀପ୍ତ ସାମନ୍ତରାୟ, କ’ଣ କହିବେ ଭଦ୍ରଲୋକ ସେଇ ନାଁକୁ । ନିଲୁ ତା’ର ସେଇ ଚିଠିରେ ଲେଖିଥିଲା, “ଅପା, ମୋ ଜୀବନରେ ସମସ୍ତ ପୂର୍ଣ୍ଣତା ମୁଁ ପାଇଛି । ମୋ, ଚାରିପଟେ ଖାଲି ସୁଖ ଆଉ, ସୁଖ ।’’

 

ନିଶ୍ଵାସ ମୋର ଜୋର ହବାକୁ ଲାଗିଲା । କିଛିକ୍ଷଣ ତଳେ ବିରକ୍ତିରେ ଏଡ଼େଇବା ପାଇଁ ଚାହୁଁଥିବା ବୃଦ୍ଧଙ୍କ ଠାରୁ ପରବର୍ତ୍ତୀ ଘଟଣା ଜାଣିବା ପାଇଁ ଦୋହରାଇଲି, ସୁଦୀପ୍ତ ସାମନ୍ତରାୟ, ନିଲୁର ସ୍ଵାମୀ ??? କ’ଣ ହେଲା ?? ଆପଣ କ'ଣ ଦର୍ଶନ ଅଧ୍ୟାପକ..... ???

 

ତମେ ତାହେଲେ କ’ଣ ସୁଦୀପ୍ତକୁ ଚିହ୍ନ । ନିଲୁକୁ ଚିହ୍ନ । ମାଡ୍ରାସ ସେଣ୍ଟ୍ରାଲ ଷ୍ଟେସନ୍‌ରେ କାଇଁ ତମେ ଚିହ୍ନିପାରିଲନି ନିଲୁକୁ । ଦେଖିନ, ଟ୍ରେନ୍ ଛାଡ଼ିଲା ବେଳେ ଝରକା ସେପାଖରେ ଯାହା ଆଖିରୁ ମୁକ୍ତା ପରି ଟପ୍ ଟପ୍ ଲୁହ ବିନ୍ଦୁ କେତେଟା ଗଡ଼ି ପଡ଼ୁଥିଲା । ସମସ୍ତଙ୍କ ଠାରୁ ସେ କ’ଣ ନିଆରା ନଥିଲା ।

 

ସତରେ ଷ୍ଟେସନ୍‌କୁ ବୃଦ୍ଧଙ୍କୁ ଛାଡ଼ିବାକୁ ଆସିଥିବା ଝିଅଟା ସମସ୍ତଙ୍କ ଠାରୁ ନିଆରା ଦେଖାଯାଉଥିଲା । ଶାନ୍ତ ସରଳ ପରିପାଟୀ । କହିଲା କହିଲା ଆଖି । ମଥାରେ ସିନ୍ଦୂର ଚାରିପଟେ ଚନ୍ଦନର ସରୁ ବଳୟଟିଏ ।

 

ସନ୍ଦେହ ଘେରରେ ଘାଉଁରି ଖାଉଥିଲି ମୁଁ । ସୁଦୀପ୍ତର କ'ଣ ହେଲା ? କ’ଣ ପାଇଁ ବୃଦ୍ଧ ଏତେ ବିହ୍ୱଳିତ । ସୁଦୀପ୍ତ ତେବେ କ’ଣ ବିଦେଶ ଚାଲିଯାଇ ଫେରୁନି ? ଏତେ ସୁଧାର ପିଲାଟା କ'ଣ ବାପାର ଅମାନିଆ ହେଇ ଚାଲିଯାଇ କୋଉ ବିଦେଶିନୀର ଫାଶରେ ପଡ଼ିଯାଇଚି । ତେବେ କ’ଣ ପାଇଁ ବୁଢ଼ାଶଙ୍ଖାରିର ଅବତାରଣା ? ମୋ କାନରେ ଖାଲି ପିଟି ହଉଥିଲା ନିଲୁର ଶେଷ ଚିଠିର କଥା କେଇପଦ ‘‘ଅପା ମୋ ଚାରିପଟେ ଖାଲି ସୁଖ ଆଉ ସୁଖ । ମୋ ଜୀବନରେ ସବୁ ପ୍ରକାରର ପୂର୍ଣ୍ଣତା ମୁଁ ପାଇଛି ।” ସବୁକଥା ସିଧା ସିଧା ତୁରନ୍ତ ଜାଣିବା ପାଇଁ ବ୍ୟଗ୍ରତାର ସହ ପ୍ରଶ୍ନ କଲି ମୁଁ ।

 

ନିଜେ ନିଜେ ଏଯାବତ ଗପି ଚାଲିଥିବା ବୃଦ୍ଧ ହଠାତ୍ ସ୍ଥିର ହୋଇଗଲେ । ଫାଶୀ ଆସାମୀର ମୁହଁରୁ ଶେଷ ଭାଷା ବୁନ୍ଦାକ ପରି କହିଲେ, “ସୁଦୀପ୍ତ ଟ୍ରେନ୍ ଆକ୍ସିଡେଣ୍ଟରେ ଚାଲିଗଲା.... ।”

 

ମତେ ଯେମିତି ଲାଗିଲା ଏଇମାତ୍ର ଟ୍ରେନ୍‌ର ଚକତଳେ ସୁଦୀପ୍ତର ନୁହେଁ ନିଲୁର ରକ୍ତ ଲହଡ଼ା ଭାଙ୍ଗୁଛି । ଲୁହାର ଚକଗୁଡ଼ାକ ରକ୍ତରେ ସାଲୁବାଲୁ ହେଉଚି । ମୁଁ ନିଲୁ ବିଷୟରେ ଆଉ କିଛି ଚିନ୍ତା କରିବା ଆଗରୁ ସେଇ ରହସ୍ୟମୟ ବ୍ୟକ୍ତିତ୍ୱଟି ପୁଣି ଆରମ୍ଭ କଲେ, “ମୃତ୍ୟୁ ଖବର ପାଇ ମୋ ମା' ସେଦିନ ଛୋଟ ପିଲାଟିଏ ପାଲଟି ଯାଇଥିଲା । କୁହ ଯୁବକ, ଦେଖିଚ କି, କେବେ ସେ ଦୃଶ୍ୟ-? ଅନୁଭବ କରିଚ କି ତାର ଯନ୍ତ୍ରଣା ? ସାଇଭାଇ ଆସିଥିଲେ, ମୋ ମା’ର ଚୁଡ଼ି ଭାଙ୍ଗି ଦେବାକୁ-। ଘଷି ମାଜି ମଥାର ସିନ୍ଦୁର ଲିଭେଇ ଦେବାକୁ-। ଛାପା ଶାଢ଼ି ବଦଳରେ ସଫେଦ ଧୋତି ପିନ୍ଧେଇ ଦେବାଙ୍କୁ । ସେମାନଙ୍କୁ ଚିତ୍କାର କରି ଫେରେଇ ଦେଲି । କୁହ ନିଲୁର ଫୁଙ୍ଗୁଳା ଦେହ ସୁଦୀପ୍ତର ଜଳନ୍ତା ଜୁଇଟାକୁ ନିତି ନିତି ଦେଖି ମୁଁ କଣ ଶାନ୍ତି ପାଇପାରି ଥାଆନ୍ତି । ମୁଁ ତାକୁ ନିରାଭରଣ ହେବାକୁ ଦେଲିନି । ସୁଦୀପ୍ତର ପସନ୍ଦ ଲୁଗା ତାକୁ ପିନ୍ଧିବାକୁ ଦେଇଛି । ଉଭୟେ ଭଲ ପାଉଥିବା ଫୁଲ ବଗିଚାରେ ଲଗେଇ ଦେଇଛି । ମତେ ଯେମିତି ଲାଗେ ମୋ ପୁଅ ଚାକିରିକି ଯାଇଛି କି ଖେଳିବାକୁ ଯାଇଛି, ଏଇମାତ୍ର ଫେରିଆସିବ । ନିଲୁକୁ ମୁଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛି । ହେଲେ ଖୋଲା ପଞ୍ଜୁରୀରୁ ପକ୍ଷୀଟା ଉଡ଼ି ଯାଉନି ବରଂ ଘର ଦୁଆର ଅଗଣାରେ ଘୂରି ବୁଲୁଛି । ଉଡ଼ିଗଲେ ବି ଅନନ୍ତ ଆକାଶରେ ତାର ହଜିଯିବାର ତୃପ୍ତିରେ ମୁଁ ଢୁଳେଇ ପଡ଼ନ୍ତି ।

 

ହେଲେ ମୋ ସୁଦୀପ୍ତକୁ ସେ କୋଉଠି ଆବିଷ୍କାର କରି ଦେଖେଇ ଦେଲା ଜାଣିଚ ? କ୍ଷିତ, ଅପ, ତେଜ, ମରୁତ, ବ୍ୟୋମ । ଯେଉଁଠୁ ଆସିଥିଲା ସେଇଠିକି ଫେରି ଯାଇଛି । ଏଇ ଆକାଶକୁ ଚାହଁ, ସେ ଅନନ୍ତ ଆକାଶର ରଙ୍ଗ । ନଦୀକୁ ଚାହଁ, ସେ କୁଳୁ କୁଳୁ ନିନାଦିତ ଜଳଧାରା । ଏଇ ମାଟିରେ ଗଡ଼ିଯାଅ, ତମେ ପାଇବ ତାର ଆଲିଙ୍ଗନ । ଏଇ ସୂର୍ଯ୍ୟକୁ ଦେଖ ତା’ର ଲାଲିମାରେ ଅନୁଭବ କର ତା’ ଦେହର ଉଷ୍ମତା । ସେ ମୋ ସୁଦୀପ୍ତକୁ ପୁଣିଥରେ ମୋ ସାଥିରେ କୋଉଠି ପରିଚୟ କରେଇ ଦେଇଛି ଜାଣିଛ ? ମାଟିରେ, ପାଣିରେ, ପବନରେ, ଆଲୋକ ଆଉ ଉତ୍ତାପରେ ଏବଂ ସର୍ବଶେଷରେ ତା ନାଡ଼ିର ସ୍ପନ୍ଦନରେ । ସୃଷ୍ଟିରେ ଯାହା କିଛି ସୁନ୍ଦର ସେଇଥିରେ ।

 

କଇଁ କଇଁ ହୋଇ କାନ୍ଦି ଉଠିଲେ ବୃଦ୍ଧ । କହିଲେ ଏଇ ଦେଖ ସେ ବୁଢ଼ା ଶଙ୍ଖା ମୁଠାକ ଧରି ସେମିତି ଠିଆ ହେଇଚି । ଶିରାଳ ଦେହ । କୋଟରଗତ ଚକ୍ଷୁ । ସେ ଏଯାବତ ଅମୋକ୍ଷ ରହିଯାଇଚି । ଆଶା ତା ମା’ ହାତରେ ଆସମାନତାରା ଶଙ୍ଖା ମୁଠାକ ପିନ୍ଧେଇ ଦବ । କୁହ, ଏ ଫୁଲବନଟାକୁ କିଏ ଜାଳି ଦେଇଛି ? ଅକାଳବର୍ଷା, ଭୂମିକମ୍ପ, ସମୁଦ୍ରର ଉତ୍ତାଳ ତରଂଗ, ଆକାଶର ବଜ୍ର, ଭଗବାନ, ପ୍ରକୃତିର ଗତି ନା ଆମ ମନଗଢ଼ା ପରମ୍ପରା । ଜଣଙ୍କ ପାଇଁ ଆଉଜଣଙ୍କୁ ଜାଳିବାରେ, ଅସୁନ୍ଦର କରିବାରେ କି ଅଧିକାର ଅଛି ଆମର । ମୋ କାନରେ ବାରବାର ପ୍ରତିଧ୍ୱନିତ ହେଉଥିଲା ତାଙ୍କର କେଇପଦ କଥା, “କୁହ ନିଲୁର ଫୁଙ୍ଗୁଳା ଦେହରେ ସୁଦୀପ୍ତର ଜଳନ୍ତା ଜୁଇଟାକୁ ନିତି ନିତି ଦେଖି ମୁଁ କ’ଣ ଶାନ୍ତି ପାଇ ପାରିଥାଆନ୍ତି ।”

 

ଆମର ଅନନ୍ତ ଯାତ୍ରା ସମୟରେ ମଣିଷ ଜୀବନ ଏକ ଦୀର୍ଘ ସ୍ୱପ୍ନ ମାତ୍ର । ବୃଦ୍ଧ ଗପି ଚାଲିଥିଲେ–“ଅମୋକ୍ଷ ରହିଯାଇଛି ଏଯାବତ ବୁଢ଼ା ଶଙ୍ଖାରିଟା ଆଉ ଅପେକ୍ଷା କରିଛି କୋଉଦିନ ସେଇ ଦରଦୀ ଗାଳ୍ପିକ ଫେରି ଆସିବେ ଆଉ ତା ମା’ ହାତରେ ଆସମାନତାରା ଶଙ୍ଖା ମୁଠାକ ପିନ୍ଧେଇ ଦେବେ । କୁହ କିଏ ସେଇ ଗାଳ୍ପିକ, ସମାଜ ସହ ସାଲିସ୍ ନ କରି ପ୍ରତିବାଦର ସିନ୍ଦୂର ବିନ୍ଦୁଟିଏ ଆଙ୍କିଦେଇ ପାରିବ ? ପାରିବ ?

 

ସେତେବେଳେ ଟ୍ରେନ୍‌ ଭୁବନେଶ୍ୱର ରେଳ ଷ୍ଟେସନ୍‌ର ଡିଷ୍ଟାଣ୍ଟ ସିଗନାଲ୍ ପାରି ହଉଥିଲା ଆଉ ପୂର୍ବ ଆକାଶରୁ ଡେଇଁ ପଡ଼ୁଥିବା ଲାଲ୍ ସୂର୍ଯ୍ୟକୁ ଦେଖେଇ ବୃଦ୍ଧ ଚିତ୍କାର କରି ଉଠିଲେ, “ହେଇ ଦେଖ ମୋ ସୁଦୀପ୍ତ ଆସୁଛି ସକାଳର ସୂର୍ଯ୍ୟରେ, ତାର ଲାଲିମାରେ, ତାର ଉତ୍ତାପରେ ।” ମୁଁ ସ୍ଵର ମିଳେଇ କହିଉଠିଲି, “ସୃଷ୍ଟିରେ ଯାହା ସୁନ୍ଦର, ଅକ୍ଷୟ, ଅଜର, ଅମର, ଅବିନଶ୍ୱର ସେଥିରେ ।

☆☆☆

Unknown

 

ଫୁଲଦାନିର ଫୁଲ

 

ଆଃ......ଆରଘରୁ ଚିତ୍କାର ଶୁଭୁଛି ନୀନା ଭାଉଜଙ୍କର । ଭୟଙ୍କର କଷ୍ଟକୁ ଚାପିରଖି ଗୁମୁରି ଉଠୁଛନ୍ତି । ବେଳେ ବେଳେ ନୁହେଁ, ପ୍ରତିଟି ମୁହୂର୍ତ୍ତରେ ମୃତ୍ୟୁକୁ ସାମନା କରୁଛନ୍ତି ସେ । କେତେବେଳେ ଚିତ୍କାର ନକରି ଓଠ ଉପରେ ଓଠ ଚାପି କେବଳ ଯନ୍ତ୍ରଣାକୁ ପିଇଯାଉଛନ୍ତି । ଆଉ କେତେବେଳେ କ’ଣ ଭାବୁଛନ୍ତି କେଜାଣି ଶାନ୍ତ ହୋଇ କେବଳ ଶୋଇ ଯାଉଛନ୍ତି । ବୁଜିଲା ଆଖିରୁ ଦି ଧାର ଲୁହ କେବଳ ବୋହି ଯାଉଛି । ସମଗ୍ର ଦେହଟାକୁ କ୍ୟାନ୍‌ସରର ଜୀବାଣୁ ଶୋଷି ଧରିଛି ।

 

ରାତିଦିନ ସବୁ ତାଙ୍କ ପାଇଁ ସମାନ । ସବୁ ସମୟ ଯନ୍ତ୍ରଣାର ସମୟ । ତାଙ୍କୁ ଦେଖିଲେ, ଭୂତ ଦେଖିଲା ପରି ଲାଗୁଛି । ହାତଗୋଡ଼ ଦୁଇଁ ହୋଇ ଗଲାଣି । ଯେମିତି ବାଉଁଶର କଣି ଖଣ୍ଡେ ଖଣ୍ଡେ । କାଲି ସାଲାଇନ୍ ଦେବେ ବୋଲି ନର୍ସ ଶିରା ଖୋଜି ପାଉନଥିଲେ । ଦେହରେ ଲୁଗା ଅଛି କି ନାହିଁ ସେ ନେଇ ସେ ସଚେତନ ନୁହଁନ୍ତି । ଆଖି ଯୋଡ଼ାକ ଶେତା ହୋଇ ଯାଇଚି । ଠିକ୍ ପାଛିଆରୁ ଭଜା କଡ଼େଇକୁ ଯିବା ଆଗରୁ ଭାକୁର ମାଛର କଟାମୁଣ୍ଡର ଆଖି ପରି । ପାଖରେ ଠିଆ ହେଲେ କଥା କହନ୍ତିନି ନା କହିପାରନ୍ତିନି, ହେଲେ କହିଲା କହିଲା ଭଳି ଡୋଳା ବୁଲେଇ ଆଣନ୍ତି ।

 

ଖଟ ଉପରେ ପାଖରେ ବସିଗଲେ ଗୋଡ଼ଟିକେ ଜାକିନେଇ ଖଟରେ ଜାଗାଟିକେ କରିଦିଅନ୍ତି । ଡୋଳା ଲେଉଟେଇ ମୁହଁକୁ ଚାହାନ୍ତି । ପାଖରୁ ଉଠିଯାଇ ମୁଁ ଦୁଆର ମୁହଁଯାଏ ଉଠି ଆସିଲେ ତାଙ୍କ ଆଖି ଦିଟା ମୋ ସାଥିରେ ଦୁଆର ମୁହଁ ଯାଏ ପହଁରି ଆସେ । ଲାଗେ ଯେମିତି ଆଉଟିକେ ବସିବା ପାଇଁ କହୁଛନ୍ତି । କ୍ୟାନସର ପେସେଣ୍ଟ । ଡାକ୍ତର ଦିନ ଗଣିଲା ପରି, ଜୀବନ ଆଉ ଦିନ କେତେଟା ବୋଲି କହିଦେଇଛି । ଆଉ ରହିବେନି ଆମ ସାଙ୍ଗରେ । ଚିତ୍କାରକୁ ସେ ଚାପି ନେଉଛନ୍ତି । ଯନ୍ତ୍ରଣାକୁ ଦେହରେ ମାରି ସହିନେଉଛନ୍ତି ।

 

ମନକୁ ପଥର କରି ଘରେ ଚଳିବାକୁ ଅଭ୍ୟାସ କରୁଥିଲି ମୁଁ । ଏତେ କଷ୍ଟରେ ବି ମୁଁ ତାଙ୍କ ପାଖରେ ବସିଗଲେ ତାଙ୍କ ହାତଟା ମୋ ପିଠିରେ ଘୂରିଆସେ । ବେଳେ ବେଳେ ମୋ ହାତଟା ଉପରେ ତାଙ୍କ ହାତମୁଠା ଜାବ ପଡ଼ିଯାଏ । କ’ଣ ଏ ସଂପର୍କ ? ଅନୁଭବ କରିହୁଏ । ଲେଖି ହୁଏନା, କହି ହୁଏନା, ମାପି ହୁଏନା ।

 

ଜଣ ଜଣଙ୍କ କଥା ମନେ ପଡ଼ିଲେ ଭାରି ଖୁସି ଲାଗେ । ବାର ବାର ମନେ ପକେଇବାକୁ ଇଚ୍ଛା ହୁଏ । ଠିକ୍ ସେମିତିଆ ଝିଅଟିଏ ଥିଲେ ସେ । ତମ୍ବା ପରି ଦେଖିବାକୁ ରଂଗ । ଗୋଡ଼ଠାରୁ ମୁଣ୍ଡ ଯାଏ କୋଉଠୁ ଖୁଣି ହେବନି । ସମସ୍ତେ କହନ୍ତି ସିଏ ଯାହା ପିନ୍ଧିବେ ତାକୁ ସବୁ ମାନିବ । ନିର୍ଜୀବ ଗହଣାଗୁଡ଼ାକ ତାଙ୍କ ଦେହରେ ଲାଗିଲେ ଜୀବନ ପାଇ ଯାଆନ୍ତି । ସିଏ ଯାହା କହିଲେ ବି ଭଲ ଶୁଭେ । ରାଗିଲେ ମୁହଁଟା ଲାଲ୍ ପଡ଼ିଯାଏ ହେଲେ ସେ ରାଗମିଶା କୋହ ଭିତରେ ସେ ହସିପକାନ୍ତି । ଆଗ୍ନେୟଗିରି ପରି ଦିଶୁଥିବା ମୁହଁଟାରୁ କିନ୍ତୁ ଉତ୍ତପ୍ତ ତରଳ ଲାଭା ପରିବର୍ତ୍ତେ ଝରଣା ପରି କୁଳୁ କୁଳୁ ପାଣି ଧାର କେଇଟା ବହିଯାଏ ।

 

ଯେତେଦୂର ମନେପଡ଼େ ମୁଁ ଯେତେବେଳେ ନର୍ସରୀ ସ୍କୁଲ୍ ଯିବା ଆରମ୍ଭ କରିଥିଲି ସେତିକିବେଳକୁ ସେ ସାଲୁଆରୁ ପଞ୍ଜାବୀ ପିନ୍ଧି କଲେଜ ଯିବା ଆରମ୍ଭ କରିଥିଲେ । ତା’ ପରେ ସେ ନୂଆ ଶାଢ଼ି ପିନ୍ଧି ଛନ୍ଦୁରେଇ ମନ୍ଦୁରେଇ ଚାଲିବାର ମୁଁ ଦେଖିଛି । ପୁଣି ଲାଜ ସରସର ହୋଇ ଶାଢ଼ି ପିନ୍ଧି ଗାଣ୍ଠିଏ ଗହଣାରେ ଦେହକୁ ଭାରିକରି ଚମ୍ପାଫୁଲିଆ ହାତରେ ବାହିଏ ବାହିଏ କାଚ ପିନ୍ଧି ବୋହୂ ହୋଇ ଆସିବାର ମୁଁ ଦେଖିଛି । ଆଉ ବି ଦେଖିଛି ଟହ ଗର ପରି ବୋଉ ଖୁଡ଼ୀଙ୍କ ହାତରୁ ଛଡ଼େଇ ଦୁନିଆ ସାରା ପାଇଟି କରିବା ।

 

ଏ ସବୁ ମୋର ଏବେବି ମନେ ପଡ଼ୁଛି ଆମସାଇ ଆଗଦେଇ କଲେଜକୁ ଗଲା ବେଳେ ସେ ଖୋଜିଲା ଖୋଜିଲା ଆଖିରେ ଚାହିଁ ଚାହିଁ ଯାଆନ୍ତି । ମତେ ତାଙ୍କୁ ଚାହିଁବାର ଦେଖିଲେ ତାଙ୍କ ଆଖି ଦିଇଟା କେମିତି ଚୋରି କଲାପରି ହୋଇଯାଏ । ହେଲେ ସବୁକୁ ଲୁଚେଇ ଦେଇ ହସି ହସି ସେ ମୋ ପାଖକୁ ଆସନ୍ତି । ମୋ ଗାଲ ଦିଟାରେ ଟିପାଟାଏ ଲେଖାଁମାରି କେତେ କଥା ପଚାରନ୍ତି । ମୋ ପରି ଛୋଟ ପିଲାଟିଏ କିଛି ବୁଝିପାରେନା କିନ୍ତୁ ସବୁଦିନେ ସେ କଲେଜ ଗଲାବେଳେ ଆଉ ଆସିଲା ବେଳେ କେମିତି ଗୋଟାଏ ଆପଣାର କେହି ଆସିଲା ପରି ସେଇ ଝିଅଟିକି ଅନେଇ ରହିବାକୁ ଇଚ୍ଛା ହୁଏ । ହେଲେ ସକାଳ ସନ୍ଧ୍ୟାରେ ଆମର ଏଇ ଖେଳକୁ ଉପର ମହଲାରୁ ଯୋଡ଼ିଏ ଗମ୍ଭୀର ଆଖି ସବୁଦିନେ ଅନେଇ ରହିଥାଏ । ଉପରକୁ ଟିକେ ଚାହିଁଲେ ସେ ପଢ଼ାଘର ଭିତରକୁ ଅପସରି ଯାଏ । ସେ କେହି ନୁହେଁ ମୋ ବଡ଼ଭାଇ ।

 

ମୋ ସାଥିରେ ଖେଳୁ ଖେଳୁ ଦିନେ ଦିନେ ସେଇ ଝିଅଟି ଅନ୍ୟମନସ୍କ ହୋଇଯାଏ । ସାଥିରେ ବୁଲି ବୁଲି ବଗିଚାରୁ କେତେ ରଙ୍ଗର ଫୁଲ ଛିଡ଼େଇ ନିଏ । କହେ ରାତିରେ ପାଠ ପଢ଼ିଲା ବେଳେ ସାମନା ଫୁଲଦାନିରେ ମେଞ୍ଚାଏ ଫୁଲ ନଥୋଇଲେ ତାକୁ ପଢ଼ିବାକୁ ଭଲ ଲାଗେନା । ମତେ ଥରେ ତୋଡ଼ାଏ ଫୁଲ ଦେଇ କହିଲା, “ନେ ପଢ଼ାଘରେ ସଜେଇବୁ ।” ତା’ ପରଦିନ ମୁଁ ଯେତେବେଳେ କହିଲି ମୋ ପଢ଼ାଘରେ ନୁହେଁ ଭାଇ ପଢ଼ାଘରେ ସେ ଫୁଲ ସଜେଇଥିଲି ବୋଲି ସେ ମୋ ଗାଲରେ ସରୁ ଚାପୁଡ଼ାଟିଏ ଦେଇ ମୋ ସାଥିରେ କଥା କହିବନି ବୋଲି କହିଲା । କିଛି ନବୁଝିପାରି ତା ମୁହଁକୁ ଚାହିଁଲା ବେଳକୁ ମୋତେ ଯେମିତି ଲାଗୁଥିଲା ସେ ବି କହୁଛି- ପ୍ରକୃତରେ ତୋ ପଢ଼ାଘରେ ନୁହେଁ ଭାଇର ପଢ଼ାଘରେ ରଖିବାକୁ ଦେଇଥିଲି । ସେଇଦିନୁ ମୋର କେମିତି ତା ହାତରୁ ଫୁଲନେଇ ଭାଇ ପଢ଼ାଘରେ ଫୁଲଦାନିରେ ଫୁଲସବୁ ସଜେଇ ରଖିବା ଅଭ୍ୟାସ ହୋଇଗଲା ।

 

ସ୍କୁଲରୁ ଚିଲପରି ଦଉଡ଼ି ଦଉଡ଼ି ମୁଁ ଜଲଦି ଘରକୁ ଫେରିଆସେ, କାଳେ ଡେରି ହୋଇଯିବ, ତାଙ୍କ ସହ ଦେଖା ହବନି । ଭଲ ଗୀତ ବୋଲୁଥିଲା ସେଇ ଝିଅଟି । ଅନେକ ଫଙ୍କସନ୍‌ରେ ଗୀତ ବୋଲି ସେ କପ୍‌ ପାଇଛି ବୋଲି ମୁଁ ଶୁଣିଥିଲି, ହେଲେ ଆମ ବଗିଚାରୁ ବୁଲି ବୁଲି ଫୁଲ ତୋଳିଲା ବେଳେ ସେ ଗୁଣୁ ଗୁଣୁ ହେଇ ଯୋଉ ଗୀତ ବୋଲନ୍ତି ମତେ ତାକୁ ଶୁଣିବାକୁ ବହୁତ ଭଲଲାଗେ । ବାରବାର ଶୁଣିବାକୁ ଇଚ୍ଛା ହୁଏ ।

 

ରାତିରେ ଭାଇ ପାଖରେ ପଢ଼ିଲା ବେଳେ ମୁଁ ଦେଖେ ଭାଇ ମଝିରେ ମଝିରେ ଅନେକ ମମତାଭରା ଆଖିରେ ସେ ଫୁଲ ମେଞ୍ଚାକୁ ଚାହେଁ । ମତେ ଅଙ୍କ ବୁଝାଉ ବୁଝାଉ ମୁଁ ଯେତେବେଳେ ପାଠ ବହି ଉପରେ ହାମୁଡ଼େଇ ପଡ଼ି ମାଡ଼ ଭୟରେ ଗଣିତର ସୂତ୍ର ମନେ ପକାଉଥାଏ ଭାଇ ସେ ଫୁଲର ପାଖୁଡ଼ା ଗୁଡ଼ାକୁ ତା ଗାଲ ଉପରେ ସାଉଁଳଉଥାଏ ।

 

ହେଲେ ମତେ ଭାରି କଷ୍ଟଲାଗେ ଯୋଉଦିନ ସକାଳେ ବାସି ଫୁଲଗୁଡ଼ାକ ଫୋପାଡ଼ି ନଥାଏ ବୋଲି ଭାଇଠାରୁ ଗାଳି ଖାଏ । ମତେ ଭାଇର ଏ ଗାଳିଗୁଡ଼ାକ ଅସହ୍ୟ ଲାଗେ । ମନେ ପଡ଼େ ଗତରାତିରେ ଏ ଫୁଲଗୁଡ଼ାକ ତା’ର କେତେ ଆପଣାର ଥିଲେ । ମଉଳା ଫୁଲଗୁଡ଼ାକ ଉପରେ ଏତେ କଠୋର ହେଲା ବେଳେ ଭାଇର ମନେ ପଡ଼େନା ସେ ଏ ଫୁଲ ମେଞ୍ଚାକ ସାଥିରେ ଗତରାତିରେ ଖେଳୁଥିଲା, ସେମାନେ କେତେ ତା’ର ଆପଣାର ଥିଲେ ।

 

ହେଲେ ସେ ଫୁଲମେଞ୍ଚାକୁ କେବେ ଅଳିଆ ଗଦାରେ ଫୋପାଡ଼ି ଦେବାକୁ ମୋର ଇଚ୍ଛା ହୁଏନି । ପ୍ରତିଦିନ ସକାଳେ ମୁଁ ତାକୁ ଆମ ବାଡ଼ିପଟ ପୋଖରୀରେ ଭସେଇ ଦେଇ ଚଳ ଚଳ କରି ପାଣି ଫିଙ୍ଗି ଦୂରକୁ ପାଣିରେ ଠେଲେ ଆଉ ଦେଖେ କେମିତି ଦୋହଲି ଦୋହଲି ସିଏ ଦୂରକୁ ଚାଲିଯାଉଛି । ସତେ ଯେମିତି ଗଛ ଡାଳରେ ପବନରେ ଦୋଳି ଖେଳୁଛି । ଅଳିଆ ଗଦାରେ ଫୁଲମୁଠାକ ଫିଙ୍ଗିଦବାଟା କେଜାଣି କାଇଁକି ମତେ ସେଇ ଝିଅର ମମତା ପ୍ରତି ଗୋଟାଏ ଆଘାତ ବୋଲି ଲାଗେ ।

 

ଧୀରେ ଧୀରେ ଝିଅଟି ଆମ ପରିବାର ମଧ୍ୟରେ ଆମ ଅଚେତନ ମନରେ ଥାନ ପାତିବସିଲା । କେବଳ ମୁଁ ନୁହେଁ ମୋ ବୋଉ, ବଡ଼ଅପା ସମସ୍ତଙ୍କ ପାଇଁ ସେ ପ୍ରତିଦିନ ହେଲା ଏକ ପ୍ରତିକ୍ଷିତ ବ୍ୟକ୍ତିତ୍ଵ । ବେଳେ ବେଳେ ଭଗବାନ କାହାକୁ କାହାକୁ ସମ୍ପୂର୍ଣ୍ଣ କରି ଗଢ଼ନ୍ତି । କେବଳ ରୂପରେ ନୁହେଁ ଗୁଣରେ ବି । ଅସମ୍ଭବ ତ୍ୟାଗର ପ୍ରତୀକ ଥିଲା ସେଇ ଝିଅଟି । ବୋଉ ଯେତେବେଳେ ରୋଗରେ ପଡ଼ିଲା ତା’ର ସେବା ଆମ ସମସ୍ତଙ୍କୁ ଟପିଗଲା । ଝାଡ଼ା ଲୁଗାକୁ ଚକଟି ଚକଟି ସେ ଖୁସିରେ ସଫା କରିଦିଏ । ବୋଉର ଦେହସାରା ଓଦାକନାରେ ପୋଛିସାରି ପୁଣି ଶୁଖିଲା କନାରେ ଦେହକୁ ସେ ପୋଛେ । ତା’ ଉପରେ ଥାପିଦିଏ ଟିକିଏ ଟିକିଏ ପାଉଡ଼ର ।

 

ମୋର ସତେଜ ଭାବେ ମନେ ପଡ଼ୁଛି ଆମଘର ଡାଇନିଂ ଟେବୁଲ ପାଖରେ ତା’ର ମୁଣ୍ଡ ଆଉଁଶି ଦେଇ ବୋଉ କହୁଚି ‘‘ଯାହା ଭାଗ୍ୟରେ ଥିବ ସେ ଏମିତିଆ ବୋହୂ କରିବ” । ସତରେ ତା’ପରେ ସେଇ ଭାଗ୍ୟଟା ବୋଉର ଇ ହେଲା । ସେଇ ଝିଅଟି ହଠାତ୍ ଦିନେ ମୋ ଭାଇକୁ ବିଭାହୋଇ ମୋର ନୀନା ଭାଉଜ ହୋଇଗଲା ।

 

ତାପରେ ମୁଁ ଦେଖିଲି ଭାଇର ଟୁର୍ ଯିବା କମିଗଲା । ସନ୍ଧ୍ୟା ଆଗରୁ ଘରକୁ ଫେରି ଆସିଲା । ଟିକିଏ ବି ଭାଉଜଙ୍କ ପାଖ ଛାଡ଼ିବ ନାହିଁ । ଡାହାଣା ପରି ଥରକୁ ଥର ରୋଷେଇ ଘର ପାଖକୁ ଦଉଡ଼ୁଥିବ, ଥଟ୍ଟାରେ ଯେଉଁଦିନ ଜେଜେମା ତାକୁ ମାଇପି ଡାଆଣା ବୋଲି କହିଲା ଆମେ ସମସ୍ତେ ହସି ହସି ଗଡ଼ି ଯାଉଥିଲୁ । ରାତିରେ ଖାଇ ସାରିଲା ପରେ ଆଉ ପାଖରେ ଆଉ ଘଡ଼ିଏ ବସି ପଡ଼ିଲେ ଘର ଭିତରେ ଭାଇ ବହିଥାକରୁ ବହିଗୁଡ଼ାକ ଖସ ଖସ କରି ତଳେ ପକେଇବ । ଚୁପକରି ଭାଉଜ ହସିଦେଇ ଚାଲିଯିବେ ।

 

ନୀନା ଭାଉଜଙ୍କ ଟିକେ ଦେହ ଖରାପ ହେଲେ ଭାଇର ମୁଣ୍ଡବାଳ ନୁଖୁରା ଦିଶେ । ସେ ଅଫିସ୍ ଯାଏନି, ଜଗି ବସେ । ମତେ ଲାଗେ ସତରେ ଯଦି କେବେ ନୀନା ଭାଉଜ ଆଗ ଏ ପୃଥିବୀରୁ ଚାଲି ଯାଆନ୍ତି ତେବେ ଭାଇ ନିଶ୍ଚୟ ଆରଫ୍ୟୁଜ୍ ପରି ତାଙ୍କୁ ସେଇ ମରଣ ଦେବତା ପାଖରୁ ଫେରେଇ ଆଣିବ । ଭାଇର ନୀନା ଭାଉଜଙ୍କ ପ୍ରତି ଅନୁରକ୍ତିର ଗଭୀରତା ମାପିବାକୁ ମୁଁ ମାପକାଠି ପାଏନା ।

 

ମୋ ଅଜାଣତରେ ଯଦି କେବେ ମୋ ମନରେ ଘର କରିବାର କଥା ଆସିଛି ସେତେବେଳେ ଭାଇ ଆଉ ନୀନା ଭାଉଜ ମୋ ଆଗରେ ହାତ ଧରାଧରି ହୋଇ ଠିଆ ହୋଇଛନ୍ତି-। ଭାଇର ଭଲପାଇବାକୁ ଅତିମାତ୍ରାରେ ବିଶ୍ଵାସ କରନ୍ତି ନୀନା ଭାଉଜ ।

 

“ଆଃ...” ପୁଣି ଚିତ୍କାର ଶୁଭିଲା ଆରଘରୁ ନୀନା ଭାଉଜଙ୍କର । କାଗଜ ଉପରେ ମୋ କଲମ ଶିଥିଳ ହୋଇ ଆସିଲା । ରାତି ଅନେକ ହେଲାଣି ଭାଇ ଏ ଯାଏ ଫେରିନି ଘରକୁ । କେବଳ ଆଜି ନୁହେଁ ପ୍ରାୟ ଅନେକ ଦିନ ହେଲା ସେ ଫେରିବାକୁ ଡେରି କରୁଛି । ଏବେ ତାର ଟୁର୍‌ର ପରିମାଣ ବଢ଼ି ଯାଇଛି । ଯୋଉଦିନଠାରୁ ନୀନା ଭାଉଜ ବିଛଣାରେ ପଡ଼ିଲେ ଡାକ୍ତର ତାଙ୍କର ଦିନ ଗଣିଦେଲେ ସେ ଦିନ ଠାରୁ ଭାଇ ଗୋଟାଏ ଅଲଗା ମଣିଷ ହୋଇ ଯାଇଛି । ସତେ ଯେମିତି ତାଙ୍କର ଅଚିହ୍ନା ।

 

ଏବେ ବି ଗେଟ୍ ପାଖରେ ଭାଇର ସ୍କୁଟର ଶବ୍ଦ ଶୁଭିଲେ ନୀନା ଭାଉଜ ସତେଜ ହୋଇ ଉଠନ୍ତି । ତାଙ୍କର ଯନ୍ତ୍ରଣାର ସ୍ଵରଟା କୋମଳ ହୋଇ ଉଠେ । ହାତ ଟେକି ଡାଇନିଂ ଟେବୁଲ୍ ଆଉ ଗ୍ୟାସ୍ ଚୁଲି ଦେଖେଇ ଦିଅନ୍ତି । ଭାଇ ଗରମ ଖାଇବାକୁ ଭଲ ପାଏ । ଏ ଅବସ୍ଥାରେ ବି ସେ ସେଥିନେଇ ସଚେତନ ଥାଆନ୍ତି । ଚିପୁଡ଼ି ହୋଇ ଲୁହ ବୋହିଯାଏ ଆଖିରୁ । ହେଲେ ଭାଇ ଡ୍ରେସ୍‌ଟା ହାଙ୍ଗରରେ ଟାଙ୍ଗି ଦେଇ ସିଧା ଚାଲିଯାଏ ଡାଇନିଂ ଟେବୁଲ୍ ପାଖକୁ । ଘରୁ ଚିତ୍କାର ଶୁଭିଲେ ଫେରିଚାହେଁ ଖାଲି ପଛକୁ । ମତେ ଲାଗେ ଯେମିତି ଖାଲି ସେ ନୀନା ଭାଉଜଙ୍କର ମରଣର ଦିନକୁ ଅପେକ୍ଷା କରିଛି । ସେତେବେଳ ଭାଇର ଆଖିଦିଟା ଦେଖାଯାଏ ପିଲାବେଳେ ବାସି ଫୁଲକୁ ନ ଫୋପାଡ଼ିଥିଲେ ମତେ ଗାଳିଦେଲା ବେଳର ଆଖିପରି । ଫୁଲ ବାସି ହେଲେ ସେ ଅଳିଆ ଗଦାରେ ଫିଙ୍ଗିଦେବାକୁ ତରବର । ବାଡ଼ିପୋଖରୀରେ ଭସେଇ ଦବାର ଧୈର୍ଯ୍ୟ ନାହିଁ ତା’ର । ଭାଇ ସତରେ ନୀନା ଭାଉଜଙ୍କର ଦେହଟା ପ୍ରତି ଆକୃଷ୍ଟ ଥିଲା । ବିଶ୍ୱାସ ପଛରେ ସତରେ ମଣିଷ କେତେ ପ୍ରତାରଣା ଛପେଇ ରଖିପାରେ ? ଏବେ ତାର ଡେରିରେ ଫେରିବାର କାରଣ ହେଲା ବାଳିକା ବିଦ୍ୟାଳୟର ସ୍ଵାମୀ ପରିତ୍ୟକ୍ତା ଜଣେ ଶିକ୍ଷୟିତ୍ରୀ । ସେମାନେ ଏବେ ସହରର ଅନେକ ନିରୋଳା ସ୍ଥାନରେ ଦେଖାଯାଉଛନ୍ତି । ମତେ ଭାଇକୁ କହିବାକୁ ଇଚ୍ଛାହୁଏ, ‘‘ତୁ ଯଦି ନୀନା ଭାଉଜଙ୍କ ଜାଗାରେ ଥାଆନ୍ତୁ ?’’

 

ଯନ୍ତ୍ରଣାର ଚିତ୍କାର ବେଳକୁ ବେଳ ବଢ଼ୁଛି । ଭାଇ ଶୋଇ ଗଲାଣି । ବାଳିକା ବିଦ୍ୟାଳୟ ସେଇ ଶିକ୍ଷୟିତ୍ରୀ ହୁଏତ ତା ନିଦରେ ସପନର କଢ଼ ହୋଇ ଫୁଟିଥିବେ । ଘୃଣା ଆସୁଥଲା ଏଇ ଦେହଲୋଭୀ ମଣିଷ ଗୁଡ଼ାଙ୍କ ଉପରେ । ନୀନା ଭାଉଜର ଦରଦୀ ମନ ନୁହେଁ ତା ହୃଦୟର ସ୍ପନ୍ଦନ ନୁହେଁ, ତା’ର ଚମଡ଼ାର ରଙ୍ଗ, ତା ଦେହର ନରମ ମାଂସ ଭାଇକୁ ଆକର୍ଷିତ କରିଥିଲା ।

 

ରାତି ଅନେକ ହେଲାଣି । ରମାକୁ ମତେ ମୋର ସିଦ୍ଧାନ୍ତ ଜଣେଇଦେବାକୁ ହେବ । ଆମ ଭଲ ପାଇବାକୁ ସେ ରୂପାନ୍ତରିତ କରିବାକୁ ଚାହୁଁଛି ବିବାହରେ । ଭାଉଜ ଚାଲିଯିବା ଆଗରୁ ମୋ ମୁଣ୍ଡରେ ଦୋଳ ମୁକୁଟ ଦେଖିବାକୁ ଚାହୁଁଛନ୍ତି । ବତିଖୁଣ୍ଟର ଆଲୁଅ ତଳେ ରମା ଘର ଛାତରେ ମଧୁମାଳତୀର ଫୁଲଗୁଡ଼ାକ ଲତା ଉପରେ ଖେଳୁଛନ୍ତି । ମୋ କବିତାର ପଂକ୍ତିଗୁଡ଼ାକ ଉପରେ ରମା ଠିକ୍ ସେଇ ଫୁଲପରି ଖେଳେ । ଅନେକ ଦିନ ହେଲା ଆମ ମନରେ ଏକାଠି ଘର କରିବାର ବସା ବାନ୍ଧିବାର ଭ୍ରୂଣଟିର ବୟସ ଦିନକୁ ଦିନ ବଢ଼ିବାରେ ଲାଗିଛି । ରମା ଆଜି ମୋ ଠାରୁ ଊତ୍ତର ଚାହିଁଛି-। ଜାଣିବାକୁ ଚାହୁଁଛି କ’ଣ ପାଇଁ ବିବାହର ଦିନକୁ ମୁଁ ଏଡ଼େଇ ଚାଲୁଛି । ରୋଗଶଯ୍ୟାରେ ବି କାଲି ଭାଉଜ କହୁଥିଲେ ସୁରମାକୁ ଏ ଘରକୁ ତାଙ୍କ ଥିବା ଭିତରେ ବୋହୂ କରି ନେଇ ଆସିବା ପାଇଁ-

 

ବାରବାର ଚାପା ଚିତ୍କାର କରୁଛନ୍ତି ନୀନା ଭାଉଜ ଯନ୍ତ୍ରଣାରେ । କେଉଁ ଏକ ଅନ୍ତର୍ଶକ୍ତିର ପ୍ରେରଣାରେ ମୁଁ ଟାଣି ହେଇ ଗଲି ତାଙ୍କ ପାଖକୁ । ବିଛଣାଧାରରେ ବସି ମୁଁ ଯେତେବେଳେ ତାଙ୍କ ପାଦକୁ ଆଉଁଶି ଦେବାରେ ଲାଗିଲି ଦେଖିଲା ବେଳକୁ ସେ ସହଜ ହେଇ ଯାଉଛନ୍ତି । ନିଃଶ୍ୱାସର ସ୍ଵରଟା ପ୍ରଖର ନୁହେଁ କୋମଳ ଶୁଭୁଛି । ମୋର କହିବାକୁ ଇଚ୍ଛା ହେଉଥିଲା ଭାଉଜଙ୍କୁ, ଫୁଲ ଥାଉ ଲତାରେ । ପବନରେ ଦୋଳି ଖେଳୁଥାଉ ସେ । ଝୁଲନ୍ତା ଫୁଲକୁ ଫୁଲଦାନିରେ ଥୋଇବାର ପ୍ରୟାସ କରିବା ଏକ ସାଧନା । ଝୁଲନ୍ତା ଫୁଲକୁ କେହି ଫୁଲଦାନିରେ ଥୋଇବାର ପ୍ରୟାସ ନକରୁ ଯଦି ବାସି ଫୁଲକୁ ସହ୍ୟ କରିବାର ତ୍ୟାଗ ତା’ ପାଖରେ ନାହିଁ, ବାସ୍ତବତାକୁ ସହିବାର ସ୍ଥିତପ୍ରଜ୍ଞତା ନାହିଁ । ମୁଁ ମୋଠାରୁ ଉତ୍ତର ଚାହୁଁଥିଲି ।

 

ମୋ ଆଉଁଶି ଦବା ଭିତରେ ଯେତେବେଳେ ନୀନା ଭାଉଜ କଡ଼ବୁଲେଇ ଆର ଗୋଡ଼ଟି ମୋ କୋଳ ଉପରେ ଥୋଇ ଦେଲେ ମୋତେ ଲାଗୁଥିଲା ଭାଇ ପଢ଼ାଘରେ ମଉଳା ଫୁଲକୁ ଯେମିତି ଅଳିଆ ଗଦାରେ ନୁହେଁ ବାଡ଼ି ପୋଖରୀରେ ଉଜେଇଁ ଦେଇ ମୁଁ ଚଳ ଚଳ କରି ପାଣି ପକେଇ ଚାଲିଛି ଆଉ ତରଙ୍ଗରେ ଖେଳି ଖେଳି ଫୁଲଟି ଫେରି ଯାଉଛି ଯେଉଁଠୁ ଆସିଥିଲା ସେଇଠିକି ।

 

ରମାର ଉତ୍ତର ଦେବାକୁ କର୍ଡଲେସ୍ ଫୋନ୍‌ର ବୋତାମ ଚିପୁଥିଲି ମୁଁ ।

☆☆☆

 

ଶୁଭସକାଳର ଅପେକ୍ଷାରେ

 

ଶେଷ ରଜର ଦି ପ୍ରହର । ରାଣୀହାଟରୁ ଯୋବ୍ରାଯିବା ରାସ୍ତାରେ ମଟର ସାଇକେଲ୍‌ଟା ଖରାପ ହେବାରୁ ବାଧ୍ୟ ହୋଇ ଆମେ ଅଟକିଲୁ । ପଛ ଚକଟାକୁ ଖୋଲି ରିକ୍‌ସାରେ ଧରି ପ୍ୟାଚ୍‌ କରିବା ପାଇଁ ମୋ ସାଥିରେ ଥିବା ସାନଭାଇ ଚାଲିଗଲା । ଅଗତ୍ୟା ମତେ ଠିଆ ହୋଇ ରହିବାକୁ ହବ । ଗାଡ଼ି ଛାଡ଼ି ଦେଇ ଗଲେ ଫେରିଲା ବେଳକୁ ନଥିବ । ଏ ଜାଗା ଏପରି ଯେ, ଶବଟାକୁ ଛାଡ଼ିଦେଇ ମାଲଭାଇମାନଙ୍କୁ ଡାକିବାକୁ ଚାଲିଗଲେ, ଫେରିଲା ବେଳକୁ ଶବଟାକୁ । କିଏ ସ୍କେଲିଟନ୍ କରିବାକୁ ନେଇଯାଇଥିବ ।

 

ଦିନକୁ ଦିନ ଦୁନିଆରେ କେତେ ନୂଆ ନୂଆ କଥା ସୃଷ୍ଟି ହେଉଛି । ଭାବଧାରାରେ ଅବା କୋଉ ଜିନିଷରେ ହେଲେ ବିଶ୍ୱାସଟା ଦିନକୁ ଦିନ ଦୁଷ୍ପ୍ରାପ୍ୟ ହୋଇ ଯାଉଚି । ମନଟାକୁ କୋଉଠି ଖୋଲି ହବନି । ସବୁଠି ଖାଲି ଛଳନାର ଇମାରତ । ପ୍ରତାରଣା ଆମ ସହଚର । ଯାହା ଶୁଭ ତାହା ବେଳକୁ ବେଳ ହଜି ଯାଉଛି । ଆଗେ ରଜ ଆକାଶରେ କେତେ ଶଂଖଚିଲ ଘୂରି ବୁଲୁଥିଲେ । ହଳଦୀ ବାଦାମୀ ଆଉଟା ରଙ୍ଗର ପକ୍ଷୀଟାଏ । ଥଣ୍ଟରେ ଧଳାଦାଗ । ଆଈମା ଠାରୁ ବୋଉ ଯାଏ ସମସ୍ତେ ବୁଝଉଥିଲେ ସିଏ ଶୁଭ । ସିଏ ଶିବ । ମୁହଁ ଚାହିଁ ଗଲେ ମଙ୍ଗଳ । ହେଲେ ମୋ ପୁଅ ଯେଉଁଦିନ କାନ୍ଦିଲା ଶଂଖଚିଲ ଦେଖିବ ବୋଲି ମୁଁ ତାକୁ ଦେଖାଇ ପାରିଲିନି । କହିଲି, ପୃଥିବୀରୁ ଅନେକ ଜୀବ ହଜି ଯାଉଛନ୍ତି । ତା ମଧ୍ୟରୁ ମଙ୍ଗଳ ସଂକେତ ଏଇ ପକ୍ଷୀଟା ଅନ୍ୟତମ । ଥମ ଥମ ଆଖିରେ ପିଲାଟା ପଚାରିଲା, “ଖାଲି କ’ଣ ଏଇ ଶୁଭ ଜିନିଷଗୁଡ଼ାକ ହଜି ଯାଉଛନ୍ତି ।’’

 

ଅନୁଭୁତି ନଥିବା ପିଲାଟା ଏଇ କଥା କହିଲା ହେଲେ ସତରେ ସବୁ ଶୁଭ ଜିନିଷ ଗୁଡ଼ାକ କିଏ ବାଛି ବୁଛି ଯେମିତି ପୃଥିବୀରୁ ନେଇ ଯାଉଛି । ଯାହା ଶୁଭ ଆଉ ମଙ୍ଗଳ ତାକୁ ମଣିଷ ସୃଷ୍ଟିର ଆରମ୍ଭରୁ ଖୋଜୁଛି । ହେଲେ ସବୁଥର ସିଏ ହାରୁଛି । ଇତିହାସ ପୁନରାବୃତ୍ତି କରୁଛି । ଖ୍ରୀଷ୍ଟଙ୍କୁ କିଏ କୃଶବିଦ୍ଧ କରିଛି । ସକ୍ରେଟିସଙ୍କୁ କିଏ ବିଷ ପିଆଇଛି । ଶାନ୍ତିର ହିମଗିରି ମୋହନ ଦାସଙ୍କ ଛାତିରେ କିଏ ଗୁଳି ଫୁଟେଇଛି ? ତଥାପି ମଣିଷ ନିରାଶ ହେଇନି । ଖୋଜୁଛି ସେଇ ଶୁଭ, ମଙ୍ଗଳକୁ ।

 

ଭାବରେ ଆନନ୍ଦ ମିଳେ ନାହିଁ ବୋଲି କବି ଲେଖିଛନ୍ତି । ହେଲେ କେବଳ ଭାବନା ଯୋଗୁଁ ମଣିଷ ବଂଚିଛି । ସବୁବେଳେ ମଣିଷ ଭାବେ, ଆଗକୁ ରାସ୍ତା ଆଲୋକିତ । ଏଇମାତ୍ର ଅନ୍ଧାର ଉଭେଇଯିବ । ଆଲୋକର ଆଶାରେ ସେ ଚାଲେ । ନ ମିଳୁ ପଛେ, ପାଇବାର ଆଶାରେ ସେ ଜୋର ଜୋର ପାଦ ପକାଏ । ନ ପାଇ ନିରାଶ ହେଲେ ଥକି ଯାଇ ବସି ପୁଣି ଆଶାର ସଂଚାର କରେ । ମରୀଚିକାକୁ ଜଳ ବୋଲି ଭାବି ଦୌଡ଼େ ।

 

ବୋଉ...... ବୋଉ...... ଉ........ଉ.... ମୋ ଦୋଳିଟାକୁ ଟିକେ ଜୋରରେ ଝୁଲେ....ଇ.....ଇ ଦେ ବୋଲି ଡାକରେ ମୁଁ ବୁଲି ଚାହିଁଲି । ଏତେବେଳ ଯାଏ ପ୍ରାୟ ମୁଁ ମୋରି ଚାରିପାଖ ବିଷୟରେ ସଚେତନ ନଥିଲି । ଭୂମିକମ୍ପରେ ନୁହେଁ, ବୁଲଡୋଜରରେ ବସ୍ତି ସବୁ ଭାଙ୍ଗି ଦିଆଯାଉଛି । ଚାଳ ଅବା ଆଜବେଷ୍ଟସ୍‌ଗୁଡ଼ାକ ପେଟେଇ ପଡ଼ିଛନ୍ତି ଭଙ୍ଗା ଇଟା ଗଦା ଉପରେ । ଖବର କାଗଜରୁ ପଢ଼ିଥିବା କଥା ମନେ ପଡ଼ିଲା । ସହରକୁ ଅସୁନ୍ଦର କରୁଥିବା ସବୁ ବେଆଇନ୍ ବସ୍ତିକି ଭାଙ୍ଗି ଦିଆଯାଇଛି । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଘର ନ ଭାଙ୍ଗିଲାରୁ ସରକାରଙ୍କ ତରଫରୁ କୁଲି ମଜୁରିଆ ବୁଲଡୋଜର ଲଗେଇ ଘର ସବୁ ଭାଙ୍ଗି ଦିଆଯାଇଛି । ସହରକୁ ଏମାନେ ଅସୁନ୍ଦର କରୁଥିଲେ । ବେଆଇନ୍‌ କାରବାରରେ ଲିପ୍ତ ରହୁଥିଲେ । ୟା ଭିତରେ ଏତେ ଘର ଥିଲା, ଏତେ ଲୋକ ଥିଲେ ବୋଲି ବିଶ୍ୱାସ କରି ହେଉନଥିଲା । ସବୁ ପଦା ଲାଗୁଛି ।

 

ଏତେ ଆଘାତ ପରେ ପିଜୁଳି ଗଛଟେ ବର୍ତ୍ତି ଯାଇଛି । ବଙ୍କା ଡାଳରୁ ତାର ଦୋଳିଟାଏ ଝୁଲି ଆସିଛି । ଚାରି ପାଞ୍ଚ ବର୍ଷର ପିଲାଟାଏ ଦୋଳିରେ ବସିଛି । ଗୋରା ତକତକ ଦେହ । ଭାସିଲା ଭାସିଲା ଆଖି । ଆଖିରେ ଲାଞ୍ଜି କଳା । ମୁଣ୍ଡରେ ଚନ୍ଦନର ଟିପିଟିପି । ଅଳ୍ପ କେତେ ଇଞ୍ଚର ବାଳକୁ ଜୋର ଜବରଦସ୍ତ ଭିଡ଼ି ବେଣୀ ପରି ମୋଡ଼ି ରବରଟାଏ ବାନ୍ଧି ଦେଇଛି । ପାଖରେ ତା’ର ମା’ ନିଶ୍ଚୟ । କୁନି ଝିଅଟି ଅଳି କରୁଛି ଦୋଳିକୁ ଜୋର୍‌ରେ ଝୁଲେଇ ଦେ ।

 

ଦୋଳି ଉପରେ ପ୍ରାୟ ସ୍ତ୍ରୀ ଲୋକଟିର ହାତ ବେଳେ ବେଳେ ଶୀଥିଳ ହୋଇଯାଉଛି । ପିଲାଟିର ଡାକରେ ସେ ଟିକେ ଟିକେ ସଚେତନ ହୋଇ ଦୋଳିଟିକି ପୁଣି ଝୁଲେଇ ଦଉଛି । ଜୋରରେ ଝୁଲିଗଲେ ଡରପାଇ ପିଲାଟି ଦୋଳି ଦଉଡ଼ିକି ଦି ମୁଠାରେ ଜାବୁଡ଼ି ଧରୁଛି । ମୁହଁରେ କୁରୁଳି ଉଠୁଥିବା ହସକୁ ବି ଦାନ୍ତ ଭିତରେ ଚାପି ଦେଉଛି । ଅଳ୍ପଦୂରରେ ଦଶବାର ବର୍ଷର ପିଲାଟିଏ, ତାସର ପଟାପରି କାଗଜର ଠୁଙ୍ଗା କେଇଟା ମେଲେଇ ଶୁଖଉଛି । କୁଆଡ଼ିକି ନିଘା ନାହିଁ ତାର । ଆର ପଟକୁ ତିନିଟା ଇଟାକୁ ଥୋଇ ଜାଳ ଜାଳି ଡେକ୍‌ଚି ହାଣ୍ଡିଟିଏ ଥୋଇ କିଏ କ’ଣ ଗରମ କରୁଛି ।

 

ବେଳେ ବେଳେ ପିଲାଟିକି ଝୁଲେଇ ଦଉ ଦଉ ଉଦାସ ଆଖିରେ ଆକାଶକୁ ଚାହୁଁଛି ସ୍ତ୍ରୀ ଲୋକଟି । ଆଖିଟା ହଜିଯାଉଛି ଆକାଶ ସାଥିରେ । ଆସନ୍ନ ମେଘ । ରଜପାଗ । ଆକାଶରେ ଏଇଦିନ ରଜସ୍ଵଳା ଧରିତ୍ରୀ ମେଘକୁ ଅପେକ୍ଷା କରେ । ସ୍ତ୍ରୀ ଲୋକଟିର ଆଖିରେ ଆବେଗ ନାହିଁ । କେବଳ ଆଶଙ୍କା । ବାଆଁରେଇ ବାଆଁରେଇ ହେଇଚାହିଁ ଦେଖିଲି ଲାଟୁର୍‌ ପରି ବିଧ୍ୱସ୍ତ ସେଇ ଭଙ୍ଗାଇଟାର କୁଢ଼ ଉପରେ କିଏ ଜଣେ ଶୋଇଛି, ଘୋଡ଼ିଘାଡ଼ି ହେଇ । କିଛି ରୋଗ ହୋଇଛି ନିଶ୍ଚୟ । ପାଟିରେ ତାର ପରିବାରର କେହି ଔଷଧ ଟିକେ ଦଉଛି ।

 

ମତେ ଲାଗୁଥିଲା, କେହି କୁଆଡ଼େ ଯିବାକୁ ପ୍ରସ୍ତୁତ ନୁହଁନ୍ତି । ଯେମିତି ସେଠି ସେମାନଙ୍କର ଆପଣାର କିଛି ଅଛି । ଇତି ମଧ୍ୟରେ ଠୁଙ୍ଗା ତିଆରି କରୁଥିବା ପିଲାଟି ମୋ ପାଖରେ ଠିଆ ହୋଇ ମଟର ସାଇକେଲଟିକି ଗଳି ଗଳି ଚାହୁଁଥିଲା । “ତମ ଘର କେଉଁଠି ?’’ ଅଜାଣତରେ ପଚାରିଦେଲି । “ଆମ ଘର ?? ....ଭାଙ୍ଗି ଯାଇଚି ।” ଆକସ୍ମିକ ଭାବରେ ଉତ୍ତର ଦେଲା ପିଲାଟି । କଥା ନୁହେଁ ଯେପରି ପିଞ୍ଜରା ତଳରୁ ଦଲକାଏ ବତାସ । ‘‘ଏବେ କ’ଣ କରିବ ?” ସ୍ୱତଃ ପ୍ରଶ୍ନଟାଏ କଲି ମୁଁ ତାକୁ । “ଏଇଠି ତ ଅଛୁ ବର୍ଷା ହେଲେ ଯାହା କରିବୁ ।”

 

ଆକାଶର ପେଟତଳେ କୁଦାମାରି ବର୍ଷାଟା ଖେଳୁଛି । ଯେ କୌଣସି ମୁହୂର୍ତ୍ତରେ ପୃଥିବୀକି ଓହ୍ଲେଇ ଆସିବ । ପିଲାଟି କହୁଥିଲା-ଗାଁ ତାର ବରହମ୍‌ପୁର ପାଖରେ । ଯେଉଁ ମାଟିରେ ପ୍ରତି ସକାଳରେ କେତକୀ ଫୁଲ ଫୁଟେ । ଗାଁ କେବେ ଛାଡ଼ି ସେମାନେ କଟକ ଆସିଛନ୍ତି, ସେ ଜାଣେନି ହେଲେ ବର୍ଷରେ ଥରେ ଅଧେ ସେ ବାପା ସାଙ୍ଗରେ ଗାଁକୁ ଯାଏ । ଗାଁରେ ଜମି ବାଡ଼ି ସେମିତି କିଛି ନାହିଁ । ଏକା ତା ବାପା ନୁହେଁ ଏମିତି ଅନେକ ଲୋକ ଗାଁ ଛାଡ଼ି ଏଠି ଏକାଠି ରହୁଛନ୍ତି-। ବଂଚିବା ପାଇଁ ସମସ୍ତଙ୍କର ଏଇ ଦଉଡ଼ ।

 

ମୋ ମନରେ ଗୋଟିଏ କଥା ଧକ୍‌କା ଖାଉଥିଲା, “ଏଇଠି ତ ଅଛୁ ବର୍ଷା ହେଲେ ଯାହା କରିବୁ ।’’ ତେବେ କ’ଣ ପାଇଁ ମଣିଷ ଲକ୍ଷ ଲକ୍ଷ ବର୍ଷ ଧରି ସଂଗ୍ରାମ କରି ଆସିଛି । ଯେଉଁଦିନ ପୃଥିବୀରେ ମଣିଷର ମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ ନ ଥିଲା, ଆବାସ ଥିଲା ବୃକ୍ଷଛାୟା, ସେଦିନ ଥିଲା ପୃଥିବୀର ପହିଲି ସକାଳ । ବଣ ଜଂଗଲରେ ଏକଲା ବୁଲୁଥିଲା ମଣିଷ । ହେଲେ ମଣିଷ ସାଥିରେ ହାତ ଛନ୍ଦି ଧୀରେ ଧୀରେ ଘର, ଘରରୁ ଗ୍ରାମ, ଗ୍ରାମରୁ ଦେଶ ସୃଷ୍ଟି କରିଥିଲା । ସୁରକ୍ଷା ପାଇଁ ସମାଜର ଶୃଙ୍ଖଳକୁ ଆଦରି ନେଇଥିଲା । ତେବେ କ’ଣ ଅନନ୍ତ କାଳରୁ କରି ଆସିଥିବା ସଂଗ୍ରାମରେ ମଣିଷ ହାରିଯାଇଛି ? ସୃଷ୍ଟିର ସେଇ ଆଦ୍ୟ ପ୍ରଭାତରେ ମଣିଷ ଆଗରେ କିଛି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ନ ଥିଲା । ବର୍ଷା ଆସିଲେ ସେ କ'ଣ କରିବ ? କ୍ଷୁଧା ମେଣ୍ଟାଇବା ପାଇଁ ବା ମୁହଁରେ କିଏ ଢୋକ ଦବ ? ତାକୁ ବିପଦ ଆସିଲେ ସାହାଯ୍ୟ କରିବାକୁ କିଏ ଆଗେଇ ଆସିବ ? ବ୍ୟକ୍ତିକୁ ସମାଜ ପାଖରେ ସମର୍ପି ଦେଲା । ସୁରକ୍ଷା ପାଇଁ ତଥାପି ବି ଆଜି ସେଇ ପ୍ରଶ୍ନ ସବୁ ଅସମାହିତ ଅଛି । ବତାସ ପରି ପିଲାଟିର କଥା ମୋ କାନରେ ପିଟିହେଉଥିଲା “ବର୍ଷା ଆସିଲେ ଯାହା କରିବୁ-।”

 

କୁଲୁବୁଲିଆ ପିଲାଟା ଏବେ ବି ଦୋଳିରେ ଝୁଲୁଛି । ବେଳେ ବେଳେ ଖିଲି ଖିଲି ହୋଇ ହସୁଛି । ବୁଢ଼ୀ ଘରଣୀ ପରି ବେଳେ ବେଳେ ବାଳ କେତେଟା ସାଉଁଳି ଦଉଛି । ଏତେ ଆଶଙ୍କା ଭିତରେ ବି ମା’ ତା’ର ଟିକେ ନିଆରା ଲାଗୁଥିବା ଲୁଗାଟେ ପିନ୍ଧିଛି । ପ୍ରାୟ ରଜ ବୋଲି । ହେଲେ ତା’ର ଆଖିରେ ଯେମିତି ଗୁଡ଼ାଏ ପ୍ରଶ୍ନର ଲହଡ଼ା ।

 

ପାଖରେ ଛିଡ଼ା ହେଇଥିବା ପିଲାଟିକି ମୁଁ ନିରିଖେଇ ଚାହିଁ ପଚାରିଲି, କ’ଣ କରେ ସେ-? ବାପା ତାର କ’ଣ କରେ ? ଉତ୍ତରରେ ଜାଣିଲି ପରିବାର ତା’ର ବାପ, ମା ଆଉ ଛୋଟ ଭଉଣୀକୁ ନେଇ । ବାପ ତାର ରାତି ପାହିଲେ ବଜ୍ରକବାଟି ପୋଲ ପାଖରେ ଠିଆ ହୁଏ । ସକାଳୁ ସେଠି ପ୍ରାୟେ ପ୍ରବାସରେ ରହିଥିବା ଶହ ଶହ ଶ୍ରମିକ, ଏମିତି ଠିଆ ହୁଅନ୍ତି କାମ ମିଳିବା ଆଶାରେ-। ମୂଲିଆ ଖୋଜିବାକୁ ଆସୁଥିବା ଲୋକମାନଙ୍କୁ ତା ହାତରେ ବଳିଲା ବଳିଲା ମାଂସପେଶୀଗୁଡ଼ାକ ଦେଖାଏ । ତା’ପରେ ଲୋକେ ତାକୁ କାମ କରିବା ପାଇଁ ନେଇ ଯାଆନ୍ତି । ଦିନସାରା ପରିଶ୍ରମ କରେ, ସେ ସଂଜରେ ଘରକୁ ଫେରେ ।

 

“ଆରେ ବାପାକୁ ମୋର ବେଶୀ ଲୋକ ଡାକୁଥିଲେ, ହେଲେ ଅନେକ ଦିନ ଧରି ରୋଗରେ ପଡ଼ିଲା ପରେ ସେ ପତଳା ହେଇଯାଇଛି । ତା’ର ପତଳା ଚେହେରା ଦେଖି ଲୋକେ ତାକୁ କାମ କରିବାକୁ ଡାକୁ ନାହାନ୍ତି ?” ମତେ ଲାଗୁଥିଲା ମୋ ଚାରିପାଖରେ ସ୍ପଷ୍ଟ ଦିବାଲୋକ ନାହିଁ, ଅଛି ଯେମିତି ରାଶି ରାଶି ଅନ୍ଧାର । କ୍ରୀତଦାସର କାହାଣୀ ପଢ଼ିଲା ପରି ଲାଗିଲା । କ୍ରୀତଦାସଙ୍କ ଶରୀର ଦେଖି ତାଙ୍କର କ୍ରୟମୂଲ୍ୟ ସ୍ଥିର କରାଯାଉଥିଲା । ମତେ ଲାଗୁଥିଲା ମୁଁ ଯେମିତି ଏଇ ସହରକୁ ଆଉଥରେ ଆବିଷ୍କାର କରୁଛି ।

 

ସହରକୁ ଏମାନେ ଅସୁନ୍ଦର କରୁଥିଲେ । ତେଣୁ ଏମାନଙ୍କର ଝୁମ୍ପୁଡ଼ିକୁ ଭାଙ୍ଗି ଦିଆଯାଇଛି । ଘର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳଙ୍କର ଚାରିଆଡ଼େ ଭୂରି ଭୂରି ପ୍ରଶଂସା ଖବର କାଗଜମାନ କରୁଛନ୍ତି । ଝୁମ୍ପୁଡ଼ିଗୁଡିକ ଅସାମାଜିକ କାର୍ଯ୍ୟର କେନ୍ଦ୍ର ଥିଲା ବୋଲି ପୋଲିସ ସୁପରିଟେଣ୍ଡେଣ୍ଟ ମଧ୍ୟ ସାମ୍ବାଦିକମାନଙ୍କୁ କହିଛନ୍ତି । ଦାମୀ ହୋଟେଲର ସଭା କକ୍ଷରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ସମ୍ବାଦିକମାନଙ୍କ ସହ ଏ ଦେଶକୁ ଚଳାଉଥିବା ବ୍ୟକ୍ତିମାନେ ଯୋଗଦେଇଥିଲେ । କେତେ ଦାମୀ ଦାମୀ ବିଦେଶୀ ପାନୀୟ ସେଠି ଶେଷ ହୋଇଯାଇଥିଲା । ମୁଖ୍ୟ ସଚିବ, ଜିଲ୍ଲାପାଳ, ଆଉ ପୁଲିସ ଅଧୀକ୍ଷକଙ୍କୁ ସାବାସ୍ ଦେଇଥିଲେ । ଅନେକ. ଜାଗାରେ ଏମିତି ଥିବା ଝୁମ୍ପୁଡ଼ିକୁ ଭାଙ୍ଗି ସହରକୁ ସୁନ୍ଦର କରିବା ପାଇଁ ମହଲ ତୋଳିବାର ସାମର୍ଥ୍ୟ ଥିବା ବ୍ୟକ୍ତିକୁ ଲିଜ୍ ଦିଆଯାଇଛି । ଏଇପରି ଗୋଟିଏ. ମହଲରେ ଥିବା ହୋଟେଲକୁ ଉଦ୍‌ଘାଟନ କଲାବେଳେ ହୋଟେଲ୍ ଲନ୍‌ରେ ଥିବା ସଫେଦ୍ ଆଲୁଅକୁ ଦେଖେଇ ମନ୍ତ୍ରୀ ମହାଶୟ ସେଦିନ କହୁଥିଲେ, “ଏଇ ସଫେଦ୍ ଆଲୁଅ ଆମ ଶାସନର ପ୍ରତୀକ ।”

 

ବାରବାର ମୋ ମନକୁ ଆନ୍ଦୋଳିତ କରୁଥିବା ପିଲାଟିର କଥା କେଇପଦ । ବାପ ତା’ର ରୋଗରେ ପଡ଼ିଲା ପରେ ତାକୁ କାମକୁ ଆଉ କେହି ଡାକୁନାହାନ୍ତି । ମୂଲ ଲାଗିବା ଆଶାରେ ବଜ୍ରକବାଟି ପୋଲ ବି ବିଜୁପଟ୍ଟନାୟକ ଛକ ପାଖରେ ଠିଆ ହେଇ ହେଇ ଦିନେ ଦିନେ ଖରା-ମୁଣ୍ଡ ଉପରକୁ ଗଲେ ବାପା ତାର ଫେରି ଆସେ । ନିରାଶରେ ବୋଉ ମୁହଁକୁ ଚାହେଁ । ବୋଉ କେବଳ ଦୀର୍ଘଶ୍ୱାସ ପକାଏ । ଯେଉଁ ଦିନ ମୂଲ ମିଳେନି ସେଦିନ ଡେକ୍‍ଚିରେ ଗବ ଗବ ହେଇ ଫୁଟୁଥିବା ଗରମ ପାଣିରେ ଚାଉଳ ପଡ଼ି ପାରେନି ।

 

ପିଲାଟି କହି ଚାଲୁଥଲା, “କେତେଦିନ ହେଲା ବୋଉ ମୋର ଛକକୁ ଯାଉଛି । ବୋଉକୁ ସାଙ୍ଗେ ସାଙ୍ଗେ କାମ ମିଳିଯାଉଛି । ହେଲେ ବୋଉର କାମ କରିବାକୁ ଯିବାକୁ ମନ ନାହିଁ । ଫେରିଲେ ବାପା ପାଖରେ ସବୁଦିନ ରାତିରେ ଆମେ ଶୋଇଲା ପରେ ସେ କାନ୍ଦୁଛି । ମିଛରେ ଆଖବୁଜି ପଡ଼ି କେତେଥର ବୋଉର ଏ କାନ୍ଦ ମୁଁ ଶୁଣିଲିଣି ।

 

ଏଇ କଥାବାର୍ତ୍ତା ଭିତରେ ସେଇ ପିଲାଟି ଓ ମୋ ଭିତରେ ପ୍ରାୟେ କିଛି ଆତ୍ମୀୟତା ଆସିଯାଇଥିଲା । ହୁଏତ ତାର ସୁଯୋଗ ନେଇ ପିଲାଟି ପଚାରିଲା, ବାବୁ, କହି ପାରିବ ବୋଉ ମୋର କାଇଁ କାନ୍ଦେ ?? ସେ କାନ୍ଦିଲେ ମତେ ବି କାନ୍ଦ ଲାଗେ । ଉଠି ଲୁହ ପୋଛିବାକୁ ଇଚ୍ଛା ହୁଏ-। ମୁଁ ତ ଲୁଚି ଲୁଚି ଶୁଣେ । ବୁଝି ପାରେନା । ତେଣୁ ପଚାରି ପାରେନା । ସେ ହସିଲେ ମତେ ବହୁତ ଭଲ ଲାଗେ ।

 

କ’ଣ ବା ସେ ପିଲାର ପ୍ରଶ୍ନର ଉତ୍ତର ମୁଁ ଦେବି । ଘର ଛାଡ଼ି ନାରୀଟିଏ ବାହାରକୁ ଗଲେ ତା ଉପରେ ସମସ୍ତଙ୍କର ଆଖି ପଡ଼େ ।

 

ବୋଉ ତାର ଏବେ ବି ସାନ ଛୁଆଟିକି ଦୋଳିରେ ଝୁଲଉଛି, ପୁଣି ଭଦାସ ଆଖିରେ ଆକାଶ ପେଟରେ ମେଘକୁ ଚାହୁଁଛି । ଆଗରେ ଅନିଶ୍ଚିତ ଭବିଷ୍ୟତ ତଥାପି ମୁଁ ଦେଖୁଥିଲି ସେଇ ବିଧ୍ୱସ୍ତ ବସ୍ତି ଭିତରେ ତାର ଆତ୍ମା ମୁଣ୍ଡ ଟେକୁଛି । ତିନି ଖଣ୍ଡ ଇଟା ସଜାଡ଼ି ଚୁଲି ତିଆରି ଚାଲୁଛି । ଜରି ପାଲ ଖଣ୍ଡକୁ କିଏ ଛାତ କରି ଟାଙ୍ଗୁଛି । ଓଲଟି ପଡ଼ିଥିବା ଠାକୁର ମୂର୍ତ୍ତିଟିକି କିଏ ଗଛମୂଳେ ସଜାଡ଼ି ରଖିଛି । କିଛିଦିନ ପରେ ହୁଏତ ପୁଣି ସୁନ୍ଦର ବସ୍ତିଟିଏ ଗଢ଼ି ଉଠିବ । କ୍ଷୁଧା ଆଉ ଦାରିଦ୍ର୍ୟର ଅଥଳ ଦରିଆରେ ପହଁରି ପହଁରି ଚାଲୁଥିବା ମଣିଷଗୁଡ଼ାକ ପ୍ରତି ସତରେ କେତେ ବିପଦ ?

 

ସମୁଦ୍ରକୁଳ ଗାଁରେ ତାର ପ୍ରତି ରାତିରେ କେତକୀ ଫୁଲ ଫୁଟୁଥିଲା । ଜହ୍ନ ସବୁ ଦିନେ ସେଇ ଗାଁକୁ ଆସୁଥିଲା । ସାଗରର ସଫେଦ ଫେଣ ଗୁଡ଼ାକ ସେଠି ମୁଣ୍ଡ ପିଟୁଥିଲେ । ହେଲେ ସେ ଗାଁ ତାର ଭାଙ୍ଗିଗଲା । ଇସ୍ପାତ କାରଖାନା ହବ । କେତକୀର ବନ ଉଜୁଡ଼ିଗଲା । ବଜ୍ରକବାଟି ପୋଲ ପାଖରେ ଶ୍ରମିକ ବଜାରରେ ବାପକୁ ତା'ର କାମ ମିଳିଲାନି । ପୁଣି ତାର ଆଶ୍ରୟସ୍ଥଳ ସହର ତଳି ଝୁମ୍ପୁଡ଼ି ବୁଲଡ଼ୋଜର ତଳେ ଚାପି ହୋଇଗଲା । ଆଜି ସେ ବୁଝିବାକୁ ଚାହୁଁଛି କାଇଁକି ତା ମା’ ଆଖିରେ ଲୁହ ???

 

ମତେ କିନ୍ତୁ ଲାଗୁଥିଲା । ଏମାନଙ୍କର ମନରେ ବିଦ୍ରୋହ ନାହିଁ, ଘୃଣା ନାହିଁ, ସାଲିସ୍ ବି ନାହିଁ, ନିରବରେ ସବୁ ସହିନେଇ ସେମାନେ ଭାବୁଛନ୍ତି ନିଶ୍ଚିତ ଭାବରେ ସେମାନଙ୍କ ଗାଁରେ କିଆ କେତକୀର ଫୁଲ ଫୁଟିବ । ଜହ୍ନ ରାତିରେ ପୁଣି ସଫେଦ୍ ଜୁଆର ଗୁଡ଼ାକ ପିଟି ହେବ । ସେମାନଙ୍କର ଦୁକ୍ ଦୁକ୍‌ର ଶବ୍ଦ ଯେମିତି ମତେ ଲାଗୁଥିଲା କହୁଚି ନେତି, ନେତି ଏହା ରହିବ ନାହିଁ, ରହିବ ନାହିଁ । ଆଉ ସେମାନେ ଅପେକ୍ଷା କରୁଛନ୍ତି ଈପ୍‌ସିତ ଏକ ଶୁଭ ସକାଳକୁ ।

☆☆☆

 

କଥାକୁହା କଣ୍ଢେଇ

 

‘‘ନୀଳାଦ୍ରୌ ଶଙ୍ଖ ମଧ୍ୟେ ଶତଦଳ କମଳେ.......” ଆଃ, ଏ ବନ୍ଦନା କିଏ ଗାଉଛି ? ସତରେ କ’ଣ ରକ୍ତ ମାଂସ ଦେହରେ ମା' ସରସ୍ୱତୀ ? ରାଣୀ ଶୁକଦେଈ ଛାତ୍ରୀ ନିବାସ ଅଗଣାରେ ତୁଳସୀ ଚଉରା ମୂଳେ ଦୀପଟିଏ ଜାଳିଦେଇ ବାଣୀ କଣ୍ଠରେ ଝଂକାର ତୋଳୁଛି ଝିଅଟିଏ । ଦେହରେ ଶ୍ଵେତବାସ, ମଥାରେ କୁଂକୁମ ବିନ୍ଦୁ ଉପରେ ଚନ୍ଦନର ବଳୟ । ଉନ୍ମୁକ୍ତ ସଦ୍ୟ ଧୌତ କେଶ । ଗଳାରେ ଶୁଭ୍ର ମାଳିକା ।

 

ପଚିଶ ବର୍ଷ ତଳକୁ ଫେରିଯାଇଥିଲା ଗୀତିମା । ସେତେବେଳେ ସେ ଏ ଛାତ୍ରୀ ନିବାସର ଅନ୍ତେବାସିନୀ । ସେବେ ପ୍ରତିଟି ସକାଳେ ଏମିତିଆ ଦୃଶ୍ୟ ଥିଲା । ଅର୍ଚ୍ଚନାର ଝଙ୍କାରରେ ଛାତ୍ରୀ ନିବାସ ମୁଖରିତ ହୋଇ ଉଠୁଥିଲା । ତେବେ କ’ଣ ପଚିଶ ବର୍ଷ ପରେ ଅର୍ଚ୍ଚନା ଆଜି ପୁଣି ଏଇ ଛାତ୍ରୀ ନିବାସକୁ ଆସି ସେଇ ଦୃଶ୍ୟ ରଚନା କରିଛି ? ହସ ଲାଗିଲା । ପଚିଶ ବର୍ଷ ମଣିଷ ଜୀବନରେ ଏକ ଖୁବ୍ ଲମ୍ବା ସମୟ । ଅନେକ ପରିବର୍ତ୍ତନ ଆସିଥିବ ଅବୟବରେ । ମୁଣ୍ଡରେ ନିଶ୍ଚିତ କେତୋଟି ପକ୍ୱକେଶ, ମୁଖ ମଣ୍ଡଳରେ ଅନେକ କୁଞ୍ଚିତ ରେଖା, ଠିଆ ହବାର ଠାଣିରେ ବକ୍ରତା । କିନ୍ତୁ ଏ ଯେ ଠିକ୍ ସେ ଦିନର ଅର୍ଚ୍ଚନା !

 

ପାଞ୍ଚ ନମ୍ବର ରୁମ୍ ଆଡ଼େ ଚାହିଁଲା ଗୀତିମା ଠିକ୍ ଆଗଭଳି ଚାରିଟି ଖଟ । କିନ୍ତୁ ପଚିଶ ବର୍ଷ ତଳେ ଜୀବନର ଚାରିଛକିରେ ଏଇଠୁ ବାଟ ଭାଙ୍ଗି ଚାଲିଯାଇଥିବା ଚାରୋଟି ଝିଅ ଶୁଭ୍ରା, ପାରମିତା, ଅର୍ଚ୍ଚନା ଆଉ ସେ ନିଜେ ଯେ ଆଜି ଏଠି ଅଚିହ୍ନା ହୋଇ ଯାଇଥିବେ ଏ ସତ୍ୟକୁ ସହିବାକୁ ପ୍ରସ୍ତୁତ ନଥିଲା ଗୀତିମା । ପରିବେଶରେ କିଛି ନ ବଦଳିଲା ପରି ଲାଗୁଥିଲା ତାକୁ । ସେଇ କଳରୋଳ । ବାରଂଡ଼ାରେ ଚାଲି ଚାଲି ଏପଟ ସେପଟ ହେଇ ବୁଲୁଥିଲା ଗୀତିମା । ଆଶ୍ଚର୍ଯ୍ୟର କଥା, ପାଖ ଆମ୍ବ ଗଛ ଡାଳରେ ହଳଦିବସନ୍ତ ଦଂପତ୍ତିଟିଏ ଠିକ୍ ସେଇଦିନ ପରି ବସିଛନ୍ତି । ବେଳେ ବେଳେ ଏ ଡାଳରୁ ସେ ଡାଳକୁ ଡେଉଁଛନ୍ତି । ପିଲାଏ ତାଙ୍କୁ ଦେଖି ଆତ୍ମହରା ହେଉଛନ୍ତି । ବାରଂଡ଼ାରେ ନିଜ ନିଜ ଭିତରେ କଥାବାର୍ତ୍ତା ଚାଲିଛି, ଆଜି କି ତରକାରି ହେବ । ମେସ ବୁଝୁଥିବା ଝିଅଟିକି ପଞ୍ଝାଏ ଝିଅ ଘେରି ଠିଆ ହୋଇଛନ୍ତି । ଗୀତିମା ଦେଖୁଥିଲା ସେମିତିଆ ସକାଳ-। ଗଛ ଡାଳରେ ସେଦିନର ଚଢ଼େଇ ପରି ଚଢ଼େଇ । ଆକାଶରେ ସେମିତିଆ ବାଦଲ ଛାତ ଉପରକୁ ଯାଇ ଦେଖିଲା ଗୀତିମା, ଭରା ପାଣିରେ ଉବୁଟୁବୁ ମହାନଦୀ । ସେମିତି ଚହଲି ଚହଲି ଚାଲୁଥିବା ଜଳରାଶି । ଚର୍ଚ୍ଚିକା ପାହାଡ଼ରୁ ସେମିତିଆ ହୁଳହୁଳି ଆଉ ଘଣ୍ଟ ଘଣ୍ଟାର ସୁର ।

 

ଧାର ଧାର ହୋଇ ବହି ଯାଉଥିବା ଲୋତକଭରା ଆଖିରେ ଜଗନ୍ନାଥ ବନ୍ଦନା ଆବୃତ୍ତି କରି ଚାଲିଛି ଝିଅଟି । ମଝିରେ ମଝିରେ ଆଖି ପୂରେଇ ଦେଖୁଥିଲା ଝିଅଟିକି ।

 

ପଚିଶ ବର୍ଷ ତଳର ଇତିହାସକୁ ରୋମନ୍ଥନ କରୁଥିଲା ଗୀତିମା । ଏକ ବର୍ଷାଧୁଆ ଅପରାହ୍ନରେ କଟକ ବାଙ୍କୀ ଫେୟାରୱେଦର ରାସ୍ତାରେ ଓଆରଟି ବସ୍‌ରେ ଆସି ବାପାଙ୍କ ସାଙ୍ଗରେ ପହଁଚିଥିଲା ସେ । ସାଙ୍ଗରେ ଦସ୍ତାବାକ୍‍ସ, ବୋଉ ଦେଇଥିବା ଆଚାର ବୋତଲ, ଚୁଡ଼ାଭଜାଟିଣ ଆଉ ମନରେ ମନେ ଭୟ । ଠିକ୍ ତାରିପରି ଗୋଟିକ ପରେ ଗୋଟିଏ କେତେ ଆଡ଼ୁ ଝିଅ ଆସି ପହଁଚିଥିଲେ ହଷ୍ଟେଲରେ । ଗଢ଼ି ଉଠିଥିଲା ନୂଆ ଏକ ସଂସାର । ପାଞ୍ଚନମ୍ବର ରୁମକୁ ବାଛି ନେଇଥିଲେ ସେମାନେ କେତୋଟି ଝିଅ । ପରସ୍ପରର ଅପରିଚିତ ଝିଅଗୁଡ଼ାକ ମଧ୍ୟରେ ପରିଚିତି ଅନେକ ବଢ଼ିଯାଇଥିଲା ଆଉ ସମସ୍ତେ ସମସ୍ତଙ୍କୁ ଆପଣେଇ ନେଇଥିଲେ । ହସର ଦୁନିଆରେ ସେମାନେ କେବେ ବିଷାଦର କଳାଛିଟା ଦେଖିନଥିଲେ । ପାଠ ପଢ଼ିଲା ବେଳେ ସମସ୍ତେ ମନେ ମନେ ଏକ ରାଜକୁମାରୀ । ସମସ୍ତେ ସୁଖର କଳ୍ପନା କରନ୍ତି, ସୁଖର ସ୍ଵପ୍ନ ଦେଖନ୍ତୁ ଆଉ ଆଗକୁ ଫୁଲପରା ରାସ୍ତା ପଡ଼ିବ ବୋଲି ଭାବି ଘୁମେଇ ପଡ଼ନ୍ତି । ଘରୁ କିଏ ଆସିଲେ ପିଲାଏ ଖୁସିରେ କୁରୁଳି ଉଠନ୍ତି । ବାପାଙ୍କର ଆସିବା ଡେରି ହେଲେ ସେ ମନମାରି ବସେ । ଡାକବାଲାକୁ ଅନାଏ । ପୁଣି ଉଦାସ ଆଖିରେ ଆକାଶକୁ ଚାହେଁ ।

 

ଗେଟ୍ ଜଗୁଥିବା ମାଉସୀଟା କାଇଁ ଦେଖାଯାଉନି । ଏତେ ବର୍ଷ ହେଲାଣି । ବଂଚିଛି କି ନାଇଁ । ସ୍ନେହୀ ମଣିଷଟାଏ । ଘରଭୂଇଁ ଛାଡ଼ି ଆସିଥିବା ପିଲାଙ୍କୁ ସାଙ୍ଗେ ସାଙ୍ଗେ ନିଜର କରିନିଏ । ମେସ ବୁଝୁଥିବା ପିଲାଟିକି ସାଙ୍ଗରେ ନେଇ ସେ ସଉଦା ପାଇଁ ଯାଏ । କୋଉଦିନ କ୍ଲାସ୍ ସରିବା ଡେରି ହେଲେ କ୍ଲାସ୍ ପାଖକୁ ଯାଇ ବାରଣ୍ଡାରେ ବୁଲିବ । ଝରକା ବାଟେ ମେସ୍ ବୁଝୁଥିବା ପିଲାଟିକି ଠାର ବସେଇବ । କ୍ଲାସ୍‍ସାରା ପିଲା ହସି ଉଠିବେ । ସାର ପାଠ ପଢ଼ା ବନ୍ଦ କରି ଖାଦ୍ୟମନ୍ତ୍ରୀଙ୍କୁ ହଷ୍ଟେଲ୍ ଯିବା ପାଇଁ କହିବେ । ଯେତେ ମନାକଲେ ସେ ମାନିବନି । ସାର୍ ଖରାପ ଭାବିବେ ବୋଲି କହିଲେ ସେ କହିବ ‘‘ଏ ମାଷ୍ଟ୍ର ଗୁଡ଼ାକ ମୋ ଆଗରେ ପିଲା ।” ସେମାନେ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଲା ବେଳର କଥା କହିବ । ପୁଣି ବେଳେ ବେଳେ ବାହାଘର ପାଇଁ କାହାର କେମିତି ଚର୍ଚ୍ଚିକେଇଙ୍କ ପାଖରେ ଦେଖାଚାହାଁ ହୋଇଥିଲା ଆଉ ସେଠି ସେ କେମିତି ମୁରବି ସାଜିଥିଲା ସେ କଥା କହିବ । ବେଳେ ବେଳେ ପୁଣି ଗପି ବସେ ତା’ ଜୀବନର ଇତିହାସ । ବାଳୁତ ବିଧବା । ପିଲାପିଲି ନାହିଁ । ଏ ହଷ୍ଟେଲ୍‍ଟା କେମିତି ତାର ପିଲା ।

 

ଛାତ୍ରୀ ନିବାସ ମଧ୍ୟରେ ପ୍ରାୟ ସେ ପର୍ଯ୍ୟନ୍ତ କେହି ଗୀତିମାର ଉପସ୍ଥିତିକି ଅନୁଭବ କରି ପାରି ନଥିଲେ । କେହି ଭାବୁଥିବେ କାହାର ଗେଷ୍ଟ ହୋଇଥିବେ କି କ’ଣ ହୋଇଥିବେ । ମନ ଚିଡ଼ି ଉଠୁଥିଲା ତାର । ଦିନେ ଏ ରୁମ୍ ତାର ଥିଲା । ଏ କାନ୍ଥରେ କଳା ଲାଗିଲେ ତା ଛାତିରେ ଦାଗ ଲାଗିଲା ପରି ଲାଗୁଥିଲା । ମଶାଟାକୁ କାନ୍ଥ ଉପରେ ଚାପୁଡ଼ାଟାଏ ମାରିଦେଇ ରକ୍ତ ଦାଗ ଲଗେଇ ଦେଇଥିଲା ବୋଲି ପାଖ ରୁମରେ ରହୁଥିବା ପିଲା ଉପରେ ସେ ଥରେ କେତେ ରାଗି ଥିଲା । ଏ ରୁମକୁ ମୋ ରୁମ୍ ବୋଲି କେତେ ଦାବି ସେ.କରୁଥିଲା । ଉଦାସ ଲାଗିଲା ତାକୁ । ଏ ଦୁନିଆରୁ ଥରେ ଯଦି ମଣିଷ ଚାଲିଗଲା, ଆଉ ପରେ କେବେ ଆସି ତାକୁ ତା ପୁରୁଣା ପୃଥିବୀକି ଖୋଜିବାର ସୁଯୋଗ ମିଳିଲା ସତରେ ତାକୁ ଅନେକ ଆଶ୍ଚର୍ଯ୍ୟ ହବାକୁ ପଡ଼ିବ ।

 

ହଠାତ୍ ଦିନେ କେତେଆଡ଼ୁ ଆସି ରାଣୀ ଶୁକଦେଈ ଛାତ୍ରୀ ନିବାସରେ ଡେରା ପକେଇଥିବା ଝିଅ ଚାରିଟାଙ୍କର ପାଠ ପଢ଼ା ଦିନ ସରି ଆସିଲା । ସେ ଦିନଟା ସତେ ଯେମିତି ସେମାନଙ୍କ ପାଇଁ ଥିଲା ଆକସ୍ମିକ । ହଷ୍ଟେଲ୍ ଛାଡ଼ିଲା ବେଳକୁ ସ୍ୱପ୍ନର ଜହ୍ନରାତିର ଆକାଶ ଆଡ଼କୁ ବାସ୍ତବତାର କଳା ବାଦଲଟା ମାଡ଼ି ଆସୁଥିଲା । ପରୀକ୍ଷା ପରେ ପ୍ରାକ୍ଟିକାଲ ପର୍ଯ୍ୟନ୍ତ ଯୋଉ କେତେଦିନ ରହିଲେ ଖାଲି ଗପି ଗପି କଟେଇ ଦେଲେ । ବେଳକୁବେଳ ସେମାନେ ଅନୁଭବ କଲେ, ଏବେ ପରସ୍ପରକୁ ନ ଦେଖିଲେ ମନ ବାଉଳି ଉଠୁଛି । ହେଲେ ହଷ୍ଟେଲ୍ ଛାଡ଼ିଲା ପରେ କେହି କାହାକୁ ଦେଖିବାଟା ସାତ ସପନ ହେବ ।

 

ଚାରିଆଡ଼େ ଆଖି ବୁଲେଇ ସେମାନଙ୍କୁ ଖୋଜୁଥିଲା ଗୀତିମା । ଶୁଭ୍ରା, ପାରମିତା, ଅର୍ଚ୍ଚନା ଆଉ ସେ ସେଦିନ କଥା ଦେଇଥିଲେ ଆଜି ଏଠିକି ଆସିବେ ବୋଲି । ଯିଏ ଯୋଉଠି ଥିଲେ ବି ପଚିଶ ବର୍ଷପରେ ଅଗଷ୍ଟ ପନ୍ଦର ଦିନ ଆସିବେ । ଅନେକ ସ୍ମୃତି ଛାଡ଼ି ଯାଇଥିବା ଏଇ ହଷ୍ଟେଲ୍‌କୁ । ରୋମନ୍ଥନ କରିବେ ଅତୀତକୁ । ପ୍ରତିବର୍ଷ ଅଗଷ୍ଟ ପନ୍ଦର ଆସିଲେ ଗୀତିମା ମନେ ପକାଏ ଆଉ ଭାବେ ବର୍ଷଟିଏ କମିଗଲା । ଅନେକ ଆବେଗରେ ଆଜି ଆସି ପହଁଟିଛି ସେ । ଜୀବନକୁ ଏକଦା ସ୍ୱପ୍ନ ବୋଲି ଭାବୁଥିବା ଝିଅଟା ମନେ ପକଉଥିଲା ।

 

ହଷ୍ଟେଲ୍ ଛାଡ଼ିବାର ଅଳ୍ପ ଦିନ ଆଗରୁ ଶୁଭ୍ରା ବହୁତ ନିରବ ହୋଇଯାଇଥିଲା । କେହି କିଛି ଜାଣି ନ ପାରିଲେବି ତା’ ହସ ଭିତରେ ଯୋଉ ଆଶଙ୍କା ଟିକକ ବେଳେ ବେଳେ ଉକୁଟି ଉଠେ ତାକୁ ଗୀତିମା ଠିକ୍ ଅନୁଭବ କରିପାରେ । ଅନେକ ଥର ପଚାରିଲା ପଚାରିଲା ଆଖିରେ ଚାହେଁ । ସେଦିନ ଚର୍ଚ୍ଚିକା ମନ୍ଦିର ବେଢ଼ାରେ ଗୀତିମାକୁ ସେ ଏକା ପାଇ ଠକ୍ ଠକ୍ କରି କାନ୍ଦି ପକେଇଥିଲା ଆଉ ଆଶଙ୍କା ପ୍ରକାଶ କରିଥିଲା ସେ ଫେଲ୍ ହୋଇଯିବ ।

 

ଶୁଭ୍ରା ସାଧାରଣ ପରିବାରର ଝିଅଟିଏ । ବାପା ତାର ଅଧିକାଂଶ ସମୟରେ ତା ପାଖକୁ ଆସୁଥିଲେ । ସୁନ୍ଦର ନିରଳସ ବ୍ୟକ୍ତିତ୍ୱ । ହସ ହସ ମୁହଁ । ଗୀତିମା ମନେ ପକାଉଥିଲା, ଧଳା ଲୁଗା ଆଉ ଧଳା ଫୁଲ ସାର୍ଟ ପିନ୍ଧି ହାତ ଅଧା ଭାଙ୍ଗୁଥିଲେ । କେଉଁ ଏକ ବେସରକାରୀ ସଂଗୀତ ସ୍କୁଲରେ ସେ ଥିଲେ ଶିକ୍ଷକ । ଜୀବନରେ ଭଲ ଚାକିରିଟିଏ କରି ନିଜକୁ ସ୍ୱଚ୍ଛଳ କରିପାରି ନଥିବାର ଦୁଃଖକୁ ସେ ଭରଣା କରିବାକୁ ଚାହୁଁଥିଲେ ଶୁଭ୍ରା ମାଧ୍ୟମରେ । ଆସିଲା ବେଳେ ପତ୍ର ପତ୍ରିକା ଖଣ୍ଡେ ଖଣ୍ଡେ ଆଣନ୍ତି । ବେଳେ ବେଳେ ଭଲ ବହି, ଫେରିଗଲାବେଳେ କ'ଣ ସେ ଛାଡ଼ି ଯାଆନ୍ତି କେଜାଣି ଶୁଭ୍ରା ଅନେକ ଉତ୍ସାହରେ ପାଠପଢ଼ାରେ ଲାଗିପଡ଼େ ? ହେଲେ ବାପର ସ୍ଵପ୍ନକୁ ପୂରା କରିବାକୁ ଲାଗିପଡ଼ିଥିବା ଝିଅଟା ପରୀକ୍ଷାରେ ଫେଲ୍ ହବାର ଆଶଙ୍କା କାହିଁକି କଲା ଆଉ କ’ଣ ପାଇଁ ଅନେକ ଦିନ ହେଲା ସେ ନିରବୀ ଯାଇଛି, ସେ କଥା ସେ ଦିନ ଚିନ୍ତା କରିପାରି ନଥିଲା ଗୀତିମା । କେତେଦିନ ଆଗରୁ ବାପା ତାର ଆଉ ଆସୁ ନଥିଲେ । ଥରେ ଅଧେ ଯୋଉ ଆସିଥଲେ ଯେମିତି ଲାଗୁଥିଲା ସେ ସେଇ ମଣିଷ ନୁହେଁ ତାର ପ୍ରେତ । କାରଣ ସ୍ୱରୂପ ଶୁଭ୍ରା ଯାହା କହିଲା ସେ କଥାରେ ଚମକି ପଡ଼ିଥିଲା ଗୀତିମା । ସଂଗୀତ ଶିକ୍ଷା ଦେଲାବେଳେ ତାଙ୍କର ଏକ ଛାତ୍ରୀ ସହ ଅବୈଧ ସଂପର୍କ ଗଢ଼ି ଉଠିଛି । ସେଥିପାଇଁ ସମାଜରେ ସ୍ଥାନଟିଏ ହରେଇ ବସିଛନ୍ତି ସେ । ଏପଟେ ପରିବାରର ଆର୍ଥିକ ଅନଟନ । ଆହତ କଣ୍ଠରେ ସେଦିନ ଗୀତିମାକୁ ସେ କହିଥିଲା, ‘‘ଲାଂଛନା ଅପବାଦ ଓ ଅନାଟନ ମଧ୍ୟରେ ବାପା ତାର ଭାଙ୍ଗି ପଡ଼ିଛନ୍ତି । କହି ପାରିବୁ ଗୀତିମା, ମଣିଷ ନାମକ ପ୍ରାଣୀଟା କ୍ଷଣିକ ଉତ୍ତେଜନାରେ ଏମିତି ଭୁଲ୍‍ କରି ବସେ କାହିଁକି ? ଯଦି ଆପଣାର ହିସାବ ଖାତାରେ ଅନେକ ପୁଣ୍ୟ ଅଛି ତେବେ ସାମାନ୍ୟ ପାପଟିକି ସମାଜ କ୍ଷମା କରି ନପାରୁଛି କାହିଁକି ?

 

ସାର୍ଟିଫିକେଟ୍ ନବାକୁ ଆସିଲା ଦିନ ସେ ଶୁଣିଥିଲା ଇତି ମଧ୍ୟରେ ଶୁଭ୍ରାର ବାପା ଆତ୍ମହତ୍ୟା କରିଛନ୍ତି । ଶୁଭ୍ରା ପରୀକ୍ଷାରେ ଫେଲ୍ ହୋଇଯାଇଛି । ତା'ପରେ ଏ ପଚିଶ ବର୍ଷ ଭିତରେ ଶୁଭ୍ରାର ଖବର କିଛି ସେ ରଖିନି । ଏ ଭିତରେ ଶୁଭ୍ରା କ’ଣ କରୁଥିବ ? ତାର ସେଦିନର ଶପଥ ମନେଥିବ କି ନାହିଁ ? ଏମିତି ଭାବୁ ଭାବୁ ଗୀତିମା କିଛି ଭାବି ପାରିଲାନି । ଯେତିକି ଯେତିକି ତା କଥା ମନେ ପଡ଼ିଲା ମନରେ ସେତିକି ସେତିକି କୋହ ଆସିଲା । ଶୁଭ୍ରା ଯେ ତାର ବାପାର ସ୍ଵପ୍ନ ପୂରଣ କରିପାରି ନଥିବ ଏ କଥା ଭାବୁ ଭାବୁ ଅଟକି ଗଲା ଗୀତିମା ।

 

ଆଖି ଆଗରେ ତାର ଦେଖାଗଲା ପାରମିତାକୁ । ବଉଳ ମଂଜି ରଙ୍ଗର ଶାଢ଼ିଟିଏ ପିନ୍ଧି ‘‘କି ସୁନ୍ଦର ଦେଖା ଯାଉଛି’’ ବୋଲି କହୁଚି ଅର୍ଚ୍ଚନା । ପାରମିତା ଖୁବ୍ ସୁନ୍ଦର ଥିଲା । ଠିକ କଣ୍ଢେଇଟିଏ । ହଷ୍ଟେଲରେ ଯୋଉ ଝିଅର ବଡ଼ଭାଇଟିଏ ଥିଲା, ତା’ର ପ୍ରାୟ ଇଚ୍ଛାଥିଲା ପାରମିତାକୁ ଭାଉଜ କରିନେବାକୁ । ଗହଣାଟିଏ କି ଶାଢ଼ିଟିଏ ତା’ ଦେହରେ ଲାଗିଲେ ଗହଣାଟିର କି ଶାଢ଼ିଟିର ସୌନ୍ଦର୍ଯ୍ୟ ବଢ଼ିଯାଏ । କଉତୁକିଆ ଏହି ଝିଅଟି ଦେହରେ ପ୍ରାୟ ସମସ୍ତେ ଗଳି ଯାଆନ୍ତି । ପାରମିତା ବିବାହ କରିଥିଲା, ହଷ୍ଟେଲ ଛାଡ଼ିବାର ଅଳ୍ପଦିନ ପରେ । ତାର ସ୍ୱାମୀ ଶୁଭଙ୍କର ପଦସ୍ଥ କର୍ମଚାରୀ ଥିଲେ । ମୋଟା ଦରମା ପାଉଥିଲେ । ପାରମିତା ପାଖରୁ ଗୀତିମା ପାଇଥିବା ଶେଷ ଚିଠିରେ ଲେଖିଥିଲା, “ସ୍ଵାମୀ ତାର ମଣିଷ ପରି ମଣିଷଟିଏ । ସେ ଯାହା ଖୋଜୁଥିଲା ତା ପାଇଛି ।”

 

ପାରମିତା ଆଉ ଶୁଭଙ୍କରର ସୁଖର ସଂସାରକୁ ପ୍ରାୟ ସହି ପାରିଲା ନାହିଁ ଭାଗ୍ୟ । ଶୁଭଙ୍କର ବିଦାୟ ନେଲା ଏକ ମୋଟର ଦୁର୍ଘଟଣାରେ । ପାରମିତା ଆଉ ଶୁଭଙ୍କରଙ୍କର ସୁଖର ସଂସାରଟା ଉଜୁଡ଼ିଗଲା । ପ୍ରତିବଦଳରେ ସେ ପାଇଛି ତା ସ୍ୱାମୀ ଅଫିସ୍‌ରେ ଏକ ଚାକିରି । ତାକୁ ଏ ଭିତରେ ଦେଖିଥିବା ଜଣେ କହୁଥିଲା ପାରମିତା ଆଉ ସେଦିନର କଣ୍ଢେଇ ନୁହେଁ କଳା ଅଙ୍ଗାର ଖଣ୍ଡେ ।

 

ଗୀତିମାର ମନେ ହେଉଥୁଲା ଆକସ୍ମିକ ଭାବେ ସେ ଶୁଭ୍ରା ପାରମିତା ଆଦିଙ୍କ ଠାରୁ ହଷ୍ଟେଲ୍‍ରୁ ଲୁଚି ପଳେଇ ଥାଆନ୍ତା ଆଉ ସେମାନଙ୍କ ସହ ହସିଲା ଦିନର ସ୍ମୃତି ଶେଷ ସ୍ମୃତି ହେଇ ତା ପାଖରେ ଥାଆନ୍ତା । ନିରୋଳା ମୁହୂର୍ତ୍ତରେ ସେ ତାକୁଇ ରୋମନ୍ଥନ କରି ଶାନ୍ତି ପାଇଥାନ୍ତା । ସହି ପାରୁନଥିଲା ଗୀତିମା ସୃଷ୍ଟିର ଏଇ କଠୋର ସତ୍ୟକୁ ।

 

ଛାତ୍ରୀ ନିବାସର ପିଲାମାନେ ହସୁଛନ୍ତି ଖେଳୁଛନ୍ତି । ଗୀତିମାର ମନେ ହେଉଥିଲା ଯଦି ସେ ଭଗବାନଙ୍କୁ ପାଖରେ ଦେଖନ୍ତା ତେବେ କହନ୍ତା ଏଇ ପିଲାମାନଙ୍କୁ ଶୁଭ୍ରା ପାରମିତା ପରି ଭାଗ୍ୟଟିଏ ନ ଦେବା ପାଇଁ । ପୁଣି ପଚାରନ୍ତା କ’ଣ ବା ଭୁଲ କରିଥିଲେ ସେମାନେ ? ଆଜି ହୁଏତ ସେଦିନର ଭାବପ୍ରବଣତା ଭିତରେ କରିଥିବା ସତ୍ୟକୁ ବାସ୍ତବତାର ଆଘାତରେ ଭୁଲିଯାଇଥବେ ଶୁଭ୍ରା ଆଉ ପାରମିତା । ଅର୍ଚ୍ଚନାର ଖବର ସେ କିଛି ରଖିନି । ସେ କ’ଣ ସେ ଦିନର ଶପଥକୁ ପାଶୋରି ଦେଇଛି ? ନା ସେ ବି କ’ଣ ଏମାନଙ୍କ ପରି ସମୟର ଚାରିଛକିରେ କୋଉଠି ଅଟକି ଯାଇଛି ? ତାର ବି କ’ଣ ମନେ ନାହିଁ ପଚିଶ ବର୍ଷ ପରେ ଏଇଠି ଏକାଠି ହେବାର ଥିଲା ବୋଲି ?

 

ବୃନ୍ଦାବତୀଙ୍କୁ ପ୍ରଣାମ କରିସାରି ସାମନାରେ ଗୀତିମାଙ୍କୁ ଦେଖି ଆଗରୁ ଚିହ୍ନିଲା ପରି ହସିଦେଲା ଝିଅଟି । ଦେଖିବାକୁ ଠିକ୍ ଅର୍ଚ୍ଚନା ପରି ? ସତେ ଯେମିତି ଅର୍ଚ୍ଚନା ଏ ଯାଏ ହଷ୍ଟେଲ୍‍ରୁ ଯାଇନି ? ଗୀତିମାର ମୋହଭଂଗ କରି ସେ କହିଲା ଆପଣ ନିଶ୍ଚୟ ଗୀତା ମାଉସୀ ? ବୋଉ କହିଯାଇଥିଲା ଆପଣ ଆଜି ନିଶ୍ଚୟ ଆସିବେ । କୋଣାର୍କରେ ଉଠିଥିବା ଗ୍ରୁପ୍ ଫଟୋରୁ ଆପଣଙ୍କୁ ଚିହ୍ନେଇ ଦେଇଥିଲା ଆଉ କହିଥିଲା ଆଜିଦିନ ଆପଣଙ୍କୁ ଏଇଠି ଅପେକ୍ଷା କରିବାକୁ । ଯୋଗକୁ ମୁଁ ଏଇଠି ପଢ଼ୁଛି ।

 

ବୋଉ କଥା ପଚାରିଲା ବେଳକୁ ଗୀତିମାକୁ ଦେଖି ଏ ଯାଏ ଆତ୍ମହରା ହେଉଥିବା ଝିଅଟି ଚୁପଚାପ୍ ହୋଇଗଲା । ଅଜାଣତରେ ଗୀତିମାର ପାଖକୁ ଟିକେ ଲାଗି ଆସିଲା । ବୋଉ ତାର ଯନ୍ତ୍ରଣା ଅନୁଭବ କରି କରି ଶେଷକୁ ମର୍ଫିନର ଡୋଜ୍ ଭିତରେ ଚାଲିଯାଇଛି । ହଠାତ୍ କ୍ୟାନ୍‌ସରରେ ପଡ଼ିଲା । ସ୍ଵାମୀ ତାର କଟକରୁ ବମ୍ବେ, ବମ୍ବେରୁ ଲଣ୍ଡନ ପର୍ଯ୍ୟନ୍ତ ଚିକିତ୍ସା ପାଇଁ ନେଲେ । କିନ୍ତୁ ମୃତ୍ୟୁ ତାକୁ କୋଳେଇ ନେଲା । ଅର୍ଚ୍ଚନାର ମୃତ୍ୟୁ ପରେ ସ୍ୱାମୀ ତାର ବୌଦ୍ଧ ଧର୍ମ ଗ୍ରହଣ କରି ଚାଲି ଯାଇଛନ୍ତି । ଇସ୍ତଫା ଦେଇଛନ୍ତି ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟରର ଉଚ୍ଚ ବୈଜ୍ଞାନିକ ପଦବୀରୁ । ଝିଅଟି କହୁଥିଲା ବାପା ତାର କୁହନ୍ତି, “ତୋ ବୋଉର ମୃତ୍ୟୁ ବେଳର ସେଇ ଯନ୍ତ୍ରଣାର ସ୍ଵର ଶୁଣିଛି ଆକାଶରେ, ପାଣିରେ, ପବନରେ ସବୁଥିରେ । ତାଙ୍କର ସମସ୍ତ ବୈଜ୍ଞାନିକ ସୂତ୍ର ହାର ମାନିଯାଇଛି ।’’ ଅର୍ଚ୍ଚନାର ମୃତ୍ୟୁ ପରେ ନିର୍ବାକ ହେଇ ଯାଇଥିଲେ ଭଦ୍ରଲୋକ । ତା ପରେ ସେ ସବୁଛାଡ଼ି ଚାଲି ଯାଇଛନ୍ତି ନିରଂଜନା ତଟକୁ ସତ୍ୟର ସନ୍ଧାନରେ । ଗୈରିକ ବସନ, ମୁଣ୍ଡିତ କେଶ ସେ ଖୋଜୁଛନ୍ତି, ମାଟିର ପିଣ୍ଡୁଳାଟାକୁ ଜୀବନ୍ତ କଲା କିଏ ? ସେ କୋଉଠୁ ଆସିଥିଲା, କୋଉଠିକି ପୁଣି ଚାଲିଗଲା ? କୋଉଠିକି ପୁଣି ଯିବ ?

 

ଅର୍ଚ୍ଚନାର ମୃଗ ଶିଶୁ ପରି ଝିଅଟିକି କୋଳରେ ଚାପିଧରି ଝରକା ବାଟେ ମହାନଦୀ ଫୁଲି ଫୁଲି ଚାଲିଯାଉଥିବା ଜଳରାଶିକି ଚାହିଁଲା ଗୀତିମା ସମୟର ପ୍ରବାହ ବଡ଼ ବିଚିତ୍ର ଦୁଃସହ ମଧ୍ୟ-। ଶୁଭ୍ରା ଆଜି ଝଡ଼ର ଆକାଶରେ ଶିମିଳିତୁଳା ପରି । ଉଡ଼ୁଥିବା ପାରମିତା ବଂଚି ଥିଲେ ବି ପଥର, ଅର୍ଚ୍ଚନାର ଯନ୍ତ୍ରଣା ଏବେ ବି ତା କାନକୁ ଶୁଭୁଛି ।

 

ଡ୍ରାଇଭର ହର୍ଣ୍ଣ ଦେଇଛି । ଫେରିବା ପାଇଁ ପୁଅ ପ୍ରାୟ ତରବର ହେଲାଣି । ପୁଅ ଚାକିରିରୁ ଅଳ୍ପଦିନ ଛୁଟି ଆଣି ଆସିଛି ୟା ଭିତରେ ବାହାଘର ସାରି ଫେରିଯିବ । ଖୋଜା ଚାଲିଛି ଝିଅଟିଏ । ଝିଅ ଖୋଜାକାମରୁ ସମୟ ବଳେଇ ଶପଥ ପୂରଣ କରିବା ପାଇଁ ଆସିଥିଲେ ଗୀତିମା । ଫେରିବାକୁ କିନ୍ତୁ ଇଚ୍ଛା ହେଉ ନଥିଲା । ମନ କହୁଥିଲା ଝିଅଟି ସାଥିରେ ଆଉ କଥାହେବା ପାଇଁ । ଅନୁରୋଧ କଲା ତା ସାଙ୍ଗରେ ତା ଘରକୁ ବୁଲିଯିବା ପାଇଁ । ଥମ୍‌ଥମ୍ ହେଇ ହଁ କଲା ଝିଅଟି ।

 

ତା ପରଦିନ ଗୀତିମା ଦେଖିଲା ତା ଘର ଅଗଣାର ତୁଳସୀ ଚଉରା ମୂଳେ ଝିଅଟି ଘିଅ ଭରାଦୀପଟିଏ ଜାଳିବାକୁ ଧରିଛି ଆଉ ଦିଆସିଲି ମାରି ତାକୁ ପ୍ରଜ୍ଜ୍ୱଳିତ କରିବାକୁ ଯାଉଛି ତାଙ୍କ ପୁଅ-। ପୁଣି ଗୁଣୁ ଗୁଣୁ କଣ୍ଠରେ ତା ସାଙ୍ଗରେ ସୁର ମିଶେଇ ଗାଉଛି, ନିଳାଦ୍ରୌ ଶଂଖ, ମଧ୍ୟେ ଶତଦଳ କମଳେ.......’’

 

ଗୀତିମା ଭାବୁଥିଲା ଅନନ୍ତକାଳରୁ ମଣିଷ ନାମକ ଏଇ ପ୍ରାଣୀଟି ଆରମ୍ଭ କରିଥିବା ଯାତ୍ରା ସରିନାହିଁ । ଚାଲିଥିବ କେଉଁ ଅନନ୍ତ କାଳ ପର୍ଯ୍ୟନ୍ତ । ତା’ ଭିତରେ ଆଉଟି ହୋଇ ଯାଉଥବେ ଶୁଭ୍ରା, ପାରମିତା, ଅର୍ଚ୍ଚନା ଆଉ ଗୀତିମାମାନେ । ଯାହା ଥିଲା, ତାହା ନାହିଁ । ଯାହା ଅଛି ତା ରହିବ ନାହିଁ । ତଥାପି ଯାହା ଅଛି ତା ସୁନ୍ଦର । ବଂଚିଛି ମଣିଷ ଅନନ୍ତ କାଳରୁ । ବଂଚିଥିବ ଅନନ୍ତ କାଳ ପର୍ଯ୍ୟନ୍ତ । ମଣିଷ ନାମକ ଏଇ ଜୀବନ୍ତ କଣ୍ଢେଇଟି ନାଚୁଥିବ ମହାକାଳର ସେଇ ସୂତ୍ରଧର ହାତରେ-

☆☆☆

 

ଅନନ୍ତ କାଳର ଶିଳ୍ପୀ

 

ପୃଥିବୀରେ ଆଉ ପ୍ରାୟ କିଛି ନୂଆ କଥା କହିବାର ନାହିଁ । ଯାହା କହିବାର କଥା କୁହା ହୋଇ ସାରିଛି । ମଣିଷ, ଆଉ କିଛି ନୂଆ ପ୍ରଶ୍ନ ପଚାରିବାର ନାହିଁ । ଯାହା ପଚାରିବାର କଥା ପ୍ରାୟ ପ୍ରଚାରି ସାରିଛି । ତଥାପି ବି ମୁଁ ଆଜି ଆକାଶକୁ ପଚାରୁଛି “ହେ ଆକାଶ । ସତରେ କ’ଣ ତୋ ରଙ୍ଗରେ କିଛି ଅଭାବ ଥିଲା ? ବୁଡ଼ି ଯାଉଥିବା ରକ୍ତିମ ସୂର୍ଯ୍ୟକୁ ପଚାରୁଛି, “ସତରେ କ’ଣ ତୁମ ତେଜରେ କିଛି ଅଭାବ ଥିଲା ? ମହୋଦଧିକୁ ପଚାରୁଛି, “ହେ ସାଗର, ତୁମର କ’ଣ ଜଳ କେଇବୁନ୍ଦା ଅଭାବ ଥିଲା ?” ମାଟିକୁ ମୁଁ ପଚାରୁଛି “ହେ ମରୁତ, ଚଳ ଚଞ୍ଚଳ ହୋଇ ଖେଳୁଥିବା ଏଇ ମାଟିର କଣ୍ଢେଇଟା ଦେହରୁ କ’ଣ ପାଇଁ ପବନ କେତେଧାର ଶୋଷି ନେଲ ?”

 

ଏ ପ୍ରଶ୍ନ ପଚାରୁଥିଲି ଯେତେବେଳେ ମୁଁ ସ୍ଵର୍ଗଦ୍ୱାର ଶ୍ମଶାନର ବାଲି ଉପରେ ବସି ଅଗ୍ନିର ଲେଲିହାନ ଶିଖା ଭିତରେ ଜଳି ଯାଉଥିବା ରୁନାଭାଉଜଙ୍କୁ ଦେଖୁଥିଲି । ଜୁଇ ଉପରୁ ତଳକୁ ମୁଣ୍ଡଟା ନଇଁ ପଡ଼ିଚି । ହାତଟା ଝୁଲି ପଡ଼ିଚି ଆଗକୁ । ଆହୁରି ତଳକୁ ଲମ୍ବି ପଡ଼ିଚନ୍ତି ଆଙ୍ଗୁଠି ଗୁଡ଼ାକ । ନିଆଁଟା ମାଡ଼ି ଆସୁଚି । ଇଚ୍ଛା ହେଉଥିଲା ଦଉଡ଼ିଯାଇ ମୁହଁଟାକୁ ଟେକି ଦେଇ ଥରକ ପାଇଁ ଆଉଟିକେ ଦେଖି ଦିଅନ୍ତି ।

 

ମନେ ଅଛି, ଯୋଉଦିନ ସାଗର କୂଳିଆ ସେଇ ଗାଁରୁ ରୁନା ଭାଉଜ ଆମ ଗାଁକୁ ବୋହୂ ହୋଇ ଆସିଥିଲେ, ତାଙ୍କୁ ଦେଖିବାକୁ କେତେ କେତେ ପିଲା ମାଇପେ ରୁଣ୍ଡ ହୋଇଥିଲେ । ବୋଉ କହିବା ଅନୁସାରେ ଓଢ଼ଣା ଭିତରୁ ମୁହଁ ବାହାରକୁ ଆସିଲେ ସେ ଆଖି ବୁଜି ଦିଅନ୍ତି । ହେଲେ ଆଜି ସବୁଦିନ ପାଇଁ ଆଖି ବୁଜି ଦେଲେ ।

 

ସେ ଅତର ଲଗଉଥିଲେ କି ନାହିଁ କେଜାଣି, ହେଲେ ତାଙ୍କ ଆସିବା ପରଠାରୁ ତାଙ୍କରି ବାସନାରେ ଆଖଡ଼ାପୋଖରୀ କୂଳ, ରାଧାମୋହନ ମନ୍ଦିର ବେଢ଼ା ଆଉ ସ୍କୁଲ ସାମନା ବଉଳଗଛର ତଳ ମହକି ଉଠିଲା । ଗାଧୁଆ ତୁଠରେ ଗାଁ ମାଇପେ ଆଲୋଚନା କରନ୍ତି, “ଯାହା ହେଉ ମନୁବୋଉ ବୋହୂଟିଏ ଆଣିଛି । ରାଧାମୋହନଙ୍କ ପାଖରେ ସଞ୍ଜବତୀଟିଏ ଜାଳିଦେଇ ଗଲାପରେ ବୁଢିଏ ଆଶିଷ ଢାଳନ୍ତି । କାଚ ତୋର ବଜ୍ର ହେଉ ।’’ ରିସେସରେ ସ୍କୁଲ ଝିଅ ଆସି ଝରକା ବାଟେ ତାଙ୍କୁ ଦେଖନ୍ତି, ପୁଣି ବଉଳ ମୂଳକୁ ଫେରି ଯାଇ କହନ୍ତି “କେତେ ପାଠ ପଢ଼ିଛନ୍ତି, ହେଲେ ଜାଣି ହେଉନି ।"

 

ରୁନାଭାଉଜ ମୋ ବଡ଼ଭାଇଙ୍କର ସ୍ତ୍ରୀ । ସେ ଆମ ଘରକୁ ଠିକ୍ ପ୍ଲାଟଫର୍ମକୁ କାହାକୁ ଛାଡ଼ିବାକୁ ଆସିଲା ପରି ଆସି ଚାଲିଗଲେ । ବାପା କହନ୍ତି ‘ଜୀବନଟା ଗୋଟେ ଦୀର୍ଘ ସ୍ଵପ୍ନ’ ହେଲେ ରୁନାଭାଉଜ ନାମକ ସ୍ଵପ୍ନଟି କାହାପାଇଁ କ’ଣ ହେଲେ ବି ମୋ ପାଇଁ ଚେନାଏ ବିଜୁଳି ଥିଲା । ତାଙ୍କ ବାହାଘରରେ ବାଜିଥିବା ବାଜାର ସୁର, ଆତସବାଜିର ଚମକ, ଆଉ ସର୍ବ ଉପରେ ଭାଇଙ୍କ ଗଇଁଠାଳରେ ବାନ୍ଧିହେଇ ସାଧବବୋହୂପରି ଆସି ଗାଡ଼ିରେ ବସିବାର ଦୃଶ୍ୟ ମୋର ସେମିତି ମନେଅଛି । ଆଉ ଏ କଥା ବି ମନେଅଛି, ତାଙ୍କ ବାହାବିଦା ବେଳେ ଶାଢ଼ିଟିଏ ଚାନ୍ଦୁଆ ପରି ଧରିଥାଆନ୍ତି ସାଙ୍ଗସାଥୀଏ । ପଚାରି ବୁଝିଥିଲି, ମର୍ତ୍ତ୍ୟରେ ଏତେ ସୌନ୍ଦର୍ଯ୍ୟକୁ ଦେବତାମାନେ ସହି ପାରିବେନି । ସ୍ୱର୍ଗରୁ ସେମାନଙ୍କ କୋପଦୃଷ୍ଟି ଏଡ଼େଇବା ପାଇଁ ଏ ଚନ୍ଦ୍ରାତପର ପରିକଳ୍ପନା । ହେଲେ ସତରେ କ’ଣ ସେଦିନ ତାଙ୍କୁ ଦେବତାମାନେ ହିଂସା କରିଥିଲେ ? ନା କୋଉ ଶାପଗ୍ରସ୍ତ ସ୍ଵର୍ଗକୁମାରୀ କଣ୍ଟଦେଇ ପୃଥିବୀକୁ ଆସିଥିଲା ? ତା ସମୟ ପୂରିଗଲା-ତେଣୁ ସେ ଚାଲିଗଲା, ମୁହୂର୍ତ୍ତଟିଏ ବି ଅଧିକ ରହିଲା ନାଇଁ । ରୁନା ଭାଉଜଙ୍କୁ ଜୁଇକୁ ନେଲାବେଳେ ମଥାର ସିନ୍ଦୁରଟା ଅସ୍ତାୟୁ ସୂର୍ଯ୍ୟର ଲାଲ ରଶ୍ମିରେଖା ଅପେକ୍ଷା ଆହୁରି ଉଜ୍ଜ୍ୱଳ ଦିଶୁଥିଲା । ନିର୍ଲିପ୍ତ ମୁଖମଣ୍ଡଳ । କାମନା ରହିତ । ପାଇବାର ଆଶା ଯେମିତି କିଛି ନାହିଁ କି ହରାଇବାର ଦୁଃଖ ବି କିଛି ନାହିଁ ।

 

ରୁନାଭାଉଜ ଆମ ଘରକୁ ଆସିଲା ବେଳକୁ ବିଭା ହେବାକୁ ଆଉ ଦୁଇ ଭଉଣୀ ଥିଲେ । ଏତେବଡ଼ ପରିବାରଟା ଆମ ଚଟାଣରେ ବିଂଚିହୋଇ ପଡ଼ିଥିବା ମୁଠାଏ ମାଳି ପରି ଥିଲେ । ହେଲେ ସେ ଆସିଲା ଦିନୁ ସମସ୍ତେ ଗୋଟାଏ ହାର ପରି ଗୁନ୍ଥି ହୋଇଗଲେ । ଭଉଣୀମାନଙ୍କ ବାହାଘର ପାଇଁ ସବୁବେଳେ ଅଳିକରି ବସନ୍ତି, ପ୍ରସ୍ତାବମାନ ଆସିଲେ ମା’ ପରି କେତେ ପରଖି ବସନ୍ତି । ଟିକିଏ ଅସୁବିଧା ଦେଖିଲେ ପଛେଇ ଯାଆନ୍ତି । ଆମ ଭାଇମାନଙ୍କ ମନ ହେଲା କେମିତି କନ୍ୟା ବୋଝକୁ ବିଦା କରିବୁ ।

 

ହେଲେ ଅଲଗା ଉପାଦାନରେ ଗଢ଼ା ଏଇ ମଣିଷଟି ସମସ୍ତଙ୍କୁ ନିଜର ବୋଲି ଭାବେ । ଦେହରୁ କାଢ଼ି ଗୋଟି ଗୋଟି କରି ଅଳଙ୍କାର ଭଉଣୀମାନଙ୍କ ବିଭାଘରକୁ ଦେଇ ଦେଇଥିଲେ । ଏପରିକି ତାଙ୍କ କୁନିଝିଅର ଜନ୍ମ ଦିନକୁ ବାପଘରୁ ଆସିଥିବା ସୁନାର ବଳାକୁ ବଣିଆର ଉହ୍ନେଇରେ ପକେଇ ନଣନ୍ଦମାନଙ୍କ ପାଇଁ ଗହଣା କରିଥିଲେ । ଆଉରି ଯୋଉଦିନ ସେ ସୁତାନପୁର ଗାଁରେ ବିଭାହେଲା ନଣନ୍ଦକୁ କାନରୁ ଓହ୍ଲେଇ ଫୁଲଦିଟା ଦେଇ ଆସିଲେ ମୁଁ ବି ଦେଖିଛି ସେ ଯେମିତି ହସୁଥିଲେ । ନିର୍ଲିପ୍ତ ଦିଶୁଥିଲେ । ଠିକ୍ ଆଜି ଯେମିତି ।

 

ପିଲାଦିନେ ପଢ଼ିଥିଲି, ପୃଥିବୀରୁ ଭଲ ମଣିଷମାନଙ୍କୁ ଭଗବାନ ତାଙ୍କ ପାଖକୁ ନେଇ ଯାଆନ୍ତି । ତେବେ କ’ଣ ରୁନାଭାଉଜ ନାମକ ଏଇ ମଣିଷଟି ପ୍ରତି ସେ ଏତେ ଆକୃଷ୍ଟ ହୋଇପଡ଼ିଲେ ? ସେ ତ ନରଦେହ ଭିତରେ ଥିବା ନାରାୟଣଙ୍କୁ ଭଲ ଭାବରେ ଚିହ୍ନିଥିଲେ । ବଡ଼ ହଉ ସାନ ହଉ ସବୁ ମଣିଷ ତାଙ୍କ ପାଖରେ ସମାନ । ସେଦିନ ମୋର ମନେ ଅଛି ଯୋଉଦିନ ଭାଇ ଗୋଟାଏ ଭଡ଼ା ଗାଡ଼ିରେ ଖରାବେଳେ ଘରକୁ ଆସିଥିଲେ ଆଉ ଡ୍ରାଇଭରଟି ଭାଇକି ଅପେକ୍ଷା କରି ଦାଣ୍ଡରେ ଅଖିଆ ବସିଥିଲା । ମୁଁ ଦାଣ୍ଡକୁ ଗଲାବେଳକୁ ଦେଖିଲି ଜବରଦସ୍ତ ଡାକି ଆଣି ତାକୁ ଖାଇବାକୁ ଦେଉଛନ୍ତି । ମଣିଷ ଆଖିରେ ଦୁଃଖର ଭାଷାଟିକି ପଢ଼ିବାର ଅଶେଷ ଶକ୍ତି ଥିଲା ତାଙ୍କର । ସମସ୍ତଙ୍କ ପାଇଁ ଆପଣାର ।

 

ଭିକାରିଟିଏ ଆସିଲେ, ଆମଦାଣ୍ଡ ଦୁଆରେ କାନି ପାରି ବସିଯାଏ । ମା' ଲକ୍ଷ୍ମୀ ବୋଲି ଡାକେ । ପଢ଼ାଘରୁ ମୁଁ ବହିକି ଛାଡ଼ି ଦେଖେ ଗୁଡ଼ୁ ଗୁଡ଼ୁ ପାଦ ପକେଇ ଭାଉଜ ଓହ୍ଲେଇ ଯାଆନ୍ତି । ଆଖି ବୁଜି ମୁଁ କଳ୍ପନା କରେ ସତେ କ’ଣ ବଡ଼ ଦେଉଳରୁ ଲକ୍ଷ୍ମୀ ଓହ୍ଲାଇ ଯାଉଛନ୍ତି ?

 

ସତରେ, ଏ ଦୁନିଆରେ ଯିଏ କହି ଜାଣିଲା ସିଏ ସୁନ୍ଦର । ଆମ ଏଇ ଚତୁରତା ସର୍ବସ୍ୱ ସଂସାର ଭିତରେ ରୁନାଭାଉଜ ଟିକିଏ ବୋକି ବୋକି ଲାଗନ୍ତି । ମମତାର ଏଇ ସାମ୍ରାଜ୍ଞୀଟି କିନ୍ତୁ ଦୁନିଆର ହିସାବ କିତାବର ଖାତାରେ ଗୋଟିଏ ହାରିଯାଇଥିବା ମଣିଷ । ।

 

ଭାଇ କେବେ ଗାଳିକଲେ କିମ୍ବା କ’ଣ କହିଲେ ସେ ଖାଲି ଅନାନ୍ତି । ଆଖି ଉପରେ ଲୁହର ପରଦାଟିଏ ମାଡ଼ିଯାଏ ।

 

ସ୍ୱର୍ଗଦ୍ୱାର ମଶାଣିରେ ଅନ୍ଧାର ଆକାଶକୁ ପିଠି କରି ନିଆଁଟା ରୁନାଭାଉଜଙ୍କୁ ଆଉଟି ଦଉଚି । କାଲିଠୁ. ଯେତେବେଳେ ଗାଁ ଘରେ ସକାଳର କଅଁଳ ପବନରେ ମୁଁ ଘୁମେଇ ପଡ଼ିଥିବି ସେତେବେଳେ କାକର ଲଗା ଦାଣ୍ଡଟାକୁ ଖଡ଼ିକାରେ ପହଁରି ପହଁରି ମୋ ନିଦଟାକୁ ଭାଙ୍ଗି ଦବନି । ଏ ବର୍ଷ ମଗୁଶୁର ଗୁରୁବାରରେ ଆମ ଘରୁ ଦାଣ୍ଡଯାଏ ପିଠଉରେ ଲକ୍ଷ୍ମୀଙ୍କର ଛୋଟ ଛୋଟ ପାଦ ଆଉ କେହି ଆଙ୍କିବେନି ।

 

କାର୍ତ୍ତିକ ମାସରେ ନାଲି, ଧଳା, କଳା, ମୁରୁଜର ତିନି ଠାକୁର ଆଙ୍କନ୍ତି ଚଉରା ମୂଳେ । କଳା ଟୋପାର ଆଖି ଦେଖିଲେ କଥା କହିଲା ପରି ଲାଗେ । ମନେହୁଏ ଠୁକୁଠୁକୁ ହେଇ ଏଇଠି କୋଉଠି ତିନି ଠାକୁର ବୁଲୁଛନ୍ତି ।

 

ଘରର ଇଟା ସିମେଣ୍ଟ ବାଉଁଶ କାଠରେ ଗଢ଼ାଯାଏ ନାଇଁ ଗଢ଼ାଯାଏ ମନଟିଏ ନେଇ । ଏ କଥା ଆମର ପରିବାରକୁ ଶିଖେଇ ଥିଲେ ରୁନାଭାଉଜ । କ’ଣ ଥିଲା ସେଇ ମୁହଁରେ । ସାଇ ଭାଇରେ ବୁଢ଼ା ବୁଢ଼ୀଏ ଆଖି ବୁଜିଲା ବେଳେ ତାଙ୍କୁ ଖୋଜିଲା ଖୋଜିଲା ଆଖିରେ ଅନାନ୍ତି । ରୋଗୀସେବା କଲାବେଳେ ସେ ମତେ ମଣିଷ ବୋଲି ଲାଗନ୍ତି ନାହିଁ । ଆମ ଭାଇ, ଭଉଣୀଏ ଗାର୍ଡେନ୍ ଚେୟାରରେ ବସି ସେବାର ସଂଜ୍ଞା ବିଷୟରେ ଆଲୋଚନା କରୁ । ହେଲେ ସେବାଠାରୁ ଆମେ ଥାଉ ଅନେକ ଦୂରରେ । ମୁଁ ଜାଣିଛି କାଲିଠାରୁ ଆମେ ଭାଇ ଭଉଣୀ ହାରରୁ ସୂତା ଛିଡ଼ି ଗଲେ ଫୁଲସବୁ ବିଛେଇ ହୋଇ ପଡ଼ିଲା ପରି ବିଛେଇ ହେଇ ପଡ଼ିବୁ । ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିଥିବା ମଣିଷଟାକୁ ଆମେ ସମସ୍ତେ ଅଚିହ୍ନା ଅଚିହ୍ନା ଭାବ ଦେଖାଉଥିଲୁ । ବଞ୍ଚିଲା ବେଳେ ଆମର ତାଙ୍କ ପାଇଁ ଅନେକ କିଛି କରିବାର ଥିଲା । ମହମର ବତୀଟିଏ ଜଳିଲା ପରେ ତା ଆଲୁଅରେ ଆମେ ଖୁସି ହଉଥିଲୁ । ହେଲେ ତା କ୍ଷୟ ପ୍ରତି ଆମେ କେବେ ସଚେତନ ନଥିଲୁ । ମହାକାଳର କୋଟି କୋଟି ବର୍ଷ ଅତୀତ ଆଉ ଭବିଷ୍ୟତ ବୁକୁରେ ସବୁ କାଳର ଏଇ ଶିଳ୍ପୀଟି ଲୁଚିଗଲା ।

 

ଫୁଙ୍ଗୁଳା ଭାବରେ ସେ ଚାଲି ଯାଇଛନ୍ତି । ମୋ ପକେଟ୍-ଏବେ ବି ତାଙ୍କ ବେକରୁ ଖୋଲା ହୋଇ ରହିଥିବା ସୁନା ଚେନ୍‌ଟା ରହିଛି । ମୃତ୍ୟୁରେ ବି ଆମେ ଠିକ୍ ସଚେତନ ଥିଲୁ । ତାଙ୍କ ବେକରୁ ସୁନା ଚେନ୍‌ଟି ଓହ୍ଲେଇ ରଖିବା ପାଇଁ ।

 

ମୁଖାଗ୍ନି ଦେଇଥିବା ଛୋଟ ପୁଅଟା ପାଖରେ ଛିଡ଼ା ହେଇଚି । ନିଆଁ ଲିଭି ଗଲାଣି । ପାଣି ଛିଞ୍ଚି କିଏ ରାଇ ଶିତଳ କରୁଛି । ରୁନାଭାଉଜ ନାମକ ରକ୍ତ ମାଂସର ମଣିଷଟାର ଆଉ କିଛି ନାହିଁ । ଅପେକ୍ଷା କେବଳ ପୋଡ଼ା ଅସ୍ଥି ଖଣ୍ଡେ ଧରିଲେ ଘରକୁ ଫେରିବୁ ଏ ପଟେ ଭାଇ ଶ୍ମଶାନର ପଇସା ତୁଟାଉଛନ୍ତି । ଆମେ ମାନେ କ୍ଳାନ୍ତି ମେଣ୍ଟାଇବା ପାଇଁ ଗୋଟେ ଗୋଟେ କୋଲଡ୍ ଡ୍ରିଙ୍କସ୍ ଧରି ବସିଛୁ ।

 

ଭାଇର ମୁହଁକୁ ମୁଁ ଚାହୁଁଥିଲି । ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ ସେ । କାନ୍‍ଭାସ୍ ଉପରେ ରଙ୍ଗ ତୁଳୀରେ ସେ ସୃଷ୍ଟି କରିଛନ୍ତି ଅନେକ କଥାକୁହା ଜୀବନ । ରାତି ରାତି ତାଙ୍କର ବିତିଯାଏ କାନ୍‍ଭାସ୍ ପାଖରେ । ଭାଇ ପ୍ରଚୁର ଚା ପିଅନ୍ତି । କାନ୍‍ଭାସ୍ ଉପରେ ଭାଇଙ୍କର ଆଖି ଥିବା ବେଳେ ରୁନାଭାଉଜ ଘର ଟିକି ବେଶ୍ ସତେଜ ରଖନ୍ତି । କାଗଜ ଟୁକୁରା ଟାଏ ପକେଇ ଦିଅନ୍ତି ନାହିଁ । ରଙ୍ଗ ଟିକେ ତଳେ ପଡ଼ିଲେ ପୋଛି ନିଅନ୍ତି । ମନ ଜାଣିଲା ପରି ଠିକ୍ ସମୟରେ କେତେବେଳେ ଚା କପ ଓ ପକୁଡ଼ିର ପ୍ଲେଟ ପଠେଇ ଦିଅନ୍ତି । ଘର ନାମକ ଛବିଟିର ନିଖୁଣ ଶିଳ୍ପୀଟିଏ ରୁନା ଭାଉଜ । ଭାଇଙ୍କର ଛବି ପ୍ରଦର୍ଶନୀକି ଯାଏ, ପୁରସ୍କାର ପାଏ, ହେଲେ ତା ପଛରେ ଆତ୍ମା ପରି ରହି ଯାଇଥିବା ରୁନା ଭାଉଜଙ୍କର ଚା କପଟାକୁ କେହି ଦେଖି ପାରେନା । ଘରଟାକୁ ସୁନ୍ଦର କରିବାରେ ନାରୀ ନାମକ ଏଇ ଶିଳ୍ପୀଟିର ଭୂମିକାକୁ ଆମେ ଦି ଭାଇ ଅନୁଭବ କରିଥିଲୁ, ଯୋଉଦିନ କାହା ବାହାଘର ପାଇଁ ଭାଉଜ ବାପ ଘର ଚାଲିଯାଇଥିଲେ । ସେଦିନ ରାତିରେ ଚା କରିବାର ଭାର ପଡ଼ିଲା ମୋ’ ଉପରେ । ଚା ଡବା ଖୋଜିବା, ଚିନିଡ଼ବା ଖୋଜିବାରେ ସମୟ ଚାଲିଗଲା । ସବୁଠୁଁ କଷ୍ଟ ସସପ୍ୟାନ ଧୋଇବା, ଚା କପର ଶିଳ୍ପୀ ପାଖରେ ସେଦିନ ଶବ୍ଦ ଆଉ ତୁଳୀର ଶିଳ୍ପୀ ଆମେ ଦି ଭାଇ ହାର ମାନିଯାଇଥିଲୁ ।

 

ଥରେ ବୈଠକଖାନାରେ ଭାଇ ତାଙ୍କର ଜଣେ ବନ୍ଧୁଙ୍କୁ ଆଲୋଚନା ଛଳରେ କହୁଥିଲେ ସବୁ ସୃଷ୍ଟି ପଛରେ ଗୋଟିଏ ପ୍ରେରଣା ରହିଛି । ଡାଭିନସିଙ୍କର ମୋନାଲିସା ପଛରେ ସତରେ ସେମିତି ଗୋଟାଏ ରକ୍ତ ମାଂସର ମଣିଷ ଥିବ । ବିମ୍ବାଧରଙ୍କର ପଲ୍ଲୀବଧୂ ପଛରେ ବି ଠିକ୍ ଗୋଟିଏ ସେମିତି ମଣିଷଟିଏ ଥିବ । ହଂସ ଛଳରେ ସେ କହୁଥିଲେ ମୋ ପାଖରେ ଯଦି ସେମିତି ଗୋଟାଏ ମଡ଼େଲ୍ ଥାଆନ୍ତା ତେବେ ବି ମୁଁ ଅନନ୍ତ କାଳ ପାଇଁ ଛବିଟିଏ ଆଙ୍କନ୍ତି ।

 

ଆଜି ମୋର ଭାଇକି କହିବାକୁ ଇଚ୍ଛା ହେଉଥିଲା ସେ ମଡେଲ୍‍ଟି ତାଙ୍କର କେତେ ପାଖରେ । ସେ ଖୋଜୁଥିବା ଫୁଲର ବାସ୍ନା ଯେ ତାଙ୍କ ଅଗଣାର ଫୁଲର । ଘରକୁ ସୁନ୍ଦର କରୁଥିବା ଏଇ ଫୁଲ ଟିକି ତୁମ କାନ୍‍ଭାସ୍‍ ଉପରେ ଫୁଟେଇବ କି ଭାଇ ?

☆☆☆

 

ପାହାଚ ସରଗକୁ

 

ସାଧାରଣରେ କୁହାଯାଏ ମଣିଷ ଯାହା ଚାହେଁ ତା ପାଏ ନାହିଁ । ହେଲେ ଖୁବ୍ କମ୍ ମଣିଷ ଅଛନ୍ତି, ଯାହା ଚାହିଁଥାଆନ୍ତି, ତାହା ପାଇଥାଆନ୍ତି । ତାଙ୍କ ଜୀବନରେ ସବୁ ସପନ ସତ ହୋଇଥାଏ । ସେମିତିଆ ଝିଅଟିଏ ଥିଲା ସୁପର୍ଣ୍ଣା । ଯାହା ଚାହିଁଥିଲା, ତ ପାଇଯାଇଛି । ଯାହା ସପନ ଦେଖିଥିଲା, ତା ସତ ହୋଇଯାଇଛି ।

 

ପିଲାଦିନେ ସେ ବିଲାତ, ଆମେରିକା, କଥା ଶୁଣିଥିଲା, କଣ୍ଢେଇ ବାହାଘର କଲାବେଳେ ସେ ରଜାପୁଅ ସାଙ୍ଗରେ ତାର ରଜାଝୁଅ କଣ୍ଢେଇକୁ ବାହାଘର କରେ । ବାହାଘର ସରିଲେ ପୁଷ୍ପକ ବିମାନରେ ସେ କନ୍ୟା ବିଦାକରେ । ସେତେବେଳେ ସୁପର୍ଣ୍ଣା ମନେମନେ ପୁଣି ସେଇ ରଜାଝୁଅ ହୋଇ ବିମାନରେ ଆକାଶରେ ଉଡ଼ିଯାଏ । କଳ୍ପନାରେ ନୀଳଦରିଆ ଉପରେ ଭାସିଯାଏ ବିମାନଟା ତା’ର, କିନ୍ତୁ ସତରେ ଯୋଉଦିନ ସୁପର୍ଣ୍ଣା ବାହାହୋଇ ନୀଳ ଦରିଆ ଉପର ଦେଇ ଉଡ଼ାଜାହାଜରେ ଆମେରିକା ନାମକ ଦେଶକୁ ଉଡ଼ିଗଲା, ସେଦିନ ସେ ନିଜକୁ ବିଶ୍ୱାସ କରିପାରିଲାନି । ତା ପରେ ତାର ଗୋଟିକ ପରେ ଗୋଟିଏ ସପନ ସତ ହୋଇଯାଇଥିଲା । ସୁନ୍ଦର ଇମାରତ, ଦାମିକା ଗାଡ଼ି, ଗଦାଗଦା ପୋଷାକ, ସୁନ୍ଦର ପୁଅଝିଅ ପୁଣି ରାଜକୁମାର ପରି ସ୍ଵାମୀ ।

 

ତଥାପି ସୁପର୍ଣ୍ଣା ଭୁଲିପାରେନା ଦେବୀନଦୀ କୂଳର ଗାଁକୁ । ଯେଉଁଠି ସେ ଭାବେ କ’ଣ ଗୋଟାଏ ଅଛି, ଯିଏ ମଣିଷ ସାଥିରେ ମଣିଷକୁ ଜୋର କରି ବାନ୍ଧି ରଖେ । ତାକୁ ଦେଖ୍ ହୁଏନା । ମାପି ହୁଏନା, କେବଳ ଅନୁଭବ କରିହୁଏ । ସୁଦୁର ବିଦେଶରେ ତାକୁ ବେଳେ ବେଳେ ଖୋଜି ବସେ ସୁପର୍ଣ୍ଣା । ସ୍ଵାମୀ, ପିଲାମାନେ କାମରେ ଆଉ ପାଠ ପଢ଼ାରେ ବାହାରକୁ ଚାଲିଗଲା ପରେ ସେ ବସି ତାର ବ୍ୟାଙ୍କ ପାସବୁକ ସବୁକୁ କାଢ଼ିଦେଖେ । ତା ପରେ ଘରେ ତଳେ ପଡ଼ିଥିବା ଦାମୀ କାର୍ପେଟ୍ ଉପରେ ହାତ ଆଉଁଶେ । ଦାମୀ ଆସବାବ ପତ୍ର ଆଡ଼େ ଚାହେଁ । ପୁଣି ଲନ୍‌କୁ ଯାଇ ନିଜ ବଂଗଳାକୁ ଦେଖେ । ହସ ଲାଗେ, ଏଇ ସବୁଥିଲା ସପନ । ଆଖି ବୁଜି ନୁହେଁ, ଆଖି ଆଗରେ ସବୁ ଠିଆ ହୋଇଛି । ତା ପରେ ତା ଆଖି ଆଗରେ ଆସି ଠିଆହୁଏ କମଳପୁର ଗାଁର ସେଇ ଚାଳଘର । ଯୋଉଠି ଥିଲା ଖଣ୍ଡିଏ ଖଟ, କେତେଖଣ୍ଡ ପେଟେରା ଆଉ ଟିଣ ବାକ୍ସ । ଯୋଉଠି ରାତିରେ ହେଁସ ପକେଇ ତା ଉପରେ ପୁରୁଣା ଲୁଗାର କନ୍ଥା ପାରି ବୋଉ ସାଥିରେ ସେ ଶୁଏ ।

 

କାର୍ପେଟରେ ହାତ ଘଷି ସେ ମନେ ପକାଏ । ବୋଉର ପାଇଁ ଇଚ୍ଛାଥିଲା ଭଲ ଗଦିଖଣ୍ଡେ କରିବା ପାଇଁ । ବୟସ ବଢ଼ିଲା ପରେ ହାଡ଼ୁଆ ଦେହକୁ ତାର ପତଳା ବିଛଣାଟା କାଟେ-। ହେଲେ ଏଭଳି ବିଛଣା କରିବା ଆଗରୁ ବୋଉ ଚାଲିଗଲା । ସୁପର୍ଣ୍ଣା ଆଖିରୁ ଲୁହ ଗଡ଼ିପଡ଼େ-। ଆଜି ଯଦି ବୋଉ ଥାଆନ୍ତା, ତେବେ ମନପବନ କଠଉ ପିନ୍ଧେଇ ତାକୁ ଆକାଶରେ ଉଡ଼େଇ ଆଣନ୍ତା, ଏଇ କୁବେରପୁରୀକି । ବୋଉ ତାର କେତେ ଖୁସି ହୋଇଥାଆନ୍ତା ।

 

ମନେ ପକଉଥିଲା ସୁପର୍ଣ୍ଣା, ପଇସା କେତେଟା ପାଇଁ ବୋଉ ତାର ଗୁଆ ନଡ଼ିଆ ବେପାରୀକି ଅପେକ୍ଷା କରେ । ବେଳେ ବେଳେ ପୁଣି କୋଉଠୁ କୋଉଠୁ ସୁଧରେ ପଇସା ଆଣେ । ପିଢ଼ାର କଖାରୁ, ବାଡ଼ିର ଶାଗ ତାର ନିତିଦିନିଆ ସାଥୀ । ସୁପର୍ଣ୍ଣା ଆଖିରେ ଲୁହ ଜକେଇ ଆସେ ।

 

ବାପାଙ୍କ ପାଖରୁ ଚାକିରି ଜାଗାରୁ ପ୍ରତି ମାସରେ ପଇସା ଆସେ, ହେଲେ ଭାଇର ଟିଉସନ୍, ମାସିକ ଦୋକାନବାକୀ, କ୍ଷୀର ପଇସା ଦେଇଦେଲାପରେ ପୁଣି ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼େ ଆରମାସ ପର୍ଯ୍ୟନ୍ତ । ଏବେ ପୁଅଝିଅ ସମସ୍ତଙ୍କର ଗୋଟାଏ ଗୋଟାଏ ଆକାଉଣ୍ଟ-। ସମସ୍ତଙ୍କ ହାତରେ ମୁଠାମୁଠା ପଇସା । ଦୀର୍ଘଶ୍ୱାସ ପକାଇ ଖୋଲା ଆକାଶକୁ ଚାହେଁ ସୁପର୍ଣ୍ଣା-। ବୋଉ ତାର ସତରେ ଏତିକି ପଇସା ଦେଖି ମରିଥାଆନ୍ତା କି ? ଘର ଦାଣ୍ଡ କବାଟ ତାଙ୍କର ଅନେକ ବର୍ଷ ଧରି ଭାଙ୍ଗି ଯାଇଥିଲା । ବନ୍ଦ କରି ହୁଏନା । ସେମିତି ମେଲା ଥାଏ । ତଥାପି ବି ବୋଉକୁ ଡର ଲାଗେନା । ଏବେ ତାର କବାଟ ପରେ କବାଟ ତାଲା ଉପରେ ତାଲା ଆଉ ବାହାରକୁ ବାହାରିଲେ ସାଲୁଟ୍‍ ମାରୁଥିବା ଦରୱାନ ।

 

ତା ଦିହ ଖରାପ ହେଲେ ବୋଉ ରାତି ରାତି ଧରି ଜଗି ବସୁଥିଲା । ପୁଣି ପାଖ ପଡ଼ିଶାରୁ କାଳେଇମା, କୁନ୍ତଳାମାଉସୀ ଏମିତି କେତେ ଆସି ଜଗି ବସୁଥିଲେ । କିଏ ନଡ଼ିଆ ପତର ଜାଳି ପାଣି ଫୁଟେଇ ଦଉଥିଲା, କିଏ ଗୋଡ଼ ପାଖରେ ବସି ଗୋଡ଼ ଚିପି ଦେଉଥିଲା । ପୁଣି କିଏ ମଂଗଳ ମନାସି ଛାଞ୍ଚୁଣୀ ଟିକିଏ କୋଉ ଠାକୁରଙ୍କ ନାଁରେ ବାନ୍ଧି ଦଉଥିଲା । ପାଖ ଘର ଭାଇସାଇଏ ଦଉଡ଼ି ଯାଉଥିଲେ, କେତେ କୋଶ ବାଟ ବଜାରରେ ରହୁଥିବା ଡାକ୍ତର ପାଖକୁ । ଡାକ୍ତର କହିଲେ କିଛି ଔଷଧ ରଖି ତା ଉପରେ ବିଭିନ୍ନ ରୋଗର ଉପଶମ ପାଇଁ ଚିଠାମାରି ରଖିଥିବା ଟିକିଏ ପାଠୁଆ ମଣିଷଟିଏ ।

 

ଆଜି ଫୋନ୍‌ର ବୋତାମ ଟିପିଲେ ତା ପାଇଁ ଡାକ୍ତର ଆସୁଛନ୍ତି । ଦେହ ଖରାପ ହେଉ ବା ନହଉ ଫି ମାସରେ ହେଲଥକାର୍ଡ ବଳରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ପୁଣି କେତେବେଳେ କୋଉ ବଡ଼ ରୋଗରେ କିଏ ପଡ଼ିବ ସେଥିପାଇଁ ଇନ୍‍ସୁରାନ୍ସ କରାଯାଉଛି ।

 

ପିଲାଦିନେ ବୋଉ ସାଥିରେ ଚାଲି ଚାଲି ସେ ତାଙ୍କ ଚାଷଗାଁକୁ ଯାଉଥିଲା । ଅଧଓଳିକର ବାଟ । ବାଟରେ ହାଲିଆ ହେଇଗଲେ ବାଟ ଗାଁ ମୁଣ୍ଡ ବରଗଛ ହଉ କି ଗହୀର ମଝିରେ ଯୋଡ଼ି ବରଗଛ ମୂଳେ ସେମାନେ ବସନ୍ତି । ବଇଶାଖ ମାସ ଖରାରେ ପାଣିମୁନ୍ଦେ ପିଇବା ଲାଗି ବାଟୋଇମାନଙ୍କ ପାଇଁ କିଏ କେବେ ସେଠି କୁଅଟାଏ ଖୋଳିଛି । ଦଉଡ଼ିରେ ବାଉଁଶର ନଳାଟାଏ ଲାଗିଛି, ବାଟୋଇମାନେ ପାଣି କାଢ଼ି ଶୋଷ ମାରିବେ ବୋଲି । ଅନ୍ଧାର ଆସିବା ଆଗରୁ ପହଁଚିବା ପାଇଁ ସେ ଡଗ ଡଗ ହୋଇ ଚାଲେ । ସେତିକିବେଳେ ଆକାଶରେ ଧଳା ଧୂଆଁର ଗାର କାଟି ଉଡ଼ାଯାହାଜଟାଏ ଚାଲିଗଲେ ସେ ଅନାଏ । ଗହୀର ବିଲର ପାଦଚଲା ମଣିଷ ଆଉ ଆକାଶର ଜେଟ୍ ବିମାନ ମଧ୍ୟରେ ଦୂରତ୍ୱ ସେ ମାପିପାରେନା, ସେଦିନର ଫ୍ରିକ୍ ପିନ୍ଧା ଝିଅ । ହିଡ଼ମାଟିରେ ବା କୋଉଠି-କାଦୁଅ ବାଟରେ ତାକୁ ହାତରେ ଚପଲ ହାତରେ ଧରି ଚାଲିବାକୁ ପଡ଼େ-। ଚପଲ କହିଲେ ହଳେ ହାଓ୍ୱାଇ ସ୍ଲିପର । କେତେବେଳେ ଧରିଥିବା ବ୍ୟାଗର ଓଜନ ସମ୍ଭାଳି ପାରେନା ସୁପର୍ଣ୍ଣା । ଚାଲି ତାର ଧୀର ହୋଇଯାଏ । ହେଲେ ଆଜି ସେ ବାହାରକୁ ବାହାରିଲେ ହଂସପରି ତା ଘର ଆଗରେ ଧାଡ଼ିଏ ଗାଡ଼ି ଛିଡ଼ା ହେଉଛି । ପରିବାରରେ ସମସ୍ତଙ୍କର ଗୋଟାଏ ଗୋଟାଏ କାର । ପିଲାଦିନେ ସାଇକେଲ ଶିଖିବ ବୋଲି କାନ୍ଦି କାନ୍ଦି ନିରାଶ ହୋଇଥିଲା ସୁପର୍ଣ୍ଣା-। ଆଜି ସେ ରାଜରାସ୍ତାରେ କାର୍ ଚଳାଉଛି । ବହୁ ଇଚ୍ଛା କରି ବି ବାପା ତାର ତାକୁ ସାଇକେଲ ଖଣ୍ଡେ କିଣି ଦେଇ ପାରିନଥିଲେ । କିନ୍ତୁ କିଣିଦେଇ ପାରିନଥିବାରୁ ବାପାଙ୍କର ଅନୁଶୋଚନା ଭରା ଆଖି ତାର ଏବେ ମନେଅଛି ।

 

ବୋଉ କଥା ମନେ ପଡ଼ିଲେ ମନ ତାର ଆହୁରି ଆନ୍ଦୋଳିତ ହେଉଥିଲା । ବାଟ ଚାଲି ଚାଲି ନୟାନ୍ତ ହୋଇ ସେମାନେ କଟକ ବସ୍ ଧରନ୍ତି । ସେଥିରେ ବସ୍ତାପରି ଲଦାହେଇ ଥାଆନ୍ତି ମଣିଷ । ଆଜି ବୋଉ ଥାଆନ୍ତା କି, ଦେଖନ୍ତା ତାର ଲିମୋସିନ୍ ଗାଡ଼ିକି । ପାଟକନାରେ ପୋଛି ପକାନ୍ତା ।

 

ସାଇଭାଇରେ ସମସ୍ତେ ଗୋଟିଏ ସୂତାରେ ବନ୍ଧା ହୋଇଥିଲେ । ରୋଷେଇ ସରିଲେ ତାଟିଆରେ କୋଉଦିନ ତରକାରିଟିକେ ଧରି ତ କୋଉଦିନ କଖାରୁ ଫୁଲ ଭଜା ଦି’ଟା ସେ ଦାଦାଖୁଡ଼ିଙ୍କ ଘରେ ଦେଇଆସେ । ତାଟିଆ ଖାଲି ଫେରେନି । ଶାଗ ହଉ କି ପିଠା ହଉ ସାଙ୍ଗରେ ଧରି ଫେରେ । କୋଉଦିନ ଦାଦାଙ୍କ ଘରେ ମାଛ କି ମାଂସ ତରକାରୀ ହେଲେ କି ରାଧାମାଧବ ମନ୍ଦିରରୁ ପ୍ରସାଦ ଆସିଲେ ଦାଦା ତାକୁ ସାଙ୍ଗରେ ଖାଇବାକୁ ଡାକନ୍ତି । କାହାଘରେ କୋଉଦିନ କୁଣିଆଁ ଆସିଲେ କି ଜୋଇଁ ବୁଲି ଆସିଲେ ସାଇଭାଇରେ ସମସ୍ତେ ମିଶି କାମ କରି ଦିଅନ୍ତି । ସବୁ ଘରୁ ଗୋଟେଇ ପୁଟେଇ ଭଲ ବାସନ ଗିଲାସମାନ ନିଅନ୍ତି ।

 

ହେଲେ ଆଜି ତ ଘରେ ଆଲମିରା ଆଲମିରା ବାସନ । ମାସରେ ଦି ଚାରିଥର ପାର୍ଟି । ଭଳିକି ଭଳି ଆଇଟମ୍ । କଣ୍ଟା ଚାମଚର ଶବ୍ଦ ଭିତରେ ସମସ୍ତେ ମତୁଆଲା ହୁଅନ୍ତି । ନାଚର ଆସର ହୁଏ । ପିଲାଦିନେ ସ୍କୁଲ ଡ୍ରାମାରେ ତାକୁ ରାଧା ହବାକୁ ବୋଉ ତାର ମନା କରିଦେଇଲା । କୃଷ୍ଣ ହୋଇଥିବା ପୁଅ ସାଙ୍ଗରେ ବଂଶୀ ସ୍ଵରରେ ନାଚିବାକୁ ଭଲ ଲାଗିନଥିଲା ତାକୁ । ହେଲେ ଆଜି କୋଉ ପୁରୁଷ ସହ ହାତ ଛନ୍ଦି ଝାପସା ଆଲୁଅ ତଳେ ଧୂଆଁକୁଣ୍ଡଳୀ ଭିତରେ ନାଚିଲା ବେଳେ ସେ ଭାବେ ବୋଉ ତା’ର ଏ ସବୁ ନ ଦେଖିଛି ଭଲ ହେଇଛି । ତା ବୋଉ ପାଇଁ ସେ ଥିଲା ଘିଅ । ହେଲେ ତା ପାଇଁ ତା ଝିଅ ଆକାଶର ଉଡ଼ାନ୍ତ ଚଢ଼େଇ ।

 

ପିଲାଦିନେ ପାଣସାଇର ଭୀମା ଖରାବେଳେ ଦାଣ୍ଡରେ ପାଟି କରି କରି ଯାଏ । ସୁପର୍ଣ୍ଣା ତାକୁ ଦେଖିଲେ ଲୁଚେ । ଭୀମା ବିଚରା ଭଲ କରି ଖାଇବାକୁ ନପାଇ ଖଜୁରି ଗଛର ତାଡ଼ି ପିଏ ବୋଲି ସମସ୍ତେ ଜାଣନ୍ତି । ବୋଉ ତାର ଆହା କରେ । ବିଚରା ଖାଇବାକୁ ଗଣ୍ଡାଏ ପାଇଲେ ଏ ସଂସାର ଉଚ୍ଛନ୍ନକରା ପାଣିଗୁଡ଼ାକ କାଇଁକି ପିଅନ୍ତା ବୋଲି କହେ । ହେଲେ ସୁପର୍ଣ୍ଣା ଆଜି ତା ସ୍ୱାମୀ ପାଇଁ, ତାଙ୍କ ବନ୍ଧୁମାନଙ୍କ ପାଇଁ ନିର୍ବିକାରରେ ସାଂପେନ୍ ଢାଳେ । ଭୀମାକୁ ସେ ପିଲାବେଳେ ଭୟକରି ଲୁଚୁଥିଲା । ଏବେ ବି ଏଇ ନିଶାସକ୍ତ ପୁରୁଷଗୁଡ଼ାଙ୍କ ଅସଂଯତ ଦେହକୁ ଦେଖିଲେ ଲୁଚିବାକୁ ଇଚ୍ଛା ହୁଏ । ଆଭିଜାତ୍ୟର ନମୁନା ଇଏ । ଏବେ ପୁଅଝିଅ ଗ୍ଲାସ୍ ଧରିଲେଣି । ନୂଆବର୍ଷ ପାର୍ଟିରେ ଯୁଗଳନୃତ୍ୟ କରିବାକୁ ଝିଅ ଯେତେବେଳେ ତା ମୁହଁକୁ ଚାହିଁଲା, ସେ ହସଟିଏ ହସିଦେଇ ସ୍ୱୀକୃତି ନୁହେଁ ବରଂ ତାକୁ ଉତ୍ସାହ ଦେଲା ।

 

କମଳପୁର ଗାଁରେ ନୂଆ ବୋହୂ ଆସିଲେ ସାଇଝିଏ ତାକୁ ସଜେଇ ଦିଅନ୍ତି ଚନ୍ଦନର ଟିପା, କୁଙ୍କୁମର ବିନ୍ଦୁ, ମେହେନ୍ଦିର ଫୁଲରେ । ସାରା ପରିବେଶଟା ମମତାରେ ଛନ୍ଦାଛନ୍ଦି । ବୋଉ, ଖୁଡ଼ି ବଡ଼ବୋଉ ସମସ୍ତେ ସନ୍ଧ୍ୟାରେ କାନିତଳେ ସଂଜଧରି ରାଧାମାଧବଙ୍କ ପାଖକୁ ଯାଆନ୍ତି । ସାଇ ଭାଉଜମାନେ ପୋଖରୀତୁଠରେ ଏକାଠି ହେଲାବେଳେ କିଏ କୋଉ ଗାଁର ଝିଅ ବୋଲି ଭୁଲିଯାଆନ୍ତି ।

 

ସୁପର୍ଣ୍ଣା ପୁଣି ସେଇଦିନ କମଳପୁର ଗାଁକୁ ଥରେ ଫେରିବାକୁ ଚିନ୍ତା କଲା, ଯେଉଁଦିନ ସେ ଅନୁଭବ କଲା ଯେ ଗୋଡ଼ିବାଲି ସିମେଣ୍ଟ୍ ମାର୍ବଲ ଆଉ ମୁଠା ମୁଠା ପଇସାରେ ଘର କରାଯାଏ ନାହିଁ । ଘର କରିବାକୁ ମନଟିଏ ଦରକାର । ଏବେ ସ୍ଵାମୀ ସ୍ତ୍ରୀର ସମ୍ପର୍କର ସୁରକ୍ଷା ପାଇଁ ଆଇନ୍ ହେଲାଣି । କମିଶନ ପରେ କମିଶନ ହେଲାଣି । ହେଲେ ସଂପର୍କଟା କାଇଁ ଶିଥିଳ ହେଲାପରି ଲାଗିଲା ତାକୁ ।

 

ପାଖ ସ୍କୁଲରେ ଦାଦା ଥିଲେ ପ୍ରଧାନ ଶିକ୍ଷକ । ପାଖ ଆଖ ଗାଁରେ ଖାତିର ତାଙ୍କର । ହସ ହସ ସାଦା ଲୋକଟିଏ । କେଉଁଠି କାହା ଭିତରେ ଗଣ୍ଡଗୋଳ ମନାନ୍ତର ହେଲେ, ହସରେ ହସରେ କଥା ତୁଟେଇ ଦିଅନ୍ତି ଯେଉଁଠି ଭାଇ ଭାଗ ହୁଏ କି ସ୍ଵାମୀ ସ୍ତ୍ରୀର ବିଚ୍ଛେଦର ହିସାବ କିତାବ ହୁଏ ସେ ନିଶାପକୁ ସେ ଯିବାକୁ ମନା କରିଦିଅନ୍ତି । “ଘର ଗଢ଼ିବ ତ ଯିବି’’ ବୋଲି କହନ୍ତି । ବିଭାଜନ, ବିଚ୍ଛେଦ ମିଳେଇଯାଏ ।

 

ହେଲେ ସୁପର୍ଣ୍ଣା ଖୋଜୁଥିଲା ସେମିତିଆ ହାତଟିଏ, ଯିଏ ତାକୁ ସ୍କୁଲରୁ ଫେରିଲା ବେଳକୁ ଦାଣ୍ଡ ଦୁଆରେ ଅପେକ୍ଷା କରି ବସୁଥିଲା, ହାତରୁ ବ୍ୟାଗଟା ନେଇ କପାଳକୁ ଆଉଁଶି ଦେଉଥିଲା । ରାତି ଅଧରେ ଉଠି ବାହାରକୁ ଗଲେ ତା ପଛରେ ଠିଆ ହେଉଥିଲା । ଆଜି ତାର ଭାବପ୍ରବଣତାକୁ ଦେଖି ପିଲାମାନେ ହସୁଛନ୍ତି । ଜରାନିବାସରେ ଥିବା ବୟସ୍କମାନଙ୍କୁ ସେ ଚାହେଁ, ଲାଗେ ଯେମିତି ସେମାନେ ବଂଚିଛନ୍ତି, ଜୀବନ ନାହିଁ । ଅର୍ଥ ପ୍ରତିବଦଳରେ ସେମାନେ ସେବା ପାଉଛନ୍ତି । କିନ୍ତୁ ଆଖିଗୁଡ଼ାକ ତାଙ୍କର ଯେମିତି ସବୁବେଳେ କିଛିନା କିଛି ଖୋଜୁଥାଏ । ସେଇ ଖୋଜିବା ଜିନିଷଟା ପ୍ରାୟ ସେଇ ହାତରେ ପରଶ, ଯିଏ ତା ମଥାକୁ ସ୍କୁଲରୁ ଫେରିଲା ବେଳକୁ ଆଉଁଶି ଦେଉଥିଲା ।

 

ସୁପର୍ଣ୍ଣା ଭାବୁଥଲା । ଆବେଗ ହିଁ ମଣିଷ ମଣିଷ ଭିତରେ ସଂଯୋଗର ସେତୁ । ଆବେଗର ମୃତ୍ୟୁରେ ମଣିଷ ବଂଚିପାରେ, ହେଲେ ମଣିଷତ୍ୱ ମରିଯାଏ । ତାକୁ ଲାଗେ ଏଠି ସ୍ୱାମୀ ପିଲାଛୁଆ ସମସ୍ତେ ଯେମିତି ଗୋଟେ ଗୋଟେ ଅଫିସର ଅବା କର୍ମଚାରୀ ଅବା ମେସିନ୍‌ର ଗୋଟାଏ ଗୋଟାଏ ଚକା । ସତେ ଯେମିତି ଗୋଟାଏ ଖରାପ ହେଲେ ଆଉ ଗୋଟିଏ ବଦଳେଇ ଦେଇହେବ ।

 

ବହୁ ଦ୍ୱନ୍ଦ୍ୱ ଭିତରେ ସୁପର୍ଣ୍ଣା ପୁଣି ଫେରୁଥିଲା କମଳପୁର । ସପନ ତାର ଅସୁମାରି । କୁଆଁରପୁନିଅଁ ରାତିରେ ଯେତେବେଳେ ସୁପର୍ଣ୍ଣା ନଦୀବନ୍ଧ ଟପି କମଳପୁର ଗାଁ ପାଖରେ ପହଁଚିଲା, ତାକୁ ଲାଗିଲା ଯେମିତି ରାତିଟା ବଦଳି ଯାଇଛି । ଅନେକ ବର୍ଷ ଧରି ବିଦେଶରେ ରହଣିପରେ ସେ ଫେରୁଥିଲା ଗାଁକୁ । ଯେଉଁଠି ତା ବୋଉ କାନ୍ଥରେ କଉଡ଼ିର ଘର କାଟି ଶଂଖୁଆ ଅଣ୍ଟିରେ ଚାଉଳ ଦେଇ ତା ମଙ୍ଗଳ ପାଇ ଶଙ୍ଖ ଫୁଙ୍କେଇ ତାକୁ ବଉଳପାଟ ପିନ୍ଧେଇ କନକଆଞ୍ଜୁଳି ଦେଇ ଶାଶୁଘର ପଠେଇଥିଲା ସେଇ ଗାଁକୁ । ପିଲାଦିନେ ସେ ଶୁଣିଥିଲା ଦୁନିଆରେ ସବୁ ବଦଳିଯାଏ, ହେଲେ ବଦଳେନି ଦିନରାତି । ହେଲେ ତାକୁ ଲାଗିଲା ଅନେକ ବର୍ଷତଳେ କମଳପୁର ଗାଁରେ ଛାଡ଼ିଦେଇ ଯାଇଥିବା ରାତି ଯେମିତି ଆଉ ନାହିଁ ।

 

କାନଡେରି ଶୁଣିବାକୁ ଚାହୁଁଥିଲା କୁଆଁର ପୁନେଇଁରାତିର ଗୀତ । ମନେ ପଡ଼ୁଥିଲା ତାର, ଦୁଆରେ ହେଂସପଡ଼େ । ଖଇ ଉଖୁଡ଼ାର ଡାଲା ମଝିରେ ଥୁଆହୁଏ । ଦଳଦଳ ଝିଅ ଗୀତ ବୋଲୁଥାଆନ୍ତି । “ନଈ ସେପାରିକି ଅନେଇ ଦେଲି ଲୋ, କଂସାରି ମାଜୁଛି କଂସା, କଂସାରି ନୁହଁନ୍ତି, ଆମରି ଭାଇଲୋ ଖେଳୁଛନ୍ତି ବାଲିପଶା ।” କାନ ଡେରିଲା ସେଗାଁରୁ କିଛି ଗୀତ ଶୁଭୁନାଇଁ, ନଈ ସେପାରିରୁ ଖାଲି ବିଲୁଆର ବୋବାଳି । ଆକାଶରେ ସେମିତି ଜହ୍ନ ଅଛି । ସେମିତି ଜୋଛନାର ଧବଳ ଉତ୍ତରୀୟ ଲମ୍ବିଯାଇଛି । ପୁଣିଥରେ ସେ ଚାହିଁଲା ସେଇ ଜହ୍ନକୁ, ଗାଁକୁ ଆଉ ନଈକି । ସତେ କ’ଣ ଏ ସେଇ ଜହ୍ନ ? ସତେ କ'ଣ ଏ ସେଇ ନଈ ? ସତେ କ’ଣ ଏ ସେଇ ରାତି ? ତାକୁ ଲାଗିଲା ତାର ସ୍ମୃତିର ଗାଁଟା ପ୍ରାୟ କେବଳ ଖୋଳପାଟା ଛାଡ଼ି କୁଆଡ଼େ ଚାଲିଯାଇଛି । ସବୁଅଛି ଯେମିତି ପରଶଟା ନାହିଁ ।

 

ପ୍ରଥମରେ ସେ ଯେତେବେଳେ ବଡ଼ସାଇକୁ ପଶିଲା, ଦେଖିଲା ସାଇରେ ଆଲୁଅ ଜଳୁଛି-। ପୂଜାପୂଜି କିଛି ଚାଲିଛି । ପତର ପକେଇ କେତେଲୋକ ଖାଇ ବସିଛନ୍ତି । ଖେଚେଡ଼ି କ୍ଷୀରୀର ବାସ୍ନାରେ ତା ପେଟ ପୂରିଗଲାଭଳି ଲାଗିଲା । ତରତର ପାଦରେ ଅଗଣାକୁ ଚାଲିଯାଇ ବଡ଼ସାଇର ଭାଉଜଙ୍କ ନା ଧରି ଡାକଲା । ପିଣ୍ଡାତଳକୁ ଝରି ଭାଇ ଓହ୍ଲେଇ ଆସିଲେ । ସମସ୍ତେ ତାକୁ ଅନେଇଲେ ଯେମିତି ସେ ଭୁଲରେ ସେ ଆଡ଼େ ପଶିଆସିଚି । ଟିକିଏ ରହିଗଲା ପରି ହେଇ ଝରିଭାଇ ଘର ଭିତରକୁ ଡାକିନେଲେ । ଭାଉଜ ଶୁଝିଲା ହସଟିଏ ହସି ମୁହଁକୁ ଚାହିଁଲେ-। ଛୋଟ ପିଲାମାନେ ଅନୁସନ୍ଧାନ କଲାପରି ଆଖିରେ ଚାହିଁଲେ । ଆଶ୍ଚର୍ଯ୍ୟ ଲାଗିଲା ତାକୁ । ବୁଝିପାରିଲାନି କ’ଣ ଘଟିଛି । ଝରିଭାଇ ଅତି ଆପଣାର । ବୟସରେ ତାଠୁ ଅନେକ ବଡ଼ । ଏକା କୁଟୁମ୍ବ-। ରଜ କୁଆଁରପୁନିଅଁରେ ଗୋଟିଏ ହେଁସ ପଡ଼େ । ଆଖି ବୁଲେଇ ଏପଟ ସେପଟ ଦେଖିଲା । ଚିହ୍ନା ମୁହଁ ଭିତରୁ ଅନେକ ନାହାନ୍ତି । ସୁପର୍ଣ୍ଣା ଭାବିଲା ଏତେ ଗହଳ ଚହଳ ଭିତରେ ସେ କେନ୍ଦ୍ରବିନ୍ଦୁ ହୋଇପଡ଼ିବ । ଭାଉଜ ଦେଠେଇମାନେ ତାକୁ ଖୁସିରେ ଘେରିଯିବେ । ସମସ୍ତଙ୍କ ମଝିରେ ସେ ବସିପଡ଼ିବ । ଏମିତି କେତେ କ’ଣ ? ଆଗରୁ ତା ଭାଇ ଆଉ ଝରିଭାଇର ଗୋଟିଏ କଥା, ଥିଲା-। ହେଲେ ଆଜି ଭାଇ ବି ଦେଖାଯାଉ ନାହାନ୍ତି ?

 

ପଚାରି ଯାହା ବୁଝିଲା, ମୁଣ୍ଡ ତାର ଘାଉଁରେଇଦେଲା । ବଡ଼ ଖୁଡ଼ୀ ମଲାଦିନୁ ସାଇ ସାଇ ଭିତରେ କୁଟୁମ୍ବ କଟିଯାଇଛି । ସମସ୍ତେ ସମସ୍ତଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ଏପଟ ସାଇରେ କାହାର ଶୁଦ୍ଧିଘର ହେଲେ, ଆରପଟ ସାଇରେ ମାଛଭାତ ରନ୍ଧା ଚାଲିଛି । କେହି କାହାପାଇଁ ନଖ ବାଳ କଟଉ ନାହାନ୍ତି । ପୋଖରୀ ଏକୂଳରୁ ମାଇପେ ସେ କୂଳ ମାଇପଙ୍କୁ ଟାହିକରନ୍ତି । ଉଲୁଗୁଣା ଦିଅନ୍ତି । ଦେଖାଶିଖା କଥା ଚାଲେ । ପୁଣି ପୁରୁଷ ପୁରୁଷ ଭିତରେ ଝଗଡ଼ା-। ସେଠୁ ପୁଣି ଥାନା କୋର୍ଟ ।

 

ସାନଦାଦାଙ୍କ ପୁଅ ଏବେ ସରପଞ୍ଚ ହେଇଚି । ସବୁ ପରିବାରକୁ ଗାଁରେ ଦି’ଭାଗ କରିଦେଲାଣି । ପୁଣି ସ୍ଵାମୀ ସ୍ତ୍ରୀ ମାମଲାକୁ ନେଇ ଥାନା କୋର୍ଟକୁ ଗଲାଣି । ଦାଦା ଥିଲେ ଯେ, ଶପଥ କରିଥିଲେ ଭାଇଭାଗକୁ ଯିବେନି । ଘରଭଂଗା ନିଶାପ କରିବାପାଇଁ କେଉଁଠିକି ଯାଆନ୍ତି ନାଇଁ । ଘର ଗଢ଼ନ୍ତି । ସ୍ଵାମୀ ସ୍ତ୍ରୀରେ ନପଡ଼ିଲେ ପୁଅ ଝିଅଙ୍କ ବିବାଦ ଭଳି ମିଶଉଥିଲେ । ସବୁ ଶୁଣୁଥିଲେ । ସୁପର୍ଣ୍ଣା ପିଲାଦିନେ ସାନଦାଦାଙ୍କ ପାଖରେ ବସି ଗପ ଶୁଣୁଥିଲା । ପାଖରେ ସବୁବେଳେ ବସେ ଛୋଟ ପୁଅଟା । ଦାଦା ତାକୁ କେତେକଥା ଶିଖାନ୍ତି । ମୁଣ୍ଡ ଟୁଙ୍ଗାରି ଶୁଣେ । ବଡ଼ ହେଲେ ଡାକ୍ତର ହେଇ ଦେଶସେବା କରିବ ବୋଲି କହେ । ସବୁ ଓଲଟ ପାଲଟ ହେଇଗଲା ସୁପର୍ଣ୍ଣା ଆଗରେ । ଦେଶ ସେବା କରିବାର ଚିନ୍ତା କରିଥିବା ପିଲା ଦେଶଟାକୁ ଜାଳୁଚି ।

 

ବଡ଼ ସାଇରୁ ନିଜଘର ଆଡ଼କୁ ଆସିଲା ବେଳକୁ ଦେଖିଲା ଭାଇ ତାକୁ ଲାଲ ଆଖିରେ ଅନେଇଛନ୍ତି । ସତେ ଯେମିତି ସେ ସ୍କୁଲରୁ ଫେରିଲା ବେଳର ସେଇ ସୁପର୍ଣ୍ଣା । ଆଉ ବାଟରେ କିଛି ନକଲା କାମ କରିଦେଇଛି । ଦୋଷ ହେଲା ବଡ଼ସାଇକି ସେ କାହିଁକି ଗଲା? ବଡ଼ ସାଇର ତାଙ୍କ ଘର ସାଙ୍ଗରେ ପଡ଼ୁନି । ତା ଭାଇ ନାଁରେ ଝରି ଭାଇ କେଶ୍ କରିଛି । ଏପଟରୁ ପୁଣି ପାଲଟା କେଶ୍ ହେଇଚି । ହାଟ ବଜାରର ଭଡ଼ାଟିଆ ଗୁଣ୍ଡା ତା ଭାଇକୁ ଚଦିଥିଲା ବେଳେ, ଏ ପାଖରୁ ବି ଗୁଣ୍ଡାର ବରାଦ ହେଇଛି । ବଜାରର ଗୁଣ୍ଡାମାନଙ୍କ ସାଙ୍ଗରେ ଏପଟ ସେପଟର ସ୍ତ୍ରୀ ଲୋକ ମହାପ୍ରସାଦ ଦେଇ ଭାଇ ହୋଇଛନ୍ତି । ଭାଙ୍ଗି ପଡ଼ିଲା ସୁପର୍ଣ୍ଣା ।

 

ଆହୁରି ଆଶ୍ଚର୍ଯ୍ୟ ହେଲା, ଦାଦା ଘର ତାଙ୍କ ଘର ଭିତରେ ପାଚେରି । ପାଖ ଘରେ ଖୁଡ଼ୀ ଆଉ ତା ପୁଅ । ସେ ପୁଣି ସରପଞ୍ଚ । ସାନଖୁଡ଼ୀ ତାକୁ ଖାଲି ଦୂରରୁ ଦେଖୁଥିଲା । ପାଖକୁ ଆସିବାକୁ ସାହସ ନାହିଁ । ତଥାପି ଦାଣ୍ଡ ଦୁଆରେ ସାନଖୁଡ଼ୀ ଠିଆ ହେଇ ଚାହିଁଥିଲା । ସୁପର୍ଣ୍ଣା ଓଳଗି ହେଲା । ଖୁଡ଼ୀ ସେମିତି ପଥର । ବୟସରେ ଖୁଡ଼ୀ ଆଉ ବୋଉ ଭିତରେ ଅନେକ ତଫାତ । ହେଲେ ମନରେ ଏକା । ସ୍କୁଲରୁ ଫେରିଲା ବେଳକୁ ପିଠାଟିଏ ଧରି ଖୁଡ଼ୀ ଛିଡ଼ା ହୁଏ । ହୀତ ଧୋଇ ନଥାଏ ବୋଲି ଖଣ୍ଡଖଣ୍ଡ କରି ପାଟିରେ ଗୁଞ୍ଜି ଦିଏ । ହାତରୁ ବସ୍ତାନି ନେଇ ତଳେ ଥୋଇଦିଏ ।

 

ହେଲେ ସୁପର୍ଣ୍ଣା ଦେଖୁଥିଲା ଆଜି ସାଇ ଭିତରେ ପାଚେରି । ସୀମାନ୍ତରେ ଏପଟର ଯବାନ୍‍ମାନେ ଆରପଟର ଯବାନ୍‍ମାନଙ୍କୁ ଚାହିଁଲା ପରି ଭାଇ ଭାଇ ଭିତରେ ଅନାଅନି । ପରିବାରର ଅନ୍ୟମାନେ ବି ସେଇପରି । ବୋଉ ଚାଲିଯାଇଛି । ଖୁଡ଼ୀ ସ୍ଥାଣୁ ହେଇଯାଇଛି । ଭାଇର କଡ଼ା ତାଗିଦ, ସୁପର୍ଣ୍ଣା କାହା ଘରକୁ ଯିବନି । ମାଡ଼ି ମକଚି ହେଇ ଚାଲିଗଲେ ବି ଭାଉଜ ସାଥିରେ ଗୋଟାଏ ପୁତୁରା ଝିଆରୀଙ୍କୁ ଦୂତ କରି ପଠଉଛନ୍ତି । ଏ ପର୍ଯ୍ୟନ୍ତ ଘରଟାକୁ ନିଜର ଭାବୁଥିବା ସୁପର୍ଣ୍ଣାର ମନେ ହେଲା ଘରଟା ଯେମିତି ପରର । ଫେରିବା ଟିକଟ ବରାଦରେ ରହିଲା ସୁପର୍ଣ୍ଣା । ଯିବା ଆଗଦିନ ନିରୋଳାରେ ପୋଖରୀ କୁଳଘାଟରେ ବସିଥିଲା ବେଳେ, ଆଗ ପୋଖରୀ ପାଣିରେ ଯାହାର ପ୍ରତିଛବି ଦେଖି ବୁଲି ଚାହିଁଲା ସୁପର୍ଣ୍ଣା, ସେ ଥିଲେ ସାନଖୁଡ଼ୀ । କାର୍ତ୍ତିକ ମାସରେ ଭୋରୁ ଉଠିଥିବାରୁ ଭାଉଜ ଶୋଇ ଯାଇଛନ୍ତି । ନିରୋଳାରେ ଖୁଡ଼ୀ ଆସିଛି ଲୁଚିକରି । ପଣତ କାନିତଳେ ଗୋଟେ ତାଟିଆ । ପିଠା ଖଣ୍ଡେ ଖଣ୍ଡେ କାଢ଼ି ପାଟିରେ ଦେଲା । ନିରବରେ ସୁପର୍ଣ୍ଣା ଆଁ କଲା । ଠିକ ଏତିକି ବେଳେ ବଡ଼ଭାଇର ପୁଅଟା କୋଉଠୁ ଦଉଡ଼ି ଆସି ଆଁ ଦେଖେଇ ଦେଲା କହିଲା “ମୋ ପାଟିରେ..... ? ଖୁଡ଼ୀ ତା ପାଟିରେ ପିଠା ଖଣ୍ଡ ଗୁଞ୍ଜି ଦେଲାବେଳେ ସେ ସୁପର୍ଣ୍ଣାକୁ କହିଲା, “ଅପା, ମା’ ହାତରୁ କିଛି ଖାଇବାକୁ ବୋଉ ମନା କରିଛି, ତମେ ଟିକେ ତାକୁ ବୁଝେଇ ଦିଅ । ଆଉ ସେ ମନା କରିବନି ।”

 

ସୁପର୍ଣ୍ଣା ଆଖିରୁ ଲୁହ ଗଡ଼ି ଆସୁଥିଲା । ଠିକ୍ ଏତିକିବେଳେ ପହଞ୍ଚି ଗଲେ ବଡ଼ଭାଇର ପିଲା ଆଉ ଦାଦା ପୁଅ ଭାଇର ଝିଅ । ସମସ୍ତେ ଆଁ କରି ମା’ର ହାତକୁ ଅନେଇ ବସିଲେ । ସୁପର୍ଣ୍ଣାକୁ ଲାଗିଲା ମା’ର କାନିତଳେ ଯାହା ଥାଏ, ତା ସରେନାହିଁ । ଅଭିଯୋଗର ନୂଆ ନୂଆ ଫର୍ଦ୍ଦ ଆସିଲା । ଭାଇର ଝିଅ ନାହାନ୍ତି । ଦାଦାପୁଅ ଭାଇର ଗୋଟିଏ ଝିଅ । ଝିଅର ଅଭିଯୋଗ, ରାଖୀ ପୁନିଅଁରେ ଭାଇ ହାତରେ ରାଖୀ ବାନ୍ଧିବାକୁ ମୋ ମା’ ମନା କରୁଛି । ତମେ ମୋ ମା’କୁ ବୁଝେଇ ଦିଅ । ଭାଇମାନଙ୍କର ଏକାପ୍ରକାର ଅଭିଯୋଗ । ଖୁଡ଼ୀର ମୁହଁରେ ହସ ଝଟକୁ ଥିଲା । ସେ ହସଟା ଠିକ୍ ସେଇ ହସ, ଯୋଉ ହସକୁ ସୁପର୍ଣ୍ଣା ବହୁବର୍ଷ ତଳେ ଛାଡ଼ି ଚାଲିଯାଇଥିଲା । ଯୋଉ ହସକି ସରଗକୁ ସତରେ ଗୋଟିଏ ପାହାଚ ।

 

ସୁପର୍ଣ୍ଣା ପାଖରେ ପିଲାମାନେ ଅଳି କରୁଥିଲେ ତା ଚାଲିଯିବାର ଟିକଟ ବାତିଲ ପାଇଁ । ସେ ମୋବାଇଲ୍ ଫୋନ୍‌ର ବୋତାମ ଟିପୁଥିଲା ବିଶ୍ୱର ଅନ୍ୟ ଏକ ପ୍ରାନ୍ତରେ ଥିବା ସେମାନଙ୍କ ଭାଇ ଭଉଣୀଙ୍କ ସହ ପିଲାମାନଙ୍କୁ କଥା କରେଇବା ପାଇଁ ।

☆☆☆

 

ହେ ଛନ୍ଦକ ଫେରିଯାଅ

 

ସୌମ୍ୟ ଖୁବ ଆଶ୍ଚର୍ଯ୍ୟ ହେଲା, ଯେଉଁ ଦିନ ସ୍ଵାମୀ ବିଶୁଦ୍ଧାନନ୍ଦ ଆଶ୍ରମ ଛାଡ଼ି ଅନ୍ତର୍ଦ୍ଧାନ ହୋଇଗଲେ । ତାଙ୍କ ଘରକୁ ଅନ୍ଧ ଛାଡ଼ି ସ୍ଵାମୀ ବିଶୁଦ୍ଧାନନ୍ଦଙ୍କ ଆଶ୍ରମ । ଆଶ୍ରମ କହିଲେ ପାଠ ବହିରେ ଏଯାବତ୍ ପଡ଼ିଥିବା ପର୍ଣ୍ଣକୁଟୀର ନୁହେଁ, ଶଂଖମର୍ମର ପଥରର ଚଟାଣ ଆଉ ଢୋଲପୁରୀ ପଥର ଆଚ୍ଛାଦିତ କାନ୍ଥର ବହୁ ମହଲା ଘର । ଅନେକ ଘରେ ଶୀତତାପ ନିୟନ୍ତ୍ରଣ ପାଇଁ ଯାନ୍ତ୍ରିକ ବ୍ୟବସ୍ଥା । ଖାଦ୍ୟ ପରିବେଷଣ ବେଶ୍ ରୁଚିକର । ରାତି ପାହିଲେ ମାଳମାଳ ଗାଡ଼ି ଆସେ । ସହର ନଗରରୁ କେତେ ଲୋକ ଆସନ୍ତି । ଆଶ୍ରମ ଦୁଆରେ ସାମରିକ ପୋଷାକ ରଂଗର ପୋଷାକ ପିନ୍ଧା ସିକ୍ୟୁରିଟ୍ ଗାର୍ଡ । ଆବଶ୍ୟକ ସ୍ଥଳେ ସ୍ୟାଲୁଟ୍ । ଆଶ୍ରମରେ ପଶିବାକୁ ହେଲେ ଖାତାରେ ନାଁ ଲେଖିବାକୁ ହୁଏ । କୋଉଠୁ ଆସିଲ, କାହା ପାଖକୁ ଯିବ; ଟିକିଏ ସନ୍ଦେହ ହେଲେ କେତେ ପ୍ରଶ୍ନ ।

 

ବିଶୁଦ୍ଧାନନ୍ଦଙ୍କ ବ୍ୟବହାର ପାଇଁ ଅଛି ବିଳାସପୂର୍ଣ୍ଣ କାର୍ । ଅନ୍ୟମାନଙ୍କ ବ୍ୟବହାର ପାଇଁ ପୁଣି କେତେଖଣ୍ଡ ଗାଡ଼ି । ଆଶ୍ରମର ସ୍ଵତନ୍ତ୍ର ଅଫିସ୍ କର୍ମଚାରୀ ।

 

ସ୍ଵାମୀଜୀଙ୍କୁ ଦେଖା କରିବା ଭାରି କଷ୍ଟ । ସବୁବେଳେ ତାଙ୍କ ପାଖରେ ଲୋକ ଧାଡ଼ି । ଗୌରବର୍ଣ୍ଣ ଚେହେରା । ସୁଉଚ୍ଚ ଦୀର୍ଘ ନାସିକା । ମୁହଁରେ ସଦା ସର୍ବଦା ହସ । ପ୍ରଥମ କରି ଆଶ୍ରମ ସ୍ଥାପନ କରିଲା ବେଳଠାରୁ ସୌମ୍ୟ ତାଙ୍କୁ ଦେଖିଛି । ତା' ଘରଠାରୁ ଛାଡ଼ି ଥିଲା ବିରାଟ ଆମ୍ବତୋଟା ଜାତୀୟ ରାଜପଥଠାରୁ ଅଳ୍ପ ଦୂର । ଯେଉଁ ଦିନ ପ୍ରଥମକରି ସେ ସନ୍ନ୍ୟାସୀଙ୍କୁ ଦେଖିଥିଲା, ତାହା ଥିଲା ଏକ ରୌଦ୍ର ଅପରାହ୍‌ଣ । ଅସହ୍ୟ ଖରାତାତି । ଦେହ ଜଳିଯିବ । ଏତେ ଖରାରେ ସେ ସକାଳୁଆ ସ୍କୁଲ ସାରି ଫେରିଲା ବେଳେ ଦେଖିଲା କଣ୍ଟାଝଣ୍ଟାକୁ ସଫା କରୁଛନ୍ତି କେହି ଏକ ସୌମ୍ୟଦର୍ଶନ ଯୁବକ । ଦୟା ଆସିଲା ତାମନରେ । କ’ଣ ପାଇଁ ଏ ପରିଶ୍ରମ । ସାଧନାର ଅର୍ଥ ସେ ଜାଣି ନଥିଲା । ତାପରେ ସେ ଦେଖିଲା ଦିନକୁ ଦିନ ସେଇ ତୋଟାରେ ପରିବର୍ତ୍ତନ ଘଟୁଛି । ଲୋକଟି ନିଜ ହାତରେ ମାଟି ବୋହି ବାଉଁଶ କଣିର ଝାଟି ପୋତି ସେଥିରେ ମାଟି ଛାଟି କୁଡ଼ିଆଟିଏ ତିଆରି କଲା । କୁଡ଼ିଆ ଚାରିପାଖରେ କେତୋଟି ଫୁଲର ଗଛ ।

 

ପ୍ରାୟ ଦିନେ ଦୁଇଦିନପରେ ସେ ଦେଖେ ସେଇ ସନ୍ନ୍ୟାସୀଟି କାନ୍ଧରେ ଝୁଲିଟିଏ ପକେଇ ବାହାରନ୍ତି । ଘର ଘର ବୁଲି ଭିକ୍ଷା କରନ୍ତି । ଅଳ୍ପ ସମୟ ପରେ ଫେରି ଆସନ୍ତି ପ୍ରାୟ ଦିନେ ଦୁଇଦିନର ଭୋଜନ ସାମଗ୍ରୀ ବ୍ୟବସ୍ଥା ପରେ । ସୌମ୍ୟାକୁ ଭାରି ଭଲ ଲାଗେ ସନ୍ନ୍ୟାସୀଙ୍କ ଝୁଲିରେ କିଛି ପକାଇବା ପାଇଁ । ଯେତେବେଳେ ତାଙ୍କ ଦୁଆରକୁ ଏଇ ସନ୍ନ୍ୟାସୀ ଆସନ୍ତି ତା’ର ଇଚ୍ଛା ହୁଏ ଟିକିଏ ବୈଠକଖାନାରେ ବସାଇବା ପାଇଁ । ଫ୍ରିଜ୍ ଖୋଲି ଭଲ ଜିନିଷ ଖାଇବାକୁ ଦେବା ପାଇଁ । ହେଲେ ନିମନ୍ତ୍ରଣର ପ୍ରତିବଦଳରେ ସେ ପାଏ ହସଟିଏ । କେତେମୁଠା ଚାଉଳ, ପରିବାଠାରୁ ଅଧିକା ତାଙ୍କର ଭିକ୍ଷା ନୁହେଁ ।

 

ଆମ୍ବ ଗଛ ମୂଳେ ଖୋଲାରେ ଲିପିପୋଛି ଜାଗାଟିଏ କରିଥାଆନ୍ତି ରୋଷେଇ ପାଇଁ । ଇଟା ତିନିଖଣ୍ଡ ଉପରେ ମାଟି ଝିଙ୍କାର ଚୁଲି । ବର୍ଷାବେଳ ପାଇଁ ଅଧା ଚାଳିଆଟିଏ । ସ୍କୁଲରୁ ଫେରନ୍ତା ପିଲାଙ୍କୁ ବେଳେ ବେଳେ ସନ୍ନ୍ୟାସୀ ଡାକନ୍ତି । ହାତ ରନ୍ଧା ଖେଚେଡ଼ି ଡାଲମା କଦମ୍ବ ପତ୍ର ଠୋଲାରେ ଦିଅନ୍ତି । ବହୁତ ବାସ୍ନା ତାର । କିଚିରିମିଚିରି ହେଇ ପିଲାମାନେ ଖାଆନ୍ତି । ବହୁତ ଡରରେ ସୌମ୍ୟା ଖାଏ । ଶୁଣିଲେ ବୋଉ ତାର ଗାଳିଦିଏ । ବାରଘର ଭିକ୍ଷା ଧନରେ ସେଠି ରୋଷେଇ । ବୋଉ ମନରେ ତାର ଥାଏ ପ୍ରାୟ ପରିପ୍ରକାଶ ପାଉ ନଥିବା କିଛି ଘୃଣା । ସେ ଅଞ୍ଚଳରେ ସୌମ୍ୟାର ବାପାଙ୍କର ଘର ଖୁବ୍ ବଡ଼ ଘର । ଅନେକ ଖାତିରି ।

 

ତା ବୋଉର ତାଗିଦ୍ ବିଷୟରେ ତା’ ଆଖିରୁ ସନ୍ନ୍ୟାସୀ ପ୍ରାୟ ଜାଣିପାରନ୍ତି । ଅନ୍ୟ ପିଲାଙ୍କ ସାଙ୍ଗରେ ସେଠିକି ଯିବାକୁ ଉତ୍ସାହିତ କରନ୍ତି ନାହିଁ । କିନ୍ତୁ ସେ ପାଗଳୀଙ୍କ ପରି ସେଠିକି ଯାଏ । ସ୍କୁଲ ବ୍ୟାଗକୁ ଥୋଇଦେଇ କଦମ୍ବ ପତ୍ରର ଠୋଲାକୁ ଧରି ଖେଚେଡ଼ି ମାଗେ । ମନଦେଇ ସନ୍ନ୍ୟାସୀଙ୍କ କଥା ଶୁଣେ । ପିଲାମାନଙ୍କୁ ସେ କାହାଣୀ କହନ୍ତି ।

 

କଥା ଶୁଣିଲା ବେଳେ ତାଙ୍କ ପାଖକୁ ଲାଗି ଲାଗି ବସିବାକୁ ଇଚ୍ଛା ହୁଏ ସୌମ୍ୟାର । ସେ ଇଚ୍ଛାଟା କୋଉଠୁ ଆସେ ସେ ଜାଣେନା । ଯେତେବେଳେ ସନ୍ନ୍ୟାସୀ ତାର ଛୋଟ ମଥାଟିର କେଶକୁ ସାଉଁଳି ଦିଅନ୍ତି ତାର ଆଖି ବୁଜି ହୋଇ ଆସେ । ସେ ହଜିଯାଏ କେଉଁ ଏକ ଅଜଣା ରାଇଜରେ ।

 

ବୋଉଠାରୁ ଶୁଣିଥିଲା ସନ୍ନ୍ୟାସୀ ବହୁତ ପାଠ ପଢ଼ିଛନ୍ତି । ପିଲାଛୁଆ ଅଛନ୍ତି । ଘରେ ଖୁବ୍ ସୁନ୍ଦରୀ ସ୍ତ୍ରୀ । ହେଲେ ଘର ଛାଡ଼ି ଚାଲିଆସିଛନ୍ତି । ଫେରେଇ ନେବାକୁ ପିଲାମାନେ ଅନେକ ଦିନ ଧରି ଆସୁଥିଲେ । ହେଲେ ଯୁବକଟି ନିଜ ଜିଦ୍‌ରେ ଥିଲା ଅଟଳ । ଘରକୁ ଫେରି ନଥିଲା । ସମୟ ମଣିଷକୁ ସାମର୍ଥ୍ୟ ଦିଏ । ଖବର ମିଳୁଥିଲା ତାଙ୍କ ସ୍ତ୍ରୀ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଚାକିରି କଲେ । ସଂସାର ସାଗରର ଡଙ୍ଗାରେ ନାଉରି ହେଲେ । ଧୀରେ ଧୀରେ ସେମାନେ ଭୁଲିଯାଇଥିବେ ସେଇ ଗୃହତ୍ୟାଗୀ ମଣିଷକୁ ।

 

ଠିକ ଏମିତି ଦିନେ ଭୁଲିବେ ଯଶୋଧାରା । କପିଳବାସ୍ତୁର ରାଜପଦ ମଣ୍ଡନ କରିବେ ରାହୁଳ । ସୌମ୍ୟା ଦିନକୁ ଦିନ ଆଶ୍ରମର ବିବର୍ତ୍ତନ ଦେଖୁଥିଲା । ଶୁଭ୍ର ବସ୍ତ୍ରରୁ ଗୈରିକ ବସନ ପରିଧାନ କଲେ ସନ୍ନ୍ୟାସୀ । ନାମ ରଖିଲେ ବିଶୁଦ୍ଧାନନ୍ଦ । ସ୍କୁଲ୍ ଛାଡ଼ି ପାଠ ପଢ଼ିବା ପାଇଁ ବାହାରକୁ ଆସିଲା ପରେ ଆଶ୍ରମ ସହ ସମ୍ପର୍କ ପ୍ରାୟ କମି ଆସିଥିଲା ତା’ର ।

 

ହେଲେ ପାଠ ପଢ଼ିବାକୁ ବାହାରକୁ ଆସିଲା ଆଗରୁ ସନ୍ନ୍ୟାସୀଙ୍କୁ ପଚାରିଥିବା ଗୋଟିଏ ପ୍ରଶ୍ନ ଆଉ ତାର ଉତ୍ତର ତା ମନରେ ସଜୀବ ଥିଲା । ଦିନେ ନିରୋଳାରେ ସନ୍ନ୍ୟାସୀଙ୍କ ପାଖକୁ ଯାଇ ସେ ପଚାରିଥିଲା– “ମୁଁ ଶୁଣିଲି, ଘରେ ଆପଣଙ୍କର ମୋ ପରି ଛୋଟ ଝିଅ ଅଛି, ଆଉ ସମସ୍ତେ ଅଛନ୍ତି । ହେଲେ ଆପଣଙ୍କର କ’ଣ ,କେବେ ଫେରିବାର ଇଚ୍ଛା ହୁଏନି ?”

 

ଉତ୍ତରରେ ଏକାନ୍ତ ଆବେଗରେ ତାଙ୍କୁ କୋଳେଇ ନେଇଥିଲେ ସନ୍ନ୍ୟାସୀ । ତାଙ୍କର ବାହୁ ଭିତରେ ହଜିଯିବାର ଅନୁଭୁତି ତା ପାଇଁ ଏବେ ମଧ୍ୟ ସଜଳ । “ଫେରିବାକୁ ଇଚ୍ଛା ବେଳେ ବେଳେ ପ୍ରବଳ ହୁଏ । ପୁଣି ମନରେ ଆସେ ଏ ମାୟା ବନ୍ଧନ ଅଳୀକ । ପରମାତ୍ମା ସହ ମିଳନରେ ନିର୍ବାଣ । ଭୋଗ ଆଉ ତ୍ୟାଗ ମଧ୍ୟରେ ସଂଘର୍ଷ ଅବିରତ ମୋ ମନରେ ଅଛି । ଯଦି ସମ୍ପୂର୍ଣ୍ଣ ତ୍ୟାଗର ବଶବର୍ତ୍ତୀ ହୋଇଥାଆନ୍ତି ତେବେ ମୁଁ ନିର୍ବାଣ ପାଇଯାଇଥାଆନ୍ତି । ଏଠି ବି ନଥାନ୍ତି-।’’ ସନ୍ନ୍ୟାସୀଙ୍କର ଏଇ ସ୍ପଷ୍ଟୋକ୍ତି ତାଙ୍କ ପ୍ରତି ତାର ଶ୍ରଦ୍ଧା ଆଉ ସମ୍ମାନକୁ ଅନେକ ବଢ଼େଇ ଦେଇଥିଲା-

 

ଆଶ୍ରମର ଶ୍ରୀ ରାଧାମୋହନଙ୍କ ଯୁଗଳ ମୂର୍ତ୍ତିକି ସେ ନିବିଡ଼ ଭାବରେ ଚାହେଁ । ମନେହୁଏ ସମଗ୍ର ପୃଥିବୀଟା ସେଇଠି ହଜି ଯାଇଛି । ଯେଉଁଠି ପାଇବାର ତୃଷ୍ଣା ଟିକିଏ ବି ନାହିଁ । କାମନା ବିହୀନ ପ୍ରେମ । ଅହେତୁକ ତାର ଚରିତ୍ର । ଯେଉଁଦିନ ଶ୍ରୀକୃଷ୍ଣଙ୍କର ଆରୋଗ୍ୟ ପାଇଁ ରାଧା ଚରଣଧୂଳି ଦେଲେ ସେ ଚିନ୍ତା କରିନଥିଲେ ଏଥିପାଇଁ ପାଦରେ ହୁଏତ କୁଷ୍ଠ ହୋଇଯାଇପାରେ । ପାଟମହିଷୀ ସତ୍ୟଭାମା ପାଟଶାଢ଼ି ଆଉ ସାଦାକନା ମଧ୍ୟରେ ଫରକ୍ ଦେଖିପାରିଥିଲେ; କିନ୍ତୁ ଶ୍ରୀରାଧା ନୁହଁନ୍ତି । ଆଶ୍ରମରେ ଥିଲା ଶ୍ରୀରାଧା ଆଉ ଶ୍ରୀକୃଷ୍ଣଙ୍କର ଏକିଅଂଗର ମୂର୍ତ୍ତି । ପ୍ରକୃତି, ପୁରୁଷ ବିଲୀନ ହୋଇ ଯାଇଛନ୍ତି ଅନନ୍ତ ସାଥିରେ ।

 

ତାପରେ ସୌମ୍ୟ ଚାଲିଆସିଥିଲା ପାଠ ପଢ଼ିବାକୁ ବାହାରକୁ । ଅଳ୍ପ ସମୟ ପାଇଁ ଛୁଟିରେ ଘରକୁ ଗଲେ ସେ ଆଶ୍ରମିକୁ ମଧ୍ୟ, ଯାଏ କିନ୍ତୁ ଚେଷ୍ଟା କଲେ ବି ସନ୍ନ୍ୟାସୀଙ୍କର ଦେଖା ହୁଏନାହିଁ । ଆଜି ପ୍ରବଚନ ପାଇଁତ କାଲି କେଉଁ ବଡ଼ କାରଖାନାର ଭୂମିପୂଜା ପାଇଁ ସନ୍ନ୍ୟାସୀ ବାହାରକୁ ଚାଲିଯାଇଛନ୍ତି । ଝରକା ଫାଙ୍କରେ ଭିକ୍ଷା ପାଇଁ ଖାଲି ପାଦରେ ଚାଲି ଚାଲି ଯାଉଥିବା ସନ୍ନ୍ୟାସୀ ଅତୀତ ହୋଇଯାଇଥିଲେ । ବଦଳରେ ଥିଲା ଆଶ୍ରମ ହତାରେ ମାଳମାଳ ଗାଡ଼ି । ଝାଟିମାଟିର କାନ୍ଥ ଘେରା କୁଡ଼ିଆ ଜାଗାରେ ସୁନ୍ଦର ଇମାରତ ।

 

ଆକସ୍ମିକ ଭାବରେ ସେଦିନ ସୌମ୍ୟାର ଦେଖାହେଲା ସ୍ୱାମୀଜୀଙ୍କ ସହିତ । ଶେଷ ଡିସେମ୍ବର ଛୁଟିରେ ଆସିଥିଲା ଘରକୁ । ଆଶ୍ରମ ହତାରେ ଦିନବ୍ୟାପୀ ପ୍ରବଚନ ଦେଉଥଲେ ଭକ୍ତମାନଙ୍କୁ । ସୌମ୍ୟା ଯାଇ ବସିଥିଲା ସେମାନଙ୍କ ଭିତରେ । ବିଗତ ବର୍ଷ ଭିତରେ ସ୍ଵାମୀ ବିଶୁଦ୍ଧାନନ୍ଦଙ୍କ ଗୋଟିଏ ମୁହୂର୍ତ୍ତର ଆବେଗପୂର୍ଣ୍ଣ ଆଲିଙ୍ଗନ ତା ପାଇଁ ସଦାସର୍ବଦା ସତେଜ ଥିଲା । ସେଦିନ ଅବଶ୍ୟ ଆଜିର ସ୍ଵାମୀ ବିଶୁଦ୍ଧାନନ୍ଦ ଏଇ ନାଁରେ ପରିଚିତ ନଥିଲେ । ଆମ୍ବ ତୋଟାର ସନ୍ୟାସୀ ବୋଲି ଲୋକେ ଜାଣିଥିଲେ ।

 

ଭକ୍ତ ମେଳରେ ବସିଥିଲା ବେଳେ ସୌମ୍ୟାକୁ ଲାଗିଥିଲା ବିଶୁଦ୍ଧାନନ୍ଦ ଯେମିତି ଆଉ ଜଣେ । ପାଟବସ୍ତ୍ର ପରିହିତ ଏଇ ସନ୍ନ୍ୟାସୀଙ୍କ ପାଦତଳେ ପ୍ରଣାମି ବାବଦରେ ଅର୍ଥ ଅଜାଡ଼ି ହେଇ ପଡ଼ୁଥାଏ । ଡିସେମ୍ବରର ଏଇ ପରିବେଶରେ ଟିକିଏ ବି ଉତ୍ତାପ ନଥିଲେ ବି ଫୁଲର ଝାଡ଼ୁମାନ ଧରି ମହିଳା ଭକ୍ତମାନେ ସନ୍ନ୍ୟାସୀଙ୍କୁ ଝାଡ଼ୁଥାଆନ୍ତି । ମଝିରେ ମଝିରେ ଚନ୍ଦନ ଅଗୁର ସ୍ପ୍ରେ କରାଯାଉଥାଏ ।

 

ସନ୍ଧ୍ୟାର କୀର୍ତ୍ତନର ଦୃଶ୍ୟ ଥିଲା ଅତ୍ୟନ୍ତ ମନୋରମ । କୃଷ୍ଣ ଭାବଗତ ହୋଇ ସନ୍ନ୍ୟାସୀ ନୃତ୍ୟ କରୁଥିଲେ । ମଝିରେ ମଝିରେ ମହିଳାମାନଙ୍କ ସହ ଯୁଗଳନୃତ୍ୟ ଭଙ୍ଗୀରେ ନୃତ୍ୟ ଚାଳିଲା ବେଳେ ମୃଦଂଗରେ ବାଦ୍ୟର ଗତି ତୀବ୍ର ହେବା ସଂଗେ ସଂଗେ, “ରାଧେ, ରାଧେ” ଶବ୍ଦରେ ଅଞ୍ଚଳ ଫାଟି ପଡ଼ୁଥାଏ । ଭକ୍ତମାନଙ୍କର ତାଳ ରକ୍ଷା କରି ତାଳ ସହ ଗିନିରେ ସୁନ୍ଦର ଶବ୍ଦ । ସ୍ତିମିତ ଆଲୋକସଜ୍ଜା ମଧ୍ୟରେ ସାତରଂଗର ସ୍ଵଚ୍ଛ ଚକ୍ରଟିଏ ଘୂରି ଆଲୋକକୁ ଖେଳେଇ ଖେଳେଇ ବିଂଚୁଥାଏ । ସୁବାସିତ ଝୁଣା ଗୋକୁଳ ସବୁ ଧୂମକୁଣ୍ଡଳୀ ଆକାରରେ ଛଡ଼ାଯାଇ ପରିବେଶକୁ ଆହୁରି ମନୋରମ କରାଯାଉଥାଏ । ମାଳମାଳ ପୁରୁଷ ନାରୀ ରାଧା କୃଷ୍ଣ ଭଂଗୀରେ ତନ୍ମୟ ଥାଆନ୍ତି । ସୌମ୍ୟା ଟିକିଏ ପଛକୁ ଘୁଂଚି ଆସିଲା । ତାର ମନେହେଲା ତା ଭିତରେ ଏତେଦିନ ଧରି ସାଇତି ରଖିଥିବା ସେଇ ଆଲିଙ୍ଗନର ସ୍ମୃତିଟିକି କିଏ ଖୁମ୍ପି, ବିଦାରି ରକ୍ତାକ୍ତ କରିଦେଇଛି ।

 

ସାନ୍ଧ୍ୟ କୀର୍ତ୍ତନ ପରେ ସୌମ୍ୟା ଯାଇଥିଲା ବିଶୁଦ୍ଧାନନ୍ଦଙ୍କୁ ଦେଖା କରିବାକୁ । ଆଖିରେ ପ୍ରଶ୍ନିଳ ଚାହାଣି । ତାକୁ ଆଶ୍ଚର୍ଯ୍ୟରେ ଚାହିଁଲେ ସ୍ଵାମୀଜୀ । କେତେବେଳେ ଆସିଲ ? ଛୋଟିଆ ପ୍ରଶ୍ନଟିଏ କରିଥଲେ ସ୍ଵାମୀଜୀ । ଅଲରା ବାଳକୁ ସାଉଁଳି ଟିକିଏ ଭାରି ନିଃଶ୍ୱାସ ଛାଡ଼ିଦେଇଥିଲା ସୌମ୍ୟ ।

 

“ସକାଳୁ ଏଇଠି ଅଛି– ଦେଖା କରିପାରୁ ନଥିଲି, ଭିଡ଼ ଥିଲା । କିଛି କଥା ହେବି ?

 

ଯାନ୍ତ୍ରିକ ଢଙ୍ଗରେ ତା ହାତରେ ତୁଳସୀପତ୍ରଟିଏ ଦେଇ କହିଥିଲେ– “ସକାଳେ କାଲି ଆସ ।" ଆଖିରେ ଅପରାଧବୋଧ ।

 

ହେଲେ ତା ପରଦିନ ସକାଳେ ଆଶ୍ରମରେ ପହଞ୍ଚି ସେ ଶୁଣିଥିଲା ସେଇ ଆଶ୍ଚର୍ଯ୍ୟଜନକ ଘଟଣାଟି । ବିଶୁଦ୍ଧାନନ୍ଦ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । ପୁଲିସ୍‌ରେ ଏତଲା ବି ଦିଆଗଲା । ଅନେକ ଖୋଜାଖୋଜି ହେଲା ଏକ ଅପହରଣ ମୋକଦ୍ଦମା କରି । କାଳେ କିଏ ତାଙ୍କୁ ହତ୍ୟା କରିଥିବ, ଆଶ୍ରମର ସମ୍ପତ୍ତି ପାଇଁ । କିଏ କେତେ ରୋଚକ କାହାଣୀ ପ୍ରସ୍ତୁତ କଲେ । କିନ୍ତୁ ସବୁପରେ ଗୋଟିଏ ଘଟଣା ସତ ହେଲା-ସ୍ଵାମୀ ବିଶୁଦ୍ଧାନନ୍ଦ ଆଶ୍ରମ ଛାଡ଼ି ଚାଲି ଯାଇଛନ୍ତି । କେବଳ ନେବା ଭିତରେ ନେଇଯାଇଛନ୍ତି ରାଧାମୋହନଙ୍କର ଯୁଗଳ ମୂର୍ତ୍ତିଟିକି । ଛାଡ଼ିଯାଇଛନ୍ତି ଲକରର ଚାବି, ବ୍ୟାଙ୍କ ପାସ୍‌ବୁକ୍, ପାସପୋର୍ଟ ଆଉ ସବୁକିଛି ।

 

ମାସେ ଗଲା, ବର୍ଷ ଗଲା, ଅନେକ ବର୍ଷ ଗଲା, ହେଲେ ବିଶୁଦ୍ଧାନନ୍ଦ ଆଉ ଫେରିଲେନି-। କେହି ବି ଦେଇ ପାରିଲେନି ତାଙ୍କର ଖବର । ଭାରତର ଯେତେ ମଠ, ମନ୍ଦିର, ଧର୍ମାନୁଷ୍ଠାନ ସବୁଠି ଖୋଜାଗଲା । କିଏ କିଏ କହିଲେ ସେ ସ୍ୱଦେହରେ ଭଗବାନଙ୍କ ସହ ଲୀନ ହେଲେ-। ତା ପରେ ସେଇ କାହାଣୀ ଉପରେ ଉତ୍ତରାଧିକାରୀ ଆଶ୍ରମବାସୀମାନେ ସ୍ଵାମୀଜୀଙ୍କ ଫଟୋଛପା ବହି ଛାପିଲେ ।

 

କେହିକେହି ଚାପା ଭାବରେ କହିଲେ, ଅମାପ ସମ୍ପତ୍ତିର ଅଧିକାରିଣୀ ଏକ ବଙ୍ଗୀୟ ଲଳନାର ପ୍ରେମରେ ସେ ଆଶ୍ରମ ଛାଡ଼ିଲେ ।

 

ଇତିମଧ୍ୟରେ ତା’ର ଚାକିରି ପାଇ ପୋଷ୍ଟିଂ ହେଲା ବନଖଣ୍ଡ ଅଧିକାରୀ ଭାବେ ଫୁଲବାଣୀ ଅଞ୍ଚଳକୁ । ସେଦିନ ସେ ରାତି କଟଉଥିଲା ଲାବଣ୍ୟଗଡ଼ ଜଙ୍ଗଲ ବଂଗଳାରେ । ସାଥିରେ ଛୋଟ ଝିଅ- ଦଶ ଏଗାର ବର୍ଷର । ଅଳ୍ପ ଡେରିରେ ନିଦରୁ ଉଠି ବଙ୍ଗଳା ବାରଣ୍ଡାରେ ଚୌକିରେ ବସି ଚା’ ପିଇଲା ବେଳେ ଦେଖିଲା, ସ୍ଥାନୀୟ ପିଲାଙ୍କ ସାଙ୍ଗରେ ତା' ଝିଅଟା ବି ହାତରେ କ’ଣ ପତ୍ରର ଠୋଲାଟିଏ ଧରି ଡେଇଁ ଡେଇଁ ଭିତରକୁ ଆସୁଛି । ମନରେ ଟିକିଏ ବିରକ୍ତି ଆସିଲା ତାର ।

 

“ମା ଦେଖ, ଖେଚେଡ଼ି ଡାଲମା, ଆଃ କି ବଢ଼ିଆ” ।

 

ରାଗରେ କିଛି କହିବା ଆଗରୁ ସେ ଖେଚେଡ଼ି ଆଉ ଡାଲମାର ବାସନା ତାକୁ କେମିତି ଶୀତଳ କରିଦେଲା ।

 

ଡରରେ ଚୌକିଦାର କହିଲା, “ମା’ ମୁଁ ଜାଣିନି ଦେଈ କେତେବେଳେ ଆଶ୍ରମକୁ ପଳେଇ ଗଲେଣି । ପୁଷମାସ ତ ପହିଲିଭୋଗ ହେଉଥିଲା ।” ଚୌକିଦାରର ସଫେଇ ଶୁଣିବାକୁ ଧୈର୍ଯ୍ୟ ନଥିଲା ତାର । ପରିଚିତ ଲାଗୁଥିଲା ସେଇ ବାସ୍ନା । ଚା’ କପ୍ ଥୋଇଦେଇ କହିଲେ- “ମତେ ଟିକିଏ ଦବୁନା ?

 

ଚୌକିଦାର କହୁଥିଲା, ଆଗ ଖୋଲରେ ଏକବସ୍ତ୍ରୀ ହୋଇ ବାବାଜୀ ଜଣେ ଆସି ଅଛନ୍ତି-। ପାଖାପାଖି ଦଶ ପନ୍ଦରବର୍ଷ ହେବ । ଆମର ସିଏ ବାପା ମାଆ । ହାତ ବାଜିଲେ ଦିହ ଭଲ ହେଇଯିବ । ବଡ଼ ଘର ପୁଅ ପ୍ରାୟ । କିଛି କହନ୍ତିନି । କୋଉଠି ଘର, କାହିଁକି ଆସିଲେ-। ଏ ବଂଗଳାକୁ କେତେ ବଡ଼ ବଡ଼ ଲୋକ ଆସନ୍ତି; ହେଲେ ସିଏ କିଛି ମାଗନ୍ତିନି । କାଲିପାଇଁକି ତ ସେ କିଛି ରଖନ୍ତିନି । ନେବେ କାହିଁକି ? ମା’ କି ସୁନ୍ଦର ମୂର୍ତ୍ତି । ଆଖି ଗୁଡ଼ିକ ଯେମିତି ଡେଉଁଛନ୍ତି । ଗୋଟିଏ ପଥରରେ ରାଧାକୃଷ୍ଣ ମୂର୍ତ୍ତି । କେତେ ଜଙ୍ଗଲ କଣ୍ଟ୍ରାକ୍ଟର, ଅଫିସର ଘର ତୋଳେଇ ଦେବେ, ମନ୍ଦିର କରେଇ ଦେବେ ବୋଲି ନେହୁରା ହୁଅନ୍ତି । ହେଲେ କିଛି କହନ୍ତିନି ହସି ଦିଅନ୍ତି । ସେଇ ଚାଳଘର, ଗଛମୂଳ ତାଙ୍କର ସବୁ ।

 

ଚୌକିଦାରକୁ ଆଉ ପଚାରିବାକୁ ପଡ଼ିଲା ନାହିଁ ସୌମ୍ୟାଙ୍କୁ । ଖେଚେଡ଼ିର ବାସ୍ନା ବାରି ବାରି ସେ ପହଞ୍ଚିଲା ଆଶ୍ରମରେ । ସେଇ ଆଶ୍ରମ । ଚୂତବୃକ୍ଷ । ସେଇ ହଜିଯାଇଥିବା ପରିବେଶ । ସେଇ ଆମ୍ବତୋଟାର ସନ୍ନ୍ୟାସୀ । ସୌମ୍ୟା ମୁହୂର୍ତ୍ତକ ପାଇଁ ହେଇଗଲା ସେଇ ସ୍କୁଲ୍ ଫେରନ୍ତା ଅନୁସନ୍ଧିତ୍ସୁ ବାଳିକା । ଅଜାଣତରେ ସେ ମୁଣ୍ଡ ରଖିଥିଲା ସନ୍ନ୍ୟାସୀଙ୍କ ଛାତିରେ । ସମାନ ଆବେଗରେ କୋଳେଇ ନେଇଥିଲେ ସନ୍ନ୍ୟାସୀ । ସେଇ ଅମୃତ ଅନୁଭୂତି । ଯାହା ଅଳୀକ ତାହା ଚାଲିଯାଇଛି, ଯାହା ଶାଶ୍ୱତ ତାହା ଅଛି ।

 

ସୌମ୍ୟାର ମନେ ହେଉଥିଲା ଅଶ୍ୱାରୋହୀ ଛନ୍ଦକ ଫେରିଯାଉଛନ୍ତି । ଆଗରେ ଗୌତମ ନିର୍ବାଣ ପଥର ଯାତ୍ରୀ । ପଚାରିବାକୁ ଥିବା ପ୍ରଶ୍ନର ଉତ୍ତର ପାଇଯାଉଥଲା ସୌମ୍ୟା ।

☆☆☆

 

ଶାପଗ୍ରସ୍ତା ଭୁବନେଶ୍ଵରୀ

 

ଦୀର୍ଘଦିନ ହେଲା ଚାକିରି କଲାଣି ସୁନୟନା ଏଇ ମାଳ ଅଞ୍ଚଳରେ । ବହୁତଥର ଏଇ ବାଦ୍ୟ, ହସର କଳରୋଳ ଆଉ ମନଫୁଲାଣିଆ ଗୀତ ସେ ଶୁଣିଛି । କେତେବେଳେ ଜହ୍ନରାତିରେ ତ ପୁଣି କେତେବେଳେ ଅନ୍ଧାର ରାତିରେ । ପୁଅ, ଝିଅ, ସମସ୍ତେ ମିଳିମିଶି ନାଚନ୍ତି । ଗୀତ ଗାଆନ୍ତି-। ବଣ ଭୂଇଁକି ଖୁସିରେ ଫଟାନ୍ତି । କିନ୍ତୁ, ସବୁବେଳେ ବାଜା, ଗୀତନାଚର ଶବ୍ଦ ଶୁଣିଲେ ସେ ଝରକା ବନ୍ଦ କରିଦିଏ । ଆଦିବାସୀଙ୍କ ଜୀବନ ସହ ଏକାତ୍ମ ହୋଇପାରିଥିବା ଏଇ ଡାକ୍ତରାଣୀଙ୍କର କେମିତି କେଜାଣି ଏ ନାଚଗୀତ ପ୍ରତି ଘୃଣା । ପୁରୁଷ ଓ ନାରୀ ଦଳ ଦଳ ହାତ ଧରାଧରି ହୋଇ ନାଚୁଥିବେ ଜହ୍ନ ଆଲୁଅ ତଳେ ପୁଣି ଅନ୍ଧାର ରାତିରେ ମଶାଲ ଆଲୁଅରେ ।

 

ସେଦିନ କିନ୍ତୁ ଗହନ ରାତିରେ ଯେତେବେଳେ ଧୁଡ଼ୁକି ବାକି ସମସ୍ତଙ୍କୁ ଏକାଠି ହବାର ସୂଚନା ଦେଲା, ସୁନୟନାକୁ କାଇଁ କଥାଟା ନୂଆ ନୂଆ ଶୁଭିଲା । ବିଛଣାରୁ ଉଠି ବସିଲା ସେ । ବେଳକୁ ବେଳ ବାଜାର ଶବ୍ଦ ବଢ଼ୁଛି । ଦାଣ୍ଡରେ ଖିଲି ଖିଲି ହସ ଆଉ ବେପରୱା ଚାଲି ଶୁଭୁଛି । ଝିଅ ପୁଅଗୁଡ଼ାକ ଦଉଡ଼ା ଦଉଡ଼ି ହୋଇ ଯାଉଛନ୍ତି । ବାଦକ ବେଳେ ବେଳେ ବାଜାର ତାଳ ଛିଣ୍ଡେଇ ପୁଣି ବାଜା ଆରମ୍ଭ କରୁଛି ।

 

କୋଠାଘର ଆଗଟା ଲିପାପୋଛା ହେଇଛି । ଚାରି ପାଖରେ ବୁଦିବୁଦିକିଆ ଜଂଗଲ । ସେଇଠି ନାଚ ଚାଲିବ । ରାତି ପାହିଯିବ । ଶରୀର ବିଜ୍ଞାନରେ ଗଭୀର ଜ୍ଞାନ ଥିବା ସୁନୟନାକୁ କିନ୍ତୁ ଏଇ ନାଚଗୀତର ଆସର ଭଲ ଲାଗେନା । ସେ ଭାବେ, ସାଧାରଣ ଭାବେ ପୁରୁଷ ଆଉ ନାରୀ ମିଶିବା ପାଇଁ ଗୋଟିଏ ଲକ୍ଷ୍ମଣରେଖା ଅଛି ।

 

ଅନେକ ଦିନ କଟିଗଲାଣି ସୁନୟନାର ଏଇ ମାଳ ଅଞ୍ଚଳରେ । ଭୁବନେଶ୍ୱରରୁ ରାତିକର ବାଟ, ତା’ର କର୍ମକ୍ଷେତ୍ର ପୁଣି ସବୁବେଳେ ସଦର ମହକୁମାଠାରୁ ଦୂରରେ । ଯେଉଁ ପିଏଚ୍‌ସିକି କାହାର ପୋଷ୍ଟିଂ ହୁଏନା ବା ପୋଷ୍ଟିଂ ହେଲେ ବି କେହି ଯାଆନ୍ତିନି, ସେଇଠିକି ତା’ର ପୋଷ୍ଟିଂ ହୁଏ । ତା’ର ଏଇ ସହନଶୀଳତା ଦେଖି ବେଳେ ବେଳେ ଅବସର ପାଇଁ ଅପେକ୍ଷା କରିଥିବା ସିଡିଏମ୍ଓ ବା ସେହି ଅଫିସର ବଡ଼ବାବୁ ତାକୁ ବୁଝାନ୍ତି । ମାଡ଼ାମ୍, ପୋଷ୍ଟିଂ କରିବା ପାଇଁ ଆମେ ଆପଣଙ୍କୁ ପୋଷ୍ଟିଂ କରିଛୁ । ମାସସାରା ସେଠି କମ୍ପାଉଣ୍ଡର ଚଳେଇ ଦେବେ । ଥରେ ଖାଲି ଆପଣ ଯିବେ । ରେଜିଷ୍ଟରରେ ଦସ୍ତଖତ କରିଦେବେ । ଏଇ ସହରରେ ଥାଆନ୍ତୁ । ପୁଣି ନଜିର ଦିଅନ୍ତି ଅନ୍ୟାନ୍ୟ ବିଭାଗର । ପ୍ରାୟ କେହି ଯାଆନ୍ତିନି । ସବୁ ବିଭାଗରେ ଏମିତି ଚଳେ ।

 

ମତାମତ ଦିଏନି ସୁନୟନା, ଖାଲି ହସିଦିଏ । ତା'ପରେ ସମସ୍ତେ ଦେଖନ୍ତି ସବୁ ଜିନିଷ ଗୋଟିଆପୋଟିଆ କରି ସୁନୟନା ଚାଲିଯାଇଛି । ବଦଳିକି ସେ କେବେ ବିରୋଧ କରିନାହିଁ । ତେଣୁ ତା’ର ବଦଳି ହୁଏ ଦୁର୍ଗମରୁ ଦୁର୍ଗମତର ଜାଗାକୁ । ସବୁଥର କିନ୍ତୁ ସେ ଚାଲିଗଲା ପରେ ଅନେକ କିଛି ଛାଡ଼ିଯାଏ । ତା’ ହଉଛି ଗୁଡ଼ିଏ କରୁଣ ଆଖି । ଯେଉଁ ଆଖି କଥା କହେ । ହେଲେ ସେ କଥା କୋଉଠି କି ଶୁଭେନା । ତା କେବଳ ଅନ୍ତରରେ ଅନୁଭବ କରିହୁଏ । ନୂଆ ଜାଗାରେ ପହଁଚି ଜରାଜୀର୍ଣ୍ଣ ସରକାରୀ କ୍ୱାର୍ଟରକୁ ସଜାଡ଼େ । ଚୌକାଠ କବାଟ ଭାଙ୍ଗିଯାଇଥିଲେ ମରାମତି କରେ । ଛାତ ଲିକ୍ କରିଥିଲେ ତା ଉପରେ ଗ୍ରେଡ଼ିଂ ପ୍ଲାଷ୍ଟର କରେ । ସେଇ ପୁରୁଣା ମନଟିକି ନେଇ ନୂଆ ସଂସାର ପାତେ । ବାଡ଼ି ବଗିଚାରେ ଗଛ ଲଗାଏ । ଧୂସର ଭୂଇଁକି କେତେ ରଂଗରେ ସଜାଏ-। ତା' ପରେ ଚିରାଚରିତ ଭାବରେ ତା’ ଘରପାଖକୁ ମଣିଷମାନେ ଗଡ଼ିଆସନ୍ତି-। ଜାକିଜୁକି ହେଇ ମୁହଁ ଲୁଚେଇ ରହିଥିବା ମଣିଷଗୁଡ଼ାକ ତା ପାଖରେ କି ବାସ୍ନା ପାଆନ୍ତି କେଜାଣି ଦଉଡ଼ି ଆସନ୍ତି ।

 

କ୍ବର୍ଟର କବାଟ ଖୋଲି ବାଦ୍ୟ ନାଚର ଝଂକାରକୁ ଶୁଣୁଥିଲା ସୁନୟନା । ସୁରଂଜନ ଶୋଇଯାଇଚନ୍ତି । ସୁରଂଜନ ସାଥିରେ ତା’ର ପ୍ରଥମ ଦେଖା ଭବାନୀପାଟଣାଗାମୀ ବସ୍‌ରେ । ଯୋଉଦିନ ସେ କଇଁ କଇଁ ହୋଇ କାନ୍ଦି ଚାକିରିରେ ପ୍ରଥମ କରି ଯୋଗଦେବାକୁ ଭୁବନେଶ୍ୱର ଛାଡ଼ିଥିଲା, ଠିକ୍ ସେଇଦିନ ଗଂଭୀର ମୁହଁଟିଏ କରି ସେଇ ବସ୍ ରେ ସୁରଂଜନ ବି ବସିଥିଲା । ଆସୁଥଲା ଅଧ୍ୟାପକ ଚାକିରିରେ ଯୋଗଦେବା ପାଇଁ ।

 

ବସ୍ ପାଖକୁ ଛାଡ଼ିବାକୁ ଆସିଥିବା ସୁନୟନାର ବାପା ବୁଝେଇ ଦେଇଥିଲେ ଦୁର୍ଗମ ଅଂଚଳରେ କିଛିଦିନ କାମ କଲେ ନିଜ ଚାହିଁବା ଜାଗାକୁ ବଦଳି ହବାର ନିୟମ ଅଛି । ସେ ପ୍ରଥମ ଅବସ୍ଥାରେ କିଛିଦିନ ଦୁର୍ଗମ ଅଞ୍ଚଳରେ କାମ କରୁ କରୁ ଆପେ ଆପେ ତା’ର ସୁବିଧା ଜାଗାକୁ ବଦଳି ହୋଇଯିବ । ହେଲେ ସିନ୍ଦୂରା ଫାଟିଲା ବେଳକୁ ସେ ଯେଉଁ ଅଞ୍ଚଳରେ ପହଁଚିଥିଲା, ସେ ଜାଗା ଛାଡ଼ି ସେ ଯେ ଆଉ ଆସିପାରିବ ନାହିଁ ସେ କଥା କେବେ ଭାବିପାରି ନଥିଲା ସୁନୟନା ।

 

ପ୍ରଥମେ ପ୍ରଥମେ ସେ ଆଲ୍‌ବମ୍‌ ପୃଷ୍ଠା ଓଲଟେଇ ଲୁହ ଗଡ଼ଉଥିଲା । ବାପା, ବୋଉ, ସାନସାନ ଭାଇ ଭଉଣୀଙ୍କ କଥା ମନେ ପକେଇ ଦୀର୍ଘଶ୍ୱାସ ଛାଡ଼ୁଥିଲା । ବନ୍ଦିନୀ ପରି ଅନୁଭବ କରି ହଠାତ୍ କବାଟ ଖୋଲି ଦେଇ ଖୋଲା ଆକାଶକୁ ଚାହୁଁଥିଲା ।

 

ସବୁଦିନ ଅପରାହ୍‌ଣରେ ସେ ଯାଉଥିଲା ବସ୍‌ଷ୍ଟାଣ୍ଡ । ଚାରିଟା ବାଜିଲେ ବସ୍‌ଷ୍ଟାଣ୍ଡ ପାଖ ପତ୍ରିକା ଷ୍ଟଲ୍‌ରେ ପତ୍ରିକା ଓଲଟେଇବା ଆଉ ଶେଷକୁ ସେଥିରୁ ଖଣ୍ଡେ ଦି’ଖଣ୍ଡ କିଣି ଫେରିବା ଥିଲା ତା’ର ଦୈନନ୍ଦିନ ଚଳଣିର ଏକ ଅଂଶ । ଅନେକ ଦିନ ଧରି ସୁନୟନା ବି ଦେଖେ ଏକଦା ତା’ ସାଥରେ ଏକା ବସ୍‌ରେ ଆସିଥିବା ଯୁବକଟି ବି ସେଇ ପତ୍ରିକା ଦୋକାନରେ ଠିଆ ହୋଇ ବହି ଓଲଟଉଛି । ତା’ର ଲାଜ ଲାଜ ଚାହାଣି ଦେଖି ସୁନୟନା ଭାବେ କବିଟିଏ ହୋଇଥିବ ପ୍ରାୟ ।

 

ସୁନୟନା କିନ୍ତୁ ସତରେ ପତ୍ରିକା କିଣିବାକୁ କି ଦେଖିବାକୁ ଯାଏନି । ବସ୍‌ଷ୍ଟାଣ୍ଡ ଯାଏ କେବଳ କଟକ-ଭୁବନେଶ୍ୱରଗାମୀ ବସ୍ ଦେଖିବା ପାଇଁ । ତା’ ପ୍ରିୟ ପରିବାର ଆଉ ତା’ ମଧ୍ୟରେ ଥିବା ଏଇ ଚଳନ୍ତି ସେତୁଟିକୁ ସେ ଦେଖେ । ପାହାନ୍ତିଆରେ ସେଇ ବସ୍ ପହଁଚିବାର ହର୍ଣ୍ଣକୁ ସେ ଶୁଣେ ।

 

ଏମିତି ବସ୍‌ଷ୍ଟାଣ୍ଡକୁ ଏକାଠି ଯାଉ ଯାଉ ସେମାନେ ପରସ୍ପର ଅନୁଭବ କଲେ ଏବେ କେବଳ ପରସ୍ପରକୁ ଦେଖିବାକୁ ଯାଉଛନ୍ତି । ଲାଜ ଲାଜ ଚାରିଆଖି ମିଶିଗଲେ ତଳକୁ ଚାହୁଁଛନ୍ତି । ତା’ ପରେ ସୁରଂଜନ ଆଉ ସୁନୟନା ଆକାଶଠୁଁ ଲୁଚି ଗୋଟିଏ ଛାତ ତଳେ ରହିବାର ଶପଥ ନେଲେ । ଘର ବାନ୍ଧିଲେ ।

 

ତା ପରଠୁଁ ଏଇ ଅଧ୍ୟାପକ ଡାକ୍ତର ଦମ୍ପତିଟି ପ୍ରତିବର୍ଷ ନିଜ ନିଜ ବିଭାଗକୁ ଟାଇପ୍ କରା ଦରଖାସ୍ତ ଖଣ୍ଡିଏ ଖଣ୍ଡିଏ ପଠାନ୍ତି । କିନ୍ତୁ ସେମାନଙ୍କର ବଦଳି ହୁଏନା କିମ୍ବା ସେମାନେ କେବେ ବଦଳି ପାଇଁ କାହା ଦୁଅରେ ଭିଡ଼ ଜମାନ୍ତି ନାହିଁ । ଯଦିବା କେବେ ଭୁବନେଶ୍ୱର ଯାଆନ୍ତି ସେ ଫାଇଲ୍‍ନଗରୀ ଭିତରକୁ ପହଁଚିବାର ଚେଷ୍ଟା କେବେ କରନ୍ତି ନାହିଁ ।

 

ଆଦିବାସୀ ଜୀବନ ଉପରେ ଗଭୀର ଭାବେ ଅଧ୍ୟୟନ ଆଉ ଗବେଷଣା କରିଛନ୍ତି ସୁରଂଜନ ଆଉ ସୁନୟନା । ନାରୀମାନଙ୍କ ମଧ୍ୟରେ ନିଶା ବିରୋଧରେ ଖୁବ୍‍ ସୁନ୍ଦର ସଚେତନତା ସୃଷ୍ଟି କରିପାରିଛନ୍ତି ଏମାନେ । ଏଇ ଅର୍ଦ୍ଧଉଲଗ୍ନ ନାରୀମାନଙ୍କୁ ଲୁଗା ପିନ୍ଧିବା ଶିଖାଏ ସୁନୟନା । ତଥାପି ଏଇ ପ୍ରକୃତି କୁମାରୀମାନେ ଦେହରୁ ଅନେକ ଅଂଶ ଅନାବୃତ ରଖନ୍ତି ।

Unknown

 

ଆଜି ଏକ ବିଚିତ୍ର ଅନୁଭବ ଆସୁଥିଲା ସୁନୟନାର ମନଙ୍କୁ । ବାଜା ଗୀତର, ଗତି ବଢ଼ିଲାଣି । ଜହ୍ନ ଆଲୁଅର ଛାଇ ଭିତରେ ସୁନୟନା ପହଁଚିଲା କୋଠଘର ପାଖରେ । ପୁରୁଷ-ନାରୀ ବା କୁମାର-କୁମାରୀ ନୁହଁନ୍ତି ମଣିଷମାନେ ଆନନ୍ଦ ବିଭୋର ହୋଇ ନାଚୁଛନ୍ତି । ହସର ଅବିରଗୁଡ଼ାକ ବିଂଚି ହୋଇଯାଉଛି । କାହାର କୋଉଠି ଶରୀର ଆଂଶିକ ଅନାବୃତ, କାହାର ଭଙ୍ଗୀଟା ଦୃଷ୍ଟି ଆକର୍ଷଣକାରୀ । କିନ୍ତୁ ସୁନୟନାକୁ ଅଶ୍ଳୀଳ ଲାଗୁନଥିଲା ମୋଟେ । ସମସ୍ତଙ୍କର ଦୃଷ୍ଟି ଲାଗୁଥିଲା ଆକାଶଠାରୁ ସ୍ୱଚ୍ଛ । ସମସ୍ତଙ୍କର ଦୃଷ୍ଟି ସୁନୟନା ଉପରେ ପଡ଼ିଲା ପରେ ଗୀତନାଚ ସୁରର ବେଗ ବଢ଼ିଗଲା । ସତେ ଯେମିତି ଅମୃତ କୁମାରୀ ଓହ୍ଲେଇ ଆସିଲେ । ଆଶୁଗୀତ ତାକୁ ନେଇ ପ୍ରାୟ ଛନ୍ଦା ହୋଇଗଲା । କୁମାର-କୁମାରୀଏ ଗାଇଲେ ଦେବଦୂତ ଆସିଛନ୍ତି । ବନଭୂଇଁ ଶୀତଳ ଲାଗୁଛି ।

 

ସୁନୟନା କିନ୍ତୁ ଭୁଲି ପାରିନଥିଲା ସେଇ କାଳରାତ୍ରିକି । ସୁନୟନାକୁ ସେଦିନ ପୁରସ୍କାର ମିଳିବାର ଥିଲା ଜୟଦେବ ଭବନରେ । ଓଡ଼ିଶାର ସବୁଠୁ ସମ୍ମାନଜନକ ସଭାଗୃହ । ଶୀତତାପ ନିୟନ୍ତ୍ରିତ । ସୁନୟନାକୁ ସେଦିନ ସେଠି ପୁରସ୍କୃତ ହେବା ପାଇଁ ଡକାଯାଇଥିଲା । ଜନଜାତି ସେବାରେ ତା’ର ନିଷ୍ଠା ଯୋଗୁଁ କେଉଁ ସାଇବ ସଂସ୍ଥା ତାକୁ ବାଛିଛନ୍ତି । ସେ ଶୁଣିଥିଲା ଡାକ୍ତରମାନଙ୍କୁ ସେବା ପାଇଁ କ’ଣ ଗୋଟାଏ ମହାତ୍ମାଗାନ୍ଧୀ ସେବା ପୁରସ୍କାର ମିଳେ । ହେଲେ ସେ ପୁରସ୍କାର ପାଇଁ କାହାକୁ କେହି ଖୋଜନ୍ତି ନାହିଁ । ସେ ପୁରସ୍କାର ପାଇଁ ନଅ ତାଲାର ବିଭାଗ ଠାରୁ ସଚିବାଳୟ ଯାଏ କାହାର ନା କାହାର ସେବା କରିବାକୁ ପଡ଼େ । ମହାତ୍ମାଗାନ୍ଧୀଙ୍କ ନାମରେ ମିଳୁଥିବା ପୁରସ୍କାର ପାଇଁ ତାଙ୍କ ମୁଣ୍ଡଛପା କାଗଜ କି ବ୍ୟାଗ୍‌ପାଇପର ବୋତଲ ଦେବାକୁ ପଡ଼େ ।

 

ସୁନୟନା କିନ୍ତୁ ସେଦିନ ଏକ ସାଇବ ସଂସ୍ଥା ଦ୍ୱାରା ପୁରସ୍କାର ପାଇବାକୁ ଯାଇଥିଲା ଭୁବନେଶ୍ଵର । ଭୁବନେଶ୍ୱର ଫାଇଲ୍ ଭିତରୁ ନୁହେଁ ମାଳ-ଅଞ୍ଚଳରେ ବୁଲିବୁଲି ସୁନୟନାକୁ ବାଛିଥିଲେ ସେମାନେ ।

 

ସେଇଠି ହଠାତ ଦେଖାହେଲା ଶକୁନ୍ତଳା ସହିତ । ଶକୁନ୍ତଳା ତା’ର ପଢ଼ାସାଥୀ । ତା’ର ସଫଳତା ବିଷୟରେ ସେ ଖବରକାଗଜରେ ପଢ଼ିଛି କେବଳ ରାଜଧାନୀର ସୀମା ଟପି ସେ ବାହାରକୁ କେବେ ବଦଳି ହେଇ ଯାଇନି । ଯାହା ବି ଯାଏ ଭାଷଣ ଦେବାପାଇଁ କେଉଁଠିକି ଅତିଥି ହୋଇ କିମ୍ବା ଡାକ୍ତରାଣୀ ହିସାବରେ କେଉଁ କାମରେ ଯୋଗଦେବା ପାଇଁ । ସୁନୟନା ଆଉ ସୁରଂଜନ ଯେତେବେଳେ ଭୁବନେଶ୍ୱର ଆସନ୍ତି ମାଳି ସାହି ଯାଆନ୍ତି । ଭୟଙ୍କର ଯୌନ ରୋଗର ପରିଣତି ବିଷୟରେ ବୁଝାନ୍ତି । ଔଷଧ ବିତରଣ କରନ୍ତି । ଉତ୍କଳୀୟ ଦାରିଦ୍ର୍ୟର ଏହି ପରିଣତି ସେମାନଙ୍କୁ ବ୍ୟଥିତ କରେ । ଘୋର ଦାରିଦ୍ର୍ୟ ଏମାନଙ୍କୁ ଟାଣି ଆଣିଛି ଏହି ଲାଲ୍ ଆଲୋକର ଅନ୍ଧାରୁଆ ଗଳିକୁ । ଦେହ ବିନିମୟରେ ଏମାନେ ଅର୍ଥ ରୋଜଗାର କରନ୍ତି । ରାଜଧାନୀର ପୋଲିସ ଏମାନଙ୍କ ଉପରେ ଚଢ଼ାଉ କରି ବେଳେ ବେଳେ ହଇଚଇ ସୃଷ୍ଟି କରେ । ରାଜଧାନୀର ଖବରକାଗଜ ଏମାନଙ୍କ ଉପରେ ଚାଞ୍ଚଲ୍ୟକର ସମ୍ବାଦ ପରିବେଷଣ କରି କାଟତି ବଢ଼ାଏ । ହେଲେ ରାଜଧାନୀର କିରାଣି ସାହିତ୍ୟିକ ଏମାନଙ୍କ ଦୁଃଖକୁ ନେଇ କେବେ କବିତା ଲେଖେନା କିମ୍ବା ରାଜଧାନୀର ଅର୍ଥନୀତିଜ୍ଞ ଏମାନଙ୍କ ଥଇଥାନ ପାଇଁ କେବେ ଯୋଜନା କରେନା ।

 

ଶକୁନ୍ତଳାକୁ ଥରେ ସୁନୟନା କହିଥିଲା, “ ଏହି ମାଳିସାହିରୁ କିଶୋରୀ କନ୍ୟାମାନଙ୍କୁ ହଟାଇନେବା ପାଇଁ ।” ତାକୁ ସେ କହିଥିଲା, “ତୁ ରାଜଧାନୀର ମୁଖ୍ୟ ଡାକ୍ତରାଣୀ । ପୁଣି ତୋ ହାତରେ କଲମ ଅଛି । ଯାହା ଗପ କବିତା ଲେଖୁଛୁ ଖବରକାଗଜବାଲା ଛାପୁଛନ୍ତି ।” ହେଲେ ଶକୁନ୍ତଳା କାନରେ ଏ କଥା ପଶିନଥିଲା ।

 

ସୁନୟନା ଆଗରୁ ଜୟଦେବ ଭବନରେ ଶକୁନ୍ତଳା ବି ପୁରସ୍କାର ପାଇଥିଲା । “ମହାତ୍ମାଗାନ୍ଧୀ ପୁରସ୍କାର ।” ଡାକ୍ତରୀ ସେବାରେ ଉଲ୍ଲେଖନୀୟ ସଫଳତା ପାଇଁ ।

 

ସେଦିନ ଉତ୍ସବରେ ଶକୁନ୍ତଳାକୁ ଦେଖି ସୁନୟନା ଅନୁଭବ କଲା ଯେ, ପଚିଶି, ତିରିଶି ବର୍ଷ ଚାକିରି ପରେ ସେ ପ୍ରୌଢ଼ା ହୋଇଗଲେ ବି ଶକୁନ୍ତଳା ଯୁବତୀରୁ କିଶୋରୀଟିଏ ହୋଇଯାଇଛି-। ଶକୁନ୍ତଳା ଦୁଃଖ କଲା, ଏତେଦିନ ହେଲା ସୁନୟନା ସେହି ମାଳ ଅଞ୍ଚଳରେ ରହିଯାଇଛି ବୋଲି-

 

ଶକୁନ୍ତଳା ତା’ର ପାଖ ଛାଡ଼ିଲା ନାହିଁ । ଅନୁରୋଧ କଲା ତାକୁ ସନ୍ଧ୍ୟାରେ ଡିନର ପାଟିରେ ଯୋଗଦେବାକୁ ରାଜଧାନୀ କ୍ଲବରେ । ପାର୍ଟି ଦେଉଛି ଏହି ପୁରସ୍କାର ପ୍ରାପ୍ତି ଯୋଗୁଁ । ସୁନୟନାକୁ ବାଧ୍ୟକଲା ନିଶ୍ଚୟ ଯିବାକୁ । ସେଠିକି ବହୁ ବଡ଼ ବଡ଼ ଲୋକ ଆସୁଛନ୍ତି । ଯେଉଁମାନେ ଇଚ୍ଛା କଲେ ତାକୁ ରାତାରାତି କେବିକେରୁ କଟକକୁ ବଦଳି କରି ନେଇଆସିବେ । ସୁନୟନା ଲକ୍ଷ୍ୟ କରୁଥିଲା ଶକୁନ୍ତଳା ପ୍ରଜାପତି ପରି ବୁଲୁଛି ସଭାସ୍ଥଳରେ । ତଳଠାରୁ ଉପର ପର୍ଯ୍ୟନ୍ତ ସମସ୍ତେ ଆସୁଛନ୍ତି । ସେ ସମସ୍ତଙ୍କୁ ଭିନ୍ନ ଭିନ୍ନ ଭଙ୍ଗୀରେ ପାଛୋଟି ଆଣୁଛି । ତାର ସିଲ୍‌କିନ୍ ଶାଢ଼ିଟା ଖସି ଆସିଲେ ସଜାଡ଼ି ଦେଉଛି । “ମହାତ୍ମାଗାନ୍ଧୀ ସେବା ପୁରସ୍କାର” ସେ ଆହୁରି ଆଗରୁ ପାଇବା ଉଚିତ୍ ଥିଲା ବୋଲି ସମସ୍ତେ କହୁଥାନ୍ତି । ଶକୁନ୍ତଳାର ରାଜଧାନୀରେ ରହିବାର ଚାବିକାଠିଟା କ'ଣ ତାହା ଏବେ ଜାଣି ପାରୁଥିଲା ସୁନୟନା । ପ୍ରାୟ ଶକୁନ୍ତଳା ଚାଲିଗଲେ ରାଜଧାନୀଟା ନିଷ୍ପ୍ରଭ ହୋଇଯିବ । ସୁନୟନାକୁ ଲାଗୁଥିଲା ଶକୁନ୍ତଳା ଯେପରି ରାଜଧାନୀର ବରିଷ୍ଠ ଡାକ୍ତରାଣୀ ନୁହେଁ, ମହିଳା କଲେଜର ଯୁକ୍ତଦୁଇ ଛାତ୍ରୀଟିଏ ।

 

ଡିନର ପାର୍ଟିକୁ ହଠାତ୍ ପ୍ରବେଶ କଲେ ବିଭାଗୀୟ ମୁଖ୍ୟ । ସିଧା ଆସିଲେ ଏହି ରାଣୀ ମହୁମାଛି ଶକୁନ୍ତଳା ପାଖକୁ । ସୁନୟନା ଆଶ୍ଚର୍ଯ୍ୟ ହେଲା । ସ୍ଲିପ୍ ଖଣ୍ଡିଏ ଦେଇ କେତେଥର ଓଳି ଓଳି ଧରି ରିପ୍ରେଜେଣ୍ଟେସନ୍‍ଟିଏ ଦେବାପାଇଁ ସେ ଅପେକ୍ଷା କରିଛି ଏହି ସଚିବଙ୍କ ଦ୍ଵାରରେ । ପୁରୁଣା ସଚିବ ଯାଆନ୍ତି, ନୂଆ ସଚିବ ଆସନ୍ତି । ପୁରୁଣା ଡାଇରେକ୍ଟର ଯାଆନ୍ତି, ନୂଆ ଆସନ୍ତି ।

 

ସୁନୟନା ରିପ୍ରେଜେଣ୍ଟେସନ୍ ଦିଏ, ବଦଳି ପାଇଁ । ରୁମ୍ ଭିତରକୁ ଗଲେ ତଣ୍ଟି ଅଠା ହୋଇଯାଏ । ଯେତେବେଳେ ପଦାଧିକାରୀ, ଜଣଙ୍କ ଶକୁନ୍ତଳାର ଅଧାଖୋଲା ପିଠିରେ ହାତ ଥାପୁଡ଼େଇ ତାକୁ ସ୍ଵାଗତ କଲେ ସୁନୟନାକୁ ଆଶ୍ଚର୍ଯ୍ୟ ଲାଗିଲା । ମନେହେଲା ସେ ଯେମିତି ଗୋଟିଏ କାମନା ସଚିବ । ପୁଣି ଇତିମଧ୍ୟରେ ରାଜଧାନୀ କ୍ଲବର ସମ୍ପାଦକ ହୋଇଛନ୍ତି । ଖୁବ ସମ୍ମାନଜନକ ପଦବୀ ବୋଲି ଏଠି କୁହାଯାଏ ।

 

ଶକୁନ୍ତଳା ପାନୀୟ ଗ୍ଲାସଟିଏ ଆଣି ସଚିବଙ୍କ ହାତରେ ଧରେଇ ଦେଇ ସାମ୍ପେନ୍‌ ଢାଳିବାକୁ ଲାଗିଲା । ବେଳକୁ ବେଳ ସଚିବଙ୍କ ଆଖିର ରଙ୍ଗ ବଦଳି ଯାଉଥାଏ । ନାଚଗୀତର ଆସର ଆରମ୍ଭ ହେଲା । ଧୂମକୁଣ୍ଡଳୀ ସମସ୍ତ ଗୃହକୁ ଆଚ୍ଛାଦିତ କରିସାରିଥାଏ । ଶକୁନ୍ତଳାର ବନ୍ଧୁ ହେଲେ ରାଜଧାନୀର ନାମୀଦାମୀ ଲୋକମାନେ । ବେଳକୁ ବେଳ ଦେଶର ଏଇ ସମ୍ଭ୍ରାନ୍ତ ଶ୍ରେଣୀର ମହିଳା ପୁରୁଷର ସଂଖ୍ୟା ଆସରେ ବଢ଼ିଚାଲିଥାଏ ।

 

ସୁନୟନା ଆଗରେ ବଖାଣୁଥଲା ଶକୁନ୍ତଳା । ମହିଳାମାନଙ୍କର ପ୍ରଗତି ପାଇଁ ସେ ଅନେକ କିଛି କରିଛି । ଏବେ ମହିଳାମାନଙ୍କ ମଧ୍ୟରେ ଏକ ବିୟରପାନର ପ୍ରତିଯୋଗିତା କରିଥିଲା ସେ । ଏଥିରେ ତାକୁ ସାହାଯ୍ୟ କରିଥିଲା ଏକ ପ୍ରତିଷ୍ଠିତ ବିୟର କମ୍ପାନୀ ।

 

ସୁନୟନାର ମନ ଜଳିଯାଉଥାଏ ବନାଞ୍ଚଳରେ ମଦ ବିରୋଧରେ ମହିଳା ଓ ପୁରୁଷମାନଙ୍କୁ କେତେ ବୁଝେଇଛି ସେ । ଅନେକ ଲୋକ ମଦ ଛାଡ଼ିଛନ୍ତି । ଅଥଚ ଏ ରାଜଧାନୀର ମଣିଷଗୁଡ଼ାକ ସତରେ ବଣମଣିଷଙ୍କ ଠାରୁ ତାକୁ ଭିନ୍ନ ଲାଗୁଥାଆନ୍ତି ।

 

ସୁନୟନା ଏପରି ପରିବେଶରେ ନିଜକୁ ଅପ୍ରତିଭ ମନେକରି ପାଖେଇ ଆସିଲା ବେଳେ ଶକୁନ୍ତଳା ନିଜର ସାଙ୍ଗ ବୋଲି ପରିଚୟ କରାଇ ଦେଇଥିଲା ସଚିବଙ୍କ ସହିତ । ସେତେବେଳେ ସେଇ ପଦାଧିକାରୀ ଜଣକ ଲାଲ ଘୋଡ଼ାରେ ସବାର ହୋଇସାରିଥିଲେ । ଶକୁନ୍ତଳାର ଦେହର ଅନାବୃତ ଅଂଶରେ ଚାପଦେଇ ସେ କେତେକ’ଣ ଗପିଯାଉଥାଆନ୍ତି । ସାଙ୍ଗ ବୋଲି ପରିଚୟ ପାଇଲା ପରେ ସୁନୟନାର ହାତ ଧରିପକେଇଲେ ବିଭାଗୀୟ ମୁଖ୍ୟ ‘‘ଆଜି ତୁମ ସାଙ୍ଗ ସାଥିରେ ହନିମୁନ୍ କରିବା’’ ବୋଲି ଅର୍ଦ୍ଧଢଳଢ଼ଳ ଅବସ୍ଥାରେ ଯେତେବେଳେ କହିଲେ, ସେବେଳେ ସୁନୟନା ଉପରେ ଆକାଶ ଛିଡ଼ିପଡ଼ିଲା ଭଳି ଲାଗିଲା । ସେତେବେଳେ ନାଚଗୀତର ଆସର ଭିତରେ ସୁନୟନା ଦେଖୁଥିଲା ଅନେକ ମହିଳା ହଜିଯାଇଛନ୍ତି । ନାଚ ଭିତରେ ସମସ୍ତେ ନିଶାଗ୍ରସ୍ତ । ସୁନୟନା ଚୁପ୍ କରି ଖସିଯିବାକୁ ବସିଲା ବେଳେ ବିଭାଗୀୟ ମୁଖ୍ୟ ତାକୁ ଭିଡ଼ିନେଲେ ନାଚର ଆସରକୁ । ସୁନୟନାକୁ ଲାଗିଲା ତା ଦେହର ଯେଉଁ ଅଂଶକୁ ନଛୁଇଁବା କଥା ତାକୁ ବିଭାଗୀୟ ମୁଖ୍ୟ ସ୍ପର୍ଶକରିବାକୁ ପ୍ରାୟ ଉଦ୍ୟମ କରୁଛନ୍ତି । ପରିସ୍ଥିତିକୁ ହାଲ୍‌କା କରିବାକୁ ଶକୁନ୍ତଳା ହସି ହସି କହୁଥିଲା–‘‘ବିଭାଗୀୟ ମୁଖ୍ୟ ଖୁବ୍ ମଉଜିଆ ଲୋକ । ଖୁବ୍ ଦରଦୀ ।’’

 

ସୁନୟନା ଚିନ୍ତା କରୁଥିଲା, ଲୋକଟା କେତେଦୂର ଭୟଙ୍କର । କେବଳ ସେଇ ଲୋକଟା ନୁହେଁ, ଏ ରାଜଧାନୀର ଏଇ ବଡ଼ବଡ଼ିଆମାନେ ସତରେ ଗୋଟିଏ ଗୋଟିଏ ଶଠ । ନାଚଗୀତରେ ମାତିଯାଇଥାନ୍ତି ରାଜଧାନୀର ଏହି ନବ୍ୟ ମହିଳାମାନେ । ବନବାସୀ ମହିଳାମାନେ ମଦ ବିରୁଦ୍ଧରେ ସଂଗ୍ରାମ କରୁଛନ୍ତି । ରାଜଧାନୀର ଏହି ଶିକ୍ଷା ସାର୍ଟିଫିକେଟ୍‌ଧାରୀ ଉଚ୍ଚ ମହିଳାମାନେ ନିଜ ନିଜ ମଧ୍ୟରେ ମଦ୍ୟପାନର ପ୍ରତିଯୋଗିତା କରୁଛନ୍ତି । ଏମାନେ ପୁଣି ମାତୃଶକ୍ତିର ନମୁନା ? ସତେକ’ଣ ମା’ ଭୁବନେଶ୍ଵରୀ ମନ୍ଦିର ଛାଡ଼ି ଚାଲି ଯାଇଛନ୍ତି ?

 

ଏମିତି ଭାବୁ ଭାବୁ ବନବାସୀ ପୁରୁଷ-ନାରୀଙ୍କ ନାଚଗୀତର ଆସରରେ ମିଶିଗଲା ସୁନୟନା । ସରଗରୁ ଚାନ୍ଦ ପାଇଲା ପରି ସୁନୟନାକୁ ବେଢ଼ିଗଲେ ସେମାନେ । ହଠାତ୍ ସୁନୟନା ଅନୁଭବ କଲା ସେ ନାଚୁଛି । ଠିକ୍ ଗୋଟିଏ ମୟୂରୀ ପରି ଅବା ଗୋଟାଏ କଳକଳ ଝରଣା ପରି ଯିଏ କି ନାଚ ଶିଖିନି କାହାଠାରୁ । ମନର ଉଲ୍ଲାସ ତା ପାଦରେ ଛନ୍ଦ ତୋଳୁଛି । ଆପେ ଆପେ ତାର ପାଦ ଟଳଟଳ ହୋଇପଡ଼ୁଛି । ଅଣ୍ଟା ଦୋହଲି ଯାଉଛି ।

 

ସୁନୟନା ନାଚୁଥିଲା ବନବାସୀ ପୁରୁଷ-ରମଣୀମାନଙ୍କ ମେଳରେ । ଜହ୍ନର ଛପିଛପିକା ଜୋଛନା ତଳେ । ଆନନ୍ଦ ବିଭୋର ମଣିଷମାନେ ଛୋଟ ଶିଶୁପରି ସୁନୟନାକୁ ଟେକିଧରି ନାଚିବାରେ ଲାଗିଲେ । ସୁନୟନାକୁ ଲାଗିଲା ରାଜଧାନୀ କ୍ଲବରେ ସେଦିନ ଶବଗୁଡ଼ାକ ନାଚୁଥିଲେ-। ଏଠି ମଣିଷମାନେ ନାଚୁଛନ୍ତି । ପ୍ରକୃତି ଏମାନଙ୍କ ପାଦରେ ଛନ୍ଦ ତୋଳୁଛି । ଏମାନଙ୍କର ଅଙ୍ଗବାସ ବିପର୍ଯ୍ୟସ୍ତ । ରାଜଧାନୀ କ୍ଲବରେ ସେମାନଙ୍କର ଅଙ୍ଗବାସ ସେଦିନ ଥିଲା ବିପର୍ଯ୍ୟସ୍ତ-। ହେଲେ ସୁନୟନାକୁ ଏଠି କେହି କୋଳେଇ ନେଲେ ଆଖି ବୁଜିହୋଇ ଆସୁଥିଲା । କାରଣ ଏ ସମ୍ଭାଷଣରେ କାମନା ନଥିଲା । କିନ୍ତୁ ତାକୁ ଲାଗୁଥିଲା ସେମାନେ ସେଦିନ ତାକୁ ପୋଡ଼ିଦେବାକୁ ବସିଥିଲେ । ରାଜଧାନୀର ଛଦ୍ମବେଶୀମାନେ ମଣିଷ ନୁହଁନ୍ତି ରାକ୍ଷସ । ତା’ର ଇଚ୍ଛା ହେଉଥିଲା ଏହି ନିଷ୍ପାପ ମଣିଷଗୁଡ଼ାଙ୍କୁ କାନିତଳେ ପୋଡ଼େଇଦେଇ ମାୟାବୀ ରାକ୍ଷସ ରାକ୍ଷାସୀମାନଙ୍କ କବଳରୁ ରକ୍ଷା କରିବାପାଇଁ ।

☆☆☆

 

ତଥାପି ସୂର୍ଯ୍ୟୋଦୟକୁ ଅପେକ୍ଷା

 

ମୁଁ ସୂର୍ଯ୍ୟୋଦୟକୁ ଦେଖିବାକୁ ବହୁତ ଭଲପାଏ । ପିଲାବେଳେ ସିନ୍ଦୁରା ଫାଟି ଆସିଲେ ଗାଁ ତାଳବଣ ଆରପଟୁ ଡେଇଁପଡ଼ୁଥିବା ସୂର୍ଯ୍ୟଟାକୁ ମୁହଁ ନଧୋଇ ଯାଇ ଦେଖୁଥିଲି । ହେଲେ ଯେଉଁଦିନ ଗୋଟାଏ କଳ କାରଖାନା ଧୂଆଁ ଆଉ ମହଲା ଭରା ସହରକୁ ମୋର ଚାକିରି ଯୋଗୁ ଯିବାକୁ ହେଲା, ସେଦିନ ସକାଳର ସୂର୍ଯ୍ୟଟା ମୋ ପାଇଁ ସପନ ହେଲା ମୋ ଫ୍ଲାଟର ଚାରିପାଖରେ ଖାଲି ଘର । ଯୁଆଡ଼େ ଚାହିଁବ ଖାଲି ଝରକା । ଇସ୍ପାତ୍ କାରଖାନାର ଧୂଆଁଟା ପୁଣି ସଦାବେଳେ ଆକାଶକୁ ଘେରି ରହିଥିବ । ନୀରବତା କ’ଣ ମୁଁ ଜାଣି ପାରେନା । ସବୁବେଳେ ଖାଲି ଶବ୍ଦ ଆଉ ଶବ୍ଦ ।

 

ଗାଁରେ ସିନା ଶେଷ ନିଦରେ ଶେଯରେ ଗଡ଼ୁଥିବା ବେଳେ କୁକୁଡ଼ା ବୋବେଇ ଉଠେ, ମୋ ବୋଉ ଦାଣ୍ଡପହଁରେ, ଚଢ଼େଇଟାଏ ଗଛ ଡାଳରେ କିଚିରିମିଚିରି କରେ । ହେଲେ ଏଇ ଶିଳ୍ପନଗରୀରେ ସକାଳ କେତେବେଳେ ଆସେ କେତେବେଳେ ଯାଏ ତା ଜାଣି ହୁଏନା । ସବୁ ସମାନ । ଚାରିଆଡ଼େ ଖାଲି ଆଲୁଅ ଆଉ ଶବ୍ଦ ।

 

ଏ ସବୁ ଭିତରେ ଯେଉଁଦିନ ମୋର ଶିଳ୍ପନଗରୀ ରାଉରକେଲାରୁ ସାଗର ନଗରୀ ଗୋପାଳପୁରକୁ ବଦଳି ହେଲା, ମୋ ମନରେ ଗୋଟାଏ ଖୁସିର ସୂର୍ଯ୍ୟୋଦୟ ହୋଇଗଲା । ବଦଳି ଅର୍ଡରଟା ମତେ ଯେମିତି ଲାଗିଲା କାଗଜ ଖଣ୍ଡେ ନୁହେଁ ବରଂ ସମୁଦ୍ର ପେଟରୁ କଅଁଳା ବାଛୁରି ପରି ନାଲି ସୂରୁଜଟା ଡେଇଁ ପଡ଼ୁଛି ।

 

ଗୋପାଳପୁରରେ ପ୍ରଥମେ ଯେତେବେଳେ ପହଁଚିଲି, ମନଟା ଆହୁରି ଖୁସିରେ ଘରଚଟିଆ ପରି କେତେ ଘେରା ମାରି ଫେରି ଆସିଲା । କ୍ୱାର୍ଟର ଖଣ୍ଡେ ପୁଣି ମିଳିଥିଲା, ଠିକ ସମୁଦ୍ରକୁ ସାମ୍ନା କରି । ମଝିରେ ବାଲିର ଶେଯଟାଏ କେତେ ଫୁଟର ମାତ୍ର । କହନ୍ତି ଡାକିଲେ ଶୁଭିବ । କିନ୍ତୁ ଏ ଦୁରତ୍ୱ ଡାକିଲେ ନୁହେଁ, କାନରେ ଫିସ୍ ଫିସ୍ କରି କହିଦେଲା ଭଳି ଶୁଭିବ । ସମୁଦ୍ରର ଶବ୍ଦଟା ମତେ ଯେମିତି ଲାଗିଲା ମୋ କାନରେ ବାରବାର ସେମିତି ଫିସ୍-ଫିସ୍ କରି କ’ଣ କହିଯାଉଛି ।

 

ଗୋପାଳପୁରରେ ମୋର ପ୍ରଥମ ସନ୍ଧ୍ୟାଟି ଥିଲା ଅନ୍ଧାର । ସୁସ୍ପଷ୍ଟ ତାରାଗୁଡ଼ିକୁ ଚାହିଁ ତା ପଛପାଖରେ ଆକାଶଟିକୁ ଦେଖୁଥିଲି । ଆଉ ଠିକ ଆକାଶଟା ସରିଗଲା ଜାଗାରେ ଆରମ୍ଭ ହୋଇଛି ସମୁଦ୍ର । ଛାତ ଉପରେ ଏମିତି ନିରବରେ ଦେଖୁ ଦେଖୁ ମତେ ଲାଗିଲା ସତରେ ନିରବତାର ଗୋଟାଏ ସ୍ଵର ଅଛି । ସେ ସ୍ଵରର ମାଦକତା ଅନେକ । ଗୋଟାଏ ମନକୁ ଛୁଇଁ ଯାଉଥିବା ଅନୁଭବ । ମୁଗ୍ଧକର ଢେଉର ରହି ରହି ଶବ୍ଦ । ସମୁଦ୍ର ଏଠି ଗଭୀର । ବତୀଘରର ନିରୀହ ଆଲୁଅର ଚକାଭଉଁରିଟା କ୍ଷଣକୁ କ୍ଷଣ ଝାଉଁ ବଣ ଆଉ ସମୁଦ୍ର ଉପରେ ପହଁରି ଯାଉଚି । ଖୁବ୍ ନିରବରେ ଆଲୁଅଟା ଧଳା ଫେଣ ସାଙ୍ଗରେ ଫେଣ୍ଟି ହୋଇ ସୃଷ୍ଟି କରୁଛି ଅପୂର୍ବ ବର୍ଣ୍ଣବିଭା ।

 

ହଠାତ୍ ନିକଟରେ ରହି ରହି ଶୁଭୁଥିବ କିଛି ରୁଣୁଝୁଣୁ ଆଉ ଘଷିମାଜି ହେବାର ଶବ୍ଦ ଶୁଣି ମୁଁ ସେ ଦିଗରେ ଚାହିଁଲି । ପାଖ ଘରର ଅଗଣାରେ, ବୋହୂଟିଏ ହେବ ପ୍ରାୟ ବାସନ ମାଜୁଛି । ରାତି ଅନେକ ହେଲାଣି । ସହରରେ ତ ପ୍ରାୟ ସମସ୍ତେ ଶୋଇ ପଡ଼ିଥିବା କଥା । ବାସନକୁ କତାରେ ଓଲଟେଇ ପଲଟେଇ ଘଷିଲା ବେଳେ ହାତର ରୁଣୁ ଝୁଣୁ ଶବ୍ଦ ବାହାରୁଛି ।

 

ଆମ ଗାଁରେ ବୋଉ ଏମିତି ବାସନ ମାଜୁଥିଲା । ଅନେକ ରାତିରେ ସମସ୍ତେ ଶୋଇଲା ପରେ ସେ କେତେବେଳେ ଶୁଏ କେତେବେଳେ ଉଠେ ଆମେ ଜାଣିପାରୁନା । ସମୁଦ୍ରର ଶବ୍ଦ, ଆକାଶର ନିରବତା ଆଉ ମୋ ବୋଉକୁ ମନେ ପକେଇ ଦେଉଥିବା ଏଇ କାଚର ରୁଣୁଝୁଣୁ ଶବ୍ଦ ମୋ ଆଖିରେ ସୁନ୍ଦର ନିଦଟିଏ ନେଇ ଆସିଲା ।

 

ସକାଳେ ସେଦିନ ନିଦ ଭାଙ୍ଗିଗଲା ବେଳକୁ ଆକାଶଟା ସିନ୍ଦୂରିଆ ଦେଖାଯାଉଥିଲା । ନିଦ ମଳମଳ ଆଖିରେ ସିଡ଼ି ଉପର ଦେଇ ଯେତେବେଳେ ଛାତ ଉପରକୁ ଯାଇ ସୂର୍ଯ୍ୟଙ୍କୁ ଦେଖିବାକୁ ଆତୁରିଆ ହୋଇ ଉଠୁଥିଲି ସେତେବେଳେ ମହୁମାଛିର ଗୁଣୁଗୁଣୁ ପରି ଏକ ସ୍ଵରରେ ମୋ କାନରେ ପ୍ରତିଧ୍ୱନିତ ହେଉଥିଲା ‘‘ଜବା କୁସୁମ ସଂକାଶଂ, କାଶ୍ୟପେୟଂ ମହାଦ୍ୟୁତିଂ...... ସିଡ଼ି ପାହାଚ କାନ୍ଥରୁ ଖଣ୍ଡେ ଖଣ୍ଡେ ଇଟା କଢ଼ା ହୋଇଥିବା ଜାଲି ଫାଙ୍କରେ ବୁଲି ଦେଖିଲା ବେଳକୁ ଅଗଣାରେ ଗତରାତିର ସେଇ ବୋହୂଟି ଉନ୍ମକ୍ତ ଧୌତ କେଶ, ହାତରେ ଜଳପାତ୍ର । ଦୃଷ୍ଟି ଲମ୍ବି ଯାଇଛି ଆକାଶକୁ । କଣ୍ଠରେ ସୂର୍ଯ୍ୟ ବନ୍ଦନା ।

 

ହଠାତ୍ ପରିବେଶଟା ବଦଳିଗଲା । ‘‘ଶାଳୀ ଇ ଇ ଇ ଇ’’ ଚିତ୍କାରରେ ଚମକି ପଡ଼ିଲି ମୁଁ ପାଦ ସେଇ ମଝି ପାହାଚରେ ଅଟକିଗଲା । ଦେଖିଲି ପଡ଼ିଶା ଘର ସେଇ ଅଗଣାରୁ ବୋହୂଟା ଚଟ କରି ପାଣି ଅଜାଡ଼ି ଦେଲା ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ । ଘର ଭିତରୁ ବାରଣ୍ଡାକୁ ବାହାରି ପୁରୁଷଟି ଚିତ୍କାର କରୁଛି । ‘‘ଶାଳୀ ଭୋରୁ ଭୋରୁ ଆଲୁଅ ଲଗେଇ ଖଟ୍ ଖଟ୍ କରୁଛି ।” ଗାଲରେ ଶକ୍ତ ଚାପୁଡ଼ାଟିଏ କଷିଦେଲା ନିଦ୍ରାଭଗ୍ନ ହେଇଥିବା ପୁରୁଷଟି । ବୋହୂଟି କିନ୍ତୁ ଯୋଡ଼ିଏ କରୁଣ ଆଖିରେ ପୁରୁଷଟିକୁ ଚାହିଁ ଦେଇ ପାଟିରେ ଆଙ୍ଗୁଳି ଦେଇ ମୋ ଘର ଆଡ଼କୁ ଦେଖେଇ ଦେଉଥିଲା । ପ୍ରାୟ ସଂକେତ ଦେଉଥିଲା, ପାଟି କରନା ପାଖରେ ଲୋକେ ଅଛନ୍ତି । ହେଲେ ପୁରୁଷଟିର ଚିତ୍କାର ବଢ଼ୁଥିଲା, “ତୋ କାଚକୁ ଭାଙ୍ଗିଦେବି । ସକାଳୁ ସକାଳୁ ମୀରାବାଇ ସାଜିଛୁ ।”

 

ମସିଆ ଇଲେକ୍ଟ୍ରିବଲ୍ ଆଉ ଫର୍ଚ୍ଚା ହୋଇ ଆସୁଥିବା ସକାଳ ମିଶାମିଶି ଆଲୁଅ ଭିତରେ ମୁଁ ଦେଖିଲି ଅଗଣାରେ ଝୋଟି ପଡ଼ିଛି । ପିଢ଼ା ଉପରେ ଆମ୍ବଡାଳ ପାଖରେ ଆଞ୍ଜୁଳାଏ ହେବ ଧାନ ଉପରେ କ୍ଷୁଦ୍ର ‘କଳସୀ’ । ମନେ ପଡ଼ିଲା, ଆଜି ଶାମ୍ବଦଶମୀ ।

 

ଧୀରେ ବୋହୂଟି ଗାଲ ଉପରେ ହାତ ସାଉଁଳଉଥିଲା । ଏଠିକି ଆସିଲା ଆଗରୁ ଏ ଲୋକଗୁଡ଼ାକ ଉପରେ ମୋର ବହୁତ ଈର୍ଷା ହେଉଥିଲା । ମୁଁ ଯେତେବେଳେ ଇସ୍ପାତ, ନଗରୀର କଳାଧୂଆଁ ଭିତରେ ଥିଲି ଭାବୁଥିଲି ଏମାନେ ସକାଳର ପବନ ସାଥିରେ ସମୁଦ୍ରରେ ଆଉଟି ହେଇ ଯାଉଥିବେ, ସୂର୍ଯ୍ୟଟାକୁ ପିଇଯାଉଥିବେ । ହେଲେ ଏମିତି ବି ମଣିଷ ଅଛନ୍ତି ଯେଉଁମାନେ ସୂର୍ଯ୍ୟଙ୍କୁ ପଛକରି ଅନ୍ଧାରକୁ ଚାହିଁ ଠିଆ ହେବାକୁ ଭଲ ପାଆନ୍ତି । ମତେ ଲାଗୁଥିଲା ଗୋପାଳପୁରର ଓଦା ମିଠା କୁହୁଡ଼ି ନୁହେଁ ଇସ୍ପାତ ନଗରୀର କଳାଧୂଆଁ ଯେମିତି ମାଡ଼ି ଆସୁଛି ।

 

ମନେ ପଡ଼ୁଥିଲା ମୋ ଭାଉଜ ଡେରିରେ ଉଠନ୍ତି ବୋଲି ମୋ ବୋଉ ମନେ ମନେ ବହୁତ ଦୁଃଖ କରୁଥିଲା । ଠାକୁର ଘରେ ଫୁଲ ଦେଇ ସାରି ବୋଉ ଘଣ୍ଟି ବଜେଇଲେ, ଭାଉଜ ଚିଡ଼ି-ଚିଡ଼ି ହେଇ ଉଠନ୍ତି । ପାଦ କଚାଡ଼ି କଚାଡ଼ି କୂଅମୂଳ ଯାଏ ଯାଆନ୍ତି । ତା ପରେ ଅବଶ୍ୟ ହିମଗିରିର ତୁଷାରରେ ଅଗ୍ନି ସଂଯୋଗ କରିବା ବ୍ୟର୍ଥ ହେବ ଭାବି ଚିଡ଼ି ଚିଡ଼ି ହେଇ ଯାଇ ଖଟ ଉପରେ ବସି ଭିତରଘର ଆଡ଼େ ଗଳି ଅନାନ୍ତି । ବୋଉକୁ ଚା କରୁଥିବାର କଣେଇ ଦେଖନ୍ତି । ଯେତେବେଳେ ବୋଉ ଚା କପେ ଧରି ତାଙ୍କ ପାଖକୁ ଆସେ, ନିଶ୍ଚିତ ଭାବରେ ଛଳନାରେ କହନ୍ତି “ଆପଣ କାଇଁ ଚା କଲେ, ମୁଁ କରି ନଥାନ୍ତି” ହେଲେ ସେ କଥା ଶୁଣିବାକୁ ବୋଉ ପ୍ରାୟ ପାଖରେ ନଥାଏ । ମାଠିଆ ପାଖକୁ ଦଉଡ଼ି ଯାଇଥାଏ ପାଣି ଗ୍ଲାସଟିଏ ଆଣିବା ପାଇଁ ଖାଲି ପେଟରେ ଚା ପିଇବାକୁ ସେ ଭଲପାଏନା ବୋଲି । ସେତେବେଳେ ଭାଉଜଙ୍କର ସମସ୍ତ କୃତ୍ରିମତା ଛଳନା ହଜିଯାଏ । ମୁହଁଟା ଖୁବ୍ ସୁନ୍ଦର ହୋଇଯାଏ ।

 

ଗାଲର ଚାପୁଡ଼ାଟା ଶକ୍ତ ଥିଲେବି ଧୀରେ ଧୀରେ ହସୁଥିବା ବୋହୂଟି । ପ୍ରାୟ ଶାନ୍ତ କରିବାକୁ ଚାହୁଁଥିଲା ପୁରୁଷଟିକୁ । ହେଲେ ବେଳକୁ ବେଳ ଚିତ୍କାର, ବଢ଼ୁଥିଲା ପୁରୁଷଟିର । ସୂର୍ଯ୍ୟଟା ତାରି ଭିତରେ କେତେବେଳେ ଆସିଗଲା ମୁଁ ଜାଣିପାରିଲିନି ।

 

ଛାତ ଉପରେ ଠିଆ ହେବା ଅଭଦ୍ରାମି ଭାବି ଦି ଚାରି ପାହାଚ ତଳକୁ ଖସି ଆସି ନିରବରେ ଠିଆ ହେଲି ।

 

ପୁଣି ଘଡ଼ଘଡ଼ି ପରି ଶବ୍ଦ ଆଉ ତା ସାଥିରେ ଛୋଟିଆ ‘ଓଃ’ ଟିଏ । ଗୋଇଠା କିମ୍ବା ଧକ୍କାଟିଏ ମାରିଲା ପ୍ରାୟ ପୁରୁଷଟି । ଗଡ଼ୁଟା ହାତରୁ ଖସି ତଳେ ପଡ଼ିବାର ଶବ୍ଦ । ମୋ ଘରର ଝରକାକୁ ଲାଗି ସେଇ ଘରର ଅଗଣା । ସେଥିପାଇଁ ପ୍ରାୟ ସେଇ ଝରକାଟିକୁ ବନ୍ଦ ରଖିବାକୁ ମତେ ଆଗରୁ ସେ ଘରେ ଥିବା ଲୋକେ କହିଥିଲେ ।

 

ବୋହୂଟି ଠିକ୍ ଥିଲା କଣ୍ଢେଇ ପରି । ଗବାକ୍ଷର ସେଇ ରନ୍ଧ୍ର ଦେଇ ମୁଁ ଦେଖୁଥିଲି ନିରବରେ ସବୁ ଜିନିଷ ସେ ସଜାଡ଼ି ରଖୁଥିଲା ଚଉରା ମୂଳରେ ଏବଂ ସବୁ ସଜାଡ଼ି ସାରି ପୁଣି ବୃନ୍ଦାବତୀଙ୍କୁ ମୁଣ୍ଡିଆ ମାରିଲା । ମୁଣ୍ଡିଆ ମାରିଲା ଆଗରୁ ଲୁଗା କାନିକି ବେକ ଚାରିପଟେ ଗୁଡ଼େଇ ରଖିଲା । ତାରି ଭିତରେ ହାତକୁ ଓଲେଟେଇ ପଲେଟେଇ ଦେଖୁଥାଏ । ପ୍ରାୟ ମାଡ଼ଟା ଜୋରରେ ବାଜିଛି । ମୋର ଆଉ କିଛି ନ କରି ସେଇ ଅଧା ପାହାଚରେ ବସିବାକୁ ଇଚ୍ଛା ହେଲା । ସୂର୍ଯ୍ୟଟା ସେତେବେଳକୁ ବୁଢ଼ା ହେଇଗଲାଣି ।

 

ଖରା କଅଁଳିଆ ହବାର ଟିକିଏ ପରେ ଆଉ ଗୋଟିଏ ଘରୁ ବାହାରିଲା ସ୍ତ୍ରୀ ଲୋକଟିଏ, ବୟସ୍କା । ସେତେବେଳକୁ ବୋହୂଟି ଚା ଧରି ଦୁଆର ପାଖରେ ଛିଡ଼ା ହୋଇଥିଲା ।

 

ପୁଅକୁ ତ ଯାହା ଭଲରେ ରଖିଛୁ ପୁଣି କାହାପାଇଁ ଏ ଭୋଗ ବାଢ଼ୁଛୁ ।’’ ମୋ ଜୀବନରେ ପ୍ରାୟ ସ୍ତ୍ରୀ ଲୋକଙ୍କର ସ୍ୱର ଏତେ କର୍କଶ ଥାଏ ବୋଲି ମୁଁ ଶୁଣିନି । ବୋହୂଟି ବୁଝାଉଥିଲା, “ବାପ’ତ ଯାହା ଦବା କଥା ଦେଉଛନ୍ତି ବର୍ଷରେ ଛ ମାସରେ ଆସି ଆପଣଙ୍କ ଗୋଡ଼ ହାତ ଧରୁଛନ୍ତି..... କଥା ସରିଛି କି ନାହିଁ ବୟସ୍କ ବ୍ୟକ୍ତିଟିଏ ଘରୁ ବାହାରି ପାଟି କଲେ, “କ’ଣ ନୂଆ କଥା କରୁଛନ୍ତି- ଝିଅ ଦେଇଛନ୍ତି ।”

 

ମୁଁ କାଠ ହେଇ ଶୁଣୁଥାଏ । ମୋ ଭାଇ ଯେତେବେଳେ ବାହାହୋଇ ଆସିଥିଲେ ମୁଁ ବହୁତ ଛୋଟ ଥିଲି । ହାଫ୍ ପ୍ୟାଣ୍ଟ ପିନ୍ଧି ସ୍କୁଲ ଯାଉଥିଲି । ଭାଇ କିନ୍ତୁ ଟିକିଏ ରାଗୀ ଲୋକ ଥିଲେ । ଥରେ ମିଛ ନିଦରେ ଘାଲେଇ ପଡ଼ିଥିବା ବେଳେ ବାପା ବୋଉଙ୍କର କଥା ହେଉଥିବା କଥା ମୋର ଏ ଯାଏ ମନେଅଛି । ବାପା କହୁଥିଲେ ‘ବୋହୂକୁତ ଆମେ ପିଲାଟା ବେଳୁ ହାତ ଧରି ଖୁଆଇ ଦେଇନେ, ତା ଅସନା ନାକକୁ ସଫା କରିନେ, ବୋହୂକୁ ଆମେ ଝିଅ ଭଳି ଦେଖିଲେ ସେ ବି ଆମକୁ ବାପା ମା’ ପରି ଦେଖିବ । ତାକୁ ଆମେ ଯେତିକି କରିବା ସେ ତା ବାପା ମା'ଙ୍କ କଥା ସେତିକି ଭୁଲିଯିବ । ଆମେ ଯଶୋଦା ପାଲଟିଲେ ସେ ଦେବକୀକି ଭୁଲିଯିବ ।

 

ପାଖ ଘରର ବୋହୂଟିର ଶାଶୁ ଶ୍ଵଶୁରଙ୍କ କଥା ମୋ ପାଇଁ ଥିଲା କିନ୍ତୁ ଆଉ ଗୋଟିଏ ଘଡ଼ଘଡ଼ି ପରି । “ତୋ ଭଳିଆ ବୋହୂ ଯାଉଣୁ ଆସୁଣୁ ମାଡ଼ ଖାଇବା ଉଚିତ୍ । ଶାଶୁ ପୁଣି କଥା ଯୋଡ଼ିଲେ ।

 

ଏତେବେଳେ ବୋହୂ ହାତରୁ ଶଶୁର ଚା ନେଲେ ହେଲେ ଥଣ୍ଡା ଥଣ୍ଡା ବୋଲି ଚିତ୍କାର କରି ଉଠିଲେ । ଭଲ କଥା ତ ? ମୁଁ ଦେଖୁଛି ବହୁତ ସମୟ ଧରି ବୋହୂଟା ଚା ଧରି ଛିଡ଼ା ହୋଇଛି-। ନେଉ ନାହାନ୍ତି । ଚା ଥଣ୍ଡା ନହେଇ କ’ଣ ହେବ ?

 

ରୋଷେଇର ବାସ୍ନାରେ ମୋ ଘର ଫାଟି ପଡ଼ିଲା ପରି ଲାଗୁଥାଏ । ସୁନ୍ଦର ମହକ । ରୋଷେଇ ଘରୁ ଟୁଂ ଟାଂ ଶବ୍ଦ । ନିରବରେ ମୁଁ କାଠ ହୋଇଯାଇ ଦେଖୁଥାଏ । ଏଭଳି ପରିବାର ପାଖରେ ଭଗବାନ କାହିଁକି ଏଭଳି ବୋହୂ ଦେଇଛନ୍ତି । ପ୍ରତିବାଦ ନାହିଁ, ଅନୁଶୋଚନା ନାହିଁ । ହସି ହସି ଖାଇବା ବାଢ଼ୁଥିଲା ପୁରୁଷଟି ପାଖରେ । ସତେ ଯେମିତି କିଛି ଘଟିନି । ପୁରୁଷଟା ଖାଇଲା ବେଳେ ତୁହାକୁ ତୁହା ଚିହିଁକି ଉଠୁଥାଏ । ।

 

ଧୈର୍ଯ୍ୟର ସୀମା ଟପିଗଲା, ଯେତେବେଳେ ତରବରରେ ପାଣି ଗ୍ଲାସେ ଆଣି ସ୍ଵାମୀ ହାତକୁ ଦେବାକୁ ଯାଉ ଯାଉ ବୋହୂଟି ଝୁଂଟିପଡ଼ିଲା, ଆଉ ପୁରୁଷର ଗୋଡ଼ଟି ଠିକ ସେତିକିବେଳେ କ୍ରିୟାଶୀଳ ହୋଇ ପଡ଼ିଲା । ବିକଳରେ ଗୋଟିଏ ଗୋଡ଼କୁ ଆର ଗୋଡ଼ରେ ଘଷି ପକାଉଥାଏ । କିଛି ବୁଝି ପାରୁ ନଥିବା ଶିଶୁଟା କିନ୍ତୁ ଅବୋଧ ଆଖିରେ ହସ ଖେଳେଇ ଚାହିଁଥାଏ । ଆଃ ଶିଶୁର ଏଇ ହସଟା ମଣିଷଟା ମନରେ କିଛି ଭାବାନ୍ତର ଆଣୁନି ?

 

ପାଖ ଘରର କବାଟକୁ ଅଧା ଆଉଜା କରି ବୁଢ଼ାବୁଢ଼ୀ ପ୍ରାୟ ପୈଶାଚିକ ଆନନ୍ଦରେ ଡୁବି ରହିଥିଲେ । ବୁଢ଼ାର ମୁହଁ ନ ଦେଖି ପାରିଲେ ବି ବୁଢ଼ୀର ଚାପା ହସ ମତେ ଦେଖାଯାଉଥିଲା । ଏଇ ନିଷ୍ପାପ ଶିଶୁଟା ବଡ଼ ହେଲେ କ’ଣ ଏମିତି ପୈଶାଚିକ ହସ ହସିବ ?

 

କ୍ରୀତଦାସମାନଙ୍କର କାହାଣୀ ମୁଁ ଶୁଣିଛି । ପଢ଼ିଲା ପରେ ଆଖିରେ ଲୁହର ପରଦା ଆସିଯାଏ । କିନ୍ତୁ ଆଖି ଆଗରେ ଯାହା ଦେଖିଲି ତା ଥିଲା କ୍ରୀତଦାସଙ୍କ କାହାଣୀ ଠୁଁ ଆହୁରି କରୁଣ-। ପ୍ରତିବାଦ ତୋଳୁନଥିବା ବୋହୂଟା ଉପରେ ବହୁତ ରାଗ ହେଲା, ଏଇପରି ଝିଅଗୁଡ଼ାକ ସବୁ ସହି ନିଅନ୍ତି । କୋଉ ଉପାଦାନରେ ଗଢ଼ା ଏମାନେ ? ଇଚ୍ଛା ହଉଥିଲା ଆରଘର ଅଗଣାରେ ଏଇନାଟକ ଚାଲିଥିଲା ବେଳେ ଶକ୍ତିମାନ ପରି ଛାତ ଉପରୁ ଅଗଣାକୁ ଡେଇଁ ପଡ଼ନ୍ତି, ଆଉ ଅମିତାଭ ବଚନ ଢଙ୍ଗରେ ଢିସୁମ୍‌ ଢିସୁମ୍‌ ଦିଅନ୍ତି ।

 

ସକାଳୁ ସଞ୍ଜ ଯାଏ ପାଖ ଘରେ ଯାହା ଘଟିଲା ମୋତେ ଗୋଟାଏ ଦୁଃଖଦାୟକ ସ୍ଵପ୍ନ ପରି ଲାଗିଲା । ଦିନସାରା କୁଆଡ଼େ ଯିବାକୁ ଇଚ୍ଛା ହେଲାନି । ଗୋପାଳପୁର ଆକାଶରେ କେତେବେଳେ ସୂର୍ଯ୍ୟଟା ବୁଡ଼ି ଯାଇଛି ମୁଁ ଜାଣିନି । ଅନ୍ଧାର ଭିତରେ ଯେତେବେଳେ ବତୀଘରର ଆଲୁଅଟା ଖେଳିବାକୁ ଲାଗିଲା, ମୁଁ ଘରର ଆଲୁଅ ଜଳେଇଲି । ଇଚ୍ଛା ହେଉଥିଲା ଏ ଘର ବଦଳେଇ ଦେବି ।

 

ହଠାତ୍ କବାଟରେ ଖଟ୍ ଖଟ୍ ଶୁଣି ଖୋଲିବାକୁ ଗଲି । କବାଟ ଖୋଲିବା ପରେ ଯାହା ଦେଖିଲି ମତେ ଆଶ୍ଚର୍ଯ୍ୟ ଲାଗିଲା ପାଖ ଘରର ସେହି ବୋହୂଟି । ହାତରେ ପ୍ଲେଟଟିଏ । ତା ଉପରେ ଚାନ୍ଦ ପରି କେତୋଟି ପିଠା ଆଉ ଛୋଟ ବାଟିରେ ତରକାରୀ । “ଆପଣ ଆଜି କୁଆଡ଼େ ଯାଇ ନାହାନ୍ତି ଆଜି ଶାମ୍ବଦଶମୀ, ପିଠା, ଟିକେ ଆଣିଥିଲି ।” ଗ୍ରହଣ କରିବି ନ କରିବି ଭାବୁ ଭାବୁ ସେ କହିଲା, “ରାଉରକେଲା କଲେଜରେ ଆପଣ କିଛି ଦିନ ପାଇଁ ମୋ ଟିଚର ଥିଲେ । ଆପଣଙ୍କର ଗଳ୍ପଟିଏ, ଆମ ପରିବାରର ଧାରାକୁ ବଦଳେଇ ଦେଇଥିଲା । ନିତି ନିତି ପ୍ଲାଣ୍ଟରୁ ଫେରି ମୋ ଭାଉଜଙ୍କୁ ପିଟୁଥିବା ଭାଇ ଆପଣଙ୍କର ଗଳ୍ପଟି ପଢ଼ିଲା ପରେ ଅସମ୍ଭବ ଭାବରେ ଭଲପାଇ ବସିଥିଲା ଭାଉଜଙ୍କୁ । ଆପଣ ଲେଖିଥିଲେ, ବଦଳିଯିବ, ସବୁ ବଦଳିଯିବ । ସତରେ ଦିନେ ସବୁ ବଦଳିଗଲା । ମତେ ଲଜ୍ଜା ଲାଗିଲା । ଗଳ୍ପ ଲେଖିବାଟା ମୋ ପାଇଁ ଅତୀତ । କହିବାକୁ ଇଚ୍ଛା ହେଉଥିଲା, ମୁଁ ଆଜିକାଲି, ଆଦୌ ଗଳ୍ପ ଲେଖୁନି । ମୋ ସହ, ମୋ ଚରିତ୍ରମାନଙ୍କ ସହ ପ୍ରତାରଣା କରୁନି । ମୁଁ ଗୋଟିଏ ଅନୁଭବ ଶୂନ୍ୟ ମଣିଷ ପାଲଟି ଯଇଛି । ଗଭୀର ଅନୁଭବରୁ ସୃଷ୍ଟ ଶବ୍ଦ ମନ୍ତ୍ର ପରି କଂପନ ଆଣେ ।

 

ତଥାପି ହାତରୁ ପ୍ଲେଟଟି ନେଲାବେଳେ, ପଚାରିଲି, କୋଉ ଗଳ୍ପ ? ଉତ୍ତର ମିଳିଲା “ତଥାପି ସୂର୍ଯ୍ୟୋଦୟକୁ ଅପେକ୍ଷା’’ । ବହୁତ, ଖୋଜିଛି, ସେହି ଗଳ୍ପଟିକୁ, କିନ୍ତୁ ପାଇନି–ଦେଇ ପାରିବେ କି ? ଲେଖାଟିକୁ ନ ହେଲେ ଆଉଥରେ ଲେଖି ଦିଅନ୍ତେ ନାଇଁ ?’’

 

ମତେ ଲାଗିଲା ପ୍ରକୃତିର ସମସ୍ତ ଆଇନ୍ କାନୁନ୍ ଭାଙ୍ଗି ସୂର୍ଯ୍ୟ ଏଇମାତ୍ର ଉଇଁ ଆସୁଛି, ଗୋପାଳପୁର ଆକାଶରେ ଆଉ ହସୁଛି ଠିକ୍ ସେଇ ଶିଶୁଟି, ପରି କହୁଛି, ସବୁ ବଦଳିଯିବ । ସବୁ ବଦଳିଯିବ ନେତି, ନେତି । ସକଳ ଅଂଧାର ଭିତରେ ମଣିଷ ତଥାପି ଅପେକ୍ଷା କରିଛି ସୂର୍ଯ୍ୟୋଦୟକୁ ।

☆☆☆

 

ପାପ ପାଇଁ ଟିକେ ଥାନ

 

ମୋ ଜନମର ବର୍ଷ କେତେଟା ଭିତରେ ଆମକୁ ଯେଉଁମାନେ ଏକଲା କରି ଚାଲିଗଲେ ସେମାନେ ହେଲେ ମୋ ବାପା ଆଉ ବୋଉ । ଲୋକେ କହନ୍ତି ସତେ ଯେମିତି ଡକାଡ଼କି ହୋଇ ଚାଲିଗଲେ । ବୋଉ ଶୁଦ୍ଧିଘର ନ ପୁରୁଣୁ ବାପା ଚାଲିଗଲେ । ବୋଉ ଯିବାର କେତେଟା ବରଷ ଅଳପ ଆଗରୁ ଚାଲିଯାଇଥିଲେ ଜେଜେବାପା ଆଉ ଜେଜେମା । ସେଇ ମଣିଷ ଗୁଡ଼ାକଙ୍କର କଥା ଆଉ କାହାଣୀ ମୁଁ କେବଳ ଶୁଣିଛି ହେଲେ କାହାର ବି ଗୋଟିଏ ଚେହେରା ମନେ ପଡ଼େନାହିଁ । ମୋର ମନେ ରଖିଲା ଭଳି ବୟସ ହେଲା ବେଳକୁ ସେମାନେ ପର ପର ହେଇ ଆରପାରିକୁ ଚାଲିଯାଇଥିଲେ । ହେତୁ ହେଲା ବେଳକୁ ଯାହାକୁ ଚିହ୍ନିଥିଲି ସେ ଥିଲା ମୋ ଭାଇ । ସେ ମୋ ପାଇଁ ଥିଲା ମୋ ବାପା, ବୋଉ, ଜେଜେବାପା, ଜେଜେମା ଅବା ମୋର ପରିବାର । ସରବନ୍ତ ପାଖ ଚାହାଳିକୁ ପାଠ ପଢ଼ିବା ପାଇଁ ଯିବା ଆରମ୍ଭ କରିଲା ବେଳେ ମତେ ସେ ଚାହାଳିରେ ଛାଡ଼ି ଚାଲିଯାଏ ବିଲକୁ କି କେତେବେଳେ କାମ କରେ ବାଡ଼ିରେ । ସାଗରକୂଳିଆ ଗାଁର ଓଦା ଓଦା ମାଟିକି ଚକଟି ଫି ବରଷ ସୁନା ଫଳାଉଥିଲା ସେ । ସାଥୀ ତାର ନିଦାଘ ବରଷା, ଉଦାସ ଖରା ଆଉ ସାବନା ଦେହରୁ ଚକଚକ କରି ଗଡ଼ିପଡୁଥିବା ଝାଳ ବିନ୍ଦୁ । କାମରୁ ଫେରି ଝାଉଁ ଡାଳର ନାଗୁଆଣୀରେ ସେ ରୋଷେଇ କରେ, ଚୁଲି ଫୁଙ୍କେ, ହାଣ୍ଡି ମାଜେ, ପରିବା କାଟେ, ଅଧା ରାତିରେ ସେ ମୋତେ ପରାରୁ ଉଠାଇ ମୁତେଇ ନିଏ । ନିଦମଳ ମଳ ଆଖିରେ ମୁଁ ଉଠି ବସିଲେ ମୋତେ ଖୁଆଏ । ସେ ମୋତେ ‘‘ଖାଇଦେ’, ଖାଇଦେ ବୋଲି କହିବା ବେଳେ ମୁଁ ଅଧା ନିଦ, ଅଧା ଚିଆଁ ହୋଇ ପାକୁଳି କରେ । ଖାଇଲା ବେଳେ କେତେ ଲୋକଙ୍କ କଥା କହେ । ମତେ କହେ ଏ ଗାଁଠୁ ଦୂରରେ ଗୋଟାଏ ସୁନାର କଟକ ଅଛି । ଯୋଉଠି ରାତି ଦିନ ସବୁ ସମାନ । ଅଛି ମହଲା ମହଲା କୋଠା । ମତେ ବୁଝାଏ ତୁ ପାଠ ପଢ଼ିଲେ ସେଇଠିକି ଚାଲିଯିବୁ । ଏ ପାଣି କାଦୁଅ ଅନ୍ଧାର ଭିତରେ ରହିବୁନି । ଚାକିରି କରିବୁ, କୋଟ୍ ପେଣ୍ଟ ପିନ୍ଧିବୁ, ବାବୁ ହେବୁ । ମୋ ଆଖିରେ ରଂଗ ଲାଗିଯାଏ ।

 

ଭାଇ ଚମତ୍କାର ବଂଶୀ ବଜାଏ । ଗହନ ରାତିରେ ସାଗରକୂଳ ବାଲିବନ୍ତ ଉପରେ ଠିଆହୋଇ ସାଗରଟା ଯୁଆଡ଼େ ଯାଇଛି ସିଆଡ଼େ ଦେଖାଯାଉଥିବା ଫର୍ଚ୍ଚା ଆକାଶକୁ ନମସ୍କାର କରି କହେ, ‘‘ଏଇ ଆଲୁଅ ନୀଳଚକ୍ରର’’ ଜଗନ୍ନାଥଙ୍କୁ ଆମେ ନମସ୍କାର କରୁ । ଭାଇ ବଂଶୀ ବଜାଏ ଏଇ ଦର୍ଶନୀବନ୍ତ ଉପରେ ବସି ଅମାବାସିଆ ରାତିରେ ପୁରୀ ସହରର ଆଲୁଅଟା ଆକାଶକୁ ଫର୍ଚ୍ଚା କରିଦେଇଥାଏ । ସରବନ୍ତ ଠାକୁରଙ୍କ ପାଖ ଯେଉଁ ଉଚ୍ଚ ବାଲିବନ୍ତ ଉପରୁ ସେଇ ଫର୍ଚ୍ଚା ଆକାଶକୁ ଆମେ ପ୍ରଣାମ କରୁ ତାକୁ କହନ୍ତି ଦର୍ଶନୀବନ୍ତ । ଫି ବରଷ ଭାଇ ସାଥିରେ ମୁଁ ପ୍ରାୟ ପୁରୀ ଯାଏ । ହରିଶପୁର ମୁହାଣରେ ଦେବି ନଦୀ ପାରି ହୋଇ ଜାହାନିଆ ପୀର ସେଠୁ ତଣ୍ଡା କିନାରେ କିନାରେ ଚାଲି ଚାଲି କୋଣାର୍କ ପୁଣି କୋଣାର୍କରୁ ରାମଚଣ୍ଡୀ ମୁହାଣରେ ନଦୀ ପାରି ହୋଇ ପୁରୀ । ଥରେ ମୁଁ ଜମା ବାଟ ଚାଲିପାରିଲିନି । ମତେ ସେଇ ବଳିଷ୍ଠ ମଣିଷଟା କାନ୍ଧକୁ ଉଠେଇ ନେଇ ଯିଏ ଦିକଡ଼କୁ ଝୁଲି ପଡ଼ୁଥିବା ଗୋଡ଼ ଦିଇଟିକୁ ବଳା ପାଖରୁ ଧରି ବନ୍ଧୁମହାନ୍ତି ପରି ଗୁଣ୍ଡିଚା ମନ୍ଦିର ପଟରୁ ବଡ଼ଦାଣ୍ଡକୁ ମାଡ଼ି ଯାଇଥିଲା, ସେ ଥିଲା ମୋ ଭାଇ ।

 

ବାଇଶି ପାହାଚରେ ମୁଁ ଠାକୁରଙ୍କୁ ଓଳିଗି ହେଲା ପରେ ପାହାଚ ଧୂଳି ଦି ହାତରେ ଆଣି ମୋ ମୁଣ୍ଡରେ ବୋଳି ‘‘ଠାକୁରେ ମୋ ଭାଇକି ପାଠ ଦିଅ” ବୋଲି କହେ ମନ୍ଦିରର ଧୂଳିକି । ମୁଣ୍ଡରେ ବୋଳିଲେ ମଣିଷର ଆଶା ପୂରଣ ହୁଏ କି ନାହିଁ ସେ ବିବାଦରେ ମୁଁ ନ ପଶିଲେ ବି ମୋର ଭାଇର ଆନ୍ତରିକତା ଯେ ମୋତେ ପାଠ ପଢ଼ିବାର ପ୍ରେରଣା ଦେଲା ଏଥିରେ ଦ୍ୱିମତ ନାହିଁ । ବଡ଼ଦାଣ୍ଡ ବହି ଦୋକାନରୁ ମୋତେ ସେ ବହି କିଣି ଦିଏ । ଘରକୁ ଆସିଲେ ବହିକି ସବୁ ଖବରକାଗଜ ମଲାଟ ମଡ଼ାଏ । ମାଟି କାନ୍ଥ ଖୋଳି କରାଯାଇଥିବା ଥାକରେ ସଜେଇ ରଖେ ।

 

ଆମର ଏଇ ଦି ଜଣିଆ ସଂସାର ଭିତରେ ପ୍ରାୟ ମୁଁ ଅଷ୍ଟମ ଶ୍ରେଣୀରେ ପଢ଼ିଲା ବେଳକୁ ଆମ ପରିବାର ଭିତରକୁ ଯେଉଁ ନୂଆ ସଦସ୍ୟଟି ଆସିଲେ ସେ ଥିଲେ ମୋ ଭାଇର ସ୍ତ୍ରୀ ମୋ ଭାଉଜ । ଗୋଟାଏ ପର ପରିବାରରୁ ଆସି ମଣିଷ ଗୁଡ଼ାକ କେମିତି ଏତେ ଆପଣାର ହୁଅନ୍ତି ? ପୁରୋହିତ କ’ଣ ସତରେ ମନ୍ତ୍ର ପଢ଼ି ମଣିଷ ସାଥିରେ ମଣିଷକୁ ଯୋଡ଼େ । ପରସ୍ପରକୁ ଭଲ ପାଇବା ଶିଖାଏ । ଭାଇର ବାହାଘର ପରେ ଦେଖିଲି ମୋର ଅନେକ ଦାୟିତ୍ୱ ସେଇ ସାବନି ସ୍ତ୍ରୀ ଲୋକଟି ନେଇଗଲା । ଯିଏ ମୋ ମୁଣ୍ଡର ସୁନ୍ଥାଣିକି ସିଧା କଲା, ପୋଡ଼ା କାଠର କୋଇଲା ପକେଇ ଇସ୍ତ୍ରୀକି ଗରମ କରି ମୋ ପ୍ୟାଣ୍ଟ, ସାର୍ଟକୁ ଇସ୍ତ୍ରୀ କଲା । ଭାରି ଖୁସି ହେଲି ଯୋଉଦିନ ବାଲିକୁଦା ବଜାରରୁ ମୋ ପାଇଁ ସେ ଚପଲ ହଳେ କିଣି ଦେଇ ବଡ଼ ହେଲେ ଜୋତା କିଣି ଦେବାର ପ୍ରତିଶ୍ରୁତି ଦେଲା ।

 

ତାପରେ ମୁଁ ଦେଖିଲି ଆମ ଘରେ ଫି ପରବରେ ପିଠାପଣା ହେଲା । ଆଗରୁ ପଡ଼ିଶା ଘର ଲୋକେ ପର୍ବପର୍ବାଣିରେ ଆମକୁ ଆହା କରୁଥିଲେ । ବେଳେ ବେଳେ କିଏ ପିଠା ପଣା ଖଣ୍ଡେ ଖଣ୍ଡେ ଦେଉଥିଲେ । କାଳେ ମୋ ମନ ଦୁଃଖ ହେବ ବୋଲି ପର୍ବପର୍ବାଣୀରେ କେତେବେଳେ ଲଡ଼ୁଟାଏ ତ କେତେବେଳେ ଛେନାଗଜାଟାଏ ପତ୍ରରେ ବାନ୍ଧି ଭାଇ ମୋ ପାଇଁ ବାଲିପାଟଣା ହାଟରୁ ଆଣେ । ହେଲେ ଭାଉଜ ଆସିଲା ପରେ ମୋତେ ଲାଗିଲା ସେଇ ବତାବାଉଁଶ ଛଣର ଘରଟାରେ ଗୋଟାଏ ମହକ ଆସିଯାଇଛି । ଦାଣ୍ଡରେ ଚିତା ପଡ଼ୁଛି । ଲିପାପୋଛା ଚଟାଣ ଉପରେ ପିଠଉର ପାଦ କେତେଟା ଗଢ଼ା ହଉଛି । ଭାଇ ସାଥିରେ ଅଣ୍ଟାର ଲୁଗା ଭିଡ଼ି ଭାଉଜ କାମ କରେ । ଗହୀର ବିଲକୁ ଖାଇଲା ପିଇଲା ବେଳକୁ ଛୋଟ ଶିକାକୁ ହାତରେ ଝୁଲେଇ ଖାଇବା କଂସା ଆଉ ପାଣି ଢାଳ ନେଇଯାଏ । ବେଳେ ବେଳେ ମୁଁ ତା ସାଥିରେ ଯାଏ । ବଳଦ ଦିଟାକୁ ବିଲ ଭିତରେ ହଳ କରି ଦେଇ ଭାଇ ହିଡ଼ି ମୁଣ୍ଡାରେ ବସି ଢକ ଢକ କରି ତୋରାଣିକୁ ପିଇ ଦଉ ଦଉ ଏ ଖରାରେ ମୋତେ କାହିଁକି ଆଣିଲ ବୋଲି କହେ । ମୁଁ ବେଳେବେଳେ ହଳ କରିବି ବୋଲି କହେ । ଭାଇ ରାଗିଯାଏ । ଆକାଶରେ ବଙ୍ଗୋପସାଗର ଆଡ଼କୁ ଧଳା ଗାରପକେଇ ଉଡ଼ିଯାଉଥବା ଜାହାଜକୁ ଚାହିଁ ତୁ ହଳ କରିବୁ ନାହିଁ, ଏଇଥିରେ ଉଡ଼ିବୁ ବୋଲି କହେ । ତୁମ ତୁଣ୍ଡ ସୁତୁଣ୍ଡ ହେଉ ବୋଲି ଭାଉଜ ଦୋହରାଏ ।

 

ଏଣିକି ରାତିରେ ଦେଖେ ଯୋଡ଼ିଏ ମଣିଷ ବସି ସପନ ଦେଖନ୍ତି । ସେ ସପନର ସରହଦ ଯେମିତି ଏ ନୀଳ ଦରିଆର ସରହଦ ଚାଇ ଅଧିକ । ସେମାନଙ୍କର ଚିନ୍ତାର ପକ୍ଷୀ ପ୍ରାୟ ଥିଲି ମୁଁ । ସେମାନେ ଚିନ୍ତା କରନ୍ତି ମୁଁ ପାଖ ସ୍କୁଲରୁ ମାଟ୍ରିକ୍ ପାଶ୍ କରିବି । ପ୍ରଥମ ଶ୍ରେଣୀ ପାଇବି । କଲେଜରେ ପାଠ ପଢ଼ିବି । ଚାକିରି କରିବି । ଗାଡ଼ିମୋଟର ଆଣି ଗାଁକୁ ଆସିବି । ମୁଁ ଘାଲେଇ ହୋଇ ପଡ଼ି ସବୁ ଶୁଣେ । ମୋ ମନଟାକୁ କିଏ କୁତୁ କୁତୁ କଲାଭଳି ଲାଗେ ।

 

ସବୁ ସପନ ସତ ହୋଇଗଲା । ମୁଁ ପାଠ ପଢ଼ିଲି । ଚାକିରି କଲି । ଆଜି ସହରରେ ମୋର ଘର । ମୋ ପାଖରେ ବେଶ୍ କିଛି ପଇସା, ଗାଡ଼ି କିଣିଛି ହେଲେ ଆଜି ଗାଡ଼ି ମଟର ଆଣି ଗାଁରେ ପହଞ୍ଚିବାର ପରିସ୍ଥିତି ଥିଲା ଭିନ୍ନ । ମୋ ବିଭାଘର ପରେ ଥରେ ପ୍ରାୟ ଆସିଥିଲି ଗାଁକୁ । ମତେ ଲାଗିଥିଲା ସମୁଦ୍ର ଜୁଆର ଆଉ ଗାଁ ଲୋକଙ୍କର ଖୁସି ଏକାଠି ହୋଇ ଫେଣ୍ଟାଫେଣ୍ଟି ହୋଇ ଜୁଆର ହୋଇ ଗାଁ ଯାଏ ମାଡ଼ି ଆସିଥିଲା । ହେଲେ ଆଜି ପହଁଚିଲା ପରେ ମୋତେ ଲାଗୁଛି ଅବସ୍ଥା କିନ୍ତୁ ଭିନ୍ନ । ମୋ ପହଁଚିବାଟାକୁ କାଇଁ ସେମିତି କିଏ ଅନୁଭବ କରି ପାରିଲା ଭଳି ଲାଗିଲା ନାହିଁ । ମଣିଷଗୁଡ଼ାକ ଜୀଅନ୍ତାଶବ ପରି ଚାଲବୁଲ କରୁଛନ୍ତି । ଆମ ଘରଟା କୋଉଠି ଥିଲା ବୋଲି ଭାବିବାକୁ ବହୁତ ଚେଷ୍ଟା କଲି । ଗାଁ ଦାଣ୍ଡ, ବାଡ଼ି ପ୍ରାୟ ସବୁ ସମାନ । ଦଣ୍ଡା ପରି ଲାଗୁଛି । ପୁରୁଣା ପୁରୁଣା ଚାଳ ବାଉଁଶ କୋଉଠି ଛନ୍ଦା ଛନ୍ଦି ହୋଇ ପଡ଼ିଛନ୍ତି । ପାଣି ପବନ ଖାଇଲା ପରେ କୋଉଠି କୋଉଠି ଭୁଶୁଡ଼ା କାନ୍ଥର ଅବଶିଷ୍ଟାଂଶ ।

 

ଗୋଟେ ଜାଗାରେ ପଲିଥିନ୍ ଆଉ ବରଡ଼ା ଛାଉଣୀ ଘରଟିରେ ଯାହାକୁ ଆବିଷ୍କାର କଲି ସେ ଥିଲା ନିତେଇସାହୁର ବୁଢ଼ୀ । ବୁଢ଼ା ମରିଯାଇଥିଲା ଆଗରୁ, କେବଳ ଥିଲା ବୁଢ଼ୀ । ବାତ୍ୟାରେ ଗାଁର ପ୍ରାୟ ଅଧା ଲୋକ ଧୋଇ ହୋଇ ଯାଉଛନ୍ତି । ବୁଢ଼ୀ ପ୍ରାୟ ପବନକୁ ସମାଳି ଦେଇଛି । ମତେ ଦେଖୁ ଦେଖୁ ବୁଢ଼ୀ ଥରିଲା ଭାଷାରେ କହିଲା କ’ଣ ଶୁଦ୍ଧ ହେବାକୁ ଆସିଚୁ ? ୨ ଦିନ କେଇଟା ଆଗରୁ ଆସିଲୁନି ?

 

ମହାବାତ୍ୟାରେ ଯେଉଁଦିନ ଶ୍ରୀବନ୍ତପୁର ଗାଁଟା ହତଶ୍ରୀ ହେଉଥିଲା, ସେଦିନ ମୁଁ ଥିଲି ଭୁବନେଶ୍ୱରରେ । ଖବର ପାଇଥିଲି ଆମ ଗାଁରେ ଅଧେ ଲୋକେ ନାହାନ୍ତି । ସମୁଦ୍ର ଭସେଇ ନେଇଛି । ସେଦିନ ସେଇ ଅଧେ ଲୋକଙ୍କ ସାଥିରେ ମୋ ଭାଇ, ଭାଉଜ ଥିଲେ କି ନା ଜାଣିବା ପାଇଁ ଚେଷ୍ଟା କଲା ବେଳେ ମୋତେ ଯିଏ ଅଟକେଇଥିଲା ସେ ଥିଲା ସୁବ୍ରତା, ମୋର ସ୍ତ୍ରୀ । ଯିଏ ମୋର ଚାକିରି ଲୋକଙ୍କ ପାଖରେ, ଅବା ତାର ପରିବାରର ବନ୍ଧୁ ଲୋକଙ୍କ ପାଖରେ ମୋର ଏଇ ପରିଚୟଟିକି ଗୋପନ ରଖିବାକୁ ଚାହେଁ । ସହରରେ ଥିବା ଆମ ଗାଁ ଲୋକଙ୍କ ପାଖରୁ ଖାଲି ଶୁଣିଥିଲି ଆମ ଗାଁକୁ ଘରଉଚ୍ଚରେ ପାଣି ମାଡ଼ି ଆସିଥିଲା । କିଏ କୁଆଡ଼େ ଗଲେ ତାର ହିସାବ ନାହିଁ । ହେଲେ ଭାଇ ଭାଉଜ ଆଉ ନାହାନ୍ତି ବୋଲି ଶୁଣିଥିଲି । ଏପରିକି ତାଙ୍କ ପିଲାମାନେ ବି ।

 

ବିବାହ ପରେ ମୋର ଏଇ ସବୁଠାରୁ ଭଲ ପାଉଥିବା ନିଜର ମଣିଷଗୁଡ଼ାଙ୍କୁ ପର ବୋଲି ଘୋଷଣା କରାଯାଇଥିଲା । ମୋର ଭାବୀ ଶ୍ଵଶୁର ଯେଉଁଦିନ ମୋର ବିବାହ ପ୍ରସ୍ତାବ ନେଇ ଶ୍ରୀବନ୍ତପୁର ଗାଁରେ ଗାଡ଼ି ନେଇ ପହଞ୍ଚିଥିଲେ । ସେଦିନ ଖୁସିରେ ଆମ ଘର ଫାଟିପଡ଼ିଥିଲା । ଭାଇ ଭାଉଜ ନିଜ ଆଡ଼ୁ ପ୍ରସ୍ତାବ ଦେଇଥିଲେ ବାହାଘର ଭୁବନେଶ୍ୱରରେ ହେବ । ତାହା ହିଁ ହେଲା-। ଗାଁରେ ସେଇ ମଣିଷ ସେଇଠି ରହିଗଲେ । ସୁବ୍ରତା ପାଇଁ ସେମାନଙ୍କର ପରିଚୟଟା ସମସ୍ୟା ହେଲା । ଆଦର୍ଶ ସହ କାଣିଚାଏ ମାତ୍ର ସାଲିସ୍ କରିପାରୁ ନଥିବା କିନ୍ତୁ ଦୁଃଖ ସହ ଶତବାର ସାଲିସ୍ କରିପାରୁଥିବା ଏଇ ମଣିଷ ଦିଓଟି କିନ୍ତୁ ଘଟଣା କ୍ରମେ ମୋ ଠାରୁ ଦୂରେଇ ଗଲେ ମୋ ଉପରେ ଅନେକ ପ୍ରକାର ନିଷେଧାଦେଶ ଜାରି ହେଲା ।

 

କାଇଁ ଆଜି ଆସିଲୁରେ ପୁଅ ? ତୋଫାନରେ ଆସି ଭାଉଜଟାକୁ ପାଖକୁ ନେଇ ଯିବାକୁ ତମୁକୁ ବିଧାତା କହିଲା ନାହିଁ । କି ବଡ଼ ଘର ଝୁଅ ହେଇଚି ସିଏ ? ବତାସ ଆସିଲା ଯେ ବଡ଼ ଛୋଟ ସବୁ ସମାନ ହେଇଗଲେ । ପାଚେଲାକୁ ଛାଡ଼ି କଂଚାକୁ ନେଇଗଲା । ଦେଖୁଚୁ ମୁଁ ବଂଚିଛି । ପାଗେଳୀଙ୍କ ପରି ଏଇଠି କେତେଦିନ ଯାଏ ଗୁଣୁ ଗୁଣୁ ହେଇଥିଲା ବୋହୂଟା । ତୋଫାନ ପରେ ହାତରୁ କାଚ କାଢ଼ି ନଥେଲା । ଭାଇ ତୋର ତୋଫାନରେ ରାତିରେ ଥେଲା ମାଛ ଘେରିରେ । କେତେ ପାଣି ଆଇଲା ଯେ ବାରେଣା ଲୋକେ ମିଳିଲେ ନାହିଁ । ଭାଇ ଆଉ ଫେରିଲା ନାହିଁ । ସାଂଗରେ ଥିଲା ଛୋଟ ପୁଅଟା ।

 

କେତେଦିନ ଯାଏ ସମୁଦ୍ର କୂଳକୁ ଦଉଡ଼ୁ ଥିଲା ବୋହୂଟା । ହାତରୁ କାଚ କାଢ଼ି ନଥିଲା । ଯେତେ କହିଲେ ବିଶ୍ୱାସ କରେନାହିଁ । ଭାଇ ନିଶ୍ଚେ ବଂଚିକିରି ଅଛି ବୋଲି କହେ । ତତେ ଭାରି ଅନେଇଥିଲା । ଦର୍ଶନୀବନ୍ତରେ ଠିଆ ହୋଇ କେତେଥର ତମେ ଭଲରେ ରହ ବୋଲି କାଳିଆକୁ ଡାକେ ।

 

ତୋଫାନ ପରେ କେତେ କିଏ ଗାଁକୁ ଆସିଲେ । ମଂଗରାଜ ଘର ସାହାବାଣୀ ବୋହୂ ସଇତେ । କିଏ କେତେ ଓଷଧ ମୋଷଧି ଆଣିଥିଲେ । ଭାଷାତ ବୁଝି ପାରୁ ନଥେଲି ହେଲେ ତା ଆଖିରୁ ପାଣି ଭଳିଆ ଲୁହ ଗଡ଼ିଯାଉଥିଲା ।

 

ତୋଫାନରେ ମରିଥିବା ମଣିଷଙ୍କ ପାଇଁ ସରକାର ପଇସା ଦେଲେ । ହାତରୁ କାଚ କାଢ଼ିଲା ନାହିଁ କି ପଇସା ନେଳା ନାହିଁ । “ମଣିଷ ଯଦି ଗଲା ସେ ପଇସା ଚୁଲିକି ଯାଉ’’ ବୋଲି କହିଲା । ଏମିତିକି ଘର ଭଙ୍ଗା ଟଙ୍କା କି ରିଲିଫ ଚାଉଳ ତୋ ଭାଉଜ ନେଲା ନାହିଁ । ଯେତେ କହିଲେ କହେ, “ତତେ ଅପମାନ ହେବ ।” ସରକାରରେ ତୁ ବଡ଼ ଚାକିରି କରିଛୁ । ତୋ ଘର ନାଁ ରିଲିଫ ଖାତାରେ ଉଠିବ । ଶେଷକୁ ଏମିତି ବୋକାଙ୍କ ଭଳି ବସି ଗୁଣୁ ଗୁଣୁ ହୋଇ ବନ୍ଦରେଇ ଠାକୁରାଣୀଙ୍କ ଚଟାଣରେ ଅଜ୍ଞାନ ହୋଇ ପଡ଼ିଗଲା । ମଲା ଆଗରୁ ତୋ ପାଇଁ ଗୋଟେ କରାଟ ଦେଇଛି ।

 

ମତେ ଲାଗିଲା ମୋ ମୁଣ୍ଡ ଉପରେ ଆକାଶ ନାହିଁ । ଅଛି ଗୋଟେ ଲଜ୍ଜାର ବୋଝ । ଆଜି ମୁଁ ଗାଁକୁ ଆସି ନାହିଁ ମୋର ଭାଇ ଭାଉଜ କି ମୋର ଗାଁର ଲୋକେ କେମିତି ଅଛନ୍ତି ଦେଖିବାକୁ ? କାହାକୁ ବା ମୁଁ ଆଜି ପଚାରିବି ମୋର ଗାଁ ତଳ ଜମି କିଏ କିଣିବ ? ଭାଇ ଭାଉଜ ଓ ତାଙ୍କ ପରିବାର ବିଷୟରେ ଆଦୌ ସଚେତନ ନଥିବା ସୁବ୍ରତା କିନ୍ତୁ ଆମର କେତେ ମାଣ ପାଣିଜମି ବିଷୟରେ ସଚେତନ ହୋଇ ଉଠୁଥିଲା । ସେ ଖାଲି କହୁଥିଲା ଏବେ ଗାଁ ତଳେ ଚୁଙ୍ଗୁଡ଼ି ଘେରି ହଉଚି । ଗାଁ ଜମିର ମୂଲ ବଢ଼ି ଯାଉଛି । ଭାଇ ଭାଉଜ ଚାଲିଗଲା ପରେ ସେ ସବୁବେଳେ ମତେ ମୋର ଏଇ ପୈତୃକ ସମ୍ପତ୍ତି ବିଷୟରେ କହେ । ତୁରନ୍ତ ବିକି ଦେଇ ପଇସା ଆଣିବା ତାର ଚିନ୍ତା । ଭାଇ ଭାଉଜ ଓ ତାଙ୍କ ପରିବାର ନିଖୋଜ ହେଲେ କି ମରିଗଲେ ବିଷୟରେ ତାର ଚିନ୍ତା ନାହିଁ । କେବେ ହେଲେ ସେ ସେମାନଙ୍କ କଥା ମନେ ପକେଇ ଉଦାସ ହୋଇ ନାହିଁ ।

 

ମୁଁ ଶୁଣୁଥିଲି ଭାଉଜ ରିଲିଫ ନେଇ ନାହାନ୍ତି । ଘର ଭଙ୍ଗା ଟଙ୍କା ନେଇ ନାହାନ୍ତି । ପାଠ ପଢ଼ିନଥିବା ଏଇ ମଣିଷଟା କିନ୍ତୁ ବୁଝିଥିଲା ରିଲିଫ, ଘର ଭଙ୍ଗା ସାହାଯ୍ୟ ନିଆଶ୍ରୀଙ୍କ ପାଇଁ । ସେ ନିଆଶ୍ରୀ ନଥିଲା । ମୁଁ ଛାତିରେ ହାତମାରି ମୋର ସ୍ପନ୍ଦନକୁ ପରୀକ୍ଷା କଲି । ମୁଁ ବଂଚିଛି । କିନ୍ତୁ ମୋର ମନେ ହେଉଥିଲା ମୁଁ ସତରେ ବଂଚିନାହିଁ । ମରିଯାଇଛି । କିନ୍ତୁ ମୋ ମରିବାଟାକୁ ଭାଉଜ ବିଶ୍ୱାସ କରିପାରି ନଥିଲେ । ସୁବ୍ରତା ଥରେ ମତେ ଶୁଣେଇ କହିଥିଲା ପରିବାରର କେହି ମହାବାତ୍ୟାରେ ମରିଥିଲେ ପଚସ୍ତରି ହଜାର ଟଙ୍କା ଲେଖାଁ ମିଳୁଛି, ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ । ମୁଁ ନିରୁତ୍ତର ରହିଥିଲି । ଅମଣିଷ ପଣିଆଁର ପ୍ରାୟ ସୀମା ନାହିଁ । ସୁବ୍ରତା ଚାହୁଁଛି ଉତ୍ତରାଧିକାରୀ ସୂତ୍ରେ ମୁଁ ସେ ଟଙ୍କା ଗ୍ରହଣ କରେ ।

 

ଆମ ବିବାହ ପରେ ଯେଉଁ କେତେଦିନ ଭାଉଜ ସହରକୁ ଆମ ଘରକୁ ଆସିଥିଲେ ସେ ସୁବ୍ରତାକୁ ଦୋଳିରେ ଝୁଲାଇଲା ଭଳି ରଖିଥିଲେ । କିନ୍ତୁ ମମତାର ଏକ ଢଳ ଢଳ ମଣିଷଟି ପାଖରେ ଛଳନାର ପାହାଡ଼ଟି ନିଜକୁ ଛୋଟ ମନେ କରୁଥିଲା । ସହି ପାରୁନଥିଲା ଆଦୌ । କେହି କେବେ ତାଙ୍କ ବିଷୟରେ ପଚାରିଲେ ସେ ଲୁଚେଇଲା ଲୁଚେଇଲା ହେଇ ଆଖି ମିଟି ମିଟି କରି “ମେଡ଼ ସରଲ୍ୟାଣ୍ଡ’’ ବୋଲି ଚୁପ୍‌କିନି କହିଦିଏ । ଆଖିର ଚାହାଣିରୁ ମନର ଭାବଟା ବୁଝି ହେଇ ଯାଏ । ଭାଉଜ ପ୍ରାୟ ସବୁ ବୁଝିପାରିଥିଲେ ।

 

ଗାଁର ଚାରିଆଡ଼କୁ ମୁଁ ଚାହୁଁଥିଲି । ତୋଫାନ ସବୁ ଟାଳି ଦେଇଛି । ସାଗର ସବୁ ଭସେଇ ନେଇଛି । କିନ୍ତୁ ଭସେଇ ପାରିନି ସେଇ ଗାଉଁଲି ଝିଅଟିର ସ୍ୱାଭିମାନକୁ । ଆଜି ମୁଁ କିନ୍ତୁ ଆସିଛି ମୋ ପରିବାରର ଧ୍ୱଂସାବଶେଷ ଭାବେ ଥିବା ଜମି କେତେମାଣକୁ ବିକି ଦେବାକୁ । ମହାବାତ୍ୟାରେ ଭାଇ ଭାଉଜଙ୍କର କୁଳ ବୁଡ଼ି ଯାଇଛି । ଖୁବ୍ ସହଜରେ ତାକୁ ବୁଝି ଆଜି ମୋର ଏଇ ଅଭିଯାନ । ଭାଇ ଭାଉଜଙ୍କର କୁଳ ବୁଡ଼ିନାହିଁ । କୁଳ ବୁଡ଼ି ଯାଇଛି ପ୍ରାୟ ସ୍ନେହ ପ୍ରେମ ମମତା ଆଉ ମଣିଷ ପଣିଆର ।

 

ବୁଢ଼ୀ ମୋ ମୁଣ୍ଡକୁ ଆଉଁଶି ଦେଇ ଘର ଭିତରକୁ ପଶିଯାଇ ଛୋଟ କରାଟ ଟିଏ ଆଣି ତାକୁ ଖୋଲି ମୋ ହାତକୁ ଯାହା ଦେଲା ତା ଥିଲା ଭାଉଜଙ୍କ ମଙ୍ଗଳସୂତ୍ର । ଯାହା କି ମୋ ଦେଖିବାରେ ସବୁବେଳେ ତାଙ୍କ ବେକରେ ଚକ ଚକ କରୁଥିଲା ।

 

କେବେ ଆମେ ଆସିଲେ ଆମକୁ ଦେବାକୁ ବୁଢ଼ୀକି ଦେଇଛନ୍ତି । ଭାଉଜଙ୍କୁ ଘୃଣା, ଖାଲି ଘୃଣା ନୁହେଁ ଚରମ ଈର୍ଷା କରୁଥିଲା ସୁବ୍ରତା । କିନ୍ତୁ ଖୁବ୍ ଭଲପାଉଥିଲା ତାଙ୍କ ବେକର ମଙ୍ଗଳସୂତ୍ରକୁ ।

 

ବାହାରେ ପଡ଼ିଥିବା କାଠ ଖଣ୍ଡ ଉପରେ ମୁଁ ବସି ପଡ଼ିବାକୁ ଗଲାବେଳକୁ ବୁଢ଼ୀ ଡାକି ଦେଲା ଘରକୁ । ପଲିଥିନ୍ ବରଡ଼ା ଘେରା ଘରକୁ ପଶିଲା ବେଳକୁ ମୋ ଆଖିରେ କ’ଣ ଟିକେ ପଡ଼ିଗଲା । ଆଖିରେ ପାଣି ଛାଟି ଆଖି ସଫା କଲା ବେଳକୁ ମୁଁ ଭାବୁଥିଲି ସେଇ ନିର୍ବିକାର ଜୀବ ଦିଓଟି କଥା । ସେଦିନ କଲେଜରେ ଛୁଟିରେ ଘରକୁ ଆସିଥିଲା ବେଳେ କ’ଣ ଗୋଟେ ପଡ଼ିଲା ଆଖିରେ । ସଂଗେ ସଂଗେ ମତେ ଖଟ ଉପରେ ବସେଇ ଦେଇ ଛାତିରୁ ଲୁଗା କାଢ଼ି ନିଜ ଥନରୁ କ୍ଷୀର ଚୁପୁଡ଼ି ଦେଇଥଲେ ମୋ ଆଖିରେ । ଲୁଗା କାନିକି ପାଟିରେ ଥରେ ଦି'ଥର ମାଡ଼ି ମୋ ଆଖିକି ଆଫା କରିଦେଇଥିଲେ । ଛଳନା ବିହୀନ ଭଲପାଇବାର ଚରମ ପରିପ୍ରକାଶ ପାଖରେ ନିର୍ବିକାର ଭାବରେ ଭାଇ ଛିଡ଼ା ହୋଇ ମୋ ଆଖିର ପତାକୁ ତଳ ଉପର କରି ଦେଉଥିଲା । ସେମାନଙ୍କ ଆଖିରେ ମୁଁ ଥିଲି ସେମିତି ସ୍କୁଲ୍‍ ପିଲାଟିଏ । ମତେ ଲାଗୁଛି ଏ ପୃଥିବୀଟା ମୋ ଭାଉଜର ପ୍ରଶସ୍ତ ଛାତି ଆଉ ମୋର ଅଂଧ ଆଖି ଉପରେ ସେଠୁ ନିଗିଡ଼ି ପଡ଼ୁଛି ମମତାର ପୟୋଧାରା । ଆଉ ଆକାଶରୁ ଖସି ଆସୁଥିବା ଆଲୋକ ହେଉଛି ସେମାନଙ୍କର ମମତା ଭରା ଆଖି । ସେମାନେ ମିଶି ଯାଇଛନ୍ତି ପାଣିରେ, ପବନରେ, ଆଲୋକରେ, ଉତ୍ତାପରେ । ମିଶିଛନ୍ତି ଧରିତ୍ରୀରେ, ଆକାଶରେ । ଆଜି ପ୍ରାୟଶ୍ଚିତ ପାଇଁ ମୋ ପାଖରେ ଜାଗାଟିକେ କାଇଁ ?

☆☆☆

 

ବନାଗ୍ନି

 

ଯୋଉଦିନ ମୁଁ ଏକ ସରକାରୀ କାମରେ ଯାଇ ଗଙ୍ଗାଧରପୁର ଗାଁ ସ୍କୁଲରେ ରହିଲି, ସେଦିନ ନିଶୁନ ରାତିରେ ଆମ କାନରେ ବାରବାର ବାଜିବାକୁ ଲାଗିଲା ସେଇ ପୁରୁଣା ଶବ୍ଦ କେତୋଟି । ଲୋ ରେବି, ଲୋ ନିଆଁ, ଲୋ ଚୁଲି । ଏରସମା ସୀମାରେ ସାଗରକୁ ଅଳ୍ପ ଛାଡ଼ି ଗଙ୍ଗାଧରପୁର ଗାଁ । ଗହନରାତିରେ ସେଠି ଖାଲି ଶୁଭେ ସମୁଦ୍ରର ରହିରହି କରୁଥିବା ଗର୍ଜନ ଆଉ ଝାଉଁ ପତରର ଶିରିଶିରି ଶବ୍ଦ । ମାଟି ଉପରେ ଯେତେବେଳେ ଜହ୍ନ ତାର ଆଉଟା ରୂପା ରଙ୍ଗରେ କିରଣଗୁଡ଼ାକ ଢାଳିଦିଏ ଅବା ରାତି ତା'ର ଅପରାଜିତା ଫୁଲ ରଙ୍ଗରେ ଅନ୍ଧାର ଭିତରେ ବୁଡ଼େଇ ରଖେ ସେତେବେଳେ ତା’ର ରଙ୍ଗ ବଦଳିଯାଏ ।

 

ବାରବାର ସେଇ ବିଚିତ୍ର ଶବ୍ଦ ବାଜୁଥାଏ କାନରେ । ସମୁଦ୍ରର ଝପଝପ ଶବ୍ଦ ଭିତରେ ମଝିରେ ମଝିରେ ବେଳେ ବେଳେ ଅସଷ୍ଟ ହୋଇ ଯାଉଥାଏ ଲୋ...... ରେବି, ଲୋ..... ଚୁଲି.... ଲୋ ନିଆଁ..... । ମୋ ଅବଚେତନ ମନରେ କ'ଣ ଏଭଳି ଶବ୍ଦ ଲୁଚି ରହି ମୋତେ ପ୍ରତାରିତ କରୁଛି-? ନା । ନିରବରେ କାନ ଡେରି ଶୁଣିଲି । ଠିକ୍ ସେଇ ସ୍ୱର ଆଲୋ ନିଆଁଲାଗିଟା ବତାସ ଅଇଁଠା ହେଇ ବଞ୍ଚିଥିଲା, କି କାଳ କାମ କଲା, କାଇଁ ଭୋବନିଶର ଗଲା ? ତା’ ପରେ କାନ୍ଦ ନୁହେଁ, ଭେମାରଡ଼ି ।

 

ପାଖରେ ଥିବା ସହକର୍ମୀ ବନ୍ଧୁ ବି କାନ ପାତି ଶୁଣିଲେ । ପାଖରୁ କୋଉଠୁ କାନ୍ଦଣା ଆସୁଛି, ଲୋ ବନି, କୁଆଡ଼େ ଗଲୁଲୋ । ପାଣି ପବନ ତତେ ନେଇ ନଥେଲା । ବାପ ଭାଇ ଗଲେ, ମତେ କାଇଁକି ତୁ କୋଡ଼ରେ ଧରିଥେଲୁ ଲୋ । ଲୋ ବନି.... କୁଆଡ଼େ ଗଲୁ ଲୋ ।

 

ପାଆନ୍ତିଆ ପହରକୁ ବୁଢ଼ୀର କୋହ କମି ଆସିଥାଏ । ମଣିଷଟା କେତେ ବା କାନ୍ଦିବ ? ଶିତୁଳି ପବନ ଭିତରେ ଯେତେବେଳେ ଚାଲିଚାଲି ଯାଇ ବୁଢ଼ୀ ପାଖରେ ପହଞ୍ଚିଲୁ, ଦେଖିଲୁ ଦାଣ୍ଡ ପିଣ୍ଢାରେ ଜାକିଜୁକି ହୋଇ ମଶିଣା ଉପରେ ବୁଢ଼ୀ ଶୋଇଚି । ମଝିରେ ମଝିରେ କାନ୍ଦୁଚି । ସେଇ ରାହା, ଲୋ ବନି....... କୁଆଡ଼େ ଗଲୁ ଲୋ ।

 

ଗାଁ ଦାଣ୍ଡରେ ମଝିରେ ମଝିରେ କୁକୁର କେତେଟା ଭୁକି ଉଠୁଛନ୍ତି । ଏପଟ ସେପଟ ଚାହିଁଲା ଭିତରେ ଯେଉଁ ଯୁବକଟି ଆମ ପାଖରେ ପହଞ୍ଚିଲା ତା’ ନାଁ ଥିଲା ଶୋଭନ । ପାଖ ଗାଁରେ ଘର । ବୁଢ଼ୀକି ବେଳେ ବେଳେ ବୁଝାଉଥାଏ ବନି ଆସିବ,ସେ ଦିଲ୍ଲୀ ଯାଇଛି, ଭୋବନିଶରଠଉଁ ବଡ଼ ସହର, ସେଠି କେଡ଼େ କେଡ଼େ ବଡ଼ ହାକିମ ଅମଲା ଅଛନ୍ତି । ବୁଢ଼ୀ ତାକୁ ବଲବଲ କରି ଚାହୁଁଥାଏ । ଚୁପ୍ ହୋଇ ବିଶ୍ୱାସରେ ଶୁଣୁଥାଏ । ପୁଣି ଅବିଶ୍ଵାସର ଝଲକାଏ ଦୃଷ୍ଟି ଫୋପାଡ଼ି ଦେଇ ସେ ଭେଁ କରି କାନ୍ଦି ଉଠୁଥାଏ । ପୁଣି ସେଇ ରଡ଼ି । ସେଇ କୋହ । ଏତେବଡ଼ ସାଗରର ଗର୍ଜନଠାରୁ ବି ଅଧିକ ।

 

ଶୋଭନ ଧରିଥିବା ମଗରୁ ପାଣି ଗ୍ଲାସେ ବଢ଼ଉଥାଏ ବୁଢ଼ୀ ହାତକୁ । ନବ ନାଇଁ କି ନବ ହୋଇ ମଝିରେ ମଝିରେ ଢୋକେ ପିଇ ଦଉଥାଏ । କାଇଁ ତୁ ମତେ ମିଶିରି ପାଣି ଦେଇ ଭୁଲଉଚୁ । ମୋ ବନିକି କୋଉଠି ଛାଡ଼ିଲୁ ଲୋ.... । କାଇଁ ତାକୁ ଭୋବନିଶର ନେଲୁ ଲୋ.... । ପୁଣି ପିଲାଟି ବୁଝାଉଥାଏ ବନି ଆସିବ । ‘ସିଏ ଭଲରେ ଅଛି, ଦିଲ୍ଲୀ ବହୁତ ଦୂର, କେମିତି ବା ଆସିବ ।'

 

ଯୁବକଟି ଆମକୁ ମଝିରେ ମଝିରେ ଚାହୁଁଥାଏ । ବୁଢ଼ୀ ଆଖିରେ ପ୍ରାୟ ଆଉ ଆଲୁଅ ନାହିଁ । ବେଳେ ବେଳେ ଶୋଭନର ହାତର ଆଙ୍ଗୁଠି କେତେଟାକୁ ଜାବୁଡ଼ି ଧରୁଥାଏ । ସତ କହ, ବନି ମୋର ବଞ୍ଚିଛି କି ନାଇଁ ବୋଲି ପଚାରୁଥାଏ । ଗାଁ ଲୋକ କୁହାକୁହି ହଉଛନ୍ତି ‘ନିଆଁଲାଗିଟା ପୋଡ଼ି ମଲା ପୁଣି ସିଏ କୋଉ ଦିଲ୍ଲୀ କି କୁଆଡ଼େ ଗଲା ।’

 

ତା'ପରେ ଆମ ରହୁଥିବା ସ୍କୁଲ୍‍ ଘର ପାଖରେ ଯେତେବେଳେ ଆମକୁ ଶୋଭନ ନାମକ ସେଇ ଯୁବକଟି ଭେଟିଲା, ମତେ ଲାଗିଲା ବନି ନାମକ ସେଇ ବାଳିକାଟି ଯେମିତି କୁଆଡ଼େ ଯାଇନି, ଏଇଠି ଆମ ଆଗରେ ସିଏ ପବନ ହେଇ ବହୁଛି, ସାଗର ହେଇ ଘୁ ଘୁ ଗର୍ଜନ କରୁଛି ପୁଣି ପୂର୍ବ ଆକାଶର ଲାଲ ରଙ୍ଗ ସାଙ୍ଗରେ ଆଉଟି ହେଇ ଯାଇଛି ।

 

ଗଙ୍ଗାଧରପୁର ଗାଁର ହରି ପ୍ରଧାନର ଝିଅ ବନି । ଶୋଭନ ଆମକୁ କହୁଥିଲା ବନିର କାହାଣୀ । ବାପ ତା’ର ଥିଲା ଛୋଟ ଚାଷୀଟିଏ । ଢିପ ଜମିକୁ ଚାଷ କରେ । ପୁଣି ଘର ଚାରିପାଖରେ ଥିବା ଜମିରେ ରାତି ଦିନ ତଳକୁ ଅନେଇ ବସିଥାଏ । ପନିପରିବା ଗଛରେ ସବୁବେଳେ ତା’ ବଗିଚା ଭରପୂର । କାମ ଛଡ଼ା ଆଉ କିଛି ଜାଣେନା । ଆଣ୍ଠୁ ଉପରକୁ ଲୁଗା । ତେଲ ଜରଜର ଦେହ, କାନ୍ଧରେ ଗାମୁଛାଟାଏ, ହାତରେ କୋଡ଼ିଟାଏ କି ଦାଇଲିଟାଏ । ସକାଳୁ ଲୁଣଲଙ୍କା ସାଙ୍ଗରେ ପଖାଳ କଂସାଏ ଖାଇ କାମକୁ ଯାଏ । ପୁଣି ପେଟରୁ ଭାତ ସରିଲେ ଘରକୁ ଫେରେ । ପୁଣି କଂସାଏ ଭାତ ଖାଇ କାମ କରେ । ତା' ବଂଶରେ ଅତୀତରେ କେହି ସ୍କୁଲ୍‍ ଯାଇ ନାହାନ୍ତି । ଆଉ ହରି ପଧାନ ନିଶ୍ଚିତ ଥିଲା ଯେ, ତା’ ଅଗିଲା ପିଢ଼ିରେ ବି କେହି ସ୍କୁଲ୍ ଯିବେନି ।

 

ସାବନି ରଙ୍ଗର ଯୋଉ ଝିଅଟା ତା କୋଡ଼କୁ ଆସିଥିଲା, ତା ନାଁ ଦେଇଥିଲା ବନି । ବାପର ପ୍ରାୟ ଆଶା ଥିଲା ଝୁଅଟା ବଢ଼ିବ, ତା’ ସାଥିରେ ଭାତ କଂସା ନେଇ ବିଲକୁ ଯିବ । ପୁଣି ବଡ଼ ହେଲେ ପାଖ ଆଖ ଦେଖି କୋଉଠି ବାହା କରିଦେବ । ବନି କିନ୍ତୁ ଥିଲା ନିଆରା ପିଲାଟାଏ । ସବୁଦିନେ ସକାଳୁ ଉଠିଲେ ବାପାକୁ ଭୂଇଁରେ ମଥା ଲଗେଇ ଓଳଗି ହୁଏ । ବାପା ତା’ର ଚିଡ଼ି ଉଠେ-। ମୋ ବଂଶରେ କିଏ ପାଠ ପଢ଼ୁଥିଲା, ଇଏ ପଢ଼ୁଚି । ପାଠ ବଡ଼ ବଡ଼ ଲୋକଙ୍କ କଥା ବୋଲି କହେ । ହେଲେ ସରସ୍ୱତୀଙ୍କର କନ୍ୟା ପରି ବନି ବହୁତ ଭଲ ପଢ଼ୁଥିଲା । ଯାହା ଥରେ ଶୁଣେ ମନେରଖି ଦିଏ । ସାର୍ ଯୋଉ ଅଙ୍କ ଦିଅନ୍ତି, ସାଙ୍ଗେ ସାଙ୍ଗେ କରିଦିଏ ।

 

ଶୋଭନ ଆମକୁ କହିଲା ବେଳକୁ ବନି ନାମକ ସେଇ ଝିଅଟାର ଗୋଟାଏ କଳ୍ପନାର ରୂପରେଖ ଆମ ଆଗରେ ପ୍ରାୟ ପ୍ରସ୍ତୁତ ସରିଥାଏ ।

 

ଶୋଭନ କହୁଥିଲା ବନିକୁ ତା’ ବାପା ବହୁତ ରାଗେ । ଝୁଅପିଲାଟାର ପାଠ କ’ଣ ହେବ, ଯାହା ପାଠ ପଢ଼ିଲେ ଚୁଲିମୁଣ୍ଡକୁ । ବାପା ମାଆଙ୍କୁ କ'ଣ ସକାଳୁ ଗୋଡ଼ ତଳେ ପଡ଼ୁଛି । ମୋ ବଂଶରେ କେହି ପାଠ ପଢ଼ି ନଥିଲେ । ହେଲେ ସାବନି ପତଳି ଏଇ ଝିଅଟି ମଲ୍ଲୀଫୁଲ ପରି ଖାଲି ହସିଦିଏ । ଘର କାମ ସବୁ କରେ । ତା’ରି ଭିତରେ ପାଠ ପଢ଼ି ସେ କ’ଣ ହବାକୁ ସପନ ଦେଖେ କି ନାଇଁ କେଜାଣି, ତା ବାପାର ତା’ ପାଠ ପାଇଁ ମୋଟେ ସପନ ନଥାଏ । ଶୋଭନ କହୁଥିଲା ଘରେ ତା’ର ବଡ଼ ଭଉଣୀକି ଠେଲି ପେଲି ତା’ ବାପା ପଢ଼ାନ୍ତି । ଆଜି ମୁଣ୍ଡ କାଲି ପେଟ ବୋଲି କହି ମାସେରେ ଆଠ ଦଶଦିନ ସେ ସ୍କୁଲ ଯାଏନି । ମାଟ୍ରିକ୍ ପରୀକ୍ଷାରେ ସଂପର୍କୀୟ ବନ୍ଧୁ ଆସିଥିଲେ ସେଣ୍ଟର ସୁପରିଟେଣ୍ଡେଣ୍ଟ ହୋଇ । ତାଙ୍କ ଖାତିରିରେ ସେ ବହି ପକେଇ ଲେଖିଲା । ହେଲେ ଅଙ୍କରେ ରଫ୍ କରିନଥିବାରୁ ମୁଣ୍ଡା ପାସ୍ ନମ୍ବର ଥିଲା । କିନ୍ତୁ ବନିର ବାପା ରାତିରେ ଡିବି ଲିଭେଇ ଶୋଇବାକୁ କହେ । ତଥାପି ବନି ପ୍ରଥମ ଶ୍ରେଣୀରେ ପାଶ୍ କଲା । ପୁଣି ତିନିକୋଶ ବାଟ ଚାଲି ଚାଲି ସେ କୋଠି କଲେଜରେ ପାଠ ପଢ଼ି ବିଏ ପାଶ୍ କଲା । ସ୍ଵାଭିମାନୀ ଏଇ ଝିଅଟି କୌଣସିଥିରେ କାହାକୁ ସାହାଯ୍ୟ ମାଗେନି । କାହା ମୋଟର ସାଇକେଲ ପଛରେ ଯିବାକୁ କେବେ ଲିଫ୍ଟ ମାଗେନି । ଏଇ ଛକରେ କୁଷ୍ଠରୋଗୀ ତାକୁ ମା’ ବୋଲି ଡାକି ତା କଲେଜ ଯିବା ଫେରିବା ବାଟକୁ ଅନେଇ ବସେ । ଗାଁ ଗହଳିର ଅପାଠୋଇ ବୋହୂ କଲିକତା ବରର ଭାଷା ଖଣ୍ଡକ ପଢ଼ିଦବାକୁ କନକନ ହେଇ ଚାହିଁ ରହେ । ଗାଁରେ କିଏ ବାଧିକି ପଡ଼ିଲେ ବନି ତା’ ପାଇଁ ପଥି କରିଦିଏ ।

 

ଶୋଭନର କଥା ଶେଷ କରିବାକୁ ଧୈର୍ଯ୍ୟ ନଥିଲା ମୋର । ପଚାରିଲି ତେବେ ଏ ବନି ଭୁବନେଶ୍ୱର ଗଲା କାହିଁକି । ସେଠୁ ପୁଣି ତମେ କହୁଛ ଦିଲ୍ଲୀ ଯାଇଛି । ଘରେ ତା’ର ବୁଢ଼ୀ ମା' କନ୍ଦୁଛି । ରହସ୍ୟର ପରଦା ଶୀଘ୍ର ଖୋଲିବାକୁ କହିଲି ଶୋଭନକୁ ମୁଁ ।

 

ବୁଢ଼ୀର କୋହ କାନ୍ଦ ମୋ କାନରେ ବାଡ଼େଇ ହେଉଥିଲା । ଦିନର କୋଳାହଳ ଭିତରେ ମୋ ବନି ତୁ କୁଆଡ଼େ ଗଲୁ..... ଚିତ୍କାର ଆଉ ଶୁଭୁନି । ତଥାପି ମୋ କାନରେ ବାଜୁଥିଲା ନିଆଁ ଲାଗି ତୁ କାଇଁ ଭବନିଶର ଗଲୁଲୋ, ସେ ଅସୁର ରାଇଜକୁ ତତେ କିଏ ନେଲା ଲୋ ।

 

ଭୁବନେଶ୍ୱରକୁ ବୁଢ଼ୀ ଅସୁର ରାଇଜ ବୋଲି କହୁଚି । ସତରେ ବି ଭୁବନେଶ୍ୱର ଗୋଟାଏ ଅସୁର ରାଇଜ । ହରଗୌରୀଙ୍କର ଏଇ ଏକାମ୍ରକ୍ଷେତ୍ର ଶୋଷକମାନଙ୍କ ଭୂସ୍ୱର୍ଗ ପାଲଟିଛି-। ଯେଉଁଠି ଦେଖିବ ମାଳ ମାଳ କୋଠା । ଶ୍ରମରେ ନୁହେଁ, କଳା ଟଙ୍କାରେ ଗଢ଼ା ।

 

ଶୋଭନ କହି ଚାଲିଥିଲା ତୋଫାନରେ ଯେଉଁଦିନ ପାଣି ମାଡ଼ିଆସିଲା, ବନଜାର ମା’ ବାପା ଭାଇ ସମସ୍ତେ ଭାସିଗଲେ । ରହିଗଲେ ବୁଢ଼ୀ ମା' ଆଉ ସେ ନିଜେ । କାଳର ଗତି ବିଚିତ୍ର । କାହାକୁ ନେଲା କାହାକୁ ରଖିଲା । ଝିଅଟିକୁ ବୁଢ଼ୀ ବତାସ ଅଇଁଠା ବୋଲି କହେ ।

 

ଏତେ ସରଳ ଏରସମାଟାକୁ ଅନେକ ଛଦ୍ମବେଶୀ ଆସିଲେ । ସମସ୍ତଙ୍କ ହାତରେ କମଣ୍ଡଳୁ, ଦେହରେ ଗୈରିକ ବସନ, ଆଖିରେ ମଣିଷ ପାଇଁ ଲୁହ । କିଏ ବା କେମିତି ଚିହ୍ନିବ ସତରେ କିଏ କାନ୍ଦୁଛି କି କିଏ ଅଭିନୟ କରୁଛି । ବନଜା ପ୍ରତିବାଦର ଚିହ୍ନଟିଏ । ଗରିବ, ଏକଲା ମଣିଷ ପାଇଁ ସେ ବ୍ଲକ ଅଫିସ୍ ଦୁଆରେ ଥରେ ମହିଳା ସମାବେଶ କଲା । ପିମ୍ପୁଡ଼ି ଧାର ପରି ଘର କୋଣର ନିରୀହମାନେ ଛୁଟିଲେ । ଦାବି ପାଇଁ ସରକାର ଦୁଆରେ ଅଡ଼ି ବସିଲେ । ପାଖ କୁଞ୍ଜକୋଠି ଆଶ୍ରମରେ ସାମନ୍ତଙ୍କ ଠାରୁ ଆମେ ଅନେକ ଶୁଣିଛୁ କୁଜଙ୍ଗର ଲୁଣମରା ଆନ୍ଦୋଳନର କାହାଣୀ । ରାଣୀ ଭାବମତୀ ଯେତେବେଳେ ରମାଦେବୀ, ମାଳତୀ ଦେବୀଙ୍କ ସାଙ୍ଗରେ ରାଜବାଟୀରୁ ବାହାରି ଆସିଥିଲେ ପିମ୍ପୁଡ଼ି ପରି ତାଙ୍କ ପଛରେ ଧାଡ଼ି ବାନ୍ଧିଥିଲେ କୁଜଙ୍ଗ ଲଳନା । ପୁଣି ଥରେ ଦେଖିବାକୁ ମିଳିଥିଲା ସେଇ ଜନଲହରୀ ଏଇ ରାଜବାଟୀର ରାଣୀ ନୁହେଁ, ଏଇ କୁଟୀର କୁମାରୀ ପଛରେ ।

 

ରାସ୍ତାରେ କଣ୍ଟ୍ରାକ୍ଟର କାମ ନକଲେ ସେଠି ପହଞ୍ଚୁଥିଲା ବନଜା, ସରକାରୀ ଅଫିସର ରିଲିଫ୍ ବାଣ୍ଟୁ ନଥିଲେ ସେଠି ପହଞ୍ଚୁଥିଲା ବନଜା ।

 

ହେଲେ ଶୋଭନ, ବନଜା, ଆଜି କେଉଁଠି ? ସିଧାସଳଖ ଥିଲା ମୋର ଏଇ ପ୍ରଶ୍ନ । ଅବତାରଣାର ଶେଷ କରି ବାକୁ ଚାହୁଁଥିଲି ମୁଁ । ଏଯାବତ୍ ଛଳ ଛଳ ଦେଖାଯାଉଥିବା ଶୋଭନର ଆଖିରୁ ଲୁହ ବୋହିଗଲା । ମୁଁ ଯେତେବେଳେ ଏଇ ଯୁବକଟିର ଆଖିକି ଚାହିଁଲି ସେ କଇଁ କଇଁ ହୋଇ ଜୋର୍‌ରେ କାନ୍ଦି ଉଠିଲା ।

 

ସମ୍ପର୍କ ଯାହା ହେଲେ ବି ଶୋଭନର ଯେ ବନି ପ୍ରତି ଅନେକ ମମତା ଥିଲା, ଏ କଥା ମତେ ଶୋଭନର ଆଖି କହିଦେଉଥିଲା । କଥାରୁ ଯାହା ବୁଝିଲି ଶୋଭନ ବନଜାର ପାଖାପାଖି କ୍ଳାସରେ ପଢ଼ୁଥିଲା । ବାତ୍ୟା ବେଳେ ତା’ ପରିବାରର ସମସ୍ତେ ରକ୍ଷା ପାଇଯାଇଛନ୍ତି । ଆର୍ଥିକ ସ୍ୱଚ୍ଛଳତା ଯୋଗୁଁ ଅନେକ ଦିନରୁ ଦ୍ୱିତଳ ପ୍ରାସାଦଟିଏ ତାଙ୍କର ଥିଲା ।

 

ଶିକ୍ଷା ସହାୟିକା ଭାବେ ବନଜା କାମଖଣ୍ଡିଏ ପାଇଥିଲା । ଆଈମା ଆଉ ସେ ସେଇଥିରେ ଚଳୁଥିଲେ । ଶିକ୍ଷା ସହାୟିକାମାନଙ୍କୁ ସ୍ଥାୟୀ ଚାକିରିଟିଏ ଦେବା ଦାବିରେ ସେଦିନ ସାରା ଓଡ଼ିଶାରୁ ଶିକ୍ଷାକର୍ମୀମାନେ ଆସୁଥିଲେ ଭୁବନେଶ୍ୱର । ପେଟରେ ସମସ୍ତଙ୍କ ଭୋକ । ଫୁଲବାଣୀର ମାଳ, କୋରାପୁଟର ଜଙ୍ଗଲ ଅବା ଏରସମାର ବେଳାଭୂମି ସବୁ ସେଠି ଏକ ହୋଇଯାଇଥିଲେ । ଜାତିବିଜାତିର ଭେଦ ନଥିଲା । ଭୋକିଲା ଯୁବକ ଯୁବତୀଙ୍କର ଥିଲା ଗୋଟିଏ ଜାତି । ସରକାର ଉଦାସ ରହିଲେ । ମଣିଷର ଡାକ ପ୍ରାୟ ଭୁବନେଶ୍ଵରର କାହା କାନରେ ବାଜି ପାରିନଥିଲା । ଅବା ବାଜିଥିଲେ ବି ନିଶ୍ଚୟ ନିଷ୍ପ୍ରଭ ଥିଲା । ଦିନ ଦିନ ଧରି ସେମାନେ ବସି ରହିଥିଲେ ପିଏମଜି ଛକରେ । ବେଳେ ବେଳେ ଲାଠିଆଳ ପୁଲିସ୍‌ ତାଙ୍କୁ ତଡ଼ିଦିଏ । ପୁଣି କେତେବେଳେ କାନତରାଟିରେ ମଟର ସାଇକେଲ ଉପରୁ ସେମାନଙ୍କ ଉପରୁ ଅଶ୍ଳୀଳ ଇଙ୍ଗିତ ଆସେ । ହେଲେ ଭାଙ୍ଗି ପଡ଼ି ନଥିଲେ । ପେଟରେ ଓଦାକନା ଦେଇ ରାଜଧାନୀକୁ ଆସୁଥିବା ଏଇ ଯୁବକ ଯୁବତୀମାନେ କେମିତି ବା ଘରକୁ ଫେରିବେ ?

 

ଅନଶନ କରିବସିଲା ବନଜା, ବସିଲେ ଅନେକ ଭାରତ କୁମାର କୁମାରୀମାନେ । ହେଲେ ଏ ଅଭିମାନର ମୂଲ୍ୟ କିଏ ଦେବ । ବ୍ରିଟିଶ ସରକାର ପାଖରେ ଅନଶନ କରି ବସିଲେ ସାହେବମାନେ ଚମକି ପଡ଼ୁଥିଲେ । ଦରଦରେ କି ଭୟରେ, ଯାହା ବି ହେଉ ସେମାନେ ଚମକୁଥିଲେ । ହେଲେ କଳା ମଣିଷଗୁଡ଼ାକଙ୍କର ଦରଦ ନାହିଁ କି ଭୟ ନାହିଁ । ଆଘାତ ପାଇଲେ ବନଜାମାନେ ଯୋଉଦିନ ସେମାନେ ସରକାରୀ ଦଳର ଲୋକଗୁଡ଼ାଙ୍କ ପାଖକୁ ଯାଇ ନିରାଶାରେ ଫେରିଲେ । ଆଉ ତା' ପରେ ପୁଣି ବିରୋଧୀ ଦଳର ଲୋକଗୁଡ଼ାକ ପାଖକୁ ଗଲେ । କେତେ ସୁନ୍ଦର ସୁନ୍ଦର କଥା ଏମାନେ କହୁଥାଆନ୍ତି । ହେଲେ ସମସ୍ତଙ୍କର ଆଖିରେ ସେଇ ସମାନ ଦୃଷ୍ଟି । ବ୍ୟକ୍ତିଗତ ଭାବେ ସମସ୍ତେ ସମ୍ପର୍କ ରଖିବାକୁ ଆଗ୍ରହୀ । ଅସହାୟତାର ସୁଯୋଗ ନେବା ପାଇଁ ଏମାନେ ପ୍ରତିଶ୍ରୁତି ବଦ୍ଧ ।

 

ଆହୁରି ଭୟଙ୍କର ଥିଲେ ବ୍ରିଟିଶ୍ ସରକାର ଛାଡ଼ି ଦେଇ ଯାଇଥିବା ଏଇ ଅମଲାଗୁଡ଼ାକ-। ଏମାନେ କହନ୍ତି କେତେ ଇନ୍ଦ୍ର ଗଲେଣି, ହେଲେ ଶଚୀମାନେ ଅଛନ୍ତି । ନିରାଶ ହୋଇଥିଲେ ସମସ୍ତେ । ସବୁଠି ଅଶ୍ଳୀଳତାର ଇଙ୍ଗିତ ।

 

ଦାବି ପୂରଣ ପାଇଁ ଆକସ୍ମିକ ଭାବେ ପ୍ରତିବାଦରେ ବନଜା ଆତ୍ମାହୁତି ଦେଲା । ଭୁବନେଶ୍ୱରର ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଉଠିଲା ତା’ର ଦେହ ।

 

ସେଦିନ ଗାଁକୁ ଫେରିଲା ପରେ ଦେଖିଲି ବୁଢ଼ୀ କାନ୍ଦୁଛି । କାନକୁ କାନ ଖବର ଆସିଛି ବନି ପୋଡ଼ି ହୋଇ ମରିଛି । ବୁଢ଼ୀର ଆଖିରେ ଦେଖିବାର ଶକ୍ତି ନାହିଁ । କେହି ବି ନାହାନ୍ତି । ଗାଁକୁ ଫେରି ବୁଢ଼ୀକି ମିଛ କଥାଟିଏ କହିଛି । ବନି ଦିଲ୍ଲୀ ଯାଇଛି । ଭୁବନେଶ୍ୱରରେ ହଠାତ୍ ତା’ର ବାହାଘର ହୋଇଯାଇଛି । ବର ଦିଲ୍ଲୀରେ । ବୁଢ଼ୀ ବିଶ୍ୱାସ କରେନି । ସେମିତି କାନ୍ଦୁଥାଏ । ଦିନରାତି ତା’ ପାଇଁ ସବୁ ସମାନ ।

 

ସେତେବେଳକୁ ଦିନ ଅନେକ ହେଲାଣି । କାନକୁ ପୁଣି ଶୁଭୁଥାଏ ସେଇ କାନ୍ଦଣାର ସ୍ୱର । ସେଇ ପାଟି, ବନି ତୁ କୁଆଡ଼େ ଗଲୁଲୋ...... । ବତାସ ଅଇଁଠା ହୋଇ ତୁ କାହିଁକି ବଞ୍ଚୁଥେଲୁ ଲୋ..... ।

 

ହଠାତ୍ ଦେଖିଲି ମୋ ସାଥିରେ ଆସିଥିବା ମୋର ପତ୍ନୀ ଅନୁରାଧା ସ୍ଲିପର ଦି’ଟା ଗୋଡ଼ରେ ଗଳେଇ ଘର ଭିତରୁ ବାହାରି ଜରିରେ ଦିଟା ପୁଡ଼ିଆ ଧରି ଆମକୁ ଅନେଇ ହସି ଦେଇ ଯୁଆଡ଼ୁ କାନ୍ଦଣା ଶୁଭୁଥିଲା ସିଆଡ଼କୁ ଚାଲିଗଲା । ମୁଁ ସରକାରୀ କାମରେ ଏଇ ଗାଁକୁ ଆସିଥିଲା ବେଳେ ଅନୁରାଧା ମୋ ସାଙ୍ଗରେ ବାହାରି ଆସିଥିଲା । ମୋର ଏଇ ଲେଖିକାପତ୍ନୀଙ୍କର ଇଚ୍ଛା ଥିଲା ଏରସମାର ପଟ୍ଟଭୂମି ଦେଖିବା ପାଇଁ । ହୁଏତ ପରବର୍ତ୍ତୀ କାହାଣୀରେ ତାକୁ ସେ ବ୍ୟବହାର କରିବେ ।

 

କିଛି ସମୟ ଧରି ସେ ନ ଫେରିଲାରୁ ଶୋଭନର ମୋର ତାଙ୍କୁ ଅନୁସରଣ କରି ଯାଇ ଦେଖିଲୁ କାହାଣୀ ଖୋଜିବାକୁ ଆସିଥିବା ଲେଖିକା ନିଜେ କାହାଣୀ ପାଲଟି ଯାଇଛନ୍ତି । ବୁଢ଼ୀ ତାଙ୍କୁ ଭିଡ଼ି ଧରି ଗେଲ କରି ଚାଲିଛି । ତୁ କୁଆଡ଼େ ଥେଲୁ ଲୋ । ସିଏ ଭୋବନିଶର ଅସୁରପୁରୀରୁ ତୁ କେମିତି ଅଇଲୁ ଲୋ । ପାଟିରେ ମିଠା ଖୋଇଦେଇ ‘ମୋ ବର ବି ଆସିଛନ୍ତି’ ବୁଢ଼ୀକୁ କହିଲେ । ଦେଖଣାହାରୀ ସମସ୍ତଙ୍କୁ ପାଟିରେ ଆଙ୍ଗୁଳି ଦେଇ ଚୁପ୍ ରହିବାକୁ ଅନୁରୋଧ ସଂକେତ ଦେଉଥିଲେ-। ବନଜାର ଦରଦଭରା କାହାଣୀ ପ୍ରାୟ ଅନୁରାଧାଙ୍କୁ ମୋହିତ କରିଥିଲା ବନଜାର ଅଭିନୟ କରିବାକୁ । କିନ୍ତୁ ମତେ ଲାଗୁଥିଲା ଯେମିତି ତାହା ଅଭିନୟ ନଥିଲା ଥିଲା ଏକାନ୍ତ ବାସ୍ତବତା-। ତୃପ୍ତିରେ ବୁଢ଼ୀ କଲ୍ୟାଣ କରି ଚାଲିଥିଲା ଅନନ୍ତକୁ, ଅସୀମକୁ, ଅସୁରପୁରୀରୁ ଫେରେଇ ଆଣିଥିବାରୁ ଝିଅକୁ । ଅନୁରାଧା କହୁଥିଲେ ‘ମା’ ମୋତେ ପୁରା ବତାସ ବଞ୍ଚାଇ ରଖିଛି ସେଇ ଅସୁରମାନଙ୍କୁ ମଣିଷ କରିବାକୁ ।’ ପ୍ରାୟତଃ ସେ ତାଙ୍କ ଆଗାମୀ କାହାଣୀର ପଟ୍ଟଭୂମି ପାଇଯାଇଥିଲେ ।

☆☆☆

 

ଅନ୍ଧପୁଟୁଳି

 

ହଠାତ୍ ଦିନେ ଦେଖାହେଲା ସୁମନ ସାଥିରେ । ବହୁବର୍ଷର ବ୍ୟବଧାନ ଭିତରେ ମୋ ମନ ଭିତରୁ ହଜିଯାଇଥିଲା ସୁମନ । ସେ ମୋ ଅପେକ୍ଷା ଦୁଇତିନି ବର୍ଷ ସାନ ହେବ । ପଢ଼ୁଥିଲୁ, ଏକା ସ୍କୁଲରେ । ଘର ଆମର ଏକା ଗାଁରେ । ଗାଁର ନାଁ ଫୁଲଝରନ । ସତରେ ସେ ଗାଁରେ ଫୁଲ ଝରେ, ପ୍ରତିଟି ସକାଳରେ । ଯେତେବେଳେ ଗୋଡ଼ିବାଣ ଗଛ ଉପରେ ସୂର୍ଯ୍ୟକିରଣଟା ଚକ୍‌ଚକ୍ କରେ ସୁନେଲି ଫୁଲ ଗୁଡ଼ାକ ଆହୁରି ସୁନେଲି ହୋଇ ଉଠନ୍ତି । ସୂର୍ଯ୍ୟ ଉଠେ, ପାହାଡ଼ର ମଥାନ ଉପରକୁ । ହେଲେ ଫୁଲଝରନକୁ ଛାଇକରି ରଖିଥାଆନ୍ତି ଫୁଲ ଆଉ ପତରମାନେ । ଫୁଲଝରନର ଦେବୀ ମନ୍ଦିରରେ ଯେତେବେଳେ ମାଦଳ ବାଜେ, ନିଥର ପ୍ରକୃତି ଜୀବନ୍ତ ହେଇଯାଏ । ପାହାଡ଼, ଗଛ ଝରଣା ସମସ୍ତେ ଗୀତ ବୋଲନ୍ତି ।

 

ହେଲେ ଗାଁ ଭୂଇଁରେ ଏଇ ଗୀତ ଏଇ ସୁର ଏଇ ଛନ୍ଦକୁ ପଛରେ ପକେଇ ଯେଉଁ କେତେଜଣ ସୁନାର ହରିଣ ପଛରେ ଦଉଡ଼ି ଚାଲିଛନ୍ତି ତା’ଭିତରୁ ମୁଁ ଆଉ ସୁମନ ଜଣେ ଜଣେ । ଫୁଲଝରନର ଫୁଲ ଆମପାଇଁ ମଉଳି ଯାଇଛି ।

 

ଯଦିଓ ଗାଁରେ ଥିଲାବେଳେ ସୁମନ ସହ ମୋର କିଛିଟା ବନ୍ଧୁତା ଥିଲା କିନ୍ତୁ ଇତି ମଧ୍ୟରେ ସେ କେବେ ମୋର ଦେଖାହେଇନି । ମୋର ବି ଥରେ ଅଧେ କେବେ ତା’କଥା ମନେ ପଡ଼ିବା ହେଜ ଭିତରେ ନାହିଁ । ହେଲେ ସେଦିନ ମା’ ସମେଲେଶ୍ୱରୀ ମନ୍ଦିର ବେଢ଼ାରେ ଯେତେବେଳେ ସେ ‘ଭାଇ’ ‘ଭାଇ’ ବୋଲି ଜୋରରେ ପାଟିକରି ମୋ ପାଖକୁ ଦୌଡ଼ି ଦୌଡ଼ି ଆସିଲା ମତେ ଆଶ୍ଚର୍ଯ୍ୟ ଲାଗିଲା । ଯେମିତି ଏତେବର୍ଷର ବ୍ୟବଧାନ ଭିତରେ ଆମ ସଂପର୍କ ଜମା ମଉଳି ଯାଇନି ବରଂ ଆହୁରି କିଛି ବଢ଼ିଯାଇଛି । ପରସ୍ପରକୁ ଆମେ ନିୟମିତ ବ୍ୟବଧାନରେ ଦେଖିଲା ପରି ଲାଗିଲା ।

 

ସମଲେଶ୍ୱରୀ ମନ୍ଦିରରେ ମଙ୍ଗଳଆଳତିର ଅନୁଭୂତି ନିଆରା । ଦୀପଶିଖା ମଝିରେ ଉଦ୍ଭାସିତ ହୋଇ ଉଠୁଥିବା ଜଗତ-ଜନନୀ, ଭୁବନ ମୋହିନୀ, ସକଳ ମଙ୍ଗଳ କାରିଣୀ ମାତୃମୂର୍ତ୍ତି ଜୀବନ୍ତ ହୋଇ ଉଠୁଥିଲା, ବେଳକୁ ବେଳ । ମୁଁ ଶବ୍ଦର ଘୋର ବିରୋଧୀ । ନୀରବତାଠାରୁ କିନ୍ତୁ ମଧୁର ମଙ୍ଗଳଆଳତି ବେଳର ଘଣ୍ଟ, ଘଣ୍ଟା, କାହାଳୀ ମାଦଳର ସ୍ୱର । ଆରତୀର ସୁର ଫୁଲଝରନର ଝରଣାର କୁଳୁକୁଳୁ ପରି ଲାଗୁଥିଲା ଆପଣାର । ବହୁବାର ମା’ଙ୍କର ଏଇ ମନ୍ଦିରକୁ ଆସିଥିଲେ ବି ମଙ୍ଗଳଆଳତି ବେଳର ଏଇ ମାଧୁର୍ଯ୍ୟର ଆବିଷ୍କାର କେବେ କରିନଥିଲି । ଇଚ୍ଛା ହଉଥିଲା ସମସ୍ତଙ୍କୁ କହିବାକୁ ଏଇ ମଙ୍ଗଳଆଳତି ବେଳେ ସମଲେଶ୍ୱରୀ ମନ୍ଦିରକୁ ବୁଲିଯିବାକୁ ।

 

ଟିକିଏ ଖୋଲା ଜାଗାକୁ ମୋ ହାତଧରି ଭିଡ଼ି ନେଲା ସୁମନ । ଏକ ନିଶ୍ୱାସରେ ପଚାରିଗଲା ଭଲମନ୍ଦ । ତା’କଥା କହି ବସିଲା । ଏଇ ବୁଢ଼ାରଜା ପାହାଡ଼ତଳେ ରହୁଚି । ଘରଟିଏ ନିଜର କରିଛି ଚାକିରି କରୁଛି ଜ୍ୟୋତି ବିହାରରେ, ୟୁନିଭର୍‍ସିଟି ଅଫିସରେ । ଏଇ ମୁହୂର୍ତ୍ତରେ ମୋ ମୁହଁକୁ ଅଚିହ୍ନା ଅଚିହ୍ନା ଆଖିରେ ଚାହିଁ ଚାହିଁ ଯେଉଁ ମୁକ୍ତକେଶୀ ବୋହୂଟି ପାଖକୁ ପାଖକୁ ଆସିଲା ସେ’ଥିଲା ସୁମନର ସ୍ତ୍ରୀ । ଯେତେବେଳେ ଚିହ୍ନେଇ ଦବାପାଇଁ ମୋ ନାଁଟି ଧରିଛି ସୁମନ, ବୋହୂଟିର ଗତି ପ୍ରାୟ ବନ୍ଧଭଙ୍ଗା ପାଣିର ସୁଅଠାରୁ ଅଧିକ ହୋଇଗଲା । ବେକରେ କାନି ଗୁଡ଼େଇ ଅଞ୍ଚଳକୁ ଗୋଟିଏ ହାତରେ ଧରି ଯେତେବେଳେ ଆଭୂମ ପ୍ରଣାମ କଲା ବହୁତ ଅପ୍ରତିଭ ମନେକଲି ମୁଁ । କାରଣ ସୁମନ ଆଉ ମୋ ଭିତରେ ବୟସର ବ୍ୟବଧାନ ଏତେ ନୁହେଁ ଯେ ମୁଁ ଏପରି ସମ୍ମାନର ଅଧିକାରୀ ହେବି ? ପୁଣି ଇତି ମଧ୍ୟରେ ଏତେ ଦଶନ୍ଧିର ବ୍ୟବଧାନ । ମୁଁ ଭାବୁଥିଲି ଭୁଲକ୍ରମେ ଏସବୁ ଘଟିଗଲା ପ୍ରାୟ । ଆହୁରି ଆଶ୍ଚର୍ଯ୍ୟ କଲା ନିଂସକୋଚରେ ବୋହୂଟି ଚାହିଁଥିଲା ମୋ ମୁହଁକୁ । ଆଖରୁ ଲାଗୁଥିଲା ଏଇ ମୁହୂର୍ତ୍ତରେ ଆନନ୍ଦାଶ୍ରୁ ଯେମିତି ଗଡ଼ିପଡ଼ିବ ।

 

‘‘ଆମେ ପ୍ରାୟ ପ୍ରତିଟି ସକାଳରେ ଏଇ ମନ୍ଦିରକୁ ଆସୁ । ଆସୁଛୁ ଜହ୍ନ ଜ୍ୟୋତ୍ସ୍ନାର ରାତିରେ, ପୁଣି କେବେକେବେ ବର୍ଷାରେ । ଏଇ ମଙ୍ଗଳଆଳତିର ପରିବେଶ ବହୁତ ଭଲଲାଗେ । ମୋ ଅପେକ୍ଷା ସ୍ୱପ୍ନାକୁ ଆହୁରି ବେଶୀ ଭଲଲାଗେ’’ କହୁଥିଲା ସୁମନ ! ସୁମନର ସବୁକଥା ମତେ କେମିତି ମାତ୍ରାଧିକ ଲାଗୁଥିଲା କ’ଣ ପାଇଁ ସେ ଏତେ ଆତ୍ମୀୟତା ଦେଖଉଛି । ପୁଣି ତା’ର ପରିବାର, ସେମିତି ସମସ୍ତେ ମୋର ଚିହ୍ନା । ଖାଲି ଚିହ୍ନା ନୁହେଁ, ସତେ ଯେମିତି କୃତଜ୍ଞ ।

 

ଆଳତି ସରି ଆସୁଥିଲା । ସେଠିକି ଯିବାକୁ ସଂକେତ ଦେଲା ବୋହୂଟି । ସମଲେଶ୍ୱରୀ ମନ୍ଦିର ଏଇ ଦୀପାଳୀ ଗୁଡ଼ାକ ଖୁବ ସୁନ୍ଦର । ଆହୁରି ସୁନ୍ଦର ଦିଶେ ତା’ର ସିନ୍ଦୂରା ଫାଟି ଆସୁଥିବା ବେଳେ ଶିଖାଟି ଟିକେଟିକେ ଦୋହଲିଗଲେ ଲାଗୁଥିଲା ଯେମିତି ଆଳତିର କମ୍ପନ ସାଥିରେ କଂପି ଉଠୁଛି । ବେଳକୁବେଳ ଗୋଟାଏ ଆଶ୍ଚର୍ଯ୍ୟର କୁହେଳିରେ ମୁଁ ଛନ୍ଦି ହେଇ ଯାଉଥିଲି । ଫୁଲଝରନ ଛାଡ଼ିବା ପାଖାପାଖି ତିରିଶବର୍ଷ ହେଲାଣି । ମଝିରେ ମଝିରେ ମୁଁ ଯଦି କେବେ ଗାଁକୁ ଯାଇଚି, କେବେ ସୁମନ ସାଥିରେ ଦେଖା ହେଇନି ।

 

ଆଳତି ସରିଲା ପରେ ସୁମନ ବାଧ୍ୟକଲା ତା’ ସାଥିରେ ତା’ ଘରକୁ ଯିବାକୁ । କେଉଁଠି ରହୁଚି ବୋଲି ପଚାରିଲା । ମୁଁ କହିଲି ‘ସର୍କିଟ ହାଉସରେ ।’ ଆସିଛି ଟୁରରେ । ଯଦିଓ ବି ମୋର ଯିବାର ସେମିତି କିଛି ଇଚ୍ଛା ନଥିଲା ତଥାପି ମୋତେ କାହିଁକି ମୋର ଅନୁସନ୍ଧିତ୍ସୁ ମନ ଯିବାକୁ ବାଧ୍ୟ କଲା ।

 

ଆମରି ଏଇ କଥା ଭିତରେ ପାଖକୁ ଆସି ମନ୍ଦିର ଗମ୍ଭୀରା ଭିତରକୁ ଡାକିନେଲା ବୋହୂଟି । ସଂକେତ ଦେଲା ସିନ୍ଦୂର, ଫୁଲ ଦେବାକୁ । ଦିନେ, ଦିନେ ଏଠିକି ଆସୁଥିବାରୁ ମନ୍ଦିରର ସବୁଲୋକ ପ୍ରାୟ ତା’ର ପୁରା ପରିଚିତ । ସିନ୍ଦୁର, ଧଣ୍ଡା ଦେଉ ଦେଉ ତାଙ୍କ ଆଖିରୁ ମତେ ଲାଗିଲା ଯେମିତି ଅତିକ୍ରାନ୍ତ ବୟସ୍କ ପୂଜକ ଜଣକ ଜାଣିବାକୁ ଗହୁଁଛନ୍ତି ମୋର ସଂପର୍କ । କଥା ବୁଝିଲା ପରି ବୋହୂଟି କହିଲା “ନନା, ଯାହାଙ୍କ କଥା ମୁଁ କହେ । ଦିନେ ଆପଣ ଦେଖିଥିଲେ ବୋଉ ସାଥିରେ ଆସି ଏ ମନ୍ଦିର ବେଢ଼ାରେ କେତେ କାନ୍ଦୁଥିଲି । ବାହା ହେଲାପରେ ବି ଶାଶୁଘର ଛାଡ଼ି ଏଇ ମୁଦିପଡ଼ାରେ ବାପଘରେ ରହୁଥିଲି, ସେତେବେଳେ ସେ ଆମକୁ ଆଡ଼ ଆଖିରେ ଚାହୁଁ ନଥିଲେ । ଘରେ ଭାଇ, ଭାଉଜ, ବନ୍ଧୁ ବାନ୍ଧବ ସମସ୍ତଙ୍କୁ ଚାହିଁଲେ ମତେ ଲାଜ ଲାଗେ । ବିଶ୍ୱାସ ଲାଗେନା ଏଇ ଘରେ ମୁଁ ଜନ୍ମ ହେଇଚି । ଲାଗେ ଯେମିତି ସମସ୍ତେ ସାତପର । ଭାବିନଥିଲି ଆଉ ଦିନେ ମୋର ଘର ହସିବ । ହେଲେ ଯାହାଙ୍କ ପାଇଁ ମୋ ଘର ସଂସାର ପୁଅ, ଝିଅ ସବୁ.... ।”

 

କଥା ଛଡ଼େଇ ନେଇ ପୂଜକ କହିଲେ “ତୋରି ପରି ହେଇଚି ଝିଅ କାଲି ତା’ ବାବୁ ସାଥିରେ ଆସିଥିଲା ।"

 

ଏ ସବୁ କିଛି ବୁଝି ପାରୁନଥିଲି । ସୁମନକୁ ସ୍ଵପ୍ନା ନାମକ ଏଇ ନାରୀଟିକି କେବେ ମୁଁ କେଉଁଠି ଦେଖିଛି, ତା’ମୋର ମନେ ପଡ଼ୁନଥିଲା । ମୁଁ ନିଶ୍ଚିତ ଥିଲିଯେ ପ୍ରାୟ ଭୁଲ ପରିଚୟରେ ସେ ଏ ସବୁ କରୁଚି । ବରଂ ଏମାନଙ୍କ ପାଖରୁ ଖସିଯିବା ପାଇଁ କାଇଁ ମନହେଲା । କାରଣ ପ୍ରକୃତ ପରିଚୟ ପାଇଲା ପରେ ସୁମନ ଆଉଁ ସ୍ଵପ୍ନା ପ୍ରାୟ ଆଶ୍ୱସ୍ତିବୋଧ କରିବେ । ଭୁଲ ପରିଚୟରେ ଏତେ ଆଦର କରି ନିକଟତର ହୋଇଥିବାରୁ ଦୁଃଖ କରିବେ ।

 

ଏପରି ଏକ ପରିସ୍ଥିତିକୁ ସମାନା କରିବା ଅପେକ୍ଷା ଏଇଠୁ ଦୂରେଇଯିବା ଉଚିତ ହେବ ଭାବି, ମୋର କାମ ଅଛି ବୋଲି କହି ଯିବାକୁ ବାହାରିଲି । ବେଳେବେଳେ ମଣିଷମାନେ ଭୁଲରେ ଏପରି ଭ୍ରମରେ ପଡ଼ନ୍ତି । ଏପରିକି ମାନସିକ ଦୋଷ ବି ହେଇପାରେ ।

 

ମୋର ଗମ୍ଭୀରତା ଲକ୍ଷ୍ୟ କରି ସୁମନ କହିଲା ‘ସ୍ୱପ୍ନା ମନ ଦୁଃଖ କରିବ, ଛାଡିବ ନାହିଁ ପ୍ରାୟ । କଥା ସରିଲା ବେଳକୁ ସ୍ୱପ୍ନା ଆସ କେମିତି ଆସିଛି ବୋଲି ପରରିଲା ‘ରିକ୍ସାରେ' ବୋଲି ଉତ୍ତର ଶୁଣି ସାଂଗେସାଂଗେ ଡାକିଦେଲା ରିକ୍ସାଟେ । ନଯିବାର ଉପାୟ ନଥିଲା ମୋର ।

 

ମୋର ଏଇ ନବୁଝିପାରିବାର ଆଖିକୁ ପ୍ରାୟ ଲକ୍ଷ୍ୟକରି ପାରିଥିଲା ସୁମନ । ଘରେ ପହଁଚି ସ୍ଵପ୍ନା ଯେତେବେଳେ ରୋଷେଇ ଘରେ ସକାଳେ ଜଳଖିଆ ପ୍ରସ୍ତୁତିରେ ଲାଗିପଡ଼ିଲା, ମୋର ଅନ୍ୟମନସ୍କ ଭାବ ଦେଖି, ସୁମନ କହିଲା, ଆପଣ ଭ୍ରମରେ ନୁହେଁ ଠିକ ଜାଗାକୁ ଆସିଛନ୍ତି । ମୋର ଭ୍ରମ ଦୂର କରିବାକୁ ସେଲ୍‌ଫରୁ ଯେଉଁ ରୂପେଲି ଯୁଗଳ ଫଟୋଟିକି ସେ ଆଣିଲା ତା’ ଥିଲା ମୋର ଆଉ ମୋ ପତ୍ନୀଙ୍କର । କଳାଧଳା ଫଟୋ । ହସ ଲାଗିଲା । ଆମ ଘରେ ପ୍ରାୟ ସେ ଫଟୋ ଆଉ ନାହିଁ । ମୋ ବିବାହର ଅଳ୍ପଦିନ ପରେ ଉଠିଥିଲା । ସେଦିନ ଆଜି ପରି ମୋର ପୃଥୁଳକାୟ ଚେହେରା ନଥିଲା । ପତ୍ନୀଙ୍କୁ ପ୍ରାୟ ଓଡ଼ିଶୀ ଗହଣାରେ ସଜେଇ ଦେଇଥିଲେ ମୋର ଜଣେ ଅଗ୍ରଜା-

 

କୌଣସି ଘଟଣାକୁ କାହାସହ ସଂଯୋଗ କରି ପାରୁନଥିଲି ମୁଁ । ପୂଜକଙ୍କୁ କହୁଥିଲା ବୋଉ ସ୍ୱପ୍ନା ଆସି ଏଇ ମନ୍ଦିରରେ କାନ୍ଦୁଥିଲା । ଶାଶୁଘର ସହ ସଂପର୍କ ନଥିଲା । ଆଜି ସ୍ଵପ୍ନର ସୁନାର ସଂସାର, ହେଲେ ଏଠି ମୋର ଭୂମିକା କ’ଣ ? ବେଳକୁବେଳ ମୁଁ ନିଶ୍ଚିତ ହେଉଥିଲି ଯେ ସ୍ଵପ୍ନାକୁ ମୁଁ କେବେ ଆଗରୁ ଜାଣିନି । ସୁମନ ସହ ବି ମୋର ଇତି ମଧ୍ୟରେ କେବେ ଦେଖା ହେଇନି-। ତା’ର ସୁଖର ସଂସାରକୁ ଗଢ଼ିବାରେ ମୋର କିଛି ଅବଦାନ ନାହିଁ ।

 

“ସ୍ଵପ୍ନା ସାଥିରେ ବାହାଘର ବେଳେ ମୁଁ ଚାକିରି କରୁଥିଲି ଜ୍ୟୋତି ବିହାରରେ’’ କଥା ଆରମ୍ଭ କଲା ସୁମନ । ଜ୍ୟୋତି ବିହାର ମତେ ଲାଗୁଥିଲା ଗୋଟେ ପକ୍ଷୀଗହନ ପରି । ମୋ ଅଫିସକୁ ବିଭିନ୍ନ କାମରେ ଆସୁଥିବା ଝିଅଙ୍କୁ ମୁଁ ଦେଖେ । କେତେବେଳେ କିଏ ଆସେ ସଂକ୍ଷିପ୍ତ ବସନା ତ ଆଉ କେତେବେଳେ ମୋ ଟେବୁଲ ଉପରେ ହାମୁଡ଼େଇ ପଡ଼ି ଆଖି ଭୁରୁ ହଲେଇ ତା କାମ କରିଦେବାକୁ କିଏ କହେ । ନାଭି ସ୍ପର୍ଶ କରିନଥିବା ବସନ ଅନେକ ସମୟରେ ଲୋଭନୀୟ ଦୃଶ୍ୟ ସୃଷ୍ଟିକରେ । କାମ କରେଇ ନେବାବେଳେ ଅନେକ ସ୍ନେହଭରା କଥା କହନ୍ତି । ମତେ ଗୋଟେ ପରୀ ରାଇଜରେ ରହିଲାପରି ଲାଗେ । ଧୀରେ ଧୀରେ ସଂସାରଟାକୁ ମୁଁ ସେଇପରି ବୁଝିବାକୁ ଭଲ ପାଇଲି । ମତେ ଲାଗିଲା ଦୁନିଆ ଆଗେଇ ଯାଇଛି । ମୁଁ ପଛେଇ ଯାଇଛି । ଘରକୁ ଆସିଲେ ଭଲଲାଗେନି, ମନେହୁଏ କେମିତି ସକାଳ ଯାଇ ଦଶଟା ବାଜିବ । ୟୁନିଭର୍‍ସିଟି ଯିବି । ଧୀରେ ଧୀରେ ବାଟରୁ ଲିଫ୍‍ଟ ନେଇ ସାଂଗରେ ସାଂଗରେ ଯିବାକୁ ସାଥୀ ମିଳିଲେ ।

 

ବାଇକ୍ ପଛରେ ସ୍ଵପ୍ନା ବସିଲାବେଳେ ଟିକେ ଛାଡ଼ିହେଇ ବସେ । କିଏ ଦେଖିଲେ ଲାଜ ମାଡ଼ିବ ବୋଲି କହେ । ହେଲେ ଏଇ ଲିଫ୍‍ଟ ମାଗୁଥିବା ଝିଅମାନେ ପଡ଼ିଯିବା ଭୟରେ କି କ’ଣ ଜାବୁଡ଼ିଧରି ବସନ୍ତି ।

 

ସ୍ଵପ୍ନାକୁ ଅନେକ ବୁଝେଇଲି ଦୁନିଆ ସାଥିରେ ସାମିଲ ହେବାକୁ । ମତେ ଲାଗେ ସ୍ୱପ୍ନା ଯେମିତି ଗୋଟେ ନିର୍ଜୀବ ପଥର । ଅନେକଥର ତାକୁ ବୁଝେଇଚି କାନିକୁ ଛାଡ଼ି ଦେବାକୁ, ବ୍ଲାଉଜର ହାତ କମେଇ ଦବାକୁ । ଅନେକଥର ୟୁନିଭର୍‍ସିଟି ଆଣି ତାକୁ ଆଧୁନିକା ହବାକୁ ବୁଝେଇଚି ହେଲେ ସେ ବଦଳିଲାନି ବରଂ କହିଲା ମଣିଷର ବିବେକ, ବିବେଚନା ସମୟ ସାଥିରେ ବଦଳେନି । ଯାହା ଭଲ ତାହା ଭଲା, ଯାହା ମନ୍ଦ ତାହା ମନ୍ଦ । ସେ ବୋଉର ନଜିର ଦିଏ । ମୋର ମନେ ପଡ଼ିଗଲା ସୁମନ ବୋଉ ମାଉସୀଙ୍କ କଥା । ଗୋଲ ଗୋରାମୁହଁ ଭିତରେ ମଥାଏ ସିନ୍ଦୂର । ଠିକ୍ ସକାଳର କଅଁଳ ସୂରୁଜ ପରି । ଆଖବ ଦିଇଟା ସାଗର ପରିବ୍ୟାପ୍ତ । ଦାଣ୍ଡଦୁଆରେ ଭିକାରି ଦେଖିଲେ ଖାଇଲା ପାଖରୁ ଉଠି ଆସନ୍ତି । ଗାଁ ଠାକୁରାଣୀ ପାଖରେ କରିଥିବା ଭୋଗକୁ କୁନିକୁନି ପିଲାମାନଙ୍କ ଭିତରେ ବାଣ୍ଟି ଦିଅନ୍ତି ।

 

ହଠାତ୍ ସୁନାବୋଉ ବୁଢ଼ୀର ବୋହୂଟା ପହଞ୍ଚିଥିଲା ଦିନେ ସୁମନର ବୋଉଙ୍କ ପାଖରେ-। ଅଣ୍ଟାରେ କାନି ଗୁଡ଼େଇ ସେ କଳି କରୁଥାଏ ସବୁବେଳେ କାହା ବା କାହା ସାଂଗରେ-। ଶାଶୁ ଶ୍ୱଶୁର ସମସ୍ତେ ଡରି ଡରି ରହନ୍ତି ବୋହୂକୁ । ସେଦିନ ଏଇ ଉତ୍ତପ୍ତ ଲୁହାଗୋଜଣାଟା କିନ୍ତୁ ଥିଲା ପ୍ରାୟ ବରଫର ମୁଣ୍ଡାଟାଏ । ବିଧବା ଶାଶୁକୁ ସବୁଦିନେ ସିଏ ବଡ଼ ଗରାଟାଏ ଦେଇ ପଠାଏ ଦାଣ୍ଡକୁଅରୁ ପାଣି ଆଣିବାକୁ । ପାଣି ଗରାରେ ଓଜନ ଯାହା ବୁଢ଼ୀର ଓଜନ ସେୟା ହେବ-। ଆଖି ପଡ଼ିଗଲା ସୁମନ ମା’ଙ୍କର ବୁଢ଼ୀକି ଚୁପ କରି ଡାକିଦେଲେ ଠାକୁରାଣୀଙ୍କ ପାଖକୁ । ମୁଣ୍ଡ ଛୁଆଁଇ କହିଲେ ଏଣିକି ଖରା ବେଳିଆ କେହି ନଥିଲାବେଳେ ଖାଲି ଗରା ଧରି ମୋ ପାଖକୁ ଆସିବୁ-। ଯେତେ ପାଣି ଦରକାର ଦୁଆର ମୁହଁଯାଏ ମୁଁ ନେଇଯିବି । କେହି ଦେଖିଲେ ଜାଣିଲେ ବୋହୂର ନାଁ ବଦନାମ ହେବ । ତା’ପରଠାରୁ ଲୁଚିଲୁଚି ସବୁଦିନେ ପାଣି ଗରାକୁ ବୁହାନ୍ତି ମାଉସୀ ଖୁବ୍ ସନ୍ତର୍ପଣରେ । କେହି ଯେମିତି ନଦେଖିବେ । ହେଲେ ସେଦିନ ଆଉ କାହା ଆଗରେ ନୁହଁ ବୁଢ଼ୀର ବୋହୂ ଆଗରେ ଧରାପଡ଼ିଗଲେ ଜୀବନ୍ତ ଏଇ ଦେବୀଟି । କେହି ତାକୁ ବଦନାମ କଲେନି ତା’ ନିଜ ବିବେକ ତାଙ୍କୁ ବଦନାମ କଲା । ଖୁବ୍ ପ୍ରଭାବିତ ହେଲା ବୋହୂଟି । ଲାଜଲାଜ ହୋଇ ଆସି ମାଉସୀଙ୍କ ପାଦଧୂଳି ନେଇ ମୁଣ୍ଡରେ ମାରିଲା । ତା’ପରେ ସମସ୍ତେ ଦେଖିଲେ ସୁନା ବୋଉର ବୋହୂ ଏଣିକି ସାଂଗରେ ଗରା ସାଥିରେ ବାଲିତିଟାଏ ନେଇ ନିଜେ ଦାଣ୍ଡକୂଅକୁ ଆସେ-। ବୁଢ଼ୀର କଳି ଗୁରି ବୋହୂଟା ସୁନା ହେଇଯାଇଛି । ବୁଢ଼ୀକି ଚଉରାମୂଳେ ବସାଇ ପୁରାଣ ଶୁଣାଏ-। ତା’ପରେ ଆଉ କେହି ଗାଁରୁ କଳି କରିବାର କେବେ ଦେଖିନି ।

 

ଗପି ଚାଲିଥିଲା ସୁମନ । କେବେ ବି ସାଲିସ କରି ପାରିଲିନି ସ୍ୱପ୍ନା ସହିତ । ବର୍ଷ ବଦଳିଯାଏ, ନୂଆ ନୂଆ ଝିଅ ଆସନ୍ତି । ନୂଆ ନୂଆ ସିନେମାରେ ଥିବା ଡ୍ରେସରେ ସଜେଇ ହୁଅନ୍ତି । ମୋର ସ୍ଵପ୍ନ ବଢ଼ିଯାଏ । ହେଲେ ସ୍ଵପ୍ନା ସେମିତି ମୀରାବାଇ ସାଜି ବସିଥାଏ । ଶେଷକୁ ସ୍ଵପ୍ନାକୁ ବାପଘର ଗାଁକୁ ପଠେଇ ଦେଇ ଆଣିବାକୁ ଗଲିନି । ସ୍ୱପ୍ନର ଅଭାବ ପୂରଣ କରିବାକୁ ମୋ ଚାରିପାଖରେ କେତେ ପକ୍ଷୀ ଉଡ଼ି ବୁଲିଲେ । ନିୟମିତ ବ୍ୟବଧାନରେ ତା’ରୁ ଚିଠିପାଏ । କେଉଁଥିରେ କାକୁତିମିନତି, କେଉଁଥିରେ ଜନ୍ମଜନ୍ମାନ୍ତର ହୋଇ ମୋର ରହିବାର ପ୍ରତିଶ୍ରୁତି । ହେଲେ ସବୁ ମୋ ପାଇଁ ଥିଲା ପ୍ରଭାବଶୂନ୍ୟ ।

 

ଦିନେ କିନ୍ତୁ ସେ ଗୋଟେ ଚିଠି ଲେଖିଥଲା । ସବୁଚିଠି ଠାରୁ ସେଦିନର ଚିଠିର ବିଷୟବସ୍ତୁ କିନ୍ତୁ ଥିଲା ଭିନ୍ନ । ତା’ଥିଲା ମାମୀଅପା ଆଉ ତା’ ସ୍ତ୍ରୀଙ୍କର କାହାଣୀ । ମାମୀ ଅପାକୁ ମୁଁ ଦେଖିନି । ହେଲେ ଜ୍ୟୋତି ବିହାରରେ ଚାକିରି କଲାପରେ ଜାଣିଲି ପାର୍ବତୀଗିରି ଛାତ୍ରୀ ନିବାସ ଛାଡ଼ି ଗଲିଗଲା ପରେ ଯେଉଁ ଅନ୍ତେବାସିନୀ ମାନେ ଛାତ୍ରୀ ନିବାସରେ କିଛି ବାସ୍ନା ଛାଡ଼ି ଯାଇଛନ୍ତି ସେମାନଙ୍କ ମଧ୍ୟରେ କେହିଜଣେ ମାମୀଅପା ଅଗ୍ରଗଣ୍ୟା । ହଷ୍ଟେଲ ସୁପରିଟେଣ୍ଡଣ୍ଟ୍ ହୁଅନ୍ତୁ କି ଗେଟ୍ ମାଉସୀ ହୁଅନ୍ତୁ, କଥା ପଡ଼ିଲେ ଛାତ୍ରୀମାନଙ୍କୁ ମାମୀ ଅପାର ନଜିର ଦିଅନ୍ତି । ସେ କ’ଣ ପିନ୍ଧନ୍ତି, କେମିତି ଚାଲନ୍ତି, ତାଙ୍କ ମୁହଁର ହସ କେତେ ସୁନ୍ଦର, ସବୁ ଏବେବି ଲାଖି ରହିଛି ତାଙ୍କୁ ଦେଖିଥିବା ଅବା ନଦେଖିଥିବା କର୍ମଚାରୀ, ଛାତ୍ରୀଙ୍କ ମଧ୍ୟରେ । ସବୁଝିଅଙ୍କ ଠାରେ ସେ ସୃଷ୍ଟି କରିପାରିଥିଲେ ଏକ ଅଲଗା ପରିଚୟ । ସମସ୍ତଙ୍କ ପାଇଁ ସେ ଥିଲେ ଆଦର୍ଶ । ଦୁମ୍‍ଦୁମ୍‍ ହେଇ ଚାଲୁଥିବା ଝିଅକୁ ମାଟ୍ରନ କହନ୍ତି ମାମୀ ଭଳି ଚାଲିବାକୁ । ମାଟିକୁ କଷ୍ଟ ନହେଲାଭଳି ତା’ର ଚାଲି । ଶବ୍ଦକରି ହସୁଥିବା ଝିଅକୁ କହନ୍ତି ‘ମାମୀ ପରି ହସିବାକୁ । ହସ ତାର ସ୍ଥିର ଜଳାଶ୍ରୟର ତରଙ୍ଗ ପରି-। କେହି ଝିଅ ବେମାର ପଡ଼ିଲେ ମାମୀ ଅପା କେମିତି ସାଂଗମାନଙ୍କର ସେବା କରୁଥିଲେ ସେ କଥା ଓ୍ୱାର୍ଡ଼ବଏ ମନେ ପକାଏ । ସୁଦୂର ଅତୀତର ଏଇ ମୁହଁରେ ସଦା ଜୀବନ୍ତ ଥାଏ ।

 

ସେ ଲେଖିଥିଲେ, ମାମୀ ଅପା ତା’ ଗାଁର ଝିଅ । ବିଭାଘର ଇତି ମଧ୍ୟରେ ହୋଇଛି ଫୁଲଝରନରେ । ବାହାଘର ଅଷ୍ଟମଙ୍ଗୁଳାବାସୀ ବୁଲି ଆସିଥିଲେ ଆମ ଗାଁକୁ । ଭାଇଙ୍କୁ ନେଇ ସେ ଗାଁରେ ଘରକୁ ଘର ବୁଲି ଆସିଥିଲେ । ସାନ ସାନ ପିଲାଏ ବି କହିଲେ ‘କି ମାନୁଚି ଯୋଡ଼ି' । ଭାଇ ଭାରି ଭଲ ମଣିଷ । କାହାକୁ କିଛି ଦେଲେନି । କିନ୍ତୁ କ’ଣ ପୁଣି ଦେଲେ ଯେ, ସମସ୍ତେ ଖାଲି ତାଙ୍କରି କଥା କହିଲେ । କହୁ କହୁ ଆମ କଥା ବି କହିଲେ । ତମେ ଦି' ଜଣ ଏକା ଗାଁ ପୁଅ । କେହି ଜାଣି ନାହାନ୍ତି ଯେ, ତମେ ମୋ ଠାରୁ ଦୂରେଇ ଯାଇଛ । ତମକୁ ମୁଁ କେବେ ତଳେ ପକାଇନାହିଁ । ମାମୀ ଅପାଙ୍କ ସ୍ୱାମୀଙ୍କୁ ପ୍ରଶଂସା କଲାବେଳେ ବି ଅନେକ ତମ କଥା କହିଲେ 'ମୋ’ମନ କୁଣ୍ଡେମୋଟ ହେଇଗଲା । ପାଞ୍ଚତୁଣ୍ଡରେ ପରମେଶ୍ୱର ଥାଆନ୍ତି । ତମେ ଲୋକଙ୍କ କଥା ସତ କରନି ? ମତେ ସେ ଅନୁରୋଧ କରି ଚିଠି ଲେଖୁଥିଲା ତା’ପାଖକୁ ଯିବାକୁ । ଚିଠି ନୁହେଁ କାଗଜ ଖଣ୍ଡେ ଉପରେ ହୃଦୟକୁ କାଢ଼ି ଥୋଇ ଦେଇଥିଲା । ନିବେଦନ କରିଥିଲା, ତା’ ଗାଁକୁ ଯିବାକୁ । ମାମୀ ଅପା ଆଉ ତାଙ୍କ ସ୍ୱାମୀଙ୍କ ପରି ଗାଁରେ ବୁଲିବାକୁ ମତେ ଲାଗିଲା ମୁଁ କେମିତି ଖୋଜିଲା ଠାରୁ ଗୋଟାଏ ଅଧିକ କିଛି ପାଇଛି । କହି ଚାଲିଥିଲା ସୁମନ ।

 

ଭାଇ, ମୁଁ ଯେତେବେଳେ ଜାଣିଲି ତମେ ସେଇ ଗାଁରେ ବାହା ହେଇଚ, ପୁଣି ମାମୀ ଅପାକୁ, ମତେ କେମିତି ଲାଜ ଲାଜ ଲାଗିଲା । ତମେ ଏତେବର୍ଷ ଭିତରେ କ’ଣ ଆଦର୍ଶ ହରେଇଚ କି ନାଇଁ ଜାଣିନି, କିନ୍ତୁ ପାଠ ପଢ଼ିଲାବେଳେ ବିବେକର ପ୍ରତୀକ ଥିଲ ତମେ । ମତେ କେମିତି ଲାଗିଲା ସ୍ୱପ୍ନା ପାଇଁ ଅନେକ ଅନ୍ୟାୟ ମୁଁ କରିଛି । କ୍ଷୀର ବଦଳରେ ମଦିରା ପଛରେ ଧାଇଁଛି । ସେତେବେଳକୁ ମୋର ସଂଚିତ ଅର୍ଥକୁ ଅନ୍ୟମାନଙ୍କ ପଛରେ ସାରି ସାରିଥିଲି ।

 

ତା’ପରେ ମୁଁ ଯାଇଥିଲି ସ୍ୱପ୍ନା ପାଖକୁ । ତାକୁ ବି ତା ଗାଁରେ ଧରି ଘୂରିଥିଲି । ବିଭୋର ହେଇ ଯାଇଥିଲି ଅନାବିଳ ଭଲ ପାଇବାର ମହକରେ । ପାଖରୁ ଛାଡ଼ିବାକୁ ଇଚ୍ଛା ହେଲାନି । ଆଉ ଘରକୁ ଆସିଲା ପରେ ମାମୀ ଅପାର, ତମର ଏକ ଫଟୋ ସେ ଝୁଲେଇ ଦେଇଥିଲା ଏଇ କାନ୍ଥରେ-। ଅନ୍ଧପୁଟୁଳି ଖୋଲିଯାଇଥିଲା ମୋ' ଆଖିରୁ । ତା'ପରେ ସ୍ଵପ୍ନା ଭିତରର ସେଇ ମଣିଷଟିକି ଆବିଷ୍କାର କରିଥିଲି ମୁଁ । ଖୋଜିଥିଲି ଅନାବିଳ ପ୍ରେମର ଅସରନ୍ତି ପାଖୁଡ଼ା ।

 

ଏତିକିବେଳେ ସ୍ଵପ୍ନା ଜଳଖିଆ ଖାଇବାକୁ ଡାକିବାରୁ କଥା ଆମର ବନ୍ଦ ହୋଇଯାଇଥିଲା ।

☆☆☆

 

ନିରୁଦ୍ଦିଷ୍ଟ ପୃଥିବୀ

 

ସିପୁନ୍‌ରୁ ବଢ଼ି ପିଲାଟି ଏବେ ଶୁଭଙ୍କର ହୋଇ ଯାଇଛି । ଯେଉଁଦିନ ତା’ ନୂତନ ହୋଟେଲର ଶୁଭ ଦେବାକୁ ମୋତେ ଡାକିବାକୁ ଆସିଲା, ମୋ’ ଛାତି ଆନନ୍ଦରେ ଫୁଲି ଉଠିଲା । ସିପୁନ୍ ମୋ ବଡ଼ଭାଇଙ୍କ ପୁଅ । ଭାଇଙ୍କର ଇଚ୍ଛାଥିଲା ସିପୁନକୁ ବହୁତ ପାଠ ପଢ଼େଇବେ । ଦରକାର ହେଲେ ବିଲାତ ପଠେଇବେ । ମଣିଷ ପରି ମଣିଷଟିଏ କରି ଗଢ଼ିବେ । ନିଜେ ଯାହା କରିପାରି ନଥାନ୍ତି, କି ଯାହା ଆଶାକରି ପାଇନଥାନ୍ତି ମଣିଷମାନେ ପିଲାମାନଙ୍କ ମାଧ୍ୟମରେ ତାହା ପୂରଣ କରିବାକୁ ଚାହିଁଥାନ୍ତି । ଭାଇ ଅନେକ ମାତ୍ରାରେ, ନା ଅନେକ ମାତ୍ରାରେ ନୁହେଁ ସଂପୂର୍ଣ୍ଣ ଭାବରେ ଆଦର୍ଶବାଦୀ ଥିଲେ । ବିବେକ ହିଁ ତାଙ୍କ ପାଇଁ ଥିଲା ସବୁଠାରୁ ବଡ଼ । ମଣିଷକୁ ସେ ସବୁଠାରୁ ବେଶୀ ଭଲ ପାଉଥିଲେ । ମଣିଷ କାହିଁକି ଜୀବଜଗତକୁ ବି ମଧ୍ୟ । ନିସଂକୋଚରେ ଆଉ ବିନା ପ୍ରଚାରରେ ସେଦିନ ରାଧାମୋହନ ମନ୍ଦିରର ଜଗ ମୋହନରେ ହରିଜନଙ୍କ ସାଥିରେ ବସି ସେ ପ୍ରସାଦ ପାଇଲେ । ସାଇ ପଡ଼ିଶାଏ ଆସି ପ୍ରଶ୍ନ କଲେ “କାହିକି ଏ ସପ୍ତପୁରୁଷର ମନ୍ଦିରକୁ ଅପବିତ୍ର କଲ ? ଏ ପାପ ଆମ ସମସ୍ତଙ୍କୁ ଲାଗିବ ।’’ ପରିବାରର ମାଦଳା ପାଞ୍ଜି କାଢ଼ି ସେ ଦେଖେଇ ଦେଲେ ଏ ବଂଶରୁ ପ୍ରତ୍ୟେକ ଉତ୍ତରାଧିକାରୀ ମଣିଷକୁ ଭଲ ପାଇବେ ବୋଲି ଲେଖାଯାଇଛି । କିଛି ବି ଅଧର୍ମ କରିବେ ନାହିଁ । ଅଧର୍ମ ଆମ ଦେହରେ ଯିବନାହିଁ । ତା' ପରେ କହିଲେ ଆମ ପୂର୍ବପୁରୁଷ କାହିଁକି ସମସ୍ତଙ୍କର ପୂର୍ବପୁରୁଷମାନେ ଠିକ୍ ସେୟା କହି ଯାଇଛନ୍ତି ।” ବାପ,ମା’ ମରିଗଲାବେଳେ ସମସ୍ତଙ୍କୁ କହିଯାଆନ୍ତି “ଭାଇ ଭଉଣୀକୁ ଅନେଇଥିବ ।” ଅମଙ୍ଗଳର କଥା କେବେ କାହା ପାଟିରୁ ଏ ଦୁନିଆ ଛାଡ଼ି ଚାଲିଗଲାବେଳେ ବାହାରେ ନାହିଁ । ସବୁ ମଣିଷ ଜଣେ ଜଣେ ଯୀଶୁ, ଜଣେ ଜଣେ ଶଙ୍କର, ଜଣେ ଜଣେ ଗୌତମ, ଜଣେ ଜଣେ ତୀର୍ଥଙ୍କର ଆଉ ଜଣେ ମହମ୍ମଦ ।

 

ରାଜତ୍ଵକାମୀ ମଣିଷ ଏ ଧରାକୁ ହିଂସାକରେ, କଷଣ ଦିଏ । ଏ ପବିତ୍ର ସର୍ବଂସହା ସବୁ ସହେ କିନ୍ତୁ କହେ “ମତେ ଭଲପାଅ ବଞ୍ଚିବା ପାଇଁ । ଦ୍ରୋହନକର, ମତେ ହିଂସା କରନାହିଁ ।" ଭାଇ ଠିକ୍ ସେୟା ହିଁ କରୁଥିଲେ । ଜିଜ ଚାରିପାଖରେ ମଣିଷକୁ ବହୁତ ଭଲ ପାଉଥିଲେ । କଳିତକରାଳ ଲାଗିଲେ ହସିହସି ସେଠି ପହଞ୍ଚିଥିଲେ । ପାଣି କେତେଟୋପା ପଡ଼ିଲେ ଜଳନ୍ତା ଲୁହାଖଣ୍ଡ ଯେମିତି ଥଣ୍ଡା ହେଇଯାଏ ଭାଇଙ୍କର ଉପସ୍ଥିତି ସେମିତି କଳିତକରାଳ ପରିବେଶକୁ ଶାନ୍ତ କରିଦିଏ । ଭାଇଭାଇ ଭିତରେ ଭିନ୍ନେ ହେଲାବେଳେ ସେ ଗୋଟିଏ କଥା ବଜାୟ ରଖନ୍ତି, ତା’ହେଲା ସଂପର୍କ । ବୁଝାଇ ଦିଅନ୍ତି ଏ ପୃଥିବୀ ବହୁତ ବଡ଼ । ସମସ୍ତେ ଗୋଟିଏ ଛାତ ତଳେ ରହିପାରିବା ନାହିଁ । କିନ୍ତୁ ପରସ୍ପରର ଭଲମନ୍ଦରେ ସାଥୀ ହେଇ ପାରିବା । ସ୍ୱାମୀ ସ୍ତ୍ରୀ ମନାନ୍ତରକୁ ସେ ଖୁବ୍‌ ସରଳ ଭାବରେ ସମାଧାନ କରନ୍ତି । ପରିବାର ଗଢ଼ିବାରେ ସେ ନିଖୁଣ କଳାକାର ।

 

ଭଲ ମଣିଷମାନଙ୍କୁ ସ୍ଵର୍ଗର ଦେବତାମାନେ ଡାକିନିଅନ୍ତି ବୋଲି କଥାଟା କେତେଦୂର ସତ କେଜାଣି ହେଲେ ସେମାନେ ଯେ ଅକାଳରେ ପୃଥିବୀରୁ ଦୂରେଇ ଯାଆନ୍ତି ଏ କଥାଟି ସତ । ସତରେ ମୋର ଭାଇ ଭାବରେ ଥିବା ଏଇ ଭଲ ମଣିଷଟି ଅଳ୍ପଦିନରେ ଚାଲିଗଲା । କିନ୍ତୁ ସ୍ୱପ୍ନପ୍ରାୟ ତା’ର ସଫଳତାର ଧାରଣାରେ ଗଡ଼ିଚାଲିଲା ।

 

ସିପୁନ୍ ପିଲାବେଳେ ଭଲ ପଢ଼ୁଥିଲା । ଶାସ୍ତ୍ରପ୍ରତି ତା’ର ଥିଲା ଅପୂର୍ବ ଆଗ୍ରହ । ଭାଇ ଚାଲିଗଲା ପରେ ମୁଁ ଅନେକ ଭାବରେ ହୋଇ ଯାଇଥିଲି ତା’ର ସାଥୀ । ଭାଇଙ୍କର ଆଦର୍ଶର ପ୍ରଭାବ ମୋ ଉପରେ ଥିଲାକି ନାହିଁ କେଜାଣି କିନ୍ତୁ ସେ ଚାଲିଗଲା ପରେ ମୋର ତାଙ୍କର ଚରିତ୍ରକୁ ଅନୁକରଣ କରିବାର ଇଚ୍ଛା ବେଳକୁବେଳେ ପ୍ରବଳ ହେଲା । ହୋଇପାରେ ଭାଇଙ୍କର ଅବର୍ତ୍ତମାନରେ ମୋଠୁଁ ହୁଏତ ଲୋକମାନେ ସେଇଭଳି ଗୋଟିଏ ଚରିତ୍ରର ଆଶାକଲେ ।

 

ସିପୁନ୍ ପାଠ ପଢ଼ିଲା ସ୍କୁଲଠାରୁ ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ । ସବୁରି ତାର ନାଁ ହେଲା । ରେଭେନ୍‌ସା କଲେଜରୁ ଫେରି ଥରେ ମତେ ସେ ବୁଝାଉଥିଲା । “ବୁଝିଲନା ଦାଦା ଦିନେ ଏ ପୃଥିବୀରେ ଆମପରି ମଣିଷ ନଥିଲେ । ମଣିଷ ଥିଲା ଉଲଗ୍ନ ଆଉ ଏକଲା । ବଣଜନ୍ତୁକ ସାଂଗରେ ଦଉଡ଼ୁଥିଲା, ଖାଦ୍ୟ ଅନ୍ୱେଷଣରେ । ବେଳେବେଳେ ପଶୁ ସାଥିରେ ବି ଖାଦ୍ୟ ପାଇଁ ଯୁଝୁଥିଲା । ହେଲେ ନିଜର ସୁରକ୍ଷା ପାଇଁ ଜଣେ ଆଉଜଣଙ୍କ ସାଥୀରେ ମିଶିଲା । ଏମିତି ମିଶୁ ମିଶୁ କିଛି ଲୋକ ଏକାଠି ହେଲେ । ଦଳଟିଏ ହେଲା । ଦଳ ସାଥିରେ ଲୋକଟି ମିଶିଲା, ଆଉ ପ୍ରତିଦାନରେ ଦଳ ତାକୁ ସୁରକ୍ଷା ଦେଲା । ସୃଷ୍ଟି ହେଲା ଦଳପତିଟିଏ । ସୃଷ୍ଟି ହେଲା କେତେକ ଶୃଙ୍ଖଳା । ମଣିଷ ହରେଇଲା କିଛି, ପାଇଲା ଅନେକ କିଛି । ପୁରୁଷଟିଏ ସାଥିରେ ସ୍ତ୍ରୀଟିଏ ମିଶିଲା । ସୃଷ୍ଟିହେଲା ପରିବାର । ପରିବାରରୁ ଜନପଦ, ଜନପଦରୁ ଦେଶ, ପୁଣି ଆଗକୁ ଆଗକୁ । କାହାର ବୋଲି ଜମିଖଣ୍ଡେ ନଥିଲା ସମସ୍ତେ ଥିଲେ ପ୍ରକୃତି ମା’ର ସନ୍ତାନ ।’’ ମୋ ଆଖି ଝଲସିଯାଏ । ଏକ ବିରାଟ ଭବିଷ୍ୟତ ମୋ ଆଖି ଆଗରେ ଦେଖାଯାଏ । ସିପୁନ ଯେ, ବଡ଼ ହେଲେ ଭାଇଙ୍କଠାରୁ ଅନେକ ପାଦ ଆଗକୁ ଯିବ ଏ ବିଷୟରେ ମୁଁ ଥିଲି ନିସନ୍ଦେହ ।

 

ଭାଇଙ୍କର ସ୍ଵପ୍ନ ସତ ହେଲା । ସିପୁନ ପାଠପଢ଼ିବାକୁ ଦରିଆପାରି ଚାଲିଗଲା । ଦେଖାହେବାର ବ୍ୟବଧାନ ବଢ଼ିଗଲା । ପାଠପଢ଼ି ଫେରିଲାପରେ ମତେ ଭେଟି କହିଲା, ଦେଶସେବା କରିବ । ନିଜ ଗୋଡ଼ରେ ଛିଡ଼ାହବା ପାଇଁ କିଛି କରିବ । ସେଦିନ, ସିପୁନ କିନ୍ତୁ ଏକାନଥିଲା, ତା’ ସାଥିରେ ତା’ ବୋହୂ ବି ଥିଲା । ଡାକ୍ତରୀ ପାଠ ପଢ଼ିଛି ସେ । ଚିକିତ୍ସାରେ ସେ ଅନେକ ଦକ୍ଷତା ହାସଲ କରିପାରିଥାଏ । ଖୁସିଲାଗିଲା ଚଳିବା ପାଇଁ ଅସୁବିଧା ନାହିଁ । ମତେ ଯେମିତି ଲାଗିଲା ଭାଇ ପୁଣି ଆସିଛନ୍ତି ଆହୁରି ଦୃଢ଼ତା ସହ । ସେଦିନ ଭାଇ ତେଲଲୁଣର ସଂସାର ଭିତରେ ସଂଗ୍ରାମ କରୁଥିଲେ । ଆମ ଅଜ୍ଞାତରେ ମଧ୍ୟ ସେ ଘରର ପୁରୁଣା ହଣ୍ଡା କି ଭାଉଜଙ୍କର ଗହଣା ବନ୍ଧା ପକାଇବାର ଜାଣିଛି । ହେଲେ ଆଦର୍ଶର ଏଇ ବତୀଘରଟିକି ପ୍ରଜ୍ଜ୍ୱଳିତ ରଖିବାରେ ସିପୁନ୍‌ର କିଛି ଅସୁବିଧା ହେବନାହିଁ ବୋଲି ଅନୁମାନ କରି ମୁଁ ଅନେକ ଖୁସିହେଲି । ସାହିତ୍ୟ କ୍ଷେତ୍ରରେ ପୁଣି ସେ ଲାଭ କରିପାରିଛି ସୁନାମ । ଏତେ କମ ବୟସରୁ ବି ଇଂରାଜୀ ଭାଷାରେ ବହି ଛପାଇ ପାଇଛି ସୁନାମ ଆଉ ମୋଟା ରୟାଲିଟି ମଧ୍ୟ ।

 

ସିପୁନର ପାହାଚ ପରେ ପାହାଚ ଚଢ଼ିବାଟା ମତେ ବେଳକୁବେଳ ଖୁସିକଲା । ସାଧାରଣ ନିର୍ବାଚନରେ ଯେଉଁଦିନ ସିପୁନରୁ ବଦଳିଯାଇ ଶୁଭଙ୍କର ହୋଇ ଯାଇଥିବା ଏଇ ଯୁବକଟିକି ପ୍ରମୁଖ ରାଜନୈତିକ ଦଳ ତରଫରୁ ଟିକେଟ ମିଳିଲା, ମତେ ଲାଗିଲା ଯେମିତି ଚନ୍ଦ୍ରଭାଗା ଆକାଶରୁ ଏକ ନୂତନ ସୂର୍ଯ୍ୟ ଉଇଁ ଆସୁଛି ।

 

ଶୁଭଙ୍କର ନୁହେଁ ଲୋକମାନଙ୍କ ମଧ୍ୟରେ ମୋର ବଡ଼ଭାଇ ତୀର୍ଥଙ୍କର ମହାପାତ୍ର ପୁଣି ଜୀବିତ ହୋଇ ଉଠିଲେ । ପଟୁଆର କଲାଭଳି ଲୋକ ଆସିଲେ ଏଇ ନୂତନ ତୀର୍ଥଙ୍କରକୁ ଦେଖିବାକୁ । କିଏ କିଏ ବି ଗୀତ ଲେଖିପକେଇଲେ, ଏକ ନୂତନ ଯୁଗର ଆବାହନ କରି । ଲୋକେ ପ୍ରତିଦାନ ଦେଲେ । ଏକଦା ଅଳ୍ପ ବୟସରେ ତୀର୍ଥଙ୍କରଙ୍କୁ ଦୂରେଇ ଦେଇଥିବା ଭଗବାନଙ୍କୁ କହିଲେ ‘ତୁମର ଲୀଳା ବିଚିତ୍ର ପ୍ରଭୁ’ । ବହୁମତରେ ନିର୍ବାଚିତ ହେଲା ଶୁଭଙ୍କର ।

 

ଦ୍ୱନ୍ଦରେ ପଡ଼ିଲି ମୁଁ । ଇତି ମଧ୍ୟରେ ମୁଁ ଘରଦ୍ୱାର ଛାଡ଼ି ଚାଲିଆସିଛି । ପରିବାର ସହ ସଂପର୍କ ନାହିଁ । ଚିଲିକା କୂଳର ଏଇ ଆଶ୍ରମକୁ ନେଇ ମୋ ଜୀବନର ପରିସୀମା । ଶୁଭଙ୍କର ଏକ ହୋଟେଲ ବସଉଚି । ହେଇପାରେ ରାଜନୀତିରେ ରହିବା ପାଇଁ ତା’ର ଅର୍ଥର ନିଶ୍ଚୟ ଆବଶ୍ୟକତା ଅଛି । କିନ୍ତୁ ବସ୍ତୁବାଦୀ ସଂସାରକୁ ତ୍ୟାଗ କରିବା ପରେ ପୁଣି ଏପରି ଏକ ପାରିବାରିକ କାର୍ଯ୍ୟକୁ ଯିବା କେତେଟା ସମୀଚୀନ ହେବ ଭାବି ମତେ ଟିକିଏ ଅଶ୍ୱସ୍ତି ଲାଗିଲା । କିନ୍ତୁ ମତେ ଲାଗିଲା ମୋହ ଟିକକ ମୋ’ ମନ ଭିତରେ ସେମିତି ଅଛି । ସମୟ ସୁବିଧା ପାଇଲେ ଜୀବନ୍ତ ହୋଇ ଉଠୁଛି-। ଦେହରେ ସନ୍ନ୍ୟାସୀର ଆବରଣ ଥିଲେ ବି ଏଯାବତ୍ ମୋ ମନର କେଉଁ ସନ୍ଧିରେ ଥିବା ପାରିବାରିକ ଆକର୍ଷଣଟି ମତେ ବ୍ୟଗ୍ରକଲା ଯିବାକୁ ।

 

ଶୁଭଦେବା କାର୍ଯ୍ୟକ୍ରମକୁ ଗଲାବେଳେ ବାଟରେ ଅଟକିଗଲି ମୁଁ । ରାସ୍ତାକଡ଼ରୁ କିଛି ଲୋକ ଚିତ୍କାର କରି ଉଠିଲେ 'ସ୍ୱାମିଜୀ’ ‘ସ୍ୱାମିଜୀ’ ବୋଲି । ଗଛମୂଳେ ଜରିପାଲ ଟାଙ୍ଗି ପରିବାର ସହ ବସିଛନ୍ତି କିଛି ଲୋକ । ସିଲଭର ତାଟିଆ ଗୋଟାଗୋଟାକରେ କ’ଣ ପାଟିରେ ପକଉଛନ୍ତି ପିଲା ଗୁଡ଼ାକ । ଗୋଟିଗୋଟି କରି ପକଉଛନ୍ତି । ପ୍ରାୟ ମୁଠାରେ ଖାଇଲାଭଳି ଜିନିଷ ନାହିଁ । ଇଟା କେତେଟାକୁ ଚୁଲିଭଳି ରଖି ଶୁଖୁଲାପତ୍ର ଜାଳି କ’ଣ ରୋଷେଇ କରୁଛନ୍ତି ପ୍ରାୟ । ପାଖକୁ ଗଲାପରେ ଦେଖିଲି ମୋଟର ସାଇକେଲ କେତୋଟି ଥୁଆ ହେଇଛି । ପାଖରେ କିଛି ଯୁବକ ଧମକ ଦେଉଛନ୍ତି ଦୂରକୁ ଚାଲିଯିବାକୁ ।

 

ସ୍ତ୍ରୀ ଲୋକଟିଏ ନେହୁରା ହେଉଥିଲା “ବାବୁ ଯଦି କହୁଛନ୍ତି ଆମେ ଚାଲିଯିବୁ, ହେଲେ ଭାତଦି'ଟା ବସେଇଚି । ଛୁଆକୁ ଭୋକ କରୁଚି । ଖାଇବ ବୋଲି କାନ୍ଦୁଚି । ଟିକିଏ ବେଳଦିଅ । ବେଳଫେଳ ଆମ ପାଖରେ ନାହିଁ । ଏ ରାସ୍ତାରେ ଅବିକା କେତେ ସାମ୍ବାଦିକ ଆସିବେ । ଫଟୋ ଉଠେଇ ନେଲେ ମହାଝାମେଲା ।” କହୁଥିଲା କାନରେ ନୋଳିପିନ୍ଧା ପାଖରେ ରିଭଲଭର ଥିବାର ସୂଚନା ଦେବାପାଇଁ ବାରବାର ବିରୋଧିବାଲା କହିବେ ହୋଟେଲ କରିବେ ବୋଲି ଲୋକ ଗୁଡ଼ା ବାସହରା ହେଲେ । ଉଦ୍‌ଘାଟନ ଜାଗାକୁ ଗଲାବେଳେ ସମସ୍ତଙ୍କ ଆଖିରେ ଏମାନେ ପଡ଼ିବେ । ଯେତେ ଚଞ୍ଚଳ ଏମାନଙ୍କୁ ଦୂରକୁ ପଠେଇ ଦେଲେ ଭଲ ।

 

‘‘ହେଲେ ବାବୁ ଏମାନେ ଏବେ ତୁମ ଜାଗାରେ ନାହାନ୍ତି । ଭୋକରେ କ’ଣ ଦି'ଟା ଖାଇବାକୁ ଚୁଲିରେ ବସେଇଛନ୍ତି । ଟିକିଏ ଅପେକ୍ଷା କରୁନା’’ ପାଟିରୁ ବାହାରିଗଲା ମୋର । ତା' ଭିତରୁ ଜଣେ ମୋ ଆଡ଼କୁ ହାତ ଦେଖେଇ କହିଲା “ତମେ ତ ବାବା ଲୋକ । ଏଠିକି କୁଆଡ଼େ ଚାଲିଆସିଲ ।” ବାହା ନହୋଇ ସ୍ୱାମୀ ଡାକ ଶୁଣିବାକୁ ଭଲଲାଗୁଛି ନୁହେଁ ? ହୋ ହୋ ହସରେ ଫାଟି ପଡ଼ିଲେ ସମସ୍ତେ । ଏ ପର୍ଯ୍ୟନ୍ତ ଆମ ଆଡ଼କୁ ଚାହିଁ ପରିବେଶକୁ ଉପଭୋଗ କରୁଥିବା ଯୁବ ପ୍ରଶାସନିକ ଅଧିକାରୀ ଜଣକ ‘ସାର୍ ଆସିଲେଣି' ବୋଲି କହି ତତ୍ପର ହୋଇ ଉଠିଲେ ।

 

ଏ ଲୋକ ଗୁଡ଼ାଙ୍କୁ ଦୂରକୁ ପଠେଇବାରେ ଶୁଭଙ୍କର ଏଇ ବାହିନୀ ଆଉ ପ୍ରଶାସନର ବିଳମ୍ବ ସହି ନପାରି ପ୍ରାୟ ଶୁଭଙ୍କର ନିଜେ ଆସୁଛି । ମୋର ଗଛ ଆଢ଼ୁଆଳକୁ ଚାଲିଯିବା ବ୍ୟତୀତ ଅନ୍ୟ ଉପାୟ ନଥିଲା ।

 

ଶୁଭଙ୍କର ଆସିଲାପରେ ଲୋକଗୁଡ଼ାକ ‘ଟିକିଏ ସମୟ ଦିଅବାବୁ’ କହି ତା' ପାଖକୁ ଚାଲିଗଲାବେଳେ ଅସହିଷ୍ଣୁ ଶୁଭଙ୍କର ସିଧା ଆସିଲା ଆଉ ଚୁଲି ଉପରେ ବସିଥିବା ଭାତହାଣ୍ଡିକି ଗୋଡ଼ ଫିଙ୍ଗିଦେଲା । ବିଞ୍ଚିହୋଇ ପଡ଼ିଲା ଦରଫୁଟା ଭାତ ଗୁଡ଼ାକ । ଭେମାରଡ଼ି ପକେଇ କାନ୍ଦି ଉଠିଲେ ଛୁଆଗୁଡ଼ାକ । ଖୋଳପା ଭିତରୁ ବାହାରି ମୋ ଆଗରେ ଛିଡ଼ା ହୋଇଥିଲା ଏକ ଭୟଙ୍କର ଶୁଭଙ୍କର ।

 

ତା’ ପିଲାବେଳର ସେଇ ଅଭୁଲା ଘଟଣା ମନେ ପଡ଼ିଗଲା ମୋର । ଦାଣ୍ଡଦୁଆରେ ଭିକାରିଟିଏ ଥାଳ ଧରି ଖାଇବାକୁ ମାଗୁଥିଲା । କରୁଣ ତା’ର ସ୍ୱର । “କିଛି ଖାଇନି ବାବୁ, ଖାଇବାକୁ ଦି'ଟା ମିଳିବ ।" ଆଜିର ଶୁଭଙ୍କର ସେଦିନର ସିପୁନ୍‍, ତିନିଚାରି ବର୍ଷର ପିଲା । କୋଉଠି ଖେଳୁଥିଲା ଦୌଡ଼ିଆସି ଭିକାରିକି ଚାହିଁଲାବେଳେ ଭିକାରୀଟି ପ୍ରାୟ କହିଲା ଖାଇନି । ଧିର ନରମ ଦରୋଟି ସ୍ଵରରେ ଶୁଭିଲା ଖାଇନ ? ତା’ପରେ ଘର ଭିତରକୁ ଯାଇ ତା’ପାଇଁଥିବା ବଡ଼ ବ୍ରିଟାନିଆ ବିସ୍କୁଟ ପ୍ୟାକେଟଟି ଆଣି ଖୋଲି ଅଜାଡ଼ିଦେଲା ଭିକାରିର ଥାଳରେ । “ଏ କ’ଣ କଲ ବାବୁ ।’’

 

ମୋତେ ଭୋକ କଲେ ମୋ ମା’ ମତେ ବିସ୍କୁଟ ଦିଅନ୍ତି । ତମକୁ ଭୋକ କରୁଛି ନା” ଉତ୍ତର ଥିଲା ସିପୁନ୍‍ର । ସେଦିନ ସିପୁନ୍‍ ନିଜ ଭିତରେ ଦେଖିଥିଲା ଅନ୍ୟକୁ । ଭାଉଜ ଆସି ତୃପ୍ତିରେ କହିଥିଲେ ‘ବାଳୁତ ସେ, ଭଗବାନ ସେ, ଖାଅ ।” ହେଲେ ଆଜି.... ।

 

ପ୍ରତ୍ୟେକ ମଣିଷ ଏମିତି ଗୋଟିଏ ଗୋଟିଏ ମହାପୁରଷର ମନନେଇ ଜନ୍ମ ହୋଇଥାଆନ୍ତି । ଏ ପୃଥିବୀ ତା’ର ମଣିଷତ୍ୱକୁ ରକ୍ଷାକରେ । ଏଇ ସମାଜ ମଣିଷ ମଥାର ଏଇ ସାଦା ସିଲଟରେ ଭଲପାଇବାର, ସେବା କରିବାର, ପ୍ରତିଦାନ ଦେବାର, ତ୍ୟାଗ କରିବାର ଭାଷା ଲେଖେ । ମା’ ପରି ପାଳେ । ହେଲେ ଆଜି ସେ ପୃଥିବୀ ହଜି ଯାଇଛି । ସେ ନିରୁଦ୍ଦିଷ୍ଟ । ନିରୁଦ୍ଦିଷ୍ଟ ସେଇ ପୃଥିବୀକୁ ଖୋଜିବାର ଯାତ୍ରାରେ ସାଥୀ ଖୋଜୁଥିଲି ମୁଁ । ତଥାପି ଆଶା ରଖିଛି ଶୁଭଙ୍କର ମୋର ସାଥୀହେବ । ଫେରି ଆସିବେ ତୀର୍ଥଙ୍କର । ବିକଶି ଉଠିବ ମୋର ହଜିଯାଇଥିବା ସୁନ୍ଦର ପୃଥିବୀ ।

☆☆☆

 

ଅମୃତ ମାଟି

 

ସେଦିନ ଥିଲା ଉଦୟଗିରିରେ କର୍ଫ୍ୟୁ । ସରକାରୀ ନିର୍ଦ୍ଦେଶରେ ଦିନଟାକୁ କରିଦିଆଯାଇଥାଏ ରାତି । ରାତି ପ୍ରାୟତଃ ସବୁବେଳେ ନୀରବ । ପହରେ ପହରେ ଶୁଭେ ଶ୍ଵାନ ଶୃଗାଳର ରବ । କେତେବେଳେ ପୁଣି ବାଡ଼ି ଠକ୍ ଠକ୍ କରି ଯାଉଥିବା ଗ୍ରାମରକ୍ଷୀ ହୁସିଆର ହୋ” ଶବ୍ଦ । ରାତି ଯାଏ ଦିନ ଆସେ । ପୁଣି ଦିନ ଯାଏ ରାତି ଆସେ । ଗଡ଼ିଚାଲେ ସମୟର ଚକ, ମହାକାଳର ଅସୀମ ରାଜପଥରେ । ହେଲେ ମଣିଷ ଯେତେବେଳେ ଅମଣିଷ ହୋଇଉଠେ, ଯେତେବେଳେ ତା ଭିତରେ ଥିବା ପଶୁ ମାତିଉଠେ ସେତେବେଳେ ଦିନକୁ ଜବରଦସ୍ତ ରାତି କରିଦିଆଯାଏ । ରାଜପଥରେ କୋଳାହଳ ବଦଳରେ ଶୁଭେ “ହୁସିଆର ହୋ’’ ଶବ୍ଦ ।

 

ମଣିଷ କ୍ଷମତା ବଳରେ ଦିନକୁ କରେ ରାତି । ଘରର ଚାରିକାନ୍ଥ ଭିତରେ ବାନ୍ଧି ରଖେ ସମାଜକୁ । ନିଥର ହୁଏ ଜନପଦ । କିନ୍ତୁ ଆକାଶରେ ଛାଇ ଦେଇ ପାରେନା ନୀଳ ଚନ୍ଦ୍ରାତପ । ଖଞ୍ଜିଦେଇ ପାରେନା ତାରାର ଜରିବୁଟି । ପବନରେ ଦେଇପାରେନା ଶିରି ଶିରି ଶବ୍ଦ ।

 

ଡାକ୍ତରଖାନା ଝରକା ଦେଇ ବାହାରକୁ ଚାହିଁଲା ସୁଧୀର । ଶୁଭ୍ରବସ୍ତ୍ରା ପରିହିତା ସୁଧୀରା-। ଡାକ୍ତରଖାନାର ନର୍ସ ସୁଧୀରା । ପାଖ ଖଟରେ ଦେହରୁ ଲାଳ ଛାଡ଼ି ନଥିବା ଶିଶୁଟିଏ । କୁଲୁକୁଲୁ ହେଇ ଚାହୁଁଛି । ଆକାଶକୁ କି ସୁଧୀରାକୁ କି ଆଉ କାହାକୁ ବୁଝିହେଉନି ।

 

ଚିନ୍ତା କରୁଥିଲା ସୁଧୀରା । କେଉଁଠୁ ଆସିଲା ଏ ଶିଶୁ । ଆଖିକୁ ତାର ନିରେଖି ଚାହିଁଲା-। ଅନେଇବା ଶିଖିନି । ବୟସ ଦିନେ କିମ୍ବା ଦିଇଦିନ । ରାସ୍ତାକଡ଼ର କଣ୍ଟାବାଡ଼ ତଳୁ କେହି ଜଣେ ମଣିଷ ପାଇ ଆଣି ତାକୁ ଛାଡ଼ିଦେଇ ଯାଇଚି ଡାକ୍ତରଖାନାରେ । ରେଜିଷ୍ଟରରେ ନାଁ, ଠିକଣା କିଛି ଲେଖି ପାରିନି ସୁଧୀରା । କ’ଣ ବା ଲେଖିବ । ବେଳକୁ ବେଳ ବାହାରି ଅଶାନ୍ତ ହେଉଛି-। ଗୁଳିଗୋଳାର ଶବ୍ଦ ବି ଶୁଭୁଛି । ଆକାଶରେ ବି ମଝିରେ ମଝିରେ ମିଶିଯାଉଛି କିଛି ଧୂମକୁଣ୍ଡଳୀ-

 

ଉପକୂଳର ବନ୍ୟା, ତୋଫାନର ସହଚରୀ ଅଞ୍ଚଳରେ ସୁଧୀରାର ଘର । ତୋଫାନ ଆସେ, ପାଣି ମାଡ଼ିଆସେ, ବଡ଼ ସାନ ସବୁ ସମାନ କରିଦିଏ । ଭାଙ୍ଗିଦିଏ ଘର, ଉଜୁଡ଼ିଯାଏ ସବୁଜ କ୍ଷେତ, ରୋକିବାର ଶକ୍ତି ନଥାଏ କାହାର । ମଣିଷ ଛତରକୁ ଯାଏ । ଜାତି ଧର୍ମ ଭୁଲି ହୋଇଯାଏ ମହାକାଳର ଏଇ ଘୂର୍ଣ୍ଣନ ଭିତରେ । ସୁଧୀରା ମନେ ପକଉଥିଲା । ସୁବର୍ଣ୍ଣରେଖାର ନଦୀବନ୍ଧରେ ହାତରେ ବାହିଏ ବାହିଏ ଗହଣା ପିନ୍ଧି ବସିଛି ସ୍ତ୍ରୀ ଲୋକଟିଏ । ବେକରେ ସୁନାର କଣ୍ଠି । ଚାରିପାଖରେ ପାଣି । ସବୁରେଖା କୂଳ ଲଙ୍ଘିଛି । ଜନପଦ ଜଳାର୍ଣ୍ଣବ ହେଇଛି । ରିଲିଫ୍ ଦଳର ଲୋକେ ତା ହାତକୁ ବଢ଼େଇ ଦଉଛନ୍ତି କିଛି ରନ୍ଧାଖାଦ୍ୟ । କୋହଭରା ଆଖିରେ ସେଇ ପୁଡ଼ିଆ ଆଡ଼େ ଚାହିଁ ସ୍ତ୍ରୀ ଲୋକଟି ନବ କି ନ ନବ ଆଖିରେ କହିଲା “ବାବୁଆଣୀ ନୁହଁରେ ଆମେ ଭଉଣୀ ଭଉଣୀ ।’’ ସେତେବେଳେ ଘରର ଚାକରାଣୀ ହବ ପ୍ରାୟ ସ୍ତ୍ରୀ ଲୋକଟି ତାଙ୍କ ପାଟିରେ ଖାଦ୍ୟ କିଛି ନେଇ ଖୁଆଇ ଦଉଥାଏ । କହୁଥାଏ, “କେତେ କାହାକୁ ଖାଇବା ବାଣ୍ଟ ।’’

 

ସେଦିନର କଥା ମନେ ପଡ଼ିଲା ପରେ ସୁଧୀରାର ଆଖି ଓଦା ହୋଇଗଲା । ଏକ ରିଲିଫ ପାର୍ଟି ସାଙ୍ଗରେ ସେଦିନ ସେ ଯାଇଥିଲା ସୁବର୍ଣ୍ଣରେଖାର ବନ୍ୟା ଅଞ୍ଚଳକୁ । ପ୍ରକୃତି ପାଖରେ ହାରିଯାଇଥିଲା ସୁନାର କଣ୍ଠି, ସୁନାର ବାହୁଟି । ଭାତ ଦି’ଟା ଥଲା ମଣିଷ ପାଇଁ ସୁନା । କଥା କେଇପଦ ଥିଲା ଅମୃତ । ହଜିଯାଇଥିଲା ଖୋଳପାର ପରିଚୟ । ମଣିଷ ପାଇଁ ଥିଲା ଆଉ ଜଣେ ମଣିଷ । କାନ୍ଦି କାନ୍ଦି ମନକୁ ଖୋଲି ଦେଉଥାଏ ସ୍ତ୍ରୀ ଲୋକଟି । କେତେ ସେବା କଲୁଣି ମୋର ଏଇ ନଈ ବନ୍ଧରେ । କେତେ ଗାଳି ଦେଇଛି ତତେ । ଥରେ ପୁଣି ଝାଡ଼ୁ ‘ଉଠେଇ ଫୋପାଡ଼ିଥିଲି ।’ ଆକାଶ ପରି ବିରାଟ ହୋଇଗଲା ସ୍ତ୍ରୀ ଲୋକଟିର ମନ, କହି ପକାଇଲା “ଜାଣିଛୁ କେବେ ତୁ ଚୋରି କରିନୁ ମୋର । ହେଲେ ଘରେ କେଉଠି କ’ଣ ହଜିଗଲେ ମୁଁ ତତେ ସନ୍ଦେହ କରେ ।” ସୁନାର ଖାଦ ସବୁ ଚାଲିଯାଉଥିଲା । ମଣିଷ ଭିତରୁ ମଣିଷଟା ଉତୁରି ଆସୁଥିଲା ।

 

ସୁଧୀରା ଏବେ ବଦଳି ହୋଇଆସିଛି ଉଦୟଗିରି ଡାକ୍ତରଖାନାକୁ । ଏଠି କମ୍ ଷ୍ଟାଫ ରହନ୍ତି । ଉପର ‘ଅଫିସରେ ଧରାଧରି କରି ମାସିକ ଦରମା କରେଇ ନିଅନ୍ତି । ଭୁବନେଶ୍ୱରରେ ପ୍ରତିନିଧିଙ୍କ ଦୁଆରେ ଚକ୍କର କାଟି କିମ୍ବା ଜୀବନ୍ତ ନାରାୟଣଙ୍କ ପାଖରେ ଭୋଗ ଲଗେଇ ଗାନ୍ଧୀ ସେବା ମେଡ଼ାଲ ପାଆନ୍ତି ।

 

ହେଲେ ଚନ୍ଦନରଙ୍ଗର ଏଇ ଝିଅଟା ଥଲା ବ୍ୟତିକ୍ରମ । ଯେଉଁଦିନ ଉଦୟଗିରି ଡାକ୍ତରଖାନାରେ ନିଜ ବେଡ଼ିଂ ଟ୍ରଙ୍କ ଧରି ପହଞ୍ଚିଥିଲା, ସମସ୍ତେ ସେଦିନ ହସିଲେ । ଏଠି କେହି ରହନ୍ତି ନାହିଁ ବୋଲି ସମସ୍ତେ କହିଲେ । ହେଲେ ସୁଅ ବିରୁଦ୍ଧରେ ପହଁରି ପାରୁଥିବା ଏ ଝିଅଟି କ୍ୱାର୍ଟରର ଦୁଆର ବନ୍ଧକୁ ସଜାଡ଼ିଲା । କାନ୍ଥରେ କଣ୍ଟାପିଟି ଫ୍ଲରେନ୍‌ସ ନାଇଟିଙ୍ଗଲ ଆଉ କୁନ୍ତଳା କୁମାରୀଙ୍କ ଫଟୋ ଟାଙ୍ଗିଲା । ଖଟ ଉପରେ ବେଡସିଟ୍ ପକାଇଲା ।

 

ଦୋଳାରେ ମସିଆ ଲାଲ୍ ରଙ୍ଗର ଝିଅଟି ପାଟି ପାକୁ ପାକୁ କରୁଛି । ପାଖକୁ ଲାଗି ଆସି ମୁହଁ ହଲେଇ ତା ସହ କଥା ହେଲା ସୁଧୀରା । ପ୍ରଶ୍ନ ତାର, ଉତ୍ତର ବି ତାର । କ’ଣ କରିବୁ ? ବଡ଼ ହବୁ ? ଡାକ୍ତରାଣୀ ହବୁ ? କଳା ବାଦଲ ପରି ଦୁମୁକାଏ ଚିନ୍ତା ପୁଣି ସୁଧୀରା ମୁହଁ ଉପରେ ବୁଲି ଆସିଲା । ବାପା ମା’ ଛାଡ଼ି ପଳେଇଛନ୍ତି । ମନକୁ ମନ ପଚାରିଲା “ତାଙ୍କ ମନ କେମିତି ହେଲା ?” ନା, ସମାଜ ବେଳେ ବେଳେ ମଣିଷର ମନକୁ ଏମିତି କରିଦିଏ । ସିଲଟରେ ଯାହା ଲେଖିବ ତା ଲେଖିହେବ । ପରିତ୍ୟକ୍ତ ଏଇ ଶିଶୁଟିର ଜାତି ନାହିଁ । ଜାତି ତାର ନାରୀ । ଧର୍ମ ତାର ମଣିଷ । କନ୍ଧମାଳରୁ ମହାନଦୀ ଦେଇ ଆଖି ତାର ଲମ୍ବିଗଲା । ପଦ୍ମପତ୍ରରେ ଶୋଇଛି ଶିଶୁଟିଏ । ତୋଳି ନଉଛନ୍ତି ଦମ୍ପତ୍ତି, ଦନାଇ ଆଉ ଗୁରୁବାରି । ମହାକାଳକୁ ଜୟ କରି ଶିଶୁଟି ସଂଗୀତ ଗାଉଛି । ନିଜ ଜୀବନକୁ ନର୍କକୁ ଫିଙ୍ଗି ଜଗତ ଉଦ୍ଧାର ଚିନ୍ତା କରୁଛି । ପ୍ରତିମା ଦେହରେ ପ୍ରାଣ ସଂଚାର କରୁଛି ।

 

ହସ ଲାଗିଲା ସୁଧୀରାକୁ । ଜଗନ୍ନାଥ ମନ୍ଦିରର କାଠ ପାଷାଣର ପ୍ରତିମାକୁ ଭାଙ୍ଗିବାକୁ ଯାଉଛନ୍ତି ଭୀମଭୋଇ । ବ୍ରାହ୍ମଣମାନେ ଉଦ୍ଧାର କରୁଛନ୍ତି ଜଗନ୍ନାଥଙ୍କୁ । ମେଡ଼ିକାଲ ଖଟିଆର ଶିଶୁକନ୍ୟାର ନାକ ପାଖରେ ହାତ ଦେଲା ସୁଧୀରା । ବିଚିତ୍ର ଲାଗିଲା ତାକୁ ମାଟି, ପାଣିର ଏଇ ପ୍ରତିମାରେ କିଏ ଦେଲା ଜୀବନ । ଆକାଶକୁ ଚାହିଁଲା । ସେ ଆଲୋକ, ଅନୁଭବ କଲା । ସେ ବାୟୁ, ମାଟିକୁ ଚାହିଁଲା, ସେ ବସୁନ୍ଧରା, ସେ ପୁଣ୍ୟତୋୟା । ନିଜ ଛାତିରେ ହାତ ଦେଲା, ସେଇ ଦୁକ ଦୁକ କରୁଥିବା ଶବ୍ଦଟି ଜଗନ୍ନାଥ, ସେଇ ଆଲ୍ଲା, ସେଇ ରାଜଉଆସ ଛାଡ଼ି ଚାଲିଯାଉଥିବା ବୈରାଗୀ ଗୌତମ ଆଉ ପରମ କାରୁଣିକ ଯୀଶୁ । ଏବେ ବି କହୁଛନ୍ତି “ହେ ଭଗବାନ ସେମାନଙ୍କୁ କ୍ଷମା କରିଦିଅ ।”

 

ଭୀମଭୋଇ ଭାଙ୍ଗିବାକୁ ଆସିନଥିଲେ ଜଗନ୍ନାଥଙ୍କୁ । ସେ ଜଗନ୍ନାଥଙ୍କୁ ଦେଖିଥିଲେ ମଣିଷ ଭିତରେ । ବାନ୍ଧି ରଖି ନଥିଲେ ଠାକୁରଙ୍କୁ ଦେଉଳ ଭିତରେ ବିଜେ କରାଇଥିଲେ ହୃଦୟର ରତ୍ନ ସିଂହାସନରେ । ସମର୍ପିଥିଲେ ମଣିଷ ପଣିଆର ଷାଠିଏ ପଉଟି ଭୋଗ ।

 

କ୍ଷମତା ହାସଲ ପାଇଁ ମଣିଷ ବିଶ୍ୱାସରେ ବିଷ ଦିଏ । ମହାକାଳର ମୁକୁଟ ବିହୀନ ସାମ୍ରାଜ୍ଞୀ ଫ୍ଲରେନ୍ସ ନାଇଟିଙ୍ଗ୍‍ଲଙ୍କ ମୁହଁକୁ ଚାହିଁଲା ସୁଧୀରା । ପିଲାବେଳୁ ମା’କୁ ହରେଇଛି ସେ । ହେଲେ ଯେତେବେଳେ ମା’ର ମମତାମୟୀ ମୂର୍ତ୍ତିଟିଏ ଆଙ୍କିବାକୁ ଯାଏ, ସେତେବେଳେ ଆଖି ଆଗରେ ଭାସିଉଠେ ଫ୍ଲରେନ୍ସଙ୍କର ସେଇ ମୁହଁଟି । ରୂପାନ୍ତର ତାର ଘଟେ ଜାତି, ଧର୍ମ, ଭାଷାର ପାଚେରି ଡେଇଁ ପୁଣ୍ୟତୋୟା ଗଙ୍ଗାଧରର ସେଇ ବିଶ୍ୱକଲ୍ୟାଣୀ ଶୁଭ୍ରବସ୍ତ୍ରା ପରିହିତା, ଉନ୍ମୁକ୍ତ ଲମ୍ବିତକେଶା ତପସ୍ୱିନୀ ମା’ ସାରଦା ଦେବୀଙ୍କଠାରୁ ତ ପୁଣି ଉତ୍କଳର ରାଜ ଉଆସ ଛାଡ଼ି ମାଟିର ମୁକୁଟ ପିନ୍ଧିଥିବା ରାଜନନ୍ଦିନୀ ମା’ ରମାଦେବୀ ରୂପରେ । ଏମାନେ ସମସ୍ତେ ହିନ୍ଦୁ, ସମସ୍ତେ ମୁସଲ୍‌ମାନ, ସମସ୍ତେ ଖ୍ରୀଷ୍ଟିୟାନ । ସମସ୍ତେ ମଣିଷ ।

 

କୁଆଁ କୁଆଁ ହେଇ ଲହରେଇ ଲହରେଇ କାନ୍ଦୁଛି ଶିଶୁଟା । ଦଙ୍ଗାବେଳ । ଇଲେକ୍ଟ୍ରି ଲାଇନ୍ କଟିଯାଇଛି । ଫୋନ୍ ବି ମଧ୍ୟ । ଆକାଶକୁ ଚାହିଁଲା । ଏଇ ଆକାଶ ଲମ୍ବିଯାଇଚି ତା’ଠୁ ସବୁ ମଣିଷମାନଙ୍କ ପାଖକୁ । ତା ପରିବାର ପାଖକୁ । ସାନ୍ଧ୍ୟ ଆଇନ୍ ତା ଉପରେ ଅନ୍ଧାର ଆଣିପାରିନି । ନୀଳ ମହାସାଗର ଉପରେ ତୁଳାଖଣ୍ଡ ପରି ବାଦଲ । ।

 

ଚମକି ପଡ଼ିଲା ସୁଧୀରା । କେତେ ଲୋକ ମରିଗଲେଣି । ମେଡ଼ିକାଲ ଖଟିଆରେ ଜାତି ଗୋତ୍ର ହିସାବ ରଖିନି । ତିନି ଚାରିଦିନ ତଳେ ଖଟିଆ ଉପରେ ଗୁଳିବିଦ୍ଧ ଲୋକଟା ଜୀବନ ଛାଡ଼ି ବା ଆଗରୁ ବିକଳରେ ତା ହାତକୁ ଜାବୁଡ଼ି ଧରିଥିଲା । ଅନେକ ସମୟ ଯାଏ ହାତକୁ ସେମିତି ରଖିଥିଲା ସୁଧୀରା । ସେ ଲୋକ ପାଇଁ ତାର ହାତଟା ଥଲା ତା ପରିବାରର ମା, ଭଉଣୀ କିମ୍ବା ପତ୍ନୀର । ନଥଲା ହିନ୍ଦୁ, ମୁସଲ୍‌ମାନ୍, ଖ୍ରୀଷ୍ଟିୟାନର ଥିଲା ମହାମାନବର ।

 

ଧର୍ମ ବେପାରୀମାନେ ଦୋଷ ଦେଉଛନ୍ତି ପରିସରକୁ । କ୍ଷମତା ବେପାରୀମାନେ କାଦୁଅ ଫୋପାଡ଼ୁଛନ୍ତି ଦିଲ୍ଲୀ, ଭୁବନେଶ୍ୱରକୁ । ଅସ୍ତ୍ର ବେପାରୀମାନେ ପାଇଛନ୍ତି ଏକ ନୂଆ ବଜାର । ଶବ ପାଖରେ ସାନ୍ଧ୍ୟ ଆଇନ୍‌କୁ ଟପି ଠିଆହୋଇ କାନ୍ଦୁଛି ସ୍ତ୍ରୀ ଲୋକଟି । ଏକାଠି ଚାଲିବାର ଶପଥ ନେଇଥିଲେ ଚାଲିବାକୁ ଏଇ ଦୁନିଆର ଖାଲଖମା ରାସ୍ତାରେ । ପକ୍ଷୀଯୁଗଳ ହେଇ ଉଡ଼ିବାକୁ ସବୁଜ ବନାନୀରେ, ହେଲେ କିରାତର ଶରାଘାତରେ ଆଜି ଭାଙ୍ଗି ଯାଇଛି ଦମ୍ପତ୍ତି । କିନ୍ତୁ କାହାନ୍ତି ସେ ମହାକବି ଅଭିଶାପ ଦେବାକୁ ଏଇ ସୁନ୍ଦର ପୃଥିବୀକୁ ବିକୃତ କରୁଥିବା ମଣିଷମାନଙ୍କୁ ?

 

ଝରକା ଆରପାଖକୁ ଚାହିଁଲା ସୁଧୀରା । ମଝିରେ ମଝିରେ ବନ୍ଧୁକର ଶବ୍ଦ ଶୁଭଛି । ଗୁଳି ଗୁଡ଼ାକ ତାକୁ ଲାଗୁଥାଏ ଯେମିତି ତାରି ଛାତିରେ ବାଜୁଛି । ବରଗଛ ତଳେ ସବୁ ଜାତିର ପିଲେ ଖେଳୁଛନ୍ତି । ଏବେ ସେ ଖେଳ ବନ୍ଦ । ମିଛି ମିଛିକା ଭାତରନ୍ଧା ଘଡ଼ି ସବୁ ଭାଙ୍ଗି ଗଡ଼ୁଛି । ସବୁ ହଜିଗଲା ଯୋଉଦିନ ବାହାରୁ ଲୋକ ଆସିଲେ । ହାତୀ ଦେବୁ, ଘୋଡ଼ା ଦେବୁ ପେଁକାଳୀ ବଜେଇ ଦବୁ ବୋଲି କହିଲେ ।

 

ଏଁ ପିଲାଟାର କାନ୍ଦ ବନ୍ଦ ହେଲା କେମିତି ? ଅନ୍ୟ କଥା ଭାବୁ ଭାବୁ ପିଲାକଥା ଭୁଲିଯାଇଥିଲା ସୁଧୀରା ।

 

କିନ୍ତୁ ଏ କ’ଣ ? କିଏ ଏଇ ଉନ୍ମୁକ୍ତ ବକ୍ଷା ନାରୀ । ଶଙ୍ଖ ଭଳି ବକ୍ଷୋଜର ଗଙ୍ଗୋତ୍ରୀ ଲମ୍ବି ଯାଇଛି ପିଲାଟିର ପାଟିକି । ଚୁଁ ଚୁଁ ହୋଇ ମୁଣ୍ଡିଆ ମାରି କ୍ଷୀର ଶୋଷିଯାଉଚି ପିଲାଟି । ମା’ର ଆଖିରେ ଫେଣ୍ଟି ହେଇଯାଇଥିବା ହସଲୁହର ତୃପ୍ତିମୟୀ ବିଭା । ମା’ ମେରୀ କ’ଣ ଅବତରି ଆସିଛନ୍ତି ସ୍ୱେଦହରେ ?

 

ଏ ଯେ ସେଲିନା ? ଗତ ରାତିରେ ପ୍ରସୂତି ବେଦନା ପାଇଁ ଡାକ୍ତରଖାନାକୁ ଆସିଥିଲା । ପାଖ ଗାଁ ମୁସଲ୍‌ମାନ ବସ୍ତିରେ ଘର । ସାଥିରେ ଥିଲା ସ୍ୱାମୀ ଅଖତର୍‍ । ହେଲେ ମୃତ ସନ୍ତାନ ପ୍ରସବ ହେଲା । ଦୁନିଆର ଆଖି ଦେଖିବା ଆଗରୁ ଅନ୍ଧାର ମାଡ଼ିଆସିଲା । କର୍ଫ୍ୟୁ ଯୋଗୁଁ ଫେରି ପାରିନାହାନ୍ତି ଗାଁକୁ ।

 

କ୍ଷୀର ଖୁଆଇ ଚାଲିଥିଲା ସେଲିନା । ଚାହିଁଥିଲା ଅଖତର୍‍ । ସୁଧୀରାର କାନକୁ ଶୁଭୁନଥିଲା ଗୁଳି । ଆଖିକୁ ଦେଖାଯାଉ ନଥିଲା ନିଆଁ ଆଉ ଧୂଆଁ । ଅମୃତମାଟିରେ ସୃଷ୍ଟି ହେଉଥିଲା ସ୍ପନ୍ଦନ । କର୍ଫ୍ୟୁର ନିଗଡ଼ ଭାଙ୍ଗି ସେଲିନା ଆଉ ଅଖତର୍‍ ଏଇ ପରିଚୟହୀନ ଶିଶୁକୁ କୋଳରେ ଧରି ଦେଉଥିଲେ ତାର ପରିଚୟ । ପ୍ରତିଧ୍ୱନିତ ହେଉଥିଲା ଇୟଂ ବସୁଧା ମାନବାନାଂ ।

Image